ଭୋଇ ବଂଶର ଇତିହାସ (୧୫୬୮-୧୮୦୩)

“ଶ୍ରୀ ଶ୍ରୀ ଗଜପତି ଗୌଡେଶ୍ୱର
                      ନବକୋଟି କର୍ଣ୍ଣାଟୋକ୍ରଳ ବର୍ଗେଶ୍ୱର ବୀରାଧିବୀର-ବର              
 ଭୂତ ଭୈରବ ସାଧୁସାଶନୋତିର୍ଣ୍ଣ ରାଉତ ରାଜ
ଅତୁଳ ବଳ ପରାକ୍ରମ ସହସ୍ର ବାହୁ କ୍ଷେତ୍ରିୟୋକ୍ରଳ
ଧୂମକେତୁ ରାଜାଧିରାଜ ମହାରାଜା”
ଏହି ଦୀର୍ଘ ସମ୍ବୋଧନ ଯେଉଁ ଗଜପତି ରାଜାମାନଙ୍କ ନାମ ପୂର୍ବରୁ ସମ୍ବୋଧିତ କରାଯାଏ ଏବଂ ପ୍ରତ୍ୟେକ ଓଡିଆର ଜାତକରେ ଶୁଭତଥା ରାଜାଙ୍କୁ ସମ୍ମାନ ଭାବେ ଏହି ସମ୍ବୋଧନକୁ ଜାତକର ପ୍ରଥମରୁ ଲେଖାଯାଇ ଆରମ୍ଭ ନ କଲେ ଜାତକ ଶୁଦ୍ଧ ହୁଏନାହିଁ ବୋଲି ବିଶ୍ୱାସ କରାଯାଏ । ସେହି ଗଜପତି ଜଗନ୍ନାଥଙ୍କର ପ୍ରଥମ ଓ ପରମ ସେବକ ରାଜାମାନେ ସମସ୍ତେ ଭୋଇ ବଂଶର ଦାୟାଦ ଥିଲେ ବୋଲି ଏହି ଲେଖା ମାଧ୍ୟମରେ  ଏମାନଙ୍କର ଶାସନ ଇତିହାସକୁ  ଜନମାନସରେ ପହଂଚାଇ ଜାଗରଣ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
GREAT SAINT GOSWAMI BAHUDA DAS
ଗଙ୍ଗ ବଂଶୀୟ ରାଜା ଅନଙ୍ଗ ଭୀମଦେବ ୧୨୦୬ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ତାଙ୍କ ଶାସନରେ ଷଷ୍ଠ ବର୍ଷରେ ତଥା ଖ୍ରୀଷ୍ଟାବ୍ଦ ୧୨୧୨ରେ ଲିପିବଦ୍ଧ ଥିବା ଐତିହାସିକ ତଥ୍ୟାବଳୀରୁ ଜଣାପଡେ ଯେ,ସେ ଜଗନ୍ନାଥଙ୍କର ପୃଷ୍ଠପୋଷକ ଥଲେ । ଗଙ୍ଗବଂଶୀର ଅବସାନ ପରେ ସୂର୍ଯ୍ୟ ବଂଶିୟ ରାଜା ପୁରୁଷୋତମ ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ସହିତ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ । ପୁରୀର ଗଜପତି  ରାଜାମାନେ ବଂଶାନୁକ୍ରମିକ  ଭାବେ  ଜଗନ୍ନାଥ ବିଗ୍ରହର ପୂଜାର୍ଚ୍ଚନା ଓ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲେ  । ଗଜପତି  ରାଜାମାନେ  ଜଗନ୍ନାଥ  ବିଗ୍ରହର  ନିର୍ମାଣ, ରକ୍ଷଣା ବେକ୍ଷଣ ଓ  ସୁରକ୍ଷା ସହିତ ଜଗନ୍ନାଥ  ସଂସ୍କୃତିକୁ  ସାରା ଭାରତବର୍ଷରେ ପ୍ରଚାର ପ୍ରସାର କରୁଥିଲେ ।  ଜଗନ୍ନାଥଙ୍କର ନବ କଳେବର ଗଙ୍ଗବଂଶୀୟ ରାଜାଙ୍କ ଠାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲୁ ରହିଛି । ସେଥିପାଇଁ  ଓଡିଶାର ଲୋକେ ଗଜପତି ରାଜାମାନଙ୍କୁ  ଦୃଢ ସମର୍ଥନ କରନ୍ତି । କଳା ପାହାଡ କଟକର ରାଜା ମୁକୁନ୍ଦଦେବ ଓ ପୁରୀ ବ୍ରାହ୍ମଣମାନଙ୍କ ଦ୍ୱାରା ଅପମାନିତ ହୋଇ ପ୍ରତିଶୋଧ ନେବା ନିମନ୍ତେ ଆଫାଗାନି  ସୈନ୍ୟମାନଙ୍କର ସାହାଯ୍ୟ ନେଇ ଓଡିଶା ଆକ୍ରମଣ କରିଥିଲେ । ୧୫୬୮ ଖ୍ରୀଷ୍ଟାଦ୍ଦରେ  ସେ  ଓଡିଶାକୁ ଧ୍ୱଂସ ସ୍ତୁପରେ ପରିଣତ କରିଥିଲେ । ରାଗରେ ଜର୍ଜରିତ କଳାପାହାଡ କେତେକ ମନ୍ଦିର  ଚୂଡାକୁ ଭାଙ୍ଗିବା ସହିତ ଶ୍ରୀ କ୍ଷେତ୍ରରେ ଥିବା ଜଗନ୍ନାଥ ବିଗ୍ରହକୁ ହୁଗୁଳୀ ନଦୀ କୂଳରେ ପୋଡି ଦେଇଥିଲେ ଏବଂ ପରେ ସେ ସମ୍ବଲପୁରରେ ମହାନଦୀ କୂଳରେ  ଥିବା ଆମ୍ବ ବଗିଚାରେ ସୈନ୍ୟବାହିନୀ ଧରି ସୈନ୍ୟ ଶିବିରରେ ଥିବା ସମୟରେ ମୃତ୍ୟୁବରଣ କରିଥିଲେ ।
       
କଳାପାହାଡଙ୍କ ପରେ ଭୋଇ ବଂଶର ପ୍ରତିଷ୍ଠାତା ଗୋବିନ୍ଦ ବିଦ୍ୟାଧର ୧୫୬୮ ଖ୍ରୀଷ୍ଟାଦ୍ଦରେ କଟକର ରାଜା ହୋଇଥିଲେ ।  ବାରବାଟିରେ ଭୋଇ ରାଜ ବଂଶର ଶାସନର ପତାକା ଲହରିତ ହୋଇଥିଲା । ଏହି ସମୟରେ ଆଫାଗାନିମାନେ ଓଡିଶାକୁ ଘନଘନ ଆକ୍ରମଣ କରୁଥିଲେ  । ରାଜା ଗୋବିନ୍ଦ ବିଦ୍ୟାଧର ରାଜ୍ୟର ସୁରକ୍ଷା ଦୃଷ୍ଟିରୁ ଖୋର୍ଦ୍ଧାରେ ଏକ ନୂତନ ଦୁର୍ଗ ନିର୍ମାଣ କରି ତାଙ୍କର ମନ୍ତ୍ରୀ ଦନେଇ ବିଦ୍ୟାଧରଙ୍କ ପୁତ୍ର  ରାମଚନ୍ଦ୍ର ଦେବଙ୍କୁ ୧୫୯୨ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ରାଜା ରୂପେ ଅଭିଷିକ୍ତ କରାଇଥିଲେ । ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଭାର ତାଙ୍କ ଅଧିନକୁ ଆସିଲା । ନୂତନ ଗଜପତି  ରାଜା ଓ ଜଗନ୍ନାଥ ମନ୍ଦିରର ଶାସନକର୍ତା ପ୍ରଥମ ରାମଚନ୍ଦ୍ର ଦେବ  ତାଙ୍କର ସୁଶାସନ ପ୍ରତିଷ୍ଠା କରିବା ସେଙ୍ଗ ସେଙ୍ଗ ନିଜେ ଗୌରବାନିତ୍ୱ ହେବା ପାଇଁ ୧୫୯୨ ଖ୍ରୀଷ୍ଟାବ୍ଦରେ କଳାପାହାଡ ପୋଡି ଦେଇଥିବା ଜଗନ୍ନାଥ ବିଗ୍ରହର ନୂତନ ବିଗ୍ରହ ନିର୍ମାଣ କରାଇ ମନ୍ଦିରରେ ସ୍ଥାପନ କରି ପୂର୍ବ ରୀତି ନୀତିକୁ  କାର୍ଯ୍ୟକାରୀ କରାଇ ଥିଲେ । ସେଥିପାଇଁ ପ୍ରଥମ ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦୁ୍ୟମ୍ନ ବୋଲି କୁହାଯାଏ । ୧୫୯୭ ଖ୍ରୀଷ୍ଟାବ୍ଦରେ,ରାଜା ଦାମୋଦର ଚମ୍ପତିରାୟଙ୍କ ଦ୍ୱାରା ଶ୍ରୀ ମନ୍ଦିର ଚୂଡାରେ ନୀଳଚକ୍ର ସ୍ଥାପନ କରାଇ ଥିଲେ । ମୋଗଲ ସମ୍ରାଟ ଆକବର ପ୍ରଥମ ରାମଚନ୍ଦ୍ର ଦେବଙ୍କୁ ମାନ ସୁବେଦାର ରୂପେ ନିଯୁକ୍ତି ଦେଇଥିଲେ । ୩୫୦୦ଘୋଡାଙ୍କର ରକ୍ଷଣା ବେକ୍ଷଣ ଦାୟିତ୍ୱ ରାଜାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଗୋଲକୁଣ୍ଡାର ସୁଲତାନ ମହମ୍ମଦ କ୍ୱାଲି କାସିମ କୋଟା ଆକ୍ରମଣ କରିଥିଲେ । କାସିମ କୋଟାର ରାଜା ମୁକୁନ୍ଦ ରାୟ ପଳାୟନ କରି ଖୋର୍ଦ୍ଧାରେ ଆଶ୍ରୟ ନେଇଥିଲେ । କୁତବ ସାହି ସେନାବାହିନୀ ଦ୍ୱାରା ରାମଚନ୍ଦ୍ର ଦେବ ପରାସ୍ତ ହେଲାପରେ ମୁକୁନ୍ଦ ରାୟ ବାଧ୍ୟ ହୋଇ ବଙ୍ଗଳା ପଳାୟନ କରିଥିଲେ ।
