ପ୍ରାଚୀ ସାହିତ୍ୟରେ ସନ୍ଥ ଗୋସ୍ୱାମୀ ବାହୁଡା

ଗିରୀଶ ଚନ୍ଦ୍ର ନାୟକ
                            ଇତିହାସରୁ ଜଣାଯାଏ ଦ୍ୱାଦଶ ଶତାବ୍ଦୀରେ ଉକ୍ରଳର ନରପତିମାନେ ସୁଶାସକ ଥିଲେ । ଏହି ସମୟରେ ଉକ୍ରଳର କଳା ଭାସ୍କର୍ଯ୍ୟ ସ୍ଥାପତ୍ୟ ଓ ଚାରୁକଳାରେ ଉକ୍ରର୍ଷତା ପ୍ରତିପାଦିତର ଚରମସୀମାରେ ଥିଲା । ଓଡିଆ ଜାତିର କୋଣାର୍କ  ଓ ପୁରୀର ଜଗନ୍ନାଥ ମନ୍ଦିରର ମନ୍ଦିର ମାଳିନୀ ଭୁବନେଶ୍ୱରରେ ମନ୍ଦିର ମାନଙ୍କରେ ନିହାଣ ମୁନରେ ଜୀବନ୍ତ ଚାରୁକଳା ଭାସ୍କର୍ଯ୍ୟ ଶହ ଶହ ବର୍ଷ ଆଜି ବି ମୁଣ୍ଡ ଟେକି ରହିଅଛି । କର୍ପୁର ଉଡିଯାଇଛି ସତ, କିନ୍ତୁ କନା ପଡି ରହିଛି । ଦ୍ୱାଦଶ ଶତାବ୍ଦୀ ପର ଠାରୁ ପଂଚ ଶତାବ୍ଦୀ ମଧ୍ୟରେ ଓଡିଶାକୁ ସୁବର୍ଣ୍ଣ ଯୁଗ କୁହାଯାଏ । ପଂଚ ଶତାବ୍ଦୀ ପର ଠାରୁ ଓଡିଶାର ନରପତି ମାନେ ଦୁର୍ବଳ ଏବଂ ପୂର୍ବ ସୂରି ପରି ଶୌର୍ଯ୍ୟ, ବୀର୍ଯ୍ୟ, ଗାରିମା ପ୍ରଭାବଶୀଳ ହୋଇ ପାରିଲେ ନାହିଁ ।
                                        ୧୫୩୮ ମସିହାରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ମୃତୁ୍ୟ ପରେ ପରେ ଓଡିଶାର ଦୁର୍ଗତି ମାଡି ଆସେ । ସାରା ରାଜ୍ୟରେ ଅରାଜକତା ବ୍ୟାପି ଯାଇଥିଲା । ପ୍ରତାପରୁଦ୍ର ଦେବଙ୍କ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ରାଜ୍ୟ ସିଂହାସନ ଦଖଲ କରି ନୂତନ ରାଜବଂଶ ଭାବରେ ଭୋଇ ବଂଶର ପ୍ରତିଷ୍ଠା କରିଥିଲେ । ପଂଚଦଶ ଶତାବ୍ଦୀର ନରପତି କପିଳେନ୍ଦ୍ର ଦେବଙ୍କ ସମୟରେ ଓଡିଆ ଜାତିର ଯେଉଁ ଗୌରବ ଗାରିମା ଓ ଖ୍ୟାତି ଯଶ ଥିଲା । ତାହା ପ୍ରତାପରୁଦ୍ରଙ୍କ ଠାରୁ ନିମ୍ନଗାମୀ ହେବାକୁ ଲାଗିଲା । ସାଧାରଣ ଜନତା ଆଶା ଭରସା ହରାଇ ରାହା ଖୋଜୁଥିଲେ । ଓଡିଆ ଜାତି ଦିଗହରା ହୋଇ ଏକ କଷ୍ଟକର ଅତ୍ୟନ୍ତ କଠିନ ସମୟ ମଧ୍ୟରେ ଗତି କରି ଚାଲିଥାଏ । ଏହି ଘଡି ସନ୍ଧି ମୁହୂର୍ତ୍ତ,ଦୁର୍ବଳ ମାନସିକତା ଓ ଅନିଶ୍ଚିତତାର ପରିବର୍ଦ୍ଧିତ ସମାଜରେ ପରିବର୍ତ୍ତନର ଆବଶ୍ୟକ ହେଲା  । ଯାହା ଏହି ସାଧାରଣ ଜନତାଙ୍କୁ ବଂଚିବାର ରାହା ଯୋଗାଇ ଦେଇଥିଲା । ଆରମ୍ଭ ହୁଏ ଷୋଡଶ ଶତାବ୍ଦୀ, ତାହା ସଂଗେ ସଂଗେ ନୂତନ ଯୁଗର ଅୟମାରମ୍ଭ ; ସୃଷ୍ଟି ହେଲା ଭାବ, ଭକ୍ତି ଓ ତତ୍ତ୍ୱ ଜ୍ଞାନ ରସର ଝଙ୍କାରର ଯୁଗ । ନୂତନ ଇତିହାସ ନୂତନ ଅଧ୍ୟାୟ ଭାବ ଭକ୍ତିତ୍ତତତ୍ତ୍ୱଜ୍ଞାନ ରସର ଝଙ୍କାରର ଝଡ । କବିମାନେ ଲେଖନୀରେ ଓଡିଆ ଜାତିର ପ୍ରାଣରେ ଭରିଦେଲେ । ମୃତୁ୍ୟ ସଂଜୀବନୀଯୁକ୍ତ ସନ୍ଥମାନେ ସୃଷ୍ଟି କଲେ ନୂତନ ଇତିହାସ । ସାହିତ୍ୟର ଇତିହାସ । ଏହି ସାହିତ୍ୟ ହିଁ ଓଡିଆ ପ୍ରାଣରେ ଆଣିଦେଲା ନୂତନ ଜୀବନୀ ଶକ୍ତିର ସଂଚାର ଓ ଆଶା । ସାଧାରଣ ଜନତା ଭିତରେ ସୃଷ୍ଟି ହେଲା ଆତ୍ମ ବିଶ୍ୱାସର ପ୍ରତ୍ୟୟ । ସାହିତ୍ୟ ହିଁ  ଆଣି ଦେଲା ଶକ୍ତି, ବଂଚିବାର ଅଭିନବ ସାମର୍ଥ୍ୟ ଓ ଓଡିଆ ଜାତିର ଜନ ଜାଗରଣ । ଆରମ୍ଭ ହେଲା  ଭକ୍ତି ଭାବର ଜନ ଜାଗରଣ । ଅସାଧାରଣ ଭାବରେ ଭକ୍ତି ସାହିତ୍ୟର ବିକାଶ, ଆଧ୍ୟାତ୍ମିକ, ତାତ୍ତ୍ୱିକ,ଜ୍ଞାନ ଓ ଭକ୍ତି ରସର ପ୍ଲାବନରେ ଓଡିଆ ଜାତିକୁ ଆଣିଦେଲା ନୂତନ ମାର୍ଗ ଦର୍ଶନ ।
                                   ଏହି ଭକ୍ତିଭାବର ନବ ଜାଗରଣରେ  ସନ୍ଥ ମାନଙ୍କର ପ୍ରଭାବ କାୟା ବିସ୍ତାର କରେ । ଓଡିଆ ସାହିତ୍ୟକୁ ସନ୍ଥ ମାନେ ସମାଜର ନିମ୍ନ ଶ୍ରେଣୀରେ ଜାତ ହେଲେ ମଧ୍ୟ ସେମାନେ ସାରା ବସୁଧାକୁ କୁଟୁମ୍ବ ମନେ କରି ସର୍ବଦା ଜନ ମଙ୍ଗଳ କାର୍ଯ୍ୟରେ ନିୟୋଜିତ ଥାନ୍ତି । ସନ୍ଥମାନେ ସର୍ବଦର୍ଶୀ । ସେମାନେ ପୂର୍ଣ୍ଣ ଶ୍ରଦ୍ଧା ସହିତ ସବୁ ବାଟକୁ ଆପଣାଇ ନିଅନ୍ତି । ସନ୍ଥମାନଙ୍କୁ ନିର୍ଗୁଣ ଭକ୍ତି ଭାବ ମାର୍ଗର ସାଧକ ଏବଂ ସେମାନଙ୍କ ସାହିତ୍ୟକୁ ନିର୍ଗୁଣ ଭକ୍ତି ମାର୍ଗର  ସାହିତ୍ୟ କୁହାଯାଏ ।  ସ୍ୱ  ଅନୁଭୁତିରୁ ହିଁ ସାଧକ ସନ୍ଥ ହୁଏ  । ଏହି ସ୍ୱ ଅନୁଭୁତି ହେଉଛି ସତ୍ୟ ଅନୁସନ୍ଧାନର ସର୍ବୋତମ ଫଳ ।  ସନ୍ଥ ମାନଙ୍କ ମତରେ ହୃଦୟର ଐକାନ୍ତିକ ପ୍ରେମ ସାଧନା ମନ ଭାବ ଓ ଭକ୍ତିରେ ପୂର୍ଣ୍ଣ ହେବା ଆବଶ୍ୟକ  । ଏହା କେବଳ ଭାବ ମାର୍ଗର ବିଷୟ । ଏକନିଷ୍ଠତା, ସର୍ବସ୍ୱ ସମର୍ପଣ, ତନମନ ପବିତ୍ରୀ କରଣ ଏବଂ ଅଖଣ୍ଡ ଆତ୍ମ ବିଶ୍ୱାସ ବିନା ପରାମାତ୍ମାଙ୍କ ସାକ୍ଷାତ ସାନିଧ୍ୟ ଓ ଶ୍ରଦ୍ଧା ମିଳି ପାରେନା । ପ୍ରେମ ରସରେ ମତ ହୋଇ, ଯେ ଜନ୍ମ ମୃତୁ୍ୟକୁ ଏଡାଇ ଦେଇପାରେ ସେ ହିଁ ନିର୍ମଳ ଭକ୍ତି ରସ ପାଇଥାଏ । ସମସ୍ତ ଦୁଃଖ ଓ ଜଂଜାଳ ମଧ୍ୟରେ ସ୍ଥିତପ୍ରଜ୍ଞ ଭାବରେ ଅବସ୍ଥାନ କରି ପରମ ପୁରୁଷଙ୍କ ସାନିଧ୍ୟକୁ କେବଳ ସନ୍ଥ ହିଁ ସମର୍ଥ । ସାର୍ମଥ୍ୟ, ଗର୍ବୀ ଦମ୍ଭ, ଓ ମାନ ଅଭିମାନ ଠାରୁ ଦୂରେଇ ରହି ନିଷ୍କାମ ଭାବରେ ଅବସ୍ଥାନ କରେ ସନ୍ଥ । ସନ୍ଥ ମାନଙ୍କ ମନ ଓ ହୃଦୟ ବିଶାଳ । ତାଙ୍କ ମତରେ ସମସ୍ତ ଜୀବ ଜଗତ  ପରମାତ୍ମାଙ୍କ ଠାରୁ ଜାତ । ଆମ୍ଭେ ସମସ୍ତେ  ପରମାତ୍ମାଙ୍କ ସନ୍ତାନ । ସୁତରାଂ ଆମ୍ଭ ମଧ୍ୟରେ କୌଣସି ଭେଦଭାବ ନ ରହିବା ଉଚିତ । ସନ୍ଥ ମାନଙ୍କର ଜାତି ଅଭିମାନ ନ ଥାଏ । ଯାହା ପାଖରେ ପି୍ରୟ ଅପ୍ରିୟ, ଅନୁକୂଳ ଓ ପ୍ରତିକୂଳ, ସୁଖ ଦୁଃଖ ଓ ଭୂତ ଭବିଷ୍ୟତ ଏକାକାର ସେ ହିଁ ଜ୍ଞାନୀ ଅଟେ । 
                                 ସନ୍ଥ ଓ ମହାପୁରୁଷ:   ସନ୍ଥ ମାନେ ସମାଜରେ ସଦା ସର୍ବଦା ଆଦରଣୀୟ, ଶ୍ରଦ୍ଧା ଓ ସମ୍ମାନର ପାତ୍ର । ସେମାନଙ୍କର ଜନ କଲ୍ୟାଣ ଜନ ହିତକର କର୍ମ ହିଁ ଉଚ୍ଚ ସ୍ଥାନ ଦିଏ । ଅନେକ ମହାପୁରୁଷ ମାନେ ନୀଚ୍ଚ କୂଳରେ ଜାତ ହୋଇଥିଲେ ମଧ୍ୟ ସେମାନେ ନମସ୍ୟ । ଯଥା ୧-କବୀର (ଝୋଲିଆ ତନ୍ତୀ), ୨-ମହାରାଷ୍ଟ୍ରର ନାମ ଦେବ (ଦରଜୀ), ୩- ତୁକାରାମ (ଦୋକାନୀ), ୪- ରୈ ଦାସ (ମୋଚି), ୫-ରଖନ (ମୁସଲମାନ ସର୍ଦ୍ଧାର), ୬- ଆଗ୍ରାର ଅନ୍ଧ ସୁର ଦାସ (ଭାଟକବି), ୭-ଗୁଜୁରାଟର ଅଖେ (ବଣିଆ) ଦାହ ତୁଳାଭିଣା,୯- କର୍ଣ୍ଣାଟକର କନକ ଦାସ (ମେଣ୍ଢା  ଚରାଳି), ୧୦-ବଙ୍ଗଳାର ରାମ ପ୍ରସାଦ ବୌଦ୍ଧ, ୧୧- ସେନ୍ନା (ଭଣ୍ଡାରି), ୧୨-ଓଡିଶାର ଶାରଳା ଦାସ (କୃଷକ), ୧୩-ବଳରାମ ଦାସ (ବାଉରୀ ବୈଷ୍ଣବ), ୧୪- ବାଲି ଗାଁ ଦାସିଆ (ବାଉରୀ),୧୫- ଯାଜପୁରର ହାଡି ଦାସ (କମାର), ୧୬-ଚୈତନ୍ୟ ଦାସ (ମାଳୀ), ୧୭- ସିଦ୍ଧ ଗିରିର ହାଡି ଦାସ  ସନ୍ଥ ଅଭିରାମ ପରମହଂସଙ୍କର ଗୁରୁ  (ତନ୍ତୀ), ୧୮ - ଅନ୍ଧ ଭୀମ ଭୋଇ (କନ୍ଧ) ୧୯- ଆର୍ତ ଦାସ,(ଚଷା) ଓ ୨୦-ସନ୍ଥ ବାହୁଡା ଦାସ (ବାଉରୀ)  । ସନ୍ଥ ମାନେ ହେଉଛନ୍ତି “ଅପଢା ପଣ୍ଡିତ” । ସେମାନଙ୍କ ମଧ୍ୟରୁ ଅନେକ ବିଦ୍ୟା ଶିକ୍ଷା ନ କରି ଥିଲେ ମଧ୍ୟ ସେମାନେ ବହୁ ଗୁଣ ଓ ଅମାପ ଜ୍ଞାନର ଅଧିକାରୀ  ଥିଲେ । ସେମାନଙ୍କ ରଚିତ ତତ୍ୱ ଜ୍ଞାନ, ସୁକ୍ଷ୍ମ ଜ୍ଞାନକୁ ଆଜିର ବିଜ୍ଞାନୀ ମାନେ ଭେଦ କରି ପାରି ନାହାନ୍ତି । ୟେ ଜ୍ଞାନ ଅତି ଆଶ୍ଚର୍ଯ୍ୟ ଜନକ ବିଷୟ ବସ୍ତୁ । ସତରେ ଏହାକୁ ଭାବିଲେ କୁଳ କିନାରା ମିଳେନା । ସନ୍ଥ ମାନଙ୍କ ମତରେ ଭକ୍ତ, ଭଗବାନକୁ ଭୁଲି ଯାଇ ପାରେ । କିନ୍ତୁ ଭଗବାନ ଭକ୍ତକୁ ଛାଡନ୍ତି ନାହିଁ । ଯେପରି “ବାଛୁରୀ” ଗାଈକୁ ଛାଡି ଇତସ୍ତତଃ ଡିଆଁ ମାରେ । ହେଲେ ଗାଈ ତାର ବାଛୁରୀକୁ ଛାଡି ଯାଏନା । ସେହି ପରି ଭକ୍ତ ଓ ଭଗବାନଙ୍କ ସଂପର୍କ ଅତି ନିବିଡ ଡୋରିରେ ବନ୍ଧା ହୋଇଥାଏ ।
                                                       ସନ୍ଥ ମାନଙ୍କର ବାସ୍ତବ ଜୀବନ ଅତ୍ୟନ୍ତ କଠିନ, ଦୟନୀୟ ଓ ଦୁର୍ବିସହ ଅଟେ । ସେମାନେ ସତେ ଯେପରି ଶାମୁକାରୁ ମୁକ୍ତା ଅନ୍ଧକାର ମଧ୍ୟରେ ଆଲୋକ ବର୍ତିକା । ତାଙ୍କର ସାଧୁତା, ଦୟା, କ୍ଷମା ଉଦାରତା ଓ କର୍ମ ପ୍ରେରଣା ହିଁ ତାଙ୍କୁ ଅତି ମାନବ କରିଛି । ସେମାନଙ୍କର କର୍ମ ଓ ଆଚରଣ ବ୍ୟବହାର ଚଳଣି ଏକା ପରି । ତାଙ୍କ ଠାରେ  ଆମ୍ଭେ ଅନୁଭବ କରୁ । ପରମାତ୍ମାଙ୍କ ଗୁଣ, ସନ୍ଥ ହିଁ ଆମର ପରମାତ୍ମା । ସେମାନେ ପରମ ପୂଜ୍ୟ ଓ ଚିର ନମସ୍ୟ । ଯେପରି  ଲୁହାଟି ଚୁମ୍ବକର  ସଂସ୍ପର୍ଶରେ ଆସି ଚୁମ୍ବକରେ ପରିଣତ ହୁଏ । ସେହିପରି, ସାଧୁ ସନ୍ଥ ମାନେ ପରମାତ୍ମାଙ୍କ ସାନିଧ୍ୟରେ ଗୁୁଣମୟ ହୋଇ, ଆମର ଅଗତିର ଗତି ମୁକ୍ତିର ପଥ ପ୍ରଦର୍ଶକ ହୋଇ ମଣିଷ ସମାଜର ଦେବଦୂତ ହୋଇଥାନ୍ତି ।
ସେ ସମୟରେ  ସନ୍ଥମାନେ ସମାଜରେ ସମ କାଳୀନ ଧର୍ମ ବିଚାର ଧାରା ଦର୍ଶନ ବା ଜୀବନର ନୀତି ସଂପର୍କରେ ଦୃଢ ମୂଳ ଭିତ୍ତି ଭୂମି ସ୍ଥାପନ କରି ପାରିଥିଲେ । ମୂଳ ଲକ୍ଷ ଥିଲା କଥିତ ଭାଷାରେ ସରଳ କାବ୍ୟ ରଚନା । ଲୋକ ଚରିତ୍ରର ବିକାଶ, ଲୋକଙ୍କ ମନରେ ଆତ୍ମ ବିଶ୍ୱାସ ଆଣିବା ପାଇଁ ଧର୍ମ ଓ ଜୀବନ ଦର୍ଶନ ରହସ୍ୟକୁ ଜାଣିବା ଏହି ରହସ୍ୟମୟ ତତ୍ୱରୁ ତତ୍ୱ ସାହିତ୍ୟର ସୃଷ୍ଟି । ସେହି ତତ୍ତ୍ୱ ସାହିତ୍ୟରୁ ଗୋଟିଏ ଗୋଟିଏ ବିଚାରଧାରାର ପ୍ରବାହ ଆରମ୍ଭ ହୁଏ । ତତ୍ତ୍ୱ ଓ ଚେତନାର ଯୁଗ ପିଣ୍ଡ ଓ ବ୍ରହ୍ମାଣ୍ଡ ନେଇ ତାତ୍ତ୍ୱିକ ଗବେଷଣାକୁ ତତ୍ତ୍ୱ କୁହାଯାଏ । ଏହି  ଜ୍ଞାନର ମୂଳ ସୂତ୍ର ପରମ୍ ବ୍ରହ୍ମକୁ ଜାଣିବା ଏବଂ ତାଙ୍କର ଶରଣାଗତ ହୋଇ ମୁକ୍ତିର ପଥ ଖୋଜିବା ।
“ୟେ ସର୍ବ ମିଥ୍ୟାହେ ଅର୍ଜୁନ
ମୁଇଁ ସତ୍ୟ ଜ୍ଞାନୀ ନିର୍ଗୁଣ”
ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ସନ୍ଥ ଦେହ (ଘଟ)କୁ ପୃଥିବୀ ସହିତ ତୁଳନା କରି ଯାହା ଘଟୁଛି, ଘଟରେ ତାହା ଅଛି ଆମ୍ଭ ପୃଥିବୀରେ ।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ ,
ୟେ ଜୀବନ ପଛେ ନର୍କେ ପଡିଥାଉ, 
ଜଗତ ଉଦ୍ଧାର ହେଉ” ।
ଦରଦୀ  ଅନ୍ଧ ସନ୍ଥ କବି ଭୀମ ଭୋଇ କେତେ ଦରଦୀ, କେତେ ଚିନ୍ତାର୍ଥୀ, ସମାଜର ଦଳିତ ଲାଂଛିତ, ନିପୀଡିତ ଜନତାର ଦୁଃଖ ଓ ଯନ୍ତ୍ରଣାକୁ ନିଜ ସହିତ ମିଶାଇ ଦେଇ ମାନବିକତା ଓ ସାଧୁତାର ପରିଚୟ ଦେଇଛନ୍ତି । ୟେ ଦୁଃଖୀ ମଣିଷଙ୍କ ପାଇଁ  ନିଜକୁ ସାମିଲ କରି ମହା ମାନବିକତା ପ୍ରଦାନ କରି  ଆମ୍ଭକୁ ଅନ୍ଧତ୍ୱରୁ ଆଲୋକର ଚେତନା  ଭରି ଦେଇଛନ୍ତି ।  ସତରେ ଧନ୍ୟ ତୁମ୍ଭେ ସନ୍ଥ କବି । ତାଙ୍କର ମାନବିକତା ଗୁଣ ସହିତ  ତତ୍ୱ ଜ୍ଞାନ ମଧ୍ୟ ଗଭୀର ।
“ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ,
ମାରିବ ଶୂନ୍ୟ ଲହଡି ଥୟ ନୋହିବ ।”
                                       ସନ୍ଥ ଗୋସ୍ୱାମୀ ବାହୁଡା ଦାସ ଜଣେ ଜଗନ୍ନାଥଙ୍କର ଅବତାର ପୁରୁଷ ଥିଲେ । ତାଙ୍କର ଜନ୍ମ ହୁଏ ବାଉରି ପରିବାରରୁ ।୧୭୫୦ ମସିହାରେ ସେ ଥିଲେ ଅପଢା ପଣ୍ଡିତ । ଯେଉଁ ସମୟରେ ଓଡିଶାରେ ଭକ୍ତି ମାର୍ଗର ବିକାଶ ହେଉଥିଲା । ସେହି ତତ୍ତ୍ୱ ସାହିତ୍ୟର ଜଣେ ବିନ୍ଧାଣୀ ଥିଲେ । ତାଙ୍କର ନିଷ୍କାମ କର୍ମ ଓ  ଯୋଗ ବଳରେ ସେ ଅସାଧ୍ୟକୁ ସାଧ୍ୟ କରିଥିଲେ । ତାଙ୍କର ଗଭୀର ଭକ୍ତି ଏକ ନିଷ୍ଠ ସାଧନା ବଳରେ ଗଭୀର ଜ୍ଞାନର ଅଧିକାରୀ   ଥିଲେ । ତାଙ୍କର ଚିନ୍ତା ଚେତନା ଏବଂ ବିଚାରଧାରାରୁ ଏକ ଧର୍ମ ସୃଷ୍ଟି କରିଯାଇଛନ୍ତି । ମହା ଭୋଇ କୁଳ ମହାନ୍ ଜ୍ୟୋତି ପରି ଆଦି ମହାଭୋଇ କୁଳ ତାଙ୍କ ପ୍ରଚଳିତ ଧାରାରେ ଆଜି ଯାଏ ଚାଲୁଛି ଏବଂ ଚାଲିଥିବ । ମହାନ୍ ସମାଜ ସଂସ୍କାରକ କାର୍ଯ୍ୟ ଆଜି ଯାଏ ଭୋଇମାନଙ୍କୁ ଏକତା ସୁତ୍ରରେ ବାଂଧି ରଖଛିି । ୟେ ଜାତିରେ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନ, ତାଙ୍କର ଅବଦାନ । ଯେଉଁ ସମୟରେ ଅରାଜକତା, ଅନ୍ଧ ବିଶ୍ୱାସ, ଅବିଶ୍ୱାସ, କୁସଂସ୍କାର ଓ ଘୃଣ୍ୟ ଜାତି ପ୍ରଥାର ଛୁଆଁ ଅଛୁଆଁର ବିଷ ବଳୟ ଘେରି ରହିଥିଲା । 
                                                       ସେହି ଅନ୍ଧକାର ମୁହୁର୍ତରେ ସନ୍ଥ ବାହୁଡାଙ୍କ ଆବିର୍ଭାବ  ଓ ଚିନ୍ତା  ଚେତନାର ବିଚାର ଧର୍ମ ଏକ ଧର୍ମ ସୃଷ୍ଟି କରି ମହାଭୋଇ କୁଳର ଜ୍ୟୋତି ହୋଇ ଆଲୋକିତ କଲେ । ସେ ଥିଲେ ଏକାଧାରରେ ସନ୍ଥ କବି, ସମାଜ ସଂସ୍କାରକ, ଯୁଗ ପ୍ରବର୍ତକ ଓ  ପ୍ରଚଣ୍ଡ  ଜ୍ଞାନର  ପ୍ରତିଭା । ଭୋଇ କୁଳରେ ବାହୁଡା ଦାସଙ୍କ ଆବିର୍ଭାବ ହୋଇ ନ ଥିଲେ, ୟେ ସମାଜ ଲୋପ ପାଇ ଯାଇଥାନ୍ତା  କିମ୍ବା ଆକ୍ରମଣକାରୀ କବଳରେ କବଳିତ ହୋଇଥାନ୍ତା  ।  କେବଳ ସନ୍ଥ ବାହୁଡା ଦାସ ଦୂରଦର୍ଶୀ ଏବଂ ତାଙ୍କର ତତ୍ୱ ଜ୍ଞାନର ପ୍ରଭାବରେ ୟେ ଭୋଇ ଜାତି ଆଜି  ଯାଏ ତାର ସ୍ଥିତିକୁ ରଖିଛି । ଗୋସ୍ୱାମୀ ବାହୁଡା ଦାସ ଅନେକ ତତ୍ତ୍ୱ ଜ୍ଞାନର ସମ୍ବଳିତ ପୁସ୍ତକ ରଚନା କରଥିଲେ । ଅନେକ ରଚନାବଳୀ କାଳର କରାଳ ଗର୍ଭରେ ବିଲୀନ ହୋଇ ଯାଇଅଛି । ଯେଉଁ କେତୋଟି ଅମୂଲ୍ୟ ଭଜନ ରହି ଯାଇଛି, ତାହାକୁ ସଠିକ୍ ରୂପେ ସଂଗୃହୀତ ହୋଇ ପାରିନାହିଁ । ସେ ଗୁଡିକ ମଧ୍ୟରୁ ୧.ଚିତ ଭୋଳା୨. ବାଇମନ ୩. ଅକର୍ମା ଦଶା ୪.ଗୁରୁ ବନ୍ଦନା ୫. ନୀଳଗିରି ୬. ଏକାକ୍ଷର ୭.ରାହାସ ୮.ଶୂନ୍ୟ ଶବଦ ୯. ଶୂନ୍ୟ ଘର ୧୦. ସଂସାର ନୁହଁଇ କାହାର ୧୧. ପ୍ରାର୍ଥନା ୧୨.ଚକାଡୋଳା ୧୩.ଭଜମନ ୧୪. ଅଲେଖ ୧୫. ପରମ ପୁରୁଷଙ୍କ ଧ୍ୟାନ ୧୬. ନୀଳାଚଳ ୧୭.ପ୍ରଭୁ ୧୮. ଜୀବ ପରମ  ୧୯.ଶରଣ ୨୦.ନାମ ବ୍ରହ୍ମ ୨୧.ଶୁଦ୍ଧ ଭାବ ୨୨.ହାଟ ୨୩. ବଟ ବିହାରୀ ୨୪.କୃପା ଦୃଷ୍ଟି ୨୫. ଅମୀୟ ରସ ।
                                                                ଗୋସ୍ୱାମୀ ବାହୁଡା ଦାସଙ୍କ କର୍ମ କ୍ଷେତ୍ର ଜ୍ଞାନ ପୀଠ କୁଶକଂଟାର କେତେକ ଛାପ, ତାଙ୍କର ରଚନାବଳୀରେ ଦେଖିବାକୁ ମିଳେ । ତାଙ୍କର ରଚନାବଳୀରେ ଅନେକ ଅକୁହା କଥା ରଚନା କରିଛନ୍ତି । ତାଙ୍କର ହୃଦୟସ୍ପର୍ଶୀ କବିତା ଅପୂର୍ବ ମାଧୂର୍ଯ୍ୟ ଭାବରେ ଭକ୍ତି ରସରେ ରସାଣିତ । ତତ୍ତ୍ୱ ଜ୍ଞାନର  ଚେତନା  ମାନସ ପଟରେ ଉଙ୍କି ମାରେ, ସେଇ ପ୍ରିୟ ଭଜନ “ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ”  । ସତରେ ୟେ ଭଜନ କେତେ ତତ୍ୱ ଭିତିକ ଆଉ  ଚେତନା ଦାୟକ । ୟେ ଭଜନଟି ସେହି ପ୍ରାତଃ ସ୍ମରଣୀୟ ମହାନ ସନ୍ଥ ଗୋସ୍ୱାମୀଙ୍କ ଦ୍ୱାରା ଦୁଇ ଶହ ବର୍ଷ ପୂର୍ବେ ରଚିତ ହୋଇଥିଲା ।  ହେଲେ  ସେ ଭଜନ, ପହିଲି ଫଗୁଣର ପହିିଲି ଛୁଆଁରେ ୟେ ମନକୁ ଆନେ୍ଦାଳିତ କରେ ।  ଚେତାଇ ଦିଏ ଜୀବନର ନୂତନ ଚେତନା,  ଥରାଇ ଦିଏ ହୃଦୟ ତନ୍ତ୍ରୀକୁ । ଆବେଗରେ ମନ ଭରିଯାଏ । ଜୀବନ ବଂଚିବାର ନୂଆ ରାହା ନେଇ, ୟେ ମନ ଖୋଜେ ସେଇ ପରମ ପୁରୁଷକୁ ।   ଜୀବନର ମୁକ୍ତି ପାଇଁ  ବାଟ କଢାଏ । ପ୍ରକୃତରେ ଚେତନା ଓ  ଭାବ ଭକ୍ତିରେ ଜନ ମନକୁ ଆକର୍ଷଣ କରୁଛି । ଏହା କେବଳ ମୋର ନୁହେଁ । ଆପଣ ମାନେ ବି ଏଇ ଭାବରେ ଅଭିଭୂତ  ହେଉଥିବେ । ଶେଷରେ, କୋଟି କୋଟି ନମନ ବାହୁଡା ଚରଣେ ।
ସା-ବାଇଁଣ୍ଡୋଳ, ଖୋର୍ଦ୍ଧା
ମୋ-୯୧୭୮୫୦୧୪୪୪   
JOY BAHUDA

