ଭକତ ଭାବରେ ବନ୍ଧାରେ ସେ ତ ଭକତ ଜୀବନ ଧନ...

ବଦ୍ରି ମିଶ୍ର, ବରିଷ୍ଠ ସାମ୍ବାଦିକ, ‘ସମାଜ’
                                    ଯୁଗେ ଯୁଗେ ଜାତି, ଧର୍ମ ଓ ସଂସ୍କୃତିର ଅଧୋପତ୍ତନରୁ ରକ୍ଷା କରିବାକୁ ଯୋଗଜନ୍ମା ମହାପୁରୁଷମାନେ ଧରାଧାମରେ ଅବତୀର୍ଣ୍ଣ  ହୋଇଥାନ୍ତି । ସେମାନଙ୍କ କାର୍ଯ୍ୟଧାରା ଅବକ୍ଷୟମୁଖୀ ସମାଜରେ ଚିନ୍ତା,ଚେତନା ଓ ପଥପ୍ରଦର୍ଶନର ନୂତନ ଦିଗନ୍ତ ସୃଷ୍ଟି କରିଥାଏ । ଗ୍ରୀଷ୍ମ ତାପରେ ମଉଳି ପଡିଥିବା ବୃକ୍ଷଲତା ଯେମିତି ଆଦ୍ୟ ଆଷାଢର ପହିଲି ବାରି ଧାରାରେ ନୂତନ ଜୀବନ ଲାଭ କରିଥାନ୍ତି ସେହିଭଳି ଭୁଶୁଡି ପଡୁଥିବା ସମାଜ ବ୍ୟବସ୍ଥାକୁ ସୁଧାରିବାକୁ ବିଧିନିର୍ଦ୍ଧିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଏକ ସଙ୍କଟଜନକ ସ୍ଥିତିରେ ମହାମାନବମାନେ ଆବିର୍ଭାବ ହୋଇଥାନ୍ତି । ସେହିମାନଙ୍କ ମଧ୍ୟରୁ ସିଦ୍ଧସନ୍ଥ ବାହୁଡା ଦାସ ଅନ୍ୟତମ । ହରିଜନ କୂଳରେ ଜନ୍ମ ହୋଇ ସେ ଯେଉଁ ସିଦ୍ଧି ଲାଭ କରିଛନ୍ତି, ଅଲୌକିକତା ଦର୍ଶାଇଛନ୍ତି, ତକôାଳୀନ ଅବହେଳିତ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟାକୁ ମୁକାବିଲା କରିପାରିଛନ୍ତି ତାହା ଆଜି କେବଳ ବିସ୍ମୟ ନୁହେଁ ବରଂ ଗବେଷଣାର ଏକ ପ୍ରମୁଖ ଗନ୍ତାଘର ବୋଲି ବିଚାର କରାଯାଇପାରେ । ତେବେ ସବୁଠୁ ବିସ୍ମୟ ଓ ପରିତାପର ବିଷୟ ଯେ ସନ୍ଥକବି ଭୀମ ଭୋଇ, ଜଗନ୍ନାଥଙ୍କ ଭକ୍ତ ଶିରୋମଣି ଦାସିଆ ବାଉରିଙ୍କଠାରୁ କୌଣସି ଗୁଣରେ ଊଣା ନଥିବା ଏହି ଜଗନ୍ନାଥଙ୍କ ପରମ ଭକ୍ତଙ୍କ ସ୍ମୃତି ରକ୍ଷା ଓ ଗବେଷଣା ପ୍ରତି ନା ଅଛି ସରକାରୀ ସ୍ତରରେ କୌଣସି ଆଗ୍ରହ ଓ ପଦକ୍ଷେପ କିମ୍ବା ନା ଅଛି ବେସରକାରୀ ଭାବେ ଗବେଷଣାର ପାରଦର୍ଶିତା । ବିକ୍ରମାଦିତ୍ୟଙ୍କ ରାଜସଭାର ବିଶିଷ୍ଟ କବି ଉଜ୍ଜୟିନୀର ପଣ୍ଡିତ କାଳିଦାସଙ୍କ ସମ୍ପର୍କରେ ଗବେଷଣା କରି ଓଡିଆ ସଂସ୍କୃତି ପ୍ରେମୀ ଡକ୍ଟରେଟ ଡିଗ୍ରୀ ହାସଲ କରୁଥିବା ବେଳେ ଏପର୍ଯ୍ୟନ୍ତ ସନ୍ଥ ବାହୁଡା ଦାସଙ୍କ ସମ୍ପର୍କରେ କୌଣସି ବିଶେଷ ଗବେଷଣା ହୋଇଥିବା ଦୃଷ୍ଟିକୁ ଆସୁନାହିଁ । ସେହିଭଳି ଏହି ମହାନ ଭକ୍ତଙ୍କ ପୀଠ ପ୍ରତି ଯଥୋଚିତ ସୁରକ୍ଷା ଓ ଉନ୍ନୟନ ପରିବର୍ତ୍ତେ ଅଲୌକିକତା ଅନୁଭବ କରି ଜମିଦାର ଭିଙ୍ଗାରପୁର ଚୌଧୁରୀ ଦାନ ସୂତ୍ରରେ ପ୍ରଦାନ କରିଥିବା ଜମିକୁ ହଡପ କରିନିଆଯାଇଛି । ତାହାକୁ ଉଦ୍ଧାର କରିବା ପାଇଁ ଏଯାବତ କମ୍ ସଂଘର୍ଷ ଓ ଟଣାଘୋଷରା ହୋଇନାହିଁ । ଅଥଚ ସୁଫଳ ସେଭଳି ଭାବରେ ମିଳିନାହିଁ ।
                                                      ଜଗନ୍ନାଥଙ୍କ କୃପାରୁ  ଗାଈ ଜଗୁଥିବା କପିଳା ମାଟିତଳେ ଥିବା ବତ୍ରିଶ ସିଂହାସନର ପରାକାଷ୍ଠାରେ ଉତ୍ତମ ବିଚାର, କପିଳାରୁ ଗଜପତି କପିଳେନ୍ଦ୍ର ଦେବ ପାଲଟିଥିବା ଉପାଖ୍ୟାନ କାହାକୁ ଅଛପା ନୁହେଁ । ହେଲେ ଯେଉଁ ନିରଞ୍ଜନା ନଦୀତଟରେ ଅଶ୍ୱତ୍ଥ ବୃକ୍ଷ ତଳେ ସିଦ୍ଧି ଲାଭ କରିଥିବା ଗୌତମ ବୁଦ୍ଧ ଓ ତାଙ୍କ ପାଇଁ ଇତିହାସର ପୃଷ୍ଠଭୂମିରେ ଲୁମ୍ବିନୀ ପ୍ରତିଷ୍ଠିତ, ଭକ୍ତିର ପୁଷ୍ପବିମଣ୍ଡିତ, କେଉଁଥିପାଇଁ କୁଶବନର ସେଦିନର ଏହି ମହାନ ସନ୍ଥଙ୍କ ପୀଠ ଓ ବଟର ପ୍ରତିଟି ମାଟି ପୂଜନୀୟ ହେବନାହିଁ ତାହାର ଯଥାର୍ଥ କାରଣ ଖୋଜିଲେ ମିଳୁନାହିଁ କିମ୍ବା ଏହାକୁ କେହି ଖୋଜିବାକୁ ଚେଷ୍ଟା କରିଛି କି ନାହିଁ ତାହା ଜଣାନାହିଁ । ମାତ୍ର ଏଯାଏ ଏଭଳି ପ୍ରଚେଷ୍ଟା ଯେ ସଫଳ ହୋଇନାହିଁ ତାହା ନିଃସନେ୍ଦହରେ କୁହାଯାଇପାରେ । ଆଜିଯାଏ ସରକାରୀ ବା ବେସରକାରୀ ୱେବ୍ସାଇଟରେ ଏହି ମହାନ ସନ୍ଥଙ୍କ ସମ୍ପର୍କରେ ଯେ ବିଶେଷ କିଛି ଆଲେଖ୍ୟ ନାହିଁ ତାହା କହିବା ନିଷ୍ପ୍ରୟୋଜନ । ଯାହାକି ପ୍ରତିଟି ଓଡିଆ ପ୍ରାଣକୁ ନିରାଶ କରୁଛି । ଜଗନ୍ନାଥଙ୍କ ଏହି ପରମ ଭକ୍ତଙ୍କ ସମ୍ପର୍କରେ କିଛି କହିବା ବା ଲେଖିବା ବେଳେ ଯେପରି ନିଜକୁ ଧନ୍ୟ ମଣିବାର ସୁଯୋଗ ମିଳିଥାଏ ଓ ଯେଭଳି ଅବିଚାରିତ ଭାବେ ନାଗାନ୍ତ,ଯୋଗାନ୍ତ, ବେଦାନ୍ତ ଓ ସିଦ୍ଧାନ୍ତରେ ସିଦ୍ଧହସ୍ତ ଥିଲେ ବୋଲି କହି ଆମେ ପ୍ରଗଳ୍ଭତାର ପରିଚୟ ଦେଉ ସେଥିନେଇ ଆମେ ଥରେହେଲେ ଏଥିନେଇ ବିଶେଷ କିଛି ଚିନ୍ତା ବା ଗବେଷଣା କରିଥାଉ କି? ଯାହା ବିଚାର କରିବାର କଥା ।