ଗଜପତି ପ୍ରଥମ ରାମଚନ୍ଦ୍ର ଦେବ ବ୍ରାହ୍ମଣମାନଙ୍କର ପୃୃଷ୍ଠପୋଷକ ଥିଲେ । ସେ ଓଡିଶାର ବିଭିନ୍ନ ପ୍ରାନ୍ତରରେ ୧୬ ଗୋଟି ବ୍ରାହ୍ମଣ ଶାସନ ବସାଇ ଥିଲେ । ମୁକ୍ତି ମଣ୍ଡପ ତାଙ୍କରି ଶାସନ କାଳରେ ନିର୍ମାଣ କରାଯାଇଥିଲା ।ସେ ୧୬୦୦ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ପୁରୁଷୋତମ ଦେବ ଶାସନ ଭାର ଗ୍ରହଣ କରିଥିଲେ । ସେ ୧୬୨୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ ଚଳାଇଥିଲେ ।
            ଆକବର ଓଡିଶାର ଗଜପତି ରାଜାମାନଙ୍କୁ ମୋଗଲ ଦରବାରରେ ସ୍ବତନ୍ତ୍ର ସ୍ଥାନ
ଦେଇଥିଲେ । ତାଙ୍କ ମୃତ୍ୟୁ ପରେ ଗଜପତି ରାଜାମାନଙ୍କର ଆଉ ସ୍ବତନ୍ତ୍ର ସ୍ଥାନ ରହିଲା ନାହିଁ । ଜାହାଙ୍ଗିରଙ୍କର ସମୟରେ ସେ ଓଡିଶାକୁ ଏକ ସ୍ବତନ୍ତ୍ର ସୁବହ ଘୋଷଣା କଲେ । କ୍ୱାସିମ୍ ଖାଁଙ୍କୁ ପ୍ରଥମ ସୁବେଦାର ରୂପେ ନିଯୁକ୍ତି କରିଥିଲେ । ଜାହାଙ୍ଗିରଙ୍କ ଶାସନ କାଳରେ କେସୁ ଦାସ ନାମକ ଜଣେ ବ୍ୟକ୍ତି ଛଦ୍ମ ବେଶରେ ବିରାଟ ପଟୁଆରା ଧରି ସୁବେଦାରଙ୍କ ସାହାଯ୍ୟରେ ଶ୍ରୀ ମନ୍ଦିରକୁ ଲୁଣ୍ଠନ କରିଥିଲେ । ମନ୍ଦିର ପ୍ରାଙ୍ଗଣରେ ପୁରୁଷୋତମ ଦେବଙ୍କ ଦ୍ୱାରା ପଠାଯାଇ ଥିବା ସୈନ୍ୟମାନଙ୍କ ସହିତ ଝଗଡା ଲଗିଲା ଓ ସେ ସୈନ୍ୟମାନଙ୍କୁ ଅପମାନିତ କରିଥିଲେ । ଏହାପରେ କିଛିଦିନ ପାଇଁ ଜଗନ୍ନାଥ ମନ୍ଦିରରେ ରୀତିନୀତି ବନ୍ଦ ହୋଇଯାଇଥିଲା । ରାଜା ଶ୍ରୀ ଜଗନ୍ନାଥଙ୍କର ପୂଜାର୍ଚ୍ଚନା ପୁନଃ ପ୍ରଚଳନ ପାଇଁ କେସୁ ଦାସଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । କେସୁ ଦାସଙ୍କ ସହିତ ଗଜପତି ରାଜାଙ୍କର ସନ୍ଧି ହୋଇଥିଲା । ସନ୍ଧି ମୁତାବକ ରାଜା ତାଙ୍କ ଭଉଣୀକୁ କେସୁ ଦାସଙ୍କୁ ବିବାହ ଦେଇଥିଲେ ଓ ତିନି ଲକ୍ଷ ଟଙ୍କା ସହିତ ତାଙ୍କର ଏକ ଝିଅକୁ ଜାହାଙ୍ଗିରଙ୍କ ଦରାରକୁ ପଠାଇ ଦେଇଥିଲେ ।  କେସୁ ଦାସଙ୍କର ଏହି ଦୁଃସାହାସିକ କାର୍ଯ୍ୟ ପାଇଁ ଜାହାଙ୍ଗିର ବହୁତ ଖୁସି ହୋଇଥିଲେ । ଏଥିରେ ଉସôାହିତ ହୋଇ ତୋଡରମଲ୍ଲଙ୍କ ପୁଅ ସୁବେଦାର କଲ୍ୟାଣ ସିଂହ ପୁରୁଷୋତମ ଦେବଙ୍କୁ ପୁନଃ ଧନରତ୍ନ ଶୋଷଣ କରିବା ପାଇଁ ଖୋର୍ଦ୍ଧାକୁ ଆକ୍ରମଣ କରିଥିଲେ । କେସୁ ଦାସଙ୍କ ଉଦାହରଣ ଦେଇ ସେ ପୁରୁଷୋତମ ଦେବଙ୍କ ଠାରୁ ଅନୁରୂପ ଆଉ ଗୋଟିଏ ଝିଅ ସହିତ ତନିଲକ୍ଷ ଟଙ୍କା ସମ୍ରାଟ ଜାହାଙ୍ଗିରଙ୍କ ପାଇଁ ଚାପ ପକାଇ ଥିଲେ । ରାଜା ବାଧ୍ୟ ହୋଇ ଏ ପ୍ରସ୍ତାବରେ ରାଜି ହୋଇଥିଲେ । କଲ୍ୟାଣ ସିଂହଙ୍କ ପରେ ମୁକରାମ ଖାଁ ଓଡିଶାର ସୁବେଦାର ରୂପେ ନିଯୁକ୍ତି ପାଇଥିଲେ ଓ ପୁରୁଷୋତମ ଦେବଙ୍କ ରାଜ୍ୟକୁ ଆକ୍ରମଣ କରିଥିଲେ ।ଏହି ଆକ୍ରମଣ ସମୟରେ ରାଜା ପଳାୟନ କରି ମାଣିତ୍ରୀ ଦୁର୍ଗରେ ଆତ୍ମଗୋପନ କରିଥିଲେ । ମୁସଲମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ଜଗନ୍ନାଥ ବିଗ୍ରହକୁ ବାଣପୁରକୁ ସ୍ଥାନାନ୍ତର କରିଥିଲେ । ପୁରୁଷୋତମ ଦେବ ୧୬୨୧ ଖ୍ରୀଷ୍ଟାବ୍ଦରେ ମାଣିତ୍ରୀ ଦୁର୍ଗରେ ମୃୃତ୍ୟୁ ବରଣ କରିଥିଲେ । ପୁରୁଷୋତମ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ନରସିଂହ ଦେବ ସିଂହାସନ ଆରୋହଣ କଲେ ।
               ନରସିଂହ ଦେବ ମଧ୍ୟ ମୁସଲମାନଙ୍କ କୁ ଶାସନର ଶୀକାର ହୋଇ ତାଙ୍କ ଆଦେଶାନୁସାରେ କାର୍ଯ୍ୟ କରୁଥିଲେ । ମୁସଲମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ସେ ସୁବେଦାର ମୁତକ୍ ଖାଁଙ୍କ ଜେନେରାଲ ଫତେ ଖାଁଙ୍କ ସହିତ ବୀରତ୍ୱର ସହିତ ଯୁଦ୍ଧ କରି ୧୬୪୭ ଖ୍ରୀଷ୍ଟାବ୍ଦରେ ସହିଦ୍ ହୋଇଥିଲେ । ବୀର ନରସିଂହପୁର ଶାସନ ତାଙ୍କ ନାମରେ ନାମିତ କରାଯାଇଥିଲା । ସୁବେଦାର ମୁତକ୍ ଖାଁ ନରସିଂହ ଦେବଙ୍କ ପୁତୁରା ଗଙ୍ଗାଧର ଦେବଙ୍କୁ ରାଜଗାଦିରେ ବସାଇ ଥିଲେ ।  ମାସ ପରେ ନରସଂହ ଦେବଙ୍କ ଭାଇ ବଳଭଦ୍ର ଦେବ ଗଙ୍ଗାଧର ଦେବଙ୍କୁ ହତ୍ୟା କରି ସିଂହାସନ ଦଖଲ କରିଥିଲେ । ସେ ୧୬୫୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ ।
            ବଳଭଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କର ବାଳକ ପୁତ୍ର ମୁକୁନ୍ଦ ଦେବ ୧୬୫୭ ଖ୍ରୀଷ୍ଟାବ୍ଦ ରେ ରାଜ ସିଂହାସନ ଆାରୋହଣ କରିଥିଲେ ମୁକୁନ୍ଦ ପୁର ଶାସନ ତାଙ୍କ ନାମରେ ନାମିତ କରାଯାଇଥିଲା । ସେତେବେଳେ ଜଗନ୍ନାଥଙ୍କ ରଥ ପାଇଁ ବାଣପୁରରୁ କାଠ ଅଣା ଯାଉଥିଲା । କାଠର ଅଭାବ ହେତୁ ସେ ବାଣପୁର ପରିବର୍ତେ ଦଶପଲ୍ଲା ଜଙ୍ଗଲରୁ ଜଗନ୍ନାଥଙ୍କ ରଥ ପାଇଁ କାଠ ଅଣାଇଥିଲେ । ମୁକୁନ୍ଦ ଦେବ ଯାଜପୁରରେ ଥିବା ସମୟରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୧୬୫୭ ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ବରଣ କରିଥିଲେ ।
            ମୁକୁନ୍ଦଦେବଙ୍କ ପରେ, ତାଙ୍କର ପୁତ୍ର ପ୍ରଥମ ଦିବ୍ୟସିଂହ ଦେବ ୧୬୫୭ ଖ୍ରୀଷ୍ଟାବ୍ଦରେ ସିଂହାସନରେ ବସିଥିଲେ । ଏହି ରାଜାଙ୍କ ଶାସନ କାଳରେ ଏକ ଭୟଙ୍କର ତୋଫାନ ହୋଇଥିଲା । ମନ୍ଦିର ଚୂଡାରେ ଥିବା ନୀଳଚକ୍ର ଖସିପଡି ଭାଙ୍ଗି ଯାଇଥିଲା । ପ୍ରଥମ ଦିବ୍ୟସିଂହ ଦେବ ଏକ ନୂତନ ନୀଳଚକ୍ର ତିଆରି କରି ସ୍ଥାପନା କରିଥିଲେ । ପ୍ରଥମ ଦିବ୍ୟସିଂହ ଦେବ ୧୬୮୯ ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ବରଣ କରିଥିଲେ ।
            ପ୍ରଥମ ଦିବ୍ୟସିଂହ ଦେବଙ୍କ ମୃତ୍ୟୁ ପରେ, ତାଙ୍କ ଭାଇ ହରେକୃଷ୍ଣ ଦେବ ଗଜପତି ରାଜାଭାବେ ସିଂହାସନ ଆରୋହଣ କଲେ । ସେ ୨୭ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ । ତାଙ୍କର ଶାସନ କାଳରେ ନିଜ ନାମରେ ହରେକୃଷ୍ଣପୁର ଶାସନ ବସାଇଥିଲେ । ଏହି ରାଜାଙ୍କ ସମୟରେ ଜଗନ୍ନାଥ ମନ୍ଦିରକୁ ଧଳାରଙ୍ଗ କରାଯାଇଥିଲା ଓ ବାଇଶ ପାହାଚ ନିର୍ମାଣ କରାଯାଇଥିଲା । ସେ ୧୭୧୬ ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ବରଣ କରିଥିଲେ ।
             ହରେକୃଷ୍ଣ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଗୋପିନାଥ ଦେବ ୧୭୧୬ ଖ୍ରୀଷ୍ଟାବ୍ଦରେ ସିଂହାସନ ଗାଦିସୀନ ହୋଇଥିଲେ ।  ଅଠର ନଳା ପାଖରେ ଗୋପିନାଥପୁର ଶାସନ ତାଙ୍କ ଭାଇ ଭ୍ରମରବର ରାଉତ ରାୟଙ୍କ ଦ୍ୱାରା ସ୍ଥାପିତ କରାଇଥିଲା । ଗୋପିନାଥ ଦେବ ବହୁ ସମୟରେ ଅସୁସ୍ଥ ରହୁଥିବାରୁ ତାଙ୍କ ଭାଇ ରାମଚନ୍ଦ୍ର ଦେବ ଶାସନ ଦେଖାଶୁଣା କରୁଥିଲେ । ୧୭୨୦ ଖ୍ରୀଷ୍ଟାବ୍ଦରେ ସେ ମୃତ୍ୟୁ ବରଣ କଲେ ।
             ଗୋପିନାଥ ଦେବଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଦ୍ୱିତୀୟ ରାମଚନ୍ଦ୍ର ଦେବ ୧୭୨୦ ଖ୍ରୀଷ୍ଟାବ୍ଦରେ ଗାଦିସୀନ ହେଲେ । ଏହି ରାଜାଙ୍କ ସମୟରେ ବେଙ୍ଗଲର ନିଜାମଙ୍କ ଅନୈତିକ ପୁତ୍ର ମହମ୍ମଦ ତାକି ଖାଁଙ୍କୁ ଓଡିଶାର ନାଏବ ନାଜିମ୍ ରୂପେ ଅବସ୍ଥାପିତ କରାଯାଇଥିଲା । ଜଗନ୍ନାଥ ମନ୍ଦିରର ସଂପତି ଲୋଭରେ ସେ ଜଗନ୍ନାଥ ମନ୍ଦିରକୁ ଆକ୍ରମଣ କରିଥିଲେ । ଜଗନ୍ନାଥ ମନ୍ଦିରର ପୂଜକ ମାନେ ତାକି ଖାଁଙ୍କର ଉଦ୍ଦେଶ୍ୟ ବୁଝିପାରି ଜଗନ୍ନାଥ ବିଗ୍ରହକୁ ଚିଲିକା ଦ୍ୱୀପରେ ଲୁଚାଇ ରଖିଥିଲେ । ତାକି ଖାଁ ପୁରୀରୁ ନିରାଶ ହେବା ପରେ ଖୋର୍ଦ୍ଧାକୁ ଯାଇ ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କୁ ପରାସ୍ତ କରି ଓ ବନ୍ଦି କରି କଟକକୁ ନେଇ ଯାଇଥିଲେ । କଟକରେ ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କୁ ବଳପୂର୍ବକ ଇସଲାମ ଧର୍ମରେ ଦୀକ୍ଷିତ କରାଯାଇ ଥିଲା । ଧର୍ମ ପରିବର୍ତନ ପରେ କ୍ୱାଦିର ମହମ୍ମଦ ରଖାଯାଇ ଥିଲା ।
         ତାକି ଖାଁଙ୍କ ମୃତ୍ୟୁ ପରେ ଦ୍ୱିତୀୟ ମୁରସିଦ କ୍ୱାଲିଖାଁ ଓଡିଶାର ନାଏବ ନାଜିମ୍ ରୂପେ ଅବସ୍ଥାପିତ ହୋଇଥିଲେ । ସେ ଜଣେ ଭଲ ପ୍ରଶାସକ ଓ ଓଡିଶାର  ଲୋକଙ୍କ ପ୍ରତି ତାଙ୍କର ଦୟା ଓ ଭଲପାଇବା ଥିଲା । ସେ ଜଗନ୍ନାଥଙ୍କୁ ପୁନଃ ସ୍ଥାପିତ କରାଇ ଉପଯୁକ୍ତ ରୀତିନୀତିର ବ୍ୟବସ୍ଥା କରାଇଥିଲେ ଏବଂ ତାଙ୍କର ଝିଅକୁ ଦ୍ୱିତୀୟ ରାମଚନ୍ଦ୍ର ଦେବ (ହାଫିଜ୍ ମହମ୍ମଦ୍ କ୍ୱାଦିର)ଙ୍କୁ ବିବାହ ଦେଇଥିଲେ । ବେଙ୍ଗଲର ନିଜାମ ସୁଜାଉଦ୍ଧିନଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ସରଫରାଜଖାଁ  ତାଙ୍କର ଉତରାଧିକାରୀ ହୋଇଥିଲେ । ବିହାରର ନାଏବ ନିଜାମ୍ ଆଲିବର୍ଦ୍ଧି ଖାଁ ସରଫରାଜ ଖାଁଙ୍କୁ ପରାସ୍ତ କରି ମାରିଦେଇଥିଲେ । ସେ ବେଙ୍ଗଲ,ବିହାର ଓ ଓଡିଶାର ନିଜାମ୍ ହୋଇଥିଲେ । ଓଡିଶାର ନାଏବ ନାଜିମ୍ କ୍ୱାଲି ଖାଁ ତାଙ୍କୁ ନିଜାମ୍ ରୂପେ ଗ୍ରହଣ କରିନେଇଥିଲେ ।
