ସଂପାଦକୀୟ:୨୦୧୫-୧୬

ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ, ମାରିବ ଶୂନ୍ୟ ଲହଡି ଥୟ ନୋହିବ
ପ୍ରିୟ ଆତ୍ମନ୍ ,
ଜୟ ବାହୁଡା,ଜୟ ବାହୁଡା, ଇଂରାଜୀ ନବ ବର୍ଷର ହାର୍ଦ୍ଦିକ  ସାରସ୍ବତ ଶୁଭେଛା ।  ପରମ ପ୍ରେମମୟ,ମହାନ୍ ସନ୍ଥ ବାହୁଡାଙ୍କ ପଦାରବିନ୍ଦରେ ପ୍ରାର୍ଥନା, ତାଙ୍କର ଆଶୀଷରେ ଆପଣଙ୍କ ସପରିବାର ଚଲାପଥ ସୁରଭିତ ହେଉ, ପୁଷ୍ପିତ ହେଉ,ଏହା ହିଁ ଆମର କାମ୍ୟ । କୁଶକଂଟାର କୁଶବନରେ ପବିତ୍ର ଶାମ୍ବ ଦଶମୀର ଆଗମନ, ମହାଭୋଇ କୁଳର କୋଣେ ଅନୁକୋଣେ ମଧୁ ଗୁଞ୍ଜରଣ ।  ଶୀତ ସକାଳର  ଘାସ ଗାଲିଚାରେ ପତିତ କାକର ଟୋପାରେ ସୁନେଲି ସୂରୁଜଙ୍କ ନରମ କିରଣ   ଆଉ ସ୍ବର୍ଣ୍ଣାଭ ଧାନ କ୍ଷେତରେ ପ୍ରକୃତିର ସମାବେଶ । ଜାଗି ଉଠୁଛି ମନ ଉପବନେ ନୂତନ କଂପନ ଆଉ ଶିହରଣ । ମନର ନିବୁଜା ଫରୁଆଟିରେ ଜଗାଇ ଦେଉଛି ନବ ଚେତନା,ନବ ଉନ୍ମାଦନା । ପରମ କାରୁଣିକ ସନ୍ଥ ବାହୁଡାଙ୍କ ଆଶୀଷ ପାଇଁ ମନ ହେଉଛି ବ୍ୟାକୁଳିତ, ଚେତନାର ଚୌହଦି ଅତିକ୍ରମ କରି ସ୍ପନ୍ଦିତ ହେଉଛି ହୃଦୟ । କୁଶକଂଟାର ଧୂଳିକଣାରେ ଅନୁଭବ ହେଉଛି ତାଙ୍କରି ଅମୃତ ପରଶ । ସେ ପରଶରେ ମାଟି ଆଜି ପରିଣତ ହୋଇଛି ଚନ୍ଦନରେ, ଶିଳା ପାଲଟିଛି ଶାଳଗ୍ରାମରେ । ସବୁରି କଣ୍ଠରେ ପ୍ରଭୁ ବାହୁଡାଙ୍କ ଜୟ ।
                         ଜୀବନର ସଞ୍ଜ  ନଇଁ ଆସୁଛି । ଚମ ଧୁଡୁ ଧୁଡୁ, ଅବଶ ଦେହ ।  ବୁଡିଲା ସୂର୍ଯ୍ୟଙ୍କ ତେଜ କମିଲା ପରି ଦେହରେ କିଛି କରିବାର ଯୁ ବି ନାହିଁ । ଶରୀର ରୂପକ ଘର ଦିନେ ନୂଆ ଥିଲା, ସେ ଆଜି ପୁରୁଣା । କେତେବେଳେ ଅଣଚାଶ ପବନ ବହିବ କିଏ ଜାଣେ ? ପ୍ରାଣ ପକ୍ଷୀଟି ଚାଲିଯିବ ପୁରୁଣା ଘର ଭାଙ୍ଗି ଗଲାପରେ । ଏଇ କଣ ଜୀବନର ପରିସମାପ୍ତି? ଅଧୁନା ସମାଜରେ ଜୀବନର ଜିଇଁବା, ଦିନ ଗଣି ଗଣି ନୁହେଁ । ନିଜ ପାଇଁ ଜୀବନ ଜିଇଁବାରେ କି ଲାଭ ଥାଏ ? ମଣିଷ ଶେଷ ସମୟରେ, ତାର ସତ୍ କର୍ମ, ସତ୍ ଚିନ୍ତା ଓ ସତ୍ ବୁ୍ଦ୍ଧି  ସାଥୀ ହୋଇଥାଏ । ସମାଜର ସେବା ପାଇଁ ସନ୍ଥ ବାହୁଡା ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ।  