ଉଠ କଙ୍କାଳ, ଛିଡୁ ଶୃଙ୍ଖଳ

ଅତୁଲ୍ୟ କୁମାର ନାୟକ
             ଜୀବନ ପାତ୍ର ମୋ ଭରିଛ ସତେ କେତେ  ? ସତରେ ଏ ଜୀବନ ଅନୁପମ ହୋଇଯାଏ ତାଙ୍କରି ମଧୁ ଆଶୀଷରେ । କ୍ଲିଷ୍ଟଭରା ଦେହ ମନ ହୋଇ ଯାଏ ସତ୍ୟ ଶିବମ୍ ସୁନ୍ଦରମ୍ । ଥରେ ତାଙ୍କ ପୀଠରେ ପାଦ ଦେଲେ ୟେ ଜୀବନ କୃତାର୍ଥ ହୋଇଯାଏ । ସେ  ଆଉ କେହି ନୁହନ୍ତି, ମୋର ତଥା ଆମ୍ଭମାନଙ୍କର ପରମ ପ୍ରେମମୟ ସନ୍ଥ ଶିରୋମଣି ବାହୁଡା ଦାସ । ସତରେ ତାଙ୍କ ଉତ୍ସର୍ଗୀକୃତ ଜୀବନଗାଥାକୁ  ଅନୁଧ୍ୟାନ କଲେ, ତାଙ୍କରି ପଦ୍ମପାଦରେ ମଥା  ଆପେ ଆପେ ନଇଁ ଯାଏ । ମନ ଗହନର ନିଭୃତ କନ୍ଦରରୁ ଝରିଆସେ ଚେତନାର ଝରଣା । ଅବଚେତନ ମନରେ ଜଗାଇ ଦିଏ  ନୂତନ ପ୍ରେରଣା । ଜୀବନ ଜୀଉଁଣାର ନୂଆ ଦିଗନ୍ତ । ଖିଆଲୀ ମନରେ ଜାଗି ଉଠେ ସମାଜ ପାଇଁ  କିଛି କାମ କରିବା ପାଇଁ  । 
                                               ଜୀବନରେ ବାହୁଡା ଦାସ କେତେ ସ୍ୱପ୍ନ ଦେଖି ନ ଥିଲେ ଆମର ଭୋଇ ସମାଜକୁ ସୁସଂଗଠିତ କରିବା ପାଇଁ । ପ୍ରଣୟନ କରିଥିଲେ ନୂତନ ସମ୍ବିଧାନ,ରିତୀ,ନୀତି ଓ ଶାସନ ଖସଡା ବିଶୃଙ୍ଖଳିତ ସମାଜକୁ ଶୃଙ୍ଖଳିତ କରିବାପାଇଁ । ତଥା କଥିତ ଧାରାରେ ବି ଉନ୍ନତ ହୋଇଥିଲା ଏ ଜାତି ଗୋସ୍ୱାମୀଙ୍କ ନୀତି ନିୟମରେ । ଆଜି ଆମେ ସ୍ୱାଧୀନତାର ସ୍ୱାଦ ଚାଖି ବେଶ୍ ଆମୋଦିତ ଅନୁଭବ କରୁ । କେତେ ଜଣ କାଦୁଅବୋଳା ଗାଁ ମାଟିରୁ ଚାକିରୀ କରି,ବିଶ୍ୱର ସବୁଠୁ ଧନୀ ମନେ କରନ୍ତି । ହେଲେ ଥରେ ନିରୋଳା ମନରେ  ଆମ୍ଭେ ଯଦି ନିଜକୁ ନିଜେ ଆତ୍ମ ସମୀକ୍ଷା କରିବା, କେତେ ପାଦ ଆଗକୁ ଯାଇଛୁ  ? ନିଜର ଅନ୍ତରାତ୍ମା ନିଜକୁ ଲଜ୍ଜାର ପାହାର ପରେ ପାହାର ପିଟି ଚାଲିବ, ତା ଛଡା ଆଉ କିଛି ନୁହେଁ । ମୁଷ୍ଟିମେୟ କେତେଜଣ ପାଠ ପଢି ବଡ ହୋଇଗଲେ କଣ ଜାତି ଉନ୍ନତ ହୋଇଗଲା । ଏହା କଣ ସ୍ୱାମିଜୀଙ୍କର ସ୍ୱପ୍ନ ଥିଲା  ? 
                                                  ଜନ ସଂଖ୍ୟାରେ ଆମ୍ଭେ  ଅଧିକ । ହେଲେ ଶିକ୍ଷା,ଦୀକ୍ଷାରେ ଏତେ ପଛୁଆ କଣ ପାଇଁ? କେବଳ ଆମର ରୁଗ୍ଣ ମାନସିକତା ବ୍ୟତୀତ ଆଉ କିଛି ନୁହେଁ ।  କେବେ ଆମ୍ଭେ ରାଜା ହେବା ସ୍ୱପ୍ନ ଦେଖିନାହୁଁ  । ବରଂ ଗଣତନ୍ତ୍ରର ଅଧିକାରକୁ ବିଚ୍ ବଜାରରେ ବିକି ରାଜା କରାଇଛୁ ।  ନିଜର ଭାଇଟେ ଯଦି ରାଜା ହେବାର ସ୍ୱପ୍ନ ଦେଖେ, ତାକୁ ଆମ୍ଭେ ପଦାଘାତ କରୁ । ଉପହାସ କରୁ । ୟେ କଣ ଆମର ମାଲିକ ହେବ ? କେବେ ଆମେ ଚିନ୍ତା କରିନାହୁଁ ଆମର ପିଲା ଅଧିକା ପାଠ ପଢୁ  ? ବଡ ମଣିଷ ହେଉ । କେବେ ଭାବିନୁ ଆମର ଅଧିକାର କଣ ? ନିଜର ହକ୍ପାଇଁ କେବେ ଆମେ ଲଢିବା ପାଇଁ ଚେଷ୍ଟା କରିନାହୁଁ  । ଏୟା କଣ ଗୋସେଇଁ ବାହୁଡାଙ୍କର ଇଛା ଥିଲା ? ଆଜି ରାତି ପାହିଛି, ନୂଆ ସୂରୁଜ ଉଇଁଛି । ହାତ ଠାରି ଏକ ହେବା ପାଇଁ ଡାକୁଛି । ଆସନ୍ତୁ ମହାଭୋଇର ନୂତନ ବଳୟରେ ହଜାଇଦେବା, ନିଜକୁ ଏକତ୍ମତା ମନ୍ତ୍ରରେ ଦିକ୍ଷୀତ କରିବା । ଜୟ ବାହୁଡା,ଜୟ ବାହୁଡା ।
ଉଠ କଙ୍କାଳ, ଛିଡୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ହୃତ ଗଉରବ, ଧୃତ ଗଉରବ ରାଜି
ଶ୍ରୀ କୋରୁଆଁ, କଟକ, ମୋ-୯୯୩୭୦୭୫୦୩୪
JOY BAHUDA

ବାହୁଡା ମହାତ୍ମ୍ୟ

ସରୋଜ କୁମାର ଭୋଇ
                            ଜୀବନ ଅଛି ତ ସମସ୍ୟା ଅଛି । ପ୍ରତ୍ୟେକ ସମସ୍ୟାର ସମାଧାନ ମଧ୍ୟ ଅଛି । ତେବେ ମଣିଷ ନିଜେ ହିଁ ହେଉଛି ତାର ଅଧିକାଂଶ ସମସ୍ୟାର ନିର୍ମାତା । କାରଣ  ଅନେକ ସମସ୍ୟା ତାର ଅହଂ ପ୍ରଣୋଦିତ, ଅପରିଣାମଦର୍ଶିତା ସର୍ବୋପରି ଅଚେତନାର ପରିଣାମ । ମଣିଷ ସଚେତନ, ଶୃଙ୍ଖଳିତ, ସଦାଚାରୀ, କର୍ତ୍ତବ୍ୟ ନିଷ୍ଠ, ଅଧିକନ୍ତୁ ଅନ୍ତର୍ମୁଖୀ ହେଲେ ଅନେକ ସମସ୍ୟା ତାଠାରୁ ଦୂରେଇ  ଯିବ । ମଣିଷ ସର୍ବଦା ସାଧାରଣ ଚେତନାରେ  ବାସ କରିବା ଯୋଗୁଁ ଅନେକ ଗୁଡିଏ  ସମସ୍ୟାରେ ସେ ସ୍ୱତଃ ଛନ୍ଦି ହୋଇ ପଡେ । ମାତ୍ର ଯେଉଁମାନେ ସେଇ ଚେତନାର ଉର୍ଦ୍ଧରେ ବାସ କରନ୍ତି, ସେମାନେ ସର୍ବଦା ଅବଲମ୍ବନ ପୂର୍ବକ ସମସ୍ୟାର ଉର୍ଦ୍ଧରେ ରହି ଜଗତର ସକଳ ସମସ୍ୟାର ସମାଧାନ କରି ପାରନ୍ତି । ଆଉ ସେଇମାନେ ହିଁ ସମାଜରେ ସାଧୁ, ସନ୍ଥ, ଜ୍ଞାନୀ, ଭକ୍ତ, ଯୋଗୀ (ବାବା) ଆଦି ନାମରେ ପରିଗଣିତ ହୁଅନ୍ତି  ଏବଂ ସେଇମାନଙ୍କୁ ହିଁ ମଣିଷ ଆଜି ପର୍ଯ୍ୟନ୍ତ ଭଗବାନଙ୍କର ଚଳନ୍ତି ବିଗ୍ରହ ଭାବରେ ଶ୍ରଦ୍ଧା, ସମ୍ମାନ, ପୂଜା ଅର୍ପଣ କରି ଆସିଛି । ସେମାନଙ୍କ ଦେହ ତ୍ୟାଗ ପରେ ସମାଜରେ ମଧ୍ୟ ପୂଜା ପାଇଥାନ୍ତି । ତେଣୁ ଯଥାର୍ଥରେ ବ୍ୟାସକବି ଫକୀର ମୋହନ ସେନାପତି  ସେମାନଙ୍କ ଉଦେ୍ଧଶ୍ୟରେ ଗାଇ ଉଠିଛନ୍ତି –
“ଧନ୍ୟ ସେ ମାନବ କୁଳେ, ଯାହା ଯଶରାଜି,
ଲୋକ ହିତେ ବ୍ରତେ ଥାଏ,ଜଗତେ ବିରାଜି ।
ମଲେ ଯାହା ନାମ ଥାଏ ନିଗତ ମଧ୍ୟରେ
ଅମର ଦେବତା ସେହି ମାନବ କୁଳରେ ।”
                                      ମଣିଷ ଯେଉଁଥି ପାଇଁ ଦେବତାର ଆସନରେ ଆସୀନ , ତାର ସେଇ ଚେତନାକୁ ଯଦି ପର୍ଯ୍ୟବେକ୍ଷଣ କରାଯାଏ, ତେବେ ଆମେ ଜାଣିବାକୁ ପାଇବା ଯେ ଚେତନାର ସର୍ବୋଚ୍ଚ ସ୍ତରରେ ମଣିଷ ହେଉଛି ଭଗବାନ । ଆଉ ଚେତନାର ସର୍ବନିମ୍ନ ସ୍ତର ଏଇ ନିଜ ଭୂମିରେ ଶରୀର, ପ୍ରାଣ  ଓ ମନର ପ୍ରସ୍ଫୁଟନ ମଧ୍ୟରେ ଭଗବାନ ହେଉଛନ୍ତି ମଣିଷର ସର୍ବ ଜ୍ଞାନମୟ ସ୍ୱରୁପ । ମଣିଷ, ଭଗବାନଙ୍କର ସୀମିତ ପ୍ରକାଶ । କିନ୍ତୁ ଭଗବାନ, ମଣିଷର ଅସୀମ ପ୍ରକାଶ । ଅତଏବ, ମଣିଷ ନିଜର ସୀମିତତା, ଅଜ୍ଞାନତାକୁ ଅତିକ୍ରମ କଲେ ଯାଇ ଭଗବାନ ପଦବାଚ୍ୟ ହୋଇଥାଏ । ଏଇ ଦୃଷ୍ଟିରୁ ଦେଖିଲେ ସନ୍ଥ ଗୋସ୍ୱାମୀ ବାହୁଡା ଦାସ ହେଉଛନ୍ତି ସମଗ୍ର ଓଡିଶା ବାସୀଙ୍କ ମହା ଭୋଇ କୁଳର ଚିର ନମସ୍ୟ, ପଥ ପ୍ରଦର୍ଶକ, ସମାଜ ସଂସ୍କାରକ ସର୍ବୋପରି ମଣିଷ ରୂପୀ  ଭଗବାନ ।
                                      ସନ୍ଥ ଗୋସ୍ୱାମୀ ବାହୁଡା ଦାସ ଐଶ୍ୱରିକ ଶକ୍ତିର ଅଧିକାରୀ ଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି,ଏହା ତାଙ୍କ ପିଲାଟି ବେଳୁ ଜଣାପଡିଥିଲା । ଏହା ଶକ୍ତିର ପ୍ରଭାବ ଯୋଗୁଁ କୌଣସି ସମସ୍ୟାର ସମାଧାନ ଦେବାକୁ ଯାଇ ଯାହାକୁ ଯାହା ସେ କହି ଦେଉ ଥିଲେ , ତାହା ସଙ୍ଗେ ସଙ୍ଗେ ଫଳପ୍ରଦ ହୋଇ ଯାଉଥିଲା । ତାଙ୍କର ଏପରି ବାକ୍ ସିଦ୍ଧି ଯୋଗୁଁ ସେ ଓଡିଶାର ପୁରପଲ୍ଲୀରେ ଜଣେ ସିଦ୍ଧ ପୁରୁଷ ଭାବେ ପରିଚିତ ଥିଲେ । ଏତଦ୍ ବ୍ୟତୀତ ଗୋସ୍ୱାମୀ ସର୍ବଦା ସୂକ୍ଷ୍ମ ଚେତନାରେ ବାସ କରୁଥିଲେ । ଏଣୁ ସୂକ୍ଷ୍ମ ସ୍ତରରେ ବିଚରଣ କରିବା  ତାଙ୍କ ପକ୍ଷେ ସମ୍ଭବ ଥିଲା । ଏଥିପାଇଁ  ଯିଏ ଯେ କୌଣସି ସ୍ଥାନରେ ତାଙ୍କ ପ୍ରତି କଟୁ ମନ୍ତବ୍ୟ ବା କୁ ମନ୍ତ୍ରଣା ରଚିଲେ ମଧ୍ୟ ସେ ତାହା ଅବିଳମ୍ବେ ଜାଣିପାରୁ ଥିଲେ, ଏହାପରେ ଯଥା ସମୟରେ ସେହି ଘଟଣାଟି ଲୋକ ଲୋଚନକୁ ଆସିବା ଫଳରେ ସଂପୃକ୍ତ ବ୍ୟକ୍ତିଟି ଆପେ ଧରା ପଡି ସର୍ବ ସମୁଖରେ ଲଜ୍ଜିତ ହେଉଥିଲା । ଏ ସମ୍ବନ୍ଧୀୟ ଏକ ନିଛକ ଘଟଣା ଏଠାରେ ଉଲ୍ଲେଖେଯୋଗ୍ୟ ।
                                       ଗୋସ୍ୱାମୀ ବାହୁଡା ଦାସଙ୍କ ସାଧନା ପୀଠ କୁଶକଣ୍ଟା ସ୍ଥିତ ମଠରେ ଆଖପାଖ ଗ୍ରାମର ଲୋକେ ଭୋଗ ବା ପ୍ରସାଦ ସେବନ ଲାଗି ବିଭିନ୍ନ ଫଳ, ପନିପରିବା ଚାଉଳ ଆଦି ଦେଇ ଯାଉଥିଲେ । ନିକଟସ୍ଥ ଗ୍ରାମର ନିଜେ ଚାଷୀ ନିଜ ବାଇଗଣ ବିଲରୁ ପ୍ରଥମ କରି ତୋଳିଥିବା କିଛି ବାଇଗଣ ଗୋସେଇଁଙ୍କ ମଠରେ ଦେଇଆସିବା ପାଇଁ ନିଜ ପତ୍ନୀଙ୍କୁ  ଜଣାଇଲେ । ସେ ସମୟରେ (ବର୍ତ୍ତମାନ ମଧ୍ୟ) ସମାଜରେ ସବର୍ଣ୍ଣମାନେ ଭୋଇ  ମାନଙ୍କୁ ଜାତିଭେଦ ଏବଂ ଅସ୍ପୃଶ୍ୟତା ଯୋଗୁଁ ନୀଚ୍ଚ, ହୀନ ଦୃଷ୍ଟିରେ ଦେଖୁଥିଲେ । ତେଣୁ ଚାଷୀଙ୍କ କଥା ଶୁଣି ତାଙ୍କ ସ୍ତ୍ରୀ ହଠାତ କହି ପକାଇଲେ “ସେ  ଅଛବ ମଠକୁ ଆମର  ପହିଲି ତୋଳା ବାଇଗଣ ନେବା କଥା କହୁଛ ? ସେଠିକି ନେଲେ ଆମର କୋଉ ଲାଭଟା ହେବ ଯେ । ଯଦି କହୁଛ ତେବେ ଅନ୍ୟ କୋଣସି ମନ୍ଦିରରେ ଦେଇଆସ । କିନ୍ତୁ ତାଙ୍କ ମଠକୁ ଆଦୌ ଦିଅ ନାହିଁ” । ମାତ୍ର ଚାଷୀଟି ପତ୍ନୀଙ୍କ କଥା ନ ମାନି ନିଜ ଗାମୁଛାରେ କିଛି ବାଇଗଣ ବାନ୍ଧି ମଠରେ ପହଞ୍ଚିଲା ଏବଂ ପ୍ରସାଦ ସେବନରେ ନେଇଥିବା ବାଇଗଣ ଗୁଡିକ ବ୍ୟବହାର କରିଦେବା ଲାଗି  ବାହୁଡା ଗୋସେଇଁଙ୍କୁ ସଶ୍ରଦ୍ଧ ନିବେଦନ କଲା । ଏହା ଶୁଣି ଚାଷୀଟିକୁ ଗାମୁଛା ଖୋଲିବାକୁ ଗୋସେଇଁ କହିଲେ । ସେ ଗାମୁଛା ଖୋଲନ୍ତେ, ଦେଖିଲା ବେଳକୁ ସେଥିରେ ବାଇଗଣ ପରିବର୍ତ୍ତେ କେବଳ ଗେଣ୍ଡା ଗୁଡିଏ ଅଛି । ଏପରି ଦେଖି ଦିବ୍ୟଦ୍ରଷ୍ଟା ଗୋସ୍ୱାମୀଜୀ ହସିହସି ତାଙ୍କୁ  କହିଲେ “କିହୋ, ଗେଣ୍ଡାଗୁଡାଏ ଆଣି କଣ ବାଇଗଣ ଆଣିବା କଥା କହୁଥିଲ ? ଠିକ୍ ଅଛି, ଏ ମଠରେ ଚଳାଇ ଦେବା । ଏସବୁ ଗାମୁଛାରେ ବାନ୍ଧି ରୋଷଶାଳାରେ ଦେଇଆସ । କିନ୍ତୁ ଏ କଣ? ରୋଷଶାଳାରେ ଗାମୁଛା ଖୋଲିଲା ବେଳକୁ ଗେଣ୍ଡା ପରିବର୍ତ୍ତେ  ସେ ପୂର୍ବରୁ ଆଣିଥିବା ସେଇ ବାଇଗଣ ହିିଁ ପାଇଲା । ହତଭାଗା ଚାଷୀଟି ବାଇଗଣ ଗୁଡିକ  ଦେଇ ଗୋସେଇଁଙ୍କ ନିକଟକୁ ଆସିଲେ । ଘରେ ତାଙ୍କ ପତ୍ନୀ ତାଙ୍କୁ  (ଦାସେଙ୍କୁ) ଅଛବ  ବୋଲି କହିଥିବା ନିଜର ଦୋଷ ସ୍ୱୀକାର କଲେ । ତା ପରେ ଗୋସେଇଁଙ୍କୁ କ୍ଷମା ଭିକ୍ଷାକରି ଘରକୁ ଫେରିଥିଲେ ।
                                                 କଥାରେ ଅଛି “ତୁଣ୍ଡ ବାଇଦ ସହସ୍ର କୋଶ” । ସନ୍ଥ ଶିରୋମଣୀ ବାହୁଡା ଦାସଙ୍କ ଏପରି ଅଲୌକିକତା ଚତୁର୍ଦ୍ଧିଗକୁ ପରିବ୍ୟାପ୍ତ ହେବାକୁ  ଲାଗିଲା । ବିଭିନ୍ନ ସମସ୍ୟା, ଅସୁବିଧା, ମାନସିକ ନେଇ ଦାସେଙ୍କ ମଠକୁ ଲୋକଙ୍କ ସୁଅ ଛୁଟିଲା । ଏଥିରେ ଦାସେଙ୍କ ହୁକୁମ ହେବା ସେଠାରେ ଆରମ୍ଭ ହୋଇଗଲା । ତହିଁରୁ ବହୁଲୋକେ ଉପକାର ପାଇଲେ । ମାତ୍ର ବହୁ ସବର୍ଣ୍ଣମାନେ ଦାସେଙ୍କ ଏତାଦୃଶ୍ୟ କାର୍ଯ୍ୟ କଳାପରେ ଅସହିଷ୍ଣୁ ହୋଇପଡିଲେ । କିଛି ଲୋକ ମଧ୍ୟ ଦାସେଙ୍କୁ ପରୀକ୍ଷା କରିବାକୁ ଯାଇ ବିଫଳ ହେବା ପରେ, ତାଙ୍କୁ  ସମାଲୋଚନା କଲେ ତ କେତେକ ବିଶ୍ୱାସ କରିବାକୁ ବାଧ୍ୟ ହେଲେ । ତେବେ ଅସଲ କଥା ହେଉଛି, ଅଛବ ମାନଙ୍କ ପ୍ରତି ସବର୍ଣ୍ଣମାନଙ୍କର ଥିବା ଘୃଣା, ନୀଚ୍ଚ ମାନସିକତା ସେମାନଙ୍କ ପକ୍ଷେ ସହଜରେ ହଜମ ହେଉନଥିଲା । ଜନଶ୍ରୁତିରେ ଥିବା ଏପରି ଭିନ୍ନ ଏକ ଚାକ୍ଷୁଷ ଦୃଷ୍ଟାନ୍ତର ଉପସ୍ଥାପନା କରିବା ଯଥାର୍ଥ ମଣୁଛି । 
ଅରଡିଆ ପଦାର ଜଣେ ଜମିଦାର ଦୀର୍ଘ ଦିନଧରି ବଡରୋଗ (କୁଷ୍ଠ)ରେ ପିଡୀତ ହୋଇଥିଲେ,  ଆରୋଗ୍ୟ ପାଇଁ ଯେତେ ପ୍ରକାର ଉପଚାର କଲା ପରେ ମଧ୍ୟ ଉପଶମ ହେଲାନାହିଁ । ଏଥିରେ କିନ୍ତୁ ତାଙ୍କ ପତ୍ନୀ ଆଉ କୌଣସି ଉପାୟ ନ ପାଇ ବାହୁଡା ଗୋସେଇଁ ଠାରୁ ହୁକୁମ ଆଣିବାକୁ ସ୍ୱାମୀଙ୍କୁ ଅନୁରୋଧ କଲେ । ପତ୍ନୀଙ୍କ ଏପରି ଅନୁରୋଧରେ ଜମିଦାର କ୍ରୋଧ ପ୍ରକାଶ କରି କହିଲେ “କଣ ହେଲା  ମୁଁ ଅଛବ ଲୋକ ପାଖକୁ  ହୁକୁମ ପାଇଁ ଯଦି ଯାଏ, ଆମ ପାଦ ତଳର ଲୋକ ମୋର ମାନ ମହତ ରଖିବେଟି । ତାହା କଦାପି ହୋଇପାରିବ ନାହିଁ ।” ହେଲେ ପତ୍ନୀ କିନ୍ତୁ ସ୍ୱାମୀଙ୍କ ଏଭଳି ଅଭିମାନ ଭରା କଥାରେ ଗୁରୁତ୍ୱ ନଦେଇ ବାହୁଡା ଗୋସେଇଁଙ୍କ ଠାରେ ଅଗାଧ ବିଶ୍ୱାସ ରଖି ମଠରେ ପହଞ୍ଚିଲେ ।
                                  ଗୋସେଇଁଙ୍କୁ ନିଜର ଗୁହାରୀ ଜଣାଇ ସ୍ୱାମୀଙ୍କ ରୋଗର ନିଦାନ କାମନା କଲେ । କିନ୍ତୁ ବାହୁଡା ଦାସଙ୍କ ହୁକୁମର ପଦ୍ଧତି ଥିଲା ବଡ ବିଚିତ୍ର, ଅବାନ୍ତର ଏବଂ ଅବିଶ୍ୱାସ ଯୋଗ୍ୟ । ମାତ୍ର ଯେଉଁମାନେ ଗୋସ୍ୱାମୀଙ୍କ ଉପରେ ପୂର୍ଣ୍ଣ ଆସ୍ଥା ତଥା ବିଶ୍ୱାସ  ସହ  ଏକ ନିଷ୍ଠ ହୃଦୟ ନେଇ ତାଙ୍କ ନିକଟକୁ  ଆସୁଥିଲେ, ସେମାନେ ପୂର୍ଣ୍ଣ ମନୋରଥ  ନେଇ ଘରକୁ ଫେରୁଥିଲେ । ବର୍ତମାନ ବାହୁଡା ଦାସେ   ଜମିଦାରଙ୍କ ପତ୍ନୀଙ୍କ ଠାରୁ ସ୍ୱାମୀଙ୍କ ଦୂରାବସ୍ଥା ସଂପର୍କେ ଅବଗତ ହେଲା ପରେ ହୁକୁମଦେଇ କହିଲେ “ତୁ ଯଦି ତୋସ୍ୱାମୀଙ୍କୁ ଗୋଡଠାରୁ ମୁଣ୍ଡଯାଏ ଝାଡୁରେ ପିଟି ପାରିବୁ, ତେବେ ସେ ଶିଘ୍ର ଭଲହୋଇ ପାରିବେ । କଣ ପିଟିପାରିବୁ ତ” । “ଏଇ କି ପ୍ରକାରର କଥା କହୁଛନ୍ତି ଗୋସାଇଁ ମହାପ୍ରଭୁ , ସ୍ୱାମୀ ହେଉଛନ୍ତି ସ୍ତ୍ରୀର ଇହକାଳ ପରକାଳର ଦେବତା । ତାଙ୍କୁ ଝାଡୁରେ ପିଟିଲେ ମୋ ହାତ ଛିଡି ପଡିବ ନାହିଁ , ମୁଁ ପାପରେ ଭାଗୀ ହେବି ଗୋସାଇଁ, ଦୟାକରି ଆଉ କିଛି ଉପାୟ କୁହନ୍ତୁ”,  ପତ୍ନୀ ଅନୁରୋଧ କଲେ ।  ଜମିଦାର ପତ୍ନୀଙ୍କ ଏପରି ଭୟାତୁର କଥା ଶୁଣି ଗୋସେଇଁ କହିଲେ “ତୋ ସ୍ୱାମୀଙ୍କୁ ପିଟିଲେ ପାପରେ ଭାଗୀ ହେବା ଡର ଯଦି ତୋତେ ଲାଗୁଛି, ଛୋଟ ଜାତି ଭାବି ମୋତେ ଅଛବଟା କହି  ଯେଉଁ ଅସମ୍ମାନ କଲା ,ସେଥିପାଇଁ ସେ ପାପରେ ଭାଗୀଦାର ହେଲା ନା ନାହିଁ” ।
                                         ଗୋସେଇଁଙ୍କୁ ତାଙ୍କ ସ୍ୱାମୀ ଅଛବ ବୋଲି କହିବା ସେ କିପରି ଜାଣିପାରିଲେ ଭାବି ଜମିଦାରଙ୍କ ପତ୍ନୀ ଆଶର୍ଯ୍ୟ ହୋଇଗଲେ । ମାତ୍ର କିଂ କର୍ତବ୍ୟ ବିମୁଢ ହୋଇ  ସେ ଗୋସେଇଁଙ୍କ ଠାରେ  ନିଜର ଦୋଷ ସ୍ୱୀକାର କରି କ୍ଷମା ମାଗିଲେ  ଏବଂ ତାଙ୍କ ସ୍ୱାମୀ କିପରି କୁଷ୍ଠ ରୋଗରୁ ଭଲ ହେବେ ସେଥି ପାଇଁ ଆଉଏକ ଉପାୟ ବତାଇବା ପାଇଁ ଗୋସେଇଁଙ୍କୁ କାକୁତି ମିନତି ହୋଇ ନେହୁରା ହେଲେ । ପତିପ୍ରାଣା ସ୍ତ୍ରୀଟିର ଏପରି ବିକଳ ଭାବଦେଖି ଗୋସ୍ୱାମୀ  ବାହୁଡା ଦାସ  କହିଲେ “ଠିକଅଛି ଯେଉଁ କଥା ମୋ ତୁଣ୍ଡରୁ ବାହାରି ଯାଇଛି, ତାକୁ ତ ଆଉ ବଦଳା ଯାଇ ପାରିବ ନାହିଁ । ଯଦି ସେ ସ୍ୱାମୀଙ୍କୁ ପିଟିବାରେ ତୋ ମନ ପାପ ଛୁଉଁଛି ତେବେ ତାକୁ ପଦାକୁ ଆଣି ସକାଳ ଖରାରେ ଠିଆ କରାଇ ଦେବୁ ଏଥର ତାର ଯେଉଁ ଛାଇ ପଡିବ ସେଇ ଛାଇକୁ ଗୋଡରୁ ମୁଣ୍ଡ ଯାଏଁ ଝାଡୁରେ ତିନି ପାହାର ପିଟିଲେ ତୋ ସ୍ୱାମୀ ନିଶ୍ଚୟ ଭଲ ହୋଇଯିବେ” । ଏଇକଥା ମୁତାବକ  ପରବର୍ତ୍ତି ଦିନ ସକାଳ ଖରାରେ ପତ୍ନୀଟି ଜମିଦାରଙ୍କୁ ଆଣି ଛିଡା କରାଇ ଥିଲା । ସ୍ୱାମୀଙ୍କର ପଡିଥିବା ଛାଇକୁ ଗୋଡ ଠାରୁ ମୁଣ୍ଡଯାଏ ତିନିଥର ଝାଡୁରେ ପିଟିବାରୁ ସତକୁ ସତ ଜମିଦାର କମ୍ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିଥିଲେ । ଏହି ଖୁସିରେ ବାହୁଡା ଦାସଙ୍କ  ପ୍ରତି ଥିବା ହୀନମନ୍ୟତା ତ୍ୟାଗ ପୂର୍ବକ ନିଜର କୃତଜ୍ଞତା ପ୍ରକାଶ କରି, ଅରଡିଆ ପଦାର ଏହି ଜମିଦାର ଜଣକ ମଠ ନାମରେ ବାର ମାଣ ବାର ଗୁଣ୍ଠ ବାର ବିଶ୍ୱା ପରିମିତ ଜମି ଦାନ କରିଥିଲେ । ବାସ୍ତବରେ ଆମର ଏଇ ମହାଭୋଇ କୁଳରେ ଏଇ ମହାନ୍ ସନ୍ଥ ଗୋସ୍ୱାମୀ ବାହୁଡା ଦାସଙ୍କ ହୁକୁମର ପଦ୍ଧତି ଅବିଶ୍ୱସନୀୟ ମନେ ହେଉଥିଲେ ମଧ୍ୟ ତାହା ଲୋକଙ୍କ ପକ୍ଷେ ଯାଦୁ ମନ୍ତ୍ର ଭଳି କାମ ହେଉଥିଲା । ଲୋକଙ୍କ ମୁଖରେ ଥିବା ଗୋସ୍ୱାମୀଙ୍କ ସମ୍ବନ୍ଧୀୟ ଏ ଭଳି ଅନେକ ଘଟଣା ଗଳ୍ପ ପରି ମନେ ହେଉଥିଲେ ମଧ୍ୟତାହା  ବାସ୍ତବରେ ସତ୍ୟ ।
ସମ୍ପାଦକ,ଅରୁଣିମା ଶିଶୁ ସାହିତ୍ୟ ସଂସଦ
ବରିମୁଣ୍ଡ,ଫୁଲନଖରା,ଖୋର୍ଦ୍ଧା
JOY BAHUDA