                  ବେଙ୍ଗଲ ଦଖଲ ପରେ ନାଜିମ୍ ଆଲିବର୍ଦ୍ଧି ଖାଁ ଓଡିଶାର ନାଏବ ନାଜିମ୍ ଦ୍ୱିତୀୟ ମୁରସିଦ୍ଧ କ୍ୱାଲି ଖାଁ ଙ୍କୁ ନିଜ ଅଧିକାରକୁ ନେବା ପାଇଁ ଓଡିଶା ଆକ୍ରମଣ କଲେ । ଏହି ସମୟ ରେ ଖୋର୍ଦ୍ଧା ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ତାଙ୍କର ଶଶୁ୍ୱର ମୁରସିଦ୍ଧ କ୍ୱାଲି ଖାଁଙ୍କୁ ସବୁ ପ୍ରକାର ସାହାଯ୍ୟ କରିଥିଲେ । ମୁରସିଦ୍ଧ କ୍ୱାଲିଖାଁ ଯୁଦ୍ଧରେ ପରାସ୍ତ ହୋଇ ପଳାୟନ କରି ମସୁଲିପଟନମରେ ଆଶ୍ରୟ ନେଇଥିଲେ । କିନ୍ତୁ ଅଲିବର୍ଦ୍ଧି ଖାଁଙ୍କ ବଶତା ସ୍ବୀକାର କରି ନ ଥିଲେ ।
          ବେଙ୍ଗଲର ନିଜାମଙ୍କ କବଳରୁ ଓଡିଶାକୁ ମୁକ୍ତ କରିବା ପାଇଁ ଜେନେରାଲ ମିର୍ ହବିବ୍ ନାଗପୁରର ପ୍ରଥମ ରଘୁଜୀ ଭୋଁସଲେଙ୍କୁ ଆମନ୍ତ୍ରଣ କରିଥିଲେ । ସେହିଦିନ ଠାରୁ ମରହଟ୍ଟା ମାନେ ବେଙ୍ଗଲ ଉପରେ ଅକ୍ରମଣ ଜାରି ରଖିଥିଲେ । ବେଙ୍ଗଲର କିଛି ଅଂଶକୁ ସେମାନେ ନିଜ ଅକ୍ତିଆରକୁ ନେବାରେ ସକ୍ଷମ ହୋଇଥିଲେ  । ଅଲିବର୍ଦ୍ଧ ଖାଁ ସୁବର୍ଣ୍ଣରେଖା ନଦୀର ପଶ୍ଚିମ ପର୍ଯ୍ୟନ୍ତ ରାଜସ୍ବ ଆଦାୟ କରୁଥିଲେ ।
               ଦ୍ୱିତୀୟ ରାମଚନ୍ଦ୍ର ଦେବ ୧୭୩୬ ଖୀ୍ରଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ । ଧର୍ମ ପରିବର୍ତନ ହେତୁ କିଏ ସିଂହାସନରେ ବସିବ,ସେଥିପାଇଁ ସେମାନଙ୍କ ମଧ୍ୟରେ ଗୃହ ଯୁଦ୍ଧ ଲାଗିଯାଇ ଥିଲା । ବେଙ୍ଗଲର ନିଜାମ ଅଲିବର୍ଦ୍ଧ ଖାଁଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ମିର ହବିବ୍ ପଦ୍ମନାଭ ଦେବଙ୍କୁ  ସିଂହାସନରେ ବସାଇବାକୁ ସଫଳ ହୋଇଥିଲେ । ଖୁବ୍ କମ୍ ଦିନ ପରେ ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ ନାତି ପ୍ରଥମ ବୀରକିଶୋର ଦେବ (ଭାଗିରଥି ଦେବ) ୧୭୩୬ ଖ୍ରୀଷ୍ଟାବ୍ଦରେ  ସିଂହାସନ ଦଖଲ କଲେ । ଏହି ରାଜାଙ୍କ ସମୟରେ  ଆଲିବର୍ଦ୍ଧି ଖାଁ ଓ ପ୍ରଥମ ରଘୁଜୀ ଭୋଁସଲେଙ୍କ ମଧ୍ୟରେ ଏକ ଚୁକ୍ତି ନାମା ସ୍ବାକ୍ଷରିତ ହୋଇଥିଲା । ଚୁକ୍ତି ମୁତାବକ ରାଜା ,ରଘୁଜୀ ଭୋଁସଲେଙ୍କୁ ବର୍ଷକୁ ବାର ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଚୁକ୍ତି ହୋଇଥିଲା । ଯାହା ଫଳରେ ମରହଟ୍ଟା ମାନେ ଆଉ ଓଡିଶା ଆକ୍ରମଣ କରିବେ ନାହିଁ । ଏହି ଚୁକ୍ତି ଫଳରେ ମରହଟ୍ଟା ମାନେ ଓଡିଶାର ପ୍ରକୃତ ଶାସକ ହୋଇଯାଇଥିଲେ ।
        ଯଦିବା ,ଆଲିବର୍ଦ୍ଧି ଖାଁ ଓ ରଘୁଜୀ ଭୋଁସଲେ ଉଭୟଙ୍କ ସ୍ବୀକୃତି ଫଳରେ ଓଡିଶାର ନିଜାମଙ୍କୁ ନିଯୁକ୍ତି ମିଳୁଥିଲା, ଖେମୁଣ୍ଡିର ରାଜା ନାରାୟଣ ଦେବ ଖୋର୍ଦ୍ଧାର ରାଜା ବୀର କିଶୋର ଦେବଙ୍କ ରାଜ୍ୟକୁ ଆକ୍ରମଣ କରିଥିଲେ । ବୀର କିଶୋର ଦେବ ଆକ୍ରମଣକୁ ପ୍ରତିହତ କରି ନ ପାରି ମରହଟ୍ଟା ମାନଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଓଡିଶାର ଗଭର୍ଣ୍ଣ ସିଓଭଟ୍ଟ ସାଠେଙ୍କ ସାହାଯ୍ୟ ନେଇଥିଲେ, ମରହଟ୍ଟାମାନଙ୍କ ଦ୍ୱାରା ଖର୍ଚ୍ଚ କରାଯାଇଥିବା ଟଙ୍କାକୁ ରାଜା ବୀର କିଶୋର ଦେବ ପରିଶୋଧ କରି ପାରି ନ ଥିଲେ । ସେ ବାଧ୍ୟ ହୋଇ ଓଡିଶା ଗଭର୍ଣ୍ଣରଙ୍କ ପାଖରେ ବିଭିନ୍ନ ପ୍ରଗଣା ଯଥା-ଲେମ୍ବାଇ , ରହାଙ୍ଗ ଓ ପୁରୁଷୋତମ କ୍ଷେତ୍ରକୁ ବନ୍ଧକ ଦେଇଥିଲେ । ଏହାଫଳରେ ରାଜା ନିଜର  ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଯାଇ ଥିଲେ । ପାଗଳାମି ଯୋଗୁଁ ସେ ତାଙ୍କର •ରି ପୁତ୍ରଙ୍କୁ ହତ୍ୟା କରିଥିଲେ ଏବଂ ଅନେକ କ୍ଷତିସାଧନ କରି ୧୭୯୩ ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ବରଣ କରିଥିଲେ ।
            ବୀର କିଶୋର ଦେବଙ୍କ ମୃତ୍ୟୁପରେ ତାଙ୍କର ନାତି ଦ୍ୱିତୀୟ ଦିବ୍ୟସିଂହ ଦେବ ୧୭୯୩ ଖ୍ରୀଷ୍ଟାବ୍ଦରେ ସିଂହାସନରେ ବସିଲେ । ମରହଟ୍ଟାମାନେ ରାଜାଙ୍କୁ ସ୍ବୀକୃତି ଦେବା ବଦଳରେ ବର୍ଷକୁ ଏକ ଲକ୍ଷ ଟଙ୍କା ନେଉ ଥିଲେ । ରାଜା ନିଜର ଶକ୍ତି ବୃଦ୍ଧି ପାଇଁ ଖୋର୍ଦ୍ଧାର ବରୁଣାଇଁ ପାହାଡର ପୂର୍ବ ପଟେ ଏକ ଦୁର୍ଗ ନିର୍ମାଣ କରାଇ;ସେଠାକୁ ତାଙ୍କର କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଥିଲେ । ସେ ୧୭୯୮ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ । ବୀର କିଶୋର ଦେବଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଦ୍ୱିତୀୟ ମୁକୁନ୍ଦ ଦେବ ରାଜଗାଦିରେ ବସିଲେ ।
ଇଂରେଜ ମାନଙ୍କ ଓଡିଶା ଅଧିକାର
          ଲର୍ଡ ୱେଲସେଲି ଭାରତ ଗଭର୍ଣ୍ଣର ଜେନରାଲ ହେଲା ପରେ କି ଭଳି ଭାବରେ
