ମୁଁ ତୁମ ଦାସାନୁଦାସ

ପ୍ରକାଶ ଚନ୍ଦ୍ର ବେହେରା
                                                 ସାରା ବିଶ୍ୱରେ ଖ୍ୟାତି ରହିଛି ଆମ ଜନ୍ମଭୂମି,ଧର୍ମଭୂମି ଓ କର୍ମଭୂମି ଭାରତ । ଏହାର ପ୍ରତି ଧୂଳିକଣାରେ ପୁରି ରହିଛି ମୁନି ଋଷି ଓ ମହାନ୍ ସାଧକ ମାନଙ୍କର ପଦସ୍ପର୍ଶ । ଏହି ମାଟି, ଗଗନ, ପବନରେ ପୂରି ରହିଛି ପବିତ୍ର ଯଜ୍ଞ ଧୂମ  । ବେଦ ମନ୍ତ୍ର ଉଚ୍ଚାରଣରେ ପବିତ୍ର ହୋଇଛି ବସୁନ୍ଧରାର ପାରିପାଶ୍ୱିର୍କ ସ୍ଥିତି । ମହାନ୍ ସନ୍ଥ ମାନଙ୍କ ଆଧ୍ୟାତ୍ମିକ ସାଧନାରେ ମହିମାନ୍ୱିତ ହୋଇଛି  ଏଇ ପବିତ୍ର ଭାରତ ବର୍ଷ ।  ବିଛୁରି ଦେଇଛନ୍ତି ଆଧ୍ୟାତ୍ମିକ ବିଚାରଧାରା, ଯେଉଁ ବିଚାରଧାରରେ ମାନବ ଜୀବନ ହୁଏ ଶୃଙ୍ଖଳିତ । ଯେମିତି ଗୁରୁ-ଶିଷ୍ୟ, ପିତା-ପୁତ୍ର, ଭାଇ-ଭଉଣୀ ଓ ଗୁରୁଜନ-ଲଘୁଜନ ମାନଙ୍କ ସଂପର୍କ । ହୁଏତ ଏପରି ସଂପର୍କ ଭାରତ ବର୍ଷର ଅନ୍ୟ କେଉଁଠି ଦେଖିବା ପାଇଁ ମିଳେନାହିଁ । ସେଥିପାଇଁ ତ  ଦେବତାମାନେ ଭାରତ ବର୍ଷର ମାଟିରେ ଜନ୍ମ ନେବା ପାଇଁ ବାରମ୍ବାର ଇଛା ପୋଷଣ କରିଥାନ୍ତି । ବେଳେ ବେଳେ ବି ଏମିତି ହୁଏ, ଭଗବାନଙ୍କ ସୃଷ୍ଟି ଅସଜଡା ହୋଇଯାଏ । ଭରିଯାଏ ଧରଣୀରେ ପାପର ଭାର । ଯଦା ଯଦା ହି ଧର୍ମସ୍ୟ  ନୀତିରେ  ପାପୀମାନଙ୍କୁ ସଂହାର କରିବା ପାଇଁ ଜନ୍ମ ନିଅନ୍ତି ପରମେଶ୍ୱର  ୟେ ଧରଣୀରେ । ଅସଜଡା ସୃଷ୍ଟିକୁ ସଜାଡିବା ପାଇଁ ଜନ୍ମ ନିଅନ୍ତି ଅନେକ ମହାପୁରୁଷ ତଥା ମହା ମନିଷୀମାନେ ।  
                                             ସେମିତି ସୃଷ୍ଟିର ମହାଲଗ୍ନର ୧୭୫୦ ଖ୍ରୀଷ୍ଟାବ୍ଦରେ   କଟକ ଜିଲ୍ଲା  ଅଧିନସ୍ଥ ଖନେ୍ଦାଳ  ଗ୍ରାମରେ ଜନ୍ମ ନେଲେ ମହାନ୍ ସନ୍ଥ ଗୋସ୍ୱାମୀ ବାହୁଡା ଦାସ । ବାହୁଡା ଦଶମୀ ଦିନ ପିତା ଧର୍ମୁ କାଣ୍ଡି ଓ ମାତା ଗୁରୁବାରୀଙ୍କ କୋଳ ମଣ୍ଡନ କରିଥିବାରୁ  ଶରଧାରେ ନାମ ରଖିଲେ ବାହୁଡା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ଅଲୌକିକ ଗୁଣ ହିଁ ପରି ପ୍ରକାଶ ପାଇଥିଲା । ଚେହେରାରେ ଥିଲା ଦେବତ୍ୱର ଆଭା,ଶରୀରରେ ଉକୁଟି ଆସୁଥିଲା