ସେ ତ ଭକତ ଭାବରେ ବନ୍ଧା

ମାଧବାନନ୍ଦ ଭୋଇ
                                            


ମଣିଷ ଜୀବନ ନଶ୍ୱର , ବିନା ଆତ୍ମ ଚିନ୍ତନରେ ଜୀବନରେ ମୁକ୍ତି ଅସମ୍ଭବ । ସେଥିପାଇଁ ଭଗବାନ୍ ମଣିଷ ହାତରେ ତାଲା ଆଉ ଚାବି ଧରାଇ ଦେଇଛନ୍ତି  ।  ଅଧୁନା ମାନବ ସମାଜ ସବୁବେଳ ସୁଖ ସ୍ବାଛନ୍ଦ୍ୟରେ ରହିବା ପାଇଁ ନିଜ ଜୀବନକୁ ବସ୍ତୁବାଦୀ ଦୁନିଆଁରେ ବାଜୀ ଲଗାଇ ଦେଇଛି  ।  ଦେହ ସହିତ ଦେହୀ ମିଶି ଯାଇଛି । ଦେହୀ ଖୋଜିନି ପରତ୍ମାମାକୁ ,ଭୁଲି ଯାଇଛି ପରମ ସୁଖକୁ , ପରମ ଆନନ୍ଦକୁ ;  ଯେଉଁ ପରମ ଆନନ୍ଦ ପରମ ପିତା ଭଗବାନଙ୍କ ଠାରୁ ପ୍ରାପ୍ତ ହୋଇଥାଏ । ସତରେ ୟେ ପରମ ସୁଖଟିକୁ ପାଇବା ପାଇଁ  ସାଧୁ ସନ୍ଥ ମାନେ ବ୍ୟାକୁଳ ହୋଇ ହଜାର ହଜାର ବର୍ଷ ଧରି ତପସ୍ୟା ରତ । କିନ୍ତୁ ଆଧୁନିକ ମାନବ  “ଯାବତ୍ ଜୀବେତ୍ , ସୁଖଂ ଜୀବେତ୍ “ ଭାବି ଏହାକୁ ହସରେ ଉଡାଇଦିଏ । ତେବେ ଜୀବନରେ ଭଗବାନଙ୍କର  ସାନିଧ୍ୟ ଲାଭ କରିବା ନିତାନ୍ତ ଆବଶ୍ୟକ । ସେଥି ପାଇଁ  ଏକ ଭକ୍ତ ଗାଇଛନ୍ତି “ଭକତର ବନ୍ଧୁ ହୋ  ତମେ, ଭକତର୍ ସପନ, ଭକତର ଜୀବନ, ଭାବ ବିନୋଦିଆ ମୋହନ; ଡାକି ଡାକି ମୋର୍ ଗଲାନ ଜୀବନ , ଭକତର ଡାକ ନାଇଁ  ସୁନ”  । ବାସ୍ତବରେ ଭଗବାନଙ୍କ ପାଇଁ ଭକ୍ତ ହେଉଛି ପ୍ରିୟ । ଯେ ପର୍ଯ୍ୟନ୍ତ ଭଗବାନଙ୍କ ପାଇଁ ଅନ୍ତର ନ କାନ୍ଦିଛି , ଭକତିର ପ୍ଳାବନରେ ଆଖିିର ଲୁହ ଆସି, ପ୍ରଭୁଙ୍କ ପାଦ ନ ଧୋଇଛି , ତାଙ୍କୁ ପାଇବା ବହୁତ  କଷ୍ଟ  ।  ତେଣୁ ପ୍ରେମ ଭକ୍ତିର ପ୍ରବର୍ତକ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଲେଖିଛନ୍ତି ... ... ... .. 


