ଆମ ଅଧିକାର ଆମ ଆଇନ

ଆପଣ  ଭୂମିହୀନ ଅଟନ୍ତି କି ?
ଅଧୁନା ସମାଜ ଏକ ବିଂଶ ଶତାବ୍ଦୀରେ ପାଦ ଥାପିଥିଲେ ମଧ୍ୟ ଧନୀ ଗରିବର ପ୍ରାଚୀର ମୁଣ୍ଡ ଟେକି ଠିଆ ହୋଇଛି । ଜଣେ ଶିଳ୍ପପତି ଏକର ଏକର ଜମିର ମାଲିକ ହୋଇ ରିଅଲ୍ ଇଷ୍ଟେଟ୍ ବେପାର କରି  କୋଟିପତି ହେଉଛି । ଅଥଚ ଏପରି ମଣିଷ ଅଛନ୍ତି, ଯାହାର ମୁଣ୍ଡ ଗୁଂଜିବାକୁ ଜାଗା ଟିକେ  ନାହିଁ । ରାସ୍ତା କଡ, ଫୁଟ୍ ପାଥ ଓ ଗଛ ମୂଳ ହିଁ ତାହାର ଘର । ଅଧୁନା  ଓଡିଶା ସରକାର ଓ ସର୍ବୋପରି କେନ୍ଦ୍ର ସରକାର ଭୂମିହୀନମାନଙ୍କ ପାଇଁ  ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଅନେକାଂଶରେ ଏହା ଲୋକମାନଙ୍କର ଅଜ୍ଞତା  କିମ୍ବା ସଚେତନତାର ଅଭାବ ହେତୁ, ଉକ୍ତ ଯୋଜନା ଗୁଡିକ ସଫଳ ରୂପାୟନ  ହୋଇ ପାରିନି ବୋଲି ମୋର ମନେ ହୁଏ । ସରକାରଙ୍କର ଯୋଜନା,ଆମର ଅଧିକାର । ତେବେ ନିଜର ଅଧିକାର କାହାକୁ ମାଗିଲେ ମିଳିବନି । ୟେ ଅଧିକାରକୁ ଆମ୍ଭେ ଦାବୀ କରିବା ଆବଶ୍ୟକ । ତେବେ ନିମ୍ନରେ କେତେ ଗୁଡିଏ  ଯୋଜନା ଗୁଡିକୁ ଅନୁଧ୍ୟାନ କଲେ ଭୂମିହୀନ ପରିବାରମାନେ ଫଳପ୍ରଦ ହୋଇପାରିବେ ମୋର ଆଶା ।

ଓଡିଶା ଭୁ ସଂସ୍କାର ଆଇନ୍-୧୯୬୦
ଭୂଦାନ ଆଇନ୍ ୧୯୭୦ ଓ ନିୟମ ୧୯୭୨
ବସୁନ୍ଧରା ଯୋଜନା (ବିଜ୍ଞପ୍ତି ସଂଖ୍ୟା-୨୮୭୩୩, ତା-୦୩/୦୭/୨୦୦୮ରିଖ )
ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଭୂମିହୀନ ପରିବାରଙ୍କୁ ରାଜ୍ୟ ସରକାର ଅତି କମ୍ରେ ୧୦ ଡିସିମିଲ ବାସସ୍ଥାନ ଉପଯୋଗୀ ଜମି  ଯୋଗାଇଦେବେ ।
•     ମୋ ଘର, ମୋ ଡିହ 
ଓଡିଶା ସରକାରଙ୍କ ନିଦେ୍ର୍ଧଶନାମା ନଂ ଏଲ.ଡି-୬୦/୨୨୦୭ ୩୪୨୮୪/ସି,ଏସ,( ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ), ରାଜ୍ୟ ସରକାର,ଭୁବନେଶ୍ୱର ତାରିଖ-୧୨/୦୮/୨୦୦୮
କେନ୍ଦ୍ର କ୍ୟାବିନେଟ୍ ଏକାଦଶ ପଂଚ ବାର୍ଷିକୀ ଯୋଜନା 
୧. ଏକାଦଶ ପଂଚ ବାର୍ଷିକୀ ଯୋଜନାର ନିଷ୍ପତି ଅନୁ୍୍ୟାୟୀ ୨୦୧୨ ମସିହା  ସୁଧା ଗ୍ରାମାଂଚଳରେ ସମସ୍ତ ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଭୂମିହୀନ ମାନଙ୍କୁ ଘରଡିହ ପଟ୍ଟା ଯୋଗାଇଦିଆ ଯିବା ପାଇଁ ନିଷ୍ପତି ନିଆ ଯାଇଅଛି ।
