କୁଳ ପିତା : ଗୋସ୍ବାମୀ ବାହୁଡା ଦାସ


ସୁଦର୍ଶନ ଭୋଇ



ଯେତେବେଳେ ସାମ୍ପ୍ରଦାୟିକତାର ନିର୍ମମତା ସରଳ, ନିଷ୍କପଟ ନୀଚ୍ଚ ଜାତିର  ବ୍ୟକ୍ତି ତଥା ସାଧୁ ସନ୍ଥମାନଙ୍କ ଉପରେ ଅତ୍ୟାଚାର ହୁଏ, ସତେବେଳେ ଧର୍ମର ଗ୍ଲାନି ହୋଇଥାଏ । ଯୁଗେ ଯୁଗେ ଧର୍ମର ରକ୍ଷା ପାଇଁ ମହାମାନବ ମାନେ ଜନ୍ମ ନେଇଥାନ୍ତି । ସେହି ମହାନ୍ ସନ୍ଥ ମାନଙ୍କ ମଧ୍ୟରେ ଗୋସ୍ବାମି ବାହୁଡା ଦାସ ଥିଲେ ଅନ୍ୟତମ । ସେ ଏକାଧାରରେ ସନ୍ଥ, ତତ୍ୱଦର୍ଶୀ ,ଭକ୍ତ ,କବି ,ସମାଜ ସଂସ୍କାରକ  ଏବଂ ପରିବ୍ରାଜକ ଥିଲେ । ସେ ତାଙ୍କ ଆଚାର ବିଚାର, ଇଛା ଶକ୍ତି ବଳରେ ନାଗାନ୍ତ , ଯୋଗାନ୍ତ , ବେଦାନ୍ତ ଏବଂ ସିଦ୍ଧାନ୍ତ ରେ ସିଦ୍ଧହସ୍ତ ଥିଲେ ।
            ସେତେବେଳେ ଓଡିଶା ବା ଓଡ ରାଷ୍ଟ୍ରର ସମସ୍ତ ଭୂଖଣ୍ଡ ଇଂରେଜ ସରକାରଙ୍କ ଅଧିନସ୍ଥ  ଥିଲା । ଏହା ସଂଗେ ସଂଗେ  ଅନେକ ରାଜା , ଚୌଧୁରୀ ମାନେ ସ୍ଥାନେ ସ୍ଥାନେ ସେମାନଙ୍କର ଆଧିପତ୍ୟ ବିସ୍ତାର କରୁଥିଲେ । ସେତେବେଳେ ସମାଜରେ ଉଚ୍ଚ ନୀଚ୍ଚର ବିରାଟ  ପ୍ରାଚୀର ବିସ୍ତାର କରିଥିଲେ । ବିଶେଷ କରି ଆମ୍ଭ ଭୋଇ ଜାତିର ବ୍ୟକ୍ତିମାନେ ଅତ୍ୟନ୍ତ ନିଷ୍ପେସିତ ଭାବରେ ନିର୍ଯ୍ୟାତିତ ହେଉଥିଲେ । ଠିକ୍ ଏହି ସମୟରେ   ଖ୍ରୀଷ୍ଟାଦ୍ଦ ୧୭୫୦ ରେ ସନ୍ଧ୍ୟାର ମହାଲଗ୍ନରେ ପିତା ଧର୍ମୁ କାଣ୍ଡି ଆଉ ମାତା ଗୁରୁବାରୀ ଦେଇଙ୍କ ଔରସରୁ ଜନ୍ମ ନେଇଥିଲେ ସନ୍ଥ ଶିରୋମଣି  ବାହୁଡା ଦାସ । ମାଟି ଅବଧାନଙ୍କ ଦ୍ୱାରା ବାହୁଡା ନାମିତ କ୍ରମେ  , ମହାନ୍ ସନ୍ଥଙ୍କ ଶୁଭାଗମନରେ  ଖନ୍ଦୋଳ ଗ୍ରାମଟି ଆନନ୍ଦରେ ମୁଖରିତ ହୋଇ ଉଠିଥିଲା । କାରଣ ସନ୍ଥ ବାହୁଡା ଅତ୍ୟନ୍ତ ସୁନ୍ଦର , ସ୍ବାସ୍ଥ୍ୟବାନ୍  ଆଉ ରାଜ ପୁତ୍ର ପରି ଡଉଲ୍ ଡାଉଲ୍ ଥିଲେ  ଏବଂ ଶରୀରେ ଶଙ୍ଖ, ଚକ୍ର , ଗଦା ଓ ପଦ୍ମ ପରି ଚିହ୍ନ ଥିଲା ।  ଯାହାର ଫଳ ସ୍ବରୁପ ସେ ଭବିଷ୍ୟତରେ  ଜଣେ ମହାପୁରୁଷ ହେବେ ବୋଲି ଗ୍ରାମବାସୀମାନେ ଜାଣି ପାରିଥିଲେ ।
