ସନ୍ଥ ବାହୁଡା

ସୁଦର୍ଶନ ଭୋଇ
             ସନ୍ଥ ବାହୁଡା ଏକଧାରାରେ ଜଣେ ଯୋଗଜନ୍ମା,ସମାଜ ସଂସ୍କାରକ,ଭକ୍ତ କବି ଏବଂ ମହାନ୍ ସନ୍ଥ ଥିଲେ ।  ତାଙ୍କ ନିକଟରେ ଅନେକ ଐଶ୍ୱରିକ ଶକ୍ତି ଭରି ରହିଥିଲା ଏବଂ ସେ ଜଣେ ଅସାଧାରଣ ସାଧକ ଥିଲେ । ଉକ୍ତ ସାଧନା ବଳରେ ହୁକୁମ ଦେଇ ହଜାର ହଜାର ଲୋକଙ୍କ ରୋଗକୁ ଆରୋଗ୍ୟ ଲାଭ କରାଉଥିଲେ । ସେ ନୀଚ କୁଳରେ ଜନ୍ମ ହୋଇଥିଲେ ମଧ୍ୟ ଜାତି ବର୍ଣ୍ଣ ନିର୍ବିଶେଷରେ ପତ୍ୟେକ ଜାତିର ଲୋକମାନେ ବାବାଙ୍କର ଆର୍ଶୀବାଦ ଲାଭ କରିବା ନିମନ୍ତେ ହୁକୁମ ବଟ ନିକଟକୁ ଆସୁଥିଲେ ଏବଂ ଭକ୍ତିରେ ବିଭୋର ହୋଇ ନାମ ସଂକୀର୍ତ୍ତନ କରୁଥିଲେ । ସେ ବଡ ଠାକୁର ଜଗନ୍ନାଥଙ୍କ ଉପାସକ ଥିଲେ । ତାଙ୍କର ଅଲୌକିକ ଶକ୍ତି ବଳରେ କୌଣସି ଲୋକଙ୍କୁ ଜ୍ୱର ହେଲେ ବିନା ଦ୍ୱିଧାରେ ନିକଟରେ ଥିବା ପୋଖରୀରେ ବୁଡାଇ ଆଣିବାକୁ କହୁôôଥିଲେ ଏବଂ ପେଟ ରୋଗୀମାନଙ୍କୁ ବିଭୂତି ଦେଇ ରୋଗ ଭଲ କରାଉ ଥିଲେ । ପାଗଳ ହେଉଥିବା ଲୋକ ମାନଙ୍କୁ ପୋଖରୀରେ ବୁଡାଇ  ଏବଂ ତୁଳସୀ ପତ୍ର ରସ ପିଆଇ ଭଲ କରାଉଥିଲେ । ଆଉ ମଧ୍ୟ ପ୍ରବଳ ଜ୍ୱର ହୋଇଥିଲେ ପାଣିରେ ଗାଧୋଇ ଦେଇ, ବାଳିଆ ମାଛ ତରକାରୀ ଖୁଆଇବା ପାଇଁ କହୁଥିଲେ । ସେଥିରେ ଆରୋଗ୍ୟ ହେଉଥିଲେ ବୋଲି ପ୍ରବାଦ ଅଛି ଯେ,କେତେ ଲୋକ ବାବାଙ୍କ ଲୋକପ୍ରିୟତାକୁ ସହି ନପାରି ପରୀକ୍ଷା କରିବା ନିମନ୍ତେ ହୁକୁମ ବଟକୁ ଆସି ଲଜ୍ଜିତ ହୋଇଥିଲେ ।ସେ ଜଣେ ଏକାଧାରରେ ଭକ୍ତ କବି ଥିଲେ ବୋଲି ତାଙ୍କ ରଚିତ  ଶରୀର ଭେଦ ତଥା ବ୍ରହ୍ମତତ୍ତ୍ୱ ଜଣାଣ ଓ ଭଜନରୁ ଜାଣି ହୁଏ ।                                                                  