ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ

ମାଧବାନନ୍ଦ  ଭୋଇ
                             ଜୀବନରେ ସମୟେ ସମୟେ ଆମ୍ଭେ ଅନେକ ମହାପରୁଷ ଆଉ ସାଧୁସନ୍ଥମାନଙ୍କ ଜୀବନୀ ପାଠ କରୁ । ହେଲେ ଯେତେବେଳେ କୌଣସି ସନ୍ଥଙ୍କ ଜୀବନଧାରା ଗାଥା ସହ ନିଜ ଜୀବନ ଯୋଡିହୋଇଯାଏ ।  ସେତେବେଳେ ନିଜ ମନ ଚାହେଁ ଏକ ଅମୃତ ଅନୁଭବକୁ, ସତରେ ଜୀବନର ମାନେ କଣ? କଣ ପାଇଁ ବାହୁଡା ଗୋସେଇଁ   ଏ କଥା ଲେଖି ଦେଇଗଲେ ।  “ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ, ମାରିବ ଶୂନ୍ୟ ଲହଡି ଥୟ ନୋହିବ”ଧାଡିରେ ଦର୍ଶାଇଦେଲେ ଜୀବନର ନିଷ୍ଠୁର ସତ୍ୟକୁ । ଆଜି ସେ ନାହାନ୍ତି ସତ, ହେଲେ ତାଙ୍କ କଥା ଭାବିଲେ ଆପେ ଆପେ ମଥା ନଇଁଯାଏ   ।
                                        ପରମେଶ୍ୱର ଆଉ ସନ୍ଥ ଦ୍ୱୟ ମାନବ ଜୀବନରେ ଏକା ପରି । ଏକ ଦିଗରେ ଦୁଇଟି ସରଳ ରେଖା ପରି ପରସ୍ପରଙ୍କ ମିଳନ ହୋଇଥାଏ । ଏହି ମିଳନର ମହାନୁଭବକୁ କହି ହୁଏନା କଥାରେ, ନା ଲେଖି ହୁଏ ଲେଖାରେ । ଏହାର ସ୍ୱର୍ଗୀୟ ଅନୁଭବକୁ  ଯେତେବେଳେ ପ୍ରାଣରେ ସଂଚାର ହୁଏ । ଶରୀରରେ ସୃଷ୍ଟିହୁଏ ନୂଆ ଉନ୍ମାଦନା, ଶରୀରର ପ୍ରତିଟି ତନ୍ତ୍ରୀ ଝଂକୃତ ହୋଇଉଠେ ସେଇ ଅଦୃଶ୍ୟ ମହାନ୍ ଆତ୍ମାଙ୍କ ଅମୃତମୟ ସ୍ପର୍ଶରେ । ଜୀବନ ପାତ୍ର ପରିପୂର୍ଣ୍ଣ ଲାଗେ । ସଂସାରର  ମାୟା ଜଗତ ତୁଛ ହୋଇଯାଏ । ଭକ୍ତର ଭଲପାଇବା ଠାରୁ ଭଗବାନଙ୍କ ଆଗରେ କୌଣସି ବଡ ପୂଜା ତୁଳନୀୟ ନୁହେଁ । ବାସ୍ତବରେ ଭଲ ପାଇବାରେ ବ୍ୟାକୁଳତା ନ ଥିଲେ, ଭଲ ପାଇବା ହୁଏନାହିଁ ।  ଯେତେବେଳେ ସେ ନିଜକୁ ତାଙ୍କ ପାଖରେ ସମର୍ପଣ କରି ଦିଏ, ଆଉ କଣ ବା ଆବଶ୍ୟକ ଅଛି ? କେଉଁଠି ଏ ମଣିଷ ନିଜର ବନ୍ଧୁ ଭାବରେ ଜୀବନର ସବୁକିଛି ତାଙ୍କ ନିକଟରେ ସମର୍ପି ଦେଇଛି,ଆଉ କହିଛି ସଖା ତୁ ମୋର; ମୁଁ ତୋର, ଭକତର ତୁମେ ହିଁ ବନ୍ଧୁ ପ୍ରଭୁ । କେଉଁଠି ପରମେଶ୍ୱର  ସାଜିଛନ୍ତି  ଭକ୍ତ ବତ୍ସଳ ଭଗବାନ ଦୀନ ଭକ୍ତପାଇଁ, ଦୀନ ଭକ୍ତଟି ଆକୁଳ କଂଠରେ ପ୍ରାର୍ଥନା କରିଛି- ପ୍ରଭୁ ୟେ  ସଂସାରରେ ତୁମ ଛଡା ସାହା କେହି ନାହିଁ ,ମୋର ସୁଖ ଦୁଃଖରେ ତୁମେ ହିଁ ସାହା ହୁଅ । କେବେ କେବେ ଭକ୍ତଟେ ହୋଇଯାଇଛି ମମତାମୟୀ ଯଶୋଦା, ବାତ୍ସଲ୍ୟ ପ୍ରେମରେ ହଜିଯାଇଛି ମନ । ମନେମନେ ଖୁଆଇ ଦେଇଛି ସର, ଲବଣୀ । କେବେ କେବେ ଭକ୍ତଟେ  ସଜାଇଛି ନିଜକୁ  ପ୍ରେମମୟୀ ରାଧା ଭାବରେ  । ଜନମ ଜନମ ସାଥି ଭାବି ନିଜକୁ ପ୍ରେମ ଦରିଆରେ ଡୁବ ଦେଇଛି । ପ୍ରେମିକା ହୋଇ ଶୃଙ୍ଗାର କରିଛି ପ୍ରିୟତମଙ୍କ ପାଇଁ । ଆଉ କେଉଠି ମନ ହଜି ଯାଇଛି ନିର୍ଗୁଣ ଉପାସନାରେ । ଦେହ ଦେହୀର ମିଳନ ପାର୍ଥିବ ଭାବରେ ଖୋଜିଛି ପରମ ପ୍ରେମମୟ ପ୍ରିୟ ପୁରୁଷଙ୍କୁ ।
                                                        ବାସ୍ତବରେ ବାହୁଡାଙ୍କ  ଭଜନରେ କି ଯାଦୁ  ଥିଲା । ମୁଁ ବି ଜାଣିନି । ଯେତେଥର ପଢିଲେ ବି  ଏହାର ପ୍ରତିଟି ପଦ ନୂଆ ନୂଆ ଲାଗେ । ସତେ ଯେମିତି ଚେତାଇ ଦେଉଛି ମନକୁ, ଅଢେଇ ଦିନିଆ ସଂସାରରେ ତୁ କି ଲାଭ ପାଇବୁରେ... ଛୋଟ କଢିଟି ଫୁଲ ହୋଇ କାଲିକୁ ଫୁଟିଯିବ । ମଉଳି ଯିବ । ସେମିତି ୟେ ଶରୀର ନୂଆ ଘର ପରି ଦିନେ ପୁରୁଣା ହୋଇଯିବ, ଆଜି ଚକ୍ ଚକିଆ ଅଛି, କାଲିକି ଧୁଡୁ ଧଡିଆ ହୋଇଯିବ । ସମୟର  ଚକରେ  ପେଶିହୋଇ ଧିରେ ଧିରେ  ଶରୀରର ଅବସ୍ଥା ବି ବିଗିଡିଯିବ । ଲୋଳିତ ଚର୍ମ ଆଉ ଗଳିତ ଦନ୍ତରେ ହା ହା କାର ହୋଇଯିବ ଜୀବନ । ଚମର ଛାଉଁଣି ପୁରୁଣା ହୋଇଗଲେ ହାଡ ଦି ଖଣ୍ଡିର ଯୁ ବା କେତେ ?   ଡାକ୍ତରୀ ଭାଷାରେ ଦେହର ଅସ୍ଥିମଜ୍ଜାରୁ ହରମୋନ୍ କମିଗଲେ ଆରମ୍ଭ ହୁଏ ଆଣ୍ଠୁ ଗଂଠି ବିନ୍ଧା ରୋଗ ।  ଥରେ ପଡିଗଲେ, ଦେହ ଜଖମ୍ ହୋଇଯାଏ ସବୁ ଦିନ ପାଇଁ । ହେଇ, ଦେଖିଲେ ତ, କେତେ ସୁନ୍ଦର ଘର ଥିଲା ? କିନ୍ତୁ କଣ ହେବ ? ଉଇ ଚରି ଗଲାପରେ କାଠ ଓରାର କି ଶକ୍ତି ଥାଏ ? ସେତକ ଚାଲିଗଲା ପରେ ଘରର କାନ୍ଥ ପଡି ଯିବ । 
                                                  ପାର୍ଥିବ ଜଗତରେ ରକ୍ତ ମାଂସର ଶରୀର କ୍ଷଣସ୍ଥାୟୀ । ପ୍ରକୃତିଗତ ସ୍ଥୁଳ ଶରୀର  ଓ ସୁକ୍ଷ୍ମ ଶରୀର ବା ଆତ୍ମାର ସମାହାରରେ ସୃଷ୍ଟିହୁଏ ସମୁଦାୟ ମଣିଷର ଅବୟବ । ଉକ୍ତ ଅବୟବକୁ  ଆଧ୍ୟାତ୍ମିକତାରେ  ପ୍ରକୃତି ଆଉ ପୁରୁଷର ମିଳିତ ସମାହାର  ବୋଲି କୁହାଯାଏ । ଜଡ ଆଉ ଚେତନର ସମଷ୍ଟି ମଧ୍ୟ କୁହାଯାଏ । ପାଂଚଗୋଟି  ମହାଭୂତ କ୍ଷିତି, ଆପ, ତେଜ, ମରୁତ ଓ ବ୍ୟୋମକୁ ନେଇ ଗଢା ଏ ସ୍ଥୁଳ ଶରୀର । ଏହା ବସ୍ତୁ ସ୍ୱରୁପ ଅଟେ ଏବଂ  ପରିସ୍ଥାନର ପରିସରଭୁକ୍ତ ଅଟେ ।  ମୃତୁ୍ୟପରେ ଶରୀରର ଅବଶେଷଗୁଡିକ ଉକ୍ତ ମହାଭୂତରେ ବିଭାଜିତ ହୋଇ ବିଲୀନ ହୋଇଯାଇଥାଏ ।  