ଶାଶ୍ୱତ ପ୍ରେମ

 ଡକ୍ଟର ତ୍ରିନାଥ ପଟ୍ଟନାୟକ
                        ରାତ୍ରି ସମୟ,ଶ୍ରୀଧାମ ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣ ଶୟନ କକ୍ଷରେ ଶୟନ କରିଥାନ୍ତି । ନିକଟରେ ଋକ୍ମୁଣୀ ସତ୍ୟଭାମା ପ୍ରଭୃତି ପାଟ୍ଟବଂଶୀମାନେ ସେବାରେ ନିଯୁକ୍ତ ଥିଲେ । ଏହି ସମୟରେ ଶ୍ରୀକୃଷ୍ଣ ସ୍ୱପ୍ନରେ ବିଳି ବିଳେଇ ଉଠିଲେ-ହା ରାଧେ ! ହା ରାଧେ ! ତାପରେ କ୍ରନ୍ଦନ କରିବାକୁ ଲାଗିଲେ । କାନ୍ଦ ବନ୍ଦ ହେଉନି । ମହାରାଣୀ ଋକ୍ମୁଣୀ ବାଧ୍ୟ ହୋଇ ପ୍ରଭୁଙ୍କ ଚରଣ ସ୍ପର୍ଶକରି ଜାଗ୍ରତ କରାଇବାକୁ ଚେଷ୍ଟା କଲେ । ଭଗବାନ ଶ୍ରୀକୃଷ୍ଣଙ୍କର ନିଦ୍ରାଭଗ୍ନ ହେଲା । ସେ କିଂଚିତ ଲଜ୍ଜିତ ଅନୁଭବ କଲେ । ତାପରେ ଅତି ଚତୁରତାର ସହିତ ନିଜ ମନର ଭାବ ଗୋପନ କରି ପୁଣି ନିଦ୍ରିତ ହୋଇଗଲେ ।
                                                  କିନ୍ତୁ ୟେ ରାଧା କିଏ ? ସେ ବିଷୟରେ ଜାଣିବା ନିମନ୍ତେ ମହାରାଣୀଙ୍କ ହୃଦୟରେ ଅତ୍ୟନ୍ତ ବ୍ୟଗ୍ରତା ଜାତ ହେବାକୁ ଲାଗିଲା । ସେମାନେ ପରସ୍ପର ମଧ୍ୟରେ କଥୋପକଥନ ହେବାକୁ ଲାଗିଲେ । ଆମ୍ଭେ ମହିଷୀମାନେ  କୁଳ, ଶୀଳ, ରୂପ ଏବଂ ଗୁଣରେ କେହି ହେଲେ ମଧ୍ୟ ଅନ୍ୟ କୌଣସି ରମଣୀ ଠାରୁ କମ୍ ନୋହୁଁ । ତଥାପି ଆମ୍ଭ ପ୍ରାଣ ବଲ୍ଲଭ ଅନ୍ୟ କୌଣସି ରମଣୀ ନିମନ୍ତେ ବ୍ୟାକୁଳ? ୟେ ତ ବଡ ବିସ୍ମୟ କଥା, ରାତ୍ରିରେ ସ୍ୱପ୍ନାବସ୍ଥାରେ ଯେଉଁ ରମଣୀ ନିମନ୍ତେ ପ୍ରଭୁ ଏତେ ବ୍ୟାକୁଳ, ସେହି ଭାଗ୍ୟବତୀ ରୂପ ଗୁଣରେ ଆମ ଠାରୁ କେତେ ଅଧିକ ହୋଇ ନ ଥିବେ ?