ଆଜି ପର୍ଯ୍ୟନ୍ତ ତନ୍ମଧ୍ୟରୁ ଅନେକ ଭଜନ ଗାଁ ଗହଳିରେ ସଂଧ୍ୟା ସମୟରେ ଭଜନ ଗାୟକମାନେ ଏବେ ଗାନ କରୁଥିବାର ଦୃଷ୍ଟି ଗୋଚର ହେଉଅଛି । ଉଦାହରଣତଃ- (୧)ନୂଆ ଘର ଖଣ୍ଡି ଦିନେ ପୂରୁଣା ହେବ, ମାରିବ ଶୂନ୍ୟ ଲହଡି ଥୟ ନୋହିବ, (୨) ପୋଖରୀ ଗୋଟିକ ଚାରି ଚଉରସ, ଡିମ୍ବ ପାରିଅଛି ଅଣ୍ଡିରା ହଂସ, (୩)  ସଖିଗୋ, ଦେଖି ଯିବା ତ ଆସ (୪) ଭାବର ଭବ ନଗର କିଏ ଗଢିଛି, ଓଲଟ ଶୂନ୍ୟେ ମନ୍ଦିର ଯଉ ପଡିଛି (୫) ଆଉ ନାହିଁରେ ମନ ଅନ୍ୟ ଭରଷା,ବ୍ରହ୍ମ ପାଦ ତଳେ ଲଗାଅ ଆଶା ଇତ୍ୟାଦି । ଜଣାଣ ମଧ୍ୟରୁ (୧)ହେ ପ୍ରଭୁ ଶୂନ୍ୟ ବିହାରୀ ନ ଶୁଣିଲ ମୋ ଗୁହାରି ଓ (୨) ପାରିକର ପ୍ରଭୁ ହେ ଚକାଡୋଳା, ଅଥଳ ନଦୀରେ ପତର ଭେଳା ଇତ୍ୟାଦି । ଏହା ସଂଗେ ସଂଗେ ଅହଂକାରୀ ଲୋକମାନଙ୍କ ପାଇଁ ମଧ୍ୟ କିଛି ଭଜନ ରହିଅଛି, ତନ୍ମଧ୍ୟରୁ (୧)ତୁ ଏବେ ବାଘ ବୋଲାଉ,ବାଘୁଆକୁ ଚିହ୍ନି ନାହୁଁ ଭଜନ ଅନ୍ୟତମ ଅଟେ । ସମାଜରୁ କୁସଂସ୍କାର ଦୁରକରିବା ନିମନ୍ତେ ବହୁ ଉପାଦେୟ ଭଜନ ଜଣାଣ ଲେଖି,ସେ ଅଧୁନା ସମାଜରେ ଜଣେ ସନ୍ଥ କବି  ଭାବରେ ପରିଗଣିତ । ସେ ପ୍ରତ୍ୟହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ ।  ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ତନ ମନ ଧନ ସବୁ କିଛି ସମର୍ପଣ କରି, ତାଙ୍କର ମହିମାବାଣୀକୁ ପ୍ରବଚନ ଦେଉଥିଲେ । ଜଣେ  ଅଲୌକିକ ସାଧକ ବୋଲି ତାଙ୍କ ଚେହେରାରୁ ହିଁ ଫୁଟି ଉଠିଥିଲା । ଶରୀରରୁ ଭାସି ଆସୁଥିଲା ଚନ୍ଦନ ଅଗୁରୁର ମହମହ ବାସ୍ନା । ତାଙ୍କର ଜନ୍ମ ବେଳୁ ହିଁ ତାଙ୍କର ଅଲୌକିକତା ପ୍ରକାଶ ପାଇଥିଲା ।
                     ଆଦ୍ୟ ଆଷାଢର ବରଷା ଛିଟାରେ ପୃଥିବୀ ସବୁଜିମାରେ ଭରି ରହିଥିଲା । ସକାଳର ସୁନେଲି ଖରାରେ ଚିକ୍ମିକ୍ କରୁଥିଲା ପୃଥିବୀ ମାତା । ମାତା ଗୁରୁବାରୀ ପଡିଆକୁ ଛେଳି ବାନ୍ଧିବାକୁ ଯାଇଥିଲେ । ଏହି ସମୟରେ ଫେରିବା ବାଟରେ ହିଁ ସନ୍ଥ ବାହୁଡାଙ୍କ ଜନ୍ମ ହୋଇଥିଲା । ପ୍ରସବଜନିତ ବେଦନାରେ ମାତା ଗୁରୁବାରୀ ଅଚେତ ହୋଇ ଯାଇଥିଲେ । ବିଶେଷ ସୁରକ୍ଷା ଆବଶ୍ୟକତା ହେତୁ ଉଭୟଙ୍କୁ ଏକ ବାଘୁଣୀ ଜଗି ରହିଥିଲା  ଏବଂ ଏପରି  ଦୃଶ୍ୟ ଦେଖି,  ଅନେକ ବ୍ୟକ୍ତି ଚକିତ ହୋଇ ଯାଇଥିଲେ । ଉକ୍ତ ଘଟଣାଟି ଖନେ୍ଦାଳର ପଡୋଶୀ ଗାଁ ମାନଙ୍କୁ ବିଜୁଳି ବେଗରେ ପ୍ରଚାର ହୋଇ ଯାଇଥିଲା । 
                       ମହାନ୍ ସନ୍ଥ ବାହୁଡାଙ୍କ ବିଷୟରେ ମଧ୍ୟ ଅନ୍ୟ ଏକ  ସୁନ୍ଦର କିମ୍ବଦନ୍ତୀ ଅଛି । ଏକଦା ଗୋସ୍ୱାମୀ ବାହୁଡା ବୁଢୀ ମାଆଙ୍କ ସହିତ ପୋଖରୀକୁ  ମାଛ ଧରିବା ପାଇଁ ଯାଇଥିଲେ । ମାତ୍ର ଜୀବ ପ୍ରତି ଦୟା ରଖୁଥିବା ସନ୍ଥ ବାହୁଡାଙ୍କ ମନରେ ଗଭୀର ଆଘାତ ହେଲା । ବୁଢୀ ମା  ପୋଖରୀରୁ ମାଛ ଦରାଣ୍ଡିବା ସହିତ ସେଗୁଡିକ ମାରି ଖାଳେଇ (ବାଉଁଶ ପାତିଆ ନିର୍ମିତ ମାଛ ରଖିବା ପାଇଁ ବ୍ୟବହୃତ ଉପକରଣ) ରେ ରଖୁଥିଲେ । ମାତ୍ର ଏପରି  ନିରୀହ ଜୀବଙ୍କ ମରଣ ବାହୁଡାଙ୍କ ମନରେ ବହୁତ ଦୁଃଖ ଜାତ ହେଲା । ଯିଏ ଅସାଧାରଣ ଶକ୍ତି ନେଇ ଜନ୍ମ ନେଇଛନ୍ତି, ତାଙ୍କ ପାଇଁ ଅସମ୍ଭବ ବି ସମ୍ଭବ ହୋଇଯାଏ । ଗୋସ୍ୱାମୀ ବାହୁଡା ଖାଳେଇରୁ ଗୋଟିଏ ପରେ ଗୋଟିଏ ମାଛ  ଆଣି ହାତରେ ଧରୁଥିଲେ  ଏବଂ ଉକ୍ତ ମାଛକୁ ହାତରେ ଆଉଁସି ଦେଉଥିଲେ ।  ବାହୁଡାଙ୍କ ହାତର ଅମୃତ ପରଶରେ  ମାଛ ଗୁଡିକ ସତେ ଯେପରି  ପୁର୍ନଜନ୍ମ ପାଇଗଲେ । ୟେ ଦୃଶ୍ୟ ଦେଖି, ବାହୁଡା ଜଣେ ଭଗବାନଙ୍କ ଅବତାର ପୁରୁଷ ବୋଲି ,ବୁଢୀ ମାଆଙ୍କୁ ଅଛପା ରହିଲା ନାହିଁ । ବାହୁଡାଙ୍କର ଜୀବ ଦୟା ଦେଖି ଅଭିଭୂତ ହୋଇଗଲେ । ଆଖିରେ ତାଙ୍କର ଝରିଗଲା ଅମାନିଆ ଲୁହଧାରା ଏବଂ ଆଉ ଏପରି କରିବେ ନାହିଁ ବୋଲି ଶପଥ ନେଇଥିଲେ । 
