ପ୍ରାଚୀ ସାହିତ୍ୟରେ ସନ୍ଥ ଗୋସ୍ୱାମୀ ବାହୁଡା

ଗିରୀଶ ଚନ୍ଦ୍ର ନାୟକ
                            ଇତିହାସରୁ ଜଣାଯାଏ ଦ୍ୱାଦଶ ଶତାବ୍ଦୀରେ ଉକ୍ରଳର ନରପତିମାନେ ସୁଶାସକ ଥିଲେ । ଏହି ସମୟରେ ଉକ୍ରଳର କଳା ଭାସ୍କର୍ଯ୍ୟ ସ୍ଥାପତ୍ୟ ଓ ଚାରୁକଳାରେ ଉକ୍ରର୍ଷତା ପ୍ରତିପାଦିତର ଚରମସୀମାରେ ଥିଲା । ଓଡିଆ ଜାତିର କୋଣାର୍କ  ଓ ପୁରୀର ଜଗନ୍ନାଥ ମନ୍ଦିରର ମନ୍ଦିର ମାଳିନୀ ଭୁବନେଶ୍ୱରରେ ମନ୍ଦିର ମାନଙ୍କରେ ନିହାଣ ମୁନରେ ଜୀବନ୍ତ ଚାରୁକଳା ଭାସ୍କର୍ଯ୍ୟ ଶହ ଶହ ବର୍ଷ ଆଜି ବି ମୁଣ୍ଡ ଟେକି ରହିଅଛି । କର୍ପୁର ଉଡିଯାଇଛି ସତ, କିନ୍ତୁ କନା ପଡି ରହିଛି । ଦ୍ୱାଦଶ ଶତାବ୍ଦୀ ପର ଠାରୁ ପଂଚ ଶତାବ୍ଦୀ ମଧ୍ୟରେ ଓଡିଶାକୁ ସୁବର୍ଣ୍ଣ ଯୁଗ କୁହାଯାଏ । ପଂଚ ଶତାବ୍ଦୀ ପର ଠାରୁ ଓଡିଶାର ନରପତି ମାନେ ଦୁର୍ବଳ ଏବଂ ପୂର୍ବ ସୂରି ପରି ଶୌର୍ଯ୍ୟ, ବୀର୍ଯ୍ୟ, ଗାରିମା ପ୍ରଭାବଶୀଳ ହୋଇ ପାରିଲେ ନାହିଁ ।
                                        ୧୫୩୮ ମସିହାରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ମୃତୁ୍ୟ ପରେ ପରେ ଓଡିଶାର ଦୁର୍ଗତି ମାଡି ଆସେ । ସାରା ରାଜ୍ୟରେ ଅରାଜକତା ବ୍ୟାପି ଯାଇଥିଲା । ପ୍ରତାପରୁଦ୍ର ଦେବଙ୍କ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ରାଜ୍ୟ ସିଂହାସନ ଦଖଲ କରି ନୂତନ ରାଜବଂଶ ଭାବରେ ଭୋଇ ବଂଶର ପ୍ରତିଷ୍ଠା କରିଥିଲେ । ପଂଚଦଶ ଶତାବ୍ଦୀର ନରପତି କପିଳେନ୍ଦ୍ର ଦେବଙ୍କ ସମୟରେ ଓଡିଆ ଜାତିର ଯେଉଁ ଗୌରବ ଗାରିମା ଓ ଖ୍ୟାତି ଯଶ ଥିଲା । ତାହା ପ୍ରତାପରୁଦ୍ରଙ୍କ ଠାରୁ ନିମ୍ନଗାମୀ ହେବାକୁ ଲାଗିଲା । ସାଧାରଣ ଜନତା ଆଶା ଭରସା ହରାଇ ରାହା ଖୋଜୁଥିଲେ । ଓଡିଆ ଜାତି ଦିଗହରା ହୋଇ ଏକ କଷ୍ଟକର ଅତ୍ୟନ୍ତ କଠିନ ସମୟ ମଧ୍ୟରେ ଗତି କରି ଚାଲିଥାଏ । ଏହି ଘଡି ସନ୍ଧି ମୁହୂର୍ତ୍ତ,ଦୁର୍ବଳ ମାନସିକତା ଓ ଅନିଶ୍ଚିତତାର ପରିବର୍ଦ୍ଧିତ ସମାଜରେ ପରିବର୍ତ୍ତନର ଆବଶ୍ୟକ ହେଲା  । ଯାହା ଏହି ସାଧାରଣ ଜନତାଙ୍କୁ ବଂଚିବାର ରାହା ଯୋଗାଇ ଦେଇଥିଲା । ଆରମ୍ଭ ହୁଏ ଷୋଡଶ ଶତାବ୍ଦୀ, ତାହା ସଂଗେ ସଂଗେ ନୂତନ ଯୁଗର ଅୟମାରମ୍ଭ ; ସୃଷ୍ଟି ହେଲା ଭାବ, ଭକ୍ତି ଓ ତତ୍ତ୍ୱ ଜ୍ଞାନ ରସର ଝଙ୍କାରର ଯୁଗ । ନୂତନ ଇତିହାସ ନୂତନ ଅଧ୍ୟାୟ ଭାବ ଭକ୍ତିତ୍ତତତ୍ତ୍ୱଜ୍ଞାନ ରସର ଝଙ୍କାରର ଝଡ । କବିମାନେ ଲେଖନୀରେ ଓଡିଆ ଜାତିର ପ୍ରାଣରେ ଭରିଦେଲେ । ମୃତୁ୍ୟ ସଂଜୀବନୀଯୁକ୍ତ ସନ୍ଥମାନେ ସୃଷ୍ଟି କଲେ ନୂତନ ଇତିହାସ । ସାହିତ୍ୟର ଇତିହାସ । ଏହି ସାହିତ୍ୟ ହିଁ ଓଡିଆ ପ୍ରାଣରେ ଆଣିଦେଲା ନୂତନ ଜୀବନୀ ଶକ୍ତିର ସଂଚାର ଓ ଆଶା । ସାଧାରଣ ଜନତା ଭିତରେ ସୃଷ୍ଟି ହେଲା ଆତ୍ମ ବିଶ୍ୱାସର ପ୍ରତ୍ୟୟ । ସାହିତ୍ୟ ହିଁ  ଆଣି ଦେଲା ଶକ୍ତି, ବଂଚିବାର ଅଭିନବ ସାମର୍ଥ୍ୟ ଓ ଓଡିଆ ଜାତିର ଜନ ଜାଗରଣ । ଆରମ୍ଭ ହେଲା  ଭକ୍ତି ଭାବର ଜନ ଜାଗରଣ । ଅସାଧାରଣ ଭାବରେ ଭକ୍ତି ସାହିତ୍ୟର ବିକାଶ, ଆଧ୍ୟାତ୍ମିକ, ତାତ୍ତ୍ୱିକ,ଜ୍ଞାନ ଓ ଭକ୍ତି ରସର ପ୍ଲାବନରେ ଓଡିଆ ଜାତିକୁ ଆଣିଦେଲା ନୂତନ ମାର୍ଗ ଦର୍ଶନ ।
                                   ଏହି ଭକ୍ତିଭାବର ନବ ଜାଗରଣରେ  ସନ୍ଥ ମାନଙ୍କର ପ୍ରଭାବ କାୟା ବିସ୍ତାର କରେ । ଓଡିଆ ସାହିତ୍ୟକୁ ସନ୍ଥ ମାନେ ସମାଜର ନିମ୍ନ ଶ୍ରେଣୀରେ ଜାତ ହେଲେ ମଧ୍ୟ ସେମାନେ ସାରା ବସୁଧାକୁ କୁଟୁମ୍ବ ମନେ କରି ସର୍ବଦା ଜନ ମଙ୍ଗଳ କାର୍ଯ୍ୟରେ ନିୟୋଜିତ ଥାନ୍ତି । ସନ୍ଥମାନେ ସର୍ବଦର୍ଶୀ । ସେମାନେ ପୂର୍ଣ୍ଣ ଶ୍ରଦ୍ଧା ସହିତ ସବୁ ବାଟକୁ ଆପଣାଇ ନିଅନ୍ତି । ସନ୍ଥମାନଙ୍କୁ ନିର୍ଗୁଣ ଭକ୍ତି ଭାବ ମାର୍ଗର ସାଧକ ଏବଂ ସେମାନଙ୍କ ସାହିତ୍ୟକୁ ନିର୍ଗୁଣ ଭକ୍ତି ମାର୍ଗର  ସାହିତ୍ୟ କୁହାଯାଏ ।  