                         ଗୋସ୍ବାମି ବାହୁଡା ଶିଶୁ ଅବସ୍ଥାରେ ବହୁ ସମୟ ରାହା ଧରି କାନ୍ଦୁଥିଲେ ।  ମାତା ଗୁରୁବାରି ପରମେଶ୍ୱରଙ୍କ ଭଜନ ଗାଇ  ତାଙ୍କୁ ଚୁପ୍ କରାଇ ଦେଉଥିଲେ । ଦିନେ ଶୁଭ ସକାଳୁ ବାହୁଡା ଘର ବାରଣ୍ଡାରେ ଶୋଇଥିଲେ  ଏବଂ ଗୋଟିଏ ବିଷାକ୍ତ ନାଗ ସର୍ପ ବାହୁଡାଙ୍କ ମୁଣ୍ଡ ଉପରେ କିଛି ସମୟ ଛିଡା ହୋଇ , ହଠାତ୍  କେଉଁ ଆଡେ ଉଭାନ୍ ହୋଇଯାଇଥିଲା । ଏହା ମାତା ଗୁରୁବାରି ଓ ଅନ୍ୟ ବ୍ୟକ୍ତି ମାନେ ଦେଖି ବିସ୍ମିତ ହୋଇଯାଇଥିଲେ  ଏବଂ ଏହା ଚର୍ତୁଦିଗରେ ପ୍ରଚାର ହୋଇ ଯାଇଥିଲା । କିନ୍ତୁ ସମାଜରେ ଭେଦ ଭାବର  ହିନମନ୍ୟତା ଯୋଗୁ  ଗୋସ୍ବାମି ବାହୁଡା ଇର୍ଷ୍ୟା ଓ ପରଶ୍ରୀ କାତରାତାର ଶିକାର ହେଉଥିଲେ । ଅନ୍ୟପକ୍ଷରେ  ଏପରି ଅସାଧାରଣ ପୁଅକୁ ଜୀବନର ଅପରାହ୍ନରେ ପାଇ ଗୋସ୍ବାମି ବାହୁଡାଙ୍କ ପିତାମାତା ବହୁତ ଖୁସିରେ ଜୀବନ ଯାପନ କରୁଥିଲେ । ବେଳେ ବେଳେ ପୁଅର ସୁରକ୍ଷା କଥା ଭାବି ଦୁଃଖରେ ଭାଙ୍ଗି ପଡୁଥିଲେ । ତେଣୁ ପ୍ରଭୁ ଜଗନ୍ନାଥଙ୍କୁ ତାଙ୍କର ଏକମାତ୍ର ପୁଅକୁ  ସମର୍ପି ଦେଇଥିଲେ । ଗାଁକୁ  ଅନେକ ସାଧୁ ସନ୍ଥ ଆସୁଥିଲେ ସତତ୍ସଂଗ କରିବା ପାଇଁ ।  ଭଜନର ସୁରେ ସୁରେ ଚପଳମତି ବାହୁଡା ନିଜକୁ ହଜାଇ ଦେଉଥିଲେ ।