    ଖାଲି ପଡିଛି ମୋ’ ହୃଦ ସିଂହାସନ, ବସିବ ନାଇଁ କି ବସିବ ନାଇଁ ,
   ମନ ମନ୍ଦିରେ ଆସ ପ୍ରିୟ ଠାକୁର , ସତ୍ୟ ଚିଦାନନ୍ଦ ପ୍ରିୟ ତୁମେ ସୁନ୍ଦର ।

ମୁହିଁ ତାଙ୍କରି ଚରଣ ଦାସୀଲୋ, ଚାହିଁ ତାଙ୍କୁ ହେଉଥିବି ଖୁସି
ତୁମେ ବରଷୁଛ କୃପା ବାରି, ହେଲେ ଭାଗ୍ୟରେ ନାହିଁ ମୋହରି ।

                                                କିନ୍ତୁ ସେ ପ୍ରଭୁ ଥରେ ହୃଦୟର ବଂଧନରେ ଧରା ଦେଇଗଲା ପରେ , ଜନମ ଜନମର ସାଥୀ ହୋଇଯାନ୍ତି । ମିଳେନା ଆଉ ପୁର୍ନଜନ୍ମ ... ... ଦେହ ଦେହୀ  ସେତେବେଳେ ଅଲଗାହୋଇଯାନ୍ତି । ୟେ ତ ଜୀବନର ମୂଳ ଲକ୍ଷ୍ୟ । କିନ୍ତୁ ବସ୍ତୁବାଦୀ ଦୁନିଆଁର ମଣିଷର ମନ ହଜିଯାଏ , କୋଠାରେ, ବ୍ୟାଙ୍କ ବାଲାନ୍ସରେ  ଆଉ ସୁନ୍ଦରୀ ସ୍ତ୍ରୀର ବାହୁ ବଂଧନରେ । ବୁଝି ପାରେନା କ୍ଷଣ ଭଙ୍ଗୁର ଜୀବନକୁ । କଅଣ ପାଇଁ ସଂସାରକୁ ଆସିଛି , ତାର ପ୍ରକୃତ ଲକ୍ଷ କଣ? ସେଥି ପାଇଁ ତ ଦେବତାମାନେ ଦେବ ଭୁମି ଭାରତ ବର୍ଷରେ ସାଧୁ ସନ୍ଥ ସ୍ବରୁପରେ ଜନ୍ମ ନିଅନ୍ତି ; ଦିଗ ଦର୍ଶନ ଦେବା ପାଇଁ ବିପଥଗାମୀ ମଣିଷ ମାନଙ୍କୁ । କାରଣ ଜୀବନରେ ତିନୋଟି ଗୁରୁଙ୍କର ନିତାନ୍ତ ଆବଶ୍ୟକ । ଯଥାକ୍ରମେ  ପ୍ରଥମ ଗୁରୁ ଭାବରେ ପିତାମାତା, ଦ୍ୱିତୀୟ ଶିକ୍ଷା ଗୁରୁ ଭାବରେ ଶିକ୍ଷକ ଏବଂ ତୃତୀୟ ଦୀକ୍ଷା ଗୁରୁ ଭାବରେ ଜଣେ ସଦ୍ ଗୁରୁ କିମ୍ବା ଜଣେ ମହାପୁରୁଷଙ୍କ ସାନିଧ୍ୟର ଆବଶ୍ୟକତା ମଣିଷ ଜୀବନରେ  ନିତାନ୍ତ ଅପରିହାର୍ଯ୍ୟ  ।  ବେଳେବେଳେ ମଣିଷ ଗୁରୁଙ୍କ ଠାରୁ ଦୀକ୍ଷା ନେଇ ମଧ୍ୟ, ତାର ଜୀବନ ବିଗିଡି ଯାଏ । କିନ୍ତୁ ମଣିଷ ଦୀକ୍ଷା ନ ନେଇ ମଧ୍ୟ କୌଣସି ସାଧୁସନ୍ଥଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନକୁ ସରସ ସୁନ୍ଦର ରୂପ ଦିଅନ୍ତି ।  