ସ୍ୱ  ଅନୁଭୁତିରୁ ହିଁ ସାଧକ ସନ୍ଥ ହୁଏ  । ଏହି ସ୍ୱ ଅନୁଭୁତି ହେଉଛି ସତ୍ୟ ଅନୁସନ୍ଧାନର ସର୍ବୋତମ ଫଳ ।  ସନ୍ଥ ମାନଙ୍କ ମତରେ ହୃଦୟର ଐକାନ୍ତିକ ପ୍ରେମ ସାଧନା ମନ ଭାବ ଓ ଭକ୍ତିରେ ପୂର୍ଣ୍ଣ ହେବା ଆବଶ୍ୟକ  । ଏହା କେବଳ ଭାବ ମାର୍ଗର ବିଷୟ । ଏକନିଷ୍ଠତା, ସର୍ବସ୍ୱ ସମର୍ପଣ, ତନମନ ପବିତ୍ରୀ କରଣ ଏବଂ ଅଖଣ୍ଡ ଆତ୍ମ ବିଶ୍ୱାସ ବିନା ପରାମାତ୍ମାଙ୍କ ସାକ୍ଷାତ ସାନିଧ୍ୟ ଓ ଶ୍ରଦ୍ଧା ମିଳି ପାରେନା । ପ୍ରେମ ରସରେ ମତ ହୋଇ, ଯେ ଜନ୍ମ ମୃତୁ୍ୟକୁ ଏଡାଇ ଦେଇପାରେ ସେ ହିଁ ନିର୍ମଳ ଭକ୍ତି ରସ ପାଇଥାଏ । ସମସ୍ତ ଦୁଃଖ ଓ ଜଂଜାଳ ମଧ୍ୟରେ ସ୍ଥିତପ୍ରଜ୍ଞ ଭାବରେ ଅବସ୍ଥାନ କରି ପରମ ପୁରୁଷଙ୍କ ସାନିଧ୍ୟକୁ କେବଳ ସନ୍ଥ ହିଁ ସମର୍ଥ । ସାର୍ମଥ୍ୟ, ଗର୍ବୀ ଦମ୍ଭ, ଓ ମାନ ଅଭିମାନ ଠାରୁ ଦୂରେଇ ରହି ନିଷ୍କାମ ଭାବରେ ଅବସ୍ଥାନ କରେ ସନ୍ଥ । ସନ୍ଥ ମାନଙ୍କ ମନ ଓ ହୃଦୟ ବିଶାଳ । ତାଙ୍କ ମତରେ ସମସ୍ତ ଜୀବ ଜଗତ  ପରମାତ୍ମାଙ୍କ ଠାରୁ ଜାତ । ଆମ୍ଭେ ସମସ୍ତେ  ପରମାତ୍ମାଙ୍କ ସନ୍ତାନ । ସୁତରାଂ ଆମ୍ଭ ମଧ୍ୟରେ କୌଣସି ଭେଦଭାବ ନ ରହିବା ଉଚିତ । ସନ୍ଥ ମାନଙ୍କର ଜାତି ଅଭିମାନ ନ ଥାଏ । ଯାହା ପାଖରେ ପି୍ରୟ ଅପ୍ରିୟ, ଅନୁକୂଳ ଓ ପ୍ରତିକୂଳ, ସୁଖ ଦୁଃଖ ଓ ଭୂତ ଭବିଷ୍ୟତ ଏକାକାର ସେ ହିଁ ଜ୍ଞାନୀ ଅଟେ । 
                                 ସନ୍ଥ ଓ ମହାପୁରୁଷ:   ସନ୍ଥ ମାନେ ସମାଜରେ ସଦା ସର୍ବଦା ଆଦରଣୀୟ, ଶ୍ରଦ୍ଧା ଓ ସମ୍ମାନର ପାତ୍ର । ସେମାନଙ୍କର ଜନ କଲ୍ୟାଣ ଜନ ହିତକର କର୍ମ ହିଁ ଉଚ୍ଚ ସ୍ଥାନ ଦିଏ । ଅନେକ ମହାପୁରୁଷ ମାନେ ନୀଚ୍ଚ କୂଳରେ ଜାତ ହୋଇଥିଲେ ମଧ୍ୟ ସେମାନେ ନମସ୍ୟ । ଯଥା ୧-କବୀର (ଝୋଲିଆ ତନ୍ତୀ), ୨-ମହାରାଷ୍ଟ୍ରର ନାମ ଦେବ (ଦରଜୀ), ୩- ତୁକାରାମ (ଦୋକାନୀ), ୪- ରୈ ଦାସ (ମୋଚି), ୫-ରଖନ (ମୁସଲମାନ ସର୍ଦ୍ଧାର), ୬- ଆଗ୍ରାର ଅନ୍ଧ ସୁର ଦାସ (ଭାଟକବି), ୭-ଗୁଜୁରାଟର ଅଖେ (ବଣିଆ) ଦାହ ତୁଳାଭିଣା,୯- କର୍ଣ୍ଣାଟକର କନକ ଦାସ (ମେଣ୍ଢା  ଚରାଳି), ୧୦-ବଙ୍ଗଳାର ରାମ ପ୍ରସାଦ ବୌଦ୍ଧ, ୧୧- ସେନ୍ନା (ଭଣ୍ଡାରି), ୧୨-ଓଡିଶାର ଶାରଳା ଦାସ (କୃଷକ), ୧୩-ବଳରାମ ଦାସ (ବାଉରୀ ବୈଷ୍ଣବ), ୧୪- ବାଲି ଗାଁ ଦାସିଆ (ବାଉରୀ),୧୫- ଯାଜପୁରର ହାଡି ଦାସ (କମାର), ୧୬-ଚୈତନ୍ୟ ଦାସ (ମାଳୀ), ୧୭- ସିଦ୍ଧ ଗିରିର ହାଡି ଦାସ  ସନ୍ଥ ଅଭିରାମ ପରମହଂସଙ୍କର ଗୁରୁ  (ତନ୍ତୀ), ୧୮ - ଅନ୍ଧ ଭୀମ ଭୋଇ (କନ୍ଧ) ୧୯- ଆର୍ତ ଦାସ,(ଚଷା) ଓ ୨୦-ସନ୍ଥ ବାହୁଡା ଦାସ (ବାଉରୀ)  । ସନ୍ଥ ମାନେ ହେଉଛନ୍ତି “ଅପଢା ପଣ୍ଡିତ” । ସେମାନଙ୍କ ମଧ୍ୟରୁ ଅନେକ ବିଦ୍ୟା ଶିକ୍ଷା ନ କରି ଥିଲେ ମଧ୍ୟ ସେମାନେ ବହୁ ଗୁଣ ଓ ଅମାପ ଜ୍ଞାନର ଅଧିକାରୀ  ଥିଲେ । ସେମାନଙ୍କ ରଚିତ ତତ୍ୱ ଜ୍ଞାନ, ସୁକ୍ଷ୍ମ ଜ୍ଞାନକୁ ଆଜିର ବିଜ୍ଞାନୀ ମାନେ ଭେଦ କରି ପାରି ନାହାନ୍ତି । ୟେ ଜ୍ଞାନ ଅତି ଆଶ୍ଚର୍ଯ୍ୟ ଜନକ ବିଷୟ ବସ୍ତୁ । ସତରେ ଏହାକୁ ଭାବିଲେ କୁଳ କିନାରା ମିଳେନା । ସନ୍ଥ ମାନଙ୍କ ମତରେ ଭକ୍ତ, ଭଗବାନକୁ ଭୁଲି ଯାଇ ପାରେ । କିନ୍ତୁ ଭଗବାନ ଭକ୍ତକୁ ଛାଡନ୍ତି ନାହିଁ । ଯେପରି “ବାଛୁରୀ” ଗାଈକୁ ଛାଡି ଇତସ୍ତତଃ ଡିଆଁ ମାରେ । ହେଲେ ଗାଈ ତାର ବାଛୁରୀକୁ ଛାଡି ଯାଏନା । ସେହି ପରି ଭକ୍ତ ଓ ଭଗବାନଙ୍କ ସଂପର୍କ ଅତି ନିବିଡ ଡୋରିରେ ବନ୍ଧା ହୋଇଥାଏ ।
                                                       ସନ୍ଥ ମାନଙ୍କର ବାସ୍ତବ ଜୀବନ ଅତ୍ୟନ୍ତ କଠିନ, ଦୟନୀୟ ଓ ଦୁର୍ବିସହ ଅଟେ । ସେମାନେ ସତେ ଯେପରି ଶାମୁକାରୁ ମୁକ୍ତା ଅନ୍ଧକାର ମଧ୍ୟରେ ଆଲୋକ ବର୍ତିକା । ତାଙ୍କର ସାଧୁତା, ଦୟା, କ୍ଷମା ଉଦାରତା ଓ କର୍ମ ପ୍ରେରଣା ହିଁ ତାଙ୍କୁ ଅତି ମାନବ କରିଛି । ସେମାନଙ୍କର କର୍ମ ଓ ଆଚରଣ ବ୍ୟବହାର ଚଳଣି ଏକା ପରି । ତାଙ୍କ ଠାରେ  ଆମ୍ଭେ ଅନୁଭବ କରୁ । ପରମାତ୍ମାଙ୍କ ଗୁଣ, ସନ୍ଥ ହିଁ ଆମର ପରମାତ୍ମା । ସେମାନେ ପରମ ପୂଜ୍ୟ ଓ ଚିର ନମସ୍ୟ । ଯେପରି  ଲୁହାଟି ଚୁମ୍ବକର  ସଂସ୍ପର୍ଶରେ ଆସି ଚୁମ୍ବକରେ ପରିଣତ ହୁଏ । ସେହିପରି, ସାଧୁ ସନ୍ଥ ମାନେ ପରମାତ୍ମାଙ୍କ ସାନିଧ୍ୟରେ ଗୁୁଣମୟ ହୋଇ, ଆମର ଅଗତିର ଗତି ମୁକ୍ତିର ପଥ ପ୍ରଦର୍ଶକ ହୋଇ ମଣିଷ ସମାଜର ଦେବଦୂତ ହୋଇଥାନ୍ତି ।
ସେ ସମୟରେ  ସନ୍ଥମାନେ ସମାଜରେ ସମ କାଳୀନ ଧର୍ମ ବିଚାର ଧାରା ଦର୍ଶନ ବା ଜୀବନର ନୀତି ସଂପର୍କରେ ଦୃଢ ମୂଳ ଭିତ୍ତି ଭୂମି ସ୍ଥାପନ କରି ପାରିଥିଲେ । ମୂଳ ଲକ୍ଷ ଥିଲା କଥିତ ଭାଷାରେ ସରଳ କାବ୍ୟ ରଚନା । ଲୋକ ଚରିତ୍ରର ବିକାଶ, ଲୋକଙ୍କ ମନରେ ଆତ୍ମ ବିଶ୍ୱାସ ଆଣିବା ପାଇଁ ଧର୍ମ ଓ ଜୀବନ ଦର୍ଶନ ରହସ୍ୟକୁ ଜାଣିବା ଏହି ରହସ୍ୟମୟ ତତ୍ୱରୁ ତତ୍ୱ ସାହିତ୍ୟର ସୃଷ୍ଟି । ସେହି ତତ୍ତ୍ୱ ସାହିତ୍ୟରୁ ଗୋଟିଏ ଗୋଟିଏ ବିଚାରଧାରାର ପ୍ରବାହ ଆରମ୍ଭ ହୁଏ । ତତ୍ତ୍ୱ ଓ ଚେତନାର ଯୁଗ ପିଣ୍ଡ ଓ ବ୍ରହ୍ମାଣ୍ଡ ନେଇ ତାତ୍ତ୍ୱିକ ଗବେଷଣାକୁ ତତ୍ତ୍ୱ କୁହାଯାଏ । ଏହି  ଜ୍ଞାନର ମୂଳ ସୂତ୍ର ପରମ୍ ବ୍ରହ୍ମକୁ ଜାଣିବା ଏବଂ ତାଙ୍କର ଶରଣାଗତ ହୋଇ ମୁକ୍ତିର ପଥ ଖୋଜିବା ।
“ୟେ ସର୍ବ ମିଥ୍ୟାହେ ଅର୍ଜୁନ
ମୁଇଁ ସତ୍ୟ ଜ୍ଞାନୀ ନିର୍ଗୁଣ”
ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ସନ୍ଥ ଦେହ (ଘଟ)କୁ ପୃଥିବୀ ସହିତ ତୁଳନା କରି ଯାହା ଘଟୁଛି, ଘଟରେ ତାହା ଅଛି ଆମ୍ଭ ପୃଥିବୀରେ ।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ ,
ୟେ ଜୀବନ ପଛେ ନର୍କେ ପଡିଥାଉ, 
ଜଗତ ଉଦ୍ଧାର ହେଉ” ।
ଦରଦୀ  ଅନ୍ଧ ସନ୍ଥ କବି ଭୀମ ଭୋଇ କେତେ ଦରଦୀ, କେତେ ଚିନ୍ତାର୍ଥୀ, ସମାଜର ଦଳିତ ଲାଂଛିତ, ନିପୀଡିତ ଜନତାର ଦୁଃଖ ଓ ଯନ୍ତ୍ରଣାକୁ ନିଜ ସହିତ ମିଶାଇ ଦେଇ ମାନବିକତା ଓ ସାଧୁତାର ପରିଚୟ ଦେଇଛନ୍ତି । ୟେ ଦୁଃଖୀ ମଣିଷଙ୍କ ପାଇଁ  ନିଜକୁ ସାମିଲ କରି ମହା ମାନବିକତା ପ୍ରଦାନ କରି  ଆମ୍ଭକୁ ଅନ୍ଧତ୍ୱରୁ ଆଲୋକର ଚେତନା  ଭରି ଦେଇଛନ୍ତି ।  ସତରେ ଧନ୍ୟ ତୁମ୍ଭେ ସନ୍ଥ କବି । ତାଙ୍କର ମାନବିକତା ଗୁଣ ସହିତ  ତତ୍ୱ ଜ୍ଞାନ ମଧ୍ୟ ଗଭୀର ।
“ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ,
ମାରିବ ଶୂନ୍ୟ ଲହଡି ଥୟ ନୋହିବ ।”
                                       ସନ୍ଥ ଗୋସ୍ୱାମୀ ବାହୁଡା ଦାସ ଜଣେ ଜଗନ୍ନାଥଙ୍କର ଅବତାର ପୁରୁଷ ଥିଲେ । ତାଙ୍କର ଜନ୍ମ ହୁଏ ବାଉରି ପରିବାରରୁ ।୧୭୫୦ ମସିହାରେ ସେ ଥିଲେ ଅପଢା ପଣ୍ଡିତ । ଯେଉଁ ସମୟରେ ଓଡିଶାରେ ଭକ୍ତି ମାର୍ଗର ବିକାଶ ହେଉଥିଲା । ସେହି ତତ୍ତ୍ୱ ସାହିତ୍ୟର ଜଣେ ବିନ୍ଧାଣୀ ଥିଲେ । ତାଙ୍କର ନିଷ୍କାମ କର୍ମ ଓ  ଯୋଗ ବଳରେ ସେ ଅସାଧ୍ୟକୁ ସାଧ୍ୟ କରିଥିଲେ । ତାଙ୍କର ଗଭୀର ଭକ୍ତି ଏକ ନିଷ୍ଠ ସାଧନା ବଳରେ ଗଭୀର ଜ୍ଞାନର ଅଧିକାରୀ   ଥିଲେ । ତାଙ୍କର ଚିନ୍ତା ଚେତନା ଏବଂ ବିଚାରଧାରାରୁ ଏକ ଧର୍ମ ସୃଷ୍ଟି କରିଯାଇଛନ୍ତି । ମହା ଭୋଇ କୁଳ ମହାନ୍ ଜ୍ୟୋତି ପରି ଆଦି ମହାଭୋଇ କୁଳ ତାଙ୍କ ପ୍ରଚଳିତ ଧାରାରେ ଆଜି ଯାଏ ଚାଲୁଛି ଏବଂ ଚାଲିଥିବ । ମହାନ୍ ସମାଜ ସଂସ୍କାରକ କାର୍ଯ୍ୟ ଆଜି ଯାଏ ଭୋଇମାନଙ୍କୁ ଏକତା ସୁତ୍ରରେ ବାଂଧି ରଖଛିି । ୟେ ଜାତିରେ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନ, ତାଙ୍କର ଅବଦାନ । ଯେଉଁ ସମୟରେ ଅରାଜକତା, ଅନ୍ଧ ବିଶ୍ୱାସ, ଅବିଶ୍ୱାସ, କୁସଂସ୍କାର ଓ ଘୃଣ୍ୟ ଜାତି ପ୍ରଥାର ଛୁଆଁ ଅଛୁଆଁର ବିଷ ବଳୟ ଘେରି ରହିଥିଲା । 
                                                       