ବିଜୟ ବାହୁଡା

ପ୍ରଫେସର ସୁରେନ୍ଦ୍ର ବିଶ୍ୱାଳ
ବାହୁଡା ଗୋସ୍ୱାମୀ,ଅବାହୁଡା ତୁମେ ଯୁଗେ ଯୁଗେ ଅଛ ଚେଇଁ ,
ସମାଧି ପୀଠରେ ଜୀବନ୍ତ ଜାଗ୍ରତ, ତୁମେ ପରା କାଳ ଜୟୀ । ।ା୧ାା
ତୁମ ମର ଦେହ ମିଶିଛି ମାଟିରେ,ଅମ୍ଳାନ ତମର ଗାଥା,
କୋଟି ଭକ୍ତ ପ୍ରାଣେ ଶୁଭୁଛି ସ୍ପନ୍ଦନ, ହରୁଛି ଜୀବନ ବ୍ୟଥା । ।ା୨ାା
ନ ଥିଲା ସଂପଦ ପଢି ନାହଁ ବେଦ, ତଥାପି ଜ୍ଞାନ ସାଗର,
ଅଲୌକିକ କର୍ମ, କିର୍ତ୍ତୀ ଅରଜିଲ, ନାହିଁ ତାର ପଟ୍ଟାନ୍ତର । ।ା୩ାା
ନାହିଁ  ଭେଦା ଭେଦ, ଅଭିନ୍ନ ଅଭେଦ, ଏଇ ବିଶ୍ୱ ଚରାଚରେ,
ପ୍ରେମ ବିଗଳିତ ପ୍ରାଣ ଝରୁଥିଲା,ବିଶ୍ୱ ସୁଧା ପ୍ରେମ ଧାରେ । ।ା୪ାା
 ଏକ ପରଂବ୍ରହ୍ମ,ଅନନ୍ତ ଅସୀମ, ବ୍ରହ୍ମେ ବ୍ରହ୍ମେ ବିରାଜିତ,
ନିତ୍ୟ ନିରାଧାର ,ଅଖଣ୍ଡ ଆଧାର,ନୁହଁନ୍ତି କେବେ ଖଣ୍ଡିତ । ।ା୫ାା
 ଏଇ ଚିରନ୍ତନ ସତ୍ୟ ଉପଲବ୍ଧି, କରିଥିଲ ୟେ ଜୀବନେ;
ତନ୍ମୟ, ତଲ୍ଲୀନ, ତନୁ ଅନ୍ତର୍ମନ, ହଜିଥିଲା ବିଶ୍ୱପ୍ରାଣେ । ।ା୬ାା
ଅତୀତର ସ୍ମୃତି, କେତେ ଜନଶୃତି, ଭରା ଜୀବନ କାହାଣୀ,
ସମୟ ସୋ୍ରତରେ ଯାଇନାହିଁ ଭାସି, ବହୁଛି ଆଜି ଉଜାଣି । ।ା୭ାା
ଉଚ୍ଚ କୁଳ ଜାତି ଗୋତ୍ର ତ ନ ଥିଲା, ନ ଥିଲା ଘର ଦୁଆର,
ଦିବ୍ୟ ମାନବୀୟ ବିଶ୍ୱ ପ୍ରାଣେ ସାଥେ, ମିଶି ହେଲ ଏକାକାର । ।ା୮ାା
ସେ ପରମ ଭୁତି, ବିଚିତ୍ର ବିଭୂତି, ଝରେ ସମାଧି ପୀଠରେ,
ଭକତ ଆରତ ବାରତା ଶୁଣୁଛ, କାନ ଡେରି କାଳେ କାଳେ । ।ା୯ାା
ଘୋର କଳି କାଳ, ପ୍ରମତ ପ୍ରବଳ, ନର ନରକରେ ପଡି,
ସ୍ୱ ସ୍ୱାର୍ଥ ସାଧନେ,ଜୀବନ ଅଙ୍ଗନେ, ହେଉଛନ୍ତି ଭିଡା ଭିଡି । ।ା୧୦ାା
ବିଷୟା ବିଷରେ ଜଗତର ଜନେ,ସତତ ହୁଅନ୍ତି ଘାରି ,
ଭୋଗୁଛନ୍ତି ସିନା ଦୁଃଖ ଅପ୍ରମିତ,ପାରିବ କିଏ ଉଧାରି । ।ା୧୧ାା
ବାହୁଡି ଆସ ହେ, ବାହୁଡି ଗୋସାଇଁ,ପ୍ରତି ପ୍ରାଣ ପ୍ରତି ମନେ,
ବାଟ ହୁଡା ଏଇ ମଣିଷ ହୃଦୟ,ଭରି ଦିଅ ଦିବ୍ୟ ଜ୍ଞାନେ । ।ା୧୨ାା
ଏ ମଣିଷ ହେଉ ସରଳ ସହଜ, ହେଉ ପତିତୁ ପାବନ,
 ୟେ  ପୃଥିବୀ ହେଉ ସରଗୁ ସୁନ୍ଦର  ପୁଣ୍ୟ ପାରିଜାତ ବନ । ।ା୧୩ାା
ମୃତୁ୍ୟହୀନ ଚିଦାନନ୍ଦ ସ୍ୱରୁପରେ , ଜାଗୁ ହେ ମଣିଷ ଜାତି ,
ତେଜୀୟାନ ହୋଇ, ଜଳି ଉଠୁ ପ୍ରତି, ମାନବ ଜୀବନ ଜ୍ୟୋତି । ।ା୧୪ାା
 ଛଳ ଛଳନାର ଚପଳ ଚାହାଁଣୀ, ଲଭୁ ଯେ ଚିର ସମାଧି ;
ଲୋପ ହୋଇଯାଉ ମଣିଷ ମନରୁ, ଯେତେ ଇର୍ଷା,ଦ୍ୱେଷ ବ୍ୟାଧି । ।ା୧୫ାା
ଏ ବସୁଧା ହେଉ ଗୋଟିଏ କୁଟୁମ୍ବ,ମଣିଷ ତ ଏକ ଜାତି,
ତୁଟି ଯାଉ ଭେଦ, ବିଦ୍ୱେଷ,ବିବାଦ ,ମନରେ ନ ରହୁ ଭ୍ରାନ୍ତ । ।ା୧୬ାା

ଶାନ୍ତି ନୀଡ,ଅଡଶପୁର, କଟକ
ଦୂରାଭାଷ-୯୫୮୩୩୦୪୭୩୪
JOY BAHUDA

No comments:

Post a Comment