                            ଗୋସ୍ୱାମୀ ବାହୁଡା ପ୍ରତ୍ୟହ ସନ୍ଧ୍ୟାରେ ଧ୍ୟାନସ୍ଥ ହେଉଥିଲେ । ସେ ଏକାଧାରରେ ବାକ୍ସିଦ୍ଧି, ନାଗାନ୍ତ, ଯୋଗାନ୍ତ, ବେଦାନ୍ତ,ଏବଂ ଅଷ୍ଟାଙ୍ଗ ଯୋଗ ଆଦି ଆଧ୍ୟାତ୍ମିକ ତଥା ବ୍ରହ୍ମବିଦ୍ୟାରେ ସିଦ୍ଧି ଲାଭ କରିଥିଲେ । ଯାହାଫଳରେ ସେ ଜଣେ ବ୍ରହ୍ମଦର୍ଶୀ ଥିଲେ କହିଲେ ଅତୁ୍ୟକ୍ତି ହେବ ନାହିଁ । ତାଙ୍କର   ହୁକୁମ ଅକାଟ୍ୟ ଥିଲା । ସେ  କୌଣସି ବ୍ୟକ୍ତିର ଅସାଧ୍ୟ ରୋଗକୁ ଅବିଳମ୍ବେ  ଆରୋଗ୍ୟ  କରି ଦେଉଥିଲେ ।  ତାଙ୍କରି ଆଶୀଷରେ ଶୂନ୍ୟଗର୍ଭା ନାରୀ ପୂର୍ଣ୍ଣଗର୍ଭା ହେଉଥିଲା । ଗୋସ୍ୱାମୀ ବାହୁଡା ଶୁଦ୍ର କୁଳରେ ଜନ୍ମ ହୋଇଥିବାରୁ, ତାଙ୍କର ମହିମାଗାଥାକୁ ଉଚ୍ଚ ବର୍ଣ୍ଣର ବ୍ୟକ୍ତିମାନେ ଇର୍ଷା ପରାୟଣ  ହେଉଥିଲେ । ଯାହା ଫଳରେ ବିଭିନ୍ନ ଭାବରେ  ଅଭିନୟ ପୂର୍ବକ ପରୀକ୍ଷା କରିବା ପାଇଁ ସ୍ୱାମିଜୀଙ୍କ ନିକଟକୁ ଆସୁଥିଲେ । କିନ୍ତୁ ଗୋସ୍ୱାମୀ ବାହୁଡା ଦୟା ଏବଂ କ୍ଷମାର ଅବତାର ଥିଲେ ।  ସନ୍ଥଙ୍କର ହୃଦୟ ସର୍ବଦା ଉଦାରମୟ ଏବଂ ଆନନ୍ଦମୟ ଅଟେ । କୌଣସି ଅହଙ୍କାରୀ ବ୍ୟକ୍ତି ସନ୍ଥଙ୍କୁ ଅପମାନ ଦେଉ କିମ୍ବା ଇର୍ଷା କରୁ, ସନ୍ଥଙ୍କ ମାନସପଟରେ କୌଣସି ପ୍ରଭାବ ପଡେ ନାହିଁ  । ବରଂ ସ୍ମିତହାସ୍ୟ ପୂର୍ବକ ଉଦାର ହୃଦୟର ବ୍ରହ୍ମାଗ୍ନିରେ, ଉକ୍ତ ଅହଙ୍କାରୀ ବ୍ୟକ୍ତିର ଇର୍ଷା କିମ୍ବା ଅପମାନକୁ ଭସ୍ମ କରି ଦେଇଥାନ୍ତି । ଯଦ୍ୱାରା ଗୋସ୍ୱାମୀ ବାହୁଡା ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ  ସମସ୍ତଙ୍କ ହୃଦୟରେ ଜଣେ ମହାନ୍ ସନ୍ଥ ଭାବରେ ସ୍ଥାନ ପାଇଥିଲେ, ଏଥିରେ ସନେ୍ଦହ ନାହିଁ । ଏତଦ୍ ବ୍ୟତୀତ ଭୋଇ କୁଳର ବ୍ୟକ୍ତିମାନେ ଦୁଃଖ ଦୁର୍ଦ୍ଧଶାରେ ଜର୍ଜରିତ ହେଉଥିବା ଅନୁଭବ କରି  ଜାତିକୁ ସଂଗଠିତ କରିବା ପାଇଁ ନୂତନ ଖସଡା ପ୍ରସ୍ତୁତ କରିଥିଲେ । ଭୋଇ ଜାତି ମଧ୍ୟରେ ଭାଇଚାରା ସୃଷ୍ଟି, କୁସଂସ୍କାର ଦୂରୀକରଣ ଓ ନିରକ୍ଷରତା ଦୂରୀକରଣ ଆଦିରେ ସ୍ୱାମିଜୀଙ୍କର ପ୍ରମୁଖ ଭୁମିକା ଥିଲା ।  