                                              ଦିନକର କଥା, ଶିଶୁ ବାହୁଡା ଗାଁ ପଡିଆରେ ବାଗୁଡି ଖେଳରେ ମାତି  ଯାଇଥାନ୍ତି ।  ଅପରୂପ ଡଉଲ ଡାଉଲ୍ ବାହୁଡାଙ୍କ ସ୍ବତନ୍ତ୍ରତା ବାରି ହୋଇ ପଡୁଥାଏ ଗାଁ ସାଥିଙ୍କ ମେଳରେ ।  ସମସ୍ତଙ୍କର ନଜର ଥାଏ ବାହୁଡାଙ୍କ ଦଳକୁ କିପରି ହରାଇବା ପାଇଁ । ହେଲେ ଚାଲାକ୍ ବାହୁଡାଙ୍କୁ ପାରିବ ବା କିଏ ? ବାହୁଡା ଖେଳରେ ରାହା ( ବାଗୁଡି ଖେଳ ସମୟରେ ଅପର ପକ୍ଷ ଦଳର ପରିସୀମା ମଧ୍ୟକୁ ଯିବା ସମୟରେ ତୁଣ୍ଡରେ ଉଚ୍ଚାରିତ ଶବ୍ଦ ) ଦେଲା ସମୟରେ ଜଣେ ତାଙ୍କ ୁ ଜାବୁଡି ଧରିଲା , ସେ ଛାଟିପିଟି ପଳାଇ ଆସିଲେ । କିନ୍ତୁ ଏ କ’ଣ ହେଲା ?  ଛାଟିପିଟି ପଳାଇ ଆସିବା ସମୟରେ  ବାହୁଡାଙ୍କୁ ଧରିଥିବା ପିଲାଟି କଚାଡି ହୋଇ ତଳେ  ପଟିଗଲା । ବିଚରାର ମୁଣ୍ଡ ଫାଟିଗଲା କି କ’ଣ ? ରକ୍ତ ବୋହିବାରେ ଲାଗିଲା  ଓ ପିଲାଟି ମଧ୍ୟ ବେହୋସ୍ ହୋଇଗଲା । ପୂର୍ବରୁ ରାଗ ରଖି ଥିବା ପିଲାମାନେ ଯେପରି ଏକ ସୁଯୋଗ ଖୋଜୁଥିଲେ ଅବା ! ଭକ୍ତ ବାହୁଡାଙ୍କୁ ସମସ୍ତେ ଦୋଷୀ କରିଦେଲେ । ବାହୁଡା କିଛି ସମୟ କାକୁସ୍ଥ ହୋଇଗଲେ  ଓ ନିରବରେ ଆଖି ବୁଜି ପରମ ପିତା ପରମେଶ୍ୱରଙ୍କୁ ଧ୍ୟାନ କରିବାରେ ଲାଗିଲେ । ଅନ୍ତର୍ଯ୍ୟାମୀ ପ୍ରଭୁ  ସବୁବେଳେ ଭକ୍ତଙ୍କ  ପାଖେ ପାଖେ ଥାଆନ୍ତି । ଥରେ ଭକତିର ଡୋରିର ବାନ୍ଧି ହୋଇଗଲା ପରେ ଭଗବାନ କେବେ ବି ଭକ୍ତକୁ ଛାଡି ପାରନ୍ତିନି ?  ସେତେବେଳେ ମୁଁ ତୁମର, ତୁମେ ମୋଅର ଭାବରେ  ଭକ୍ତକୁ ଭଗବାନ ବ୍ୟତୀତ କିଛି ଦିଶେନା ।  ତେବେ ବାହୁଡା କିଛି ସମୟ ପରେ ଆଖି ଖୋଲିଲେ ଓ ପିଲାଟିର କ୍ଷତ ଉପରେ ହାତ ବୁଲାଇଦେଲେ । ଆଶ୍ଚର୍ଯ୍ୟର କଥା , ପିଲାଟି ପୂର୍ବ ପରି ଉଠି  ଠିଆ ହୋଇ ଗଲା । ସତେ ଯେପରି ସେ ସ୍ବପ୍ନ ଦେଖୁଥିଲା ନା କ’ଣ ? ୟେ ବିଷୟରେ କାହାକୁ  କିଛି ନ କହିବା ପାଇଁ ନିର୍ଦ୍ଦେଶ ଦେଇ ବାହୁଡା ଧ୍ୟାନସ୍ଥ ମଣିଷ ପରି ନିଜ ଘରକୁ ପଳାଇ ଆସିଲେ ।
