ବାହୁଡା ମହାତ୍ମ୍ୟ

ସରୋଜ କୁମାର ଭୋଇ
                            ଜୀବନ ଅଛି ତ ସମସ୍ୟା ଅଛି । ପ୍ରତ୍ୟେକ ସମସ୍ୟାର ସମାଧାନ ମଧ୍ୟ ଅଛି । ତେବେ ମଣିଷ ନିଜେ ହିଁ ହେଉଛି ତାର ଅଧିକାଂଶ ସମସ୍ୟାର ନିର୍ମାତା । କାରଣ  ଅନେକ ସମସ୍ୟା ତାର ଅହଂ ପ୍ରଣୋଦିତ, ଅପରିଣାମଦର୍ଶିତା ସର୍ବୋପରି ଅଚେତନାର ପରିଣାମ । ମଣିଷ ସଚେତନ, ଶୃଙ୍ଖଳିତ, ସଦାଚାରୀ, କର୍ତ୍ତବ୍ୟ ନିଷ୍ଠ, ଅଧିକନ୍ତୁ ଅନ୍ତର୍ମୁଖୀ ହେଲେ ଅନେକ ସମସ୍ୟା ତାଠାରୁ ଦୂରେଇ  ଯିବ । ମଣିଷ ସର୍ବଦା ସାଧାରଣ ଚେତନାରେ  ବାସ କରିବା ଯୋଗୁଁ ଅନେକ ଗୁଡିଏ  ସମସ୍ୟାରେ ସେ ସ୍ୱତଃ ଛନ୍ଦି ହୋଇ ପଡେ । ମାତ୍ର ଯେଉଁମାନେ ସେଇ ଚେତନାର ଉର୍ଦ୍ଧରେ ବାସ କରନ୍ତି, ସେମାନେ ସର୍ବଦା ଅବଲମ୍ବନ ପୂର୍ବକ ସମସ୍ୟାର ଉର୍ଦ୍ଧରେ ରହି ଜଗତର ସକଳ ସମସ୍ୟାର ସମାଧାନ କରି ପାରନ୍ତି । ଆଉ ସେଇମାନେ ହିଁ ସମାଜରେ ସାଧୁ, ସନ୍ଥ, ଜ୍ଞାନୀ, ଭକ୍ତ, ଯୋଗୀ (ବାବା) ଆଦି ନାମରେ ପରିଗଣିତ ହୁଅନ୍ତି  ଏବଂ ସେଇମାନଙ୍କୁ ହିଁ ମଣିଷ ଆଜି ପର୍ଯ୍ୟନ୍ତ ଭଗବାନଙ୍କର ଚଳନ୍ତି ବିଗ୍ରହ ଭାବରେ ଶ୍ରଦ୍ଧା, ସମ୍ମାନ, ପୂଜା ଅର୍ପଣ କରି ଆସିଛି । ସେମାନଙ୍କ ଦେହ ତ୍ୟାଗ ପରେ ସମାଜରେ ମଧ୍ୟ ପୂଜା ପାଇଥାନ୍ତି । ତେଣୁ ଯଥାର୍ଥରେ ବ୍ୟାସକବି ଫକୀର ମୋହନ ସେନାପତି  ସେମାନଙ୍କ ଉଦେ୍ଧଶ୍ୟରେ ଗାଇ ଉଠିଛନ୍ତି –
“ଧନ୍ୟ ସେ ମାନବ କୁଳେ, ଯାହା ଯଶରାଜି,
ଲୋକ ହିତେ ବ୍ରତେ ଥାଏ,ଜଗତେ ବିରାଜି ।
ମଲେ ଯାହା ନାମ ଥାଏ ନିଗତ ମଧ୍ୟରେ
ଅମର ଦେବତା ସେହି ମାନବ କୁଳରେ ।”
                                      ମଣିଷ ଯେଉଁଥି ପାଇଁ ଦେବତାର ଆସନରେ ଆସୀନ , ତାର ସେଇ ଚେତନାକୁ ଯଦି ପର୍ଯ୍ୟବେକ୍ଷଣ କରାଯାଏ, ତେବେ ଆମେ ଜାଣିବାକୁ ପାଇବା ଯେ ଚେତନାର ସର୍ବୋଚ୍ଚ ସ୍ତରରେ ମଣିଷ ହେଉଛି ଭଗବାନ । ଆଉ ଚେତନାର ସର୍ବନିମ୍ନ ସ୍ତର ଏଇ ନିଜ ଭୂମିରେ ଶରୀର, ପ୍ରାଣ  ଓ ମନର ପ୍ରସ୍ଫୁଟନ ମଧ୍ୟରେ ଭଗବାନ ହେଉଛନ୍ତି ମଣିଷର ସର୍ବ ଜ୍ଞାନମୟ ସ୍ୱରୁପ । ମଣିଷ, ଭଗବାନଙ୍କର ସୀମିତ ପ୍ରକାଶ । କିନ୍ତୁ ଭଗବାନ, ମଣିଷର ଅସୀମ ପ୍ରକାଶ । ଅତଏବ, ମଣିଷ ନିଜର ସୀମିତତା, ଅଜ୍ଞାନତାକୁ ଅତିକ୍ରମ କଲେ ଯାଇ ଭଗବାନ ପଦବାଚ୍ୟ ହୋଇଥାଏ । ଏଇ ଦୃଷ୍ଟିରୁ ଦେଖିଲେ ସନ୍ଥ ଗୋସ୍ୱାମୀ ବାହୁଡା ଦାସ ହେଉଛନ୍ତି ସମଗ୍ର ଓଡିଶା ବାସୀଙ୍କ ମହା ଭୋଇ କୁଳର ଚିର ନମସ୍ୟ, ପଥ ପ୍ରଦର୍ଶକ, ସମାଜ ସଂସ୍କାରକ ସର୍ବୋପରି ମଣିଷ ରୂପୀ  ଭଗବାନ ।
                                      ସନ୍ଥ ଗୋସ୍ୱାମୀ ବାହୁଡା ଦାସ ଐଶ୍ୱରିକ ଶକ୍ତିର ଅଧିକାରୀ ଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି,ଏହା ତାଙ୍କ ପିଲାଟି ବେଳୁ ଜଣାପଡିଥିଲା । ଏହା ଶକ୍ତିର ପ୍ରଭାବ ଯୋଗୁଁ କୌଣସି ସମସ୍ୟାର ସମାଧାନ ଦେବାକୁ ଯାଇ ଯାହାକୁ ଯାହା ସେ କହି ଦେଉ ଥିଲେ , ତାହା ସଙ୍ଗେ ସଙ୍ଗେ ଫଳପ୍ରଦ ହୋଇ ଯାଉଥିଲା । ତାଙ୍କର ଏପରି ବାକ୍ ସିଦ୍ଧି ଯୋଗୁଁ ସେ ଓଡିଶାର ପୁରପଲ୍ଲୀରେ ଜଣେ ସିଦ୍ଧ ପୁରୁଷ ଭାବେ ପରିଚିତ ଥିଲେ । ଏତଦ୍ ବ୍ୟତୀତ ଗୋସ୍ୱାମୀ ସର୍ବଦା ସୂକ୍ଷ୍ମ ଚେତନାରେ ବାସ କରୁଥିଲେ । ଏଣୁ ସୂକ୍ଷ୍ମ ସ୍ତରରେ ବିଚରଣ କରିବା  ତାଙ୍କ ପକ୍ଷେ ସମ୍ଭବ ଥିଲା । ଏଥିପାଇଁ  ଯିଏ ଯେ କୌଣସି ସ୍ଥାନରେ ତାଙ୍କ ପ୍ରତି କଟୁ ମନ୍ତବ୍ୟ ବା କୁ ମନ୍ତ୍ରଣା ରଚିଲେ ମଧ୍ୟ ସେ ତାହା ଅବିଳମ୍ବେ ଜାଣିପାରୁ ଥିଲେ, ଏହାପରେ ଯଥା ସମୟରେ ସେହି ଘଟଣାଟି ଲୋକ ଲୋଚନକୁ ଆସିବା ଫଳରେ ସଂପୃକ୍ତ ବ୍ୟକ୍ତିଟି ଆପେ ଧରା ପଡି ସର୍ବ ସମୁଖରେ ଲଜ୍ଜିତ ହେଉଥିଲା । ଏ ସମ୍ବନ୍ଧୀୟ ଏକ ନିଛକ ଘଟଣା ଏଠାରେ ଉଲ୍ଲେଖେଯୋଗ୍ୟ ।
                                       ଗୋସ୍ୱାମୀ ବାହୁଡା ଦାସଙ୍କ ସାଧନା ପୀଠ କୁଶକଣ୍ଟା ସ୍ଥିତ ମଠରେ ଆଖପାଖ ଗ୍ରାମର ଲୋକେ ଭୋଗ ବା ପ୍ରସାଦ ସେବନ ଲାଗି ବିଭିନ୍ନ ଫଳ, ପନିପରିବା ଚାଉଳ ଆଦି ଦେଇ ଯାଉଥିଲେ । ନିକଟସ୍ଥ ଗ୍ରାମର ନିଜେ ଚାଷୀ ନିଜ ବାଇଗଣ ବିଲରୁ ପ୍ରଥମ କରି ତୋଳିଥିବା କିଛି ବାଇଗଣ ଗୋସେଇଁଙ୍କ ମଠରେ ଦେଇଆସିବା ପାଇଁ ନିଜ ପତ୍ନୀଙ୍କୁ  ଜଣାଇଲେ । ସେ ସମୟରେ (ବର୍ତ୍ତମାନ ମଧ୍ୟ) ସମାଜରେ ସବର୍ଣ୍ଣମାନେ ଭୋଇ  ମାନଙ୍କୁ ଜାତିଭେଦ ଏବଂ ଅସ୍ପୃଶ୍ୟତା ଯୋଗୁଁ ନୀଚ୍ଚ, ହୀନ ଦୃଷ୍ଟିରେ ଦେଖୁଥିଲେ । ତେଣୁ ଚାଷୀଙ୍କ କଥା ଶୁଣି ତାଙ୍କ ସ୍ତ୍ରୀ ହଠାତ କହି ପକାଇଲେ “ସେ  ଅଛବ ମଠକୁ ଆମର  ପହିଲି ତୋଳା ବାଇଗଣ ନେବା କଥା କହୁଛ ? ସେଠିକି ନେଲେ ଆମର କୋଉ ଲାଭଟା ହେବ ଯେ । ଯଦି କହୁଛ ତେବେ ଅନ୍ୟ କୋଣସି ମନ୍ଦିରରେ ଦେଇଆସ । କିନ୍ତୁ ତାଙ୍କ ମଠକୁ ଆଦୌ ଦିଅ ନାହିଁ” । ମାତ୍ର ଚାଷୀଟି ପତ୍ନୀଙ୍କ କଥା ନ ମାନି ନିଜ ଗାମୁଛାରେ କିଛି ବାଇଗଣ ବାନ୍ଧି ମଠରେ ପହଞ୍ଚିଲା ଏବଂ ପ୍ରସାଦ ସେବନରେ ନେଇଥିବା ବାଇଗଣ ଗୁଡିକ ବ୍ୟବହାର କରିଦେବା ଲାଗି  ବାହୁଡା ଗୋସେଇଁଙ୍କୁ ସଶ୍ରଦ୍ଧ ନିବେଦନ କଲା । ଏହା ଶୁଣି ଚାଷୀଟିକୁ ଗାମୁଛା ଖୋଲିବାକୁ ଗୋସେଇଁ କହିଲେ । ସେ ଗାମୁଛା ଖୋଲନ୍ତେ, ଦେଖିଲା ବେଳକୁ ସେଥିରେ ବାଇଗଣ ପରିବର୍ତ୍ତେ କେବଳ ଗେଣ୍ଡା ଗୁଡିଏ ଅଛି । ଏପରି ଦେଖି ଦିବ୍ୟଦ୍ରଷ୍ଟା ଗୋସ୍ୱାମୀଜୀ ହସିହସି ତାଙ୍କୁ  କହିଲେ “କିହୋ, ଗେଣ୍ଡାଗୁଡାଏ ଆଣି କଣ ବାଇଗଣ ଆଣିବା କଥା କହୁଥିଲ ? ଠିକ୍ ଅଛି, ଏ ମଠରେ ଚଳାଇ ଦେବା । ଏସବୁ ଗାମୁଛାରେ ବାନ୍ଧି ରୋଷଶାଳାରେ ଦେଇଆସ । କିନ୍ତୁ ଏ କଣ? ରୋଷଶାଳାରେ ଗାମୁଛା ଖୋଲିଲା ବେଳକୁ ଗେଣ୍ଡା ପରିବର୍ତ୍ତେ  ସେ ପୂର୍ବରୁ ଆଣିଥିବା ସେଇ ବାଇଗଣ ହିିଁ ପାଇଲା । ହତଭାଗା ଚାଷୀଟି ବାଇଗଣ ଗୁଡିକ  ଦେଇ ଗୋସେଇଁଙ୍କ ନିକଟକୁ ଆସିଲେ । ଘରେ ତାଙ୍କ ପତ୍ନୀ ତାଙ୍କୁ  (ଦାସେଙ୍କୁ) ଅଛବ  ବୋଲି କହିଥିବା ନିଜର ଦୋଷ ସ୍ୱୀକାର କଲେ । ତା ପରେ ଗୋସେଇଁଙ୍କୁ କ୍ଷମା ଭିକ୍ଷାକରି ଘରକୁ ଫେରିଥିଲେ ।
                                                 କଥାରେ ଅଛି “ତୁଣ୍ଡ ବାଇଦ ସହସ୍ର କୋଶ” । ସନ୍ଥ ଶିରୋମଣୀ ବାହୁଡା ଦାସଙ୍କ ଏପରି ଅଲୌକିକତା ଚତୁର୍ଦ୍ଧିଗକୁ ପରିବ୍ୟାପ୍ତ ହେବାକୁ  ଲାଗିଲା । ବିଭିନ୍ନ ସମସ୍ୟା, ଅସୁବିଧା, ମାନସିକ ନେଇ ଦାସେଙ୍କ ମଠକୁ ଲୋକଙ୍କ ସୁଅ ଛୁଟିଲା । ଏଥିରେ ଦାସେଙ୍କ ହୁକୁମ ହେବା ସେଠାରେ ଆରମ୍ଭ ହୋଇଗଲା । ତହିଁରୁ ବହୁଲୋକେ ଉପକାର ପାଇଲେ । ମାତ୍ର ବହୁ ସବର୍ଣ୍ଣମାନେ ଦାସେଙ୍କ ଏତାଦୃଶ୍ୟ କାର୍ଯ୍ୟ କଳାପରେ ଅସହିଷ୍ଣୁ ହୋଇପଡିଲେ । କିଛି ଲୋକ ମଧ୍ୟ ଦାସେଙ୍କୁ ପରୀକ୍ଷା କରିବାକୁ ଯାଇ ବିଫଳ ହେବା ପରେ, ତାଙ୍କୁ  ସମାଲୋଚନା କଲେ ତ କେତେକ ବିଶ୍ୱାସ କରିବାକୁ ବାଧ୍ୟ ହେଲେ । ତେବେ ଅସଲ କଥା ହେଉଛି, ଅଛବ ମାନଙ୍କ ପ୍ରତି ସବର୍ଣ୍ଣମାନଙ୍କର ଥିବା ଘୃଣା, ନୀଚ୍ଚ ମାନସିକତା ସେମାନଙ୍କ ପକ୍ଷେ ସହଜରେ ହଜମ ହେଉନଥିଲା । ଜନଶ୍ରୁତିରେ ଥିବା ଏପରି ଭିନ୍ନ ଏକ ଚାକ୍ଷୁଷ ଦୃଷ୍ଟାନ୍ତର ଉପସ୍ଥାପନା କରିବା ଯଥାର୍ଥ ମଣୁଛି । 
ଅରଡିଆ ପଦାର ଜଣେ ଜମିଦାର ଦୀର୍ଘ ଦିନଧରି ବଡରୋଗ (କୁଷ୍ଠ)ରେ ପିଡୀତ ହୋଇଥିଲେ,  ଆରୋଗ୍ୟ ପାଇଁ ଯେତେ ପ୍ରକାର ଉପଚାର କଲା ପରେ ମଧ୍ୟ ଉପଶମ ହେଲାନାହିଁ । ଏଥିରେ କିନ୍ତୁ ତାଙ୍କ ପତ୍ନୀ ଆଉ କୌଣସି ଉପାୟ ନ ପାଇ ବାହୁଡା ଗୋସେଇଁ ଠାରୁ ହୁକୁମ ଆଣିବାକୁ ସ୍ୱାମୀଙ୍କୁ ଅନୁରୋଧ କଲେ । ପତ୍ନୀଙ୍କ ଏପରି ଅନୁରୋଧରେ ଜମିଦାର କ୍ରୋଧ ପ୍ରକାଶ କରି କହିଲେ “କଣ ହେଲା  ମୁଁ ଅଛବ ଲୋକ ପାଖକୁ  ହୁକୁମ ପାଇଁ ଯଦି ଯାଏ, ଆମ ପାଦ ତଳର ଲୋକ ମୋର ମାନ ମହତ ରଖିବେଟି । ତାହା କଦାପି ହୋଇପାରିବ ନାହିଁ ।” ହେଲେ ପତ୍ନୀ କିନ୍ତୁ ସ୍ୱାମୀଙ୍କ ଏଭଳି ଅଭିମାନ ଭରା କଥାରେ ଗୁରୁତ୍ୱ ନଦେଇ ବାହୁଡା ଗୋସେଇଁଙ୍କ ଠାରେ ଅଗାଧ ବିଶ୍ୱାସ ରଖି ମଠରେ ପହଞ୍ଚିଲେ ।
                                  ଗୋସେଇଁଙ୍କୁ ନିଜର ଗୁହାରୀ ଜଣାଇ ସ୍ୱାମୀଙ୍କ ରୋଗର ନିଦାନ କାମନା କଲେ । କିନ୍ତୁ ବାହୁଡା ଦାସଙ୍କ ହୁକୁମର ପଦ୍ଧତି ଥିଲା ବଡ ବିଚିତ୍ର, ଅବାନ୍ତର ଏବଂ ଅବିଶ୍ୱାସ ଯୋଗ୍ୟ । ମାତ୍ର ଯେଉଁମାନେ ଗୋସ୍ୱାମୀଙ୍କ ଉପରେ ପୂର୍ଣ୍ଣ ଆସ୍ଥା ତଥା ବିଶ୍ୱାସ  ସହ  ଏକ ନିଷ୍ଠ ହୃଦୟ ନେଇ ତାଙ୍କ ନିକଟକୁ  ଆସୁଥିଲେ, ସେମାନେ ପୂର୍ଣ୍ଣ ମନୋରଥ  ନେଇ ଘରକୁ ଫେରୁଥିଲେ । ବର୍ତମାନ ବାହୁଡା ଦାସେ   ଜମିଦାରଙ୍କ ପତ୍ନୀଙ୍କ ଠାରୁ ସ୍ୱାମୀଙ୍କ ଦୂରାବସ୍ଥା ସଂପର୍କେ ଅବଗତ ହେଲା ପରେ ହୁକୁମଦେଇ କହିଲେ “ତୁ ଯଦି ତୋସ୍ୱାମୀଙ୍କୁ ଗୋଡଠାରୁ ମୁଣ୍ଡଯାଏ ଝାଡୁରେ ପିଟି ପାରିବୁ, ତେବେ ସେ ଶିଘ୍ର ଭଲହୋଇ ପାରିବେ । କଣ ପିଟିପାରିବୁ ତ” । “ଏଇ କି ପ୍ରକାରର କଥା କହୁଛନ୍ତି ଗୋସାଇଁ ମହାପ୍ରଭୁ , ସ୍ୱାମୀ ହେଉଛନ୍ତି ସ୍ତ୍ରୀର ଇହକାଳ ପରକାଳର ଦେବତା । ତାଙ୍କୁ ଝାଡୁରେ ପିଟିଲେ ମୋ ହାତ ଛିଡି ପଡିବ ନାହିଁ , ମୁଁ ପାପରେ ଭାଗୀ ହେବି ଗୋସାଇଁ, ଦୟାକରି ଆଉ କିଛି ଉପାୟ କୁହନ୍ତୁ”,  ପତ୍ନୀ ଅନୁରୋଧ କଲେ ।  ଜମିଦାର ପତ୍ନୀଙ୍କ ଏପରି ଭୟାତୁର କଥା ଶୁଣି ଗୋସେଇଁ କହିଲେ “ତୋ ସ୍ୱାମୀଙ୍କୁ ପିଟିଲେ ପାପରେ ଭାଗୀ ହେବା ଡର ଯଦି ତୋତେ ଲାଗୁଛି, ଛୋଟ ଜାତି ଭାବି ମୋତେ ଅଛବଟା କହି  ଯେଉଁ ଅସମ୍ମାନ କଲା ,ସେଥିପାଇଁ ସେ ପାପରେ ଭାଗୀଦାର ହେଲା ନା ନାହିଁ” ।
                                         ଗୋସେଇଁଙ୍କୁ ତାଙ୍କ ସ୍ୱାମୀ ଅଛବ ବୋଲି କହିବା ସେ କିପରି ଜାଣିପାରିଲେ ଭାବି ଜମିଦାରଙ୍କ ପତ୍ନୀ ଆଶର୍ଯ୍ୟ ହୋଇଗଲେ । ମାତ୍ର କିଂ କର୍ତବ୍ୟ ବିମୁଢ ହୋଇ  ସେ ଗୋସେଇଁଙ୍କ ଠାରେ  ନିଜର ଦୋଷ ସ୍ୱୀକାର କରି କ୍ଷମା ମାଗିଲେ  ଏବଂ ତାଙ୍କ ସ୍ୱାମୀ କିପରି କୁଷ୍ଠ ରୋଗରୁ ଭଲ ହେବେ ସେଥି ପାଇଁ ଆଉଏକ ଉପାୟ ବତାଇବା ପାଇଁ ଗୋସେଇଁଙ୍କୁ କାକୁତି ମିନତି ହୋଇ ନେହୁରା ହେଲେ । ପତିପ୍ରାଣା ସ୍ତ୍ରୀଟିର ଏପରି ବିକଳ ଭାବଦେଖି ଗୋସ୍ୱାମୀ  ବାହୁଡା ଦାସ  କହିଲେ “ଠିକଅଛି ଯେଉଁ କଥା ମୋ ତୁଣ୍ଡରୁ ବାହାରି ଯାଇଛି, ତାକୁ ତ ଆଉ ବଦଳା ଯାଇ ପାରିବ ନାହିଁ । ଯଦି ସେ ସ୍ୱାମୀଙ୍କୁ ପିଟିବାରେ ତୋ ମନ ପାପ ଛୁଉଁଛି ତେବେ ତାକୁ ପଦାକୁ ଆଣି ସକାଳ ଖରାରେ ଠିଆ କରାଇ ଦେବୁ ଏଥର ତାର ଯେଉଁ ଛାଇ ପଡିବ ସେଇ ଛାଇକୁ ଗୋଡରୁ ମୁଣ୍ଡ ଯାଏଁ ଝାଡୁରେ ତିନି ପାହାର ପିଟିଲେ ତୋ ସ୍ୱାମୀ ନିଶ୍ଚୟ ଭଲ ହୋଇଯିବେ” । ଏଇକଥା ମୁତାବକ  ପରବର୍ତ୍ତି ଦିନ ସକାଳ ଖରାରେ ପତ୍ନୀଟି ଜମିଦାରଙ୍କୁ ଆଣି ଛିଡା କରାଇ ଥିଲା । ସ୍ୱାମୀଙ୍କର ପଡିଥିବା ଛାଇକୁ ଗୋଡ ଠାରୁ ମୁଣ୍ଡଯାଏ ତିନିଥର ଝାଡୁରେ ପିଟିବାରୁ ସତକୁ ସତ ଜମିଦାର କମ୍ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିଥିଲେ । ଏହି ଖୁସିରେ ବାହୁଡା ଦାସଙ୍କ  ପ୍ରତି ଥିବା ହୀନମନ୍ୟତା ତ୍ୟାଗ ପୂର୍ବକ ନିଜର କୃତଜ୍ଞତା ପ୍ରକାଶ କରି, ଅରଡିଆ ପଦାର ଏହି ଜମିଦାର ଜଣକ ମଠ ନାମରେ ବାର ମାଣ ବାର ଗୁଣ୍ଠ ବାର ବିଶ୍ୱା ପରିମିତ ଜମି ଦାନ କରିଥିଲେ । ବାସ୍ତବରେ ଆମର ଏଇ ମହାଭୋଇ କୁଳରେ ଏଇ ମହାନ୍ ସନ୍ଥ ଗୋସ୍ୱାମୀ ବାହୁଡା ଦାସଙ୍କ ହୁକୁମର ପଦ୍ଧତି ଅବିଶ୍ୱସନୀୟ ମନେ ହେଉଥିଲେ ମଧ୍ୟ ତାହା ଲୋକଙ୍କ ପକ୍ଷେ ଯାଦୁ ମନ୍ତ୍ର ଭଳି କାମ ହେଉଥିଲା । ଲୋକଙ୍କ ମୁଖରେ ଥିବା ଗୋସ୍ୱାମୀଙ୍କ ସମ୍ବନ୍ଧୀୟ ଏ ଭଳି ଅନେକ ଘଟଣା ଗଳ୍ପ ପରି ମନେ ହେଉଥିଲେ ମଧ୍ୟତାହା  ବାସ୍ତବରେ ସତ୍ୟ ।
ସମ୍ପାଦକ,ଅରୁଣିମା ଶିଶୁ ସାହିତ୍ୟ ସଂସଦ
ବରିମୁଣ୍ଡ,ଫୁଲନଖରା,ଖୋର୍ଦ୍ଧା
JOY BAHUDA

No comments:

Post a Comment