୨. ଯେଉଁ ସରକାରୀ ଜମିକୁ ଭୂମିହୀନ ପରିବାର  ଦଖଲ କରି ବାସଗୃହ କରି ରହୁଥିବେ  କିମ୍ବା ଜବରଦଖଲ କାରୀ ଭାବରେ  ସରକାରଙ୍କୁ ଖଜଣା ଦେଉଥିବେ, ସରକାର  ଆଇନ୍ ଅନୁଯାୟୀ  ଉକ୍ତ ଜମି ଭୂମିହୀନ ପରିବାରଙ୍କୁ ଯୋଗାଇ ଦେବେ ।
୩. ଉକ୍ତ  ଯୋଜନା ପାଇଁ  ସାଧାରଣତଃ ଅନାବାଦୀ, ଚାରଣ ଭୂମି ଓ ଉକ୍ତ ପଂଚାୟତର ଅନ୍ତର୍ଭୁକ୍ତ ହୋଇଥିବା ଆବଶ୍ୟକ । ଯଦି ସେଠାରେ ଏପରି କୌଣସି ଜମି ନ ଥିବ, ତେବେ ରାଜ୍ୟ ସରକାର ଜମି କିଣି  ଉକ୍ତ ଭୂମିହୀନ ପରିବାରକୁ ଯୋଗାଇ ଦେବେ । ଏଥିପାଇଁ  ପ୍ରତ୍ୟେକ ଭୁମିହୀନ ପରିବାର ପାଇଁ ସର୍ବାଧିକ ଦଶ ହଜାର ଟଙ୍କା ଖର୍ଚ୍ଚ କରା ଯାଇ ପାରିବ ।
ଭୂମିହୀନ ଭାବରେ ଆପଣ କଣ କରିବେ ?
                                    ଓଡିଶା ସରକାର ଗ୍ରାମାଂଚଳରେ ଭୂମିହୀନ ମାନଙ୍କୁ ଚିହ୍ନଟ କରାଯିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯିବା ସହିତ ଓଡିଶା  ରାଜସ୍ୱ ବିଭାଗର ସମସ୍ତ ସଚିବ ମାନଙ୍କୁ ଚିଠି (ଚିଠି ନଂ ଏ.ଜି.-୩୨/୧୦/୧୮୯୨୩/ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ, ତାରିଖ-୦୩/୦୫/୨୦୧୧) କରା ଯାଇଥିଲା । ଏହା ସଂଗେସଂଗେ  ଏହାକୁ ଡିସେମ୍ବର ୨୦୧୧ ସୁଦ୍ଧା ଶେଷ କରି ଭୁମିହୀନମାନଙ୍କୁ ଅନୁନ୍ୟ ୧୦ ଡିସିମିଲ ବାସସ୍ଥାନ ଉପଯୋଗୀ ଭୂମି ପ୍ରଦାନ କରାଯିବା ପାଇଁ ନିଦେ୍ର୍ଧଶ ଦିଆ ଯାଇଥିଲା । ମାତ୍ର ୟେ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ମନେ ହୁଏ । ଯଦି ଆପଣ ଭୁମିହୀନ ଅଟନ୍ତି ଏବଂ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇନଥାନ୍ତି, ତେବେ ଆପଣ ନିକଟସ୍ଥ ତହସିଲଦାରଙ୍କୁ ଲିଖିତ ଭାବରେ ଅବଗତ କରାଇବା ଆବଶ୍ୟକ । ଆବଶ୍ୟକ ସ୍ଥଳେ  ତହସିଲଦାରଙ୍କ ଅନୁମତି କ୍ରମେ ଆପ୍ଲିକେସନ୍ ଫର୍ ସେଟ୍ଲମେଂଟ୍ ଲ୍ୟାଣ୍ଡ୍ ଫର୍ମ-୧ (ନିୟମ ୩ (୨) ଦେଖନ୍ତୁ )  ଦ୍ୱାରା ତହସିଲ କାର୍ଯ୍ୟାଳୟରେ ଆବେଦନ କରି ପାରିବେ ଏବଂ ବିଶେଷ ସହାୟତା ପାଇଁ ସାଂଗଠନିକ (ଓଡିଶା ଦଳିତ) ସହାୟତା ନେଇ ପାରିବେ ।
ଭୂମିହୀନ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ମାନଙ୍କ ପାଇଁ ଜାତିଗତ ପ୍ରମାଣ ପତ୍ର ଏକ ସମସ୍ୟା  ?