                         ସମୟ ଗତିଶୀଳ, ବାଲ୍ୟ ସମୟ ଚାଲିଗଲା ପରେ କିଶୋର ହୋଇଗଲେ ଗୋସ୍ବାମୀ ବାହୁଡା ।  ମନରେ ଜିଦ୍ଖୋର ଓ  ସତ୍ୟପ୍ରିୟତା ସ୍ବଭାବ ଯୋଗୁ ପାଠ ପଢିବା ପାଇଁ ବହୁତ ଇଛା ହେଲା । ହେଲେ ସେ ସମୟରେ ନୀଚ୍ଚ ଜାତିର ପିଲା  ପାଠ ପଢି ପାରୁ ନଥିଲେ । କାରଣ ନୀଚ୍ଚ ଜାତିର ପିଲା ପାଠ ପଢିଲେ, ଦେଶର ଅବନ୍ନତି ହେବ, ଅରାଜକତା ହେବ ।  ଦୁର୍ବିପାକ ଦେଖା ଦେବ  ।  ମହାମାରୀ ହଇଜା ବ୍ୟାପି ଯିବ । ପିତା ଧର୍ମୁ କାଣ୍ଡି ଆଉ ମାତା ଗୁରୁବାରୀ ଦେଇ ଅତ୍ୟନ୍ତ ଚିନ୍ତିତ ହୋଇ ପଡିଲେ । ଅନ୍ୟୋପାୟ ହୋଇ ଶେଷରେ ମାଟି ଅବଧାନଙ୍କୁ  ଗୋସ୍ବାମୀଙ୍କ ପାଠ ପଢାଇବା ପାଇଁ ଅନୁରୋଧ କଲେ । ହେଲେ ନିଜର ଜୀବିକା ହରାଇବା  ଓ  ସଂସାର ପ୍ରତି ବିପଦ ଭୟରେ ସେ  ପଢାଇବା ପାଇଁ ରୋକ୍ ଠୋକ୍ ମନା କରିଦେଲେ । ନିରାଶରେ ଫେରିଗଲେ ପିତା ମାତା ଦ୍ୱୟ ।  ହେଲେ ଦିବ୍ୟଦ୍ରଷ୍ଟା ବାହୁଡା  ବାପା ମାଆଙ୍କ ଦୁଃଖକୁ ଅନୁଭବ କରି କହିଲେ ତୁମେ ବ୍ୟସ୍ତ ହୁଅ ନାହିଁ । ମୁଁ ପାଠ ପଢି, ଦିନେ ନା ଦିନେ ବଡ ମଣିଷ ହେବି ଓ ତମର ନାମ ରଖିବି ।  ଯେଉଁ ଜାତି ପ୍ରଥା ତଥା ଧନୀ ଗରିବ ସମାଜରେ ଭେଦ ଭାବର ପ୍ରାଚୀର  ଠିଆ କରୁଛି, ତାହା ଭାଙ୍ଗି ଦେବା ପାଇଁ ଚାହେଁ । ବାହୁଡାଙ୍କ କଥା ଶୁଣି ବାପା ବୋଉ ଯେତିକି ଖୁସି ହୋଇଗଲେ, ସେତିକି ମଧ୍ୟ ଚିନ୍ତାଗ୍ରସ୍ତ ହୋଇଗଲେ । କାରଣ ସେତେ ବେଳେର ନିଜକୁ ଅଦ୍ୱିତୀୟ ସମ୍ରାଟ ବୋଲାଉଥିବା ବ୍ରାହ୍ମଣବାଦ ସମାଜରେ ଦଳିତର   ଲେଶ ମାତ୍ର ବି ଚିହ୍ନ  ନଥିଲା ।  ବାସ୍ତବରେ ଗୋସ୍ବାମୀ ବାହୁଡା  ସର୍ବ ଗୁଣ ସମ୍ପନ୍ନ ତଥା ଅଲୌକିକ ଶକ୍ତିର ଅଧିକାରୀ  ଥିଲେ । ସମୟେ ସମୟେ ପରମେଶ୍ୱରଙ୍କ ଭଜନ ଗାଇ ଧ୍ୟାନସ୍ଥ ହୋଇଯାଉଥିଲେ ।