ମହାଭୋଇ ସଦା ଦାସଙ୍କ ଅମ୍ଳାନ ଜ୍ୟୋତି

ମୂଳଲେଖା: ୰ ସୁଦାମ ଚରଣ ଭୋଇ
ସଂଗ୍ରାହକ: ବାବୁଲି ଦାସ
                             ପୃଥିବୀ ପୃଷ୍ଠରେ ଯେତେ ଜଣ ମହାପୁରୁଷ ଜନ୍ମ ଲାଭ କରିଥିଲେ ତନ୍ମଧ୍ୟରୁ ସଦା ଦାସ ଅନ୍ୟତମ ପ୍ରତିଭା । ସଦା ଦାସ କଟକ ଜିଲ୍ଲାର ଅନ୍ତର୍ଗତ ପୋଡପଡା ଗ୍ରାମରେ ଏକ ଦରିଦ୍ର ଭୋଇ ପରିବାରରେ  ଜନ୍ମ ଗ୍ରହଣ କରିଥିଲେ । ସେ ୧୨୬୧ ସାଲ ମାଘ ଶୁକ୍ଳପକ୍ଷ ଏକଦଶୀ ତିଥିରେ ଜନ୍ମଲାଭ କରି ୧୩୩୦ ସାଲରେ ଇହଲୀଳା ସମ୍ବରଣ କରିଥିଲେ । ସେ କିଶୋର ଅବସ୍ଥାରେ ନିକଟସ୍ଥ ଶିବ ମନ୍ଦିର ନିକଟରେ ଗୁହାରିଆ ପଡିଥିଲେ । ଶିବଙ୍କ ଠାରୁ ସ୍ୱପ୍ନ ବାଣୀ  ହେଲା “ସଦା ତୁମେ ମୋତେ ଆରାଧନା କରି ପ୍ରାଚୀ ନଦୀତଟ ସାଧୁସନ୍ଥଙ୍କର ଅନୁସନ୍ଧାନ କର । ସେ ତୋତେ ମୁକ୍ତିବାଟ ବତାଇ ଦେବେ” । ତାଙ୍କର କର୍ମମୟ ସାଧନାପୀଠ ଚନ୍ଦ୍ରେମୌ÷ଳି ମଠରେ ଜୀବନର ଶେଷ ପର୍ଯ୍ୟନ୍ତ କଟାଇଥିଲେ । ମୃତୁ୍ୟ ସମୟକୁ ସେ ମହାପୁରୁଷଙ୍କ ବୟସ ଥିଲା ୬୯ ବର୍ଷ । ସେ ଜଣେ ଜ୍ଞାନୀ ଦାର୍ଶନିକ, ଧର୍ମପରାୟଣ ଓ ଈଶ୍ୱର ଉପାସକ  ଥିଲେ । କିଶୋର ବୟସରୁ ତାଙ୍କର ଧର୍ମ ପ୍ରତି ପ୍ରଗାଢ ଭକ୍ତି ଥିବାର ପରିଲକ୍ଷିତ ହେଉଥିଲା । ସେ ତାଙ୍କର ପରିବାର ଭରଣ ପୋଷଣ ନିମନ୍ତେ ମଜୁରି ଲାଗି ଅର୍ଥ ଉପାର୍ଜନ ଜରନ୍ତି ।
                                ଯୁବକ ଅବସ୍ଥାରେ ସେ  ଦିନସାରା କର୍ମକ୍ଷେତ୍ରରେ ରତ ଥାଇ ମଧ୍ୟ ଉପାସନା ପ୍ରତି ପ୍ରଗାଢ ଭକ୍ତି ଥିଲା । ଅନେକ ସମୟରେ ସେ ଏକାକୀ ବସି କିଛି ଚିନ୍ତା କରୁଥିଲେ ଓ ନିରୋଳା ସ୍ଥାନରେ ବସି ଇଶ୍ୱର ଉପାସନା କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ  ଶୁଣିବାକୁ ମିଳେ । ଠାକୁର ପୂଜା, ବିଭିନ୍ନ ଶାସ୍ତ୍ର ଆଲୋଚନାରେ ଭାଗ ନେବା, ସତ୍ସଂଗରେ ମିଶିବା,  ନାମ କୀର୍ତ୍ତନ କରିବା ତାଙ୍କ କର୍ମମୟ ଜୀବନରେ ଏକମାତ୍ର  ପନ୍ଥା ଥିଲା । ସେ ପ୍ରତିଦିନ ପୁଣ୍ୟତୋୟା ପ୍ରାଚୀ ନଦୀରେ ସ୍ନାନ ସମୟରେ ଇଶ୍ୱର ଆରାଧନା କରନ୍ତି । ଏପରି ମନୋଭାବ ଦେଖି ଅନେକ ଲୋକ ତାଙ୍କ ପିତାଙ୍କୁ ସଦା ଦାସଙ୍କ ଏକାଗ୍ରତା ଓ ଇଶ୍ୱର ଭକ୍ତି ବିଷୟ ଶୁଣାଇ ଥିଲେ । କେହି କେହି କୁହନ୍ତି ସଦା ଦିନେ ଦିନେ ଜଣେ ପ୍ରଭୁଭକ୍ତ ମହାପୁରୁଷ ହେବ । ତେଣୁ ତାଙ୍କ ପିତା ଅଳ୍ପ ବୟସରୁ ତାଙ୍କୁ ବିବାହ କରି ଦେଇଥିଲେ । 
                                                       ସାଂସାରିକ ଜୀବନ ଭିତରେ ମଧ୍ୟ ସେହିପରି ଚିନ୍ତାଧାରା ପ୍ରକାଶ ପାଇଲା । ସେ ବ୍ରାହ୍ମ ମୁହୁର୍ତ୍ତରୁ ପ୍ରାଚୀ ନଦୀରେ ସ୍ନାନ କରିବାକୁ ଯାଆନ୍ତି । ଶିବଙ୍କ ସ୍ୱପ୍ନ ବାଣୀ  ମୁତାବକ ପ୍ରାଚୀ ନଦୀ ତଟରେ କେତେକ ସାଧୁ ସନ୍ନ୍ୟାସୀ ଗୁପ୍ତ ଭାବରେ ଅଛନ୍ତି ବୋଲି ଧାରଣା ହେଲା । ତେଣୁ ତାହାର ଅନୁସନ୍ଧାନ ପାଇଁ ସେ ପ୍ରତିଦିନ ରାତ୍ର ଅବସାନ ପୂର୍ବରୁ ପା୍ରଚୀନଦୀ ତଟରେ ଉପସ୍ଥିତ ହୋଇ କିଛି ତତ୍ତ୍ୱ ଆବିଷ୍କାର ପାଇଁ ସର୍ବଦା ବ୍ୟାକୁଳ ଥିଲେ । ତାଂକର ଏହି ନୀରବ ସାଧନା ଦ୍ୱାରା ସେ ସାଧୁମାନଙ୍କ ଦର୍ଶନ ଲାଭ କରିଥିଲେ । ସଦାଦାସ ତାଙ୍କ ସହିତ ମିଶିବାକୁ ଚେଷ୍ଟାକଲେ ମଧ୍ୟ ସାଧୁମାନେ ତାଙ୍କୁ ପ୍ରଥମେ ବହୁତ ତିରସ୍କାର କରି ଫେରାଇ ଦେଲେ । ତେଣୁ ସେ ମନରେ ଦାରୁଣ ଆଘାତ ପାଇ ଜନ୍ମପୀଠ ଚନ୍ଦ୍ରମୌଳୀକୁ ଫେରି ଆସିଲେ । ସଦା ଦାସଙ୍କୁ ଏହି କାର୍ଯ୍ୟରୁ ନିବୃତ ହେବା ପାଇଁ ଅନେକ ପରାମର୍ଶ ଦେଇଥିଲେ । କିନ୍ତୁ ଯେଉଁ ମହାପୁରୁଷ ଅମୂଲ୍ୟ ରତ୍ନର ସନ୍ଧାନ ପାଇଛି ସେ କଣ ଲୋକଙ୍କ କଥାକୁ କର୍ଣ୍ଣପାତ କରିବ? ପ୍ରକୃତରେ ସେହି ଇଶ୍ୱର ଉପାସନା ଓ ସାଧୁସନ୍ଥମାନଙ୍କ ଦର୍ଶନ ନିମନ୍ତେ ତାଙ୍କ ମନପ୍ରାଣ ବ୍ୟାକୁଳ ହୋଇ ଉଠିଲା । ତାଙ୍କର ବହୁ ଦିନ ସ୍ୱପ୍ନ ସତ୍ୟରେ ପରିଣତ ହେଲା । 
                                       ଶେଷରେ ତାଙ୍କର ଅଭିଲାଷ ପୂର୍ଣ୍ଣହେଲା  । ବହୁ ସାଧୁ ସନ୍ନ୍ୟାସୀଙ୍କ ସଂଙ୍ଗେ ସେହି ପୂଣ୍ୟତୋୟା ପ୍ରାଚୀନଦୀ କୂଳରେ ପୁନର୍ବାର ତାଙ୍କର ମିଳନ ହେଲା । ଇଶ୍ୱରଙ୍କ ନାମ ଭଜନରେ ପ୍ରେମ ହୋଇ ସନ୍ୟାସୀମାନଙ୍କ ପଛେ ପଛେ ତାଙ୍କ ପଥ ଅନୁସରଣ କଲେ  । ବହୁ ପଥ ଅତିକ୍ରମ କଲାପରେ ସନ୍ନ୍ୟାସୀମାନେ ଦାସଙ୍କୁ କହିଲେ “ଯାଅ ବାବା ତୁମେ ଘରକୁ ଫେରିଯାଅ । ଆମ ସାଥିରେ ସାଙ୍ଗ ହୋଇ ତୁମେ ଚାଲିପାରିବ ନାହିଁ” । କିନ୍ତୁ ସଦା ଦାସ ତାଙ୍କ ଶେଷ ଅଭିଳାଷ ପ୍ରତି ଦୃଢ ମନୋଭାବ ପୋଷଣ କରିଥାନ୍ତି । ବାରମ୍ବାର ସେମାନଙ୍କୁ କାକୁତି ମିନତି ହୋଇ ସାଧୁସନ୍ଥଙ୍କ ଗହଣରେ ମୋତେ ରଖାଯାଉ ବୋଲି  ଅନୁରୋଧ କରିଥିଲେ  । ସାବିତ୍ରୀ ଯେପରି ଯମଠାରୁ ବରପ୍ରାପ୍ତି ହୋଇଥିଲେ ।
                                 ସେହିଭଳି ସାଧୁସନ୍ଥଙ୍କ ମନକୁ ସଦା ଦାସ ଭକ୍ତିପୂର୍ଣ୍ଣ ଭାବରେ ବଦଳାଇ ଆଶୀର୍ବାଦ ଭିକ୍ଷା କରିଥିଲେ । ଆଶୀର୍ବାଦ ଭିକ୍ଷା ହିଁ ତାଙ୍କ ଜୀବନରେ ଶେଷ ଅଭିଳାଷ ଥିଲା । ସାଧୁସନ୍ଥମାନେ ଆଶୀର୍ବାଦ ପ୍ରଦାନ କରି ଏକ ଉଇ ହୁଙ୍କା ଭିତରକୁ ପ୍ରବେଶ କରିବା ସଦା ଦାସ ଦେଖିପାରିଲେ । ସାଧୁମାନେ ସେହି ଗର୍ଭକୁ ପ୍ରବେଶ କରିବା ସମୟରେ ସଦା ଦାସ ମଧ୍ୟ ତାଙ୍କ ପଥକୁ ଅନୁସରଣ କଲେ । କିଛି ବାଟ ସେହି ଗର୍ତ୍ତ ମଧ୍ୟରେ ଗଲା ପରେ ଜଣେ ସନ୍ନ୍ୟାସୀଙ୍କ ଦୃଷ୍ଟି ପଡିଲା  ପରମଭକ୍ତ ସଦା ଦାସଙ୍କ ଉପରେ  । ସେ ସନ୍ନ୍ୟାସୀ କ୍ରୋଧରେ ଜର୍ଜରିତ ହୋଇ ପୁନର୍ବାର ଫେରି ନ ଯିବାକୁ ଦାସଙ୍କୁ ନିଦେ୍ର୍ଧଶ ଦେଲେ  । ସଦା ଦାସ ହାତଯୋଡି ମସ୍ତକ ଅବନତ କରି  ନୀରବ ଭାବରେ ଦଣ୍ଡାୟମାନ ହେଲେ । ତେଣୁ ସନ୍ନ୍ୟାସୀ ବୃନ୍ଦ ସଦା ଦାସଙ୍କର ଭକ୍ତିରେ ଭାବବିହ୍ୱଳ ହୋଇ ତାଙ୍କ ଶରୀରକୁ ମନ୍ତ୍ରପାଣି ଦ୍ୱାରା ପବିତ୍ର କଲେ  । ଲୋକେ କୁହନ୍ତି ସେହି ଗର୍ଭ ଭିତରେ ସଦା ଦାସ ୨୧ ଦିନ ରହିଥିଲେ  । ସନ୍ୟାସୀଙ୍କ ଠାରୁ ବିଦାୟ ନେଇ ଆସିବା ସମୟରେ ତାଙ୍କୁ ଆଶୀର୍ବାଦ ଦେଇ କହିଲେ “ତୁମେ ଆମର ବଡଭକ୍ତ ହେବ । ତୁମ୍ଭ ଭକ୍ତିରେ ଆମ୍ଭେ ପ୍ରୀତ ହୋଇ ଏହି ବେତ ବାଡି ତୁମକୁ ପ୍ରଦାନ କରୁଛୁ । ତୁମ୍ଭେ ଏଇ ବେତ ବାଡି ଦ୍ୱାରା ନାକ ରୋଗ ଭଲ କରିବ । ଆମ୍ଭଙ୍କୁ ମନେ ରଖିବାପାଇଁ ଏହି ଗର୍ଭଠାରେ ଏକ ବିରାଟ ଗାଦୀ ଆର୍ବିଭୁତ ହେବ । ସେହି ଗାଦୀ ପୀଠ ହିଁ ତୁମର ସାଧନା କ୍ଷେତ୍ର  । ସେହିଠାରେ ତୁମେ ତୁମ କର୍ମମୟ ଜୀବନକୁ ଶେଷ କର” । ଭୀମ ଭୋଇ, ଦାସିଆ ବାଉରୀ, ସାଲବେଗ, ହାଡିପା, ତୁଳସୀ ଦାସ ପ୍ରଭୃତିଙ୍କ ପରି ସଦା ଦାସ ଏକ ମହାନ ପୂରୁଷ ଥିଲେ  । ବଣମଲ୍ଲୀ ଯେପରି ବଣରେ ଫୁଟି ମଉଳି ଯାଏ, ତାର ବାସନା କେହି ଉପଭୋଗ କରି ପାରନ୍ତି ନାହିଁ । ସେହିପରି ଲୋକ ସମାଜରେ ସଦା ଦାସଙ୍କ ମହିମା ଲୋକଲୋଚନକୁ ଆସିପାରି ନାହିଁ  । 
                                   ଆଜି ତାଙ୍କର ମହତ୍ୱ ପ୍ରକାଶ ପାଇଛି  । ଏହି ନିଗମ ତତ୍ତ୍ୱ ସାଧକ ହେବା ପରେ ସେ ଶ୍ରୀକ୍ଷେତ୍ରକୁ ଯାଇଥିଲେ  । ବାଟରେ ଏକ ମୃତ ବ୍ୟକ୍ତିଙ୍କୁ ଦେଖି ସାଧୁ ଦେଇଥିବା  ବେତବାଡି ଦ୍ୱାରା ତାକୁ ଜୀବନ୍ୟାସ ଦେଇଥିଲେ ବୋଲି ଲୋକଙ୍କ ମୁଖରେ ଶୁଣାଯାଏ । ଶ୍ରୀକ୍ଷେତ୍ରରେ ପହଞ୍ଚôବା ସମୟରେ ବହୁ ହଇଜା ରୋଗୀଙ୍କୁ ସେହି ବେତବାଡି ଦ୍ୱାରା ଭଲ କରିଥିବାର ଶୁଣିବାକୁ  ମିଳେ । ପଣ୍ଡାମନେ ସଦା ଦାସଙ୍କୁ ମନ୍ଦିରକୁ ନେବାକୁ ଚେଷ୍ଟାକଲେ  । କିନ୍ତୁ ପ୍ରଥମେ ଦାସ ଅନିଛା ପ୍ରକାଶ କଲେ  । ତାଙ୍କ ଅନିଛା ସତ୍ତ୍ୱେ ତାଙ୍କୁ ଦେଉଳକୁ ନିଆ ଯାଇଥିଲା ବୋଲି ଲୋକେ କୁହନ୍ତି  । ସେହି ସମୟରେ ସେ ଶୂନ୍ୟରେ ମନ୍ଦିର ଉପରକୁ ଉଠି ପତିତପାବନ ପତାକାରୁ ଖଣ୍ଡେ ଛିଡାଇ ଆଣି ତାଙ୍କ ବେତ ବାଡିରେ ବାନ୍ଧି ଦେଇଥିଲେ  । ତା ପରେ ନିଜ କର୍ମକ୍ଷେତ୍ର ଚନ୍ଦ୍ରମୌଳିକୁ ଫେରିଆସି ବେତ ବାଡିଦ୍ୱାରା ଅନେକ ରୋଗ ଭଲ କରିଥିଲେ  । ତାଙ୍କ ମୃତୁ୍ୟପରେ ତାଙ୍କର କନ୍ୟା ଗୁମାନି ସେହି ବେତବାଡି ଦ୍ୱାରା ଅନେକ ରୋଗ ଭଲ କରୁଥିଲେ  । ସେହି ମହାପୂରୁଷ ଓଁ ତତ୍ତ୍ୱକୁ ମୂଳମନ୍ତ୍ର କରି ଅନେକ ସ୍ଥାନରେ କହିଥିଲେ ।  ଜୀବନରେ ଓଁ ସମସ୍ତଙ୍କର ଜୀବନସାଥୀ । ଏହାର ସାକ୍ଷାତରେ ଓଁ ନାମ ଭଜନରେ ପ୍ରତେକ ଲୋକ ଆନନ୍ଦ ଲାଭ କରନ୍ତି । ଓଁ ଆପଣମାନଙ୍କର ସଦ୍ଗୁରୁ, ପଥ ପ୍ରଦର୍ଶକ ଓ ଶିକ୍ଷକ ଅଟେ । ଓଁ କାର ଜପ, ଓଁ କାର ଭଜନ, ଓଁ କାର ଗାୟନ, ଓ ଓଁ କାର ସ୍ମରଣ ମନୁଷ୍ୟ ଜୀବନରେ ପବିତ୍ରତା ଆଣେ । ଓଁକାର ନାମ ଆପଣ  ଅନୁଭବ କଲେ ଆପଣଙ୍କ ଶରୀରର ପ୍ରତ୍ୟକ ସ୍ନାୟୁ, ପ୍ରତ୍ୟେକ ଶିରା, ପ୍ରତ୍ୟେକ ଅଣୁ ଓ ପରମାଣୁ ପ୍ରଭୃତି ପ୍ରବଳ ତେଜଶକ୍ତି ସୃଷ୍ଟି ହୁଏ  । ଓଁ ସତ୍ଚିତ୍ତେ ହେଁ, ଓଁ ଆନନ୍ଦ ହେ, ଓଁ ଆତ୍ମା ପୁରୁଷ, ଓଁ ପରମଧର୍ମ  । ମନୁଷ୍ୟ ଜୀବନ ଅମୂଲ୍ୟ ଅଟେ  । ଜୀବନରେ କେବଳ ଦୁଃଖ,  ନିରାଶ, ମାୟା, ଜଞ୍ଜାଳ ଭିତରେ ଏହି ଅମୁଲ୍ୟ ରତ୍ନକୁ ହଜାଇ ଶେଷରେ ଆମ୍ଭେ ବିପଥଗାମୀ ହେଉଛୁ  । ବିପଥଗାମୀ ଦ୍ୱାରା ସମାଜ ଆଜି କଳୁଷିତ, ବ୍ୟଭିଚାର, ଭ୍ରଷ୍ଟାଚାର ଓ ଅନ୍ୟାୟ ଅନିତୀ ବଢି ଚାଲିଛି  । ଭଗବାନଙ୍କ ନାମ କୀର୍ତ୍ତନ ଦ୍ୱାରା ଏହା କ୍ରମେ ଦୂରୀଭୂତ ହେବ  ।
                     ତାଙ୍କ ବାସଗୃହ ନିକଟରେ  ଏକ ବିରାଟ ଆମ୍ବତୋଟା  ଅଛି । ମହାପୁରୁଷ ବୃକ୍ଷ ରୋପଣ ସମୟରେ କହିଥିଲେ “ୟେ କାଠ କୌଣସି କାମରେ ଲାଗିବ ନାହିଁ , କେବଳ ଛାଇ ଦ୍ୱାରା ମନୁଷ୍ୟ ଜୀବନରେ ଶାନ୍ତି ପ୍ରଦାନ କରିବ” । ସେହି ତୋଟା ଆଜି “ବାବାଜୀ ତୋଟା”  ଅକ୍ଷତ ଅବସ୍ଥା ଆଜି ପର୍ଯ୍ୟନ୍ତ ବିଦ୍ୟମାନ । ତାଙ୍କ ଜନ୍ମ ତିଥି ମାଘ ମାସ ଶୁକ୍ଳ ଏକାଦଶୀ ଦିନ ନାମ ଭଜନ, କୀର୍ତ୍ତନ ଓ ଆଲୋଚନା ପ୍ରତିବର୍ଷ ହୋଇଆସୁଅଛି ।ପରମ ମହାପୁରୁଷ ସଦାଦାସଙ୍କ ଜୀବନୀ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରି ଏହି କ୍ଷୁଦ୍ର ପ୍ରବନ୍ଧଟି ଆଲୋଚନା କରିଛି । ମହାପୁରୁଷଙ୍କର ଆଶିଷ ଯୋଗୁଁ ଏ ପ୍ରକାଶନ ସମ୍ଭବ ହୋଇ ପାରିଲା । ସେଥିôପାଇଁ ତଥ୍ୟ ସଂଗ୍ରହକାରୀଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି । ଜୟ ଜଗନ୍ନାଥ ।
ସା-ଉଲାର, ପୋ-ଗବବସ୍ତ, କଟକ
ମୋ-୮୯୦୮୧୭୨୦୭୦
JOY BAHUDA