କିନ୍ତୁ ସୁକ୍ଷ୍ମ ଶରୀର ସ୍ୱତନ୍ତ୍ର ଭାବନା  ତଥା ଅନୁଭବକୁ ଆଧାର କରି ସଦା ଚଳ ଚଂଚଳ ଭାବରେ ରହିଥାଏ । ମୋଟାମୋଟି ଭାବରେ ପାଂଚମନ, ପଚିଶ ପ୍ରକୃତି, ଏକାଦଶ ଇନ୍ଦ୍ରିୟ ଏବଂ ପାଂଚପ୍ରାଣରେ ଜଡିତ ଥାଏ ସୁକ୍ଷ୍ମ ଶରୀର । ସନ୍ଥ ବାହୁଡା ଏଥିପାଇଁ ଲେଖିଛନ୍ତି-
ପାଂଚ ମନ ହାରି, ପଚିଶ ପ୍ରକୃତି ଜଗାଇ, ରଖିଲ ପ୍ରହରୀ,
ଦଶ କଳ୍ପ ଏକାଦଶ ଇନ୍ଦ୍ରିୟ ଦେଲ ତୁମ୍ଭେ ନ ହୋଇଲ କାହାରି ।ା
                                                       ଜଡ ଶରୀର ପ୍ରକୃତି ମାୟାରେ   ବିମୋହିତ ହୋଇ ଆକ୍ତାମାକ୍ତା ହୋଇଯାଏ । କାମ, କୋ୍ରଧ, ଲୋଭ, ମୋହାଦି ମାୟାରେ ବିଗଡି ଯାଏ ମାନବ ଜୀବନ । ଜୀବନର ଗଭୀର ମୂଲ୍ୟବୋଧକୁ ଭୁଲି  ପଥହୁଡା ହୋଇଯାଏ ମଣିଷ ।  ଯାହାଫଳରେ ବିଭିନ୍ନ ଦୁଃଖ କଷ୍ଟକୁ ଡାକିଆଣେ । ଯେତେବେଳେ ସ୍ଥୁଳ ଶରୀର ଅକାମୀ ହୋଇଯାଏ,ସେତେବେଳେ ସୁକ୍ଷ୍ମ ଶରୀର ଖୋଜିବୁଲେ ଆଉ ଏକ ରକ୍ତ ମାଂସର ଶରୀର ।   ଜୀବନର ସମସ୍ତ କର୍ମ ଅପକର୍ମ ଅନୁଯାୟୀ  ଆତ୍ମାର ପୁର୍ନଜନ୍ମ ହୋଇଥାଏ । ଶରୀର ରୂପକ ପଞ୍ଜୁରୀରୁ ଆତ୍ମା ରୂପକ ପ୍ରାଣପକ୍ଷୀ ଉଡି ଯାଇଥାଏ  ।  ଜୀବନର ପ୍ରକୃତ ଲକ୍ଷ ଜାଣି ନ ପାରି, ଯେତେବେଳେ ଏ ଜୀବ ଚଉରାଶୀ ଲକ୍ଷ ଯୋନି ଅତିକ୍ରମ କରି କ୍ରମାନୁକ୍ରମେ ସ୍ୱେଦଜ, କୃମିଜ, ଅଣ୍ଡଜ ଏବଂ ଜରାୟୁଜରୁ ଶେଷରେ ମଣିଷ ଜନ୍ମ ନିଏ, ସେ ଜାଣିପାରେ ନା, ଜୀବନର ପ୍ରକୃତ ଲକ୍ଷ କଣ ? ସମାଜ ପ୍ରତି ଦାୟିତ୍ୱ କଣ? ଜୀବନଟା କେବଳ କଣ ଉପଭୋଗର ସାମଗ୍ରୀ ? ସେଥିପାଇଁ ଅସଜଡା ଜୀବନକୁ ସଜାଡିବା  ପାଇଁ ଜନ୍ମ ନେଇଥିଲେ ବାହୁଡାଙ୍କ ପରି ମହାନ୍ ସନ୍ଥମାନେ,ଜୀବନର ବାସ୍ତବତାକୁ ରୂପରେଖ ଦେବା ପାଇଁ ଆଧ୍ୟାତ୍ମିକତାର ଚଉହଦି ମଧ୍ୟରେ । ଏହା ହୋଇପାରେ ବେଦର ସଂସ୍କୃତ ଶ୍ଳୋକରେ ଅଥବା ବାହୁଡାଙ୍କ ଗାଉଁଲି ଭଜନରେ । କାରଣ ଯେ ପର୍ଯ୍ୟନ୍ତ ମଣିଷ, ତା ଜୀବନର ଗଭୀର ମୂଲ୍ୟବୋଧକୁ ନ ବୁଝିଛି, ଆତ୍ମ ସଂଯମପୂର୍ଣ୍ଣ ଜୀବନ ନିର୍ବାହ ନ କରି ବିପଥଗାମୀ ହୋଇଛି, ସେ ପର୍ଯ୍ୟନ୍ତ  ମଣିଷର ଆତ୍ମାନୁଭୂତି ଲାଭ ହେବ କିପରି ? ବିନା ଆତ୍ମାନୁଭୂତିରେ ଜୀବନ ଅତିବାହିତ କରିବା ନିରର୍ଥକ । ଆତ୍ମାନୁଭୂତି ହିଁ ଜୀବନର ପରମ ଲକ୍ଷ ଅଟେ ।