ମରହଟ୍ଟାମାନଙ୍କର  ଶକ୍ତି କ୍ଷୟ କରାଯାଇ ପାରିବ ସେଥିପାଇଁ ସେ ଏକ ଯୋଜନା କରିଥିଲେ । “ ଏହି ଯୋଜନା  ଅନୁଯାୟୀ  ରାଜାମାନଙ୍କ ଠାରୁ ସାହାଯ୍ୟ ନେଇ ତା ବଦଳରେ ଇଂରେଜ ସ÷÷ନ୍ୟମାନଙ୍କୁ  ରାଜାମାନଙ୍କର ଦରକାର ସମୟରେ ସାହାଯ୍ୟ ସହଯୋଗ ଦେବାକୁ ହେବ ।” ସେ ନାଗପୁର ରାଜା ରଘୁଜୀ  ଭୋସ୍ଲେଙ୍କ ରାଜ୍ୟରେ ରହୁଥିବା କଲବୃକକଙ୍କ ପାଖକୁ ବାର୍ତା ପଠାଇ ଥିଲେ । ସେ ରାଜାଙ୍କୁ ବୁଝାନ୍ତୁ ରାଜା କିଛି ଇଂରେଜ ସୈନ୍ୟଙ୍କୁ  ତାଙ୍କ ରାଜ୍ୟର ସୁରକ୍ଷା ପାଇଁ ରଖନ୍ତୁ ଓ ତ’ା ବଦଳରେ  ଓଡିଶାର ତଟବର୍ତୀ  ଅଚଂଳକୁ ଇଂରେଜ ସୈନ୍ୟମାନଙ୍କର ଖର୍ଚ୍ଚ ବହନ କରିବାକୁ କୁହନ୍ତୁ । ଯାହା ଫଳରେ ସେ ବ୍ରିଟିସ୍ ସାମ୍ରାଜ୍ୟକୁ ବେଙ୍ଗଲଠାରୁ ଉତର ମେରୁ ପର୍ଯ୍ୟନ୍ତ ବିସ୍ତାରିତ କରିପାରିବେ  । ନାଗପୁର ରାଜା ରଘୁଜୀ ଘୋସ୍ଲେ ଏଭଳି ଏକ ଅପମାନ ଜନକ ସର୍ତରେ ରାଜି ହୋଇ ନ ଥିଲେ । ଫଳରେ ମରହଟ୍ଟା ରାଜ୍ୟ ମଣ୍ଡଳିକୁ ଆକ୍ରମଣ କରିବା ପାଇଁ ବ୍ରିଟିସ୍ କୋର୍ଟରେ ଥିବା ନିର୍ଦ୍ଦେଶକ ମାନଙ୍କୁ  ପ୍ରବର୍ତାଇଥିଲେ ଓ ସେଥିରେ ସଫଳ ହୋଇଥିଲେ । ୧୮୦୩ ଖ୍ରୀଷ୍ଟାଦ୍ଦ ଅଗଷ୍ଟ ୩ ତାରିଖରେ ସେ ମରହଟ୍ଟା ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ । ବ୍ରିଟିଶ ବାହିନୀ  ଓଡିଶାକୁ ଉତର ଓ ଦକ୍ଷିଣପଟୁ ଆକ୍ରମଣ କରିଥିଲେ । ପୁରୀ  ତଟବର୍ତୀ  ଅଚଂଳକୁ  ବ୍ରିଟିଶ ମାନଙ୍କୁ ନିୟନ୍ତ୍ରଣକୁ ନେବା ପାଇଁ  ନିର୍ଦ୍ଦେଶ ପାଇ କମାଣ୍ଡର କଲ କାମ୍ପବେଲ ବ୍ରିଟିଶ୍ ମାନଙ୍କର ମୁଖ୍ୟ ସୈନ୍ୟବାହିନୀକୁ ଶକ୍ତିଶାଳୀ କରିବା ପାଇଁ ଓଡିଶାରୁ ଜନ୍ମିତ ୧୫୦୦ ଲୋକଙ୍କୁ  ତାଙ୍କ ସୈନ୍ୟବାହିନୀରେ ନିଯୁକ୍ତି ଦେଇ ଗଞାମ ଠାରୁ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ଆସୁଥିବା ବେଳେ କ୍ୟାମ୍ପବେଲଙ୍କୁ ଭୀଷଣ ଜ୍ୱର ହେଲା ଫଳରେ, ସୈନ୍ୟବାହିନୀକୁ ନିୟନ୍ତ୍ରଣ କରିବା ପାଇଁ ଜେନେରାଲ ହାରକଟଙ୍କୁ ଦାୟିତ୍ୱ ଦିଆଗଲା । ଗଭର୍ଣ୍ଣର ଜେନେରାଲଙ୍କ  ନିର୍ଦ୍ଦେଶରେ ନୂତନ କମାଣ୍ଡର ଘୋଷଣା କରାଗଲା ଯେ, ଏବେଠାରୁ ବ୍ରିଟିଶ ଗଭର୍ଣ୍ଣର ଜଗନ୍ନାଥ ମନ୍ଦିରର ମୁରବୀ ଭାବେ କାର୍ଯ୍ୟ କରିବେ  । ସେ ଓଡିଶାର ଜମିଦାରମାନଙ୍କ ପାଖକୁ ବାର୍ତା ପଠାଇ କହିଲେ ଯେ ଖ୍ରୀଷ୍ଟିୟାନ୍ ସରକାର ହିନ୍ଦୁ ଧର୍ମରେ କୈାଣସି କ୍ଷତି ଘଟାଇବ ନାହିଁ । ଇଂରେଜ ସରକାରଙ୍କ ଇଚ୍ଛା ଯେ ହିନ୍ଦୁମାନେ ସ୍ବ ଇଚ୍ଛାରେ ପୂଜାର୍ଚ୍ଚନା କରନ୍ତୁ । ମରହଟ୍ଟାମାନେ ସେମାନଙ୍କର ମୁଖ୍ୟ ସୈନ୍ୟବାହିନକୁ ବାରବାଟି ଦୁର୍ଗରେ ରଖି ବ୍ରିଟିଶ ସୈନ୍ୟ ବାହିନୀକୁ ପ୍ରତିରୋଧ କରୁଥିବା ସମୟରେ ପିପିଲି ଓ  ମାଣିକପାଟଣା ଠାରେ ସମନ୍ୱୟର ଅଭାବ ହେତୁ ମରହଟ୍ଟା ସୈନ୍ୟବାହିନୀ  ଦୁଇଭାଗ ହୋଇଯାଇଥିଲେ । ବ୍ରିଟିଶ ସୈନ୍ୟବାହିନୀ ମାଣିକପାଟଣାଠାରେ ଥିବା ମରହଟ୍ଟା ସୈନ୍ୟମାନଙ୍କୁ  ତଡି ଦେବାରେ ସକ୍ଷମ ହୋଇଥିଲେ । ମାଲୁଦାରେ ଥିବା ମରହଟ୍ଟାମାନଙ୍କ ଫଉଜଦାର ଫତେ ମହମ୍ମଦଙ୍କୁ ପରାସ୍ତ କରି  ବ୍ରିଟିଶ ସରକାରଙ୍କ ଅଧିନକୁ ଆଣିଲେ । ଫତେ ମହମ୍ମଦଙ୍କର ଭୂଖଣ୍ଡ  ବିଷୟରେ ଥିବା ଜ୍ଞାନର ସାହାଯ୍ୟ ନେଇ ବ୍ରିଟିଶ  ସୈନ୍ୟବାହିନୀ ଆଗକୁ ମାଡି ଚାଲିଲେ  । ମାଣିକପାଟଣା ଠାରୁ  ନରସିଂହପାଟଣା ପର୍ଯ୍ୟନ୍ତ ସେ ବାଟ କଢାଇ ନେଇ ଆସିଥିଲେ । ଯାହା ଖୋର୍ଦ୍ଧା ରାଜାଙ୍କର ସୀମାର ନିକଟବର୍ତୀ  ଥିଲା । ଇଂରେଜ ସରକାରଙ୍କ ଧାରଣା ଥିଲା ଯେ ଖୋର୍ଦ୍ଧା ରାଜାଙ୍କର ମରହଟ୍ଟାମାନଙ୍କ ସହିତ  ଭିତିରି ବୁଝାମଣା ଅଛି । ତେଣୁ ଖୋର୍ଦ୍ଧା ରାଜାଙ୍କୁ ପ୍ରଲୋଭିତ କରିବା ପାଇଁ ସେ ଏକ ପ୍ରସ୍ତାବ ପଠାଇଥିଲେ ।  ଯାହା କି ଏକ ଲକ୍ଷ ଟଙ୍କା ପ୍ରତି ବଦଳରେ ବ୍ରିଟିଶ ସୈନ୍ୟବାହିନୀର ଜିନିଷ ପତ୍ର  ଓ ପଦାତିକ ବାହିନୀକୁ  ଆଣିବା ପାଇଁ ଓଡିଶା ୩୦୦ ଯୋଦ୍ଧାଙ୍କୁ ପଠାଇ ଆଣିବାର ବ୍ୟବସ୍ଥା କରନ୍ତୁ । ରାଜା ଇଂରେଜମାନଙ୍କ  ପ୍ରଲୋଭନର ଶିକାର ହୋଇଯାଇ ଇଂରେଜ ସରକାରଙ୍କୁ  ସାହାଯ୍ୟର ହାତ ବଢାଇ ଥିଲେ ।  ରାଜାଙ୍କ ସାହାଯ୍ୟ ପାଇ ଇଂରେଜମାନେ ୧୮୦୩ ଖ୍ରୀଷ୍ଟାଦ୍ଦ ସେପ୍ଟେମ୍ବର ୧୮ ତାରିଖରେ ପୁରୀକୁ ନିଜ ନିୟନ୍ତ୍ରଣକୁ  ନେଇଥିଲେ ।  ପୁରୀରେ ଜଗନ୍ନାଥ ମନ୍ଦିରର ପୂଜକମାନେ ବ୍ରିଟିଶ୍ ସୈନ୍ୟବାହିନୀକୁ ସ୍ବାଗତ ଜଣାଇଥିଲେ । ହାରକଟ ହିନ୍ଦୁମାନଙ୍କୁ  ପ୍ରଲୋଭିତ କରିବା ପାଇଁ କେବଳ ହିନ୍ଦୁମାନଙ୍କୁ ନେଇ ଏକ ଗାର୍ଡ ଗଠନ କରି ଜଗନ୍ନାଥ ମନ୍ଦିରର ସୁରକ୍ଷା  ଦାୟିତ୍ୱ ଦେଇଥିଲେ ।