 ଘର ଡିହ ପଟ୍ଟା ନ ଥିବା ହେତୁ  ଭୂମିହୀନ ସର୍ବୋପରି ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ଲୋକମାନେ ଜାତିଗତ ପ୍ରମାଣ ପତ୍ର  ପାଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।  ଏଥିପାଇଁ ନିକଟସ୍ଥ ତହସିଲଦାର ଦାୟୀ ବୋଲି ମୋର ଅଭିଜ୍ଞତାରୁ ମୁଁ ମନେ କରେ । ସରକାର ଜନ ସାଧାରଣଙ୍କ ସୁବିଧା ପାଇଁ ବହୁତ ଗୁଡିଏ ନିୟମ କଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ମୁଖ୍ୟତଃ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ଲୋକମାନେ, ତାଙ୍କର ଅଜ୍ଞତା ଓ ସରଳପଣିଆ ହେତୁ  ପ୍ରଶାସକ ନିକଟରେ  ତାଙ୍କର ଦାବୀ ଉପସ୍ଥାପନ  କରିପାରନ୍ତି ନାହିଁ । ଏପରି ଘଟଣା ଗୁଡିକ  ମୋ ନଜରକୁ ଆସିଛି, ଜାତିଗତ ପ୍ରମାଣ ପତ୍ର ପାଇଁ, ଯେଉଁଠି ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀମାନେ ଷ୍ଟାଇପେଣ୍ଡ୍ ପାଇବାରୁ ବଂଚିତ ହୋଇଛନ୍ତି କିମ୍ବା ବିଭିନ୍ନ ସୁବିଧା ସୁଯୋଗମାନଙ୍କରୁ ବଂଚିତ ହୋଇଛନ୍ତି । ଏଥିପାଇଁ ତହସିଲ ପ୍ରଶାସକଙ୍କ ଅସହଯୋଗ ବ୍ୟତୀତ ଅନ୍ୟ କିଛି ନୁହେଁ । କାରଣ ଏପରି କ୍ଷେତ୍ରରେ ଜଣେ ଆବେଦନ କାରୀ  ଜାତିଗତ ପ୍ରମାଣ ପତ୍ର ପାଇଁ ସମସ୍ତ କାଗଜାତ ଦାଖଲ କଲା ପରେ କେବଳ ତାର ଘର ଡିହପଟ୍ଟା  ଦେଇପାରେ ନାହିଁ । ତେବେ ଓଡିଶା ସରକାରଙ୍କ ନିଦେ୍ର୍ଧଶନାମା ନଂ.୯୮୩/ଆର ଏଣ୍ଡ ଡି.ଏମ. (ାାା-ମିସ୍(ସି)-୪୫/),ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗ,ରାଜ୍ୟ ସରକାର,ଭୁବନେଶ୍ୱର ତାରିଖ-୦୯/୦୧/୨୦୦୯ ଦ୍ୱାରା କୌଣସି କ୍ଷେତ୍ରରେ ତହସିଲ ପ୍ରଶାସନ, ଜଣେ ଭୂମିହୀନ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର  ଆବେଦନକାରୀଙ୍କୁ  ଜାତିଗତ ପ୍ରମାଣପତ୍ର ଦେବା ପାଇଁ ଅଗ୍ରାହ୍ୟ କରି ପାରିବେ ନାହିଁ  । ଉକ୍ତ  ନିଦେ୍ର୍ଧଶନାମା ଅନୁସାରେ-  
୧. ପ୍ରଥମେ ଆବେଦନକାରୀଙ୍କ ସାମାଜିକ ସ୍ଥିତି ଅନୁଧ୍ୟାନ ପାଇଁ, ତାଙ୍କର ଗ୍ରାମକୁ ତହସିଲର କର୍ମଚାରୀମାନେ ଯାଇ ସରଜମିନ ତଦନ୍ତ କରିବା ମୁଖ୍ୟତଃ ଆବଶ୍ୟକ  । 
୨. ଉକ୍ତ ତଦନ୍ତ ସମୟରେ ଆବେଦନକାରୀ କିମ୍ବା ତାଙ୍କର ପିତାମାତା କିମ୍ବା ଅଭିଭାବକମାନଙ୍କ ସହିତ ଦୁଇ ଜଣ ସାକ୍ଷୀ  ରହିବେ ।
୩. ଜାତିଗତ ପ୍ରମାଣପତ୍ର ପାଇଁ ତଦନ୍ତ ସମୟରେ ଆବେଦନକାରୀଙ୍କର ସାମାଜିକ ଚଳଣି, ପ୍ରଥା, ପର୍ବ ପର୍ବାଣୀ, ବିବାହ ଏବଂ  ମୃତୁ୍ୟ  ପ୍ରଭୃତି ବିଷୟ  ଗୁଡିକ ଅନ୍ତର୍ଭୁକ୍ତ ହେବ ।
ଆପଣ କଣ କରିବେ?
ଯଦି ତହସିଲରୁ ଜାତିଗତ ପ୍ରମାଣପତ୍ର ପାଇବା ପରିପ୍ରେକ୍ଷୀରେ ହଇରାଣ ହେଉଛନ୍ତି, ତେବେ ତହସିଲଦାରଙ୍କୁ ଓଡିଶା ସରକାରଙ୍କ ନିଦେ୍ର୍ଧଶନାମା ନଂ.୯୮୩/ଆର ଏଣ୍ଡ ଡି.ଏମ.(ାାାମିସ୍(ସି)-୪୫/୨୦୦୬),ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ,ରାଜ୍ୟ ସରକାର, ଭୁବନେଶ୍ୱର ତାରିଖ-୦୯/୦୧/୨୦୦୯ର ( Please Click to download ) ଚିଠି ସହିତ ଲିଖିତ ଅଭିଯୋଗ କରନ୍ତୁ । ଆବଶ୍ୟକ ସ୍ଥଳେ ଆପଣ  ଉପ ଜିଲ୍ଲାପାଳ କିମ୍ବା  ବିଶେଷ ସହାୟତା ପାଇଁ  ସଂଗଠନ  (ଓଡିଶା ଦଳିତ) ସହିତ ଯୋଗାଯୋଗ  କରି ପାରିବେ ।

ଜମିଜମା ମୋକଦ୍ଦମା  ପାଇଁ ସହାୟତା ଖର୍ଚ୍ଚ
                                  ଜମିଜମା ସଂକ୍ରାନ୍ତୀୟ ମୋକଦ୍ଧମାରେ ସଂପୃକ୍ତ  ବ୍ୟକ୍ତି ବିଶେଷ ମାନଙ୍କ ପାଇଁ  ସରକାରଙ୍କ ମାଧ୍ୟମରେ ଆର୍ଥିକ ଓ ଆଇନ ସହାୟତା ପାଇବା ପାଇଁ  ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସରକାରଙ୍କର  ନିର୍ଯ୍ୟାତନା ଅଧିନିୟମ ୧୯୮୯ ଏବଂ   ପ୍ରୋଟେକ୍ସନ୍  ଅଫ୍ ସିଭିଲ୍ ରାଇଟ୍  ଆକ୍ଟ ୧୯୫୫ ଧାରା  ଅନୁଯାୟୀ  ଆବେଦନକାରୀଙ୍କୁ  ସର୍ବାଧିକ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇ ପାରିବ । ଉକ୍ତ ସହାୟତା ପାଇବା ପାଇଁ ଆବେଦନକାରୀ  ନିମ୍ନୋକ୍ତ ଉକ୍ତି ଗୁଡିକୁ ଧ୍ୟାନ ଦେବା ଆବଶ୍ୟକ ।
୧. ଆର୍ଥିକ/ ଆଇନ୍ ସହାୟତା ପାଇବା ପାଇବା ପାଇଁ ଆବେଦନକାରୀ  ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ହୋଇଥିବା ଆବଶ୍ୟକ ।
୨. ଉକ୍ତ କେଶ୍ଗୁଡିକ  ଜମିଜମା କେଶ୍ ସଂବଳିତ  ଧାରା ୧୦୭,୧୪୪,୧୪୫ ସି.ଆର.ପି.ସି.  ଏବଂ  ୩୭୯, ୪୪୭ ଆଇ.ପି.ସି  ହୋଇଥିବା ଆବଶ୍ୟକ ।
୩. ଉକ୍ତ ସହାୟତା ପାଇବା ପାଇଁ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ସଦସ୍ୟମାନଙ୍କର ଅପର ପକ୍ଷ ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତି  ଓ ସରକାର  ହୋଇ ନ ଥିବେ ।
୪. ଉକ୍ତ ସହାୟତା ପାଇବା ପାଇଁ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ସଦସ୍ୟମାନେ ସେମାନଙ୍କର ଜିଲ୍ଲା ମଙ୍ଗଳ ଅଧିକାରୀ କିମ୍ବା ଜିଲ୍ଲା ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ ।
ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ସଦସ୍ୟମାନେ ନିର୍ଯ୍ୟାତିତ ହେଲେ କଣ କରିବା ଉଚିତ ?