                                            ଆତ୍ମାନୁଭୂତି ପାଇଁ ଉଭୟ ଭାବରେ ଶାରିରୀକ ଶୃଙ୍ଖଳା ଏବଂ ମାନସିକ ଶୃଙ୍ଖଳା ନିତାନ୍ତ ଅପରିହାର୍ଯ୍ୟ । ଯେଉଁ ଶୃଙ୍ଖଳାକୁ ଆଧ୍ୟାତ୍ମିକ ବିଜ୍ଞାନ କୁହାଯାଏ । ଅଧୁନା ଜୀବ ବିଜ୍ଞାନ ପରି ଆଧ୍ୟାତ୍ମିକ ବିଜ୍ଞାନରେ ମଣିଷର ଶରୀର ଅଙ୍ଗାଙ୍ଗୀଭାବରେ ଜଡିତ । ଗୋସେଇଁଙ୍କ “ଦଶ ଦ୍ୱାର ତ୍ରିକୋଣିଆ, ଋଅ ଯାକ ଘଣିଖିଆ” ପଦର ଅର୍ଥ ଏହାର ଅଂଶବିଶେଷ ନୁହେଁ ତ ଆଉ କଣ? ମୁଖ,କର୍ଣ୍ଣ, ନାସା,ଗୁହ୍ୟ,ଚକ୍ଷୁ ଆଦି ଦଶ ଦ୍ୱାରର ସ୍ଥୁଳ ଶରୀରକୁ ଆତ୍ମ ସଂଯମତା ପୂର୍ବକ ଜୀବନ ନିର୍ବାହ କରିବା ଆବଶ୍ୟକ । ସ୍ଥୁଳ ଶରୀର ପାଇଁ ଆହାର ବିହାରର ସଂଯମତା ଆବଶ୍ୟକ ବୋଲି ମୁଁ ମନେ କରେ । ଜଣେ ସାଧାରଣ ମଣିଷ ବା ସାଧକ ହୁଅନ୍ତୁ, ଆହାର  କ୍ଷେତ୍ରରେ ସାଧାରଣତଃ ନିରାମିଷ ଆହାର  ସର୍ବୋତମ ଅଟେ । କାରଣ ମସଲାଯୁକ୍ତ ଏବଂ ଆମିଷ ଆହାର ଦ୍ୱାରା ଉଭୟ ଶାରିରୀକ ଓ ମାନସିକ ଉତ୍ତେଜନା ସୃଷ୍ଟି ହେବା ଦ୍ୱାରା ଆତ୍ମାନୁଭୂତି ସାଧନା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଆମିଷ ଆହାର କେବଳ  ଇନ୍ଦ୍ରିୟ ସୁଖ ଲାଭ ପାଇଁ ଉଦ୍ଧିଷ୍ଟ ଏବଂ ମାନବର ଆଦର୍ଶ ବିରୁଦ୍ଧ । ପଶୁ ଏବଂ ମଣିଷ ଶାରିରୀକ ଗଠନ ପ୍ରରିପ୍ରେକ୍ଷୀରେ ଭିନ୍ନ ହୋଇଥିବା ସ୍ଥଳେ  ପଶୁ ପରି ମଣିଷ ମାଂସାହାରୀ ହେବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ଜଣେ ମାଂସହାରୀ ଏବଂ ଶାକାହାରୀର ଉଭୟଭାବରେ  ଶରୀରାବସ୍ଥା ଓ ମାନସିକାବସ୍ଥାକୁ ପ୍ରତିଦିନର ଘଟଣାବଳୀକୁ ଅନୁଧ୍ୟାନ କଲେ, ଜଣେ ଶାକାହାରୀର ଜୀବନ ଅନୁକୂଳ ଜଣାଯାଏ । ଜଣେ ଶାକାହାରୀର ଶରୀର ପ୍ରାୟତଃ ନିରୋଗୀ ରହିଥିବା ସ୍ଥଳେ ମାଂସାହାରୀ ଅଧିକ ରୋଗଗ୍ରସ୍ତ ହୋଇଥାଏ,ଯାହା ବିଜ୍ଞାନ ସମ୍ମତ ଅଟେ । ଅପରାଧ ଦୃଷ୍ଟିକୋଣରୁ ମୁଖ୍ୟତଃ ମାଂସାହାରୀଙ୍କ ସଂଖ୍ୟା ଅଧିକ ଜଣାଯାଏ । ତେବେ ପରମେଶ୍ୱରଙ୍କୁ ପାଇବା ପାଇଁ ଯେ, ସୁଶରୀର ଆବଶ୍ୟକ,ତାହା ମହାନ୍ ସନ୍ଥ ବାହୁଡା ଗୀତର ପଦ ଛଳରେ ଶରୀରର ପ୍ରମୁଖ ଦଶ ଦ୍ୱାରକୁ ଇଙ୍ଗିତ କରି ଲେଖିଛନ୍ତି,ଏଥିରେ ସନେ୍ଦହ ନାହିଁ । 
