ଆଜିର ଆହ୍ୱାନ


ରତ୍ନାକର କାଣ୍ଡି
ସହକାରୀ ଜିଲ୍ଲାପାଳ
               ଭୋଇ ବଂଶରେ ଜନ୍ମିତ ବୀର ପୁତ୍ର ଗୋବିନ୍ଦ ବିଦ୍ୟାଧର ନିଜର ବାହୁ ବଳରେ ଉକ୍ରଳ ରାଜବାଟି କଟକର ବାରବାଟୀ ଦୁର୍ଗରେ ଭୋଇବଂଶରେ ପତାକାକୁ ଲହରିତ କରିଥିଲେ । ଖୋର୍ଦ୍ଧାରେ ନୂତନ ରାଜବାଟୀ ନିର୍ମାଣ କରି ରାମଚନ୍ଦ୍ର ଦେବଙ୍କୁ ଖୋର୍ଦ୍ଧାର ରାଜାରୂପେ ଅବସ୍ଥାପିତ କରି ଭୋଇବଂଶକୁ ଗୌରବାନ୍ୱିତ କରିଥିଲେ । ରାଜା ରାମଚନ୍ଦ୍ର ଦେବ କଳାପାହାଡ ଦ୍ୱାରା ପୋତି ଦିଆ ଯାଇଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବିଗ୍ରହକୁ ନୂତନ ଭାବେ ନିର୍ମାଣ କରି ପୁରୀ ମନ୍ଦିରରେ ଅବସ୍ଥାପିତ କରିଥିଲେ । ସେଥିପାଇଁ ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦୁ୍ୟମ୍ନ କୁହାଯାଏ । ଉକ୍ରଳର ବିଭିନ୍ନ ପ୍ରାନ୍ତରେ ଭୋଇବଂଶର ରାଜାମାନେ ବ୍ରାହ୍ମଣମାନଙ୍କୁ ଉକ୍ରଳ ବାହାରୁ ଆଣି ବ୍ରାହ୍ମଣ ଶାସନ ବସାଇ ସେଠାରେ ଅବସ୍ଥାପିତ କରିଥିଲେ । ଭୋଇବଂଶର ରାଜାମାନେ ଜଗନ୍ନାଥ ଧର୍ମ ଓ ବ୍ରାହ୍ମଣମାନଙ୍କର ପୃଷ୍ଠପୋଷକ ଥିଲେ । ଉକ୍ରଳକୁ ଖ୍ରୀଷ୍ଟାଦ୍ଧ ୧୫୬୮ ରୁ ୧୮୦୩ ସୁଦୀର୍ଘ ୨୩୫ ବର୍ଷ ଧରି ଶାସନ କରିଥିଲେ । ଯେଉଁ ବଂଶର ରାଜାମାନେ୨୩୫ ବର୍ଷ ଆଫଗାନୀ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ସହିତ ଯୁଦ୍ଧରତ ରହି ଉକ୍ରଳକୁ ସୁରକ୍ଷା ପ୍ରଦାନ କରିଥିଲେ, ସେହି ଇଂରେଜ ମାନଙ୍କ ସମ୍ପତ୍ତି ରୂପେ ପରିଗଣନା କରୁଥିଲେ । ଯେଉଁ ଜାତିର ଲୋକମାନେ ନିଜ ବାହୁ ବଳରେ ଉକ୍ରଳକୁ ଶାସନ କରୁଥିଲେ । ସେହି ବାହୁ ବା ବାହୁଟି ଶବ୍ଦରୁ ସେମାନଙ୍କୁ ବାଉରୀ ଆଖ୍ୟା ପ୍ରଦାନ କରା ଯାଇଥିଲା । ଦୀର୍ଘ ଦିନଧରି ଲଢାଇ କରି ଭିନ୍ନ ଭିନ୍ନ ଶକ୍ତି ଦ୍ୱାରା ପରାସ୍ତ ହୋଇ ଆତ୍ମ ଗୋପନ କରି ନିଜର