୧. ଆପଣଙ୍କ ଅଂଚଳର ନିକଟସ୍ଥ ଥାନା କିମ୍ବା ଫାଣ୍ଡିରେ ଏତଲା  ପ୍ରଦାନ କରି  ବିନା ଦେୟରେ ଏତଲା କପି ସଂଗ୍ରହ କରନ୍ତୁ । 
୨. ଏତଲା ପାଇବା ପାଇଁ କିମ୍ବା କେଶ୍ ଦରଜ ପାଇଁ କୌଣସି ପ୍ରରୋଚନାରେ ପ୍ରଭାବିତ ହୁଅନ୍ତୁ ନାହିଁ  କିମ୍ବା କୌଣସି  ଅଧିକାରୀଙ୍କୁ ଲାଂଚ ପ୍ରଦାନ କରନ୍ତୁ ନାହିଁ  ।
୩. ଆପଣଙ୍କର ଏତଲାକୁ ଯଦି ସଂପୃକ୍ତ ଥାନାର ପୋଲିସ ଅଧିକାରୀ ଗ୍ରହଣ ନ କରନ୍ତି କିମ୍ବା ଏତଲା କପିର ନକଲ  ପ୍ରଦାନ ନ କରନ୍ତି କିମ୍ବା  କେଶ୍ଟିକୁ ଦରଜ ନ କରନ୍ତି, ତେବେ ଆପଣ ସଂପୃକ୍ତ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ସୁପରିଟେଣ୍ଡ ଅଫ୍ ପୋଲିସ)ଙ୍କ ନିକଟକୁ  ରେଜିଷ୍ଟ୍ରି ଡାକ ଯୋଗେ ଏତଲାଟିକୁ ପଠାଇ, ଡାକଘରୁ ପ୍ରାପ୍ତି ରସିଦ୍ ସଂଗ୍ରହ କରନ୍ତୁ କିମ୍ବା ଆବଶ୍ୟକ ସ୍ଥଳେ ଏସ୍.ପି.ଙ୍କୁ  ସାକ୍ଷାତ କରନ୍ତୁ ।
୪. ଅଧିକ ସହାୟତା ପାଇଁ  ଆପଣ  ଅନୁସୂଚୀତ ଜାତି ଓ ଜନଜାତି କମିଶନଙ୍କ କାର୍ଯ୍ୟାଳୟ, ପ୍ଲଟ୍  ନଂ-୯୬, ସତ୍ୟନଗର ଭୁବନେଶ୍ୱର କିମ୍ବା  ଓଡିଶା ରାଜ୍ୟ ମାନବିକ ଅଧିକାର ଆୟୋଗ , ତୋଷାଳୀ ପ୍ଲାଜା, ସୂର୍ଯ୍ୟ ନଗର, ପୋ-ସତ୍ୟ ନଗର, ଭୁବନେଶ୍ୱର-୭୫୧୦୦୭ ଠିକଣାରେ ଆପଣଙ୍କ ଅଭିଯୋଗ ପତ୍ର  ଡାକ ଯୋଗେ ପଠାଇ ପାରିବେ  ।
୫. ବିଶେଷ ସହାୟତା ଆବଶ୍ୟକ ଏବଂ ବର୍ଣ୍ଣିତ କାଗଜାତ ପତ୍ରର ନକଲ ପାଇଁ  “ଓଡିଶା ଦଳିତ ଇନଫୋ ବୁ୍ୟରୋ” ସଂଗଠନ, ଦୂରଭାଷ-୭୩୮୧୬୦୧୮୦୦ କିମ୍ବା Email:odishadib@gmail.com  ଠିକଣାରେ ମଧ୍ୟ ଯୋଗାଯୋଗ କରିପାରିବେ ।

ସହାୟକ ସୂଚୀ-
www.facebook.com/odishadalit,www.stscodisha.gov.in,www.odisha.gov.in, www.indiankanoon.org,www.infoodisha.blogspot.in 

 ସୌଜନ୍ୟ- ଓଡିଶା ଦଳିତ,ଓଡିଶା
JOY BAHUDA

No comments:

Post a Comment