ସୁକ୍ଷ୍ମ ଶରୀର ଏବଂ ସ୍ଥୁଳ ଶରୀର ପରସ୍ପର ପରିପୂରକ । ସ୍ଥୁଳ ଶରୀର ପରି ସୁକ୍ଷ୍ମ ଶରୀରର ମଧ୍ୟ  ଷଡଚକ୍ର ଆଦି ସମାହାରକୁ ନେଇ ଗଠିତ । ଶାରିରୀକ କ୍ଷେତ୍ରରେ ଏହାର ଆକାର ନ ଥିଲେ ବି ଆଧ୍ୟାତ୍ମିକ କ୍ଷେତ୍ରରେ ଚକ୍ର କିମ୍ବା ପଦ୍ମ ସଦୃଶ ଅନୁଭବ କରାଯାଏ । ପ୍ରଥମେ ମୂଳାଧାର ଚକ୍ର ମେରୁଦଣ୍ଡର ନିମ୍ନଭାଗ (ଗୁହ୍ୟଦ୍ୱାର)ରେ ଅବସ୍ଥିତ । ସ୍ୱାଧିଷ୍ଠାନ ଚକ୍ର ଜନନାଙ୍ଗର ପଛ ଭାଗରେ ଅବସ୍ଥିତ । ମଣିପୁର ଚକ୍ର ନାଭିର ପଛ ଭାଗରେ  ଥାଏ । ଛାତିର ମଝିଭାଗରେ ଅନାହତ ଚକ୍ର ଅବସ୍ଥିତ । କଣ୍ଠରେ ବିଶୁଦ୍ଧ ଚକ୍ର  ଅବସ୍ଥିତ ।  ଦୁଇ ଭୃ ଲତା ମଧ୍ୟରେ ଆଜ୍ଞା ଚକ୍ର ଅବସ୍ଥିତ ଏବଂ ଏହାକୁ ତ୍ରିକୁଟ  ମଧ୍ୟ କୁହାଯାଏ ।  ଶେଷରେ ମୁଣ୍ଡର ଉପରିଭାଗରେ ସହସ୍ରାର ଚକ୍ର ଅବସ୍ଥିତ । ଯେଉଁ ସହସ୍ରାର ଚକ୍ରରେ ମନୁଷ୍ୟ ଦିବ୍ୟ ଅନୁଭବ କରିଥାଏ । ସନ୍ଥ ବାହୁଡା ଏକ ଭଜନରେ ଲେଖିଛନ୍ତି-
ଛଡ ଚକ୍ର ପରେ ଶଇଳ ବର ,ଜ୍ୟୋତି ମଧ୍ୟରେ କରଇ ବିହାର,
ଝର ଝର ବହେ ତ୍ରୀବେଣୀ ଧାର,ନିରତେ ପଡେ ହର ମସ୍ତକର ,
ଟେକିଲେ ଉଜାଣି  ,ଠୁଳ  ଶୁନ୍ୟ ରୂପ, ଦେଖିବୁ ପୁଣି ।ା 
ପ୍ରାଚୀଗୁରୁ ଧର୍ମକ୍ଷେତ୍ରର ମୋର  ଗୁରୁଦେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଲେଖିଛନ୍ତି-
ହସ୍ର ଦଳ କମଳେ, ଛନ୍ଦିଛ ଶ୍ରୀପଦ, ତହିଁ କେଉଁ ପୁଷ୍ପ ଦେବି ହେ ଗୁରୁ ଗୋବିନ୍ଦ ।
ଚିନ୍ତାମଣି ଗୁରୁ ଶ୍ୟାମ, କର୍ତବ୍ୟ କରିବି ସ୍ମରି ସ୍ମରି ତୁମ୍ଭ ନାମ ।ା  (ମଧୁ ପଦ୍ୟାବଳୀ)
ଭିନ୍ନ ଭିନ୍ନ  ସାଧକମାନଙ୍କର ଭିନ୍ନ ଭିନ୍ନ ଅନୁଭୂତି ହୋଇଥାଏ । ଅନେକାଂଶରେ ଏହି ଚକ୍ରମାନଙ୍କର ଭିନ୍ନ ଭିନ୍ନ ରଙ୍ଗ ସହିତ ଭିନ୍ନ ଭିନ୍ନ ବୀଜ ମନ୍ତ୍ର ରହିଛି ।  ଏହା ସଦ୍ଗୁରୁଙ୍କ କୃପାରୁ ନତୁବା ନିୟମିତ ଅଭ୍ୟାସ କରିବା ଦ୍ୱାରା ସାଧାରଣ ମନୁଷ୍ୟ ମଧ୍ୟ ଏହାକୁ ଅନୁଭବ କରିପାରିବ, ଏଥିରେ  ସନେ୍ଦହ କିଛି ନାହିଁ ।  ତେବେ ଏହା ସମୟ ସାପେକ୍ଷ ନିୟମିତ ସାଧନା ଅଟେ । ଏହା ମଧ୍ୟରୁ  ତ୍ରିକୁଟ (ଭୃ ଲତାର ମଧ୍ୟ ଭାଗ ଅଂଶ )  ହେଉଛି ଆତ୍ମାନୁଭୁତି ସାଧନାର ପ୍ରମୁଖ ଅଂଶ ବିଶେଷ ଅଟେ । ଯାହାଦ୍ୱାରା ଜଣେ ସାଧକ କିମ୍ବା ସାଧାରଣ ମଣିଷ ଧ୍ୟାନ କରୁ କିମ୍ବା ପ୍ରାଣାୟମ କରୁ, ବିଶେଷତଃ କ୍ରମାଗତ ଭାବରେ ତ୍ରିକୁଟକୁ ଚିନ୍ତା କରିବା ଦ୍ୱାରା ଏକ ସୁକ୍ଷ୍ମାତିସୁକ୍ଷ୍ମ ଅନୁଭବ ହୋଇଥାଏ । ଏକ ସଂଯମ ପୂର୍ଣ୍ଣ ଜୀବନ ବିତାଇବା ପାଇଁ  ଶ୍ୱାସ ନିୟନ୍ତ୍ରଣ କରିବା ପାଇଁ ବି  ବାହୁଡା ଗୋସେଇଁ କହିଯାଇଛନ୍ତି ତାଙ୍କ ଭଜନରେ । କାରଣ ନିଶ୍ୱାସ/ପ୍ରଶ୍ୱାସକୁ ମଣିଷର “ପ୍ରାଣ ବାୟୁ” ବୋଲି କୁହାଯାଏ । ବେଦରେ ମଧ୍ୟ ଏହାକୁ “ଯମ” ଭାବରେ ଅଭିହିତ କରାଯାଇଛି । କାରଣ  ବିଭିନ୍ନ କାର୍ଯ୍ୟରେ ଅଧିକ ପ୍ରାଣ ବାୟୁ ତ୍ୟାଗ କରିବା ଦ୍ୱାରା ମଣିଷ ନିରୋଗୀ ରହିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।  ଶାସ୍ତ୍ରରେ ଲିଖିତ ଅଛି –