                                   ହାରକଟ ପୁରୀ ଓ ମୁକୁନ୍ଦପୁରରେ ଦୁଇଟି ପଦାତିକ ବାହିନୀକୁ  ଲେଫଟନାଣ୍ଟ  ଅଗଭିଲ ଓ ମେଜର ଫ୍ଲେଚରଙ୍କୁ  ମରହଟ୍ଟାମାନଙ୍କ ଆକ୍ରମଣକୁ  ପ୍ରତିହତ କରିବା ପାଇଁ ଦାୟିତ୍ୱ ପ୍ରଦାନ କରି ନିଜେ କଟକ ଅଭିମୁଖେ ଯାତ୍ରା କଲେ ।  ପୁରୀରୁ  କଟକ ଯାତ୍ରା ସମୟରେ ତାଙ୍କୁ  ମରହଟ୍ଟା ମାନଙ୍କର ଦୃଢ ପ୍ରତିରୋଧର ସାମନା କରିବାକୁ ପଡିଥିଲା । ଅହମ୍ମଦପୁର ଓ ମୁକୁନ୍ଦପୁର ଠାରେ ହାରକଟଙ୍କ ସହିତ ମରହଟ୍ଟା  ସୈନ୍ୟବାହିନୀ ପ୍ରବଳ ସଂଘର୍ଷ ଘଟିଥିଲା । ମରହଟ୍ଟାମାନଙ୍କର ଦୃଢ ବିରୋଧ ଇଂରେଜମାନଙ୍କ ଗତିରୋଧ କରି ପାରି ନ ଥିଲେ । ମରହଟ୍ଟାମାନେ ଛତ୍ରଭଙ୍ଗ ଦେଇ କଟକ ବାରବାଟୀ ଦୁର୍ଗ କୁ ଫେରି ଆସିଲେ । ମରହଟ୍ଟା ମାନଙ୍କର ଓଡିଶା ଉପରେ ଦୃଢ ଆଧିପତ୍ୟର ୧୮୦୩ ଖ୍ରୀଷ୍ଟାବ୍ଦ ଅକ୍ଟୋବର ମାସ ୧୪ ତାରିଖରେ ଅବସାନ ଘଟିଲା । ଏବଂ ବ୍ରିଟିଶମାନେ ଓଡିଶା ଦଖଲ କରିବା ଏକ ପ୍ରମୁଖ ଘଟଣା ଥିଲା ।                   
                                    କ୍ୟାପଟେନ୍  ମୋରଗାନ୍ଙ୍କ ନେତୃତ୍ୱରେ ଏକ ଛୋଟ ସୈନ୍ୟବାହିନୀ କଲିକତାରୁ ବାଲେଶ୍ୱର ଅଭିମୁଖେ ସମୁଦ୍ର ପଥରେ ଡଙ୍ଗାରେ ବାଲେଶ୍ୱରରେ ପହଂଚିଥିଲେ ଏବଂ ମୋରଗାନ୍ ମରହଟ୍ଟା ମାନଙ୍କ ଫଉଜଦାର ମୋର୍ ପଣ୍ଡିତଙ୍କ ସହିତ ଚୁକ୍ତି କରି ବାଲେଶ୍ୱର ସହରକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଏହା ପରେ କ୍ୟାପଟେନ୍  ଷ୍ଟିଲ୍ ଓ ଏନ୍ସିନ୍ ସ୍କଟ୍ ଉଭୟ ମରହଟ୍ଟାମାନଙ୍କୁ ବାଲେଶ୍ୱରରୁ ଭଦ୍ରକକୁ ତଡିଦେଇଥିଲେ । ପୁଣି ଭଦ୍ରକରୁ ଯାଜପୁର ଆଡକୁ ତଡିଥିଲେ । ଏହି ସମୟରେ  କଲ୍ ଫରଗୁସନ୍  ଜଳେଶ୍ୱରରୁ ଯାତ୍ରା ଆରମ୍ଭ କରି  ଜଳେଶ୍ୱର ଏବଂ ବାଲେଶ୍ୱର  ଘାଟମାନଙ୍କରେ ଥିବା ମରହଟ୍ଟା ମାନଙ୍କ ଆଧିପତ୍ୟକୁ  ପ୍ରତିହତ କରିଥିଲେ । ହାର୍କର୍ଟଙ୍କ ସାହାଯ୍ୟ କରିବା ପାଇଁ,  ସେ କଟକ ଅଭିମୁଖେ ଅଗ୍ରସର ହୋଇଥିଲେ । ମୋରଗାନ୍  ଓ ଫରଗୁସନ୍ଙ୍କ ସମ୍ମିଳିତ ଉଦ୍ୟମ ଯୋଗୁଁ  ବ୍ରିଟିଶମାନେ ଓଡିଶା ରାଜ୍ୟର ଉତରରେ ଜଳେଶ୍ୱରର ସୁବର୍ଣ୍ଣରେଖା ନଦୀଠାରୁ ପଶ୍ଚିମରେ ଚିଲିକା ହ୍ରଦ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମିକୁ ବ୍ରିଟିଶ ଶାସନାଧିନ କରିପାରିଥିଲେ ।
                                          ଖୋର୍ଦ୍ଧାର ରାଜା ଦ୍ୱିତୀୟ ମୁକୁନ୍ଦ ଦେବ ହାରକଟଙ୍କ
ସହିତ ଚୁକ୍ତି ବଦ୍ଧ ହୋଇ ଏକ ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ଦେଇ ରାଜାଙ୍କ ଠାୁରୁ ତାଙ୍କ ସୈନ୍ୟ ବାହିନୀ ପାଇଁ ଲୋକ ସଂଗ୍ରହ କରୁଥିଲେ । ରାଜାଙ୍କର ଦୃଢ ବିଶ୍ୱାସ ଥିଲା,ସେ ବ୍ରିଟିଶମାନଙ୍କୁ ସାହାଯ୍ୟ କଲେ ମରହଟ୍ଟାମାନେ ନେଇଯାଇଥିବା ଲେମ୍ବାଇ, ରାହାଙ୍ଗ ଓ ପୁରୁଷୋତମ କ୍ଷେତ୍ରକୁ ଇଂରେଜମାନେ ଫେରାଇ ଦେବେ । ହାରକର୍ଟ ଏଥିରେ ରାଜି ହୋଇ ନ ଥିଲେ । ବାରବାଟୀ ଦୁର୍ଗର ପତନ ପରେ ବ୍ରିଟିଶମାନେ ଆଉ ରାଜାଙ୍କ ସାହାଯ୍ୟ ଲୋଡି ନ ଥିଲେ । ରାଜାଙ୍କ ସହିତ ଚୁକ୍ତି କରିଥିବା  ଏକ ଲକ୍ଷ ଟଙ୍କା ନ ଦେଇ କେବଳ  ୫୦,୦୦୦ ଟଙ୍କା ଦେଇ ଥିଲେ । ୧୮୦୪ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ୪ ତାରିଖରେ ରାଜାଙ୍କର ମନ୍ତ୍ରୀ ଜୟୀ ରାଜଗୁରୁ ୨୦୦୦ ସୈନ୍ୟ ନେଇ କଟକ ଅଭିମୁଖେ ଯାତ୍ରା କରି ହାରକର୍ଟଙ୍କୁ ଅବଶିଷ୍ଟ ଟଙ୍କା ଦେବାକୁ କହିଥିଲେ  । ହାରକର୍ଟ ୨୦,୦୦୦ ଟଙ୍କା ଦେଇ ଅବଶିଷ୍ଟ ପରେ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ରାଜା ଯେଉଁ ଅଂଚଳ ଫେରସ୍ତ ପାଇଁ କହିଥିଲେ ହାରକର୍ଟ  ଖଣ୍ଡେ ହେଲେ ଅଂଚଳ ଦେବାକୁ ରାଜିହୋଇ ନ ଥିଲେ । ରାଜାଙ୍କୁ ଏ କଥା ମର୍ମାହତ କରିଥିଲା । ବ୍ରିଟିଶମାନଙ୍କ ଦ୍ୱାରା ସ୍ଥାପିତ ବନ୍ଧୁତା,ଶତ୍ରୁତାରେ ପରିଣତ ହୋଇଥିଲା ।  ଓଡିଶା ଭୂଖଣ୍ଡରେ ଥିବା ବ୍ରିଟିଶ ମୁଖ୍ୟ ଏକ ରାଜିନାମାରେ ଦସ୍ତଖତ ନେବାପାଇଁ ରାଜାଙ୍କ ନିକଟକୁ ପଠାଇଥିଲେ । ରାଜା ଦସ୍ତଖତ ନ ଦେଇ ବହୁ ସମୟ ଧରି ଦୂରେଇ ରହିଥିଲେ । ପରେ ଇଂରେଜ ମାନଙ୍କୁ ଖୁସି କରିବା ପାଇଁ ତଥା ଶାନ୍ତି ସ୍ଥାପନ କରିବା ପାଇଁ ସେ ଦସ୍ତଖତ ଦେବାକୁ ରାଜି ହୋଇଥିଲେ । 
                                           ରାଜା ହରାଇ ଥିବା ମହଲ ଗୁଡିକୁ ଫେରିପାଇବା ପାଇଁ ଗୁପ୍ତ ଭାବରେ ନାଗପୁର ରାଜା ରଘୁଜୀ  ଭୋସଲେଙ୍କ ସାହାଯ୍ୟ ଲୋଡିଥିଲେ  । ରାଜା ନିଜର ସୈନ୍ୟବାହିନୀକୁ ସଂଗଠିତ କରିବାକୁ ଲାଗିଲେ । ମରହଟ୍ଟା ସରଦାରମାନଙ୍କୁ ନିଯୁକ୍ତି ଦେଇ ଆଭ୍ୟନ୍ତରୀଣ ନିରାପତାକୁ ସୁଦୃଢ କରିଥିଲେ ।  ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢେଇ କରିବା ପାଇଁ ସେ ଆଭ୍ୟନ୍ତରୀଣ ରାଜାମାନଙ୍କର ସହଯୋଗ ଲୋଡିଥିଲେ ।