        ପିତା ଧର୍ମୂ କାଣ୍ଡି  ନିକଟସ୍ଥ ଖଲୋର ଗ୍ରାମର ଚୌଧୁରୀଙ୍କ ଖମାରରେ କୋଠିଆ କାମ କରି ନିଜର ଗୁଜୁରାଣ ମେଂଟାଉଥିଲେ । ଯୁବକ ବାହୁଡା ସାମାଜିକ ପ୍ରଥା ଅନୁ୍ୟାୟୀ ଭାବରେ  ବାପା ଧର୍ମୁକାଣ୍ଡିଙ୍କ  ଅତ୍ୟନ୍ତ   ଜରାବସ୍ଥା ଉପନୀତ ଜାଣି ବାପାଙ୍କ ହଳ କାମରେ ତାଲିମ୍ ନେଲେ ଏବଂ ଦଶଜଣ ହଳିଆଙ୍କ ଦଳ ସହ  ସାମିଲ ହୋଇ  ନିଜର କର୍ମ କ୍ଷେତ୍ର ବାଛିନେଲେ ।   ଦିନକର କଥା, ଅକ୍ଷୟ ତୃତୀୟା, ଦେହରେ ପ୍ରବଳ ଜର ।  ହେଲେ ଗୁମାସ୍ତାଙ୍କ ହୁକୁମ୍, ହଳ ବୁଲାଇବା ପାଇଁ ପଡିବ । ନହେଲେ ଚାକିରୀ ଚାଲି  ଯିବ । ହଳ ବୁଲାଉ ବୁଲାଉ ସନ୍ଥ ବାହୁଡା ହାଲିଆ ହୋଇ ଗଲେ ।  ତୁଣ୍ଡରେ ଜଗନ୍ନାଥଙ୍କ ଭଜନ ଗୁଣୁ ଗୁଣୁ ହୋଇ ଗାଉଥାନ୍ତି । ଭଜନରେ ସୁରେ ସୁରେ ଆଖି ମଧ୍ୟ ଛଳ ଛଳ ହୋଇଉଠୁଛି । ସତରେ ମନରେ ବ୍ୟାକୁଳତା ନଥିଲେ ଭଗବାନଙ୍କୁ ଭଲ ପାଇ ହୁଏ ନାହିଁ । ଭାବରେ ବନ୍ଧା ସେ ମନର ମୋହନ । ଜରର ପ୍ରକୋପରେ ଆଖି ମାଡି ମାଡି ପଡୁଛି । ଆଗରେ  ନଅଟା ହଳ, ବଡ ଜମି ତ ? ଭାବିଲେ ଟିକେ  ହିଡରେ ବସି, ପରେ ସେ  ନଅ ଜଣ ହଳିଆଙ୍କ ପଛକୁ ଲାଗିଯିବେ । ହେଲେ କେତେବେଳେ ନିଦ ତାଙ୍କୁ ହୋଇଯାଇଛି , ସେ ଜାଣି ପାରିଲେ ନାହିଁ । କିନ୍ତୁ ଭଗବାନ୍ ଭକ୍ତ ବାହୁଡାଙ୍କ କଥା ଜାଣିପାରିଲେ । ବିଚରା ବାହୁଡା ଏଇନେ ବହୁତ ଗାଳି ଖାଇବ, ମାଡ ମଧ୍ୟ ଖାଇବ ।  