ଭାବ ବିନୋଦିଆ ଠାକୁର

ଶୁଭ୍ରଜ୍ୟୋତି ଦାସ
ଭଗବାନଙ୍କ ସୃଷ୍ଟି ତ ଅନେକ । ସେଥି ମଧ୍ୟରୁ ୟେ ମାନବ ସମାଜ ହେଉଛି ଏକ ନିଆରା ସୃଷ୍ଟି ଭାବରେ କହିଲେ ଅତୁ୍ୟକ୍ତି ହେବ ନାହିଁ । କିନ୍ତୁ ୟେ ସୃଷ୍ଟି ଦିନକୁ ଦିନ ବିକୃତ ହେବାରେ ଲାଗିଛି ।  ଆଧୁନିକ ମାନବ ପ୍ରଯୁକ୍ତି ବିଦ୍ୟାରେ ଉନ୍ନତି କରି ଚାଲିଛି । ହୁଏତ ଏପରି କେତେ ଜଣ ଅଛନ୍ତି, ଯେଉଁ ମାନେ ପରମେଶ୍ୱର କିଏ, ବୋଲି ତାଙ୍କର ଅସ୍ତିତ୍ୱକୁ ଅସ୍ୱୀକାର ମଧ୍ୟ କରନ୍ତି । ଜୀବନରେ କେବେ ଆମ୍ଭେ ଚିନ୍ତା କରିବା ଆବଶ୍ୟକ, ଆମ୍ଭ ଜୀବନର  ପ୍ରକୃତ ଲକ୍ଷ କଣ ? 
ଥରେ ମା ଲକ୍ଷ୍ମୀ ତ୍ରିଲୋକ ପୃଷ୍ଠରେ ଭ୍ରମଣ କରିଥିବା ସମୟରେ ବିଭିନ୍ନ ମଠ, ମନ୍ଦିର ଓ ଆଶ୍ରମରେ ଭଜନରତ ଭକ୍ତମାନଙ୍କୁ ଦେଖି ଆନନ୍ଦରେ ଅଭିଭୂତ ହୋଇଗଲେ । ଏହାପରେ ବୈକୁଣ୍ଠରେ ପହଂଚି ପ୍ରଭୁ ନାରାୟଣଙ୍କୁ ପଚାରନ୍ତେ “ପ୍ରଭୁ,ସମଗ୍ର ତ୍ରିଲୋକରେ ଅନେକ ଭକ୍ତମାନେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଭକ୍ତ କିଏ ?
- ବାସ୍ତବରେ ମୋର ଅନେକ ଭକ୍ତ ମାନେ ଅଛନ୍ତି । ହେଲେ ଏପରି ଭକ୍ତ ଅଛନ୍ତି, ସେ ଜଣେ ସାଧକ ନୁହନ୍ତି, ସେ ଜଣେ ସାଧାରଣ ମଣିଷ । ତାଙ୍କର ନାମ ଗୋପାଳ । ନୀଚ୍ଚ ଜାତିରେ ଜନ୍ମ ଓ ପେଶାରେ କୃଷକ । ନାରାୟଣ ସ୍ମିତ ହାସ୍ୟ କରି କହିଲେ ।
- କାହିଁକି ପ୍ରଭୁ ? ଦୁନିଆରେ ଏତେ ସାଧୁ, ସନ୍ନ୍ୟାସୀ ଓ ସନ୍ଥମାନଙ୍କ ଭକ୍ତି ଓ ପବିତ୍ରତାର କଣ ମୂଲ୍ୟ କିଛି ନାହିଁ  ।
- କିଏ କହିଲା ଏମାନଙ୍କର ମୂଲ୍ୟ କିଛି ନାହିଁ । କିନ୍ତୁ ଏହା ପଛରେ ଏକ କାରଣ ଲୁକାୟିତ ରହିଛି । ଗୋପାଳ ଜଣେ ନିଆରା ମଣିଷଟିଏ । ଜାତିରେ ଛୋଟ ହେଲେ ମଧ୍ୟରେ ଛଅ ଜଣଙ୍କୁ ନେଇ ତାର ସଂସାର । ମୂଲ ଲାଗି ସଂସାର ଚଳାଇବାକୁ ହୁଏ । ହେଲେ ସେ ମୂଲ ଲଗା ସମୟରେ  ସେ କେବେ ବି ମୋତେ ଭୁଲି ନ ଥାଏ । ଯେତେ ବେଳେ ବି ଥକା ମାରିବା ପାଇଁ ବିଶ୍ରାମ ନିଏ । “ନାରାୟଣ ନାରାୟଣ” ଦି ପଦ ଛଡା କିଛି କୁହେ ନାହିଁ । ହେଲେ ତାର ଜୀବନ ଅତ୍ୟନ୍ତ ସରଳ । ଗୃହସ୍ଥ ଜୀବନକୁ ସେ ସୁଚାରୁ ରୂପେ ଚଳାଇ ସେ ମୋତେ  ସ୍ମରଣ କରୁଛି । ସେ ତାର ଜୀବନରେ ସକାଳୁ  ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ସମସ୍ତ କର୍ମ ମୋତେ ହିଁ ସମର୍ପଣ କରିଥାଏ । ସେ ମୋତେ କେବେ ବି ସମର୍ପଣ ନ କରି ଭୋଜନ କରେନା । ହେଲେ ୟେ  ଭକ୍ତମାନେ ?
ମାତା ଲକ୍ଷ୍ମୀ ପ୍ରଭୁ ନାରାୟଣଙ୍କର କଥା ଶୁଣି  ବେଶ୍ ଆମୋଦିତ ହେଉଥିଲେ । ଲଜ୍ଜିତ ହେଲେ ମଧ୍ୟ । ବାସ୍ତବରେ ଭକ୍ତଟିଏ ହେବା ପାଇଁ ଭଜନ-କୀର୍ତନ, ମନ୍ତ୍ର-ତନ୍ତ୍ର-ଯନ୍ତ୍ର ,ପୂଜା-ଉପାସନା ଓ ଭୋଗ-ନୈ÷ବେଦ୍ୟର ଆବଶ୍ୟକତା ହେଲେ ମଧ୍ୟ ମନରେ ସମର୍ପଣ ନଥିଲେ ସବୁ କିଛି ବୃଥା ମନେ ହୁଏ । ଜୀବନର ପ୍ରତ୍ୟେକଟି କର୍ମ ପରେମେଶ୍ୱରଙ୍କୁ ସମର୍ପଣ କରି ତାଙ୍କର ପ୍ରେମରେ ମଜ୍ଜି ଯିବା ହିଁ ଶ୍ରେଷ୍ଠ ଉପାସନା ଅଟେ ।
ଅନସ୍ଥାମାଳ,ବାଗଲପୁର,ଖୋର୍ଦ୍ଧା 
JOY BAHUDA

No comments:

Post a Comment