ସେଥିପାଇଁ ତ  ମହର୍ଷି ନାରଦ ସର୍ବଦା ନାରାୟଣ ନାରୟଣ  ତୁଂଡରେ ଧରି ତ୍ରିଲୋକ ଭ୍ରମଣ କରୁଥାନ୍ତି । ସେଥିପାଇଁ ନିଜ ଭକ୍ତିରେ ଅବିଚଳିତ ରହିଥିଲେ । ଦିନେ ତାଙ୍କ ମନରେ ଗର୍ବ ଜାତ ହେଲା । ସେ ନାରାୟଣଙ୍କୁ ନିବେଦନ କରି କହିଲେ ହେ ପ୍ରଭୁ , ମୋ ଠାରୁ ତ୍ରିଲୋକରେ କେହି ବଡ ନାହାନ୍ତି । ମୁଁ ସବୁଠାରୁ ବଡ ଭକ୍ତ ଅଟେ । ଭଗବାନ ଟିକେ ହସି କହିଲେ ବତ୍ସ ନାରଦ, ହେଲେ ତୁମ ଠାରୁ ବଡ ଭକ୍ତ , ଅଛନ୍ତି ମୃତ୍ୟୁ ଲୋକରେ, କେଶବ ନାମକ କୃଷକ  ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।ଏଥିରେ ନାରଦଙ୍କ ମନରେ କ୍ରୋଧ ଆସିଲା, ଦୁଃଖ ବି ଆସିଲା । ଶୟନେ ସ୍ବପନେ ସବୁ ବେଳେ ପ୍ରଭୁଙ୍କୁ ସ୍ମରଣ କରି କେଶବ ଜିପରି ବଡ ଭକ୍ତ, ଏହା ଚିନ୍ତନ କରି ମହର୍ଷି ନାରଦ ପୃଥ୍ୱୀଲୋକରେ ପହଂଚିଲେ । ବାସ୍ତବରେ କେଶବ ଜଣେ  ସାଦା ସିଧା କୃଷକଟିଏ ଥିଲା । ସକାଳୁ ଉଠି  ନ ଗାଧୋଇ  ଓ ମୁହଁ ସଫା ନକରି “ନାରାୟଣ ନାରାୟଣ” କହି ବିଲକୁ ଯାଏ ।  କେବେ ମନେ ପଡେ ତ ଠାକୁରଙ୍କ ଗୀତ ପଦେ ଅଧେ ତୁଂଡରେ ଗାଇଦିଏ ।  ସଂନ୍ଧ୍ୟା ହେଲେ ଫେରି ଆସେ ଘରକୁ । ତାପରେ ଭୋକ ବିକଳରେ ଖାଇଦିଏ । ଠାକୁରଙ୍କ ସନ୍ଧ୍ୟା ମଧ୍ୟ କରେ ନାହିଁ । ଦୋକାନରୁ ସଉଦା କରେ । ପିଲା ମାନେ ଅଝଟ କଲେ , ଗାଳି ଦିଏ । ଘରର କାମ ନକରି ଥିଲେ ମଧ୍ୟ ସ୍ତ୍ରୀ କୁ ଗାଳି ଦିଏ । ଶେଷରେ ଖାଦ୍ୟ ଖାଇ “ନାରାୟଣ ନାରାୟଣ” କହି ଶୋଇ ପଡେ ।  ୟେ ଥିଲା କେଶବର ନିତି ଦିନିଆ ଜୀବନ , ମହର୍ଷି ନାରଦ ଦ୍ୱନ୍ଦରେ ପଡିଲେ । କାଳେ କେତେ ବେଳେ ବୈଦିକ ମନ୍ତ୍ର ପଢି କେଶବ ପୂଜା କରୁଥିବ, ସାଧନା କରୁଥିବ , ତେଣୁ ପନ୍ଦର ଦିନ କାଳ ଲୁଚିକି ଦେଖିବାକୁ ଲାଗିଲେ । ହେଲେ ସବୁଦିନ ପରି କେଶବର ଦୈନନ୍ଦିନ ଜୀବନ ସମାନ ଥିଲା । ଦଃୁଖ ସୁଖର ସଂସାର ଭିତରେ “ନାରାୟଣ ନାରାୟଣ “ ଦିପଦ ବ୍ୟତୀତ କିଛି ଜାଣି ନଥିଲା ।