ବିଶ୍ୱ ନିୟନ୍ତା ଭଗବାନଙ୍କ ନିର୍ଦ୍ଦେଶରେ ବାହୁଡାଙ୍କ ହଳ ମନକୁ ମନ ଚାଲି ବାରେ ଲାଗିଲା  ଏବଂ ବାହୁଡାଙ୍କ ଉପରେ ଖରା ପଡୁଥିବାରୁ , ତାଙ୍କ ପାଇଁ ମେଘ ବାଦଲର ଚାନ୍ଦୁଆ  କରିଦେଲେ । ଯେପରି ଛାଇ ହୋଇ ଯିବ । କିଛି ସମୟ ପରେ ଜମିଦାରଙ୍କ ଗୁମାସ୍ତା ଏପରି ଅଲୌକିକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ ଭାବି ପାରୁ ନ ଥିଲେ , ଏହା ସ୍ବପ୍ନ ନା ସତ୍ୟ ? ଶେଷରେ ୟେ କଥା ଜମିଦାରଙ୍କୁ  କଥା କହିବାରୁ ଜମିଦାର ନିଜେ ଏପର ଅଲୌକିକତା ଦେଖି ମନ୍ତ୍ର ମୁଗ୍ଧ ହୋଇଗଲେ । ସତରେ ସେ କି ପାପ ନକରୁଛନ୍ତି ?  ସେ  ଯାହାଙ୍କୁ ହଳିଆ ଭାବରେ ନିଯୁକ୍ତ ଦେଇଛନ୍ତି, ସେ ଯେ ଭଗବାନଙ୍କର ପରମ ଭକ୍ତ ବୋଲି ଅନୁଭବ  କଲେ । କାରଣ ଭଗବାନ ଭକ୍ତର ଦୁଃଖ କଷଣ କେବେ ସହି ପାରନ୍ତିନି । ଯୁଗେ ଯୁଗେ ଭଗବାନ ବିଭିନ୍ନ ଭାବରେ ଆସି ଭକ୍ତର ସୁଖରେ ସୁଖୀ ହୋଇ, ଦୁଃଖରେ ଦୁଃଖୀ  ହୋଇ ଥାନ୍ତି । “ ସେ ତ ଭକତ ଭାବରେ ବନ୍ଧାରେ, ସେ ତ ଭକତ ଜୀବନ ଧନ” ବୋଲି କୁହାଯାଏ । ପରିଶେଷରେ ଚୌଧୁରି ମହାଶୟ ସନ୍ଥ ବାହୁଡାଙ୍କୁ ହଳ କାର୍ଯ୍ୟ ବନ୍ଦ କରିବା  ପାଇଁ ନିର୍ଦ୍ଦେଶ ଦେଲେ  ଏବଂ ତାଙ୍କୁ ପ୍ରଣିପାତ କରି କହିଲେ “ତୁମେ ଆଜି ଠୁ ମୋର ଖମାରରେ ହଳିଆ କାମ କରିବନି । ତୁମେ ବାଟପୂରଣ ଗ୍ରାମସ୍ଥିତ କୁଶ ଜଙ୍ଗଲରେ  ମଠ ସ୍ଥାପନ କରି ଭଗବାନଙ୍କ ପୂଜନ ଭଜନ କରିବା ପାଇଁ ଅନୁରୋଧ କରୁଛି” ।  ତାହା ହିଁ ହେଲା । ସନ୍ଥ ବାହୁଡାଙ୍କୁ ତତ୍ କାଳୀନ ଭିଙ୍ଗାରପୁରର ଚୌଧୁରୀ ଦଶ ଏକର ଭୂ ସମ୍ପତି ଦାନ କଲେ ।
                                            ସନ୍ଥ ବାହୁଡା ସପରିବାର ସେଠାରେ ଜନବସତି ସ୍ଥାପନ କଲେ  ଏବଂ  ସ୍ଥାନଟି ନିର୍ଜନ ହୋଇଥିବାରୁ ପ୍ରଭୁଙ୍କ ସାଧନ ଭଜନରେ ନିଜକୁ ତଲ୍ଲୀନ କରି ଦେଲେ ।  କୁଶ ଜଙ୍ଗଲ ମଧ୍ୟସ୍ଥ ଏକ ବଟ ବୃକ୍ଷ ମୂଳରେ ପ୍ରତ୍ୟହ ଧ୍ୟାନ କରୁଥିଲେ ।  