ପିତୃ ଋଣ


ଲକ୍ଷ୍ମୀଧର ଭୋଇ
ପ୍ରାକ୍ତନ ଉପ-ସାଧାରଣ ପରିଚାଳକ,
ଓଡିଶା ରାଜ୍ୟ ଅର୍ଥ ନିଗମ
                ଆଜିର ଦଳିତ ସମାଜ (ତଫସିଲଭୁକ୍ତ ଜାତି ଓ ତଫସିଲ ଭୁକ୍ତ ଉପଜାତି) ପ୍ରକୃତରେ ଏ ଦେଶର ମୂଳ ବାସିନ୍ଦା ବା ମୂଳନିବାସୀ ଅଟନ୍ତି । ଏମାନେ ତାଙ୍କର ନିଜସ୍ୱ ଢଙ୍ଗରେ ଭାରତ ଭୂମିରେ ବସବାସ କରି ଆସୁଥିଲେ । ପ୍ରକୃତି ପୂଜାରେ ସେମାନଙ୍କର ଉପାସନାର ପ୍ରକୃତ ଲକ୍ଷ ଥିଲା  । ବୋଧହୁଏ ସେମାନଙ୍କ ମଧ୍ୟରେ ଜାତିଭେଦ ନଥିଲା ଏବଂ ସେମାନେ ଉଚ୍ଚ ନୀଚ୍ଚ ତାରତମ୍ୟର ଶିକାର ହୋଇ ନଥିଲେ । କାଳକ୍ରମେ  ଭାରତ ଭୂମିର ବାସୋପଯୋଗୀ ପା୍ରକୃତିକ ପରିବେଶ ଓ ଧନଧାନ୍ୟରେ ଆକର୍ଷିତ ହୋଇ ବାହାର ଦେଶର ଲୋକମାନେ ଭାରତ ଭୂମିରେ ପ୍ରବେଶ କଲେ ଓ ଏ ଦେଶର ନିରୀହ ମୂଳନିବାସୀ ମାନଙ୍କ ମୁଣ୍ଡରେ ଅନ୍ଧବିଶ୍ୱାସ ପୂରାଇଦେଲେ  । ସରଳ ନିଷ୍କପଟ ଓ ସରଳ ବିଶ୍ୱାସୀ ମୂଳ ନିବାସୀ  ମାନେ ଏ ପ୍ରକାର ଅନ୍ଧବିଶ୍ୱାସକୁ ଗ୍ରହଣ କରି ଭାଗ୍ୟ, ଭଗବାନ, ପୂର୍ବଜନ୍ମ, ପରଜନ୍ମ, ଭାଗ୍ୟଫଳ ଓ ମୂର୍ତ୍ତିପୂଜା ଉପରେ ବିଶ୍ୱାସ କରିଚାଲିଲେ । ମାନସିକ ସ୍ତରରେ ପରିବର୍ତ୍ତନ ନହେବାରୁ ଏମାନଙ୍କର ବୋ÷ଦ୍ଧିକ ଓ ଆର୍ଥôକ ଉନ୍ନତି ହୋଇ ପାରିଲା ନାହିଁ । ଏମାନେ ସବୁବେଳେ ବିଦେଶୀ ଆର୍ଯ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇ ସମାଜର ଅନ୍ୟ ବର୍ଣ୍ଣର ଲୋକମାନଙ୍କର ସେବକ ବନିଗଲେ  । ତଫସିଲ ଭୁକ୍ତ ଜାତିର ଲୋକମାନେ ଆଜି ୧୫୦୦ ଭାଗରେ ଏବଂ ତଫସିଲ  ଉପଜାତିର ଲୋକମାନେ ୭୫୦ ଭାଗରେ ବିଭକ୍ତ ହୋଇ ନିଜ ନିଜ ମଧ୍ୟରେ ଉଚ୍ଚ ନୀଚ୍ଚ ଭାବନାକୁ ଧରିବସିଛନ୍ତି ଓ ଭାଇ ଚାରାକୁ ଭୁଲିଯାଇ ପରର ଗୋଡାଣିଆ ହୋଇ ଦୁର୍ଦ୍ଧିନରେ ବଞ୍ଚି ରହିଛନ୍ତି  ।
                                            ଏହାପରେ ଅନେକ ବିଦେଶୀ ଭାରତକୁ ଆକ୍ରମଣ କରି ଭାରତର  ରାଜତ୍ୱ ସ୍ଥାପନ କଲେ  । ଏମାନଙ୍କର  ଶାସନ କାଳରେ ଅନେକ  ଉତ୍ଥାନ ପତନ ଘଟି ଚାଲିଲା  । କିନ୍ତୁ ଦଳିତ ମାନଙ୍କର (ଶୁଦ୍ରମାନଙ୍କର) କୌଣସି ପରିବର୍ତନ ହୋଇ ନ ଥିଲା  । ଶେଷରେ ଇଂରେଜମାନେ ଭାରତକୁ  ବାଣିଜ୍ୟ କରିବାକୁ ଆସି ଭାରତରେ ସେମାନଙ୍କର ଶାସନ ପ୍ରତିଷ୍ଠା କଲେ  । ଇଂରେଜ ଶାସନ କାଳରେ ଶିକ୍ଷାର ପ୍ରଚାର ପ୍ରସାର ହେଲା । କିନ୍ତୁ ସେ ସମୟରେ ପ୍ରଚଳିତ ଘୃଣିତ ଦଳିତ ଜାତି ପ୍ରଥା ଯୋଗୁ ଦଳିତ ଲୋକମାନେ ଶିକ୍ଷା  ପାଇବାରୁ  ବଞ୍ଚିତ ହେଲେ  । 
                                         ଏହିପରି ମୂହୂର୍ତ୍ତରେ ବାବାସାହେବ ଭୀମରାଓ  ଆମ୍ବେଦକର ଜନ୍ମଲାଭ କରି ବିଭିନ୍ନ ଦୁଃଖ ଦୁର୍ଦଶା  ଓ ଜାତିପ୍ରଥାର କଠୋର ତାଡନା ମଧ୍ୟରେ ପାଠ ପଢିଥିଲେ । କେତେକ ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟରେ ବିଦେଶରେ ପାଠ ପଢି ଉଚ୍ଚ ଶିକ୍ଷିତ ହେଲେ ଏବଂ ଦଳିତ ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଜୀବନସାରା ଚେଷ୍ଟିତ ଥିଲେ  । ସେ ଲଣ୍ଡନ, ଆମେରିକା, ଜର୍ମାନ ଓ ଜାପାନ ଆଦି ଦେଶରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ   ଶିକ୍ଷା ଲାଭ କରିଥିଲେ  । ସେ ଗଇ, ଗ.ଗ୍ଦମ, ଚଷ.ଊ, ଊ.ଝମ, ଊ.ଖସଗ୍ଧ ଓ ଈବକ୍ସ-ବଗ୍ଧ-କ୍ଷବଙ୍ଗ  ଆଦି ଉପାଧି ଲାଭ କରିଥିଲେ  । ଦଳିତ ସମାଜରେ ଜନ୍ମଗ୍ରହଣ କରିଥିବାରୁ ଓ ସେ ସମୟର ତାଡନାକୁ ଅନୁଭବ କରିଥିବାରୁ ଦଳିତ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଚେଷ୍ଟା ଚଳାଇ ରଖିଲେ । ସେ ସମୟରେ ଶାସକ ଇଂରେଜ ମାନଙ୍କ ପାଖରେ ଦଳିତ ମାନଙ୍କର ଶୋଷଣର କାରଣ ଓ ଉତ୍ଥାନର ବାଟ ବିଷୟରେ ଆଲୋଚନା କରି ଚାଲିଲେ । ଆମ୍ବେଦକର ଅନୁଭବ କଲେ ଯେ, ଦେଶରେ ଶାସନ ଖସଡା ବା ସମ୍ବିଧାନରେ ଦଳିତ ମାନଙ୍କର ଉନ୍ନତି ଲାଗି ବିଭିନ୍ନ କ୍ଷେତ୍ରରେ ପ୍ରବେଶ ଓ ଜାତୀୟ ସଂପତ୍ତିରେ ସଂଖ୍ୟାନୁପାତିକ ଭାଗିଦାରୀ ହେବା ଲାଗି ସ୍ୱତନ୍ତ୍ର ଭାବରେ ଲିଖିତ ସଂରକ୍ଷଣ ବ୍ୟବସ୍ଥା ନ ରହିଲେ ଏମାନଙ୍କର ସାମାଜିକ ଓ ଆର୍ଥିôକ ଉନ୍ନତି ହେବ ନାହିଁ  । ଉଚ୍ଚ ବର୍ଣ୍ଣର ଲୋକମାନେ ପୂର୍ବପରି ଏମାନଙ୍କୂ ଶୋଷଣ କରି ଚାଲିଲେ  । ଶେଷରେ  ଚଙ୍କଦ୍ଭବ-ଚବମଗ୍ଧ ଅନୁଯାୟୀ ସରଂକ୍ଷଣ ବ୍ୟବସ୍ଥା ଲାଗି ଇଂରେଜ ମାନେ ସମ୍ମତି  ପ୍ରଦାନ କରିଥିଲେ  ।
                                                   ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହେଲା ଏବଂ ଦେଶର ନୂତନ ସମ୍ବିଧାନ ଲେଖିବା ଲାଗି ସମ୍ବିଧାନ ପ୍ରଣୟନ ସଭା (ଉକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କରଦ୍ଭଗ୍ଧ ଇଗ୍ଦଗ୍ଦରଜ୍ଞଭକ୍ଷଚ୍ଚ) ଗଠନ କରାଯାଇ  ଆମ୍ବେଦକରଙ୍କୁ ଉକ୍ତ ସଭାର ସଭାପତି କରାଗଲା  । ଆମ୍ବେଦକରଙ୍କ ଅନ୍ୟାନ୍ୟ ଦେଶର ଶାସନ ପଦ୍ଧତି / ସଂମ୍ବିଧାନ ସମ୍ବନ୍ଧରେ ଅଗାଧ ଜ୍ଞାନ ଥିଲା  । ସେ ସମସ୍ତ ବିଦେଶୀ ସମ୍ବିଧାନକୁ ତର୍ଜ୍ଜମା କରି ଓ ସେ ସମୟରେ ଭାରତରେ ପ୍ରଚଳିତ ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ଅନୁଶୀଳନ କରି ଭାରତ ଲାଗି ଏକ ସର୍ବବୃହତ ଓ ସର୍ବଶ୍ରେଷ୍ଠ ସମ୍ବିଧାନ ପ୍ରଣୟନ କଲେ ଯାହାକି ଜାନୁଆରୀ ୨୬ ତାରିଖ ୧୯୫୦ ମସିହାଠାରୁ ଭାରତରେ କାର୍ଯ୍ୟକାରୀ ହେଲା  । ଉକ୍ତ  ସଂବିଧାନରେ ସେ ଦେଶର ସମସ୍ତ ନାଗରିକ ମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଦେଲେ । ପରବର୍ତ୍ତି ସମୟରେ ସମସ୍ତ ପ୍ରାଦେଶିକ ସରକାର ମଧ୍ୟ ଉକ୍ତ ସଂରକ୍ଷଣ ବ୍ୟବସ୍ଥାକୁ  ଲାଗୁ କରାଇଲେ । ଉକ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲା ପରେ ଦଳିତ ସମାଜର ଶିକ୍ଷିତ ଲୋକମାନେ ଚାକିରୀ କ୍ଷେତ୍ରରେ ନିଯୁକ୍ତି ପାଇଲେ ଓ କେତେକ ଲୋକ ପାର୍ଲିଆମେଣ୍ଟ ଓ ବିଧାନସଭା ମାନଙ୍କରେ  ଗ.ଚ. ଓ ଗ.ଖ.ଇ  ହୋଇପାରିଲେ  । ସଂରକ୍ଷଣ  ବ୍ୟବସ୍ଥା ଲିଖିତ ଆକାରରେ ନଥିଲେ ଜଣେହେଲେ ଦଳିତ ଲୋକ ଚାକିରି ପାଇ ପାରି ନ ଥାନ୍ତା କିମ୍ବା ଗ.ଚ. ଓ ଗ.ଖ.ଇ  ହୋଇ ପାରି ନଥାନ୍ତେ  ।  
                                              କିନ୍ତୁ ବଡଦୁଃଖ ଓ ପରିତାପର ବିଷୟ ହେଉଛି ସଂରକ୍ଷଣ ଯୋଗୁ ଚାକିରି ପାଇଥିବା ଭାଇମାନେ କେବଳ ନିଜପରିବାରକୁ  ଦେଖିଲେ ଏବଂ ନିଜ ଜାତି ବା ଦଳିତ ସମାଜକୁ  ସଂପୂର୍ଣ୍ଣ ରୂପେ ଉପେକ୍ଷା କଲେ ଓ ଜାଣିଶୁଣି ଭୂଲିଗଲେ । ଏପରି ନିଜର ଭାଇ ବନ୍ଧୁ କୁଟୁମ୍ବକୁ ମଧ୍ୟ ଭୁଲିଗଲେ । ସମାଜ ତ ଦୂରର କଥା  । ପିଲାଟିଏ  ଜନ୍ମ ହେଲା ପରେ ପିତାମାତା ତାର ଲାଳନପାଳନ କରି  ମଣିଷ କରନ୍ତି ଏବଂ ଆଶା ରଖିଥାନ୍ତି ଯେ ବୃଦ୍ଧ ବୟସରେ ପିଲାମାନେ ପିତା ମାତାଙ୍କର ଯତ୍ନ ନେବେ । ଅନେକ କ୍ଷେତ୍ରରେ ଦେଖାଯାଏ ଯେ ପୁତ୍ର କନ୍ୟାମାନେ ରୋଜଗାର କ୍ଷମ ହେବା ପରେ ବୃଦ୍ଧ ପିତାମାତା ମାନଙ୍କୁ ସଂପୂର୍ଣ୍ଣ ରୂପରେ ଭୁଲିଯାଆାନ୍ତି  । ସେମାନଙ୍କର ନୈତିକ କର୍ତ୍ତବ୍ୟ କରନ୍ତି ନାହିଁ । ଶେଷ ଜୀବନରେ ଯତ୍ନର ଅଭାବରୁ ଉପେକ୍ଷିତ ପିତାମାତା ମାନେ ରୋଗଗ୍ରସ୍ତ ହୋଇ ଅକାଳ ମୃତ୍ୟ ବରଣ କରନ୍ତି  । ବ୍ୟାଙ୍କରୁ କିମ୍ବା ଅନ୍ୟଠାରୁ ଋଣ ଆଣି ପର ମୁହୁର୍ତ୍ତରେ ଯେପରି ଶୁଝିବାକୁ ହୁଏ ଠିକ୍ ସେହିପରି ବୃଦ୍ଧ ବୟସରେଙ୍କ ପିତାମାତାଙ୍କର ଭରଣପୋଷଣ ଓ ଯତ୍ନ ନେଲେ ତାକୁ ପିତୃଋଣ ପରିଶୋଧ ବୋଲି କୁହାଯିବ । ପିତୃଋଣ ଶୁଝିବା ଜଣେ ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ଅଟେ । 
                                                                       ଠିକ୍ ସେହିପରି ଆମ୍ବେଦକର ଆଶା ରଖିଥିଲେ ଯେ ସଂବିଧାନରେ ଲିଖିତ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ଦଳିତ ସମାଜର ଚାକିରିଆ ଭାଇ ଓ ଭଉଣୀ ମାନେ ନିଜ ପରିବାରର ଉନ୍ନତି କରିବା ସଙ୍ଗେ ସଙ୍ଗେ ନିଜ ସମାଜର ସର୍ବାଙ୍ଗୀନ ଉନ୍ନତି ଲାଗି ଚେଷ୍ଟା କରିବେ ଓ ଆଗେଇ ନେବାରେ ସହାୟକ ହେବେ  । ଶିକ୍ଷିତ ଓ ଚାକିରିଆ ଭାଇମାନେ ସମୟ ଓ ଆର୍ଥôକ ସହଯୋଗ  ଦେଇ ଏ ସମାଜର ପରିବର୍ତ୍ତନରେ ଭାଗୀଦାରୀ ହେବେ । କିନ୍ତୁ ଦୁଃଖର କଥାଯେ, ପିତୃଋଣ ଶୂଝିବାକୁ କୌଣସି ଚାକିରିଆ ଭାଇ ଚିନ୍ତା କଲେ ନାହିଁ  । ଚେଷ୍ଟା ତ ଦୂରର କଥା, କୌଣସି ଚାକିରିଆ ଭାଇକୁ  ସମାଜର କଲ୍ୟାଣ ଲାଗି କିଛି ସାହାଯ୍ୟ ଓ ସହାନୁଭୂତି କଥା କହିଲେ ସେ ତାର ଅକ୍ଷମତା ପ୍ରକାଶ କରିବା ସଙ୍ଗେ ସଙ୍ଗେ ପର ମୂହୂର୍ତ୍ତରେ ସାମାଜିକ  ପରିବର୍ତ୍ତନ ଆହ୍ୱାନକୁ ବିଭିନ୍ନ ଛଳନା କରି ଉପେକ୍ଷା କରିଚାଲନ୍ତି । ଜାତି ନାମରେ ସାର୍ଟିଫିକେଟ ପାଇ ଚାକିରିରେ ପ୍ରବେଶ କରିଥିବା ବ୍ୟକ୍ତି ପରମୁହୂର୍ତ୍ତରେ ଜାତିକୁ  ସପୂର୍ଣ୍ଣ ରୂପରେ ଭୂଲି ଯାଏ ଏବଂ ଏହା ଫଳରେ ସଂରକ୍ଷଣ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ପରାହତ ହୂଏ । 
                                                        ଏପରି ବ୍ୟକ୍ତି ମାନଙ୍କ ଠାରୁ ଏ ସମାଜର ବହୁତ କିଛି ପାଇବାକୁ ଅଛି । କାରଣ ଏମାନେ  (ଝଉ/ଝଞ) ନାମରେ ଚାକିରି ପାଇଥାନ୍ତି । ସଂରକ୍ଷଣ ବ୍ୟବସ୍ଥା ନ ଥିଲେ ଆଜିର ଦଳିତ ସମାଜର ଚାକୀରିଆ ଭାଇ ମାନଙ୍କର ଅବସ୍ଥା ଯେ କଣ ହୋଇଥାନ୍ତା ତାହା କଳ୍ପନା କରିବା ଅତି ସହଜ । ଏମାନେ ବିଲବାଡିରେ କୃଷକ ହୋଇ ରହିଥାନ୍ତେ କିମ୍ବା ଦାଦନ ଶ୍ରମିକ ହୋଇ ପୂର୍ବପରି ଶୋଷିତ ହେଉଥାନ୍ତେ । ତାଙ୍କ ସମାଜର ବେରୋଜଗାରୀ  ଓ ଗାଁରେ ରହୁଥିବା ଭାଇମାନଙ୍କ ପରି । ତେଣୁ ଆଜିର ଦଳିତ ସମାଜର ଚାକିରିଆ ଭାଇ ଓ ଭଉଣୀ ମାନେ ନିଜର ଉନ୍ନତି କରିବା ସଙ୍ଗେ ସଙ୍ଗେ ସମାଜର ଋଣ ଶୁଝିବା ଲାଗି ଗଭୀର ଚିନ୍ତା କରିବା ସଙ୍ଗେ ସଙ୍ଗେ ଚେଷ୍ଟିତ ହେବା ଉଚିତ ।  
‘ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସାମ୍ବିଧାନିକ ଅଧିକାର ପାଇବା ଲାଗି ସଂଘର୍ଷ କର’
- ଆମ୍ବେଦକର
ମହାନଦୀ ବିହାର, କଟକ, 
ମୋ-୯୮୫୩୪୭୮୪୫୪
JOY BAHUDA

ଆଜିର ଆହ୍ୱାନ


ରତ୍ନାକର କାଣ୍ଡି
ସହକାରୀ ଜିଲ୍ଲାପାଳ