ଶଙ୍ଖ,ଚକ୍ର,ଗଦା ଓ ପଦ୍ମର ଚିହ୍ନ । ଲୋକମାନଙ୍କ ତୁଣ୍ଡରେ ଗୁଂଜରିତ ହେଉଥିଲା ଅନେକ କଥା , ୟେ ସାମାନ୍ୟ ବାଳକ ନୁହନ୍ତି । ଭବିଷ୍ୟତରେ ଜଣେ ମହାପୁରୁଷ ହୋଇ ସମାଜ ପାଇଁ ଦିଗ ଦର୍ଶନ ଦେବ, ଆଉ କିଏ କହୁଥିଲା ୟେ ଜଗନ୍ନାଥଙ୍କ ପରମ ଭକ୍ତ ହେବ । ବାସ୍ତବରେ ସେ  ହିଁ ସେୟା ଥିଲେ । ଜଗନ୍ନାଥଙ୍କ ଭଜନ ଗାଇବା ସମୟରେ ବାଲ୍ୟ ଚପଳାମୀଯୁକ୍ତ ବାହୁଡା କେତେବେଳେ ଧ୍ୟାନସ୍ଥ ହୋଇଯାଉଥିଲେ ତ କେତେବେଳେ ତାଙ୍କ ଆଖିରୁ ଝରିଯାଉଥିଲା ଅବାରିତ ଲୋତକ ଧାରା ।
                                       ପିତା ଧର୍ମୁ କାଣ୍ଡି ଖଲୋର ଗ୍ରାମର ଚୌଧୁରୀଙ୍କ ଖମାରରେ ହଳିଆ କାମ କରୁଥାନ୍ତି । ବେଳେ ବେଳେ ବି ବାହୁଡା ତାଙ୍କ ସହିତ ଯାଆନ୍ତି  । ସମୟ ବିତିଯାଏ ଏହିପରି । କାଳର କରାଳ ଗତିରେ ଧର୍ମୁ କାଣ୍ଡିଙ୍କର ଦେହାନ୍ତ ହେଲା । ପରିବାର ଚଳିବ ବା କିପରି ? ବାପାଙ୍କର ବେଉସାକୁ ଆପଣେଇ ନେଲେ ବାହୁଡା । ଏମିତି ଦିନକର କଥା । ଅକ୍ଷୟ ତୃତୀୟା-  ଅଖି ମୁଠି ଅନୁକୂଳ ହେବ । ହଳିଆ ମାନଙ୍କ ପାଇଁ ବହୁତ ପବିତ୍ର ଦିନ ଏବଂ ଆନନ୍ଦର ଦିନ ବି । କାରଣ ୟେ ଦିନ ଜମିଦାରମାନେ ହଳିଆ ମାନଙ୍କୁ ଲୁଗାପଟା ସହିତ  ବିଭିନ୍ନ ଉପହାର ବି ଦେଇଥାନ୍ତି । ତାପରେ ଜମିଦାରଙ୍କ ଦ୍ୱାରା ଦିଆ ଯାଇଥିବା ନୂଆ ଲୁଗା ପିନ୍ଧି ହଳ ବୁଲାଇବାରେ ମଜା ମଧ୍ୟ  ନିଆରା  । ହେଲେ ବାହୁଡାଙ୍କ ମନ ଦୁଃଖରେ ଭାଙ୍ଗି ପଡୁଥାଏ । କାଲି ଠୁ ପ୍ରବଳ ଜର । ଦେହରେ ଖଇ ଫୁଟା ତାତି । ହଳ ବୁଲାଇବେ ବା କିପରି? ଜମିଦାରଙ୍କ ପୁଣି କଡା ହୁକୁମ୍ ।  ନ ମାନିଲେ ଚାକିରୀ  ଚାଲିଯିବ । କିଂ କର୍ତବ୍ୟ ବିମୁଢ ହୋଇ ନିଜର ଇଷ୍ଟ ଦେବ ଜଗନ୍ନାଥଙ୍କୁ ସ୍ମରଣ କରି ହଳ କରିବା ପାଇଁ ବାହାରି ପଡିଲେ । ସାଥିରେ ନଅ ଜଣ ହଳିଆ ଥାନ୍ତି ।  ଭାଗ୍ୟର ବିଡମ୍ବନା? କେଡେ ବିଚିତ୍ର ସତେ? କିଛି ସମୟ ହଳ ବୁଲାଇଲା ପରେ ବାହୁଡାଙ୍କ ମୁଣ୍ଡ ବୁଲାଇ ଦେଲା । ଜୀବନ ବିକଳରେ ଆସି ହିଡ ମୁଣ୍ଡରେ ଶୋଇ ପଡିଲେ ବାହୁଡା । ହେଲେ ଭକ୍ତ ବତ୍ସଳ ଭଗବାନଙ୍କୁ ୟେ କଥା ଭଲ ଲାଗିଲାନି । ଭକ୍ତ ଓ ଭଗବାନଙ୍କ ସଂପର୍କ ଜନ୍ମ ଜନ୍ମର । ନଅ ଜଣ ହଳିଆଙ୍କ ପଛେ ପଛେ ବାହୁଡାଙ୍କ ହଳଟି ମନକୁ ମନ ବୁଲିବାରେ ଲାଗିଲା । ସହଜେ ଟାଣ ଖରା, ବାହୁଡାଙ୍କ ମୁହଁରେ ପଡିବାରୁ ଆକାଶରେ ଏକ କଳା ବାଦଲର ଚାଂଦୁଆ ପରି କରି ଦେଲେ । 
                                                 କିଛି ସମୟ ପରେ ଜମିଦାରଙ୍କ ଖମାରରୁ ଗୁମାସ୍ତା ଆସି ଏ ପରି ଦୃଶ୍ୟ ଦେଖି ଆଚମ୍ବିତ ହୋଇଗଲା । କାରଣ ଆକାଶରେ ମେଘର ବାଦଲ କିମ୍ବା ବର୍ଷାର କୌଣସି ଲକ୍ଷଣ ନଥିଲା । ବାହୁଡା ଯେ, ଭଗବାନଙ୍କର ପରମ ଭକ୍ତ ,ତାହା ତାଙ୍କୁ ଅଛପା ଋହିଲାନି । ଚୌଧୁରୀଙ୍କ କାନକୁ ୟେ କଥା ଚାଲିଗଲା । ଚୌଧୁରୀ ୟେ କଥା ଜାଣିବା ପରେ ସତେ ଯେପରି ନିଜକୁ ଦୋଷୀ ମନେ କରୁଥିଲେ । କାରଣ ଭଗବାନ କେବେ ଭକ୍ତର କଷ୍ଟ ସହି ପାରନ୍ତି ନାହିଁ । ତେବେ ହଳ କାର୍ଯ୍ୟ ସରିଲା ପରେ ହଳିଆ ମାନେ ଆସି ପହଂଚିଲେ । ଏକାନ୍ତରେ ଚୌଧୁରୀ ବାହୁଡାଙ୍କୁ ପଚାରିଲେ ୟେ ସଂପର୍କରେ । ଭଗବାନଙ୍କ କାରସାଦୀ ଭକ୍ତ ବା କିପରି ଜାଣିବ? ବାହୁଡା କିଛି ନ କହି କାନ୍ଦିବାରେ ଲାଗିଲେ । କିଂ କର୍ତବ୍ୟ ବିମୁଢ ଚୌଧୁରୀ ବି, ଏଥିରେ କଣ ବା ଜାଣି ପାରିବେ ? ପ୍ରଭୂଙ୍କର ୟେ ବିଚିତ୍ର ଲୀଳା । ସେ ଲୀଳା ମାନବ ସମାଜକୁ ଅଗମ୍ୟ । ଆମେ କେବଳ ନିମିତ୍ତ ମାତ୍ର । ଚୌଧୁରୀ ଏହା ଭାବି, ସେଇ ଦିନ ଠୁ ଜଗନ୍ନାଥଙ୍କ ପରମ ଭକ୍ତ ବାହୁଡାଙ୍କର ହଳ କାର୍ଯ୍ୟ  ବନ୍ଦ କରି ଦେଲେ । ତାଙ୍କର ଦୈ÷ନନ୍ଦିନ ଚଳିବା ପାଇଁ  ବାର ମାଣ, ବାର ଗୁଂଠ ଓ ବାର ବିଶ୍ୱା ବାହୁଡାଙ୍କୁ ଦାନ କରିଦେଲେ । 
ବାସ୍ତବରେ ସେ ସ୍ଥାନଟି ଅତ୍ୟନ୍ତ ନିକାଂଚନ ଏବଂ କୁଶ ଜଙ୍ଗଲ ଥିଲା । ସାଧନାର ପଥ ସରେ ନାହିଁ ।  ମାନବ ଜୀବନରେ ତପୋବଳ ଯେତେ  ବଢିଚାଲେ,  ଏହି ସାଧନର ପଥ ଦିବ୍ୟ ପଥରେ ପରିଣତ ହୋଇ ଯାଏ । ସେ ଦିବ୍ୟ ପଥରେ ପଥିକ ହୋଇ ଆସନ୍ତି ଅନେକ ମାନବ । ଶେଷରେ ବାହୁଡାରୁ  ଆଖପାଖ ଅଂଚଳରେ ସନ୍ଥ ବାହୁଡା ଭାବରେ ପରିଚିତ ହେଲେ । ତାଙ୍କର ଅଲୌକିକ ଦୈବୀ ସାଧନା ବଳରେ ଅନେକ ଅସାଧ୍ୟ ରୋଗ ଭଲ କରି ପାରୁଥିଲେ । ତାଙ୍କର ତପୋବଳ ଥିଲା ଅତ୍ୟନ୍ତ ପ୍ରଗାଢ । ସମୟେ ସମୟେ ଧ୍ୟାନସ୍ଥ ହେବା ସମୟରେ ସମାଧିସ୍ଥ ହୋଇଯାଉଥିଲେ । ୟେ ତ ମଣିଷ ଜୀବନର ଚରମାବସ୍ଥା । ଯେତେବେଳେ ଆତ୍ମା ଓ ପରମାତ୍ମାର ହୁଏ ମଧୁର ମିଳନ ।
                                             ସମୟ କାହାକୁ ଅପେକ୍ଷା କରେନା । ପ୍ରକୃତିର ନିୟମରେ ସମସ୍ତେ ବନ୍ଧା । ନଶ୍ୱର ଶରୀର ଚିରସ୍ଥାୟୀ ନୁହେଁ । ପବିତ୍ର ଦେବ ଦୀପାବଳୀ ଦିନ ବାହୁଡାଙ୍କ ପାର୍ଥିବ ଶରୀର ଧରା ପୃଷ୍ଠରେ ମହାପ୍ରୟାଣ ଘଟିଲା ।  କୁଶକଂଟାର କୁଶବନର ଭୂମଧ୍ୟରେ ପାଥିର୍ବ ଶରୀରକୁ ସମାଧିସ୍ଥ କରି ଦିଆଗଲା । ଆଜି ବି କୁଶକଂଟାର ସମାଧି ପୀଠରେ ଅନେକ ଅଲୌକିକ ଘଟଣା ଘଟେ । ମହାନ୍ ସନ୍ଥ ବାହୁଡାଙ୍କ ସମାଧି ପୀଠରେ ପହଂଚିଲା ପରେ ଆପେ ଆପେ ମଥା ନଇଁ ଯାଏ, ସେହି ମହାନ୍ ଆତ୍ମାଙ୍କ ମହାନୁଭବ ପାଇଁ । ସତରେ ସେ ଚିର ଅମର, ଚିର ଅମଳିନ । ତାଙ୍କର ଶୂନ୍ୟଭେଦୀ ଭଜନ ଆଜି ବି ଓଡିଶାର ପୁର ପଲ୍ଲୀରେ ଗୁଂଜରିତ ହୋଇ ଉଠୁଛି । ଅଢେଇ ଦିନିଆ ସଂସାର ମିଛ ମିଛ ଲାଗୁଛି । ଜୀବନ ଜିଉଁଣାରେ ଚେତାଇ ଦେଉଛି ବାହୁଡାଙ୍କ ଅମର ବାଣୀରେ ଜୀବନର ବାସ୍ତବତା  । 
                                        ନୟନ ଖୋଲି ମୁଁ ଦେଖିନି ତୁମକୁ, ହେ ବାବା ବାହୁଡା ଦା
                                        ହୃଦୟେ ତୁମକୁ ସାଇତି ରଖିଛି,ମୁଁ ତୁମ ଦାସାନୁ ଦାସ ।
                                                                                                              ଭିଡିଓ ଏଡିଟର, 
                                                                                                                                    ମାଧ୍ୟମ ଆର୍ଟ,                                                                                                                                        କଟକ, ମୋ-୯୭୭୬୨୩୬୭୦୧
JOY BAHUDA

No comments:

Post a Comment