ସମ୍ପତ୍ତିରୁ ବେଦଖଲ ହୋଇ ବିଭିନ୍ନ ଜମିଦାରମାନଙ୍କ ପାଖରେ ସୁରକ୍ଷାକର୍ମୀ ହିସାବରେ ଜୀବନ ଅତିବାହିତ କଲେ । କାଳ କ୍ରମେ ସେମାନଙ୍କ ଜୀବନ ବଞ୍ଚାଇବାକୁ ସେମାନେ କୃଷି ଶ୍ରମିକ ଭାବେ ପରିଗଣିତ ହେଲେ । ଅଭାବ ଅନାଟନ ଓ ଅଶିକ୍ଷା ଏମାନଙ୍କୁ ରସାତଳକୁ ନେଇ ଯାଇଛି । ଆମର ଇତିହାସ ଆମଠାରୁ ଗୁପ୍ତ ରଖାଯାଇଛି ।
ବର୍ତ୍ତମାନ ପୂର୍ବ ଆକାଶରେ ସିନ୍ଦୁରା ଫାଟି ଆସିଲାଣି । ସୂର୍ଯ୍ୟଙ୍କର ରକ୍ତିମ ଗୋଲାପ ଶିଖା ଦେଖାଦେଲାଣି, ଭୋଇବଂଶର ଲୋକମାନେ ଏକାଠି ହେବାର ଆହ୍ୱାନ ସୃଷ୍ଟି ହୋଇଛି ।ଉକ୍ରଳର ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଭୋଇବଂଶର ଜନ୍ମିତ ବୀର ପୁତ୍ରମାନଙ୍କର ସଙ୍ଘବଦ୍ଧ ସଂଗ୍ରାମ ଉକ୍ରଳମାତା ଆହ୍ୱାନ କରୁଛି ।
“ଉଠରେ ଉଠରେ ଉକ୍ରଳ ସନ୍ତାନ 
ଉଠିବୁ ତୁ କେତେ ଦିନେ
ପୁରୁବ ଗୌରବ ପୁରୁବ ମହିମା 
ପଡୁ ନାହିଁକିରେ ମନେ ।”
ଏହି ଆଶା ବିଶ୍ୱାସର ସହିତ ମୋର ଭୋଇ ବଂଶର ଉତ୍ଥାନ ପାଇଁ ସମସ୍ତ ଉତ୍ତର ଦାୟିତ୍ୱ ପୁରୁଷ ଓ ବିରଙ୍ଗନାମାନଙ୍କୁ ମୁକ୍ତି ସଂଗ୍ରାମର  ଆହ୍ୱାନ ଜଣାଇ ସଂଘର୍ଷରତ ଏକ କ୍ଷୁଦ୍ର ମଣିଷଟିଏ ଆଶାର ସମ୍ଭାର ନେଇ ଆପଣଙ୍କ ଦାଣ୍ଡ ଦୁଆରେ ଛିଡା ହୋଇ ଆପଣଙ୍କ କବାଟକୁ ଠକ୍ ଠକ୍ କରୁଛି । ଆଶା ଓ ବିଶ୍ୱାସ, ଆପଣମାନେ ନିଶ୍ଚିତ ଭାବରେ ଏ ସଂଗ୍ରାମକୁ ଲେଲିହାନ କରି ଗଢି ତୋଳିବେ । ସମଗ୍ର ଭୋଇ ବଂଶକୁ ସଂଗଠିତ କରିବାର ପ୍ରୟାସ  ନେଇ ବାହୁଡା ଦାସଙ୍କର ଉଦ୍ୟମକୁ ଆମେ ନିଷ୍ଫଳ ହେବାକୁ ଦେବା ନାହିଁ । ଅତୀତ ଆମର ଗର୍ବ ଓ ପ୍ରେରଣାର ଉତ୍ସ  । ବର୍ତ୍ତମାନ ଆମର ସଂକଳ୍ପ ଭବିଷ୍ୟତର ସମ୍ଭାବନା । ସେହି ମହାଜାତିର ଉତ୍ତର ଦାୟଦମାନେ ଆଜି ତେଣୁ ବଜ୍ର ଶପଥ ନେଇ ଦେଶ ପ୍ରୀତିରେ ଉଦ୍ବୁଦ୍ଧ ହେବା ଦରକାର । ଦେଶ ପ୍ରେମ ହିଁ  ଦେଶ ସୁରକ୍ଷାର ଅକ୍ଷୟ କବଚ । ଭାରତବାସୀମାନେ ସ୍ୱାଧିନତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସାରିଥିଲେ ହେଁ  ଦେଶର ଗଣତନ୍ତ୍ର ହୋଇଛି ବିପନ୍ନ । କଷ୍ଟଲବ୍ଧ ସ୍ୱାଧିନତା କେତେକ ଦେଶଦୋ୍ରହୀ, ଜାତିଦୋ୍ରହୀ, ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ସ୍ୱାର୍ଥପରଙ୍କ  ହାତରେ ସାଜିଛି କ୍ରୀଡାପୁତ୍ତଳିକା । ଜନତାର ନେତୃତ୍ୱ ନେଉଥିବା କର୍ମୀମାନେ ଦେଶସ୍ୱାଧୀନ ହେବାପରେ ପାଲଟି ଯାଇଛନ୍ତି କ୍ଷମତା-ଲିପସୁ ନେତା । କ୍ଷମତା ପାଇଁ ସ୍ୱାର୍ଥପର ଜନ ପ୍ରତିନିଧିମାନେ ଦେଶକୁ ବନ୍ଧ ପକାଇଛନ୍ତି । ଦେଶରେ ଆଜି ମାଫିଆରାଜ, ଗୁଣ୍ଡାରାଜ, ଧପ୍ପାବାଜ, ଶଠ, ଡକାୟତି ଓ ଆତଙ୍କବାଦୀମାନଙ୍କର ଘୃଣ୍ୟ ନାରକୀୟ କ୍ରୀଡା ଚାଲିଛି । ଜନତାର କଷ୍ଟ ଲବଧ ସମ୍ପଦକୁ କେତେକ ମୁଷ୍ଟିମେୟ ନେତା ଶୋଷି ଚାଲିଛନ୍ତି । ଅନେକ ନେତାଙ୍କ ନାମରେ ଦେଖାଦେଇଛି ଦୁର୍ନିତୀ ସୁଦୀର୍ଘ ଅଭିଯୋଗ ଫର୍ଦ୍ଧ । ରକ୍ଷକ ସାଜିଛି ଭକ୍ଷକ । ତଥାପି ଜନତାର ମୋହ ନିଦ୍ରା  ଭାଙ୍ଗିନାହିଁ । ନାଗରିକ ଆଜି ଅବଶ ଓ ନିଷ୍କ୍ରିୟ । ଏହା ଗଣତନ୍ତ୍ରର ଶୁଭ ଲକ୍ଷଣ ନୁହେଁ ।
ତେଣୁ  ଅନ୍ୟାୟ ଅନୀତି ଅନାଦଥ ର୍ ବିରୋଧରେ ସଂଗ୍ରାମ ଜାରିରଖିବାକୁ  ଭଗବାନ ଶ୍ରୀକୃଷ୍ଣଙ୍କର ଅର୍ଜୁନଙ୍କୁ ପ୍ରେରଣା ଓ ସାହସ ଯୋଗାଇ ଦେଇଥିବା ତଥା ଶ୍ରୀମଦ୍ ଭାଗବତ ଗୀତାର ସେହି ଯୋଗଜୟୀ, କାଳଜୟୀ ଶ୍ଳୋକକୁ ମୁଁ ପୁଣିଥରେ ସ୍ମରଣ କରୁଅଛି-
“ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ 
ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍,
ତସ୍ମାଦୁତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟ  ।” 
(ଗୀତା ୨ୟ/୩୭ଶ୍ଳୋକ)
ବାଲେଶ୍ୱର,ଓଡିଶା
JOY BAHUDA

No comments:

Post a Comment