ଗମନେଚ ଚର୍ତୁବିଂଶ ନେତ୍ର ବେଦାଶ୍ଚ ଧାବନେ, ମୈଥୁନେ ପଂଚଷଷ୍ଠୀ ଚ ଶୟନେ ଶତାଙ୍ଗୁଳଂ,
ପ୍ରାଣସ୍ୟ ତଦ୍ଗତି ର୍ଦେବି ସ୍ୱଭାବ ଦ୍ୱାଦଶାଙ୍ଗୁଳଂ, ଭୋଜନେ ବଚନେଶ୍ଚୈ÷ବ ରତିରଷ୍ଟା ଦଶାଙ୍ଗୁଳଂ ।ା
                                                           ମଣିଷ ଖାଇବା ସମୟରେ ଓ ଯିବା ଆସିବା ସମୟରେ ଚବିଶ ଆଙ୍ଗୁଳ ବାୟୁ ଯିବା ଆସିବା କରେ । ଦଉଡିବା ସମୟରେ ଚଉତିରିଶ ଆଙ୍ଗୁଳ ଯିବା ଆସିବା କରେ । କଥୋପକଥନ ସମୟରେ ଅଠର ଆଙ୍ଗୁଳ ଯିବା ଆସିବା କରେ । ସହବାସ କରିବା ସମୟରେ ୬୫ ଆଙ୍ଗୁଳ ଯିବା ଆସିବା କରେ । ଶୋଇଲା ସମୟରେ ୧୦୦ରୁ ଅଧିକ ଆଙ୍ଗୁଳ ଯିବା ଆସିବା କରେ । ମନୁଷ୍ୟ ଧିର ସ୍ଥିର ବସିବା ସମୟରେ ୧୨ ଆଙ୍ଗୁଳ ଯିବା ଆସିବା କରେ । ତେଣୁ ମୁନି ଋଷିମାନେ ସର୍ବଦା ଧିରସ୍ଥିର ରହିବା ପାଇଁ ପରାମର୍ଶ ଦେଇଥାନ୍ତି । ଯାହାକି ବାର ତତ୍ତ୍ୱର ଗୁଢ ରହସ୍ୟ ଅଟେ । ଜଣେ ସାଧାରଣ  ସୁସ୍ଥ ମଣିଷ  ଦିନକୁ ୨୧,୬୦୦ ଥର ନିଶ୍ୱାସ ପ୍ରଶ୍ୱାସ ନେଇଥାଏ । କିନ୍ତୁ ଆମ୍ଭେ ଯଦି ଆମର  ନିତିଦିନିଆ କାମକୁ ଶୃଙ୍ଖଳିତ କରିବା ସହିତ  ନିଶ୍ୱାସ ପ୍ରଶ୍ୱାସର ଗତିକୁ  ବିଶେଷ ସାଧନା ମାଧ୍ୟମରେ ୨୦୦୦ ଥର  କମାଇ ଦେଇପାରିବା, ତେବେ  ଆତ୍ମାନୁଭୂତି ଅତ୍ୟନ୍ତ ସହଜ ହୋଇଯିବ ।
                                             ପରମେଶ୍ୱର ସ୍ଥୁଳ ଏବଂ ସୁକ୍ଷ୍ମ ଜଗତରେ ବିଦ୍ୟମାନ । ଏହା କେବଳ ଅନୁଭବୀ ହିଁ ଅନୁଭବ କରିପାରେ । କାରଣ ଆଧ୍ୟାତ୍ମିକ ଜୀବନରେ  ମନୁଷ୍ୟର ଚେତନା ବା ଅନୁଭବ, ସ୍ଥୂଳ ସ୍ତରରୁ କ୍ରମେ କ୍ରମେ ସୁକ୍ଷ୍ମ ସ୍ତରରେ ପହଂଚିଥାଏ । ହୁଏତ ମଣିଷର ଚେତନାକୁ ଏଠାରେ ଏକତ୍ରୀ କରଣ ହେବା ଆବଶ୍ୟକ । ସଂଯମତା ପୂର୍ବକ ଧ୍ୟାନରେ ଏକାଗ୍ରତା ନ ଥିଲେ ସଫଳତା ମିଳେ ନାହିଁ । ତେବେ ଗୋସେଇଁ ବାହୁଡାଙ୍କ କଥା କେବେ ଅନ୍ୟଥା ନୁହେଁ  ।  “ଏକାକ୍ଷର ଖମ୍ବ ପୋତି, ମନକୁ ରଖ ସାଇତି”ର ମାନେ କଣ ବା ହୋଇ ପାରେ ?  