ସେହି ଅନ୍ଧକାର ମୁହୁର୍ତରେ ସନ୍ଥ ବାହୁଡାଙ୍କ ଆବିର୍ଭାବ  ଓ ଚିନ୍ତା  ଚେତନାର ବିଚାର ଧର୍ମ ଏକ ଧର୍ମ ସୃଷ୍ଟି କରି ମହାଭୋଇ କୁଳର ଜ୍ୟୋତି ହୋଇ ଆଲୋକିତ କଲେ । ସେ ଥିଲେ ଏକାଧାରରେ ସନ୍ଥ କବି, ସମାଜ ସଂସ୍କାରକ, ଯୁଗ ପ୍ରବର୍ତକ ଓ  ପ୍ରଚଣ୍ଡ  ଜ୍ଞାନର  ପ୍ରତିଭା । ଭୋଇ କୁଳରେ ବାହୁଡା ଦାସଙ୍କ ଆବିର୍ଭାବ ହୋଇ ନ ଥିଲେ, ୟେ ସମାଜ ଲୋପ ପାଇ ଯାଇଥାନ୍ତା  କିମ୍ବା ଆକ୍ରମଣକାରୀ କବଳରେ କବଳିତ ହୋଇଥାନ୍ତା  ।  କେବଳ ସନ୍ଥ ବାହୁଡା ଦାସ ଦୂରଦର୍ଶୀ ଏବଂ ତାଙ୍କର ତତ୍ୱ ଜ୍ଞାନର ପ୍ରଭାବରେ ୟେ ଭୋଇ ଜାତି ଆଜି  ଯାଏ ତାର ସ୍ଥିତିକୁ ରଖିଛି । ଗୋସ୍ୱାମୀ ବାହୁଡା ଦାସ ଅନେକ ତତ୍ତ୍ୱ ଜ୍ଞାନର ସମ୍ବଳିତ ପୁସ୍ତକ ରଚନା କରଥିଲେ । ଅନେକ ରଚନାବଳୀ କାଳର କରାଳ ଗର୍ଭରେ ବିଲୀନ ହୋଇ ଯାଇଅଛି । ଯେଉଁ କେତୋଟି ଅମୂଲ୍ୟ ଭଜନ ରହି ଯାଇଛି, ତାହାକୁ ସଠିକ୍ ରୂପେ ସଂଗୃହୀତ ହୋଇ ପାରିନାହିଁ । ସେ ଗୁଡିକ ମଧ୍ୟରୁ ୧.ଚିତ ଭୋଳା୨. ବାଇମନ ୩. ଅକର୍ମା ଦଶା ୪.ଗୁରୁ ବନ୍ଦନା ୫. ନୀଳଗିରି ୬. ଏକାକ୍ଷର ୭.ରାହାସ ୮.ଶୂନ୍ୟ ଶବଦ ୯. ଶୂନ୍ୟ ଘର ୧୦. ସଂସାର ନୁହଁଇ କାହାର ୧୧. ପ୍ରାର୍ଥନା ୧୨.ଚକାଡୋଳା ୧୩.ଭଜମନ ୧୪. ଅଲେଖ ୧୫. ପରମ ପୁରୁଷଙ୍କ ଧ୍ୟାନ ୧୬. ନୀଳାଚଳ ୧୭.ପ୍ରଭୁ ୧୮. ଜୀବ ପରମ  ୧୯.ଶରଣ ୨୦.ନାମ ବ୍ରହ୍ମ ୨୧.ଶୁଦ୍ଧ ଭାବ ୨୨.ହାଟ ୨୩. ବଟ ବିହାରୀ ୨୪.କୃପା ଦୃଷ୍ଟି ୨୫. ଅମୀୟ ରସ ।
                                                                ଗୋସ୍ୱାମୀ ବାହୁଡା ଦାସଙ୍କ କର୍ମ କ୍ଷେତ୍ର ଜ୍ଞାନ ପୀଠ କୁଶକଂଟାର କେତେକ ଛାପ, ତାଙ୍କର ରଚନାବଳୀରେ ଦେଖିବାକୁ ମିଳେ । ତାଙ୍କର ରଚନାବଳୀରେ ଅନେକ ଅକୁହା କଥା ରଚନା କରିଛନ୍ତି । ତାଙ୍କର ହୃଦୟସ୍ପର୍ଶୀ କବିତା ଅପୂର୍ବ ମାଧୂର୍ଯ୍ୟ ଭାବରେ ଭକ୍ତି ରସରେ ରସାଣିତ । ତତ୍ତ୍ୱ ଜ୍ଞାନର  ଚେତନା  ମାନସ ପଟରେ ଉଙ୍କି ମାରେ, ସେଇ ପ୍ରିୟ ଭଜନ “ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ”  । ସତରେ ୟେ ଭଜନ କେତେ ତତ୍ୱ ଭିତିକ ଆଉ  ଚେତନା ଦାୟକ । ୟେ ଭଜନଟି ସେହି ପ୍ରାତଃ ସ୍ମରଣୀୟ ମହାନ ସନ୍ଥ ଗୋସ୍ୱାମୀଙ୍କ ଦ୍ୱାରା ଦୁଇ ଶହ ବର୍ଷ ପୂର୍ବେ ରଚିତ ହୋଇଥିଲା ।  