                                        ତକôାଳୀନ ରକ୍ଷଣଶୀଳ ସମାଜରେ ଜାତି, ଭେଦ, ଛୁଆଁ, ଅଛୁଆଁର ଲକ୍ଷ୍ମଣରେଖା ଟପି ଯେଉଁ ମାଟି ଅବଧାନ ଉକ୍ତ ସନ୍ଥଙ୍କୁ ବାଲ୍ୟ ଜୀବନରେ ଶିକ୍ଷାଦାନ କରିବାକୁ ପଛଘୁଞ୍ଚା ଦେଇଥିଲେ, ଉକ୍ତ ପରିପ୍ରେକ୍ଷୀରେ କିଭଳି ସେ ସିଦ୍ଧସନ୍ଥ ବାହୁଡା ଗୋସାଇଁରେ ପରିଣତ ହେଲେ ତାର କେବେ ତୁଳନାତ୍ମକ ଭାବେ ବିଚାର କରାଯାଇନାହିଁ । ଆଉ ବି ବିଚାର କରାଯାଇନାହିଁ ଯଦି ଉକ୍ତ ଭକ୍ତ ଶିରୋମଣି ୧୭୫୦ ମସିହାରେ ଜନ୍ମ ହୋଇଥିବାର ତଥ୍ୟ ସତ୍ୟ ଓ ନିର୍ବାଣ ୧୮୪୨ ମସିହା ଶ୍ରୀମନ୍ଦିରରେ ପାଳିତ ଦେବଦୀପାବଳୀ ଉସôବ ଦିବସରେ ହୋଇଥିବା ସତ୍ୟ ତେବେ ସେ ୯୨ବର୍ଷ ବଞ୍ଚôଥିବା ଏକ ସହଜସାଧ୍ୟ ବିଷୟ ନୁହେଁ ନିଶ୍ଚୟ । ଏଣୁ ଜନ୍ମମୃତୁ୍ୟର ପ୍ରକୃତ ତାରିଖ ଓ ମସିହା ସମ୍ପର୍କିତ ତଥ୍ୟ ସମ୍ପର୍କରେ ଗବେଷଣା ନିହାତି ଆବଶ୍ୟକ । ସରଳରେ କହିବାକୁ ଗଲେ ସେତେବେଳ ସମୟରେ ବହୁ ରୋଗକୁ ପ୍ରତିକାର, ପ୍ରତିରୋଧ କରାଯାଇ ପାରୁନଥିଲା । ସଚେତନତା କିମ୍ବା ଚିକିସôା ସୁବିଧା ନଥିଲା । ଏଣୁ ଶିଶୁ ମୃତୁ୍ୟହାର ବହୁ ଅଧିକ ଥିଲା । କେଉଁ ଆଧାରରେ ଏହି ସନ୍ଥ ସିଦ୍ଧିପ୍ରାପ୍ତ ହେଲେ, ବାକସିଦ୍ଧି ପାଇଲେ,ଦୀର୍ଘ ୯୨ବର୍ଷ ଜୀବନଧାରଣ କଲେ ତାହା ଗବେଷଣାର ବିଷୟ । ସ୍ୱୀୟ ପ୍ରତିଭା ବଳରେ ଜାତିଭେଦ ରକ୍ଷଣଶୀଳତାର ଲକ୍ଷ୍ମଣରେଖା ଟପି ସେ ସବୁ ବର୍ଗର ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହେଲେ ତାହା ଅତ୍ୟନ୍ତ ଅଲୌକିକ ଘଟଣା । ବର୍ତ୍ତମାନ ପରି ସେ ସମୟରେ ଗଣମାଧ୍ୟମ ବା ପ୍ରଚାରର ପର୍ଯ୍ୟାପ୍ତ ତ ଦୂରର କଥା ସାଧାରଣ ସୁଯୋଗଟିଏ ବି ନଥିଲା । ରାସ୍ତା ଗମନାଗମନର ବିକାଶ ବି ହୋଇନଥିଲା ।
                                     ଅଥଚ ଭାରତବର୍ଷର ବିଶିଷ୍ଟ ଧର୍ମଯାଜକ ଓ ପରିବ୍ରାଜକମାନେ ସାରା ଭୂଖଣ୍ଡକୁ ପରିକ୍ରମା କରି ଓ ରଚିତ କାବ୍ୟକବିତା, ଭବିଷ୍ୟତବାଣୀ ମାଧ୍ୟମରେ ଜନସମୁଦାୟର ନିକଟତର ହେଉଥିଲେ ତାହା ବି ଏହି ମହାନ ସନ୍ଥଙ୍କ ଧେୟ ଓ ମାର୍ଗ ଥିବା ସ୍ୱାଭାବିକ । ଯାହା କି ଏତେ ସହଜସାଧ୍ୟ ନଥିଲା । ତେବେ ସମାଜର ରକ୍ଷଣଶୀଳତା ମଧ୍ୟରେ ଗାଁ ଚାଟଶାଳୀର ସ୍ୱଳ୍ପ ଶିକ୍ଷାଲାଭ କିଭଳି ବାହୁଡା ଦାସଙ୍କୁ ମହାନ ସନ୍ଥରେ ପରିଣତ କଲା? ଏ ସମସ୍ତ ପ୍ରଶ୍ନ ଓ ରହସ୍ୟର ଗୋଟିଏ ଉତ୍ତର ହୋଇପାରେ ଯେ ଶ୍ରୀ ଜଗନ୍ନାଥଙ୍କ କୃପା ବିନା ତାଙ୍କର ଜଣେ ମହାନ ଭକ୍ତ ବାହୁଡା ଗୋସାଇଁ ଏଭଳି ସ୍ତରରେ କେବେ ପହଞ୍ଚି ନଥିବେ । ଯାହାକୁ ଭିତ୍ତି କରି ସେ ଆଗକୁ ଆଗକୁ ମାଡି ଚାଲିଥିବା ବେଳେ ପ୍ରଭୁ ବି ତାଙ୍କୁ ଅନ୍ଧାରରେ ଆଲୋକବର୍ତ୍ତିକା ସମ ବାଟ କଢାଇ ନେଉଥିଲେ । ସବୁଠାରୁ ବଡ କଥା ହେଉଛି ନିଷ୍ଠା ଓ ଐକାନ୍ତିକତା । ଯାହାକୁ କୁହାଯାଇପାରେ ଏକାଗ୍ରତା । ମନ ଥିଲେ ଉପାୟ ବଳେ ବଳେ ଆସେ । ଯାହା ବାହୁଡା ଗୋସାଇଁଙ୍କ କ୍ଷେତ୍ରରେ ଘଟିଥିଲା । ଜଗନ୍ନାଥଙ୍କ ସାନ୍ନିଧ୍ୟ ପାଇବାକୁ ବାହୁଡାଙ୍କ ପ୍ରାଣ ବିକଳ ହୋଇପଡୁଥିବା ବେଳେ ତାଙ୍କୁ ମିଳିଥିଲା ଭଗବାନଙ୍କ ଜଣେ ଅଗ୍ରଦୂତ ଭାବେ ଗୁରୁ ଯୋଗୀ ଦାସଙ୍କ ସାନ୍ନିଧ୍ୟ । ଯହିଁରୁ ସାଧନାର ଉପାୟ ଓ ସିଦ୍ଧିପ୍ରାପ୍ତିର ମାର୍ଗ ଉପଲବ୍ଧ ହୋଇଥିଲା । ଏହି ଶକ୍ତିର ଉତ୍ତମ ବିକାଶ ଘଟିଥିଲା ଯେତେବେଳେ ଭିଙ୍ଗାରପୁର ଚୌଧୁରୀଙ୍କ ହଳିଆରୁ ବାହୁଡାଙ୍କୁ ମିଳିଥିଲା ମୁକ୍ତି ଓ ପ୍ରଦତ୍ତ ଜମିରେ ଏକ ନିରୋଳା ସ୍ଥାନରେ ସ୍ଥାପିତ ଆଶ୍ରମ । ନୀରବଚ୍ଛିନ୍ନ ସାଧନାର ଏକ ପ୍ରକୃଷ୍ଟ କ୍ଷେତ୍ର ।
                                                   ଯୋଗ ମାର୍ଗରେ ତାଙ୍କୁ ବାଟ କଢାଇ ନେଇଥିଲେ ଗୁରୁ ଯୋଗୀ ଦାସ । ଅଷ୍ଟାଙ୍ଗ ଯୋଗ, ଷଡଚକ୍ର ସାଧନ, ଧ୍ୟାନ,ଲୟ, ତ୍ରାଟକ, ଆସନ, ମୁଦ୍ରା ଆଦି ସେ ତାଙ୍କୁ ବତାଇଥିଲେ । ରେଚକ, ପୂରକ, କୁମ୍ଭକ ବଳରେ ପଦ୍ମାସନରେ ଘଣ୍ଟା ଘଣ୍ଟା ଧରି ଯୋଗ ସାଧନା କରୁଥିଲେ ବାହୁଡା ଦାସ । ଯାହା ଥିଲା ଜନସମୁଦାୟର ଲକ୍ଷ୍ୟ ବାହାରେ । ଏହି ସାଧନା କ୍ରମେ ପରିଣତ ହୋଇଥିଲା କୁଚ୍ଛ୍ର ସାଧନାରେ । ଜାଗ୍ରତ ହୋଇଥିଲା କୁଣ୍ଡଳିନୀ ଶକ୍ତି । ଯାହାକୁ କୌଣସି ଯୋଗମାର୍ଗୀମାନେ କେବେ ଅସ୍ୱୀକାର କରିପାରିବେନାହିଁ । ଉକ୍ତ ଘଟଣା ଯେ ପ୍ରଥମ କରି ବାହୁଡା ଦାସ ଗୁରୁ ଯୋଗୀ ଦାସଙ୍କଠାରୁ ପ୍ରାପ୍ତ ହେଲେ ତାହା ନୁହେଁ । ଭାରତବର୍ଷର ବହୁ ମହାମନିଷୀ, ଯୋଗୀ, ସନ୍ଥ ଏହି ଧାର୍ଯ୍ୟ ମାର୍ଗରେ ହିଁ ସିଦ୍ଧିଲାଭ କରିଥାନ୍ତି ଯାହା ପୂର୍ବରୁ ବହୁବାର ପ୍ରମାଣିତ ହୋଇଛି । ଜୀବିତ ଅବସ୍ଥାରେ ଜଣେ ସାଧାରଣ ମଣିଷ ଶରୀର ଓ ଆତ୍ମା ଅଭିନ୍ନ ବୋଲି ଭାବୁଥିବା ବେଳେ ଏବେ ବି ବହୁ ଯୋଗସାଧକ ଧ୍ୟାନ ମୁଦ୍ରାରେ ଥାଇ ଶରୀର ଓ ଆତ୍ମାକୁ ଦିନ ଦିନ ଧରି ଅଲଗା କରାଇପାରିବା ଓ ପୁନଃ ଶରୀର ପ୍ରବେଶ କରାଇବା ଉଦାହରଣ ରହିଛି । ସଂସାର ବାନ୍ଧି ନଥିବା ବାହୁଡା ଦାସଙ୍କ ପକ୍ଷରେ ଏଥିପାଇଁ ଯୋଗ ସାଧନାର ଏକ ପ୍ରକୃଷ୍ଟ ସୁଯୋଗ ଓ ଶକ୍ତି ହାସଲ କରିବା ସମ୍ଭବ ହୋଇପାରିଥିଲା । ଯାହାର ମିଷ୍ଟତା ଓ ବିଭୁକୃପା ସେ ଅନ୍ତରରେ ଅନୁଭବ କରିପାରିଥିଲେ । ପରେ ସେ ଆଉ ସଂସାରକୁ ପାଦ ବଢାଇବାକୁ କେବେ ବି ମନ କରିନାହାନ୍ତି ।
                                                              ଯେଉଁଥିପାଇଁ ତାଙ୍କ ରଚିତ ‘ନୂଆ ଘର ଖଣ୍ଡି ଦିନେ ପୁରୂଣା ହେବ, ମାରିବ ଶୂନ୍ୟ ଲହଡି ଥୟ ନୋହିବ’ ଭଳି ଉଚ୍ଚକୋଟୀର ଶରୀରଭେଦ ଭଜନ କେବଳ ତକôାଳୀନ ସମାଜରେ ନୁହେଁ ଏବେ ବି ଅନୁରଣିତ ହେଉଛି ପ୍ରତିଟି ହୃଦୟରେ । ତେବେ ଏହି ସନ୍ଥଙ୍କ ରଚିତ ବହୁ କାବ୍ୟକବିତା ଏବେ ବି ଉଦ୍ଧାର, ଉପଯୁକ୍ତ ସଂରକ୍ଷଣ କିମ୍ବା ଗବେଷଣା ହେଉନାହିଁ । ତାହା ହେଲେ ଏଥିରୁ ବହୁ ତଥ୍ୟ ସାମ୍ନାକୁ ଆସନ୍ତା । ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟକୁ ଆସିଲେ ସାମ୍ନାକୁ ଆସେ ଜଗନ୍ନାଥଙ୍କର ଏଡେବଡ ଭକ୍ତ ବାହୁଡା ଯେଉଁ ବିଭୁ କୃପାର ରସ ଆସ୍ୱାଦନ କରିବାରେ ଏକାଙ୍ଗ ବ୍ରତୀ ଓ ସଫଳ ହୋଇପାରିଲେ ତାଙ୍କ ସମ୍ପର୍କରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଚଳିତ ମାଦଳା ପାଞ୍ଜିରେ ବିଶେଷ କିଛି ଉଲ୍ଲେଖ ନଥିବା କୁହାଯାଏ । କାରଣ ଏହା ହୋଇପାରେ ଯେ ମାଦଳା ପାଞ୍ଜିର ରଚନା କାଳ ଖ୍ରୀ:ଅ ୧୪୦୦ରୁ ୧୬୦୦ ମଧ୍ୟରେ ହୋଇଥିବା ଗବେଷକମାନେ ମତବ୍ୟକ୍ତ କରୁଥିବା ବେଳେ ଏହାର ରଚନାକାଳ ଦ୍ୱାଦଶ ଶତାବ୍ଦୀରୁ ବୋଲି କେତେକ ସ୍ଥଳରେ ଉଲ୍ଲେଖ ହୋଇଛି । ଯଦିଓ ଏହି ମାଦଳା ପାଞ୍ଜିର ଭାଷା ଭିନ୍ନ ଭିନ୍ନ ପ୍ରକାର ମାତ୍ର ପ୍ରାଥମିକ ଅବସ୍ଥାରେ ତେଲୁଗୁ ଭାଷା ସାହିତ୍ୟ ଦ୍ୱାରା ବିଶେଷ ଭାବେ ପ୍ରଭାବିତ । ଯେତେବେଳେ କି ଓଡିଶାରେ ଗଙ୍ଗ ବଂଶର ଶାସନ ଚାଲିଥିଲା । ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ପାଇଁ ଶ୍ରୀ ଚୈତନ୍ୟ ଓଡିଶା ଆସିଥିଲେ । ସେ ଖ୍ରୀ:ଅ:୧୫୧୦ ରେ ପ୍ରଥମ ଥର ଓଡିଶା ଆସି ବିଶେଷ ସଫଳ ହୋଇପାରିନଥିବା ବେଳେ ଏହାର ୬ବର୍ଷ ପରେ ଖ୍ରୀ:ଅ:୧୫୧୬ରେ ଦ୍ୱିତୀୟଥର ତାଙ୍କ ଓଡିଶା ଆଗମନ କାଳରେ ଉକôଳୀୟ ପଞ୍ଚସଖା ଅଚୁ୍ୟତ, ଯଶୋବନ୍ତ, ଅନନ୍ତ, ଜଗନ୍ନାଥ, ବଳରାମ ତାଙ୍କ ସମ୍ପର୍କରେ ଆସିଥିଲେ । ଏହି ମହାପୁରୁଷମାନଙ୍କ ମଧ୍ୟରୁ ଅଲୌକିକତା ପାଇଁ ଅଚୁ୍ୟତଙ୍କ ନାମ ସର୍ବାଗ୍ରେ ରହିଥାଏ । ଯଶୋବନ୍ତ ମଧ୍ୟ କିଛି କମ ନଥିଲେ । ଏହି ବିଷୟର ପ୍ରାସଙ୍ଗିକତା ଏଠାରେ ଏହି ଯେ ଏହି ଦୁଇ ମହାନ ସନ୍ଥ ମଧ୍ୟ ସିଦ୍ଧସାଧକ ଥିଲେ ।
                                            ବାକ୍ସିଦ୍ଧି ଯୋଗୁ ତାଙ୍କ ଅଲୌକିକତା ତନ୍ତ୍ର ବୋଲି ବିନା ଦ୍ୱିଧାରେ ବିବେଚିତ ହେଉଥିଲା । ତେବେ ସେମାନେ ଏହି ମାର୍ଗରେ ସିଦ୍ଧିଲାଭ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡି ଦାସ ଉକ୍ତ ପନ୍ଥାକୁ ଅନୁକରଣ କରିଥିବା ଅଧିକ ଭାବେ ବିଶ୍ୱାସ କରାଯାଇପାରେ । କାରଣ ଯୋଗମାର୍ଗରେ ସିଦ୍ଧି ପ୍ରାପ୍ତି ହେବାର ଏହା ହିଁ ଏକମାତ୍ର ପନ୍ଥା ହୋଇଥିବା ବେଳେ ପଞ୍ଚସଖାଙ୍କ ପ୍ରଭାବ ସହିତ ପରବର୍ତ୍ତୀ ସମୟରେ ତାଙ୍କର ସାମଞ୍ଜସ୍ୟତା ପରିଲକ୍ଷିତ ହୋଇଛି । ଅଚୁ୍ୟତ ଯେପରି ଏକାକ୍ଷର ମନ୍ତ୍ର ସଂସ୍ଥାପନା କରିଥିଲେ ଠିକ ଅନୁରୂପ ଭାବେ ବାହୁଡି ଦାସ ମଧ୍ୟ ଅନ୍ୟ ଏକ ଏକାକ୍ଷର ମନ୍ତ୍ରର ସଂରଚନା କରିଛନ୍ତି ବୋଲି ବିବେଚନା କରାଯାଏ । ଭବିଷ୍ୟତ ମାଳିକା ରଚନାରେ ଅଚୁ୍ୟତଙ୍କ ଠାର, ହାଡିଆ ଗାର ଯେଭଳି ଭାବେ ଭବିଷ୍ୟତ ଘଟଣାବଳୀ ନେଇ ପରୋକ୍ଷ ସୂଚନା ଓ ଶରୀରଭେଦ ଭଜନକୁ ପ୍ରାଧାନ୍ୟ ଦେଇଛନ୍ତି ସେଭଳି ମଧ୍ୟ ବାହୁଡି ଦାସଙ୍କ ରଚନାରେ ଭବିଷ୍ୟତ ଗଣନା ବଦଳରେ ରୋଗ ଭଲ କରିବା ଓ ଶରୀରଭେଦ ରଚନା ଦେଖିବାକୁ ମିଳେ । ଯଦିଓ ଉଭୟ ସମସାମୟିକ ନୁହନ୍ତି । ବାହୁଡି ଦାସଙ୍କ ଜନ୍ମ ସମୟ ମୋଗଲ ଶାସନର ଅନ୍ତ ଓ ଇଂରେଜ ଶାସନର ପ୍ରାରମ୍ଭ କାଳ ବୋଲି ବିଚାର କରାଯାଇପାରେ । କାରଣ ଇତିହାସର ତଥ୍ୟ ଅନୁଯାୟୀ ୧୭୫୭ ମସିହାରେ ମୋଗଲ ସାମ୍ରାଜ୍ୟର ପତ୍ତନ ପରେ ଇଂରେଜ ଶାସନର ପ୍ରାୟତଃ ଆରମ୍ଭ । ସଂସାର ସୁଖଠାରୁ ଈଶ୍ୱର ପ୍ରାପ୍ତି, ଈଶ୍ୱର ଅନୁରାଗୀ, ବୀଷୟାବିଷରୁ ଦୂର ଅବସ୍ଥିତିରେ ଯେଉଁ ଚରମ ଶାନ୍ତି ମିଳେ ତାହା ବାହୁଡାଙ୍କୁ ପ୍ରାପ୍ତ ହୋଇଥିଲା । ସେଥିପାଇଁ ସେ ସମାଜ ସଂସ୍କାର ଓ ପୀଡିତଙ୍କ ଉପକାର ଛଡା କେବେ ସାଂସାରିକ ସୁଖକୁ ସାଉଁଟି ନାହାନ୍ତି । ଯାହାର ନିର୍ଯ୍ୟାସ ପ୍ରାପ୍ତି ବର୍ତ୍ତମାନ ସମୟରେ ଅତି ବିରଳ । ମାତ୍ର ଅସମ୍ଭବ ନୁହେଁ ।
                                                   ୯୨ବର୍ଷର ଦୀର୍ଘ ନିରଳସ ଜୀବନ ବିତାଇଥିବା ସନ୍ଥ ବାହୁଡି ଦାସ ପ୍ରାୟ ୧୮୦୦ ମସିହା ପାଖାପାଖି ସିଦ୍ଧିଲାଭ କରିଥିବା ବିଶ୍ୱାସ କରାଯାଇପାରେ । ସେତେବେଳେ ତାଙ୍କୁ ବୟସ ୪୦ରୁ ୫୦ବର୍ଷ ମଧ୍ୟରେ ହୋଇଥିବା ସମ୍ଭବ । ଜଗନ୍ନାଥଙ୍କୁ ତନ୍ତ୍ରର ଦେବତା ଭାବେ ଯେଭଳି ବିଚାର କରାଯାଇଥାଏ ସେହିପରି ସବୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷର ମିଳନ ତାଙ୍କ ପାଖରେ ହୋଇଥିବା ଗବେଷକମାନେ ପ୍ରମାଣ କରିଛନ୍ତି । ଯାହାକି ସବୁ ଜାତି, ଧର୍ମ, ସମ୍ପ୍ରଦାୟ ପ୍ରତି ସମାନ ଭାବନା ପୋଷଣ କରେ । ଜଗନ୍ନାଥଙ୍କ ନାଭୀକମଳ କୁହାଯାଉଥିବା ଅଂଶରେ ବୌଦ୍ଧ ଧର୍ମର ପ୍ରତୀକ ବୁଦ୍ଧଙ୍କ ଦାନ୍ତର ଅଂଶବିଶେଷ ବୋଲି କୁହାଯାଉଥିବା ବେଳେ ହାତ ନଥାଇ ବଳୀୟାରଭୁଜଙ୍କ ଅବତାର ଖ୍ରୀଷ୍ଟ ଧର୍ମର କୃଶ ଚିହ୍ନ ସହ କଳ୍ପନା କରାଯାଇଥାଏ । ସେହିଭଳି ଯବନ କବି ଭକ୍ତ ସାଲବେଗ ମଧ୍ୟ ପ୍ରଭୁଙ୍କ କୃପା ବାରି ପାନ କରିଥିବା ବିଶ୍ୱାସ କରାଯାଏ । ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଜନ୍ମବୃତ୍ତାନ୍ତ ଯେଭଳି ରହସ୍ୟମୟ ତାଙ୍କର ଏକାନ୍ତ ଭକ୍ତମାନଙ୍କ ପ୍ରତି ପ୍ରୀତି, କୃପା ଓ କାର୍ଯ୍ୟ ମଧ୍ୟ ସେହିଭଳି ଅଲୌକିକତାପୂର୍ଣ୍ଣ । ଯେତେ ଆଲୋଚନା କଲେ ବି ତାହା ଅସରନ୍ତି ଭଣ୍ଡାର । ଭକ୍ତ ବାହୁଡା ଏହି ଭଣ୍ଡାରରୁ ସାଉଁଟିଥିବା ଅମୂଲ୍ୟ ସମ୍ପଦ ପାଇଁ ପ୍ରଭୁଙ୍କ ନିକଟରେ ଚିରକାଳ ଭକତ ଭାବରେ ବନ୍ଧା । ପ୍ରଭୁଙ୍କ ପାଇଁ ବି ସେ ଭକତ ଜୀବନ ଧନ ପାଲଟିଛନ୍ତି । ପ୍ରଭୁ ଦେଇଛନ୍ତି ତାଙ୍କୁ ଐଶ୍ୱରିକ ଶାନ୍ତି, ତକôାଳୀନ ସମୟରେ ଉତ୍ତମ ସାମାଜିକ ସୁନାମ ଓ ପ୍ରତିଷ୍ଠା, ଦର୍ଶାଇଛନ୍ତି ନିଜ ପ୍ରଭୁପଣର କୃପାଳୁତା । ଦୁଃଖର ବିଷୟ ଯେ, ଏଭଳି ଜଣେ ଜଗନ୍ନାଥ ଭକ୍ତଙ୍କ ପ୍ରତି ନା ତାଙ୍କ ପିତୃଗୃହ ନା ଧ୍ୟାନପୀଠ ନା ପିତାପିତାମହଙ୍କ ପୈତୃକ ସ୍ଥାନ ସମ୍ପର୍କରେ ସୂଚନା, ଗବେଷଣା, ସ୍ମୃତିରକ୍ଷା କିଛି ବି ଏଯାବତ ହେଉଛି । ଯାହା ଆଜି ନିରାଶାର କାରଣ ପାଲଟିଛି । 
କ୍ରମଶଃ... (ଅବଶିଷ୍ଟ ଆରଥରକୁ)
        ସା-ଚଉପଡା, କଟକ,     
ମୋ- ୯୪୩୮୬୮୪୬୮୦
JOY BAHUDA

No comments:

Post a Comment