ବାହୁଡ଼ା ଦଶମୀ ଓ ସିଦ୍ଧ ସନ୍ଥ ବାହୁଡ଼ା ଦାସ

ବଦ୍ରି ମିଶ୍ର ,ବରିଷ୍ଠ ସାମ୍ବାଦିକ
                        
ଓଡିଶାର ଧର୍ମ, ସଂସ୍କୃତି ଓ ଚେତନାରେ ଶ୍ରୀଜଗନ୍ନାଥ ଚିରକାଳ ରହସ୍ୟମୟ । ମଠ, ପୀଠ, ଭକ୍ତ ଓ ସାଧୁ ସନ୍ଥଙ୍କୁ ନେଇ ଅସଂଖ୍ୟ ଅଲୌକିକତା ଆଜି ବି ଜନମାନସରେ ଉଜ୍ଜୀବିତ । ସେହିଭଳି ଜଗନ୍ନାଥଙ୍କ ଜଣେ ପରମ ଭକ୍ତ ସନ୍ଥ ବାହୁଡ଼ି ଦାସଙ୍କ କଥା । ପ୍ରାୟ ୧୭୫୦ ଖ୍ରୀଷ୍ଟାବ୍ଦରେ ବାହୁଡ଼ା ଦଶମୀ ଦିନ କଟକ ଜିଲାନ୍ତର୍ଗତ ଖନ୍ଦୋଳ ଗ୍ରାମର ଏକ ଦଳିତ (ବାଉରି) ପରିବାରରେ ତାଙ୍କର ଜନ୍ମ ହୋଇଥିବା କୁହାଯାଏ । ବାହୁଡ଼ା ଦଶମୀରେ ଜନ୍ମ ହୋଇଥିବାରୁ ତାଙ୍କର ନାଁ ଦିଆଯାଇଥିଲା ବାହୁଡ଼ା ବା ବାହୁଡ଼ି । ବାଲ୍ୟ କାଳରୁ ସେ ଥିଲେ ଜଗନ୍ନାଥଙ୍କ ଜଣେ ବଡ଼ ଭକ୍ତ । କାୟ ମନୋବାକ୍ୟରେ ସେ ଶ୍ରୀଜଗନ୍ନାଥଙ୍କୁ ହିଁ ଧ୍ୟାନ, ମନନ ଓ ଚିନ୍ତନ କରୁଥିଲେ । ସାମାନ୍ୟ କିଛି ଅସୁବିଧା ସୁବିଧାରେ ସେ ଜଗନ୍ନାଥଙ୍କୁ ହିଁ ଡ଼ାକୁଥିଲେ ଓ ସବୁକିଛିକୁ ତାଙ୍କ ନିକଟରେ ସମର୍ପଣ କରିଦେଉଥିଲେ । ସବୁ ତାଙ୍କରି କୃପା ବୋଲି ସେ ବିଚାର କରୁଥିଲେ । ଜୀବିକା ନିର୍ବାହ ପାଇଁ ସ୍ଥାନୀୟ ଜମିଦାର ଭିଙ୍ଗାରପୁର ଚୌଧୁରୀଙ୍କ ଅଧୀନରେ ହଳିଆ (କୋଠିଆ) ଭାବେ କାର୍ଯ୍ୟ କରୁଥିବା ସନ୍ଥ ବାହୁଡ଼ି ଦାସ ଥିଲେ ଜମିଦାରଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଓ କର୍ମଠ କର୍ମଚାରୀ । ତେଣୁ ଅନ୍ୟ ହଳିଆଙ୍କ କାର୍ଯ୍ୟ ମଧ୍ୟ ତାଙ୍କ ମାର୍ଫତରେ ତଦାରଖ ହେଉଥିଲା । 
                       ଥରକର ଘଟଣା, ରାତି ପାହିଲେ ବୈଶାଖ ମାସ ଅକ୍ଷୟ ତୃତୀୟା । ଚାଷୀମାନଙ୍କ ବଡ଼ ପବିତ୍ରର ଦିନ । ଅକ୍ଷିମୁଠି ଅନୁକୂଳ ହେବ । ସମସ୍ତ ଚାଷୀଙ୍କ ପରି ଜମିଦାର ମଧ୍ୟ ବ୍ୟସ୍ତ ଥାନ୍ତି । ଜମିଦାରୀ ବ୍ୟବସ୍ଥାରେ ଅକ୍ଷିମୁଠି ଅନୁକୂଳ ଦିନ ହଳିଆମାନେ ବିଲରେ ବିହନ ବୁଣା ଅନୁକୂଳ କରି ଫେରିବା ପରେ ତାଙ୍କ ପାଇଁ ପ୍ରସ୍ତୁତ ନାନା ରକମ ବ୍ୟଞ୍ଜନ, ପିଠା, କ୍ଷୀରି ଆଦି ପରିବେଷିତ ହେଉଥିଲା । ନୂତନ ବସ୍ତ୍ରଟିଏ ବି ମିଳୁଥିଲା । ଏହି ଦିନକୁ ଚାଷୀମାନେ ମହାଆନନ୍ଦ ଉଲ୍ଲାସରେ କଟାଉଥିଲେ । ମାତ୍ର ଅକ୍ଷିତୃତୀୟା ପୂର୍ବ ରାତିରେ ସେଥର ବାହୁଡ଼ାଙ୍କୁ ହେଲା ପ୍ରବଳ ଜ୍ୱର । ଖାଲି ଜଗନ୍ନାଥଙ୍କୁ ଡ଼ାକୁଥାନ୍ତି ଓ କାନ୍ଦୁଥାନ୍ତି । “ହେ ସାଆନ୍ତେ ତୁମେ ସବୁରି ଉପରେ ବଡ଼ ସାଆନ୍ତ । ଆଉ ମୋ ଜମିଦାର ହେଲେ ମୋ ସାଆନ୍ତ । ଜ୍ୱର ଯୋଗୁ ଯଦି ଅକ୍ଷିମୁଠି ଅନୁକୂଳରେ କିଛି ବିଘ୍ନ ହେବ ତେବେ ଜମିଦାର ରାଗିବେ । କୋଠିଆ ଚାକିରୀ ଚାଲିଯିବ । ପିଲା ପରିବାର ବର୍ଷକ ଦାନା ପାଇବେ କିପରି ?” ଏମିତି ଏମିତି ସାରା ରାତି ବ୍ୟସ୍ତତା ଓ ଅନିଦ୍ରାରେ ବାହୁଡି ଦାସଙ୍କର କଟିଗଲା । ସକାଳ ହେଲା । ଜ୍ୱର କମି ନ ଥାଏ, ଦେହରେ ବଳ ପାଉ ନ ଥାଏ । ସେଇଥିରେ ଅକ୍ଷିମୁଠି ଅନୁକୂଳ ପାଇଁ ଯିବାକୁ ମନସ୍ଥିର କଲେ । ତଥାପି ସେଇ ଜ୍ୱରରେ ଗାଧୋଇପଡ଼ି ବାହାରିଲେ ଜମିଦାରଙ୍କ କୁଶକଂଟା ଖମାରକୁ । ସେଠାରେ ତାଙ୍କ ପରି ଆଉ ୯ଜଣ ହଳିଆ ବି ଜମିଦାରଙ୍କ ବଡ଼ ବଡ଼ ବଳଦ ଓ ହଳଲଙ୍ଗଳ ଧରି ପହଂଚି ଥାନ୍ତି ।
                                                ଉପରୁ ପ୍ରଚଣ୍ଡ ଖରାକୁ ଏଣେ ଦେହରେ ପ୍ରବଳ ଜ୍ୱରର ତାତି । ଜଗନ୍ନାଥଙ୍କୁ ଡ଼ାକି ଡ଼ାକି ହଳ ଧରିଲେ  ସିନା ହେଲେ ମାତ୍ର କେଇଥର ବଳଦକୁ ଅଡ଼ାଇଛନ୍ତି କି ନା ମୁଣ୍ଡ କ’ଣ ହୋଇଗଲା । ବିକଳରେ ହଳ ଛାଡି ବିଲ ହିଡ଼ ଉପରେ ଶୋଇଗଲେ । କେତେବେଳେ ତାଙ୍କ ଆଖି ଲାଗିଯାଇଛି ସେ ଜାଣିନାହାଁନ୍ତି । ଜମିଦାରଙ୍କ ଗୁମାସ୍ତା ସେଠାରେ ଉପସ୍ଥିତ ଥାଇ କିଛି ସମୟ ଲକ୍ଷ୍ୟ କଲେ ଯେ ୧୦ଟି ହଳ ବୁଲୁଛି । ମାତ୍ର ଗୋଟିଏ ହଳ ପଛରେ କେହି ହଳିଆ ନଥାଇ , ମନକୁ ମନ ହଳ ବୁଲି ଜମି