                                                 ମହାରାଣୀ ଋକ୍ମୁଣୀ କହିଲେ- ହଁ, ମୋର ମନେ ପଡିଲା ବୃନ୍ଦାବନରେ ରାଧା ନାମରେ ଜଣେ ଗୋପ କୁମାରୀ ଅଛି । ଆମର ପ୍ରାଣନାଥ ତାଙ୍କର ପ୍ରତି ଅତ୍ୟନ୍ତ ଆକୃଷ୍ଟ । ସେଥିପାଇଁ ରୂପ ଲାବଣ୍ୟ ବୈଦଗ୍ଧ୍ୟପୁଞ୍ଜ ନୟାନିଭିରାମ ଶ୍ରୀ ପ୍ରାଣନାଥଙ୍କର ଆମେ ଯେତେ ସେବାକଲେ ସୁଦ୍ଧା, ସେହି ସର୍ବ ଚିତାକର୍ଷକ ଚିତବର୍ଷିଣୀଙ୍କର ଅଲୌକିକ ଗୁଣଗ୍ରାମକୁ ଭୁଲି ପାରୁନାହାନ୍ତି  । ରାଣୀ ସତ୍ୟଭାମା କହିଲେ- ଆମେ କେମିତି ଥରେ ସେହି ସୁଲକ୍ଷଣୀ ଶ୍ରୀରାଧାଙ୍କୁ ଭେଟନ୍ତେ । ଦେଖନ୍ତେ ଆମ ଠାରୁ ତାଙ୍କ ଠାରେ କଣ ବିଶେଷ ଗୁଣ ଅଛି । ଆଉ ଆମ ଠାରୁ କେତେ ପ୍ରଭୁଙ୍କୁ ସେ ଭକ୍ତି ଓ ପ୍ରିତୀ କରୁଛନ୍ତି । କଣ ତାଙ୍କ ଠାରେ ବିଶେଷତ୍ୱ ଅଛି । ସେ କେତେ ସୁନ୍ଦରୀ ଓ ସୁଶୀଳା । ଅଷ୍ଟ ପାଟ୍ଟବଂଶୀଙ୍କ ଭାଗ୍ୟରେ ସେ ସୁଯୋଗ ଦିନେ ଜୁଟିଲା । ସିଦ୍ଧାଶ୍ରମ ନାମକ ତୀର୍ଥରେ ସ୍ନାନଯୋଗ ପଡିଥାଏ । ଶ୍ରୀରାଧା ନିଜ ସଖୀମାନଙ୍କ ସହିତ ସିଦ୍ଧାଶ୍ରମକୁ ସ୍ନାନ ନିମନ୍ତେ ଆସିଥିଲେ । ସେହି ତୀର୍ଥରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜ ରାଣୀମାନଙ୍କ ସହିତ ପହଂଚିଲେ । ରାଣୀମାନେ ସଖୀମାନଙ୍କ ଠାରୁ ଶୁଣିବାକୁ ପାଇଲେ ଯେ, ଗୋପପୁରରୁ ରାଧା ସୁନ୍ଦରୀ ମଧ୍ୟ ତୀର୍ଥ ସ୍ଥାନକୁ ଆସିଛନ୍ତି । ସେମାନଙ୍କର ବହୁଦିନର ଆଶା ପୂରଣ ହେବାକୁ ଯାଉଥିବା ଜାଣି ବିଶେଷ ଖୁସି ହେଲେ । ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଅନୁମତି ଚାହିଁଲେ । ପ୍ରଭୁ ସଂଗେ ସଂଗେ ଅନୁମତି ଦେଇଦେଲେ । ସମସ୍ତେ ରାଧାରାଣୀଙ୍କର ଶିବିରରେ ପହଂଚିଲେ । ଶ୍ରୀରାଧା ଦ୍ୱାରକାର ରାଣୀମାନଙ୍କର ପରିଚୟ ପାଇ ଆନନ୍ଦ ପ୍ରକାଶ କଲେ ଓ ସଂଗେ ସଂଗେ ଉଚିତ ସକ୍ରାର କଲେ । ରାଣୀମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତି ବିଷୟରେ କିଛି ଶୁଣିବା ନିମନ୍ତେ ଚାହିଁଲେ । ଶ୍ରୀରାଧା ସ୍ମିତ ହାସ୍ୟକରି କହିଲେ-
ଚନେ୍ଦ୍ରା ଯଥୈକୋ ବହବ ଶ୍ଚକୋରାଃ,
ସୂର୍ଯେ୍ୟା ଯଥୈକୋ ବହବୋ ଦୃଶଃସୁ୍ୟ,
ଶ୍ରୀକୃଷ୍ଣ ଚନେ୍ଦ୍ରା ଭଗବାଂ ସ୍ତଥୈକୋ,
ଭକ୍ତା ଭଗିନ୍ୟୋ ବହବୋ ବୟଂଚ ।ା
                                  ହେ ଭଉଣୀମାନେ, ଚନ୍ଦ୍ରମା ଏକା ହେଲେବି ଅନେକ ଚକୋର ତାଙ୍କ ପାଇଁ ଆଶାୟୀ, ସୂର୍ଯ୍ୟ ଏକ କିନ୍ତୁ ଅନେକ ନେତ୍ର ତାଙ୍କୁ ଚାହିଁ ରହିଛନ୍ତି । ଏହିପରି ଭାବରେ ଆମର ପ୍ରିୟତମ ଶ୍ରୀ କୃଷ୍ଣଚନ୍ଦ୍ର ଏକା ହେଲେ ବି ଆମ୍ଭ ପରି ତାଙ୍କର ଅନେକ ଭକ୍ତ ଅଛନ୍ତି । ଶ୍ରୀରାଧାଙ୍କର ଶୀଳ, ସ୍ୱରୂପ, ସୌନ୍ଦର୍ଯ୍ୟ, ଗୁଣ ଓ ବ୍ୟବହାର ରାଣୀମାନଙ୍କ ଉପରେ ବହୁତ କିଛି ପ୍ରଭାବ ପକାଇଲା । ସେମାନେ ପ୍ରଭୁଙ୍କର ପ୍ରିୟ ହେବା ନିମନ୍ତେ ରାଧାରାଣୀଙ୍କୁ ନିଜ ଶିବିରକୁ ଯିବା ପାଇଁ ନିମନ୍ତ୍ରଣ କଲେ । ଶ୍ରୀରାଧା ରାଜି ହେଲେ ଓ ନିଜ ସଖୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କ ଶିବିରକୁ ଗଲେ । ରାଣୀମାନେ ଆଦର ସହିତ ଶ୍ରୀରାଧାଙ୍କ ସକ୍ରାର କଲେ । ରାତ୍ରି ଭୋଜନ ପ୍ରଦାନ ପରେ ପ୍ରଭୁଙ୍କ ଇଙ୍ଗିତରେ ଉଷ୍ମ ଦୁଗ୍ଧ ପିଇବାକୁ ଦେଲେ । ତା ପରେ ପରସ୍ପରକୁ ଆଲିଙ୍ଗନ କରି ଶ୍ରୀରାଧା ନିଜ ଶିବିରକୁ ଫେରି ଆସିଲେ ।
                                    ଭଗବାନ ଶ୍ରୀକୃଷ୍ଣଚନ୍ଦ୍ର ରାତ୍ରିକୁ ଫେରିଲେ । ଶିବିରରେ ଶୟନ କକ୍ଷରେ ପ୍ରଭୁ ବିଶ୍ରାମ ନେଉଥାନ୍ତି । ନିତୀ ନିୟମାନୁସାରେ ପାଟ୍ଟରାଣୀ ଋକ୍ମୁଣୀ ପ୍ରଭୁଙ୍କର ଚରଣ ସେବା କରିବାକୁ ଗଲେ । ପ୍ରଭୁଙ୍କର ଚରଣ ଦର୍ଶନ କରି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ସେ ଦେଖିଲେ ପ୍ରିୟତମ ଶ୍ରୀ କୃଷ୍ଣଚନ୍ଦ୍ରଙ୍କର ଶ୍ରୀଚରଣ ଦ୍ୱୟରେ ଫୋଟକା ହୋଇଯାଇଛି । ଋକ୍ମୁଣୀ ନିଜ ସଖୀମାନଙ୍କୁ ଡାକି