ସମୟେ ସମୟେ ଦୀର୍ଘ ସମୟ ପାଇଁ ଧ୍ୟାନ କରିବାରୁ ସମାଧିସ୍ଥ ହୋଇ ଯାଉଥିଲେ ।  ନିଜର ଦିବ୍ୟ ଦୃଷ୍ଟି ବଳରେ  ଅନେକ ବିଦ୍ୟାର ଅଧିକାରୀ ହୋଇଥିଲେ ଏବଂ ବାକ୍ ସିଦ୍ଧି ବିଦ୍ୟା ମଧ୍ୟ ହାସଲ କରଥିଲେ । ଏପରି ଅଲୌକିକତା ଦେଖି ବହୁତ ଦୂରରୁ ଭକ୍ତ ମାନେ ଆଶିର୍ବାଦ  ପାଇଁ ଛୁଟି ଆସୁଥିଲେ ।  ସନ୍ଥ ବାହୁଡାଙ୍କ ନିର୍ଦ୍ଦେଶରେ ବିଭିନ୍ନ ରୋଗ ଭଲ ହୋଇ ଯାଉଥିଲା  ଏବଂ ତାଙ୍କର କଥା ଅକାଟ୍ୟ ଥିଲା । ସର୍ବେ ଭବନ୍ତୁ ସୁଖିନଃ ନ୍ୟାୟରେ ସେ ଜନ ସମାଜର ମଙ୍ଗଳ ଚାହୁଁ  ଥିଲେ । ସର୍ବଦା ସତ୍ କର୍ମ କରିବା ପାଇଁ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ରଖିବା ପାଇଁ କହୁଥିଲେ ।  ସତରେ ତାଙ୍କର ନିର୍ଦ୍ଦେଶ ଥିଲା ଅଦ୍ଭୁତ , କାରଣ ତାଙ୍କ ମୁଳ ମନ୍ତ୍ର ଥିଲା ବିଶ୍ୱାସ ଓ ଭକ୍ତି । ଯାହାକୁ ପ୍ରବଳ ଜର ହେଉଥିଲା , ସେ ବଟ ନିକଟସ୍ଥ ପୋଖରୀରେ ଗାଧୋଇବା ପାଇଁ କହୁଥିଲେ ଓ ଲୋକମାନେ ମଧ୍ୟ ତାହା କରୁଥିଲେ । କାରଣ ମଣିଷର ମନ, ଯେ ପର୍ଯ୍ୟନ୍ତ ଅର୍ନ୍ତମୁଖୀ ହୋଇ ବିଶ୍ୱାସର ସହ ପ୍ରଭୁଙ୍କ ନିକଟରେ ସମର୍ପିତ ନ ହୋଇଛି, ତାର ଜୀବନରେ ମୁକ୍ତି ଅସମ୍ଭବ ଅଟେ ।
                                        ଏପରି ସମୟ ହୋଇଛି , ସନ୍ଥ ବାହୁଡାଙ୍କୁୁ ପରୀକ୍ଷା କରିବା ପାଇଁ ଅନେକ ବ୍ୟକ୍ତି ପରୀକ୍ଷା କରିବା ପାଇଁ ଆସିଛନ୍ତି ଓ ପରିଶେଷରେ ଅନୁତାପ କରି ଫେରିଛନ୍ତି । ଥରେ ଦୁଇ ଜଣ ଯବନ ମିଛରେ  କୁଷ୍ଠ ରୋଗୀର ବାହାନା କରି ଗୋଡ ଓ ହାତରେ କନା ଗୁଡାଇ ଆସିଥିଲେ ଓ ସ୍ବାମିଜୀଙ୍କୁ ଆରୋଗ୍ୟ କରିବା ପାଇଁ  କହିଲେ । ମାତ୍ର ସନ୍ଥ ବାହୁଡା ତାଙ୍କ ଗୋଡରୁ କନା ଖୋଲିବା ପାଇଁ କହିବାରୁ, ବାସ୍ତବରେ  