ଚାଷ ହେଉଛି । ଖୋଜାପଡ଼ିଲା ଅନୁପସ୍ଥିତ ହଳିଆ ଜଣଙ୍କୁ । ଏ ଭିତରେ ଗୁମାସ୍ତା ଲକ୍ଷ୍ୟ କଲେ ଜଣେ କିଏ ବିଲ ହିଡ଼ରେ ଶୋଇଛି । ପାଖକୁ ଯାଇ ଦେଖିଲେ ସେ ଆଉ କେହି ନୁହଁ, ବାହୁଡ଼ି ଦାସ । ପ୍ରଚଣ୍ଡ ଖରାରେ ସେ ଯେଉଁଠି ଶୋଇଥିଲେ ତାଙ୍କର ଠିକ୍ ଉପରକୁ ଆକାଶରେ ଛତ୍ରୀ ଧରିବା ପରି ଏକ କଳାବାଦଲ ଘୁରି ବୁଲୁଛି । ଯାହାର ଛାଇ ହିଡ଼ ଉପରେ ଶୋଇଥିବା ବାହୁଡ଼ାଙ୍କ ଉପରେ ହିଁ ରହିଛି । କିନ୍ତୁ ଆକାଶରେ ବର୍ଷା କି ବାଦଲର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ । ଏପରି ବିସ୍ମୟଜନକ ଘଟଣା ଦେଖି ଗୁମାସ୍ତା ଜଣଙ୍କ ଶୋଇଥିବା ବାହୁଡ଼ାଙ୍କୁ ଡ଼ାକିବାରୁ ସେ ହଠାତ ଉଠି ପଡିଲେ । ନିଜ ଅଜାଣତରେ ହଳ ବୁଲାଇବାକୁ ଆସି ଶୋଇବା ପରି ଭୂଲ କରିଥିବାରୁ ଭୟରେ ଥରିଥରି କାନ୍ଦୁଥାନ୍ତି । ମାତ୍ର ଗୁମାସ୍ତା ତାଙ୍କ ଭୂଲ ଦେଖିବା ପରବର୍ତେ ଏହି ଅଲୌକିକତା ସଂପର୍କରେ ବାହୁଡ଼ାଙ୍କୁ ପଚାରିଲେ ।  ହେଲେ ଜଗନ୍ନାଥଙ୍କ ପରମ ଭକ୍ତ ବାହୁଡ଼ି ଦାସ ସରଳ ଭାବେ ଏସଂପର୍କରେ କିଛି ଜାଣି ନ ଥିବା ଓ ଜ୍ୱର ହେତୁ ହଳ ବୁଲାଇ ନ ପାରି ବିଲମୁଣ୍ଡରେ ଶୋଇପଡ଼ିଥିବା ସତ ମାନିଗଲେ । ମାତ୍ର ସତ କହିଥିଲେ ହେଁ ଭୟ ଥିଲା କାଳେ ଜମିଦାର ଏକଥା ଜାଣିଲେ ତାଙ୍କ ଚାକିରୀ ଚାଲିଯିବ । ତେଣୁ ଗୁମାସ୍ତାଙ୍କୁ କାନ୍ଦି ନେହୁରା ହେଲେ, ଅନୁରୋଧ କଲେ, ଶୋଇପଡ଼ିବା ସଂପର୍କରେ ସାଆନ୍ତଙ୍କୁ କିଛି କହିବେ ନାହିଁ । ହଳ ବୁଲାସରିଲା, ଖାଇବା ପତ୍ର ପଡ଼ିବା ବେଳକୁ ଗୁମାସ୍ତା ଜମିଦାରଙ୍କୁ ବାହୁଡ଼ାଙ୍କ ସଂପର୍କରେ ଏପରି ଅଲୌକିକତାର କାହାଣୀ ବଖାଣିଲେ । ଜମିଦାରଙ୍କ ପ୍ରଶ୍ନରେ ବାହୁଡ଼ା କିଛି ଉର ଦେଇ ନ ପାରି ଜଗନ୍ନାଥଙ୍କ ମହିମା ସ୍ମରଣପୂର୍ବକ ପୁଣି କାନ୍ଦି ପକାଇଲେ । ଆଖିରୁ ଧାରଧାର ଲୋତକ ବହୁଥାଏ । ସେ ଏହି ଘଟଣା କ’ଣ ବାସ୍ତବରେ ତାହା ଜାଣି ନ ଥିବା ପ୍ରକାଶ କଲେ । 
                               