               ଭୋଇ ବଂଶରେ ଜନ୍ମିତ ବୀର ପୁତ୍ର ଗୋବିନ୍ଦ ବିଦ୍ୟାଧର ନିଜର ବାହୁ ବଳରେ ଉକ୍ରଳ ରାଜବାଟି କଟକର ବାରବାଟୀ ଦୁର୍ଗରେ ଭୋଇବଂଶରେ ପତାକାକୁ ଲହରିତ କରିଥିଲେ । ଖୋର୍ଦ୍ଧାରେ ନୂତନ ରାଜବାଟୀ ନିର୍ମାଣ କରି ରାମଚନ୍ଦ୍ର ଦେବଙ୍କୁ ଖୋର୍ଦ୍ଧାର ରାଜାରୂପେ ଅବସ୍ଥାପିତ କରି ଭୋଇବଂଶକୁ ଗୌରବାନ୍ୱିତ କରିଥିଲେ । ରାଜା ରାମଚନ୍ଦ୍ର ଦେବ କଳାପାହାଡ ଦ୍ୱାରା ପୋତି ଦିଆ ଯାଇଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବିଗ୍ରହକୁ ନୂତନ ଭାବେ ନିର୍ମାଣ କରି ପୁରୀ ମନ୍ଦିରରେ ଅବସ୍ଥାପିତ କରିଥିଲେ । ସେଥିପାଇଁ ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦୁ୍ୟମ୍ନ କୁହାଯାଏ । ଉକ୍ରଳର ବିଭିନ୍ନ ପ୍ରାନ୍ତରେ ଭୋଇବଂଶର ରାଜାମାନେ ବ୍ରାହ୍ମଣମାନଙ୍କୁ ଉକ୍ରଳ ବାହାରୁ ଆଣି ବ୍ରାହ୍ମଣ ଶାସନ ବସାଇ ସେଠାରେ ଅବସ୍ଥାପିତ କରିଥିଲେ । ଭୋଇବଂଶର ରାଜାମାନେ ଜଗନ୍ନାଥ ଧର୍ମ ଓ ବ୍ରାହ୍ମଣମାନଙ୍କର ପୃଷ୍ଠପୋଷକ ଥିଲେ । ଉକ୍ରଳକୁ ଖ୍ରୀଷ୍ଟାଦ୍ଧ ୧୫୬୮ ରୁ ୧୮୦୩ ସୁଦୀର୍ଘ ୨୩୫ ବର୍ଷ ଧରି ଶାସନ କରିଥିଲେ । ଯେଉଁ ବଂଶର ରାଜାମାନେ୨୩୫ ବର୍ଷ ଆଫଗାନୀ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ସହିତ ଯୁଦ୍ଧରତ ରହି ଉକ୍ରଳକୁ ସୁରକ୍ଷା ପ୍ରଦାନ କରିଥିଲେ, ସେହି ଇଂରେଜ ମାନଙ୍କ ସମ୍ପତ୍ତି ରୂପେ ପରିଗଣନା କରୁଥିଲେ । ଯେଉଁ ଜାତିର ଲୋକମାନେ ନିଜ ବାହୁ ବଳରେ ଉକ୍ରଳକୁ ଶାସନ କରୁଥିଲେ । ସେହି ବାହୁ ବା ବାହୁଟି ଶବ୍ଦରୁ ସେମାନଙ୍କୁ ବାଉରୀ ଆଖ୍ୟା ପ୍ରଦାନ କରା ଯାଇଥିଲା । ଦୀର୍ଘ ଦିନଧରି ଲଢାଇ କରି ଭିନ୍ନ ଭିନ୍ନ ଶକ୍ତି ଦ୍ୱାରା ପରାସ୍ତ ହୋଇ ଆତ୍ମ ଗୋପନ କରି ନିଜର ସମ୍ପତ୍ତିରୁ ବେଦଖଲ ହୋଇ ବିଭିନ୍ନ ଜମିଦାରମାନଙ୍କ ପାଖରେ ସୁରକ୍ଷାକର୍ମୀ ହିସାବରେ ଜୀବନ ଅତିବାହିତ କଲେ । କାଳ କ୍ରମେ ସେମାନଙ୍କ ଜୀବନ ବଞ୍ଚାଇବାକୁ ସେମାନେ କୃଷି ଶ୍ରମିକ ଭାବେ ପରିଗଣିତ ହେଲେ । ଅଭାବ ଅନାଟନ ଓ ଅଶିକ୍ଷା ଏମାନଙ୍କୁ ରସାତଳକୁ ନେଇ ଯାଇଛି । ଆମର ଇତିହାସ ଆମଠାରୁ ଗୁପ୍ତ ରଖାଯାଇଛି ।
ବର୍ତ୍ତମାନ ପୂର୍ବ ଆକାଶରେ ସିନ୍ଦୁରା ଫାଟି ଆସିଲାଣି । ସୂର୍ଯ୍ୟଙ୍କର ରକ୍ତିମ ଗୋଲାପ ଶିଖା ଦେଖାଦେଲାଣି, ଭୋଇବଂଶର ଲୋକମାନେ ଏକାଠି ହେବାର ଆହ୍ୱାନ ସୃଷ୍ଟି ହୋଇଛି ।ଉକ୍ରଳର ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଭୋଇବଂଶର ଜନ୍ମିତ ବୀର ପୁତ୍ରମାନଙ୍କର ସଙ୍ଘବଦ୍ଧ ସଂଗ୍ରାମ ଉକ୍ରଳମାତା ଆହ୍ୱାନ କରୁଛି ।
“ଉଠରେ ଉଠରେ ଉକ୍ରଳ ସନ୍ତାନ 
ଉଠିବୁ ତୁ କେତେ ଦିନେ
ପୁରୁବ ଗୌରବ ପୁରୁବ ମହିମା 
ପଡୁ ନାହିଁକିରେ ମନେ ।”
ଏହି ଆଶା ବିଶ୍ୱାସର ସହିତ ମୋର ଭୋଇ ବଂଶର ଉତ୍ଥାନ ପାଇଁ ସମସ୍ତ ଉତ୍ତର ଦାୟିତ୍ୱ ପୁରୁଷ ଓ ବିରଙ୍ଗନାମାନଙ୍କୁ ମୁକ୍ତି ସଂଗ୍ରାମର  ଆହ୍ୱାନ ଜଣାଇ ସଂଘର୍ଷରତ ଏକ କ୍ଷୁଦ୍ର ମଣିଷଟିଏ ଆଶାର ସମ୍ଭାର ନେଇ ଆପଣଙ୍କ ଦାଣ୍ଡ ଦୁଆରେ ଛିଡା ହୋଇ ଆପଣଙ୍କ କବାଟକୁ ଠକ୍ ଠକ୍ କରୁଛି । ଆଶା ଓ ବିଶ୍ୱାସ, ଆପଣମାନେ ନିଶ୍ଚିତ ଭାବରେ ଏ ସଂଗ୍ରାମକୁ ଲେଲିହାନ କରି ଗଢି ତୋଳିବେ । ସମଗ୍ର ଭୋଇ ବଂଶକୁ ସଂଗଠିତ କରିବାର ପ୍ରୟାସ  ନେଇ ବାହୁଡା ଦାସଙ୍କର ଉଦ୍ୟମକୁ ଆମେ ନିଷ୍ଫଳ ହେବାକୁ ଦେବା ନାହିଁ । ଅତୀତ ଆମର ଗର୍ବ ଓ ପ୍ରେରଣାର ଉତ୍ସ  । ବର୍ତ୍ତମାନ ଆମର ସଂକଳ୍ପ ଭବିଷ୍ୟତର ସମ୍ଭାବନା । ସେହି ମହାଜାତିର ଉତ୍ତର ଦାୟଦମାନେ ଆଜି ତେଣୁ ବଜ୍ର ଶପଥ ନେଇ ଦେଶ ପ୍ରୀତିରେ ଉଦ୍ବୁଦ୍ଧ ହେବା ଦରକାର । ଦେଶ ପ୍ରେମ ହିଁ  ଦେଶ ସୁରକ୍ଷାର ଅକ୍ଷୟ କବଚ । ଭାରତବାସୀମାନେ ସ୍ୱାଧିନତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସାରିଥିଲେ ହେଁ  ଦେଶର ଗଣତନ୍ତ୍ର ହୋଇଛି ବିପନ୍ନ । କଷ୍ଟଲବ୍ଧ ସ୍ୱାଧିନତା କେତେକ ଦେଶଦୋ୍ରହୀ, ଜାତିଦୋ୍ରହୀ, ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ସ୍ୱାର୍ଥପରଙ୍କ  ହାତରେ ସାଜିଛି କ୍ରୀଡାପୁତ୍ତଳିକା । ଜନତାର ନେତୃତ୍ୱ ନେଉଥିବା କର୍ମୀମାନେ ଦେଶସ୍ୱାଧୀନ ହେବାପରେ ପାଲଟି ଯାଇଛନ୍ତି କ୍ଷମତା-ଲିପସୁ ନେତା । କ୍ଷମତା ପାଇଁ ସ୍ୱାର୍ଥପର ଜନ ପ୍ରତିନିଧିମାନେ ଦେଶକୁ ବନ୍ଧ ପକାଇଛନ୍ତି । ଦେଶରେ ଆଜି ମାଫିଆରାଜ, ଗୁଣ୍ଡାରାଜ, ଧପ୍ପାବାଜ, ଶଠ, ଡକାୟତି ଓ ଆତଙ୍କବାଦୀମାନଙ୍କର ଘୃଣ୍ୟ ନାରକୀୟ କ୍ରୀଡା ଚାଲିଛି । ଜନତାର କଷ୍ଟ ଲବଧ ସମ୍ପଦକୁ କେତେକ ମୁଷ୍ଟିମେୟ ନେତା ଶୋଷି ଚାଲିଛନ୍ତି । ଅନେକ ନେତାଙ୍କ ନାମରେ ଦେଖାଦେଇଛି ଦୁର୍ନିତୀ ସୁଦୀର୍ଘ ଅଭିଯୋଗ ଫର୍ଦ୍ଧ । ରକ୍ଷକ ସାଜିଛି ଭକ୍ଷକ । ତଥାପି ଜନତାର ମୋହ ନିଦ୍ରା  ଭାଙ୍ଗିନାହିଁ । ନାଗରିକ ଆଜି ଅବଶ ଓ ନିଷ୍କ୍ରିୟ । ଏହା ଗଣତନ୍ତ୍ରର ଶୁଭ ଲକ୍ଷଣ ନୁହେଁ ।
ତେଣୁ  ଅନ୍ୟାୟ ଅନୀତି ଅନାଦଥ ର୍ ବିରୋଧରେ ସଂଗ୍ରାମ ଜାରିରଖିବାକୁ  ଭଗବାନ ଶ୍ରୀକୃଷ୍ଣଙ୍କର ଅର୍ଜୁନଙ୍କୁ ପ୍ରେରଣା ଓ ସାହସ ଯୋଗାଇ ଦେଇଥିବା ତଥା ଶ୍ରୀମଦ୍ ଭାଗବତ ଗୀତାର ସେହି ଯୋଗଜୟୀ, କାଳଜୟୀ ଶ୍ଳୋକକୁ ମୁଁ ପୁଣିଥରେ ସ୍ମରଣ କରୁଅଛି-
“ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ 
ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍,
ତସ୍ମାଦୁତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟ  ।” 
(ଗୀତା ୨ୟ/୩୭ଶ୍ଳୋକ)
ବାଲେଶ୍ୱର,ଓଡିଶା
JOY BAHUDA

ସନ୍ଥକବି ଗୋସ୍ୱାମୀ ବାହୁଡା ଦାସ

ଇଶ୍ରାର ଖାନ
                                   ଭାରତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଇତିହାସରେ ସାଧୁ ସନ୍ଥ ଓ ଧର୍ମଗୁରୁମାନଙ୍କ ସ୍ଥାନ ସ୍ୱତନ୍ତ୍ର  । ସବୁ ଧର୍ମସଂପ୍ରଦାୟ ଓ ମଧ୍ୟରେ ବିଭିନ୍ନ ମତବାଦ  ଓ ଗୋଷ୍ଠୀଗତ ଭିନ୍ନ ବିଶ୍ୱାସ ଥିଲେ ମଧ୍ୟ ଆତ୍ମା ଓ ପରମାତ୍ମାକୁ ସମ୍ବଳ କରି ମାନବ ସମାଜର କଲ୍ୟାଣ ନିମନ୍ତେ ପଥ ପ୍ରଦର୍ଶନ କରିଛନ୍ତି ସବୁ ଧର୍ମର ଗୁରୁ ଓ ସନ୍ଥମାନେ । ସେହି ମହାପୁରୁଷମାନଙ୍କ ପ୍ରଦତ୍ତ ଭଗବତ ଚେତନା, ଧର୍ମବାଣୀ ଓ ସତ୍ୟପ୍ରେମର ବାର୍ତ୍ତା ଯୋଗୁଁ ମାନବ ସମାଜ ସୁପଥଗାମୀ ହେବା ପାଇଁ ଚେଷ୍ଟିତ ହୋଇଛି  ।  ବିଶିଷ୍ଟ କବି, ଦିବ୍ୟଜ୍ଞାନୀ, ସମାଜ ସଂସ୍କାରକ ଓ ଭୋଇ ଜାତିର ଅନୁଶାସକ ନିମନ୍ତେ ନିୟମ କାନୁନ୍  (ସଂହିତା) ର ପ୍ରଣେତା ସନ୍ଥ ବାହୁଡା ଦାସ ୧୯୫୦ ମସିହା ବାହୁଡା ଦଶମୀ ଅପରାହ୍ନରେ କଟକ ସଦର ଅନ୍ତର୍ଗତ ଖନେ୍ଦାଳ ଗ୍ରାମରେ ଭୋଇ ପରିବାରରେ  ପିତା ଧର୍ମୁ କାଣ୍ଡି ଓ ମାତା ଗୁରୁବାରୀଙ୍କ େଔରସରୁ ଜନ୍ମ ଲାଭ କରିଥିଲେ । ସେ ଦେଖିଥିଲେ ପରାଧିନ ଓଡିଶାର ମୁସଲମାନ, ମରହଟ୍ଟା ଓ ଇଂରେଜ ଶାସନ । ଏବଂ ସ୍ୱର୍ଗପା୍ରପ୍ତି ହୋଇଛନ୍ତି ୧୮୪୨ ମସିହା ଦେବ ଦିପାବଳୀ ଦିନ ।
                                     ଅଷ୍ଟାଦଶ ଶତାବ୍ଦୀ ସାଇଲୋ ପ୍ରଗଣାରେ ଗୋବିନ୍ଦପୁର ଠାରେ ଥିଲା ଗୋଟିଏ ବୃହତ ବୈଷ୍ଣବ ମଠ, ଯେଉଁଠାକୁ ଦୁରାନ୍ତରୁ ବହୁ ସାଧୁସନ୍ଥ ଓ ଧର୍ମାନୁରାଗୀ ମାନେ ଆସୁଥିଲେ । ଏପରିକି ଜଣେ ଆଲୌକିକ ଶକ୍ତିଧାରୀ ମୁସଲମାନ ଫକିର (ପୀର) ଙ୍କ ସେଠାକୁ ଯାତାୟତ ଥିଲା  । ବର୍ତ୍ତମାନ ସୁଦ୍ଧା ଉକ୍ତ ପୀରଙ୍କ ସମାଧୀ ନିକଟସ୍ଥ ନଦୀପଠାରେ ବିଦ୍ୟମାନ  । କାଳକ୍ରମେ ମଠଟି ନଦୀ ଗର୍ଭରେ ଲୀନହୋଇ ଯାଇଛି । ସନ୍ଥ ବାହୁଡାଙ୍କ ମଜୁରାଇ ଠାରେ ଜନ୍ମିତ ପିତା ଧର୍ମୁକାଣ୍ଡିଙ୍କ ଦୀକ୍ଷାଗୁରୁ ଯୋଗୀ ଦାସଙ୍କ ମଠ  (ରାହାସ ମଠ) ଥିଲା ଗୋବିନ୍ଦପୁର ମୌଜା ସରହଦକୁ ଲାଗି କମାର ଶାସନଠାରେ ନଦୀର ଦକ୍ଷିଣ ପାଶ୍ୱର୍ରେ  । ଖଣ୍ଡାଗର ମୌଜା  (ମହୀଧରପଡା ନିକଟସ୍ଥ)ରେ ଜନ୍ମ ଗ୍ରହଣ କରିଥିବା ବ୍ରହ୍ମଚାରୀ ଯୋଗୀଦାସ ଥିଲେ ଜଣେ ସିଦ୍ଧପୁରୁଷ । କଥିତ ଅଛି ସର୍ପଦଂଶନର ଉପଚାର ନିମନ୍ତେ ଧର୍ମୁକାଣ୍ଡି ଓ ଗୁରୁବାରୀ ବାହୁଡା ଦାସଙ୍କୁ ବାଳୁତ ବେଳରେ ଗୁରୁ ଯୋଗୀଦାସଙ୍କ ମଠକୁ ନେଇ ଯାଇଥିଲେ । ସେହି ସମୟରେ ଯୋଗୀଦାସ ବାହୁଡାଙ୍କ ଆଲୌକିକ ଶକ୍ତି ସଂପର୍କରେ ଅବଗତ ହୋଇଥିଲେ । ସନ୍ଥକବି ବାହୁଡାଙ୍କ ଜନ୍ମସ୍ଥାନ ଖନେ୍ଦାଳ ହେଲେ ହେଁ କର୍ମସ୍ଥଳୀ ଥିଲା ଖଲୋର ଖମାର ଓ ଧର୍ମ-କର୍ମ  ସ୍ଥଳ ଥିଲା କୁଶକଂଟା ମଠ । କଥିତ ଅଛି ଭିଙ୍ଗାରପୁର ଚୌଧୁରୀ ରାଧାଶ୍ୟାମ ଦାଶ ଜେଜେଙ୍କ ପ୍ରଦତ୍ତ ୧୨ ଏକର ୧୨ ଗୁଣ୍ଠ ୧୨ ବିଶ୍ୱା ଜମି ଓ ପରେ ଅରଡିଆ ପଦା ଜମିଦାର ମହାପାତ୍ର ବଂଶ (ପ୍ରଭାସ ମହାପାତ୍ର ପୁର୍ବପୁରୁଷ) ଙ୍କ ଦ୍ୱାରା ଦାନ ସୁତ୍ରେ ମିଳିଥିବା ୧୦ ଏକର ଜମିରେ କୁଷକଂଟା ମଠ ପ୍ରତିଷ୍ଠିତ ହୋଇଥିଲା । ଧନିଆ ରୂପା ନଦୀର ଦକ୍ଷିଣ ପାଶ୍ୱର୍ରେ ବ୍ୟାପ୍ତ ଏହି ଭୁଖଣ୍ଡରେ ମଠଗୃହ, ହୁକୁମସ୍ଥଳୀ, ଚାଷଜମି, ଫଳ ଓ ଫୁଲ ବଗିଚା ରହିଥିଲା  । କୁଶକଂଟା ଜଙ୍ଗଲିଆପୂର୍ଣ୍ଣ ଅଞ୍ଚଳଟିର ରୁପ ପରିବର୍ତ୍ତନ ହୋଇ ଯାଇଥିଲା ମଠ ପ୍ରତିଷ୍ଠା ପରେ  । ଗୁରୁ ଯୋଗୀ ଦାସ ଅଧିକାଂଶ ସମୟ ନିଜର ସର୍ବଶ୍ରେଷ୍ଠ ଓ ପ୍ରିୟ ଶିଷ୍ୟ ଗୋସ୍ୱାମୀ ବାହୁଡାଙ୍କ ମଠରେ ଅତିବାହିତ କରୁଥିଲେ । କୁଶକଂଟା ମଠରେ ଯୋଗୀଦାସ ଇହଲୀଳା ସମ୍ବରଣ କରିଥିଲେ । ସେହିଠାରେ ଶିଷ୍ୟ ବାହୁଡା ଦାସ ତାଙ୍କର ମର ଶରୀରକୁ ସମାଧୀ ପ୍ରଦାନ କରିଥିଲେ ।
ଏହି ସ୍ଥାନଟି କ୍ରମଶଃ ପ୍ରସିଦ୍ଧ ସ୍ଥାନରେ ପରିଣତ ହୋଇଥିଲା । ବହୁ ସାଧୁ ସନ୍ଥମାନଙ୍କ ସମାଗମ ହେଉଥିଲା  । ବହୁଲୋକେ ନିଜ ନିିଜର  ବିଭିନ୍ନ ସମସ୍ୟା ଓ ରୋଗ ବ୍ୟାଧିର ଉପଶମ ନିମନ୍ତେ ଏଠାକୁ ଆସୁଥିଲେ । ଗୋସ୍ୱାମୀ ବାହୁଡା ଦାସ ଥିଲେ ବ୍ରହ୍ମଚାରୀ, ପରମେଶ୍ୱର ହିଁ ଥିଲେ ତାଙ୍କର ସର୍ବସ୍ୱ  । ଶେଷ ଜୀବନରେ ତାଙ୍କର କୌଣସି ଆତ୍ମୀୟ ସ୍ୱଜନ ନ ଥିଲେ । ଗର୍ବ ଅହଂକାରର ଠାରୁ ବହୁ ଦୂରରେ ରହି ସଦା ସର୍ବଦା ନିଜକୁ ଅତି ହୀନ ବୋଲି ବିଚାର କରୁଥିଲେ । ସେ ଲେଖିଛନ୍ତି – 
କରୁଣା ରାଶି,ଅତି ଆରତ ହେଲା ଆସି 
କରୁଣା ରାଶି ।ା୦ାା
ମାତା ପିତା ସୋଦର ସେ ମୋତେ କଲେ ପର,
ଏକା ମୁଁ  ଭାଳୁଅଛି ବସି ।  ।ା୧ାା 
କହେ ବାହୁଡା ହୀନ, ଜାତିରେ ହୀନିମାନ
ସାହା ମୋ  ବଇକୁଣ୍ଠ ବାସୀ, । ।ା୨ାା 
ସେ ଅନ୍ୟ ସନ୍ଥ କବି  ଓ ପଞ୍ଚସଖା ସଦୃଶ ସବୁଠାରେ ନିଜକୁ ନୁ୍ୟନ କରି ପ୍ରକାଶ କରିଛନ୍ତି । ମହାପୁରୁଷ ଅଚୁ୍ୟତାନନ୍ଦ ତାଙ୍କ ବର୍ଣ୍ଣ ସଂହିତାରେ ଲେଖିଛନ୍ତି –
ନାହିଁ ମୋର ବିପ୍ର ବର୍ଣ୍ଣେ ଆଶା, 
କ୍ଷତ୍ରୀୟ ବୈଶ୍ୟରେ ନାହିଁ ଭରଷା ।
ସାନ ହେଲେ ମନ ସରୁଆ ହୁଅଇ, ତହୁଁ ଅଚୁ୍ୟତ ଯେ ଶୁଦ୍ର ବୋଲାଇ ।ା
ସେହିପରି ସନ୍ଥ ବାହୁଡା ଦାସ ନିଜକୁ ନିମ୍ନ ଭାବରେ ବର୍ଣ୍ଣନା କରି ପ୍ରକାଶ କରିଛନ୍ତି-
ନିଧନର ଘର ବୋହିନେଲେ ଚୋର,
ବଡଦାଣ୍ଡେ ବସି କରେ ରୋଦନ ।
ଧରାହେଲେ ଚୋର ହୁଅନ୍ତା ଅମର,
କହଇ ବାହୁଡା ମୁଁ ତ  ଅଜ୍ଞାନ ।ା
ତିନି ଭୁବନରେ ବାନା ଉଡୁଚି ଯହିଁ,
ପଦ୍ମପାଦେ ଚିତ୍ତ ଲଗାଇ ଯହିଁ ,
ପଦ୍ମପାଦେ ଚିତ୍ତ ଦେଲେ ଲଗାଇ ରଖିବେ ହରି,ଛାର ବାହୁଡା ହୀନ କରୁଛି ଅଳି  ।
ସନ୍ଥ କବି ବାହୁଡା ଦାସ ଗୋସ୍ୱାମୀଙ୍କ ଅନେକ ଲେଖାରୁ ତାଙ୍କ କବିତ୍ୱ  ଓ ଅନ୍ତର୍ନିହିତ ତତ୍ତ୍ୱର ସଠିକ ଅର୍ଥ ଅବତାରଣା କରିବା ସହଜ ନୁହେଁ  । ସେ ଲେଖିଲେ-
ବାଇମନହୋ ବସି ଅବନା ବନ,
ଅମିଶା ମିଶିଲେ, ଅମାପେ ମାପିଲେ, 
ଅମାପରେ ମାପ ହେବ ବହନ । 
ବାଇମନହୋ....
ଅମାସ୍ୟା ତିଥିରେ ଷୋଳକଳା ଚନ୍ଦ୍ର,
ସର୍ବଦା ନିଶିିରେ ରବି ଦର୍ଶନ,
ଅହର୍ନିଶି ଯହିଁ ପ୍ରଦୀପ ଜଳଇ,
ଦୀପ ତଳେ ଅଣଚାଶ ପବନ । ।ା ୧ାା 
ଭଜନ ଲାଗିଛି ଦେଖ ନିଳାଚଳରେ, 
ନିରାକାର ଏକ ଅଙ୍କ ଶିଖ ଚୁଳରେ ।ା୦ାା
ଦୀନଜନେ ନାହିଁ ଦୃଶ୍ୟ,ଜାଣନ୍ତି ଉତ୍ତମ ଶିଷ୍ୟ,
ହୋଇବ ଚୁଲି ପାଉଁଶ ,ଜୀବନ ଯିବ ବୃଥାରେ । ।ା୨ାା 
ଭଜନ ଲାଗିଛି ଦେଖ....
ସନ୍ଥ କବି ବାହୁଡା ଦାସଙ୍କ ଅସଂଖ୍ୟ ଭଜନ ଜଣାଣର ସଠିକ ମର୍ମଭେଦ ନିମନ୍ତେ ସେ ଗୁଡିକର ଉପଯୁକ୍ତ ଉପସ୍ଥାପନା ସମୀକ୍ଷା ଓ ଗବେଷଣାର ଅବଶ୍ୟକତା ରହିଛି । ଲେଖାଗୁଡିକର ସଂଗ୍ରହ କରି ପ୍ରକାଶନ ଓ ପ୍ରସାରର ଅଗ୍ରାଧିକାର ଭିତ୍ତିରେ ପ୍ରୟାସ କରାଗଲେ ତାଙ୍କ ପ୍ରତି ଉଚିତ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ହେବ  ।
ସଭାପତି ପଲ୍ଲୀଧାରା ସାହିତ୍ୟ ବିଚାର ମଞ୍ଚ,
ଗବବସ୍ତ, କଟକ, 
ମୋ- ୭୫୦୪୬୮୫୮୯୯
JOY BAHUDA