ଆତ୍ମାନୁଭୂତି ପାଇଁ ଧାଡି ଧାଡି ମନ୍ତ୍ର ଉଚ୍ଚାରଣ କିମ୍ବା ମନନ କରିବା ଅପେକ୍ଷା ମନର ସଂଯମତା ପାଇଁ ଏକାକ୍ଷର ମନ୍ତ୍ର ବା ବୀଜମନ୍ତ୍ର ଅବଲମ୍ବନ କରିବାକୁ ହୁଏ । ହ୍ଲୀଂ, କ୍ଲୀଂ,ଶ୍ଳୀଂ ଆଦି ଏକାକ୍ଷର ବୀଜମନ୍ତ୍ରରେ ଚେତନାକୁ ସଂଯୋଜିତକରି ଚିନ୍ତା କରିବା ଦ୍ୱାରା  ସୁକ୍ଷ୍ମ ଜଗତରେ ପହଂଚିବା ପାଇଁ  ବିଳମ୍ବ ହୋଇ ନ ଥାଏ ।  ତେବେ ଉକ୍ତ ଏକାକ୍ଷର ବୀଜମନ୍ତ୍ରରେ ସୃଷ୍ଟିର ବିରାଟ ଶକ୍ତି ଲୁଚି ରହିଛି, ଏହା ଅନ୍ୟଥା କରି ହେବ ନାହିଁ । କାରଣ ଆମ୍ଭ ଚାରିପାଖରେ ଅନେକ ଅଦୃଶ୍ୟ ଶକ୍ତିମାନେ ଘୁରି ବୁଲୁଛନ୍ତି । ମନୁଷ୍ୟ  ଶରୀର ଅନେକ  ମହାନ୍ ଶକ୍ତିର ଆଧାର । ଯେତେବେଳେ ମନୁଷ୍ୟ ସାଧନାଭିମୁଖୀ ହୋଇଯାଏ, ସେତେବେଳେ ଅନ୍ତର୍ନିହିତ ଶକ୍ତି ଗୁଡିକ ଧିରେ ଧିରେ ପରିପ୍ରକାଶ କରେ ।
                                            ସାଧାରଣତଃ, ଏଠାରେ କୁଣ୍ଡଳିନୀ ଜାଗରଣ କଥା ନିଆଯାଉ । ଏହି ଚକ୍ରର ସାଧନା ପାଇଁ ଏକାକ୍ଷର ବୀଜ ମନ୍ତ୍ରର ଆବଶ୍ୟକତା ରହିଛି । ମୂଳଧାର ଚକ୍ରରେ ଏକ ସାପ ପରି କୁଣ୍ଡଳୀ ରହିଛି । ଉକ୍ତ କୁଣ୍ଡଳିନୀ  ଏକ ବିରାଟ ଶକ୍ତିର ଆଧାର ବୋଲି କୁହାଯାଏ । ଯାହା ଏହା ମଧ୍ୟରେ ଲୁକ୍କାୟିତ ଭାବରେ ରହିଛି । ତେବେ ଏହି ଆକୃତି ଓ ଶକ୍ତି ମାନସିକତାର ଅବଧାରଣା ମାତ୍ର । ତେବେ କେତେକ କୁଣ୍ଡଳିନୀ ଜାଗରଣ ପାଇଁ ମସ୍ତିଷ୍କକୁ ଆଧାର କରିଥାନ୍ତି । କିନ୍ତୁ ମୋ ମତରେ, ଏହା ଠିକ୍ ନୁହେଁ । ସାଧନା ସମୟରେ  ପ୍ରାୟତଃ  ଅନୁଭବ କରିଛି.  ପଦ୍ମାସନରେ  ଥିବା ସମୟରେ  ଏକ ପ୍ରକାର ଆଘାତ  ମୋର ମୂଳାଧାର ଚକ୍ର ପାଖରେ ହେଉଛି ଏବଂ ସତେ ଯେପରି  ଗୁହ୍ୟଦ୍ୱାର ପାଖାପାଖି ଉଦ୍ଧ୍ୱର୍କୁ କୌଣସି ଏକ  ଶକ୍ତି ଚାପ ଦେଉଅଛି । ଏହ କଣ ହୋଇପାରେ? କହିବାକୁ ଗଲେ, ମୂଳାଧାର ଚକ୍ରରୁ ତିନୋଟି ନାଡୀ ମେରୁଦଣ୍ଡ ବାଟ ଦେଇ ମସ୍ତିଷ୍କକୁ ଯାଇଛି । ବାମ ପାଖରେ ଇଡା, ଡାହାଣ ପାଖରେ ପିଙ୍ଗଳା ଓ ମଧ୍ୟ ଭାଗରେ ସୁଷୁମ୍ନା ନାଡୀ ରହିଛି ।  ଏହାକୁ ମଧ୍ୟ ପ୍ରାଣବାହୀ ନାଡୀ କୁହନ୍ତି । ଉକ୍ତ ନାଡୀ ମାଧ୍ୟମରେ  ମନୁଷ୍ୟର ପ୍ରାଣଶକ୍ତି ମୂଳାଧାର ଚକ୍ର ଠାରୁ ମସ୍ତିଷ୍କ ଯାଏ,ସଂଚାରିତ ହେଉଥାଏ । ଉକ୍ତ ନାଡୀ ତ୍ରୟ ଚକ୍ର ମାନଙ୍କର ଅବସ୍ଥିତିରେ  ଛନ୍ଦା ଛନ୍ଦି ହୋଇ ରହିଥାନ୍ତି । ଉକ୍ତ ନାଡୀ ସଂପର୍କେ ସନ୍ଥ ବାହୁଡା ଲେଖିଛନ୍ତି-