ମହାନ୍ ସନ୍ଥ ଗୋସ୍ବାମୀ ବାହୁଡା ଦାସଙ୍କ ସମାଧି ପୀଠ
           ଜମିଦାର ବାହୁଡ଼ାଙ୍କ ଅଲୌକିକତା ଓ ତାଙ୍କ ପ୍ରତି ଜଗନ୍ନାଥଙ୍କ କରୁଣାର ଯେଉଁ ଝଲକ ଦେଖିଲେ, ସେଥିପାଇଁ ନିଜକୁ ଧନ୍ୟ ମନେକରିବା ସହିତ ହଳବୁଲୁଥିବା ସେହି ୧୨ ମାଣ ୧୨ ଗୁଣ୍ଠ ୧୨ ବିଶ୍ୱା ଜମିକୁ ସିରସ୍ତାରେ ବାହୁଡ଼ାଙ୍କ ନାମରେ ପଟ୍ଟା କରିଦେଲେ ଓ ବାହୁଡ଼ାଙ୍କ ପରି ଜଗନ୍ନାଥଙ୍କ ଜଣେ ପରମଭକ୍ତ ଠାରୁ ନିଜକୁ ତଳେ ଥିବା ସେହିଦିନ ଅନୁଭବ କଲେ । ଏହି ଘଟଣା ପରଠାରୁ ତାଙ୍କର ଅଲୌକିକ ମହିମା ଚତୁଃର୍ଦିଗରେ ପ୍ରଚାରିତ ହୋଇଗଲା । ବାହୁଡ଼ା ଦାସ ଜମିଦାରଙ୍କଠାରୁ ପାଇଥିବା ଏହି ଜମି ଉପରେ ଆଶ୍ରମଟିଏ କରି ରହିଲେ । ଜଗନ୍ନାଥଙ୍କୁ ଏକାଗ୍ର ଚିତରେ ଧ୍ୟାନ ଲଗାଇଲେ । ଏକଦା ଜଣେ ବ୍ୟକ୍ତି ତାଙ୍କ ଅଲୌକିକତାକୁ ପରୀକ୍ଷା କରିବାକୁ ଆସି ଆଶ୍ରମଠାରୁ କିଛି ଦୂରରେ ପରିହାସ ଛଳରେ ନିଜ ଗୋଡ଼ରେ ଏକ କନା ବାନ୍ଧିଲେ ଓ ଛୋଟେଇଛୋଟେଇ ଆଶ୍ରମରେ ପହଂଚିଲେ । ବାହୁଡ଼ାଙ୍କୁ ପଚାରିଲେ ଯେ ତାଙ୍କ ଗୋଡ଼ରେ କ’ଣ ହୋଇଛି ସେ ଚାଲିପାରୁନାହାଁନ୍ତି । ବାହୁଡ଼ା ଗୋଡ଼ରୁ କନା ଫିଟାଇବାକୁ କହିଲେ । କନା ଖୋଲିବା ବେଳକୁ ଗୋଡ଼ରେ ଏକ ବିରାଟ କ୍ଷତ ଓ ଏଥିରେ ପୂଜ, ରକ୍ତ ସହିତ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଥିଲା ବୋଲି ଆଜି ବି ଲୋକମୁଖରେ ପ୍ରଚାରିତ । ଏହି ବ୍ୟକ୍ତିଜଣଙ୍କ ଏଥିରେ ଛାନିଆ ହେବା ସହିତ ବାହୁଡ଼ାଙ୍କ ଶକ୍ତିରେ ବିସ୍ମିତ ଓ ଆଶ୍ରୟପ୍ରାର୍ଥୀ ହୋଇଥିଲେ । ସେ ମିଛ ବାହାନା କରିଥିବା ପାଇଁ ଭୂଲ ମାଗିବା ପରେ ଉକ୍ତ ବ୍ୟକ୍ତିଙ୍କୁ କନାବନ୍ଧା ଅବସ୍ଥାରେ ଯେଉଁଠୁ ଆସିଥିଲେ ସେହିଠାରେ ଫିଟାଇବାକୁ କହନ୍ତେ ଏହା ବ୍ୟକ୍ତି ଜଣଙ୍କ ପାଳନ କରିବାରୁ ଗୋଡ଼ ପୂର୍ବପରି ଅକ୍ଷତ ଥିବା ଦେଖିବାକୁ ମିଳିଥିଲା । ଆଉ ମଧ୍ୟ ଜନଶ୍ରୁତି ଅଛି ଯେ, ପ୍ରତିବର୍ଷ ଶ୍ରୀ ଗୁଂଡିଚା ଦିନ ତାଙ୍କ ଜନ୍ମଦିନ ଉପଲକ୍ଷେ ସେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର,  ପୁରୀ ଯାଉଥିଲେ । ଥରେ ସେ ଶ୍ରୀ ଗୁଂଡିଚା ଦିନ ପୁରୀ ଯାଉଥିବା ଲୋକମାନେ ଦେଖିଥିବା ଓ  ତାଙ୍କ ସହିତ କଥା ହୋଇଥିବା ବେଳେ ଫେରୁଥିବା ଲୋକଙ୍କୁ ସେ ଏକଥା କାହାକୁ ନ କହିବାକୁ ପରାମର୍ଶ ଦେଇଥିଲେ । ତେବେ କେଉଁଥିପାଇଁ ସେ ଏପରି କହିଥିଲେ ଏହି ଲୋକମାନେ ଏହାର କାରଣ ବୁଝି ନ ପାରି ସ୍ଥାନୀୟ ଅଂଚଳରେ ଘରକୁ ଫେରିବା ପରେ କହିବାରୁ ଜଣାପଡିଥିଲା ଯେ କେତେବେଳ ଠାରୁ ବାହୁଡ଼ାଙ୍କ ଦେହାନ୍ତ ହୋଇଗଲାଣି । ସେମାନେ ଏହା ବିଶ୍ୱାସ ନ କରି ଆଶ୍ରମକୁ ଆସନ୍ତେ ସତକୁ ସତ ତାଙ୍କ ମରଶରୀର କୋକେଇରେ ଲଦା ହେଉଥିବା ଦେଖିଥିଲେ । ତନ୍ମଧ୍ୟରୁ ଜଣେ ବାହୁଡ଼ାଙ୍କୁ ପୁରୀ ଯାଉଥିବା ଅବସ୍ଥାରେ ଏଇମାତ୍ର ଦେଖିଆସିଥିବା କହିଦେବାରୁ ତାଙ୍କର ବି ସେହିଦିନ ଦେହାନ୍ତ ହୋଇଥିଲା ବୋଲି କଥିତ ଅଛି । 
           ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧଙ୍କ ପରେ ବାହୁଡି ଦାସଙ୍କ ଜନ୍ମ ଓ ନିର୍ବାଣ ଦିବସ ଏକ ବୋଲି କେତେକ ଆଲୋଚକ ଓ ଗବେଷକ ମତବ୍ୟକ୍ତ କରିଥାନ୍ତି । ଜଗନ୍ନାଥଙ୍କୁ ତନ୍ତ୍ରର ଦେବତା ଭାବେ ମଧ୍ୟ ଉପାସନା କରାଯାଉଥିବା ବେଳେ ପଂଚସଖାଙ୍କ ମଧ୍ୟରୁ ଅଚୁ୍ୟତଙ୍କ ଅଣାକାର ଏକାକ୍ଷର ମନ୍ତ୍ର ପରି ବାହୁଡ଼ା ଦାସଙ୍କ ମଠରେ ଅନୁରୂପ ଏକାକ୍ଷର ମନ୍ତ୍ର ଦେଖିବାକୁ ମିଳେ । ଯାହାକି ଏସଂପର୍କରେ ଅଧିକ ଗବେଷଣାର ଆବଶ୍ୟକତା ଅଛି । ଏବେ ମଠରେ ଭକ୍ତ ବାହୁଡ଼ି ଦାସଙ୍କ ପ୍ରତିମୂର୍ତି ସହିତ ସେଠାରେ ଥିବା ୨ଟି (ଗୁରୁ ଶିଷ୍ୟ) ମାଟି ହୁଙ୍କା, ଗୋପୀନାଥ ଠାକୁର ଓ ଅନ୍ୟ ଠାକୁର ମୂର୍ତି , ପାଦୁକା ଆଦି ପୂଜା ପାଉଛନ୍ତି । ତେବେ ପୌଷ ଶୁକ୍ଳଦଶମୀ ବା ପବିତ୍ର ଶାମ୍ବ ଦଶମୀକୁ ତାଙ୍କ ତିରୋଧାନ ଦିବସ ଭାବେ ଆଶ୍ରମରେ ପାଳନ କରାଯାଇଥାଏ । ଏହିଦିନ ଏଠାରେ ବହୁ ଜନଗହଳି ମଧ୍ୟ ହୋଇଥାଏ । ବାହୁଡ଼ା ଦାସଙ୍କ ସଂପର୍କରେ ସବୁଠୁ ବଡ଼ ଅଲୌକିକତା ଓ ରହସ୍ୟମୟ ଘଟଣା ଏବେ ବି ଜନମାନସରେ ବିଦ୍ୟମାନ । ତାହାହେଲା ତାଙ୍କ ପୂଜା ପାଉଥିବା ଗାଦୀ ପାଖରେ ସ୍ତମ୍ଭାକାର ବଢ଼ୁଥିବା ୨ଟି ମାଟି ହୁଙ୍କା । ଗୋଟିଏ ବଡ଼ ଅନ୍ୟଟି ତା’ଠୁ ସାନ । କୁହାଯାଏ ଗୁରୁଶିଷ୍ୟ ପରମ୍ପରାରେ ଗୋଟିଏ ତାଙ୍କ ନିଜ ଗୁରୁଙ୍କର ଓ ଅନ୍ୟଟି ତାଙ୍କର । ଭକ୍ତ ବାହୁଡ଼ି ଦାସ ଗୁରୁ ଯୋଗୀ ଦାସଙ୍କ ଶିଷ୍ୟ ଥିବା ମଧ୍ୟ କେହି କେହି କହନ୍ତି । ତେବେ ମାଳିକାଲେଖାର ଉଦାହରଣ ଦେବାକୁ ଯାଇ କିଛି ଲୋକ କୁହନ୍ତି କଳିଯୁଗରେ- “ଗୁରୁଙ୍କ ନାମ ଗୋପ୍ୟ ହେବ, ଶିଷ୍ୟ ନାମଟି ପ୍ରଚାରିବ” କଥା ଥିବାରୁ ହୁଙ୍କା ମଧ୍ୟରୁ ବଡ଼ ହୁଙ୍କାଟି ଗୁରୁଙ୍କର ଓ ସାନଟି ଶିଷ୍ୟଙ୍କର ଯାହାକି ଅତ୍ୟନ୍ତ ଅବିଶ୍ୱସନୀୟ ଭାବେ ସାନବଡ଼ କ୍ରମରେ ଏବେ ବି ବଢ଼ି ଚାଲିଛି । ସବୁଠୁ ବିସ୍ମୟ ଯେ ଏହି ମାଟିହୁଙ୍କା ଯଦି ଉଇଙ୍କ ଦ୍ୱାରା ହେଉଛି ବୋଲି ଧରାଯାଏ ତେବେ ହୁଙ୍କାରେ ଗୁଡ଼ାଯାଇଥିବା ନୂତନ ବସ୍ତ୍ରରେ ବର୍ଷବର୍ଷ ଧରି ଉଇ ନ ଲାଗିବାର କାରଣ କ’ଣ ? ଏହାକୁ ଉଇ ଖାଉନାହାଁନ୍ତି କାହିଁକି ? ଯଦିଓ ହୁଙ୍କା ଗମ୍ଭୁଜ ଆକାରରେ ବଢ଼ିଚାଲିଛି । ଅପରପକ୍ଷରେ ଯଦି ହୁଙ୍କାରେ ଉଇ ନାହାଁନ୍ତି ତେବେ ଏହା ଉପରକୁ ବଢ଼ୁଛି କିପରି ? ତେଣୁ ଏହା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ପରମଭକ୍ତ ବାହୁଡ଼ାଙ୍କ ଶରୀର ବିହୀନ ଆତ୍ମାର ଅଲୌକିକ ଉପସ୍ଥିତି ଯେ ଏବେ ବି ବିଦ୍ୟମାନ ତାହା ପରମ ଲୋକ ବିଶ୍ୱାସ ରହିଛି । 