                         ମହର୍ଷି ନାରଦ କୂଳ କିନାରା ନପାଇ ରାଗରେ ବୈକୁଣ୍ଠ ପ୍ରତ୍ୟାବର୍ତନ କଲେ । ଆଖିରୁ ଲୁହ ଝରି ଆସୁଥାଏ ।  ପ୍ରଭୁ ନାରାୟଣ ମହର୍ଷି ନାରଦଙ୍କୁ ଚାହିଁ ଟିକେ ହସି ଦେଲେ । ମହର୍ଷି ନାରଦ ଆହୁରି ରାଗି ଗଲେ , ଆଉ ଅତ୍ୟନ୍ତ କ୍ଷୋଭର ସହ କହିଲେ “ପ୍ରଭୁ ମୁଁ ତୁମକୁ କେବେ ଦିନରାତି ମୋ ଅନ୍ତରରୁ ଅଲଗା କରିନି , ସଦା ସର୍ବଦା ତୁମର ନାମ ଜପୁଛି । ହେଲେ କେଶବ କିପରି ତୁମର ପ୍ରିୟ ହୋଇଗଲା । ଯେ ଜଣେ ସାଧାରଣ ଚାଷୀ ଟିଏ ।  ପୂଜା କିପରି ହୁଏ ସେ ଜାଣିନି ।ହେଲେ ମୁଁ ତୁମର କେମିତି ପର ହୋଇଗଲି । ଏହା ମୋ ପାଇଁ ଅତ୍ୟନ୍ତ ଅପମାନର ବିଷୟ ଅଟେ “ । ପ୍ରଭୁ ନାରାୟଣ ହସିବାକୁ ଲାଗିଲେ ।  କିଛି ସମୟ ପରେ ମହର୍ଷି ନାରଦଙ୍କୁ କହିଲେ “ମୋର ଏକ କାମ କରିଦେଇ ପାରିବ “ । ନାରଦ ଉତ୍ସୁକତା ସହ କହିଲେ “କି କାମ ପ୍ରଭୁ , ଆଦେଶ ଦିଅନ୍ତୁ । ପ୍ରଭୁ ନାରାୟଣ  କହିଲେ ବତ୍ସ ନାରଦ, ଏକ ତେଲ     ୂର୍ଣ୍ଣ ପାତ୍ର ନେଇ କରି ଯାଅ , ସାରା ବ୍ରହ୍ମାଣ୍ଡ ଚାରି ପଟେ ବୁଲି ଆସ । ହେଲେ ମନେରଖ ପାତ୍ରରୁ ତେଲ ଟିକେ ତଳେ ନ ପଡି ଯାଏ ।  ତେଲ ପଡିଲେ ଅଘଟଣ ସୃଷ୍ଟି ହେବ “ା ମହର୍ଷି ନାରଦ “ ଆଜ୍ଞା   ପ୍ରଭୁ “  କହି  ବ୍ରହ୍ମାଣ୍ଡ ପରିକ୍ରମା କରିବା ପାଇଁ ଚାଲିଗଲେ । ତେଲ ପୂର୍ଣ ପାତ୍ରକୁ ସଦା ସର୍ବଦା ଲକ୍ଷ ରଖିଥାନ୍ତି , କାଳେ ଟିକେ ବୁନ୍ଦେ କେଉଁଠି ତଳେ ପଡିଯିବ ।