ଗୋଡ ଓ ହାତରେ ଘା ହୋଇ ପୋକ ସାଲୁ ବାଲୁ ହୋଇ  ଦେଖା ଯାଇଥିଲା । ଶେଷରେ ଯବନ ଦ୍ୱୟ ସନ୍ଥ ବାହୁଡାଙ୍କ ପାଦ ଧରି କ୍ଷମା ମାଗିଥିଲେ ଓ କାନ୍ଦି କାନ୍ଦି  ପୂର୍ବାବସ୍ଥାକୁ ଫେରାଇ ଆଣିିବା ପାଇଁ ଅନୁରୋଧ କରିଥିଲେ । “ଯେଉଁ ଜାଗା ରୁ ଆସିଛ, ସେଇଠି ତୁମେମାନେ ଭଲ ହୋଇଯିବ”  ବୋଲି ଦୟାଳୁ ସନ୍ଥ ବାହୁଡା କ କହିଥିଲେ । ଶେଷରେ ସେୟା ହିଁ ହୋଇଥିଲା  ଏବଂ ଯବନ ଦ୍ୱୟ ସ୍ବାମିଜୀଙ୍କ ଶିଷତ୍ୱ ଗ୍ରହଣ କରିଥିଲେ । ଏକଦା  ସନ୍ଥ ବାହୁଡା ଅରଡିଆପଦା ଜମିଦାରଙ୍କ  ବହୁ ଦିନର କୁଷ୍ଠ ରୋଗକୁ ଭଲ କରି ଦେଇ ଥିଲେ । ଏଣୁ ଜମିଦାର ସ୍ବାମିଜୀଙ୍କ ମଠ ନାମରେ ବାର ଏକର ବାର ଗୁଣ୍ଠ ବାର ବିଶ୍ୱା ଭୁମି  ଦଲିଲ୍ କରି ଦେଇଥିଲେ । ଯାହା ଫଳରେ ଆଶ୍ରମଟି ସ୍ବାମିଜୀଙ୍କ ଶିଷ୍ୟ/ଶିଷ୍ୟାମାନଙ୍କ ଉଦ୍ୟମ କ୍ରମେ  ନାନା ପୁଷ୍କରଣୀ  ଓ ବୃକ୍ଷଲତାରେ ଶୋଭା ପାଉଥିଲା । ଆଶ୍ରମଟି  ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତଙ୍କର କେନ୍ଦ୍ର ବିନ୍ଦୁ ଥିଲା ।
ବାସ୍ତବରେ ସ୍ବାମିଜୀ  ବାହୁଡା ଦାସ ଥିଲେ ଏକାଧାରରେ ସନ୍ଥ, ଦିଗ ଦର୍ଶକ, ପରିବ୍ରାଜକ ଓ ସମାଜ ସଂସ୍କାରକ । ସ୍ବାମିଜୀ ଦଳିତ ସମାଜ ପାଇଁ ଜଣେ ସଂଗ୍ରାମୀ କହିଲେ ଭୁଲ୍ ହେବ ନାହିଁ । ତାଙ୍କର ଜୀବନ ଜ୍ୱଳନ୍ତ ଦୀପ ସଦୃଶ ଥିଲା । ଜାତି ପ୍ରଥା ବିରୁଦ୍ଧରେ ସେ ସ୍ବର ଉଠାଇଥିଲେ । ଶେଷରେ ଶ୍ରୀ ଗୁଂଡିଚା ଦିନ ଦିନ ସନ୍ଥ ବାହୁଡାଙ୍କ ମହା ପ୍ରୟାଣ ଘଟିଥିଲା । ତାଙ୍କର  ଶରୀର  ଧରା ରେ ଛାଡି ଦେଇ ଥିଲେ ମଧ୍ୟ ଆତ୍ମା ତାଙ୍କର ପରମାତ୍ମାଙ୍କ ଠାରେ ଲୀନ ହୋଇଯାଇଥିଲା ।


ସା-ଶିଶୋ ,ପୋ-ଖନ୍ଦୋଳ ,କଟକ

No comments:

Post a Comment