ଭକତ ଭାବରେ ବନ୍ଧାରେ ସେ ତ ଭକତ ଜୀବନ ଧନ...

ବଦ୍ରି ମିଶ୍ର, ବରିଷ୍ଠ ସାମ୍ବାଦିକ, ‘ସମାଜ’
                                    ଯୁଗେ ଯୁଗେ ଜାତି, ଧର୍ମ ଓ ସଂସ୍କୃତିର ଅଧୋପତ୍ତନରୁ ରକ୍ଷା କରିବାକୁ ଯୋଗଜନ୍ମା ମହାପୁରୁଷମାନେ ଧରାଧାମରେ ଅବତୀର୍ଣ୍ଣ  ହୋଇଥାନ୍ତି । ସେମାନଙ୍କ କାର୍ଯ୍ୟଧାରା ଅବକ୍ଷୟମୁଖୀ ସମାଜରେ ଚିନ୍ତା,ଚେତନା ଓ ପଥପ୍ରଦର୍ଶନର ନୂତନ ଦିଗନ୍ତ ସୃଷ୍ଟି କରିଥାଏ । ଗ୍ରୀଷ୍ମ ତାପରେ ମଉଳି ପଡିଥିବା ବୃକ୍ଷଲତା ଯେମିତି ଆଦ୍ୟ ଆଷାଢର ପହିଲି ବାରି ଧାରାରେ ନୂତନ ଜୀବନ ଲାଭ କରିଥାନ୍ତି ସେହିଭଳି ଭୁଶୁଡି ପଡୁଥିବା ସମାଜ ବ୍ୟବସ୍ଥାକୁ ସୁଧାରିବାକୁ ବିଧିନିର୍ଦ୍ଧିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଏକ ସଙ୍କଟଜନକ ସ୍ଥିତିରେ ମହାମାନବମାନେ ଆବିର୍ଭାବ ହୋଇଥାନ୍ତି । ସେହିମାନଙ୍କ ମଧ୍ୟରୁ ସିଦ୍ଧସନ୍ଥ ବାହୁଡା ଦାସ ଅନ୍ୟତମ । ହରିଜନ କୂଳରେ ଜନ୍ମ ହୋଇ ସେ ଯେଉଁ ସିଦ୍ଧି ଲାଭ କରିଛନ୍ତି, ଅଲୌକିକତା ଦର୍ଶାଇଛନ୍ତି, ତକôାଳୀନ ଅବହେଳିତ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟାକୁ ମୁକାବିଲା କରିପାରିଛନ୍ତି ତାହା ଆଜି କେବଳ ବିସ୍ମୟ ନୁହେଁ ବରଂ ଗବେଷଣାର ଏକ ପ୍ରମୁଖ ଗନ୍ତାଘର ବୋଲି ବିଚାର କରାଯାଇପାରେ । ତେବେ ସବୁଠୁ ବିସ୍ମୟ ଓ ପରିତାପର ବିଷୟ ଯେ ସନ୍ଥକବି ଭୀମ ଭୋଇ, ଜଗନ୍ନାଥଙ୍କ ଭକ୍ତ ଶିରୋମଣି ଦାସିଆ ବାଉରିଙ୍କଠାରୁ କୌଣସି ଗୁଣରେ ଊଣା ନଥିବା ଏହି ଜଗନ୍ନାଥଙ୍କ ପରମ ଭକ୍ତଙ୍କ ସ୍ମୃତି ରକ୍ଷା ଓ ଗବେଷଣା ପ୍ରତି ନା ଅଛି ସରକାରୀ ସ୍ତରରେ କୌଣସି ଆଗ୍ରହ ଓ ପଦକ୍ଷେପ କିମ୍ବା ନା ଅଛି ବେସରକାରୀ ଭାବେ ଗବେଷଣାର ପାରଦର୍ଶିତା । ବିକ୍ରମାଦିତ୍ୟଙ୍କ ରାଜସଭାର ବିଶିଷ୍ଟ କବି ଉଜ୍ଜୟିନୀର ପଣ୍ଡିତ କାଳିଦାସଙ୍କ ସମ୍ପର୍କରେ ଗବେଷଣା କରି ଓଡିଆ ସଂସ୍କୃତି ପ୍ରେମୀ ଡକ୍ଟରେଟ ଡିଗ୍ରୀ ହାସଲ କରୁଥିବା ବେଳେ ଏପର୍ଯ୍ୟନ୍ତ ସନ୍ଥ ବାହୁଡା ଦାସଙ୍କ ସମ୍ପର୍କରେ କୌଣସି ବିଶେଷ ଗବେଷଣା ହୋଇଥିବା ଦୃଷ୍ଟିକୁ ଆସୁନାହିଁ । ସେହିଭଳି ଏହି ମହାନ ଭକ୍ତଙ୍କ ପୀଠ ପ୍ରତି ଯଥୋଚିତ ସୁରକ୍ଷା ଓ ଉନ୍ନୟନ ପରିବର୍ତ୍ତେ ଅଲୌକିକତା ଅନୁଭବ କରି ଜମିଦାର ଭିଙ୍ଗାରପୁର ଚୌଧୁରୀ ଦାନ ସୂତ୍ରରେ ପ୍ରଦାନ କରିଥିବା ଜମିକୁ ହଡପ କରିନିଆଯାଇଛି । ତାହାକୁ ଉଦ୍ଧାର କରିବା ପାଇଁ ଏଯାବତ କମ୍ ସଂଘର୍ଷ ଓ ଟଣାଘୋଷରା ହୋଇନାହିଁ । ଅଥଚ ସୁଫଳ ସେଭଳି ଭାବରେ ମିଳିନାହିଁ ।
                                                      ଜଗନ୍ନାଥଙ୍କ କୃପାରୁ  ଗାଈ ଜଗୁଥିବା କପିଳା ମାଟିତଳେ ଥିବା ବତ୍ରିଶ ସିଂହାସନର ପରାକାଷ୍ଠାରେ ଉତ୍ତମ ବିଚାର, କପିଳାରୁ ଗଜପତି କପିଳେନ୍ଦ୍ର ଦେବ ପାଲଟିଥିବା ଉପାଖ୍ୟାନ କାହାକୁ ଅଛପା ନୁହେଁ । ହେଲେ ଯେଉଁ ନିରଞ୍ଜନା ନଦୀତଟରେ ଅଶ୍ୱତ୍ଥ ବୃକ୍ଷ ତଳେ ସିଦ୍ଧି ଲାଭ କରିଥିବା ଗୌତମ ବୁଦ୍ଧ ଓ ତାଙ୍କ ପାଇଁ ଇତିହାସର ପୃଷ୍ଠଭୂମିରେ ଲୁମ୍ବିନୀ ପ୍ରତିଷ୍ଠିତ, ଭକ୍ତିର ପୁଷ୍ପବିମଣ୍ଡିତ, କେଉଁଥିପାଇଁ କୁଶବନର ସେଦିନର ଏହି ମହାନ ସନ୍ଥଙ୍କ ପୀଠ ଓ ବଟର ପ୍ରତିଟି ମାଟି ପୂଜନୀୟ ହେବନାହିଁ ତାହାର ଯଥାର୍ଥ କାରଣ ଖୋଜିଲେ ମିଳୁନାହିଁ କିମ୍ବା ଏହାକୁ କେହି ଖୋଜିବାକୁ ଚେଷ୍ଟା କରିଛି କି ନାହିଁ ତାହା ଜଣାନାହିଁ । ମାତ୍ର ଏଯାଏ ଏଭଳି ପ୍ରଚେଷ୍ଟା ଯେ ସଫଳ ହୋଇନାହିଁ ତାହା ନିଃସନେ୍ଦହରେ କୁହାଯାଇପାରେ । ଆଜିଯାଏ ସରକାରୀ ବା ବେସରକାରୀ ୱେବ୍ସାଇଟରେ ଏହି ମହାନ ସନ୍ଥଙ୍କ ସମ୍ପର୍କରେ ଯେ ବିଶେଷ କିଛି ଆଲେଖ୍ୟ ନାହିଁ ତାହା କହିବା ନିଷ୍ପ୍ରୟୋଜନ । ଯାହାକି ପ୍ରତିଟି ଓଡିଆ ପ୍ରାଣକୁ ନିରାଶ କରୁଛି । ଜଗନ୍ନାଥଙ୍କ ଏହି ପରମ ଭକ୍ତଙ୍କ ସମ୍ପର୍କରେ କିଛି କହିବା ବା ଲେଖିବା ବେଳେ ଯେପରି ନିଜକୁ ଧନ୍ୟ ମଣିବାର ସୁଯୋଗ ମିଳିଥାଏ ଓ ଯେଭଳି ଅବିଚାରିତ ଭାବେ ନାଗାନ୍ତ,ଯୋଗାନ୍ତ, ବେଦାନ୍ତ ଓ ସିଦ୍ଧାନ୍ତରେ ସିଦ୍ଧହସ୍ତ ଥିଲେ ବୋଲି କହି ଆମେ ପ୍ରଗଳ୍ଭତାର ପରିଚୟ ଦେଉ ସେଥିନେଇ ଆମେ ଥରେହେଲେ ଏଥିନେଇ ବିଶେଷ କିଛି ଚିନ୍ତା ବା ଗବେଷଣା କରିଥାଉ କି? ଯାହା ବିଚାର କରିବାର କଥା ।
                                        ତକôାଳୀନ ରକ୍ଷଣଶୀଳ ସମାଜରେ ଜାତି, ଭେଦ, ଛୁଆଁ, ଅଛୁଆଁର ଲକ୍ଷ୍ମଣରେଖା ଟପି ଯେଉଁ ମାଟି ଅବଧାନ ଉକ୍ତ ସନ୍ଥଙ୍କୁ ବାଲ୍ୟ ଜୀବନରେ ଶିକ୍ଷାଦାନ କରିବାକୁ ପଛଘୁଞ୍ଚା ଦେଇଥିଲେ, ଉକ୍ତ ପରିପ୍ରେକ୍ଷୀରେ କିଭଳି ସେ ସିଦ୍ଧସନ୍ଥ ବାହୁଡା ଗୋସାଇଁରେ ପରିଣତ ହେଲେ ତାର କେବେ ତୁଳନାତ୍ମକ ଭାବେ ବିଚାର କରାଯାଇନାହିଁ । ଆଉ ବି ବିଚାର କରାଯାଇନାହିଁ ଯଦି ଉକ୍ତ ଭକ୍ତ ଶିରୋମଣି ୧୭୫୦ ମସିହାରେ ଜନ୍ମ ହୋଇଥିବାର ତଥ୍ୟ ସତ୍ୟ ଓ ନିର୍ବାଣ ୧୮୪୨ ମସିହା ଶ୍ରୀମନ୍ଦିରରେ ପାଳିତ ଦେବଦୀପାବଳୀ ଉସôବ ଦିବସରେ ହୋଇଥିବା ସତ୍ୟ ତେବେ ସେ ୯୨ବର୍ଷ ବଞ୍ଚôଥିବା ଏକ ସହଜସାଧ୍ୟ ବିଷୟ ନୁହେଁ ନିଶ୍ଚୟ । ଏଣୁ ଜନ୍ମମୃତୁ୍ୟର ପ୍ରକୃତ ତାରିଖ ଓ ମସିହା ସମ୍ପର୍କିତ ତଥ୍ୟ ସମ୍ପର୍କରେ ଗବେଷଣା ନିହାତି ଆବଶ୍ୟକ । ସରଳରେ କହିବାକୁ ଗଲେ ସେତେବେଳ ସମୟରେ ବହୁ ରୋଗକୁ ପ୍ରତିକାର, ପ୍ରତିରୋଧ କରାଯାଇ ପାରୁନଥିଲା । ସଚେତନତା କିମ୍ବା ଚିକିସôା ସୁବିଧା ନଥିଲା । ଏଣୁ ଶିଶୁ ମୃତୁ୍ୟହାର ବହୁ ଅଧିକ ଥିଲା । କେଉଁ ଆଧାରରେ ଏହି ସନ୍ଥ ସିଦ୍ଧିପ୍ରାପ୍ତ ହେଲେ, ବାକସିଦ୍ଧି ପାଇଲେ,ଦୀର୍ଘ ୯୨ବର୍ଷ ଜୀବନଧାରଣ କଲେ ତାହା ଗବେଷଣାର ବିଷୟ । ସ୍ୱୀୟ ପ୍ରତିଭା ବଳରେ ଜାତିଭେଦ ରକ୍ଷଣଶୀଳତାର ଲକ୍ଷ୍ମଣରେଖା ଟପି ସେ ସବୁ ବର୍ଗର ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହେଲେ ତାହା ଅତ୍ୟନ୍ତ ଅଲୌକିକ ଘଟଣା । ବର୍ତ୍ତମାନ ପରି ସେ ସମୟରେ ଗଣମାଧ୍ୟମ ବା ପ୍ରଚାରର ପର୍ଯ୍ୟାପ୍ତ ତ ଦୂରର କଥା ସାଧାରଣ ସୁଯୋଗଟିଏ ବି ନଥିଲା । ରାସ୍ତା ଗମନାଗମନର ବିକାଶ ବି ହୋଇନଥିଲା ।
                                     ଅଥଚ ଭାରତବର୍ଷର ବିଶିଷ୍ଟ ଧର୍ମଯାଜକ ଓ ପରିବ୍ରାଜକମାନେ ସାରା ଭୂଖଣ୍ଡକୁ ପରିକ୍ରମା କରି ଓ ରଚିତ କାବ୍ୟକବିତା, ଭବିଷ୍ୟତବାଣୀ ମାଧ୍ୟମରେ ଜନସମୁଦାୟର ନିକଟତର ହେଉଥିଲେ ତାହା ବି ଏହି ମହାନ ସନ୍ଥଙ୍କ ଧେୟ ଓ ମାର୍ଗ ଥିବା ସ୍ୱାଭାବିକ । ଯାହା କି ଏତେ ସହଜସାଧ୍ୟ ନଥିଲା । ତେବେ ସମାଜର ରକ୍ଷଣଶୀଳତା ମଧ୍ୟରେ ଗାଁ ଚାଟଶାଳୀର ସ୍ୱଳ୍ପ ଶିକ୍ଷାଲାଭ କିଭଳି ବାହୁଡା ଦାସଙ୍କୁ ମହାନ ସନ୍ଥରେ ପରିଣତ କଲା? ଏ ସମସ୍ତ ପ୍ରଶ୍ନ ଓ ରହସ୍ୟର ଗୋଟିଏ ଉତ୍ତର ହୋଇପାରେ ଯେ ଶ୍ରୀ ଜଗନ୍ନାଥଙ୍କ କୃପା ବିନା ତାଙ୍କର ଜଣେ ମହାନ ଭକ୍ତ ବାହୁଡା ଗୋସାଇଁ ଏଭଳି ସ୍ତରରେ କେବେ ପହଞ୍ଚି ନଥିବେ । ଯାହାକୁ ଭିତ୍ତି କରି ସେ ଆଗକୁ ଆଗକୁ ମାଡି ଚାଲିଥିବା ବେଳେ ପ୍ରଭୁ ବି ତାଙ୍କୁ ଅନ୍ଧାରରେ ଆଲୋକବର୍ତ୍ତିକା ସମ ବାଟ କଢାଇ ନେଉଥିଲେ । ସବୁଠାରୁ ବଡ କଥା ହେଉଛି ନିଷ୍ଠା ଓ ଐକାନ୍ତିକତା । ଯାହାକୁ କୁହାଯାଇପାରେ ଏକାଗ୍ରତା । ମନ ଥିଲେ ଉପାୟ ବଳେ ବଳେ ଆସେ । ଯାହା ବାହୁଡା ଗୋସାଇଁଙ୍କ କ୍ଷେତ୍ରରେ ଘଟିଥିଲା । ଜଗନ୍ନାଥଙ୍କ ସାନ୍ନିଧ୍ୟ ପାଇବାକୁ ବାହୁଡାଙ୍କ ପ୍ରାଣ ବିକଳ ହୋଇପଡୁଥିବା ବେଳେ ତାଙ୍କୁ ମିଳିଥିଲା ଭଗବାନଙ୍କ ଜଣେ ଅଗ୍ରଦୂତ ଭାବେ ଗୁରୁ ଯୋଗୀ ଦାସଙ୍କ ସାନ୍ନିଧ୍ୟ । ଯହିଁରୁ ସାଧନାର ଉପାୟ ଓ ସିଦ୍ଧିପ୍ରାପ୍ତିର ମାର୍ଗ ଉପଲବ୍ଧ ହୋଇଥିଲା । ଏହି ଶକ୍ତିର ଉତ୍ତମ ବିକାଶ ଘଟିଥିଲା ଯେତେବେଳେ ଭିଙ୍ଗାରପୁର ଚୌଧୁରୀଙ୍କ ହଳିଆରୁ ବାହୁଡାଙ୍କୁ ମିଳିଥିଲା ମୁକ୍ତି ଓ ପ୍ରଦତ୍ତ ଜମିରେ ଏକ ନିରୋଳା ସ୍ଥାନରେ ସ୍ଥାପିତ ଆଶ୍ରମ । ନୀରବଚ୍ଛିନ୍ନ ସାଧନାର ଏକ ପ୍ରକୃଷ୍ଟ କ୍ଷେତ୍ର ।
                                                   ଯୋଗ ମାର୍ଗରେ ତାଙ୍କୁ ବାଟ କଢାଇ ନେଇଥିଲେ ଗୁରୁ ଯୋଗୀ ଦାସ । ଅଷ୍ଟାଙ୍ଗ ଯୋଗ, ଷଡଚକ୍ର ସାଧନ, ଧ୍ୟାନ,ଲୟ, ତ୍ରାଟକ, ଆସନ, ମୁଦ୍ରା ଆଦି ସେ ତାଙ୍କୁ ବତାଇଥିଲେ । ରେଚକ, ପୂରକ, କୁମ୍ଭକ ବଳରେ ପଦ୍ମାସନରେ ଘଣ୍ଟା ଘଣ୍ଟା ଧରି ଯୋଗ ସାଧନା କରୁଥିଲେ ବାହୁଡା ଦାସ । ଯାହା ଥିଲା ଜନସମୁଦାୟର ଲକ୍ଷ୍ୟ ବାହାରେ । ଏହି ସାଧନା କ୍ରମେ ପରିଣତ ହୋଇଥିଲା କୁଚ୍ଛ୍ର ସାଧନାରେ । ଜାଗ୍ରତ ହୋଇଥିଲା କୁଣ୍ଡଳିନୀ ଶକ୍ତି । ଯାହାକୁ କୌଣସି ଯୋଗମାର୍ଗୀମାନେ କେବେ ଅସ୍ୱୀକାର କରିପାରିବେନାହିଁ । ଉକ୍ତ ଘଟଣା ଯେ ପ୍ରଥମ କରି ବାହୁଡା ଦାସ ଗୁରୁ ଯୋଗୀ ଦାସଙ୍କଠାରୁ ପ୍ରାପ୍ତ ହେଲେ ତାହା ନୁହେଁ । ଭାରତବର୍ଷର ବହୁ ମହାମନିଷୀ, ଯୋଗୀ, ସନ୍ଥ ଏହି ଧାର୍ଯ୍ୟ ମାର୍ଗରେ ହିଁ ସିଦ୍ଧିଲାଭ କରିଥାନ୍ତି ଯାହା ପୂର୍ବରୁ ବହୁବାର ପ୍ରମାଣିତ ହୋଇଛି । ଜୀବିତ ଅବସ୍ଥାରେ ଜଣେ ସାଧାରଣ ମଣିଷ ଶରୀର ଓ ଆତ୍ମା ଅଭିନ୍ନ ବୋଲି ଭାବୁଥିବା ବେଳେ ଏବେ ବି ବହୁ ଯୋଗସାଧକ ଧ୍ୟାନ ମୁଦ୍ରାରେ ଥାଇ ଶରୀର ଓ ଆତ୍ମାକୁ ଦିନ ଦିନ ଧରି ଅଲଗା କରାଇପାରିବା ଓ ପୁନଃ ଶରୀର ପ୍ରବେଶ କରାଇବା ଉଦାହରଣ ରହିଛି । ସଂସାର ବାନ୍ଧି ନଥିବା ବାହୁଡା ଦାସଙ୍କ ପକ୍ଷରେ ଏଥିପାଇଁ ଯୋଗ ସାଧନାର ଏକ ପ୍ରକୃଷ୍ଟ ସୁଯୋଗ ଓ ଶକ୍ତି ହାସଲ କରିବା ସମ୍ଭବ ହୋଇପାରିଥିଲା । ଯାହାର ମିଷ୍ଟତା ଓ ବିଭୁକୃପା ସେ ଅନ୍ତରରେ ଅନୁଭବ କରିପାରିଥିଲେ । ପରେ ସେ ଆଉ ସଂସାରକୁ ପାଦ ବଢାଇବାକୁ କେବେ ବି ମନ କରିନାହାନ୍ତି ।
                                                              ଯେଉଁଥିପାଇଁ ତାଙ୍କ ରଚିତ ‘ନୂଆ ଘର ଖଣ୍ଡି ଦିନେ ପୁରୂଣା ହେବ, ମାରିବ ଶୂନ୍ୟ ଲହଡି ଥୟ ନୋହିବ’ ଭଳି ଉଚ୍ଚକୋଟୀର ଶରୀରଭେଦ ଭଜନ କେବଳ ତକôାଳୀନ ସମାଜରେ ନୁହେଁ ଏବେ ବି ଅନୁରଣିତ ହେଉଛି ପ୍ରତିଟି ହୃଦୟରେ । ତେବେ ଏହି ସନ୍ଥଙ୍କ ରଚିତ ବହୁ କାବ୍ୟକବିତା ଏବେ ବି ଉଦ୍ଧାର, ଉପଯୁକ୍ତ ସଂରକ୍ଷଣ କିମ୍ବା ଗବେଷଣା ହେଉନାହିଁ । ତାହା ହେଲେ ଏଥିରୁ ବହୁ ତଥ୍ୟ ସାମ୍ନାକୁ ଆସନ୍ତା । ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟକୁ ଆସିଲେ ସାମ୍ନାକୁ ଆସେ ଜଗନ୍ନାଥଙ୍କର ଏଡେବଡ ଭକ୍ତ ବାହୁଡା ଯେଉଁ ବିଭୁ କୃପାର ରସ ଆସ୍ୱାଦନ କରିବାରେ ଏକାଙ୍ଗ ବ୍ରତୀ ଓ ସଫଳ ହୋଇପାରିଲେ ତାଙ୍କ ସମ୍ପର୍କରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଚଳିତ ମାଦଳା ପାଞ୍ଜିରେ ବିଶେଷ କିଛି ଉଲ୍ଲେଖ ନଥିବା କୁହାଯାଏ । କାରଣ ଏହା ହୋଇପାରେ ଯେ ମାଦଳା ପାଞ୍ଜିର ରଚନା କାଳ ଖ୍ରୀ:ଅ ୧୪୦୦ରୁ ୧୬୦୦ ମଧ୍ୟରେ ହୋଇଥିବା ଗବେଷକମାନେ ମତବ୍ୟକ୍ତ କରୁଥିବା ବେଳେ ଏହାର ରଚନାକାଳ ଦ୍ୱାଦଶ ଶତାବ୍ଦୀରୁ ବୋଲି କେତେକ ସ୍ଥଳରେ ଉଲ୍ଲେଖ ହୋଇଛି । ଯଦିଓ ଏହି ମାଦଳା ପାଞ୍ଜିର ଭାଷା ଭିନ୍ନ ଭିନ୍ନ ପ୍ରକାର ମାତ୍ର ପ୍ରାଥମିକ ଅବସ୍ଥାରେ ତେଲୁଗୁ ଭାଷା ସାହିତ୍ୟ ଦ୍ୱାରା ବିଶେଷ ଭାବେ ପ୍ରଭାବିତ । ଯେତେବେଳେ କି ଓଡିଶାରେ ଗଙ୍ଗ ବଂଶର ଶାସନ ଚାଲିଥିଲା । ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ପାଇଁ ଶ୍ରୀ ଚୈତନ୍ୟ ଓଡିଶା ଆସିଥିଲେ । ସେ ଖ୍ରୀ:ଅ:୧୫୧୦ ରେ ପ୍ରଥମ ଥର ଓଡିଶା ଆସି ବିଶେଷ ସଫଳ ହୋଇପାରିନଥିବା ବେଳେ ଏହାର ୬ବର୍ଷ ପରେ ଖ୍ରୀ:ଅ:୧୫୧୬ରେ ଦ୍ୱିତୀୟଥର ତାଙ୍କ ଓଡିଶା ଆଗମନ କାଳରେ ଉକôଳୀୟ ପଞ୍ଚସଖା ଅଚୁ୍ୟତ, ଯଶୋବନ୍ତ, ଅନନ୍ତ, ଜଗନ୍ନାଥ, ବଳରାମ ତାଙ୍କ ସମ୍ପର୍କରେ ଆସିଥିଲେ । ଏହି ମହାପୁରୁଷମାନଙ୍କ ମଧ୍ୟରୁ ଅଲୌକିକତା ପାଇଁ ଅଚୁ୍ୟତଙ୍କ ନାମ ସର୍ବାଗ୍ରେ ରହିଥାଏ । ଯଶୋବନ୍ତ ମଧ୍ୟ କିଛି କମ ନଥିଲେ । ଏହି ବିଷୟର ପ୍ରାସଙ୍ଗିକତା ଏଠାରେ ଏହି ଯେ ଏହି ଦୁଇ ମହାନ ସନ୍ଥ ମଧ୍ୟ ସିଦ୍ଧସାଧକ ଥିଲେ ।
                                            ବାକ୍ସିଦ୍ଧି ଯୋଗୁ ତାଙ୍କ ଅଲୌକିକତା ତନ୍ତ୍ର ବୋଲି ବିନା ଦ୍ୱିଧାରେ ବିବେଚିତ ହେଉଥିଲା । ତେବେ ସେମାନେ ଏହି ମାର୍ଗରେ ସିଦ୍ଧିଲାଭ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡି ଦାସ ଉକ୍ତ ପନ୍ଥାକୁ ଅନୁକରଣ କରିଥିବା ଅଧିକ ଭାବେ ବିଶ୍ୱାସ କରାଯାଇପାରେ । କାରଣ ଯୋଗମାର୍ଗରେ ସିଦ୍ଧି ପ୍ରାପ୍ତି ହେବାର ଏହା ହିଁ ଏକମାତ୍ର ପନ୍ଥା ହୋଇଥିବା ବେଳେ ପଞ୍ଚସଖାଙ୍କ ପ୍ରଭାବ ସହିତ ପରବର୍ତ୍ତୀ ସମୟରେ ତାଙ୍କର ସାମଞ୍ଜସ୍ୟତା ପରିଲକ୍ଷିତ ହୋଇଛି । ଅଚୁ୍ୟତ ଯେପରି ଏକାକ୍ଷର ମନ୍ତ୍ର ସଂସ୍ଥାପନା କରିଥିଲେ ଠିକ ଅନୁରୂପ ଭାବେ ବାହୁଡି ଦାସ ମଧ୍ୟ ଅନ୍ୟ ଏକ ଏକାକ୍ଷର ମନ୍ତ୍ରର ସଂରଚନା କରିଛନ୍ତି ବୋଲି ବିବେଚନା କରାଯାଏ । ଭବିଷ୍ୟତ ମାଳିକା ରଚନାରେ ଅଚୁ୍ୟତଙ୍କ ଠାର, ହାଡିଆ ଗାର ଯେଭଳି ଭାବେ ଭବିଷ୍ୟତ ଘଟଣାବଳୀ ନେଇ ପରୋକ୍ଷ ସୂଚନା ଓ ଶରୀରଭେଦ ଭଜନକୁ ପ୍ରାଧାନ୍ୟ ଦେଇଛନ୍ତି ସେଭଳି ମଧ୍ୟ ବାହୁଡି ଦାସଙ୍କ ରଚନାରେ ଭବିଷ୍ୟତ ଗଣନା ବଦଳରେ ରୋଗ ଭଲ କରିବା ଓ ଶରୀରଭେଦ ରଚନା ଦେଖିବାକୁ ମିଳେ । ଯଦିଓ ଉଭୟ ସମସାମୟିକ ନୁହନ୍ତି । ବାହୁଡି ଦାସଙ୍କ ଜନ୍ମ ସମୟ ମୋଗଲ ଶାସନର ଅନ୍ତ ଓ ଇଂରେଜ ଶାସନର ପ୍ରାରମ୍ଭ କାଳ ବୋଲି ବିଚାର କରାଯାଇପାରେ । କାରଣ ଇତିହାସର ତଥ୍ୟ ଅନୁଯାୟୀ ୧୭୫୭ ମସିହାରେ ମୋଗଲ ସାମ୍ରାଜ୍ୟର ପତ୍ତନ ପରେ ଇଂରେଜ ଶାସନର ପ୍ରାୟତଃ ଆରମ୍ଭ । ସଂସାର ସୁଖଠାରୁ ଈଶ୍ୱର ପ୍ରାପ୍ତି, ଈଶ୍ୱର ଅନୁରାଗୀ, ବୀଷୟାବିଷରୁ ଦୂର ଅବସ୍ଥିତିରେ ଯେଉଁ ଚରମ ଶାନ୍ତି ମିଳେ ତାହା ବାହୁଡାଙ୍କୁ ପ୍ରାପ୍ତ ହୋଇଥିଲା । ସେଥିପାଇଁ ସେ ସମାଜ ସଂସ୍କାର ଓ ପୀଡିତଙ୍କ ଉପକାର ଛଡା କେବେ ସାଂସାରିକ ସୁଖକୁ ସାଉଁଟି ନାହାନ୍ତି । ଯାହାର ନିର୍ଯ୍ୟାସ ପ୍ରାପ୍ତି ବର୍ତ୍ତମାନ ସମୟରେ ଅତି ବିରଳ । ମାତ୍ର ଅସମ୍ଭବ ନୁହେଁ ।
                                                   ୯୨ବର୍ଷର ଦୀର୍ଘ ନିରଳସ ଜୀବନ ବିତାଇଥିବା ସନ୍ଥ ବାହୁଡି ଦାସ ପ୍ରାୟ ୧୮୦୦ ମସିହା ପାଖାପାଖି ସିଦ୍ଧିଲାଭ କରିଥିବା ବିଶ୍ୱାସ କରାଯାଇପାରେ । ସେତେବେଳେ ତାଙ୍କୁ ବୟସ ୪୦ରୁ ୫୦ବର୍ଷ ମଧ୍ୟରେ ହୋଇଥିବା ସମ୍ଭବ । ଜଗନ୍ନାଥଙ୍କୁ ତନ୍ତ୍ରର ଦେବତା ଭାବେ ଯେଭଳି ବିଚାର କରାଯାଇଥାଏ ସେହିପରି ସବୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷର ମିଳନ ତାଙ୍କ ପାଖରେ ହୋଇଥିବା ଗବେଷକମାନେ ପ୍ରମାଣ କରିଛନ୍ତି । ଯାହାକି ସବୁ ଜାତି, ଧର୍ମ, ସମ୍ପ୍ରଦାୟ ପ୍ରତି ସମାନ ଭାବନା ପୋଷଣ କରେ । ଜଗନ୍ନାଥଙ୍କ ନାଭୀକମଳ କୁହାଯାଉଥିବା ଅଂଶରେ ବୌଦ୍ଧ ଧର୍ମର ପ୍ରତୀକ ବୁଦ୍ଧଙ୍କ ଦାନ୍ତର ଅଂଶବିଶେଷ ବୋଲି କୁହାଯାଉଥିବା ବେଳେ ହାତ ନଥାଇ ବଳୀୟାରଭୁଜଙ୍କ ଅବତାର ଖ୍ରୀଷ୍ଟ ଧର୍ମର କୃଶ ଚିହ୍ନ ସହ କଳ୍ପନା କରାଯାଇଥାଏ । ସେହିଭଳି ଯବନ କବି ଭକ୍ତ ସାଲବେଗ ମଧ୍ୟ ପ୍ରଭୁଙ୍କ କୃପା ବାରି ପାନ କରିଥିବା ବିଶ୍ୱାସ କରାଯାଏ । ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଜନ୍ମବୃତ୍ତାନ୍ତ ଯେଭଳି ରହସ୍ୟମୟ ତାଙ୍କର ଏକାନ୍ତ ଭକ୍ତମାନଙ୍କ ପ୍ରତି ପ୍ରୀତି, କୃପା ଓ କାର୍ଯ୍ୟ ମଧ୍ୟ ସେହିଭଳି ଅଲୌକିକତାପୂର୍ଣ୍ଣ । ଯେତେ ଆଲୋଚନା କଲେ ବି ତାହା ଅସରନ୍ତି ଭଣ୍ଡାର । ଭକ୍ତ ବାହୁଡା ଏହି ଭଣ୍ଡାରରୁ ସାଉଁଟିଥିବା ଅମୂଲ୍ୟ ସମ୍ପଦ ପାଇଁ ପ୍ରଭୁଙ୍କ ନିକଟରେ ଚିରକାଳ ଭକତ ଭାବରେ ବନ୍ଧା । ପ୍ରଭୁଙ୍କ ପାଇଁ ବି ସେ ଭକତ ଜୀବନ ଧନ ପାଲଟିଛନ୍ତି । ପ୍ରଭୁ ଦେଇଛନ୍ତି ତାଙ୍କୁ ଐଶ୍ୱରିକ ଶାନ୍ତି, ତକôାଳୀନ ସମୟରେ ଉତ୍ତମ ସାମାଜିକ ସୁନାମ ଓ ପ୍ରତିଷ୍ଠା, ଦର୍ଶାଇଛନ୍ତି ନିଜ ପ୍ରଭୁପଣର କୃପାଳୁତା । ଦୁଃଖର ବିଷୟ ଯେ, ଏଭଳି ଜଣେ ଜଗନ୍ନାଥ ଭକ୍ତଙ୍କ ପ୍ରତି ନା ତାଙ୍କ ପିତୃଗୃହ ନା ଧ୍ୟାନପୀଠ ନା ପିତାପିତାମହଙ୍କ ପୈତୃକ ସ୍ଥାନ ସମ୍ପର୍କରେ ସୂଚନା, ଗବେଷଣା, ସ୍ମୃତିରକ୍ଷା କିଛି ବି ଏଯାବତ ହେଉଛି । ଯାହା ଆଜି ନିରାଶାର କାରଣ ପାଲଟିଛି । 
କ୍ରମଶଃ... (ଅବଶିଷ୍ଟ ଆରଥରକୁ)
        ସା-ଚଉପଡା, କଟକ,     
ମୋ- ୯୪୩୮୬୮୪୬୮୦
JOY BAHUDA

ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ

ମାଧବାନନ୍ଦ  ଭୋଇ
                             ଜୀବନରେ ସମୟେ ସମୟେ ଆମ୍ଭେ ଅନେକ ମହାପରୁଷ ଆଉ ସାଧୁସନ୍ଥମାନଙ୍କ ଜୀବନୀ ପାଠ କରୁ । ହେଲେ ଯେତେବେଳେ କୌଣସି ସନ୍ଥଙ୍କ ଜୀବନଧାରା ଗାଥା ସହ ନିଜ ଜୀବନ ଯୋଡିହୋଇଯାଏ ।  ସେତେବେଳେ ନିଜ ମନ ଚାହେଁ ଏକ ଅମୃତ ଅନୁଭବକୁ, ସତରେ ଜୀବନର ମାନେ କଣ? କଣ ପାଇଁ ବାହୁଡା ଗୋସେଇଁ   ଏ କଥା ଲେଖି ଦେଇଗଲେ ।  “ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ, ମାରିବ ଶୂନ୍ୟ ଲହଡି ଥୟ ନୋହିବ”ଧାଡିରେ ଦର୍ଶାଇଦେଲେ ଜୀବନର ନିଷ୍ଠୁର ସତ୍ୟକୁ । ଆଜି ସେ ନାହାନ୍ତି ସତ, ହେଲେ ତାଙ୍କ କଥା ଭାବିଲେ ଆପେ ଆପେ ମଥା ନଇଁଯାଏ   ।
                                        ପରମେଶ୍ୱର ଆଉ ସନ୍ଥ ଦ୍ୱୟ ମାନବ ଜୀବନରେ ଏକା ପରି । ଏକ ଦିଗରେ ଦୁଇଟି ସରଳ ରେଖା ପରି ପରସ୍ପରଙ୍କ ମିଳନ ହୋଇଥାଏ । ଏହି ମିଳନର ମହାନୁଭବକୁ କହି ହୁଏନା କଥାରେ, ନା ଲେଖି ହୁଏ ଲେଖାରେ । ଏହାର ସ୍ୱର୍ଗୀୟ ଅନୁଭବକୁ  ଯେତେବେଳେ ପ୍ରାଣରେ ସଂଚାର ହୁଏ । ଶରୀରରେ ସୃଷ୍ଟିହୁଏ ନୂଆ ଉନ୍ମାଦନା, ଶରୀରର ପ୍ରତିଟି ତନ୍ତ୍ରୀ ଝଂକୃତ ହୋଇଉଠେ ସେଇ ଅଦୃଶ୍ୟ ମହାନ୍ ଆତ୍ମାଙ୍କ ଅମୃତମୟ ସ୍ପର୍ଶରେ । ଜୀବନ ପାତ୍ର ପରିପୂର୍ଣ୍ଣ ଲାଗେ । ସଂସାରର  ମାୟା ଜଗତ ତୁଛ ହୋଇଯାଏ । ଭକ୍ତର ଭଲପାଇବା ଠାରୁ ଭଗବାନଙ୍କ ଆଗରେ କୌଣସି ବଡ ପୂଜା ତୁଳନୀୟ ନୁହେଁ । ବାସ୍ତବରେ ଭଲ ପାଇବାରେ ବ୍ୟାକୁଳତା ନ ଥିଲେ, ଭଲ ପାଇବା ହୁଏନାହିଁ ।  ଯେତେବେଳେ ସେ ନିଜକୁ ତାଙ୍କ ପାଖରେ ସମର୍ପଣ କରି ଦିଏ, ଆଉ କଣ ବା ଆବଶ୍ୟକ ଅଛି ? କେଉଁଠି ଏ ମଣିଷ ନିଜର ବନ୍ଧୁ ଭାବରେ ଜୀବନର ସବୁକିଛି ତାଙ୍କ ନିକଟରେ ସମର୍ପି ଦେଇଛି,ଆଉ କହିଛି ସଖା ତୁ ମୋର; ମୁଁ ତୋର, ଭକତର ତୁମେ ହିଁ ବନ୍ଧୁ ପ୍ରଭୁ । କେଉଁଠି ପରମେଶ୍ୱର  ସାଜିଛନ୍ତି  ଭକ୍ତ ବତ୍ସଳ ଭଗବାନ ଦୀନ ଭକ୍ତପାଇଁ, ଦୀନ ଭକ୍ତଟି ଆକୁଳ କଂଠରେ ପ୍ରାର୍ଥନା କରିଛି- ପ୍ରଭୁ ୟେ  ସଂସାରରେ ତୁମ ଛଡା ସାହା କେହି ନାହିଁ ,ମୋର ସୁଖ ଦୁଃଖରେ ତୁମେ ହିଁ ସାହା ହୁଅ । କେବେ କେବେ ଭକ୍ତଟେ ହୋଇଯାଇଛି ମମତାମୟୀ ଯଶୋଦା, ବାତ୍ସଲ୍ୟ ପ୍ରେମରେ ହଜିଯାଇଛି ମନ । ମନେମନେ ଖୁଆଇ ଦେଇଛି ସର, ଲବଣୀ । କେବେ କେବେ ଭକ୍ତଟେ  ସଜାଇଛି ନିଜକୁ  ପ୍ରେମମୟୀ ରାଧା ଭାବରେ  । ଜନମ ଜନମ ସାଥି ଭାବି ନିଜକୁ ପ୍ରେମ ଦରିଆରେ ଡୁବ ଦେଇଛି । ପ୍ରେମିକା ହୋଇ ଶୃଙ୍ଗାର କରିଛି ପ୍ରିୟତମଙ୍କ ପାଇଁ । ଆଉ କେଉଠି ମନ ହଜି ଯାଇଛି ନିର୍ଗୁଣ ଉପାସନାରେ । ଦେହ ଦେହୀର ମିଳନ ପାର୍ଥିବ ଭାବରେ ଖୋଜିଛି ପରମ ପ୍ରେମମୟ ପ୍ରିୟ ପୁରୁଷଙ୍କୁ ।
                                                        ବାସ୍ତବରେ ବାହୁଡାଙ୍କ  ଭଜନରେ କି ଯାଦୁ  ଥିଲା । ମୁଁ ବି ଜାଣିନି । ଯେତେଥର ପଢିଲେ ବି  ଏହାର ପ୍ରତିଟି ପଦ ନୂଆ ନୂଆ ଲାଗେ । ସତେ ଯେମିତି ଚେତାଇ ଦେଉଛି ମନକୁ, ଅଢେଇ ଦିନିଆ ସଂସାରରେ ତୁ କି ଲାଭ ପାଇବୁରେ... ଛୋଟ କଢିଟି ଫୁଲ ହୋଇ କାଲିକୁ ଫୁଟିଯିବ । ମଉଳି ଯିବ । ସେମିତି ୟେ ଶରୀର ନୂଆ ଘର ପରି ଦିନେ ପୁରୁଣା ହୋଇଯିବ, ଆଜି ଚକ୍ ଚକିଆ ଅଛି, କାଲିକି ଧୁଡୁ ଧଡିଆ ହୋଇଯିବ । ସମୟର  ଚକରେ  ପେଶିହୋଇ ଧିରେ ଧିରେ  ଶରୀରର ଅବସ୍ଥା ବି ବିଗିଡିଯିବ । ଲୋଳିତ ଚର୍ମ ଆଉ ଗଳିତ ଦନ୍ତରେ ହା ହା କାର ହୋଇଯିବ ଜୀବନ । ଚମର ଛାଉଁଣି ପୁରୁଣା ହୋଇଗଲେ ହାଡ ଦି ଖଣ୍ଡିର ଯୁ ବା କେତେ ?   ଡାକ୍ତରୀ ଭାଷାରେ ଦେହର ଅସ୍ଥିମଜ୍ଜାରୁ ହରମୋନ୍ କମିଗଲେ ଆରମ୍ଭ ହୁଏ ଆଣ୍ଠୁ ଗଂଠି ବିନ୍ଧା ରୋଗ ।  ଥରେ ପଡିଗଲେ, ଦେହ ଜଖମ୍ ହୋଇଯାଏ ସବୁ ଦିନ ପାଇଁ । ହେଇ, ଦେଖିଲେ ତ, କେତେ ସୁନ୍ଦର ଘର ଥିଲା ? କିନ୍ତୁ କଣ ହେବ ? ଉଇ ଚରି ଗଲାପରେ କାଠ ଓରାର କି ଶକ୍ତି ଥାଏ ? ସେତକ ଚାଲିଗଲା ପରେ ଘରର କାନ୍ଥ ପଡି ଯିବ । 
                                                  ପାର୍ଥିବ ଜଗତରେ ରକ୍ତ ମାଂସର ଶରୀର କ୍ଷଣସ୍ଥାୟୀ । ପ୍ରକୃତିଗତ ସ୍ଥୁଳ ଶରୀର  ଓ ସୁକ୍ଷ୍ମ ଶରୀର ବା ଆତ୍ମାର ସମାହାରରେ ସୃଷ୍ଟିହୁଏ ସମୁଦାୟ ମଣିଷର ଅବୟବ । ଉକ୍ତ ଅବୟବକୁ  ଆଧ୍ୟାତ୍ମିକତାରେ  ପ୍ରକୃତି ଆଉ ପୁରୁଷର ମିଳିତ ସମାହାର  ବୋଲି କୁହାଯାଏ । ଜଡ ଆଉ ଚେତନର ସମଷ୍ଟି ମଧ୍ୟ କୁହାଯାଏ । ପାଂଚଗୋଟି  ମହାଭୂତ କ୍ଷିତି, ଆପ, ତେଜ, ମରୁତ ଓ ବ୍ୟୋମକୁ ନେଇ ଗଢା ଏ ସ୍ଥୁଳ ଶରୀର । ଏହା ବସ୍ତୁ ସ୍ୱରୁପ ଅଟେ ଏବଂ  ପରିସ୍ଥାନର ପରିସରଭୁକ୍ତ ଅଟେ ।  ମୃତୁ୍ୟପରେ ଶରୀରର ଅବଶେଷଗୁଡିକ ଉକ୍ତ ମହାଭୂତରେ ବିଭାଜିତ ହୋଇ ବିଲୀନ ହୋଇଯାଇଥାଏ ।  କିନ୍ତୁ ସୁକ୍ଷ୍ମ ଶରୀର ସ୍ୱତନ୍ତ୍ର ଭାବନା  ତଥା ଅନୁଭବକୁ ଆଧାର କରି ସଦା ଚଳ ଚଂଚଳ ଭାବରେ ରହିଥାଏ । ମୋଟାମୋଟି ଭାବରେ ପାଂଚମନ, ପଚିଶ ପ୍ରକୃତି, ଏକାଦଶ ଇନ୍ଦ୍ରିୟ ଏବଂ ପାଂଚପ୍ରାଣରେ ଜଡିତ ଥାଏ ସୁକ୍ଷ୍ମ ଶରୀର । ସନ୍ଥ ବାହୁଡା ଏଥିପାଇଁ ଲେଖିଛନ୍ତି-
ପାଂଚ ମନ ହାରି, ପଚିଶ ପ୍ରକୃତି ଜଗାଇ, ରଖିଲ ପ୍ରହରୀ,
ଦଶ କଳ୍ପ ଏକାଦଶ ଇନ୍ଦ୍ରିୟ ଦେଲ ତୁମ୍ଭେ ନ ହୋଇଲ କାହାରି ।ା
                                                       ଜଡ ଶରୀର ପ୍ରକୃତି ମାୟାରେ   ବିମୋହିତ ହୋଇ ଆକ୍ତାମାକ୍ତା ହୋଇଯାଏ । କାମ, କୋ୍ରଧ, ଲୋଭ, ମୋହାଦି ମାୟାରେ ବିଗଡି ଯାଏ ମାନବ ଜୀବନ । ଜୀବନର ଗଭୀର ମୂଲ୍ୟବୋଧକୁ ଭୁଲି  ପଥହୁଡା ହୋଇଯାଏ ମଣିଷ ।  ଯାହାଫଳରେ ବିଭିନ୍ନ ଦୁଃଖ କଷ୍ଟକୁ ଡାକିଆଣେ । ଯେତେବେଳେ ସ୍ଥୁଳ ଶରୀର ଅକାମୀ ହୋଇଯାଏ,ସେତେବେଳେ ସୁକ୍ଷ୍ମ ଶରୀର ଖୋଜିବୁଲେ ଆଉ ଏକ ରକ୍ତ ମାଂସର ଶରୀର ।   ଜୀବନର ସମସ୍ତ କର୍ମ ଅପକର୍ମ ଅନୁଯାୟୀ  ଆତ୍ମାର ପୁର୍ନଜନ୍ମ ହୋଇଥାଏ । ଶରୀର ରୂପକ ପଞ୍ଜୁରୀରୁ ଆତ୍ମା ରୂପକ ପ୍ରାଣପକ୍ଷୀ ଉଡି ଯାଇଥାଏ  ।  ଜୀବନର ପ୍ରକୃତ ଲକ୍ଷ ଜାଣି ନ ପାରି, ଯେତେବେଳେ ଏ ଜୀବ ଚଉରାଶୀ ଲକ୍ଷ ଯୋନି ଅତିକ୍ରମ କରି କ୍ରମାନୁକ୍ରମେ ସ୍ୱେଦଜ, କୃମିଜ, ଅଣ୍ଡଜ ଏବଂ ଜରାୟୁଜରୁ ଶେଷରେ ମଣିଷ ଜନ୍ମ ନିଏ, ସେ ଜାଣିପାରେ ନା, ଜୀବନର ପ୍ରକୃତ ଲକ୍ଷ କଣ ? ସମାଜ ପ୍ରତି ଦାୟିତ୍ୱ କଣ? ଜୀବନଟା କେବଳ କଣ ଉପଭୋଗର ସାମଗ୍ରୀ ? ସେଥିପାଇଁ ଅସଜଡା ଜୀବନକୁ ସଜାଡିବା  ପାଇଁ ଜନ୍ମ ନେଇଥିଲେ ବାହୁଡାଙ୍କ ପରି ମହାନ୍ ସନ୍ଥମାନେ,ଜୀବନର ବାସ୍ତବତାକୁ ରୂପରେଖ ଦେବା ପାଇଁ ଆଧ୍ୟାତ୍ମିକତାର ଚଉହଦି ମଧ୍ୟରେ । ଏହା ହୋଇପାରେ ବେଦର ସଂସ୍କୃତ ଶ୍ଳୋକରେ ଅଥବା ବାହୁଡାଙ୍କ ଗାଉଁଲି ଭଜନରେ । କାରଣ ଯେ ପର୍ଯ୍ୟନ୍ତ ମଣିଷ, ତା ଜୀବନର ଗଭୀର ମୂଲ୍ୟବୋଧକୁ ନ ବୁଝିଛି, ଆତ୍ମ ସଂଯମପୂର୍ଣ୍ଣ ଜୀବନ ନିର୍ବାହ ନ କରି ବିପଥଗାମୀ ହୋଇଛି, ସେ ପର୍ଯ୍ୟନ୍ତ  ମଣିଷର ଆତ୍ମାନୁଭୂତି ଲାଭ ହେବ କିପରି ? ବିନା ଆତ୍ମାନୁଭୂତିରେ ଜୀବନ ଅତିବାହିତ କରିବା ନିରର୍ଥକ । ଆତ୍ମାନୁଭୂତି ହିଁ ଜୀବନର ପରମ ଲକ୍ଷ ଅଟେ ।
                                            ଆତ୍ମାନୁଭୂତି ପାଇଁ ଉଭୟ ଭାବରେ ଶାରିରୀକ ଶୃଙ୍ଖଳା ଏବଂ ମାନସିକ ଶୃଙ୍ଖଳା ନିତାନ୍ତ ଅପରିହାର୍ଯ୍ୟ । ଯେଉଁ ଶୃଙ୍ଖଳାକୁ ଆଧ୍ୟାତ୍ମିକ ବିଜ୍ଞାନ କୁହାଯାଏ । ଅଧୁନା ଜୀବ ବିଜ୍ଞାନ ପରି ଆଧ୍ୟାତ୍ମିକ ବିଜ୍ଞାନରେ ମଣିଷର ଶରୀର ଅଙ୍ଗାଙ୍ଗୀଭାବରେ ଜଡିତ । ଗୋସେଇଁଙ୍କ “ଦଶ ଦ୍ୱାର ତ୍ରିକୋଣିଆ, ଋଅ ଯାକ ଘଣିଖିଆ” ପଦର ଅର୍ଥ ଏହାର ଅଂଶବିଶେଷ ନୁହେଁ ତ ଆଉ କଣ? ମୁଖ,କର୍ଣ୍ଣ, ନାସା,ଗୁହ୍ୟ,ଚକ୍ଷୁ ଆଦି ଦଶ ଦ୍ୱାରର ସ୍ଥୁଳ ଶରୀରକୁ ଆତ୍ମ ସଂଯମତା ପୂର୍ବକ ଜୀବନ ନିର୍ବାହ କରିବା ଆବଶ୍ୟକ । ସ୍ଥୁଳ ଶରୀର ପାଇଁ ଆହାର ବିହାରର ସଂଯମତା ଆବଶ୍ୟକ ବୋଲି ମୁଁ ମନେ କରେ । ଜଣେ ସାଧାରଣ ମଣିଷ ବା ସାଧକ ହୁଅନ୍ତୁ, ଆହାର  କ୍ଷେତ୍ରରେ ସାଧାରଣତଃ ନିରାମିଷ ଆହାର  ସର୍ବୋତମ ଅଟେ । କାରଣ ମସଲାଯୁକ୍ତ ଏବଂ ଆମିଷ ଆହାର ଦ୍ୱାରା ଉଭୟ ଶାରିରୀକ ଓ ମାନସିକ ଉତ୍ତେଜନା ସୃଷ୍ଟି ହେବା ଦ୍ୱାରା ଆତ୍ମାନୁଭୂତି ସାଧନା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଆମିଷ ଆହାର କେବଳ  ଇନ୍ଦ୍ରିୟ ସୁଖ ଲାଭ ପାଇଁ ଉଦ୍ଧିଷ୍ଟ ଏବଂ ମାନବର ଆଦର୍ଶ ବିରୁଦ୍ଧ । ପଶୁ ଏବଂ ମଣିଷ ଶାରିରୀକ ଗଠନ ପ୍ରରିପ୍ରେକ୍ଷୀରେ ଭିନ୍ନ ହୋଇଥିବା ସ୍ଥଳେ  ପଶୁ ପରି ମଣିଷ ମାଂସାହାରୀ ହେବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ଜଣେ ମାଂସହାରୀ ଏବଂ ଶାକାହାରୀର ଉଭୟଭାବରେ  ଶରୀରାବସ୍ଥା ଓ ମାନସିକାବସ୍ଥାକୁ ପ୍ରତିଦିନର ଘଟଣାବଳୀକୁ ଅନୁଧ୍ୟାନ କଲେ, ଜଣେ ଶାକାହାରୀର ଜୀବନ ଅନୁକୂଳ ଜଣାଯାଏ । ଜଣେ ଶାକାହାରୀର ଶରୀର ପ୍ରାୟତଃ ନିରୋଗୀ ରହିଥିବା ସ୍ଥଳେ ମାଂସାହାରୀ ଅଧିକ ରୋଗଗ୍ରସ୍ତ ହୋଇଥାଏ,ଯାହା ବିଜ୍ଞାନ ସମ୍ମତ ଅଟେ । ଅପରାଧ ଦୃଷ୍ଟିକୋଣରୁ ମୁଖ୍ୟତଃ ମାଂସାହାରୀଙ୍କ ସଂଖ୍ୟା ଅଧିକ ଜଣାଯାଏ । ତେବେ ପରମେଶ୍ୱରଙ୍କୁ ପାଇବା ପାଇଁ ଯେ, ସୁଶରୀର ଆବଶ୍ୟକ,ତାହା ମହାନ୍ ସନ୍ଥ ବାହୁଡା ଗୀତର ପଦ ଛଳରେ ଶରୀରର ପ୍ରମୁଖ ଦଶ ଦ୍ୱାରକୁ ଇଙ୍ଗିତ କରି ଲେଖିଛନ୍ତି,ଏଥିରେ ସନେ୍ଦହ ନାହିଁ । 
ସୁକ୍ଷ୍ମ ଶରୀର ଏବଂ ସ୍ଥୁଳ ଶରୀର ପରସ୍ପର ପରିପୂରକ । ସ୍ଥୁଳ ଶରୀର ପରି ସୁକ୍ଷ୍ମ ଶରୀରର ମଧ୍ୟ  ଷଡଚକ୍ର ଆଦି ସମାହାରକୁ ନେଇ ଗଠିତ । ଶାରିରୀକ କ୍ଷେତ୍ରରେ ଏହାର ଆକାର ନ ଥିଲେ ବି ଆଧ୍ୟାତ୍ମିକ କ୍ଷେତ୍ରରେ ଚକ୍ର କିମ୍ବା ପଦ୍ମ ସଦୃଶ ଅନୁଭବ କରାଯାଏ । ପ୍ରଥମେ ମୂଳାଧାର ଚକ୍ର ମେରୁଦଣ୍ଡର ନିମ୍ନଭାଗ (ଗୁହ୍ୟଦ୍ୱାର)ରେ ଅବସ୍ଥିତ । ସ୍ୱାଧିଷ୍ଠାନ ଚକ୍ର ଜନନାଙ୍ଗର ପଛ ଭାଗରେ ଅବସ୍ଥିତ । ମଣିପୁର ଚକ୍ର ନାଭିର ପଛ ଭାଗରେ  ଥାଏ । ଛାତିର ମଝିଭାଗରେ ଅନାହତ ଚକ୍ର ଅବସ୍ଥିତ । କଣ୍ଠରେ ବିଶୁଦ୍ଧ ଚକ୍ର  ଅବସ୍ଥିତ ।  ଦୁଇ ଭୃ ଲତା ମଧ୍ୟରେ ଆଜ୍ଞା ଚକ୍ର ଅବସ୍ଥିତ ଏବଂ ଏହାକୁ ତ୍ରିକୁଟ  ମଧ୍ୟ କୁହାଯାଏ ।  ଶେଷରେ ମୁଣ୍ଡର ଉପରିଭାଗରେ ସହସ୍ରାର ଚକ୍ର ଅବସ୍ଥିତ । ଯେଉଁ ସହସ୍ରାର ଚକ୍ରରେ ମନୁଷ୍ୟ ଦିବ୍ୟ ଅନୁଭବ କରିଥାଏ । ସନ୍ଥ ବାହୁଡା ଏକ ଭଜନରେ ଲେଖିଛନ୍ତି-
ଛଡ ଚକ୍ର ପରେ ଶଇଳ ବର ,ଜ୍ୟୋତି ମଧ୍ୟରେ କରଇ ବିହାର,
ଝର ଝର ବହେ ତ୍ରୀବେଣୀ ଧାର,ନିରତେ ପଡେ ହର ମସ୍ତକର ,
ଟେକିଲେ ଉଜାଣି  ,ଠୁଳ  ଶୁନ୍ୟ ରୂପ, ଦେଖିବୁ ପୁଣି ।ା 
ପ୍ରାଚୀଗୁରୁ ଧର୍ମକ୍ଷେତ୍ରର ମୋର  ଗୁରୁଦେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଲେଖିଛନ୍ତି-
ହସ୍ର ଦଳ କମଳେ, ଛନ୍ଦିଛ ଶ୍ରୀପଦ, ତହିଁ କେଉଁ ପୁଷ୍ପ ଦେବି ହେ ଗୁରୁ ଗୋବିନ୍ଦ ।
ଚିନ୍ତାମଣି ଗୁରୁ ଶ୍ୟାମ, କର୍ତବ୍ୟ କରିବି ସ୍ମରି ସ୍ମରି ତୁମ୍ଭ ନାମ ।ା  (ମଧୁ ପଦ୍ୟାବଳୀ)
ଭିନ୍ନ ଭିନ୍ନ  ସାଧକମାନଙ୍କର ଭିନ୍ନ ଭିନ୍ନ ଅନୁଭୂତି ହୋଇଥାଏ । ଅନେକାଂଶରେ ଏହି ଚକ୍ରମାନଙ୍କର ଭିନ୍ନ ଭିନ୍ନ ରଙ୍ଗ ସହିତ ଭିନ୍ନ ଭିନ୍ନ ବୀଜ ମନ୍ତ୍ର ରହିଛି ।  ଏହା ସଦ୍ଗୁରୁଙ୍କ କୃପାରୁ ନତୁବା ନିୟମିତ ଅଭ୍ୟାସ କରିବା ଦ୍ୱାରା ସାଧାରଣ ମନୁଷ୍ୟ ମଧ୍ୟ ଏହାକୁ ଅନୁଭବ କରିପାରିବ, ଏଥିରେ  ସନେ୍ଦହ କିଛି ନାହିଁ ।  ତେବେ ଏହା ସମୟ ସାପେକ୍ଷ ନିୟମିତ ସାଧନା ଅଟେ । ଏହା ମଧ୍ୟରୁ  ତ୍ରିକୁଟ (ଭୃ ଲତାର ମଧ୍ୟ ଭାଗ ଅଂଶ )  ହେଉଛି ଆତ୍ମାନୁଭୁତି ସାଧନାର ପ୍ରମୁଖ ଅଂଶ ବିଶେଷ ଅଟେ । ଯାହାଦ୍ୱାରା ଜଣେ ସାଧକ କିମ୍ବା ସାଧାରଣ ମଣିଷ ଧ୍ୟାନ କରୁ କିମ୍ବା ପ୍ରାଣାୟମ କରୁ, ବିଶେଷତଃ କ୍ରମାଗତ ଭାବରେ ତ୍ରିକୁଟକୁ ଚିନ୍ତା କରିବା ଦ୍ୱାରା ଏକ ସୁକ୍ଷ୍ମାତିସୁକ୍ଷ୍ମ ଅନୁଭବ ହୋଇଥାଏ । ଏକ ସଂଯମ ପୂର୍ଣ୍ଣ ଜୀବନ ବିତାଇବା ପାଇଁ  ଶ୍ୱାସ ନିୟନ୍ତ୍ରଣ କରିବା ପାଇଁ ବି  ବାହୁଡା ଗୋସେଇଁ କହିଯାଇଛନ୍ତି ତାଙ୍କ ଭଜନରେ । କାରଣ ନିଶ୍ୱାସ/ପ୍ରଶ୍ୱାସକୁ ମଣିଷର “ପ୍ରାଣ ବାୟୁ” ବୋଲି କୁହାଯାଏ । ବେଦରେ ମଧ୍ୟ ଏହାକୁ “ଯମ” ଭାବରେ ଅଭିହିତ କରାଯାଇଛି । କାରଣ  ବିଭିନ୍ନ କାର୍ଯ୍ୟରେ ଅଧିକ ପ୍ରାଣ ବାୟୁ ତ୍ୟାଗ କରିବା ଦ୍ୱାରା ମଣିଷ ନିରୋଗୀ ରହିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।  ଶାସ୍ତ୍ରରେ ଲିଖିତ ଅଛି –
ଗମନେଚ ଚର୍ତୁବିଂଶ ନେତ୍ର ବେଦାଶ୍ଚ ଧାବନେ, ମୈଥୁନେ ପଂଚଷଷ୍ଠୀ ଚ ଶୟନେ ଶତାଙ୍ଗୁଳଂ,
ପ୍ରାଣସ୍ୟ ତଦ୍ଗତି ର୍ଦେବି ସ୍ୱଭାବ ଦ୍ୱାଦଶାଙ୍ଗୁଳଂ, ଭୋଜନେ ବଚନେଶ୍ଚୈ÷ବ ରତିରଷ୍ଟା ଦଶାଙ୍ଗୁଳଂ ।ା
                                                           ମଣିଷ ଖାଇବା ସମୟରେ ଓ ଯିବା ଆସିବା ସମୟରେ ଚବିଶ ଆଙ୍ଗୁଳ ବାୟୁ ଯିବା ଆସିବା କରେ । ଦଉଡିବା ସମୟରେ ଚଉତିରିଶ ଆଙ୍ଗୁଳ ଯିବା ଆସିବା କରେ । କଥୋପକଥନ ସମୟରେ ଅଠର ଆଙ୍ଗୁଳ ଯିବା ଆସିବା କରେ । ସହବାସ କରିବା ସମୟରେ ୬୫ ଆଙ୍ଗୁଳ ଯିବା ଆସିବା କରେ । ଶୋଇଲା ସମୟରେ ୧୦୦ରୁ ଅଧିକ ଆଙ୍ଗୁଳ ଯିବା ଆସିବା କରେ । ମନୁଷ୍ୟ ଧିର ସ୍ଥିର ବସିବା ସମୟରେ ୧୨ ଆଙ୍ଗୁଳ ଯିବା ଆସିବା କରେ । ତେଣୁ ମୁନି ଋଷିମାନେ ସର୍ବଦା ଧିରସ୍ଥିର ରହିବା ପାଇଁ ପରାମର୍ଶ ଦେଇଥାନ୍ତି । ଯାହାକି ବାର ତତ୍ତ୍ୱର ଗୁଢ ରହସ୍ୟ ଅଟେ । ଜଣେ ସାଧାରଣ  ସୁସ୍ଥ ମଣିଷ  ଦିନକୁ ୨୧,୬୦୦ ଥର ନିଶ୍ୱାସ ପ୍ରଶ୍ୱାସ ନେଇଥାଏ । କିନ୍ତୁ ଆମ୍ଭେ ଯଦି ଆମର  ନିତିଦିନିଆ କାମକୁ ଶୃଙ୍ଖଳିତ କରିବା ସହିତ  ନିଶ୍ୱାସ ପ୍ରଶ୍ୱାସର ଗତିକୁ  ବିଶେଷ ସାଧନା ମାଧ୍ୟମରେ ୨୦୦୦ ଥର  କମାଇ ଦେଇପାରିବା, ତେବେ  ଆତ୍ମାନୁଭୂତି ଅତ୍ୟନ୍ତ ସହଜ ହୋଇଯିବ ।
                                             ପରମେଶ୍ୱର ସ୍ଥୁଳ ଏବଂ ସୁକ୍ଷ୍ମ ଜଗତରେ ବିଦ୍ୟମାନ । ଏହା କେବଳ ଅନୁଭବୀ ହିଁ ଅନୁଭବ କରିପାରେ । କାରଣ ଆଧ୍ୟାତ୍ମିକ ଜୀବନରେ  ମନୁଷ୍ୟର ଚେତନା ବା ଅନୁଭବ, ସ୍ଥୂଳ ସ୍ତରରୁ କ୍ରମେ କ୍ରମେ ସୁକ୍ଷ୍ମ ସ୍ତରରେ ପହଂଚିଥାଏ । ହୁଏତ ମଣିଷର ଚେତନାକୁ ଏଠାରେ ଏକତ୍ରୀ କରଣ ହେବା ଆବଶ୍ୟକ । ସଂଯମତା ପୂର୍ବକ ଧ୍ୟାନରେ ଏକାଗ୍ରତା ନ ଥିଲେ ସଫଳତା ମିଳେ ନାହିଁ । ତେବେ ଗୋସେଇଁ ବାହୁଡାଙ୍କ କଥା କେବେ ଅନ୍ୟଥା ନୁହେଁ  ।  “ଏକାକ୍ଷର ଖମ୍ବ ପୋତି, ମନକୁ ରଖ ସାଇତି”ର ମାନେ କଣ ବା ହୋଇ ପାରେ ?  ଆତ୍ମାନୁଭୂତି ପାଇଁ ଧାଡି ଧାଡି ମନ୍ତ୍ର ଉଚ୍ଚାରଣ କିମ୍ବା ମନନ କରିବା ଅପେକ୍ଷା ମନର ସଂଯମତା ପାଇଁ ଏକାକ୍ଷର ମନ୍ତ୍ର ବା ବୀଜମନ୍ତ୍ର ଅବଲମ୍ବନ କରିବାକୁ ହୁଏ । ହ୍ଲୀଂ, କ୍ଲୀଂ,ଶ୍ଳୀଂ ଆଦି ଏକାକ୍ଷର ବୀଜମନ୍ତ୍ରରେ ଚେତନାକୁ ସଂଯୋଜିତକରି ଚିନ୍ତା କରିବା ଦ୍ୱାରା  ସୁକ୍ଷ୍ମ ଜଗତରେ ପହଂଚିବା ପାଇଁ  ବିଳମ୍ବ ହୋଇ ନ ଥାଏ ।  ତେବେ ଉକ୍ତ ଏକାକ୍ଷର ବୀଜମନ୍ତ୍ରରେ ସୃଷ୍ଟିର ବିରାଟ ଶକ୍ତି ଲୁଚି ରହିଛି, ଏହା ଅନ୍ୟଥା କରି ହେବ ନାହିଁ । କାରଣ ଆମ୍ଭ ଚାରିପାଖରେ ଅନେକ ଅଦୃଶ୍ୟ ଶକ୍ତିମାନେ ଘୁରି ବୁଲୁଛନ୍ତି । ମନୁଷ୍ୟ  ଶରୀର ଅନେକ  ମହାନ୍ ଶକ୍ତିର ଆଧାର । ଯେତେବେଳେ ମନୁଷ୍ୟ ସାଧନାଭିମୁଖୀ ହୋଇଯାଏ, ସେତେବେଳେ ଅନ୍ତର୍ନିହିତ ଶକ୍ତି ଗୁଡିକ ଧିରେ ଧିରେ ପରିପ୍ରକାଶ କରେ ।
                                            ସାଧାରଣତଃ, ଏଠାରେ କୁଣ୍ଡଳିନୀ ଜାଗରଣ କଥା ନିଆଯାଉ । ଏହି ଚକ୍ରର ସାଧନା ପାଇଁ ଏକାକ୍ଷର ବୀଜ ମନ୍ତ୍ରର ଆବଶ୍ୟକତା ରହିଛି । ମୂଳଧାର ଚକ୍ରରେ ଏକ ସାପ ପରି କୁଣ୍ଡଳୀ ରହିଛି । ଉକ୍ତ କୁଣ୍ଡଳିନୀ  ଏକ ବିରାଟ ଶକ୍ତିର ଆଧାର ବୋଲି କୁହାଯାଏ । ଯାହା ଏହା ମଧ୍ୟରେ ଲୁକ୍କାୟିତ ଭାବରେ ରହିଛି । ତେବେ ଏହି ଆକୃତି ଓ ଶକ୍ତି ମାନସିକତାର ଅବଧାରଣା ମାତ୍ର । ତେବେ କେତେକ କୁଣ୍ଡଳିନୀ ଜାଗରଣ ପାଇଁ ମସ୍ତିଷ୍କକୁ ଆଧାର କରିଥାନ୍ତି । କିନ୍ତୁ ମୋ ମତରେ, ଏହା ଠିକ୍ ନୁହେଁ । ସାଧନା ସମୟରେ  ପ୍ରାୟତଃ  ଅନୁଭବ କରିଛି.  ପଦ୍ମାସନରେ  ଥିବା ସମୟରେ  ଏକ ପ୍ରକାର ଆଘାତ  ମୋର ମୂଳାଧାର ଚକ୍ର ପାଖରେ ହେଉଛି ଏବଂ ସତେ ଯେପରି  ଗୁହ୍ୟଦ୍ୱାର ପାଖାପାଖି ଉଦ୍ଧ୍ୱର୍କୁ କୌଣସି ଏକ  ଶକ୍ତି ଚାପ ଦେଉଅଛି । ଏହ କଣ ହୋଇପାରେ? କହିବାକୁ ଗଲେ, ମୂଳାଧାର ଚକ୍ରରୁ ତିନୋଟି ନାଡୀ ମେରୁଦଣ୍ଡ ବାଟ ଦେଇ ମସ୍ତିଷ୍କକୁ ଯାଇଛି । ବାମ ପାଖରେ ଇଡା, ଡାହାଣ ପାଖରେ ପିଙ୍ଗଳା ଓ ମଧ୍ୟ ଭାଗରେ ସୁଷୁମ୍ନା ନାଡୀ ରହିଛି ।  ଏହାକୁ ମଧ୍ୟ ପ୍ରାଣବାହୀ ନାଡୀ କୁହନ୍ତି । ଉକ୍ତ ନାଡୀ ମାଧ୍ୟମରେ  ମନୁଷ୍ୟର ପ୍ରାଣଶକ୍ତି ମୂଳାଧାର ଚକ୍ର ଠାରୁ ମସ୍ତିଷ୍କ ଯାଏ,ସଂଚାରିତ ହେଉଥାଏ । ଉକ୍ତ ନାଡୀ ତ୍ରୟ ଚକ୍ର ମାନଙ୍କର ଅବସ୍ଥିତିରେ  ଛନ୍ଦା ଛନ୍ଦି ହୋଇ ରହିଥାନ୍ତି । ଉକ୍ତ ନାଡୀ ସଂପର୍କେ ସନ୍ଥ ବାହୁଡା ଲେଖିଛନ୍ତି-
ଶୁନ୍ୟକୁ ଚାହାଁ ତୁ  ଶିବ ଅଛଇ, 
ଶୂନ୍ୟରୁ ଝରୁଛି ତ୍ରୀବେଣୀ ନଈ ।
ଝର ମୁଣ୍ଡେ ହର ଛନ୍ତି ନିରନ୍ତର, 
ପଂଚାନନ ଶିରେ ଅମ୍ବୁ ପଡଇ ।ା
ଡୋଳାରେ ଡୋଳାକୁ ରଖତୁ ଯାଇ, 
ଢଳ ଢଳ ଦିଶେ ସ୍ୱରୁପ ତହିଁ ,
ଅନାହତ ଘରୁ ଶବଦ ଶୁଭୁଛି,  
ତାଳୁକା ଦ୍ୱାରେ ବାଟ ଫିଟିଅଛି ।ା
କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେବା ଦ୍ୱାରା ମନୁଷ୍ୟକୁ ପରମେଶ୍ୱରଙ୍କ ଚରମ ସୁଖ ମିଳିଥାଏ । ତେବେ ଉକ୍ତ ସାଧନା ଧିରେ ଧିରେ ଅଭ୍ୟାସଗତ ଭାବରେ ଆସନ ଧ୍ୟାନ ଓ ପ୍ରାଣାୟାମ ମାଧ୍ୟମରେ  ସାଧାରଣ ମଣିଷଟିଏ ଅନୁଭବୀ ଗୁରୁଙ୍କ ଦ୍ୱାରା ମଧ୍ୟ କରି ପାରିବ । ତେବେ ଏଥିରେ ବହୁତ ସତର୍କତା ଅବଲମ୍ବନ କରବା ଆବଶ୍ୟକ । କୁଣ୍ଡଳିନୀ ଜାଗରଣରେ ତୃଟି ପରିଲକ୍ଷିତ ହେଲେ, ମନୁଷ୍ୟ ପାଗଳ, ପାରାଲିସସ୍ ଓ ହୃଦଘାତଆଦି ହେବାର ସମ୍ଭାବନା ରହିଛି । ପ୍ରାଣ ବି ଚାଲି ଯାଇପାରେ ।  
କିନ୍ତୁ ସନ୍ଥ ବାହୁଡାଙ୍କ ଜୀବନ ଥିଲା  ସମାଜ ପ୍ରତି ଏକ ବିରାଟ ଉପହାର । ବିନା ପ୍ରତ୍ୟାଶାରେ କେତେବେଳେ ସମାଜ ସେବାରେ ମଗ୍ନ ହୋଇ ଯାଉଥିଲେ, କେତେବେଳେ ସେ ନିର୍ଗୁଣ ସାଧନାରେ ହଜିଯାଉଥିଲେ । ବାସ୍ତବରେ ଏହି ତ୍ୟାଗ ହିଁ ତାଙ୍କ ମହାନତାର ପରିଚୟ । ସତରେ ସନ୍ଥ ମାନଙ୍କ ଜୀବନ ଏଇମିତି । ଜଣେ ସାଧୁ, ତାଙ୍କର ସାଧନା ମଧ୍ୟରେ ଜୀବନର ଚରମ ପ୍ରାପ୍ତିର ମୋକ୍ଷ ଆଶା ପାଇଁ ନିର୍ବାଣ ଅଭିମୁଖୀ ହୋଇଥିବା ବେଳେ,  କିନ୍ତୁ ଜଣେ ସନ୍ଥ ,  କିଛି ପ୍ରତ୍ୟାଶା ନ ରଖି ନିଜ ସମଗ୍ର ସାଧନାର ତପୋବଳକୁ ସମାଜର କୋଣ ଅନୁକୋଣରେ ବାଂଟି ଦେଇଥାନ୍ତି ।  ତାଙ୍କରି ତପୋବଳ କଣିକାରେ ରୋଗୀ ବି ନିରୋଗୀ ହୋଇଯାଏ, ହତାଶା ମନରେ  ଭରି ଯାଏ ସାହସ, ଶୁଖଲା ଓଠରେ ଫୁଟି ଉଠେ ଚେନାଏ ହସ । ଆଜି ବି କୁଶକଂଟାର ପବିତ୍ର ଭୂମିରେ ସ୍ୱାମିଜୀଙ୍କ ପରଶ ଅନୁଭବ କରିହୁଏ । ମୋତେ ଲାଗେ, ତାଙ୍କରି ଅମୃତ ପରଶରେ ସମାଧିପୀଠର ପ୍ରତିଟି ଶିଳା, ଶାଳଗ୍ରାମ ପାଲଟି ଯାଇଛି । ପ୍ରତିଟି କୋଣ ଅନୁକୋଣରେ ଗୁଂଜରିତ ହୋଇଉଠୁଛି ନୂଆ ଘର ଖଣ୍ଡି ଦିନେ... । ବାସ୍ତବରେ ଆମ୍ଭେ ଆଜି ଅଛେ, କାଲି କି ନ ଥିବା । କିନ୍ତୁ ଗୋସ୍ୱାମୀ ବାହୁଡା ଥିବେ ସବୁଦିନ ପାଇଁ ।
ସା-ଭୋଦଳ,ପାଟସୁନ୍ଦର ପୁର,କଟକ
ମୋ-୭୩୮୧୬୦୧୮୦୦
JOY BAHUDA