ଶୁନ୍ୟକୁ ଚାହାଁ ତୁ  ଶିବ ଅଛଇ, 
ଶୂନ୍ୟରୁ ଝରୁଛି ତ୍ରୀବେଣୀ ନଈ ।
ଝର ମୁଣ୍ଡେ ହର ଛନ୍ତି ନିରନ୍ତର, 
ପଂଚାନନ ଶିରେ ଅମ୍ବୁ ପଡଇ ।ା
ଡୋଳାରେ ଡୋଳାକୁ ରଖତୁ ଯାଇ, 
ଢଳ ଢଳ ଦିଶେ ସ୍ୱରୁପ ତହିଁ ,
ଅନାହତ ଘରୁ ଶବଦ ଶୁଭୁଛି,  
ତାଳୁକା ଦ୍ୱାରେ ବାଟ ଫିଟିଅଛି ।ା
କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେବା ଦ୍ୱାରା ମନୁଷ୍ୟକୁ ପରମେଶ୍ୱରଙ୍କ ଚରମ ସୁଖ ମିଳିଥାଏ । ତେବେ ଉକ୍ତ ସାଧନା ଧିରେ ଧିରେ ଅଭ୍ୟାସଗତ ଭାବରେ ଆସନ ଧ୍ୟାନ ଓ ପ୍ରାଣାୟାମ ମାଧ୍ୟମରେ  ସାଧାରଣ ମଣିଷଟିଏ ଅନୁଭବୀ ଗୁରୁଙ୍କ ଦ୍ୱାରା ମଧ୍ୟ କରି ପାରିବ । ତେବେ ଏଥିରେ ବହୁତ ସତର୍କତା ଅବଲମ୍ବନ କରବା ଆବଶ୍ୟକ । କୁଣ୍ଡଳିନୀ ଜାଗରଣରେ ତୃଟି ପରିଲକ୍ଷିତ ହେଲେ, ମନୁଷ୍ୟ ପାଗଳ, ପାରାଲିସସ୍ ଓ ହୃଦଘାତଆଦି ହେବାର ସମ୍ଭାବନା ରହିଛି । ପ୍ରାଣ ବି ଚାଲି ଯାଇପାରେ ।  
କିନ୍ତୁ ସନ୍ଥ ବାହୁଡାଙ୍କ ଜୀବନ ଥିଲା  ସମାଜ ପ୍ରତି ଏକ ବିରାଟ ଉପହାର । ବିନା ପ୍ରତ୍ୟାଶାରେ କେତେବେଳେ ସମାଜ ସେବାରେ ମଗ୍ନ ହୋଇ ଯାଉଥିଲେ, କେତେବେଳେ ସେ ନିର୍ଗୁଣ ସାଧନାରେ ହଜିଯାଉଥିଲେ । ବାସ୍ତବରେ ଏହି ତ୍ୟାଗ ହିଁ ତାଙ୍କ ମହାନତାର ପରିଚୟ । ସତରେ ସନ୍ଥ ମାନଙ୍କ ଜୀବନ ଏଇମିତି । ଜଣେ ସାଧୁ, ତାଙ୍କର ସାଧନା ମଧ୍ୟରେ ଜୀବନର ଚରମ ପ୍ରାପ୍ତିର ମୋକ୍ଷ ଆଶା ପାଇଁ ନିର୍ବାଣ ଅଭିମୁଖୀ ହୋଇଥିବା ବେଳେ,  କିନ୍ତୁ ଜଣେ ସନ୍ଥ ,  କିଛି ପ୍ରତ୍ୟାଶା ନ ରଖି ନିଜ ସମଗ୍ର ସାଧନାର ତପୋବଳକୁ ସମାଜର କୋଣ ଅନୁକୋଣରେ ବାଂଟି ଦେଇଥାନ୍ତି ।  ତାଙ୍କରି ତପୋବଳ କଣିକାରେ ରୋଗୀ ବି ନିରୋଗୀ ହୋଇଯାଏ, ହତାଶା ମନରେ  ଭରି ଯାଏ ସାହସ, ଶୁଖଲା ଓଠରେ ଫୁଟି ଉଠେ ଚେନାଏ ହସ । ଆଜି ବି କୁଶକଂଟାର ପବିତ୍ର ଭୂମିରେ ସ୍ୱାମିଜୀଙ୍କ ପରଶ ଅନୁଭବ କରିହୁଏ । ମୋତେ ଲାଗେ, ତାଙ୍କରି ଅମୃତ ପରଶରେ ସମାଧିପୀଠର ପ୍ରତିଟି ଶିଳା, ଶାଳଗ୍ରାମ ପାଲଟି ଯାଇଛି । ପ୍ରତିଟି କୋଣ ଅନୁକୋଣରେ ଗୁଂଜରିତ ହୋଇଉଠୁଛି ନୂଆ ଘର ଖଣ୍ଡି ଦିନେ... । ବାସ୍ତବରେ ଆମ୍ଭେ ଆଜି ଅଛେ, କାଲି କି ନ ଥିବା । କିନ୍ତୁ ଗୋସ୍ୱାମୀ ବାହୁଡା ଥିବେ ସବୁଦିନ ପାଇଁ ।
ସା-ଭୋଦଳ,ପାଟସୁନ୍ଦର ପୁର,କଟକ
ମୋ-୭୩୮୧୬୦୧୮୦୦
JOY BAHUDA

No comments:

Post a Comment