                 ସେ ସମ୍ବୁ ଭାରତୀ ନାମକ ଏକ ଧର୍ମଗୁରୁଙ୍କୁ ଅନ୍ୟ ରାଜାମାନଙ୍କୁ ଏକାଠି କରିବା ପାଇଁ ନିୟୋଜିତ କରିଥିଲେ । ଓଡିଶାର କଳିଙ୍ଗ ରାଜା ,ଜୁଆଙ୍ଗ ରାଜା ଓ ଅନ୍ୟ ରାଜାମାନେ ଖୋର୍ଦ୍ଧା ସହିତ ହାତ ମିଳାଇଥିଲେ । ବ୍ରିଟିସ୍ କମିସନରଙ୍କ ବିନା ଅନୁମତିରେ ୧୮୦୪ ଖ୍ରୀଷ୍ଟାଦ୍ଦର ସେପ୍ଟେମ୍ବର ମାସରେ ରାଜା ତାଙ୍କର ପାରମ୍ପାରିକ ଅଧିକାର ବଳରେ ମୋଗଲ ବନ୍ଦୀ ପରିସୀମାରେ ତାଙ୍କର ନିର୍ଦ୍ଦେଶ ନାମାଜାରି କରିଥିଲେ । ରାଜାଙ୍କୁ ମନ୍ଦିର ପରି•ଳନାରୁ ହଟାଇ ଦେଇ ଥିବାରୁ ସେ ନିଜକୁ ଅଧିକ ଅପମାନିତ ମନେ କରୁଥିଲେ । ରାଜାଙ୍କର ନିର୍ଦ୍ଦେଶନାମା ଜାରି ହେବାର ଏକ ମାସ ପରେ ଅକ୍ଟୋବର ମାସରେ ଖୋର୍ଦ୍ଧା ପାଇକମାନେ ରାଜାଙ୍କ ସୈନ୍ୟବାହିନୀ ସହିତ ସଂଗଠିତ ହୋଇ ଇଂରେଜ ସରକାରଙ୍କ ପ୍ରଭୂତ୍ୱକୁ ବିରୋଧ କରି ବିଦ୍ରୋହ ଘୋଷଣା କରିଥିଲେ । ପିପିଲିର କେତେକ ଗ୍ରାମକୁ ସେମାନେ ପୁନଃ ଉଦ୍ଧାର କରିଥିଲେ । ଏହି ଛୋଟିଆ ବିଦ୍ରୋହ ଭବିଷ୍ୟତରେ ବଡ ରୂପ ନେବାର ଆଶଙ୍କା କରି ଇଂରେଜମାନେ ତତକ୍ଷଣାତ୍ ଏହାକୁ ପ୍ରତିରୋଧ କରିବା ପାଇଁ ପଦକ୍ଷେପ ନେଇଥିଲେ । ଗଞାମ ଓ କଟକରୁ ସୈନ୍ୟମାନଙ୍କୁ ବିଦ୍ରୋହ ଦମନ ପାଇଁ ପଠା ଯାଇଥିଲା । ବ୍ରିଟିଶ ସୈ୍ୟନ୍ୟବାହିନୀ  ଏମାନଙ୍କର ପିଛାକରି ଖୋର୍ଦ୍ଧା ଦୂର୍ଗକୁ ଧ୍ୱଂସ କରି ଦେଇଥିଲେ । ରାଜା ପ୍ରତିଶୋଧ କରି ନ ପାରି ତାଙ୍କର ଅନୁଗତ ମାନଙ୍କ ସହିତ ପଳାୟନ କରିଥିଲେ ଏବଂ ପରେ ବ୍ରିଟିଶ ମାନଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲେ । ରାଜାଙ୍କର ରାଜ୍ୟକୁ ବାଜ୍ୟାପ୍ତ କରି ନିଆଯାଇଥିଲା । ରାଜ୍ୟକୁ  ମେଜର ଫ୍ଲେଚରଙ୍କ ହାତରେ ସମର୍ପଣ  କରାଯାଇଥିଲା । ରାଜାଙ୍କର ସମ୍ପତିକୁ  ଇଂରେଜ ସରକାରଙ୍କ ସମ୍ପତି ରୂପେ ଗଣନା କରା ଯାଇଥିଲା । ରାଜାଙ୍କୁ ରାଜ୍ୟରୁ ଆଦାୟ ହେଉଥିବା ରାଜସ୍ବରୁ ବର୍ଷକୁ ଟ.୨,୧୩୩.୩୩ ପଇସା ଦିଆଯାଉଥିଲା । ଏହି ବିଦ୍ରୋହ ପରେ ରାଜା ମୁକୁନ୍ଦଦେବଙ୍କୁ ବନ୍ଦି କରି କଟକ ନେଇ ରଖାଯାଇଥିଲା । ଖୁବ୍ କମ୍ ଦିନ ପରେ ରାଜାଙ୍କୁ ଇଂରେଜମାନେ କଟକରୁ ମେଦିନୀପୁରକୁ  ନେଇଯାଇଥିଲେ । 
                     ୧୮୦୭ ଖ୍ରୀଷ୍ଟାଦ୍ଦରେ ରାଜାଙ୍କୁ ମୁକ୍ତ କରିବା ସହିତ ପୁରୀ ସହରର ବାଲିସାହି ରାଜବାଟୀରେ ରହିବା ପାଇଁ ଅନୁମତି ଦେଲେ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ଅର୍ପଣ କଲେ । ଅନ୍ୟ ଏକ ବିଦ୍ରୋହରୁ ତାଙ୍କୁ ପୁଣି ୧୮୦୭ ଖ୍ରୀଷ୍ଟାଦ୍ଦରେ ବନ୍ଦି କରାଯାଇଥିଲା । ସେହି ବର୍ଷ ରାଜା ମୁକୁନ୍ଦ ଦେବ ଶେଷ ନିଃଶ୍ୱାସ ତ୍ୟାଗ କଲେ ।  ଓଡିଶା ରାଜ୍ୟରୁ  ଭୋଇ ବଂଶ ରାଜାଙ୍କର ଶାସନର ଅବସାନ ଘଟିଲା । ଏହି ବଂଶର ପରବର୍ତୀ  ରାଜାମାନେ କେବଳ ଠାକୁର ଜଗନ୍ନାଥଙ୍କ ସେବାରେ ନିୟୋଜିତ ହୋଇ ଠାକୁରଙ୍କ ରୀତିନୀତିରେ ସାହାଯ୍ୟ କରି ଆସୁଛନ୍ତି ।
                            ଖ୍ରୀଷ୍ଟାଦ୍ଦ ୧୫୬୮ ଠାରୁ ଖ୍ରୀଷ୍ଟାଦ୍ଦ ୧୮୦୩ ପର୍ଯ୍ରନ୍ତ ଦୀର୍ଘ ୨୩୫ ବର୍ଷ ଧରି ଭୋଇ ରାଜା ଓଡିଶାର ବିଭିନ୍ନ ଅଂଚଳରେ ଶାସନ କରୁଥିଲେ । ଖ୍ରୀଷ୍ଟାଦ୍ଦ ୧୯୪୭ ରେ ଭାରତ ସ୍ବାଧୀନ ହେଲା । ହେଲେ ରାଜ୍ୟ ଶାସନ ଓ ସମ୍ପତିଗତ ଅଧିକାର ରାଜା ଫେରିପାଇଲେ ନାହିଁ । ଜଗନ୍ନାଥଙ୍କ ସମ୍ପତିର ରକ୍ଷାଣ ବେକ୍ଷଣ ଦାୟିତ୍ୱ ମଧ୍ୟ ସରକାରଙ୍କ ହାତକୁ ଚାଲିଗଲା । କେବଳ ଜଗନ୍ନାଥଙ୍କର ସେବକ ଭାବେ ରାଜା ଆଜି ପର୍ଯ୍ୟନ୍ତ ସେବା କରି ଆସୁଛନ୍ତି । ଯେଉଁ ଭୋଇ ବଂଶର ରାଜାମାନେ ଦୀର୍ଘ ୨୩୫  ବର୍ଷ ଧରି କଟକ, ଯାଜପୁର ,ଖୋର୍ଦ୍ଧା ଓ ପୁରୀରେ ଶାସନ କରିଆସୁଥିଲେ ଆଜି ସେହି ଭୋଇ ବଂଶର ଲୋକମାନେ ନିଃସ୍ବ ହୋଇଯାଇଛନ୍ତି । ଓଡିଶାର ବିଭିନ୍ନ ଅଚଂଳରେ ବାସ କରୁଥିବା ଏହି ରାଜବଂଶର ଦାୟାଦ ମାନଙ୍କୁ ଅଛୁଅାଁ,ଅନୁସୂଚିତ ଜାତି କହି କେବଳ ପୁରୀ ଜଗନ୍ନାଥ ମନ୍ଦିରକୁ ଛାଡିଦେଲେ ଅନ୍ୟ ଅଚଂଳରେ ଥିବା ଜଗନ୍ନାଥ ମନ୍ଦିର,ଦେବା ଦେବୀଙ୍କ ମନ୍ଦିରରେ ପ୍ରବେଶ କରାଇ ଦିଆଯାଏ ନାହିଁ । ଏମାନଙ୍କ ମଧ୍ୟରୁ ଅନେକ ଏତେ ଜଘନ୍ୟ ଦାରିଦ୍ର୍ୟତା ମଧ୍ୟରେ ଅଛନ୍ତି ଯେ ,ଦିନକୁ ଦୁଇ ମୁଠା ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି  । ଶିକ୍ଷା,ସ୍ବାସ୍ଥ୍ୟ,ବସ୍ତ୍ର ଓ ବାସଗୃହ ପ୍ରାୟ ନାହିଁ କହିଲେ ଚଳେ । ନୁଆଁଣିଆ  ଏକ ବଖରା ,ଦୁଇବଖରା ଝାଟିମାଟି ଚାଳଛପର ଘରେ ପାଂଚ ପ୍ରାଣୀ କୁଟୁମ୍ବଙ୍କ ସହିତ ଗୃହପାଳିତ ପଶୁମାନଙ୍କୁ ନେଇ ଚଳିବାକୁ ପଡେ । ଦାରିଦ୍ର୍ୟ କାରଣରୁ ମାନ ସମ୍ମାନ ଏବଂ ଇଜ୍ଜତ ଜଳାଞଳି ଦେଇ ସ୍ତ୍ରୀ ଓ ପୁରୁଷ ଉଭୟେ ପର ଘରେ ମୂଲ ମଜୁରୀ ନ ଖଟିଲେ ଚୁଲିଜଳେ ନାହିଁ । ପରିଶ୍ରମର କଷ୍ଟରୁ ରକ୍ଷା ପାଇବା ପାଇଁ କିଛି କିଛି ନିଶା ଦ୍ରବ୍ୟର ସାହାରା ନିଅନ୍ତି ଓ ନିଶାଶକ୍ତ ହୋଇଯାଆନ୍ତି,ଯାହା ଫଳରେ ଚିନ୍ତା,ଚେତନା ଓ ବୃଦ୍ଧି ଲୋପ ପାଇଯାଏ । ଏଭଳି ସ୍ଥିତିରେ ଆମ୍ଭମାନଙ୍କର ଭବିଷ୍ୟତ ଅନ୍ଧାର ତଥା ଉନ୍ନତି ଅସମ୍ଭବ ।