ମୁଁ କୃଷ୍ଣ ମୋ ବାଣୀ ଗୀତା

 ବସନ୍ତ ଦାସ
                                    ବ୍ୟଗ୍ରତା ଭାବନାରେ, ବର୍ଗତା ସମୟରେ, ସମୟର ସମତାଳରେ ସୃଷ୍ଟି ହୁଏ ଯୁଗ  । ଯୁଗର ରୂପ ନିଏ ସମଷ୍ଟିଗତ ଧର୍ମ, ଅଧର୍ମ, ସୃଷ୍ଟି,ବିଲୟ, କୀର୍ତ୍ତି, ଅକିର୍ତ୍ତୀକୁ  ନେଇ ବିଗତରେ ୟାକୁ ନେଇ ସୃଷ୍ଟି ହୋଇଥିଲା ସମୟର ସୋପାନ ଯାହାକୁ ଆମେ ବ୍ୟାଖ୍ୟା କଲୁ ଯୁଗ ପ୍ରାରମ୍ଭେ ସତ୍ୟ, ପ୍ରକାରାନ୍ତେ ତ୍ରେତୟା, ତଦନ୍ତେ ଦ୍ୱାପର ଏବଂ ଅନ୍ତେ କଳି  । କଳି ଲୀଳାରେ ଲାଳାୟିତ ଆମେ, କିନ୍ତୁ ପ୍ରଶ୍ନ ଉଠେ କାହାକୁ ନେଇ ଯଦି କୁହାଯାଏ କୀର୍ତ୍ତି ଅକୀର୍ତ୍ତିକୁ, ଧର୍ମ ଅଧର୍ମକୁ, ପାପପୂଣ୍ୟକୁ ଏବଂ ନ୍ୟାୟ ଅନ୍ୟାୟକୁ ତେବେ ଯୁଗର ସ୍ମୃତି ଅଙ୍କୁରୋଦ୍ଗମ ହୁଏ କଲ୍ଲୋଳିତ ଭାବନାରେ  । ରୂପନିଏ ସ୍ମୃତିକୁ ସାଇତି ରଖିବାର ପ୍ରଚେଷ୍ଟା,ବ୍ୟଗ୍ରତା । ଏମିତି ସମୟ ଧାରାରେ ଦ୍ୱାପରର କୀର୍ତ୍ତି କରାୟିତ ଯୁଗର ସ୍ମୃତିର ଫଲଗୁଧାରାରେ ପ୍ଲାବିତ ହୁଏ ଧର୍ମ  । 
                                                  ସ୍ମୃତି ଏକ କୁରୁକ୍ଷେତ୍ର  । ଯୁଦ୍ଧର ମଧ୍ୟ ସ୍ଥଳର ସ୍ୱୟଂ କୃଷ୍ଣଙ୍କ ରଥ ମଧ୍ୟ ସ୍ଥଳେ ସ୍ତବ୍ଧୀତ ରଣାଙ୍ଗନ, ବିବ୍ରତ ଅର୍ଜୁନ,ସ୍ଥିତପ୍ରଜ୍ଞ କୃଷ୍ଣ, ପ୍ରଶ୍ନ ସମୟର ହେ କୃଷ୍ଣ! କଣ ପାଇଁ ରଣାଙ୍ଗନ ମଧ୍ୟେ ରଥ ରଖାଗଲା? ଉତ୍ତରେ, ସ୍ୱଜନ ମାନଙ୍କୁ ଦେଖିବାର ବୋଧହୁଏ ଅଭିପ୍ରାୟ ଏବେ । ମୁହୂର୍ତ୍ତ ବିଷାଦମୟ, ରଣାଙ୍ଗନ ଦୁଇ ଭାଗରେ ବିଭକ୍ତ । ଅପର ପକ୍ଷେ ଧୃତରାଷ୍ଟ୍ର ଶୁଣିବା ଅବସ୍ଥାରେ ବିଷାଦଗ୍ରସ୍ତ । ଅଧୁନା ଅର୍ଜୁନ ଦେଖିବା ସମୟରେ ବିଷାଦଗ୍ରସ୍ତ  । ବିଷାଦର କାରଣ ଏକାପରି ଜଣାଗଲେ ମଧ୍ୟ ଏକ ନୁହେଁ । ଧୃତରାଷ୍ଟ୍ର ମମତ୍ୱ ଭାବନାରେ ବିଷାଦଗ୍ରସ୍ତ । ଅପରାନ୍ତେ ଅର୍ଜୁନ ଜର୍ଜରିତ ମମତ୍ୱର କରାଳ ଗ୍ରାସରେ । ଏ ମମତ୍ୱକୁ ମହାପୁରୁଷମାନେ ଯାଦୁ ରୋଗ ସହିତ ବର୍ଣ୍ଣନା କରିଛନ୍ତି  । ଧୃତରାଷ୍ଟ୍ରଙ୍କ ଠାରେ ଦେଖା ଦେଇଛି ପର ଆପଣାର, ମୋରତୋର, ହେଲେ ଅର୍ଜୁନ ଠାରେ ଦେଖାଦେଇଛି, ସେ ରୋଗ ଏକ ଭିନ୍ନ ରୂପରେ । ସେ ଆତ୍ମୀୟ ମାନଙ୍କୁ ଦେଖି ବିଷାଦଗ୍ରସ୍ତ ହରେଇବାରେ ବା ହଜିବାରେ  ।
                                              ଅପରପକ୍ଷରେ ଧୃତରାଷ୍ଟ୍ର ଶୁଣିଛନ୍ତି ତାଙ୍କର ଶୁଣିବାର ବ୍ୟଗ୍ରତା ବଢିଯାଇଛି  । ମୋ ପୁଅ ବିଜୟୀ ହୁଅନ୍ତେ କି! ଏବଂ ପାଣ୍ଡବେ ଓ ଶତ୍ରୁମାନେ ବିଲୀନ ହେଇଯାଅନ୍ତେ କି! ହେଲେ ଅର୍ଜୁନଙ୍କ ବିଷାଦ ରଣାଙ୍ଗନେ ଏତେ ବଡ ବଡ ବୀରମାନଙ୍କର ବିନାଶ ଲୀଳାର ପର୍ବ । ସେ ଚାହାନ୍ତି ନାହିଁ ସାମାନ୍ୟ ରାଜ୍ୟ ପାଇଁ ଭୀଷ୍ମ ଭଳି ମୁରବି ଶ୍ରେଣୀୟ ବୀର, ଦ୍ରୋଣଙ୍କ ପରି ମହାନ ଗୁରୁଙ୍କ ବ୍ୟକ୍ତିତ୍ୱର ବିନାଶ  । ହେଲେ ସମୟ କୋଳରେ କୃଷ୍ଣଙ୍କର ଏହି ଦୁଇ ମମତ୍ୱ ଭିତରୁ ଅଲଗା  । କୃଷ୍ଣ ଜାଣନ୍ତି ବିଷାଦକୁ ଅତିକ୍ରମ କରିବାର କୋ÷ଶଳ  । ସେ ଜାଣନ୍ତି ସୃଷ୍ଟି,ସେ ଜାଣନ୍ତି ବିଲୟର ମମତ୍ୱ  । ତେଣୁ ସାଂସାରିକ ବିଷାଦକୁ ଯୋଗରେ ପରିଗଣିତ କରିବାକୁ ଚାହାନ୍ତି କୃଷ୍ଣ  । ବାସ୍ତବରେ ମମତ୍ୱର ପୃଷ୍ଠଭୂମିରେ କୃଷ୍ଣ ଦଣ୍ଡାୟମାନ ଯୋଗୀରୂପରେ, ଅର୍ଜୁନ ଦଣ୍ଡାୟମାନ ରୋଗୀ ରୂପରେ । କୃଷ୍ଣ ତ୍ୟାଗୀ, ଅର୍ଜୁନ ଭୋଗୀ,କୃଷ୍ଣ ବୈରାଗୀ, ଅର୍ଜୁନ ସଂସାରୀ ରୋଗୀ ବା ସଂସାରୀ । ପରନ୍ତୁ ଅପର ପକ୍ଷରେ ଅର୍ଜୁନ ସମ୍ବେଦନଶୀଳ, ସହିଷ୍ଣୁ । ଧୃତରାଷ୍ଟ୍ର ଅସହିଷ୍ଣୁ ଅର୍ଜୁନ ରୋଗୀମାନଙ୍କ ପାଇଁ ବିଷାଦଗ୍ରସ୍ତ ହେଲେ ଧୃତରାଷ୍ଟ୍ର ନିଜର ସ୍ୱାର୍ଥରୋଗ ପାଇଁ ବିଷାଦଗ୍ରସ୍ତ  । ଏଠି ଅର୍ଜୁନ ଚାହେଁ ତ୍ୟାଗ କିନ୍ତୁ ଧୃତରାଷ୍ଟ୍ର ଚାହେଁ ସର୍ବସ୍ୱ ଭୋଗ, ଗୀତାର ବିଷାଦ ଯୋଗ ପ୍ରକୃତରେ ମନୁଷ୍ୟର ମାନବୀୟ ଚରିତ୍ରକୁ ଉଦ୍ଘାଟନ କରିବାର ଚାବିକାଠି, ବିଷାଦ ଯୋଗ ହେଉଛି ମନ୍ତ୍ରର ମୂଳଦୁଆ । ଏଇ ମୂଳଦୁଆ ଏପରେ ଆଉ ସତରଟି ଯୋଗ ସମ୍ବଳିତ ବିରାଟ ଅଟ୍ଟାଳିକା ଉଭା ହୋଇ ଉଠିବ, ସେଇ ସମ୍ବଳିତ ଅଟ୍ଟାଳିକାର ବିନ୍ଧାଣି ହେଉଛନ୍ତି ସ୍ୱୟଂ ଭଗବାନ, ଦ୍ୱାପର ଯୁଗରେ ବିନ୍ଧାଣି ଭାବରେ ଅବତୀର୍ଣ୍ଣ କୃଷ୍ଣ, ଯୁଗ କହେ ତ୍ରେତୟାରେ ରାମ ଅବତାରେ ଦେଖାଦେଇଥିଲେ । ସତ୍ୟରେ ବାମନ ଅବତାରେ ହୋଇଥଲେ ପ୍ରକଟିତ, ସେ ଥିଲେ ବିନ୍ଧାଣି । ବିନ୍ଧାଣି ନିର୍ଭରଯୋଗ୍ୟ, ବିନ୍ଧାଣି ବିଶ୍ୱାସୀ, ବିନ୍ଧାଣି ଉପରେ ନିର୍ଭର ନ କଲେ, ବିନ୍ଧାଣିକୁ ବିଶ୍ୱାସ ନ କଲେ, ହୁଏତ କାର୍ଯ୍ୟଟି ଅସଂପୂର୍ଣ୍ଣ ବା ଦୁର୍ଲଭ ହୋଇପଡିବ । ଏଇଠି ମନେ ପଡେ ଅର୍ଜୁନ ହୃଦୟରେ ସୃଷ୍ଟିହୋଇଛି ଶ୍ରଦ୍ଧା ଓ ବିଶ୍ୱାସ । ଅପର ପକ୍ଷରେ ଧୃତରାଷ୍ଟଙ୍କ ହୃଦୟରେ ସୃଷ୍ଟିହୋଇଛି ଘୃଣା ଓ ଅବିଶ୍ୱାସ । ଶ୍ରଦ୍ଧା ଓ ବିଶ୍ୱାସ ନିକଟରେ ବିନ୍ଧାଣି ବିନା ମଜୁରିରେ କାମ କରି ଦେଇଗଲେ କିନ୍ତୁ ଘୃଣା ଓ ଅବିଶ୍ୱାସ ନିକଟରେ ମଜୁରି ପାଇଁ ମଧ୍ୟ ବିନ୍ଧାଣି ଦକ୍ଷତା ପ୍ରତିପାଦନ କରେ ନାହିଁ  ।
                                                ତେଣୁ ହେ ପାଠକେ! ଆମେ ମଧ୍ୟ ଆମ୍ଭମାନଙ୍କର ଚରିତ୍ରକୁ ଉଦ୍ଘାଟନ କରିବା ପାଇଁ ଗୀତାର ପ୍ରତ୍ୟେକ ଶବ୍ଦକୁ  ହୃଦୟର ସହିତ ଅନୁକରଣ କରିବା ଉଚିତ । ଗୀତାର ପତ୍ୟେକ ଶ୍ଳୋକକୁ ମନ୍ତ୍ରମୁଗ୍ଧ ଅସ୍ତ୍ର ମନେ କରି ସାଇତି ରଖିବା ଉଚିତ, କୃଷ୍ଣ ବାଣୀ ଅର୍ଜୁନଙ୍କୁ ମାର୍ଗ ଦେଖାଇଥିଲା । କୃଷ୍ଣଙ୍କ ବାଣୀଥିଲା ଅର୍ଜୁନ ଜୀବନର ମାର୍ଗ ଯାହାର ନିଦେ୍ର୍ଧଶକ ସ୍ୱୟଂ କୃଷ୍ଣ । ଗୀତା ନୁହେଁ ଜଟିଳ, କୃଷ୍ଣ ବାଣୀ କଣ ଜଟିଳ? ସେ ସରଳ, ସୁନ୍ଦର, ଆନନ୍ଦମୟ । ଗୀତା, ସେ ଭଗବାନଙ୍କ ବାଣୀ, ଯେଉଁ ବାଣୀକୁ ମହର୍ଷି ବ୍ୟାସଦେବଙ୍କ ହୃଦୟର କାହାଣୀ, ଅମୃତ ଶବ୍ଦକୁ କେହି ଦେଖିନି, ଗୀତାହିଁ ହେଉଛି ଅପରୂପୀ ଦୃଶ୍ୟମାନ ଅମୃତ । ଗୀତା ସାର୍ବଜନୀନ, ଗୀତା ସର୍ବାଗ୍ରେ, ଗୀତା କାହାର ସ୍ୱ ଅର୍ଜିତ ପାର୍ଥିବ ସମ୍ପଦ ନୁହେଁ, ଗୀତା ଦିଗଦର୍ଶୀ, ଗୀତା ଦିଗଦର୍ଶନର ମୂଳମନ୍ତ୍ର  । ଗୀତା ଧର୍ମୀୟ ଭାବନାର ସର୍ବକାଳୀନ ସମ୍ପଦ  ।  ଗୀତା  ବା ଶ୍ରୀମଦ୍ ଭଗବତ ଗୀତା କାଳଜୟୀ ଗ୍ରନ୍ଥ ଭାବେ ମାନବୀୟ ଜୀବନ ଧାରାକୁ ପୁଷ୍ପିତ କରି ଥାଏ  । 
                                            ଗୀତା ରୂପ ନିଏ ଅଠରଟି ଅଧ୍ୟାୟରେ  । ଯାହାକୁ ଅଠରଟ ଅଧ୍ୟାୟ ବା ଅଠରଟି ଯୋଗ କୁହାଯାଏ  । ଏଇ ଅଷ୍ଟାଦଶ ଯୋଗକୁ ହୃଦୟରେ ଧରି ଗୀତାଗ୍ରନ୍ଥ ଯୋଗୀର ଚାରିଭାଷାକୁ ସାର୍ଥକ କରେ,ଯାହାର ନାମ ବିଷାଦଯୋଗ, ଯେଉଁ ଅଧ୍ୟାୟରେ ଆରମ୍ଭ ହୋଇଛି ହସ୍ତିନାର ଅନ୍ଧରାଜା ଧୃତରାଷ୍ଟ୍ରଙ୍କ ମୁଖରୁ ଏକ ମମତ୍ୱବୋଧର କାମନା ବିଜଡିତ ପ୍ରଶ୍ନରୁ ହିଁ ଧୃତରାଷ୍ଟ୍ର ହେଉଛନ୍ତି ମହାଭାରତ ଗ୍ରନ୍ଥର ଏକ ଧ୍ୱଂସକାରୀ ନାୟକ, ଯାହାଙ୍କ ପନôୀଙ୍କର ନାମ ଗାନ୍ଧାରୀ, ପୁତ୍ରର ନାମ ଦୁର୍ଯେ୍ୟାଧନ, ଦୁଃଶାସନ ଆଦି ଶହେପୁତ୍ର । ହେଲେ ସେଇ ସମ୍ପର୍କର ରଜ୍ଜୁରେ ଧୃତରାଷ୍ଟ୍ରଙ୍କ ଭାଇ ହେଉଛନ୍ତି ପଣ୍ଡୁ  ଯାହାଙ୍କର ପାଂଚପୁତ୍ର; ଯଥା-ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ସହଦେବ । ପଣ୍ଡୁଙ୍କର ସ୍ୱର୍ଗାହରଣ ପରେ ଧୃତରାଷ୍ଟ୍ର ହେଲେ ହସ୍ତୀନାର ରାଜା, ଯାହାଙ୍କର ଉତ୍ତରାଧିକାରୀ ବୋଲି ଧୃତରାଷ୍ଟ୍ର ମଣିଥିଲେ ତାଙ୍କ ପୁତ୍ରମାନଙ୍କୁ  । ଯଦ୍ୱାରା କି ସୃଷ୍ଟି ହେଲା ଦ୍ୱନ୍ଦ, କୂଟକପଟ ଦ୍ୱାରା ନିର୍ଯ୍ୟାତିତ ହେଲେ ପାଣ୍ଡବେ । କୃଷ୍ଣ ବାଛି ନେଇଥିଲେ ସାଧନାର ସୂତ୍ର  । ମାତ୍ର ପାଞ୍ଚଖଣ୍ଡ ପଡା ବିନିମୟରେ ପ୍ରସ୍ତାବ ଦେଲେ ଧୃଷ୍ଟରାଷ୍ଟଙ୍କୁ, ହେଲେ ପୁତ୍ର ଦୁର୍ଯେ୍ୟାଧନ ଏ ପ୍ରସ୍ତାବକୁ କଲେ ଅସ୍ୱୀକାର । ବିନା ଯୁଦେ୍ଧ ଦେବେ ନାହିଁ ସୂଚ୍ୟଗ୍ର ମେଦିନୀ ବୋଲି ଘୋଷଣା କଲେ । ଫଳସ୍ୱରୂପ କୁରୁକ୍ଷେତ୍ର ନାମକ ଏକ ପ୍ରାଙ୍ଗଣରେ କୁରୁପାଣ୍ଡବ ଯୁଦ୍ଧର ଆରମ୍ଭ ହେଲା । ଏ ଯୁଦ୍ଧର କାହାଣୀକୁ ବର୍ଣ୍ଣନା କରିଥିଲେ ମହର୍ଷି ବ୍ୟାସଦେବ,ଯେଉଁ ଗ୍ରନ୍ଥର ନାମ ହେଲା ମହାଭାରତ । ଯାହାର କାହାଣୀ ଅଠର ଖଣ୍ଡ ପର୍ଯ୍ୟାୟରେ ବର୍ଣ୍ଣିତ ହୋଇଛି, ପ୍ରତ୍ୟେକ ଖଣ୍ଡକୁ ପର୍ବରେ ବର୍ଣ୍ଣିତ କରାଯାଇଛି  । 
                                   ଗୀତା ହେଉଛି ଏଇ ବିରାଟଗ୍ରନ୍ଥ ମହାଭାରତର ଜୀବନ୍ତ ପ୍ରତିଛବିର କିୟଦଂଶ, ମହାଭାରତ ଛଅଟି ପର୍ବ  ଗୋଟିଏ ପାଖରେ, ଆଉ ବାରଟି ପର୍ବ ଅନ୍ୟପାଖରେ, ପୁନଶ୍ଚ କୁରୁକ୍ଷେତ୍ର ଯୁଦ୍ଧ ପଡିଆରେ ସାତ ଅକ୍ଷୌହିଣୀ  ଓ ଅନ୍ୟପଟେ ଏଗାର ଅକ୍ଷୌହିଣୀ ଏବଂ ମଝିରେ ଅର୍ଜୁନଙ୍କ ରଥରେ କୃଷ୍ଣଙ୍କ ଶ୍ରୀମୁଖରୁ ଝରି ଆସୁଛିୁ ଗୀତା ମହୌଷଧି  । ଏ ଭଗବାନ କିଏ ? ମଣିଷର ଅନ୍ତର ଚେତନାରେ ଥିବା ଚିତ ସତ୍ତାର ବାର୍ତ୍ତା? ବିବେକର ଆହ୍ୱାନ? ବ୍ୟାସଦେନବଙ୍କ ନିଜ ଅନୁଭୁତିର ନିର୍ମଦାର? ଭଗବାନ ହେଉଛନ୍ତି କ୍ରାନ୍ତିର ମହାନାୟକ, ପୁରାତନ ଉପରେ ନୂତନ ଭାବଭଙ୍ଗୀର ଅଦ୍ଭୁତ ଯୌଗିକ ପ୍ରକ୍ରିୟା, ଗୀତା ଏହି ଅଦ୍ଭୁତ ଯୌଗିକ ପ୍ରକ୍ରିୟାର ମହୌଷଧି; ତହିଁରେ ଏ ମାନବ ସମାଜ ଅସ୍ତ ଭାବି ଶାନ୍ତିର ମହାଯୁଦ୍ଧର ସମ୍ମୁଖିନ ହୋଇପାରେ ଆଉ ବିଜୟ ମଧ୍ୟ । ଶେଷନ୍ତେ ହେ ମୋର ପାଠକୀୟ ବନ୍ଧୁ! ତୁମେ ଆଜିହୁଅ ତନ୍ମୟ, ତୁମେ ଏ ସ୍ଥିତପ୍ରଜ୍ଞର ଗୀତା ମହୌଷଧିକୁ ନେଇ ୟେ ଦୋଳାୟମାନ ସୁଖ ଦୁଃଖର ଦୁନିଆରେ ଧର୍ମୀୟ ପ୍ରତିଷ୍ଠାନର ହୁଅ ସୂତ୍ରଧର, ତୁମେ ଆଜି ସମୟ କୀର୍ତ୍ତିସ୍ମୃତିର ହୁଅ ଚାରୁକଳା, ଆଉ ଆଗାମୀ ଧର୍ମୀୟ ପ୍ରଗତିଧାରାର ହୁଅ କର୍ଣ୍ଣଧାର । ତୁମେ ହୁଅ ବାର୍ତ୍ତାବହ ଧର୍ମୀୟ ମହୌଷଧିର ।
ସା-ବାଲିପଡା,ଗୋବିନ୍ଦପୁର, କଟକ 
ମୋ-୮୬୧୩୬୮୦୪୨
JOY BAHUDA

ଶାଶ୍ୱତ ପ୍ରେମ

 ଡକ୍ଟର ତ୍ରିନାଥ ପଟ୍ଟନାୟକ
                        ରାତ୍ରି ସମୟ,ଶ୍ରୀଧାମ ଦ୍ୱାରକାରେ ଭଗବାନ ଶ୍ରୀକୃଷ୍ଣ ଶୟନ କକ୍ଷରେ ଶୟନ କରିଥାନ୍ତି । ନିକଟରେ ଋକ୍ମୁଣୀ ସତ୍ୟଭାମା ପ୍ରଭୃତି ପାଟ୍ଟବଂଶୀମାନେ ସେବାରେ ନିଯୁକ୍ତ ଥିଲେ । ଏହି ସମୟରେ ଶ୍ରୀକୃଷ୍ଣ ସ୍ୱପ୍ନରେ ବିଳି ବିଳେଇ ଉଠିଲେ-ହା ରାଧେ ! ହା ରାଧେ ! ତାପରେ କ୍ରନ୍ଦନ କରିବାକୁ ଲାଗିଲେ । କାନ୍ଦ ବନ୍ଦ ହେଉନି । ମହାରାଣୀ ଋକ୍ମୁଣୀ ବାଧ୍ୟ ହୋଇ ପ୍ରଭୁଙ୍କ ଚରଣ ସ୍ପର୍ଶକରି ଜାଗ୍ରତ କରାଇବାକୁ ଚେଷ୍ଟା କଲେ । ଭଗବାନ ଶ୍ରୀକୃଷ୍ଣଙ୍କର ନିଦ୍ରାଭଗ୍ନ ହେଲା । ସେ କିଂଚିତ ଲଜ୍ଜିତ ଅନୁଭବ କଲେ । ତାପରେ ଅତି ଚତୁରତାର ସହିତ ନିଜ ମନର ଭାବ ଗୋପନ କରି ପୁଣି ନିଦ୍ରିତ ହୋଇଗଲେ ।
                                                  କିନ୍ତୁ ୟେ ରାଧା କିଏ ? ସେ ବିଷୟରେ ଜାଣିବା ନିମନ୍ତେ ମହାରାଣୀଙ୍କ ହୃଦୟରେ ଅତ୍ୟନ୍ତ ବ୍ୟଗ୍ରତା ଜାତ ହେବାକୁ ଲାଗିଲା । ସେମାନେ ପରସ୍ପର ମଧ୍ୟରେ କଥୋପକଥନ ହେବାକୁ ଲାଗିଲେ । ଆମ୍ଭେ ମହିଷୀମାନେ  କୁଳ, ଶୀଳ, ରୂପ ଏବଂ ଗୁଣରେ କେହି ହେଲେ ମଧ୍ୟ ଅନ୍ୟ କୌଣସି ରମଣୀ ଠାରୁ କମ୍ ନୋହୁଁ । ତଥାପି ଆମ୍ଭ ପ୍ରାଣ ବଲ୍ଲଭ ଅନ୍ୟ କୌଣସି ରମଣୀ ନିମନ୍ତେ ବ୍ୟାକୁଳ? ୟେ ତ ବଡ ବିସ୍ମୟ କଥା, ରାତ୍ରିରେ ସ୍ୱପ୍ନାବସ୍ଥାରେ ଯେଉଁ ରମଣୀ ନିମନ୍ତେ ପ୍ରଭୁ ଏତେ ବ୍ୟାକୁଳ, ସେହି ଭାଗ୍ୟବତୀ ରୂପ ଗୁଣରେ ଆମ ଠାରୁ କେତେ ଅଧିକ ହୋଇ ନ ଥିବେ ?
                                                 ମହାରାଣୀ ଋକ୍ମୁଣୀ କହିଲେ- ହଁ, ମୋର ମନେ ପଡିଲା ବୃନ୍ଦାବନରେ ରାଧା ନାମରେ ଜଣେ ଗୋପ କୁମାରୀ ଅଛି । ଆମର ପ୍ରାଣନାଥ ତାଙ୍କର ପ୍ରତି ଅତ୍ୟନ୍ତ ଆକୃଷ୍ଟ । ସେଥିପାଇଁ ରୂପ ଲାବଣ୍ୟ ବୈଦଗ୍ଧ୍ୟପୁଞ୍ଜ ନୟାନିଭିରାମ ଶ୍ରୀ ପ୍ରାଣନାଥଙ୍କର ଆମେ ଯେତେ ସେବାକଲେ ସୁଦ୍ଧା, ସେହି ସର୍ବ ଚିତାକର୍ଷକ ଚିତବର୍ଷିଣୀଙ୍କର ଅଲୌକିକ ଗୁଣଗ୍ରାମକୁ ଭୁଲି ପାରୁନାହାନ୍ତି  । ରାଣୀ ସତ୍ୟଭାମା କହିଲେ- ଆମେ କେମିତି ଥରେ ସେହି ସୁଲକ୍ଷଣୀ ଶ୍ରୀରାଧାଙ୍କୁ ଭେଟନ୍ତେ । ଦେଖନ୍ତେ ଆମ ଠାରୁ ତାଙ୍କ ଠାରେ କଣ ବିଶେଷ ଗୁଣ ଅଛି । ଆଉ ଆମ ଠାରୁ କେତେ ପ୍ରଭୁଙ୍କୁ ସେ ଭକ୍ତି ଓ ପ୍ରିତୀ କରୁଛନ୍ତି । କଣ ତାଙ୍କ ଠାରେ ବିଶେଷତ୍ୱ ଅଛି । ସେ କେତେ ସୁନ୍ଦରୀ ଓ ସୁଶୀଳା । ଅଷ୍ଟ ପାଟ୍ଟବଂଶୀଙ୍କ ଭାଗ୍ୟରେ ସେ ସୁଯୋଗ ଦିନେ ଜୁଟିଲା । ସିଦ୍ଧାଶ୍ରମ ନାମକ ତୀର୍ଥରେ ସ୍ନାନଯୋଗ ପଡିଥାଏ । ଶ୍ରୀରାଧା ନିଜ ସଖୀମାନଙ୍କ ସହିତ ସିଦ୍ଧାଶ୍ରମକୁ ସ୍ନାନ ନିମନ୍ତେ ଆସିଥିଲେ । ସେହି ତୀର୍ଥରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜ ରାଣୀମାନଙ୍କ ସହିତ ପହଂଚିଲେ । ରାଣୀମାନେ ସଖୀମାନଙ୍କ ଠାରୁ ଶୁଣିବାକୁ ପାଇଲେ ଯେ, ଗୋପପୁରରୁ ରାଧା ସୁନ୍ଦରୀ ମଧ୍ୟ ତୀର୍ଥ ସ୍ଥାନକୁ ଆସିଛନ୍ତି । ସେମାନଙ୍କର ବହୁଦିନର ଆଶା ପୂରଣ ହେବାକୁ ଯାଉଥିବା ଜାଣି ବିଶେଷ ଖୁସି ହେଲେ । ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଅନୁମତି ଚାହିଁଲେ । ପ୍ରଭୁ ସଂଗେ ସଂଗେ ଅନୁମତି ଦେଇଦେଲେ । ସମସ୍ତେ ରାଧାରାଣୀଙ୍କର ଶିବିରରେ ପହଂଚିଲେ । ଶ୍ରୀରାଧା ଦ୍ୱାରକାର ରାଣୀମାନଙ୍କର ପରିଚୟ ପାଇ ଆନନ୍ଦ ପ୍ରକାଶ କଲେ ଓ ସଂଗେ ସଂଗେ ଉଚିତ ସକ୍ରାର କଲେ । ରାଣୀମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତି ବିଷୟରେ କିଛି ଶୁଣିବା ନିମନ୍ତେ ଚାହିଁଲେ । ଶ୍ରୀରାଧା ସ୍ମିତ ହାସ୍ୟକରି କହିଲେ-
ଚନେ୍ଦ୍ରା ଯଥୈକୋ ବହବ ଶ୍ଚକୋରାଃ,
ସୂର୍ଯେ୍ୟା ଯଥୈକୋ ବହବୋ ଦୃଶଃସୁ୍ୟ,
ଶ୍ରୀକୃଷ୍ଣ ଚନେ୍ଦ୍ରା ଭଗବାଂ ସ୍ତଥୈକୋ,
ଭକ୍ତା ଭଗିନ୍ୟୋ ବହବୋ ବୟଂଚ ।ା
                                  ହେ ଭଉଣୀମାନେ, ଚନ୍ଦ୍ରମା ଏକା ହେଲେବି ଅନେକ ଚକୋର ତାଙ୍କ ପାଇଁ ଆଶାୟୀ, ସୂର୍ଯ୍ୟ ଏକ କିନ୍ତୁ ଅନେକ ନେତ୍ର ତାଙ୍କୁ ଚାହିଁ ରହିଛନ୍ତି । ଏହିପରି ଭାବରେ ଆମର ପ୍ରିୟତମ ଶ୍ରୀ କୃଷ୍ଣଚନ୍ଦ୍ର ଏକା ହେଲେ ବି ଆମ୍ଭ ପରି ତାଙ୍କର ଅନେକ ଭକ୍ତ ଅଛନ୍ତି । ଶ୍ରୀରାଧାଙ୍କର ଶୀଳ, ସ୍ୱରୂପ, ସୌନ୍ଦର୍ଯ୍ୟ, ଗୁଣ ଓ ବ୍ୟବହାର ରାଣୀମାନଙ୍କ ଉପରେ ବହୁତ କିଛି ପ୍ରଭାବ ପକାଇଲା । ସେମାନେ ପ୍ରଭୁଙ୍କର ପ୍ରିୟ ହେବା ନିମନ୍ତେ ରାଧାରାଣୀଙ୍କୁ ନିଜ ଶିବିରକୁ ଯିବା ପାଇଁ ନିମନ୍ତ୍ରଣ କଲେ । ଶ୍ରୀରାଧା ରାଜି ହେଲେ ଓ ନିଜ ସଖୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କ ଶିବିରକୁ ଗଲେ । ରାଣୀମାନେ ଆଦର ସହିତ ଶ୍ରୀରାଧାଙ୍କ ସକ୍ରାର କଲେ । ରାତ୍ରି ଭୋଜନ ପ୍ରଦାନ ପରେ ପ୍ରଭୁଙ୍କ ଇଙ୍ଗିତରେ ଉଷ୍ମ ଦୁଗ୍ଧ ପିଇବାକୁ ଦେଲେ । ତା ପରେ ପରସ୍ପରକୁ ଆଲିଙ୍ଗନ କରି ଶ୍ରୀରାଧା ନିଜ ଶିବିରକୁ ଫେରି ଆସିଲେ ।
                                    ଭଗବାନ ଶ୍ରୀକୃଷ୍ଣଚନ୍ଦ୍ର ରାତ୍ରିକୁ ଫେରିଲେ । ଶିବିରରେ ଶୟନ କକ୍ଷରେ ପ୍ରଭୁ ବିଶ୍ରାମ ନେଉଥାନ୍ତି । ନିତୀ ନିୟମାନୁସାରେ ପାଟ୍ଟରାଣୀ ଋକ୍ମୁଣୀ ପ୍ରଭୁଙ୍କର ଚରଣ ସେବା କରିବାକୁ ଗଲେ । ପ୍ରଭୁଙ୍କର ଚରଣ ଦର୍ଶନ କରି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ସେ ଦେଖିଲେ ପ୍ରିୟତମ ଶ୍ରୀ କୃଷ୍ଣଚନ୍ଦ୍ରଙ୍କର ଶ୍ରୀଚରଣ ଦ୍ୱୟରେ ଫୋଟକା ହୋଇଯାଇଛି । ଋକ୍ମୁଣୀ ନିଜ ସଖୀମାନଙ୍କୁ ଡାକି ପ୍ରଭୁଙ୍କ ଚରଣକୁ ଦେଖାଇଲେ । ସମସ୍ତେ ବିସ୍ମିତ ହୋଇ ଉଠିଲେ । ଭଗବାନଙ୍କୁ ପଚାରିବାର ସାହସ କାହାରି ନାହିଁ । ଶ୍ରୀ କୃଷ୍ଣଚନ୍ଦ୍ର କିଛି ସମୟ ପରେ ଆଖି ଖୋଲିଲେ । ଦେଖିଲେ ରାଣୀମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ତାଙ୍କ ପାଦକୁ ଚାହିଁ ରହିଛନ୍ତି । ପାଟ୍ଟରାଣୀ ଋକ୍ମୁଣୀ ବିନମ୍ରତାର ସହିତ ପାଦରେ କିପରି ଫୋଟକା ହୋଇଛି ବୋଲି ପଚାରିଲେ । ପ୍ରଥମେ ଭଗବାନ କଥାଟାକୁ ଟାଳିଦେଲେ । ବହୁତ ଆଗ୍ରହ ପ୍ରକାଶ କରିବାରୁ  ଶ୍ରୀକୃଷ୍ଣ କହିଲେ- “ଦେଖ ତୁମେମାନେ ଠିକ୍ କଲନି । ଏତେ ଗରମ ଥିବା ଦୁଧକୁ ଶ୍ରୀରାଧାଙ୍କୁ ବାଧ୍ୟ କରି ପିଆଇବା ଉଚିତ ନ ଥିଲା । ସେ କେବଳ ତୁମମାନଙ୍କର ସ୍ନେହରେ ପଡି କଷ୍ଟ ହେଲେ ବି  ମୋତେ ପ୍ରଥମେ ଅର୍ପଣ କରି  ଦୁଧ ପିଇଦେଲେ । ସେଥି ଯୋଗୁଁ ମୋର ପାଦ ଫୋଟକା ହୋଇଗଲା ।”
                                       ରାଣୀମାନେ ଏହି କଥା ବୁଝି ପାରିଲେ ନାହିଁ । ଋକ୍ମୁଣୀ ପଚାରିଲେ “ଯଦି ଦୁଧ ଅତ୍ୟଧିକ ଗରମ ହେଲା, ତେବେ ଶ୍ରୀରାଧାଙ୍କର ଜିଭ ତ ଫୋଟକା ହୋଇ ଯାଇଥାନ୍ତା । ଆପଣଙ୍କର ପାଦ କିପରି ଫୋଟକା ହେଲା । ଆପଣଙ୍କର ଚରଣ ସହିତ ଏ ଘଟଣାର ସଂପର୍କ ବା କଣ ଅଛି ?”
ଶ୍ରୀକୃଷ୍ଣ ହସି ହସି କହିଲେ ଶ୍ରୀରାଧାଙ୍କର ହୃଦୟ କମଳ କଥା ତୁମକୁ ଜଣା ନାହିଁ । ତେବେ ଶୁଣ-
ଶ୍ରୀରାଧିକାୟା ହୃଦୟାର ବିନେ୍ଦ,
ପଦାରବିନ୍ଦ ହଂ ହି ବିରାଜତେ ମେ ,
ଅହର୍ନିଶଂ ପ୍ରଶ୍ରୟ ପାଶବଦ୍ଧଂ,
ଲବଂ ଲବାର୍ଧ ନ ଚଳତ୍ୟତୀବ ।ା
ଅଦ୍ୟୋଷ୍ଣ ଦୁଗ୍ଧ ପ୍ରତିପାନ ତୋଘ୍ରାଂ,
ବୁଛାଳ କାସ୍ତେ ମମ ପ୍ରୋଛଳନ୍ତି ,
ମନେ୍ଦାଷ୍ଣମେବ ହି ନ ଦତ ମସୈ, 
ଯୁକ୍ଷ୍ମାଭି ରୁଷ୍ଣଂ ତୁ ପୟଃ ପ୍ରଦତମ୍ ।ା
                             ଶ୍ରୀରାଧାଙ୍କ ହୃଦୟ କମଳରେ ମୋର ଚରଣ କମଳ ଦିନ ରାତି ପ୍ରେମଫାଶରେ ବାନ୍ଧି ହୋଇ ରହିଛି । ଏକକ୍ଷଣ ବା ଅଧକ୍ଷଣ ମଧ୍ୟ ହୃଦୟ ବନ୍ଧନରୁ ହଟି ନ ଥାଏ । ତୁମେ ଦୁଧକୁ ଟିକିଏ ସୁଦ୍ଧା ଥଣ୍ଡା କରି ଦେଲ ନାହିଁ । ବହୁତ ଗରମ ଥିଲେ ମଧ୍ୟ ଶ୍ରୀରାଧା ସ୍ନେହରେ ପାନ କରି ଦେଲେ । ଦୁଗ୍ଧ  ଶ୍ରୀରାଧାଙ୍କ ହୃଦୟକୁ ଗଲା । ଫଳରେ ମୋ ଚରଣକୁ ଜଳାଇ ଦେଲା । ସେଥିପାଇଁ ଫୋଟକା ପଡିଗଲା ।
                                    ଏ କଥା ଶୁଣିଲା ପରେ ଋକ୍ମଣୀ ସତ୍ୟଭାମା ପ୍ରଭୃତି ରାଣୀମାନେ ଓଠରେ ଅଙ୍ଗୁଳି ରଖି କିଛି କ୍ଷଣ ନିମନ୍ତେ ଜଡ ପାଲଟିଗଲେ । ସେମାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେମାନେ ପରସ୍ପର ମଧ୍ୟରେ କଥା ହେଲେ – “ଶ୍ରୀରାଧାରାଣୀଙ୍କର ପ୍ରେମ ଆଗରେ ନିଜର ପ୍ରେମ କେତେ ତୁଛ । ପ୍ରଭୁଙ୍କ ଅତି ନିକଟରେ ଥାଇ ସୁଦ୍ଧା ସେମାନେ ଭକ୍ତି ଓ ପ୍ରେମରେ କେତେ ଦୂରରେ ଅଛନ୍ତି  । ମାତ୍ର ଶ୍ରୀରାଧା ଦୂରରେ ଥିଲେ ସୁଦ୍ଧା ପ୍ରଭୁଙ୍କର ଅତି ନିକଟରେ ।”
ବାସ୍ତବରେ ଶ୍ରୀରାଧା ହେଉଛନ୍ତି ଭଗବାନଙ୍କର ପ୍ରକୃତି । ଶ୍ରୀବିଷ୍ଣୁ, ବୈକୁଣ୍ଠରେ ଶ୍ରୀଲକ୍ଷ୍ମୀଙ୍କ ସହିତ ନିବାସ କରନ୍ତି ତଥା ଗୋଲକରେ ଶ୍ରୀରାଧାଙ୍କ ସହ ନିତ୍ୟ ରାସରେ ମଗ୍ନ ରହନ୍ତି । ଶ୍ରୀରାଧା ଆନନ୍ଦ ସ୍ୱରୂପା ଓ ପ୍ରେମ ସ୍ୱରୂପା ଅଟନ୍ତି । ବେଦରେ ବର୍ଣ୍ଣିତ ଅଛି  ଅନାଦି ପୁରୁଷ ଏକ, ସେହି ଅନାଦି ନିଜକୁ ଦୁଇଟି ରୂପରେ ପରିପ୍ରକାଶ କରି ସ୍ୱୟଂ ନିଜର ଆରାଧନା ନିମନ୍ତେ ତପôର ହୋଇଛନ୍ତି । ସେଥିପାଇଁ ବ୍ରହ୍ମ ବୈବର୍ତ ପୁରାଣରେ ଉଲ୍ଲେଖ ଅଛି ଶ୍ରୀକୃଷ୍ଣଙ୍କ ପ୍ରାଣରୁ ସ୍ୱୟଂ ଶକ୍ତିସ୍ୱରୂପା ଶ୍ରୀରାଧା ଆବିର୍ଭାବ ହୋଇଛନ୍ତି ।
ପ୍ରାଣାଧିଷ୍ଠାତ୍ରୀ ଦେବୀ ସା କୃଷ୍ଣସ୍ୟ ପରମାତ୍ମମନଃ,
ଆବିର୍ବଭୂବ ପ୍ରାଣେଭଃ ପ୍ରାଣେଭ୍ୟୋପି ଗରିୟସୀ ।ା
ଆଲୋକ ନଗର, ନିଆଳୀ,କଟକ
ମୋ-୯୯୩୭୮୪୦୩୮୭
JOY BAHUDA