ପ୍ରଭୁଙ୍କ ଚରଣକୁ ଦେଖାଇଲେ । ସମସ୍ତେ ବିସ୍ମିତ ହୋଇ ଉଠିଲେ । ଭଗବାନଙ୍କୁ ପଚାରିବାର ସାହସ କାହାରି ନାହିଁ । ଶ୍ରୀ କୃଷ୍ଣଚନ୍ଦ୍ର କିଛି ସମୟ ପରେ ଆଖି ଖୋଲିଲେ । ଦେଖିଲେ ରାଣୀମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ତାଙ୍କ ପାଦକୁ ଚାହିଁ ରହିଛନ୍ତି । ପାଟ୍ଟରାଣୀ ଋକ୍ମୁଣୀ ବିନମ୍ରତାର ସହିତ ପାଦରେ କିପରି ଫୋଟକା ହୋଇଛି ବୋଲି ପଚାରିଲେ । ପ୍ରଥମେ ଭଗବାନ କଥାଟାକୁ ଟାଳିଦେଲେ । ବହୁତ ଆଗ୍ରହ ପ୍ରକାଶ କରିବାରୁ  ଶ୍ରୀକୃଷ୍ଣ କହିଲେ- “ଦେଖ ତୁମେମାନେ ଠିକ୍ କଲନି । ଏତେ ଗରମ ଥିବା ଦୁଧକୁ ଶ୍ରୀରାଧାଙ୍କୁ ବାଧ୍ୟ କରି ପିଆଇବା ଉଚିତ ନ ଥିଲା । ସେ କେବଳ ତୁମମାନଙ୍କର ସ୍ନେହରେ ପଡି କଷ୍ଟ ହେଲେ ବି  ମୋତେ ପ୍ରଥମେ ଅର୍ପଣ କରି  ଦୁଧ ପିଇଦେଲେ । ସେଥି ଯୋଗୁଁ ମୋର ପାଦ ଫୋଟକା ହୋଇଗଲା ।”
                                       ରାଣୀମାନେ ଏହି କଥା ବୁଝି ପାରିଲେ ନାହିଁ । ଋକ୍ମୁଣୀ ପଚାରିଲେ “ଯଦି ଦୁଧ ଅତ୍ୟଧିକ ଗରମ ହେଲା, ତେବେ ଶ୍ରୀରାଧାଙ୍କର ଜିଭ ତ ଫୋଟକା ହୋଇ ଯାଇଥାନ୍ତା । ଆପଣଙ୍କର ପାଦ କିପରି ଫୋଟକା ହେଲା । ଆପଣଙ୍କର ଚରଣ ସହିତ ଏ ଘଟଣାର ସଂପର୍କ ବା କଣ ଅଛି ?”
ଶ୍ରୀକୃଷ୍ଣ ହସି ହସି କହିଲେ ଶ୍ରୀରାଧାଙ୍କର ହୃଦୟ କମଳ କଥା ତୁମକୁ ଜଣା ନାହିଁ । ତେବେ ଶୁଣ-
ଶ୍ରୀରାଧିକାୟା ହୃଦୟାର ବିନେ୍ଦ,
ପଦାରବିନ୍ଦ ହଂ ହି ବିରାଜତେ ମେ ,
ଅହର୍ନିଶଂ ପ୍ରଶ୍ରୟ ପାଶବଦ୍ଧଂ,
ଲବଂ ଲବାର୍ଧ ନ ଚଳତ୍ୟତୀବ ।ା
ଅଦ୍ୟୋଷ୍ଣ ଦୁଗ୍ଧ ପ୍ରତିପାନ ତୋଘ୍ରାଂ,
ବୁଛାଳ କାସ୍ତେ ମମ ପ୍ରୋଛଳନ୍ତି ,
ମନେ୍ଦାଷ୍ଣମେବ ହି ନ ଦତ ମସୈ, 
ଯୁକ୍ଷ୍ମାଭି ରୁଷ୍ଣଂ ତୁ ପୟଃ ପ୍ରଦତମ୍ ।ା