ହେଲେ  ସେ ଭଜନ, ପହିଲି ଫଗୁଣର ପହିିଲି ଛୁଆଁରେ ୟେ ମନକୁ ଆନେ୍ଦାଳିତ କରେ ।  ଚେତାଇ ଦିଏ ଜୀବନର ନୂତନ ଚେତନା,  ଥରାଇ ଦିଏ ହୃଦୟ ତନ୍ତ୍ରୀକୁ । ଆବେଗରେ ମନ ଭରିଯାଏ । ଜୀବନ ବଂଚିବାର ନୂଆ ରାହା ନେଇ, ୟେ ମନ ଖୋଜେ ସେଇ ପରମ ପୁରୁଷକୁ ।   ଜୀବନର ମୁକ୍ତି ପାଇଁ  ବାଟ କଢାଏ । ପ୍ରକୃତରେ ଚେତନା ଓ  ଭାବ ଭକ୍ତିରେ ଜନ ମନକୁ ଆକର୍ଷଣ କରୁଛି । ଏହା କେବଳ ମୋର ନୁହେଁ । ଆପଣ ମାନେ ବି ଏଇ ଭାବରେ ଅଭିଭୂତ  ହେଉଥିବେ । ଶେଷରେ, କୋଟି କୋଟି ନମନ ବାହୁଡା ଚରଣେ ।
ସା-ବାଇଁଣ୍ଡୋଳ, ଖୋର୍ଦ୍ଧା
ମୋ-୯୧୭୮୫୦୧୪୪୪   
JOY BAHUDA

ଉଠ କଙ୍କାଳ, ଛିଡୁ ଶୃଙ୍ଖଳ

ଅତୁଲ୍ୟ କୁମାର ନାୟକ
             ଜୀବନ ପାତ୍ର ମୋ ଭରିଛ ସତେ କେତେ  ? ସତରେ ଏ ଜୀବନ ଅନୁପମ ହୋଇଯାଏ ତାଙ୍କରି ମଧୁ ଆଶୀଷରେ । କ୍ଲିଷ୍ଟଭରା ଦେହ ମନ ହୋଇ ଯାଏ ସତ୍ୟ ଶିବମ୍ ସୁନ୍ଦରମ୍ । ଥରେ ତାଙ୍କ ପୀଠରେ ପାଦ ଦେଲେ ୟେ ଜୀବନ କୃତାର୍ଥ ହୋଇଯାଏ । ସେ  ଆଉ କେହି ନୁହନ୍ତି, ମୋର ତଥା ଆମ୍ଭମାନଙ୍କର ପରମ ପ୍ରେମମୟ ସନ୍ଥ ଶିରୋମଣି ବାହୁଡା ଦାସ । ସତରେ ତାଙ୍କ ଉତ୍ସର୍ଗୀକୃତ ଜୀବନଗାଥାକୁ  ଅନୁଧ୍ୟାନ କଲେ, ତାଙ୍କରି ପଦ୍ମପାଦରେ ମଥା  ଆପେ ଆପେ ନଇଁ ଯାଏ । ମନ ଗହନର ନିଭୃତ କନ୍ଦରରୁ ଝରିଆସେ ଚେତନାର ଝରଣା । ଅବଚେତନ ମନରେ ଜଗାଇ ଦିଏ  ନୂତନ ପ୍ରେରଣା । ଜୀବନ ଜୀଉଁଣାର ନୂଆ ଦିଗନ୍ତ । ଖିଆଲୀ ମନରେ ଜାଗି ଉଠେ ସମାଜ ପାଇଁ  କିଛି କାମ କରିବା ପାଇଁ  । 
                                               ଜୀବନରେ ବାହୁଡା ଦାସ କେତେ ସ୍ୱପ୍ନ ଦେଖି ନ ଥିଲେ ଆମର ଭୋଇ ସମାଜକୁ ସୁସଂଗଠିତ କରିବା ପାଇଁ । ପ୍ରଣୟନ କରିଥିଲେ ନୂତନ ସମ୍ବିଧାନ,ରିତୀ,ନୀତି ଓ ