ଭାବର ଦେବତା ତୁମେ

ସାଗରିକା ଭୋଇ,
ସ୍ନାତକ (ବିଜ୍ଞାନ), ବି.ଏଡ

                   ଚଳଚଞ୍ଚଳ ଦୁନିଆରେ  ମଣିଷଟିଏ ସଦାସର୍ବଦା କାର୍ଯ୍ୟରତ ଅବସ୍ଥାରେ ରହିଥାଏ  । ସମୟ ପାଇଲେ “ହେ ଈଶ୍ୱର! ମୋତେ ରକ୍ଷାକର, ପ୍ରଭୁ ମୋତେ ମୁକ୍ତି ଦିଅ,ଏ ସଂସାର ମୋତେ ପାରିକର”ବୋଲି କହେ ।  ହେଲେ କେହି କେବେ ଈଶ୍ୱରଙ୍କୁ ସ୍ୱଚକ୍ଷୁରେ ଦେଖିନାହାନ୍ତି । ଯେଉଁମାନେ ଈଶ୍ୱର ବିଶ୍ୱାସୀ ନୁହଁନ୍ତି ସେମାନେ କୁହନ୍ତି “କର୍ମ ନକଲେ ମୋତେ କଣ ଠାକୁର ଫଳ ଦେବେ ମୁଁ ଚାହିଁଲେ ସବୁକିଛି କରିପାରିବି?  ନିର୍ବୋଧ ମଣିଷ ଜାଣିପାରେନା ଈଶ୍ୱର  କିଏ? କେବେ  ସେ ଅନୁଭବ କରିଛି କି ଏହାର ଗୁଢତତ୍ତ୍ୱକୁ? ଈଶ୍ୱରଙ୍କୁ ପାଇବା ଏତେ ସହଜ ନୁହେଁ । ଏହା ଏକ ମାନସିକ ଅବଧାରଣା ମାତ୍ର । କିନ୍ତୁ ଏକ ସାଧାରଣ ମନୁଷ୍ୟ ଚାହିଁଲେ ଇଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରିବ, ତାଙ୍କର ସତ୍ତା ଅନୁଭବ କରିପାରିବ । ଈଶ୍ୱର ଅଛନ୍ତି ପରୋପକାରରେ,  ମନର ବିଶ୍ୱାସରେ,  ପ୍ରତ୍ୟେକ ଜୀବର ଆତ୍ମାରେ, ପ୍ରତ୍ୟେକ ଲୋକର ସୁମଧୁର କୋମଳ ବଚନରେ ଓ କୁନି ଶିଶୁର ଦରୋଟି ହସରେ । ଈଶ୍ୱର ସେଇଠି ରୁହନ୍ତି, ଯେଉଁ ସ୍ଥାନରେ ସ୍ନେହ,ପ୍ରେମ ଓ ଭଲପାଇବା ଥାଏ  । ଦୁଃଖିର ଦୁଃଖ, ତାର ଆଖିରୁ ଝରୁଥିବା ଦୁଇ  ଟୋପା ଲୁହରେ ସେ  ମଧ୍ୟ ବିଦ୍ୟମାନ । 
                                   ଯେଉଁ ବ୍ୟକ୍ତି ମନରେ ଧନୀ ଗରିବର ପାର୍ଥକ୍ୟ ନ ଥିବ, ନିସ୍ୱାର୍ଥପର ସେବା କରୁଥିବ, ଜାତି ଅଜାତି ମନୋଭାବ ନଥିବ, ଅସୁନ୍ଦରରୁ, ସୁନ୍ଦରଟିକୁ ଖୋଜି ବାହାର କରିପାରୁଥିବ; ଏକ ଅଦୃଶ୍ୟଶକ୍ତିର ବଳୟରେ ସେ ପ୍ରଭୁଙ୍କର ଉପସ୍ଥିତି ଅନୁଭବ କରିପାରିବ ଏଥିରେ ସନେ୍ଦହ ନାହିଁ । ଏଠି ମନରେ ପ୍ରଶ୍ନ ଉଠେ, ଏହି କଳିଯୁଗରେ ସ୍ନେହ ବଦଳରେ ଘୃଣା, ପ୍ରେମ ବଦଳରେ ପ୍ରତାରଣା ଓ ଶାନ୍ତି ବଦଳରେ ପ୍ରତିହିଂସା ବଢି ଚାଲିଛି । ଭକ୍ତି ବଦଳରେ ସାଜସଜ୍ଜା ହୋଇ ମନୁଷ୍ୟ ଷଡୋପଚାର  ଭୋଗ ସାମଗ୍ରୀ ଧରି ମନ୍ଦିରକୁ  ଯାଏ । ଭିନ୍ନ ଭିନ୍ନ ଓଷାରେ  ଏପରି ବୁଲିଯିବା  କେବଳ ଫେସନ୍ ବ୍ୟତୀତ ଆଉ କଣ ? ମହତ ମଣିଷ ଯିଏ, ଯେ ଈଶ୍ୱରଙ୍କ ପ୍ରେମରେ ନିମଗ୍ନ  ହୋଇଥାଏ । ହୃଦୟର ବୀଣା ବାଜିଉଠେ ଭକ୍ତିର ସୁରରେ ।  ଆଖିର ଲୁହରେ  ଆରାଧନା କରିବସେ  ପ୍ରିୟତମ ପରମେଶ୍ୱରଙ୍କ ପାଇଁ । ତନ ମନ ଧନ ସବୁ କିଛି ସମର୍ପଣ କରିଦେଲା ପରେ   ମନ୍ଦିର ଯିବା କଣ ବା ଆବଶ୍ୟକ? ଷଡୋପଚାର କଣ ବା ଆବଶ୍ୟକ? ମନୁଷ୍ୟ ଭଗବାନଙ୍କର ପ୍ରତିଛବି ।  ଭଗବାନଙ୍କୁ ଭଲପାଇବା ସହିତ ମାନବ ସମାଜକୁ ଭଲ ପାଇବା ଆବଶ୍ୟକ । ଅଧୁନା ମନୁଷ୍ୟ “ସେ କିଏ? ତାର ଏ ସମାଜପ୍ରତି କର୍ତ୍ତବ୍ୟ କଣ? କଣ ପାଇଁ ସେ ଏ ଦୁନିଆକୁ ଆସିଛି? ତାହା ଜାଣିବା ଉଚିତ । ଅନ୍ୟକୁ ଦୋଷ ଦେବା ପୂର୍ବରୁ ନିଜକୁ  ଧର୍ମ ଓ ଅର୍ଥର ନିକିତିରେ ରଖି ଓଜନ କରନ୍ତୁ, ମନରୁ ଅହଂଭାବ ଦୂର କରନ୍ତୁ ଓ ସତ୍ମାର୍ଗର ପଥିକ ସାଜି ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା ରଖନ୍ତୁ ଏପରି କରିବା ଦ୍ୱାରା ମନୁଷ୍ୟ ଏକ ଅଜଣାଶକ୍ତିର ଅଧିକାରୀ ହୋଇଥାଏ । ଅନେକ ଯାତ୍ରା, ତୀର୍ଥ ଓ ମେଳାମାନଙ୍କରେ ଭିଡ ଜମିଥାଏ । କିନ୍ତୁ ସତ୍ସଙ୍ଗ ସ୍ଥାନରେ ଭିଡ ନ ଥାଏ । ନହେବା ବି ଏକ ଦୃଷ୍ଟିରୁ ଠିକ୍ । କାରଣ ବିଭିନ୍ନ ସତ୍ସଙ୍ଗ ଓ ଭିନ୍ନ ଭିନ୍ନ ଗୁରୁମାନଙ୍କର ପ୍ରବଚନରେ କିଛି ମୂଲ୍ୟ ନ ଥାଏ । ଏହାର ପ୍ରକୃତ କାରଣ ହେଉଛି, ପ୍ରବଚନ ଦେଉଥିବା ବ୍ୟକ୍ତି ମହତ ମଣିଷ ହୋଇ ନଥାଏ  ।  ଆଚରଣ ଏବଂ ଉଚ୍ଚାରଣରେ ତଫାାତ୍ ଥାଏ । କେବେ କୌଣସି ବ୍ୟକ୍ତି ପ୍ରଶ୍ନ ଉଠାଇଛି  ପ୍ରବଚନ ଦେବା ବ୍ୟକ୍ତି ମନରେ ଛୋଟ ବଡର ଧାରଣା ଲିଭିଛି କି? ସେ ବ୍ୟକ୍ତି ଜଣକ କେବେ କୋଣସି ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିଛନ୍ତି ? 
                                            ଯଦି ପ୍ରବଚନ ଦେଉଥିବା ବ୍ୟକ୍ତି ସାଧାରଣ ଲୋକଙ୍କୁ ନିଜର କରିପାରିଲାନି, ସେ ଈଶ୍ୱରଙ୍କ ବିଷୟରେ କେଉଁ  ତତ୍ତ୍ୱ ଉପସ୍ଥାପନା କରିବ ? ସଭା ମଧ୍ୟରେ ଠିଆହୋଇ ଭାଷଣ ଦେବାକୁ ବହୁବ୍ୟକ୍ତି ବିଶେଷ ଭଲପାଆନ୍ତି ଏ ସବୁ ତ ଉପର ଦେଖାଣିଆ ହୋଇଥାଏ । ଏହାକୁ  ଉକ୍ତ ବ୍ୟକ୍ତି ଜଣକ ଅଣାଏ ଅଂଶରେ କାର୍ଯ୍ୟରେ ଲଗାଇ ପାରି ନ ଥାଏ  । ଅଧୁନା ସ୍ୱାର୍ଥପର ମଣିଷ ସ୍ୱାର୍ଥ ପଛରେ ଧାଇଁ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରେନା । ଇଶ୍ୱରଙ୍କ  ନିକଟତର ହେବାପାଇଁ ବ୍ୟକ୍ତିଟି ଉନ୍ନତ ଚିନ୍ତାଧାରାପୂର୍ଣ୍ଣ, ଦୟାବାନ, ସହନଶୀଳତା ଓ ଉଦାରତାପୂର୍ଣ୍ଣ ହେବା ଆବଶ୍ୟକ । ଉକ୍ତ ବ୍ୟକ୍ତି ଜଣକ ସର୍ବଦା  ଦାନର ପ୍ରତ୍ୟାଶା କିଛି ରଖିବା ଅନୁଚିତ । ହେଲେ ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହେଁ, କଥାରେ ଅଛି “ଦେଇଥିଲେ ପାଇ” । ପରମ ପ୍ରେମମୟ ପରଂବ୍ରହ୍ମ କାହାରି ଧାରୁଆ ନୁହନ୍ତି । ତାଙ୍କ ଦୋକାନରେ କିଣା ବିକା ନ ଥାଏ । ମାନବ ସମାଜର ହିତ ପାଇଁ ଧନ,ଜ୍ଞାନ,ପ୍ରେମ ଓ ଭକ୍ତିଭାବ ଆଦି ପ୍ରଦାନ ଉଦେ୍ଧଶ୍ୟରେ ଦୋକାନ କରି ବସିଛନ୍ତି । ଆମକୁ କେବଳ ତାଙ୍କ ଦୋକାନ ପାଖରେ ପହଞ୍ଚିବାର ଅଛି । ମନ ପ୍ରାଣ ଦେଇ ନିଜକୁ ସମର୍ପି ଦେବାର ଅଛି, ତା ହେଲେ ଆମ୍ଭେ ଚିଶ୍ଚୟ ସେ ପରମପିତା ପରମେଶ୍ୱରଙ୍କ ନିକଟରେ ପହଞ୍ଚିପାରିବା । ସକାଳୁ ଉଠି ଗୋମୟ ଜଳରେ ଗାଧୋଇ, ଶୁଦ୍ଧଜଳ ସ୍ନାନକରି, ରଂଙ୍ଗ ରଙ୍ଗିଆ ପୋଷାକ ପିନ୍ଧି, ମୁଣ୍ଡରେ ଚିତା ଚଇତନ କାଟି ସୁଗନ୍ଧିତ ପୁଷ୍ପ  ଓ ଭୋଗଡାଲା ହାତରେ ଧରି ମନ୍ଦିରରେ ଘଣ୍ଟି ବାଡେଇଲେ କିଛି ମୂଲ୍ୟ ନାହିଁ  । ଏ ସବୁ ତ କେବଳ ନିଜର ମନ ବୁଝାଇବା ପାଇଁ । ଦୁନିଆରେ ଏପରି କୌଣସି ବ୍ୟକ୍ତି ନାହିଁ ଯିଏ ନିଜର ସ୍ୱାର୍ଥପାଇଁ ଠାକୁରଙ୍କୁ ନ ଡାକିଛି । ବହୁତ କମ୍ ଲୋକ ନିସ୍ୱାର୍ଥପର ଭାବ ରଖି ପ୍ରଭୁଙ୍କୁ ଉପାସନା କରନ୍ତି ଏବଂ ସେମାନେ ପ୍ରଭୁଙ୍କର ପ୍ରିୟ ହୁଅନ୍ତି । ବୋଧହୁଏ  ଆପଣମାନେ  ଅବଗତ କରିପାରୁଥିବେ, ଈଶ୍ୱର କେଉଁଠି ବାସ କରନ୍ତି? ଭଜନ, କୀର୍ତ୍ତନ, ଜଣାଣ,ପ୍ରବଚନ ଏସବୁ ମୂଲ୍ୟହୀନ । ଯଦି ଉକ୍ତ ବ୍ୟକ୍ତି ମନରେ ଭକ୍ତିଭାବ ନଥାଏ, ଦୟାକ୍ଷମା ନଥାଏ, ମଣିଷ ପ୍ରତି ଭଲ ପାଇବା ନ ଥାଏ ।  ଯଦି ମନରେ ପବିତ୍ର ଚିନ୍ତାଧାରା ନ ଥିବ, ସତ୍ ବାଟରେ ଯାଉନଥିବ, ସେ କଦାପି ଏକ ମହତ ମଣିଷ ହୋଇପାରିବନି । ଆମ୍ଭମାନଙ୍କୁ  ଉକ୍ତ ସତ୍ବାକ୍ୟଗୁଡିକୁ ଆପଣେଇ ନେଇ କୋଣସି ଆଶା ନରଖି ଆଗେଇବାକୁ ପଡିବ, ତା ହେଲେ ଆମ୍ଭେ ତାଙ୍କର ଉପସ୍ଥିତି ଅନୁଭବ କରିପାରିବା । 
ହୃଦୟ ମନ୍ଦିରେ ଅଛ ପ୍ରିୟତମ ହୋଇ । 
ପୂଜୁଅଛି ମୁଁ ତୁମକୁ ପ୍ରେମାଞ୍ଜଳି ଦେଇ ।ା
ଭାବର ଦେବତା ତୁମେ ଅଭାବକୁ ଦୂର । 
ମୁଁ ଯେ ତୁମ, ନିରିମାଖୀ ଦାସୀ ଚରଣର ।ା
ଲୁହ ଗଂଗାଜଳ ମୋର ଧୋଇଦିଏ ପାଦ,
ଭକତିର ଫୁଲ ନିଅ, ହେ ଗୁରୁ ଗୋବିନ୍ଦ ।ା
ତୁମେ କେବେ ଥାଅ ପ୍ରଭୁ  ଶ୍ରଦ୍ଧା,ଭକ୍ତି, ପ୍ରେମେ,
ଅବା ତୁମ ଅଛ ପ୍ରଭୁ ଜନ ସତକର୍ମେ ।ା
ସା-ଉରୁଜଙ୍ଗ, ବ୍ରାହ୍ମଣ ସାଇଲୋ,କଟକ
JOY BAHUDA

No comments:

Post a Comment