                                                                  ଏକଦା  ମହୀଧରପଡା ସ୍ଥିତ ଅରଡିଆପଡା ଜମିଦାରଙ୍କ କୁଷ୍ଠରୋଗକୁ ଆରୋଗ୍ୟ କରିଥିଲେ । ଆରୋଗ୍ୟ ଲାଭ ପରେ ଜମିଦାର  ସନ୍ତୁଷ୍ଟ ହୋଇ ଗୋସ୍ୱାମୀ ବାହୁଡାଙ୍କୁ  ବାର ମାଣ, ବାର ଗୁଣ୍ଠ ଓ ବାର ବିଶ୍ୱା ଜମି ଦାନ କରିଥିଲେ । ଉକ୍ତ ଜମିକୁ ଗୋସ୍ୱାମୀ ବାହୁଡା କୁଶକଂଟା ମଠ ନାମରେ ନାମିତ କରିଥିଲେ । ସନ୍ଥ ବାହଡାଙ୍କ ଆଶ୍ରମଟି  ବିଭିନ୍ନ  ଫୁଲ ଫଳଗଛରେ ପରିପୂର୍ଣ୍ଣ ହୋଇ ଅପୂର୍ବ ସୁଷମାରେ ପୁରି ଉଠିଥିଲା । ଉକ୍ତ ଆଶ୍ରମର ମାଧୁରିମା ଏବଂ  ସ୍ୱାମିଜୀଙ୍କର ଆଶୀର୍ବାଦ ଲାଭକରିବା ପାଇଁ  ଦୂର ଦୂରାନ୍ତରୁ ଅଗଣିତ ଭକ୍ତମାନେ ଛୁଟି ଆସୁଥିଲେ । ବାସ୍ତବରେ କହିବାକୁ ଗଲେ, କଟକ ଜିଲ୍ଲା କାହିଁକି, ସମଗ୍ର ଓଡିଶାରେ ସୁନାମ ଅର୍ଜନ କରିଥିଲା । ହେଲେ ଆଜି କୁଶକଂଟାର ସୌନ୍ଦର୍ଯ୍ୟ ଏବଂ ମାଧୁରିମା ବିଲୁପ୍ତ ପ୍ରାୟ । ଗୋସ୍ୱାମୀ ବାହୁଡା ଆଜି ନାହାନ୍ତି, ହେଲେ ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ପାଇଁ କୁଶକଂଟାର କୁଶବନରେ ତାଙ୍କର ମହାନ୍ ଆତ୍ମା  ଘୁରି ବୁଲୁଛି  । ତେଣୁ ଆମ୍ଭ ଜାତି ତାଙ୍କ ନିକଟରେ  ଚିର ଋଣୀ ହୋଇ, ତାଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରୁଅଛି । 
                                                                                               ନାଲ୍କୋ,                                                                                                ଦାମନଯୋଡି, ମୋ-୯୪୩୭୦୯୩୦୫୫
JOY BAHUDA

No comments:

Post a Comment