                             ଶ୍ରୀରାଧାଙ୍କ ହୃଦୟ କମଳରେ ମୋର ଚରଣ କମଳ ଦିନ ରାତି ପ୍ରେମଫାଶରେ ବାନ୍ଧି ହୋଇ ରହିଛି । ଏକକ୍ଷଣ ବା ଅଧକ୍ଷଣ ମଧ୍ୟ ହୃଦୟ ବନ୍ଧନରୁ ହଟି ନ ଥାଏ । ତୁମେ ଦୁଧକୁ ଟିକିଏ ସୁଦ୍ଧା ଥଣ୍ଡା କରି ଦେଲ ନାହିଁ । ବହୁତ ଗରମ ଥିଲେ ମଧ୍ୟ ଶ୍ରୀରାଧା ସ୍ନେହରେ ପାନ କରି ଦେଲେ । ଦୁଗ୍ଧ  ଶ୍ରୀରାଧାଙ୍କ ହୃଦୟକୁ ଗଲା । ଫଳରେ ମୋ ଚରଣକୁ ଜଳାଇ ଦେଲା । ସେଥିପାଇଁ ଫୋଟକା ପଡିଗଲା ।
                                    ଏ କଥା ଶୁଣିଲା ପରେ ଋକ୍ମଣୀ ସତ୍ୟଭାମା ପ୍ରଭୃତି ରାଣୀମାନେ ଓଠରେ ଅଙ୍ଗୁଳି ରଖି କିଛି କ୍ଷଣ ନିମନ୍ତେ ଜଡ ପାଲଟିଗଲେ । ସେମାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେମାନେ ପରସ୍ପର ମଧ୍ୟରେ କଥା ହେଲେ – “ଶ୍ରୀରାଧାରାଣୀଙ୍କର ପ୍ରେମ ଆଗରେ ନିଜର ପ୍ରେମ କେତେ ତୁଛ । ପ୍ରଭୁଙ୍କ ଅତି ନିକଟରେ ଥାଇ ସୁଦ୍ଧା ସେମାନେ ଭକ୍ତି ଓ ପ୍ରେମରେ କେତେ ଦୂରରେ ଅଛନ୍ତି  । ମାତ୍ର ଶ୍ରୀରାଧା ଦୂରରେ ଥିଲେ ସୁଦ୍ଧା ପ୍ରଭୁଙ୍କର ଅତି ନିକଟରେ ।”
ବାସ୍ତବରେ ଶ୍ରୀରାଧା ହେଉଛନ୍ତି ଭଗବାନଙ୍କର ପ୍ରକୃତି । ଶ୍ରୀବିଷ୍ଣୁ, ବୈକୁଣ୍ଠରେ ଶ୍ରୀଲକ୍ଷ୍ମୀଙ୍କ ସହିତ ନିବାସ କରନ୍ତି ତଥା ଗୋଲକରେ ଶ୍ରୀରାଧାଙ୍କ ସହ ନିତ୍ୟ ରାସରେ ମଗ୍ନ ରହନ୍ତି । ଶ୍ରୀରାଧା ଆନନ୍ଦ ସ୍ୱରୂପା ଓ ପ୍ରେମ ସ୍ୱରୂପା ଅଟନ୍ତି । ବେଦରେ ବର୍ଣ୍ଣିତ ଅଛି  ଅନାଦି ପୁରୁଷ ଏକ, ସେହି ଅନାଦି ନିଜକୁ ଦୁଇଟି ରୂପରେ ପରିପ୍ରକାଶ କରି ସ୍ୱୟଂ ନିଜର ଆରାଧନା ନିମନ୍ତେ ତପôର ହୋଇଛନ୍ତି । ସେଥିପାଇଁ ବ୍ରହ୍ମ ବୈବର୍ତ ପୁରାଣରେ ଉଲ୍ଲେଖ ଅଛି ଶ୍ରୀକୃଷ୍ଣଙ୍କ ପ୍ରାଣରୁ ସ୍ୱୟଂ ଶକ୍ତିସ୍ୱରୂପା ଶ୍ରୀରାଧା ଆବିର୍ଭାବ ହୋଇଛନ୍ତି ।
ପ୍ରାଣାଧିଷ୍ଠାତ୍ରୀ ଦେବୀ ସା କୃଷ୍ଣସ୍ୟ ପରମାତ୍ମମନଃ,
ଆବିର୍ବଭୂବ ପ୍ରାଣେଭଃ ପ୍ରାଣେଭ୍ୟୋପି ଗରିୟସୀ ।ା
ଆଲୋକ ନଗର, ନିଆଳୀ,କଟକ
ମୋ-୯୯୩୭୮୪୦୩୮୭
JOY BAHUDA

1 comment:

  1. ବହୁତ ସୁନ୍ଦର ତଥ୍ୟ,ସମସ୍ତେ ପଢିବା ଯୋଗ୍ୟ

    ReplyDelete