                       ବାହୁଡ଼ି ଦାସଙ୍କ ପରେ ମଠର ତତ୍ୱାବଧାରକ ଭାବେ ସନ୍ଥ ଅରକ୍ଷିତ ଦାସ ଦାୟିତ୍ୱ ତୁଲାଉଥିଲେ । ଅନେକ ରୋଗ ଉପଶମ ପାଇଁ ଲୋକେ ସେହି ମଠକୁ ଆସୁଥିଲେ । ମଠ ପୋଖରୀରେ ବୁଡ଼ି ଗେଣ୍ଡା, ଶାମୁକା ଆଦି ଯାହା ପାଇବ ତାହା ଖାଇବାକୁ ହୁକୁମ ହେଉଥିଲା ଓ ଏଥିରେ ତକ୍ରାଳ ରୋଗ ଭଲ ହେଉଥିଲା ବୋଲି ଲୋକେ କହନ୍ତି । ଏମିତିକି ଜରୁଆ ରୋଗୀକୁ ବି ପାଣିରେ ବୁଡ଼ି ଗାଧୋଇବାକୁ କୁହାଯାଉଥିଲା । ଜମିଦାର ଭିଙ୍ଗାରପୁର ଚୌଧୁରୀଙ୍କ ଦାନ ଜମି ବାହୁଡ଼ା ଦାସ ମଠର ମୁଖ୍ୟ ସଂପତି  ହୋଇଥିବା ବେଳେ ଏଥିରୁ ବହୁଅଂଶ ଏବେ ଜବରଦଖଲରେ ଗଲାଣି । ଯଦିଓ ସାଂସଦ ଓ ବିଧାୟକ, ପୂର୍ବତନ ବିଧାୟକମାନଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରେ ଏଠାରେ କିଛିଟା ଉନ୍ନୟନ ହୋଇଛି ତଥାପି ତାହା ସମୁଦ୍ରକୁ  ଶଂଖେପରି ଓ ଆଖିଦୃଶିଆ ନୁହେଁ ।  ଦଳିତମାନଙ୍କର ଏହା ଏକ ମୁଖ୍ୟ ପୀଠ ହୋଇଥିଲେ ହେଁ ସବୁଦିନେ ଏଠାକୁ ବିଭିନ୍ନ ସଂପ୍ରଦାୟର ଲୋକେ ଆସିଥାନ୍ତି । ପୀଠକୁ ଭଲ ରାସ୍ତାଟିଏ ନାହିଁ । ଏସଂପର୍କରେ ଅଧିକ ଗବେଷଣା ପାଇଁ ଏଠାରେ ଏକ ପାଠାଗାର ଓ ମୁ୍ୟଜିୟମର ଆବଶ୍ୟକତା ରହିଛି । ପୀଠ ପୋଖରୀର ଉନ୍ନୟନ ଆବଶ୍ୟକ । ଫଳ, ଫୁଲ ଓ ଚାରା ବୃକ୍ଷ ରୋପଣ କରାଗଲେ ପୀଠର ସୌନ୍ଦର୍ଯ୍ୟ ବୃଦ୍ଧି ପାଆନ୍ତା । ବ୍ରାହ୍ମଣଝରିଲୋ-ଗବବସ୍ତ ପିଚୁ ସଡ଼କରେ ବ୍ରାହ୍ମଣଝରିଲୋ ବଜାରରୁ ମାତ୍ର ୨ କି.ମି ଆସିଲେ ପ୍ରାୟ ୨୦୦/୩୦୦ ମିଟର (ମୁଖ୍ୟରାସ୍ତାରୁ) ଦୂରରେ କୁରାଙ୍ଗ ପ୍ରଧାନ ପଂଚାୟତ ଅନ୍ତର୍ଗତ କୁଶକଂଟା ଠାରେ ଏହି ପୀଠ ରହିଛି । ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲେ ବହୁ ପର୍ଯ୍ୟଟକ ଆସିପାରନ୍ତେ ଓ ଏହି ଅଲୌକିକ ମାଟି ହୁଙ୍କାର ରହସ୍ୟ ନିଜେ ଦର୍ଶନ କରିପାରନ୍ତେ ବୋଲି ବହୁ ମତ ପ୍ରକାଶ ପାଉଛି ।


                                          ସମାଜ(ନିଜ ପ୍ରତିନିଧି ), କଂଟାପଡା

No comments:

Post a Comment