ସେ ଆଜି ନାହାନ୍ତି । କିନ୍ତୁ ଆମ୍ଭେ ଦାୟାଦ ଭାବରେ ତାଙ୍କ ସ୍ବପ୍ନକୁ  କେତେ ଦୂର ସଫଳ କରିଛୁ, ତାହା ଭାବିଲେ ଲଜ୍ଜା ଲାଗେ । ଡାକ ମୁନ୍ସୀ ପରି ଆଜି ଆମ୍ଭେ କୁଳ ପିତା ସ୍ବାମିଜୀଙ୍କୁ ଭୁଲି ଯାଇଛୁ । ଆଜି ଦଶମୀରେ  ଏକାଠି ହୋଇ ସ୍ବାମିଜୀଙ୍କୁ ପୂଜନ କରିଦେଲେ, ଆମର କର୍ତବ୍ୟ ସରିଗଲା ବୋଲି ମନେକରୁ । କିିନ୍ତୁ  ଆମ୍ଭ ସମାଜ କଥା, ଜାତି କଥା କେବେ ଚିନ୍ତା  ଆବଶ୍ୟକ ମନେ କରୁ କି ? ଧୂଳି ସରସର ଗାଁ ମାଟିରୁ ପାଠ ପଢି କୋଟାରେ ଚାକିରୀ ପାଇଲୁ । ସହରରେ ରହିଲୁ । କେବେ ଭାବିନାହୁଁ, ମୋ ଗାଁରେ ଅମୂକ ଭାଇର ପିଲା ପଇସା ଅଭାବରୁ ପାଠ ନ ପଢି ରହିଗଲା ? କିଏ ରୋଗରେ ପଡି ମରିଗଲା ? କାହା ସୁଖ ଦୁଃଖରେ ସାଥୀହେବା ତ ଦୂର କଥା, ସମୟ ଅଂଟେ ନାହିଁ ଗାଁକୁ ଆସିବା ପାଇଁ । ଏମିତି  ହେଲେ ଆମ ସମାଜ କିପରି ଆଗେଇବ ? ସମାଜରେ ବଂଚିବା ପାଇଁ ପରସ୍ପର ସହଭାଗୀତା ଆବଶ୍ୟକ । ଯଦି ଆମ୍ଭେ ସମାଜ କଥା ଚିନ୍ତା ନ କରିବା, ସ୍ବାମିଜୀଙ୍କ ସ୍ବପ୍ନ ସଫଳ ହେବ କିପରି  ?
                         କୁଶବନର ଦ୍ୱିତୀୟ ସଂସ୍କରଣ,ଗ୍ରାମାଂଚଳରେ ସ୍ବାମିଜୀଙ୍କ ସାହିତ୍ୟକୃତୀ, ସଚେତନତା, ସୃଜନଶୀଳତା ଏବଂ ସର୍ବୋପରି ଭାବର ଆଦାନ ପ୍ରଦାନ ପାଇଁ ଏହାର ସୃଷ୍ଟି । ବାର ଶହ ବଢେଇ କଳାର କୋଣାର୍କ ଗଢିଲା ପରି ଆପଣମାନେ ଏହାର ଶିଳ୍ପୀଗଣ ।  ଅତ୍ୟନ୍ତ ଆନନ୍ଦର ବିଷୟ,ଚଳିତ ସଂସ୍କରଣରେ  ଅନେକ ନୂତନ ଶିଳ୍ପୀ ଆସିଛନ୍ତି । ତାଙ୍କର ନବ ସୃଷ୍ଟିକୁ ସଂପାଦିତ କରିବା ଦୃଷ୍ଟିରୁ କିଛି ପରିବର୍ତନ କରାଯାଇଛି । ଆମର ଆଶା,ସେମାନେ ଭବିଷ୍ୟତରେ ଯତ୍ନବାନ ହେବା ସହ ସାହିତ୍ୟ ଜଗତରେ ପାଦ ଥାପି, ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଅନୁରୋଧ । ସର୍ବଶେଷରେ  କୁଶବନକୁ କେଇ ପାଦ ଆଗେଇନେବା ପାଇଁ ଆପଣମାନଙ୍କ ସୁ ଚିନ୍ତିତ ମତାମତ କାମନା କରୁଛୁ ।
 ସଂପାଦକ

No comments:

Post a Comment