                                ସାତ ଦିନ ପରେ ନାରଦ ବ୍ରହ୍ମାଣ୍ଡ ପରିକ୍ରମା ସମାପନ କରି ବୈକୁଣ୍ଠରେ ପହଂଚିଲେ ।   ହାତରେ ତେଲ ପୁର୍ଣ ପାତ୍ର ।  ନାରଦ କହିଲେ ପ୍ରଭୁ  ଆପଣଙ୍କ ତେଲପୂର୍ଣ ପାତ୍ର ନିଅନ୍ତୁ ।  ବ୍ରହ୍ମାଣ୍ଡ ପରିକ୍ରମା କରିବା ସମୟରେ ସଦା ସର୍ବଦା ମୁଁ ତେଲପାତ୍ର ଉପରେ ଧ୍ୟାନ ରଖିଥିଲି ।  ତେଣୁ ଏଥିରୁ ତେଲ ଟିକେ ବି ତଳେ ପଡିନି ।  ପ୍ରଭୁ ନାରାୟଣ  ଟିକେ ହସି କହିଲେ  ବତ୍ସ ନାରଦ. ଏହା ଅତି ଉତମ , ହେଲେ ସାତ ଦିନ ଭିତରେ ମୋର ନାମ କେତେ ଥର ନେଇଛ ?  ନାରଦ କହିଲେ     ପ୍ରଭୁ  , ନଜର ତ ସବୁ ବେଳେ ତେଲ ପାତ୍ର ଉପରେ ଥିଲା । ଆପଣଙ୍କ ନାମ ନେବି କେତେବେଳେ ? ଯଦି  ନାମ ତୁଣ୍ଡରେ ଧରିଥାନ୍ତି , ତେବେ ତେଲ ଢାଳି ହୋଇ ଯାଇଥାନ୍ତା ।     
                         ନାରାୟଣ ହସି ହସି କହିଲେ , ବତ୍ସ ନାରଦ, କେଶବ ଜଣେ କୃଷକ , କେତେ ବ୍ୟସ୍ତ ବହୁଳ  ଜୀବନ ତାହାର ,  ଜଣେ ଗୃହସ୍ଥର ଜୀବନର ଜଂଜାଳ ପୂର୍ଣ୍ଣ ଥିଲେ ମଧ୍ୟ ସେ ଦୈନନ୍ଦିନ ଜୀବନ ମଧ୍ୟରେ ମୋତେ ସ୍ମରଣ କରୁଛି । ବାସ୍ତବରେ ପ୍ରଭୁଙ୍କ ପ୍ରିୟ ହେବା ପାଇଁ କିଛି ସାଧନା ଓ ପୂଜାର ଆବଶ୍ୟକତା ନାହିଁ । ଏହା ପାଇଁ ପୂଜାର ଆବଶ୍ୟକୀୟ ସମୟ ମଧ୍ୟ ଦରକାର ନାହିଁ । କେବଳ ହୃଦୟରେ ଭକ୍ତି ଦରକାର , ଭଲ ପାଇବା ଦରକାର । ଯେ  ପର୍ଯ୍ୟନ୍ତ ମଣିଷ ଭଗବାନଙ୍କୁ ଭଲ ପାଇନି , ନିଜର କରିନି, ସେ ଭଗବାନଙ୍କ ପ୍ରିୟ ହେବ କିପରି ?  ହେଲେ ତୁମେ, ସାତ ଦିନରେ ଏତେ ବ୍ୟସ୍ତ ହୋଇଗଲ ଯେ , ମୋତେ ଭୁଲି ଗଲ । ହେଲେ କେଶବ ମୋତେ କେବେ ବି ଭୁଲିନି , ସଂସାରର  ବ୍ୟସ୍ତତା ମଧ୍ୟରେ । ତେବେ କୁହ ନାରଦ , ମୋର ପି୍ରୟ ଭକ୍ତ କିଏ ?  ନାରଦ ଲାଜରେ ମୁହଁ ତଳକୁ କରିଦେଲେ । ବାସ୍ତବରେ  ଭକତ ଭାବରେ ବଂଧାରେ , ସେତ ଭକତ  ଜୀବନ ଧନ  । ଭଗବାନଙ୍କ ପାଖରେ ଭକ୍ତ ପାଇଁ ଉଚ ନୀଚ, ଧନୀ  ଗରିବ ବାଛ ବିଚାର ନଥାଏ ।  
                 “ମଧୁ ନିର୍ମାଲ୍ୟ” ସା- ଭୋଦଳ,ପୋ-ପାଟସୁନ୍ଦରପୁର               କଟକ- ୧୮, \ìeûbûh-738 160 1800





No comments:

Post a Comment