                        ଭୋଇ ରାଜବଂଶର ସିଂହଦେଓ,ଭଞଦେଓ ମାନଙ୍କ ଦେହରୁ ପ୍ରବାହିତ ହେଉଥିବା ବୀର ରକ୍ତ ତାତିଉଠୁ । ମାତି ଉଠନ୍ତୁ  ସମଗ୍ର ଭୋଇ ସମାଜ  । ଆଗେଇ ଆସନ୍ତୁ ସିଂହର ପରାକ୍ରମ ନେଇ । ଜାଗିଉଠୁ ସମଗ୍ର ଓଡିଶାରେ ଶିକ୍ଷା,ସମ୍ପତି ଓ ଆତ୍ମ ସମ୍ମାନ ଅଧିକାରର ଆନ୍ଦୋଳନ । ରାଜନୈତିକ କ୍ଷମତା ଓ ଶାସନ ଆମ ହାତକୁ ଆଣିବା ପାଇଁ ଲଢେଇ ହେଉ ଜୋରଦାର । ଅତୀତର ଇତିହାସକୁ ଜାଣି ସମସ୍ତେ ଏକାଠି ହୋଇ ନ୍ୟାର୍ଯ୍ୟ ଦାବି ସହିତ ସମ୍ପତିଗତ ,ଅର୍ଥନୈତିକ,ଆତ୍ମ ମର୍ଯ୍ୟାଦା ତଥା ସାମାଜିକ ସମ୍ମାନ ଓ ପଦପଦବୀ ହାସଲ କଲେ ହିଁ ଏ ଭୋଇ ରାଜବଂଶର ଦାୟାଦ ଅଗ୍ରଗତିର ଏକ ନୂତନ ସୂର୍ଯ୍ୟ ଦେଖିବ ।
                                                                                                     ନିବେଦକ- ରତ୍ନାକର କାଣ୍ଡି
                                                                                                                                                                                 କୈଳାସ ଚନ୍ଦ୍ର ଭୋଇ ।

        ୧୭୦୦ ଶତାଦ୍ଦୀ ଠାରୁ ବର୍ତମାନ ପର୍ଯ୍ୟନ୍ତ ଭୋଇ ରାଜବଂଶ ରାଜାମାନଙ୍କର ନାମ ତାଲିକା ଓ ଶାସନ ସମୟ-:
୧.    ଭୋଇ ବଂଶର ପ୍ରତିଷ୍ଠାତା ଗୋବିନ୍ଦ ବିଦ୍ୟାଧର -                            ୧୫୬୮
୨.    ରାମଚନ୍ଦ୍ର ଦେବ (ଅଭିନବ ଇନ୍ଦ୍ରଦୁ୍ମ୍ନ) –                            ୧୫୯୨-୧୬୦୦ ଶତାଦ୍ଦୀ
୩.    ଗଜପତି ପୁରୁଷୋତମ ଦେବ –                                   ୧୬୦୦-୧୬୨୧ ଶତାଦ୍ଦୀ
୪.    ଗଜପତି ନରସିଂହ ଦେବ –                                      ୧୬୨୧-୧୬୪୭ ଶତାଦ୍ଦୀ
୫.   ଗଜପତି ବଳଭଦ୍ର  ଦେବ –                                        ୧୬୪୭-୧୬୫୭ ଶତାଦ୍ଦୀ
୬.   ଗଜପତି ପ୍ରଥମ ମୁକୁନ୍ଦ ଦେବ -                                   ୧୬୫୭-୧୬୮୯ ଶତାଦ୍ଦୀ
୭.   ଗଜପତି ପ୍ରଥମ ଦିବ୍ୟସିଂହ ଦେବ-                               ୧୬୮୯-୧୭୧୬ ଶତାଦ୍ଦୀ
୮.    ଗଜପତି ହରେକୃଷ୍ଣ ଦେବ –                                    ୧୭୧୬-୧୭୨୦ ଶତାଦ୍ଦୀ
୯.    ଗଜପତି ଗୋପିନାଥ ଦେବ –                                    ୧୭୨୦-୧୭୨୭ ଶତାଦ୍ଦୀ
୧୦.  ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ –                            ୧୭୨୭-୧୭୩୬ ଶତାଦ୍ଦୀ
୧୧.  ବୀର କେଶରୀ ଦେବ (ଭାଗୀରଥି ଦେବ) ପ୍ରଥମ-              ୧୭୩୬-୧୭୯୩ ଶତାଦ୍ଦୀ
୧୨.  ଗଜପତି ଦ୍ୱିତୀୟ ଦିବ୍ୟସିଂହ ଦେବ-                              ୧୭୯୩-୧୭୯୮ ଶତାଦ୍ଦୀ
୧୩.  ଗଜପତି  ଦ୍ୱିତୀୟ ମୁକୁନ୍ଦ ଦେବ –                                ୧୭୯୮-୧୮୧୭ ଶତାଦ୍ଦୀ
୧୪.  ଗଜପତି ତୃତୀୟ ରାମଚନ୍ଦ୍ର ଦେବ –                                ୧୮୧୭-୧୮୫୪ ଶତାଦ୍ଦୀ
୧୫.  ଗଜପତି  ଦ୍ୱିତୀୟ  ବୀର କେଶରୀ ଦେବ –                        ୧୮୫୪-୧୮୫୯ ଶତାଦ୍ଦୀ
୧୬.  ଗଜପତି ତୃତୀୟ ଦିବ୍ୟସିଂହ ଦେବ –                               ୧୮୫୯-୧୮୮୮ ଶତାଦ୍ଦୀ
୧୭.   ଗଜପତି ଚତୁର୍ଥ ମୁକୁନ୍ଦ  ଦେବ-                         ୧୮୮୨-୧୪.୦୪.୧୯୨୬  ମସିହା
୧୮.   ଗଜପତି ଚତୁର୍ଥ ରାମଚନ୍ଦ୍ର ଦେବ –                 ୧୪.୦୪.୧୯୨୬ -୧୫.୧୧.୧୯୫୬  ମସିହା
୧୯.  ଗଜପତି ତୃତୀୟ ବୀର କେଶରୀ  ଦେବ -         ୧୫.୧୧.୧୯୫୭ – ୦୮.୦୭. ୧୯୭୦ ମସିହା
୨୦.  ଗଜପତି ଚତୁର୍ଥ  ଦିବ୍ୟସିଂହ  ଦେବ -                          ୦୮.୦୭.୧୯୭୦ ରୁ ବର୍ତମାନ ପର୍ଯ୍ୟନ୍ତ

No comments:

Post a Comment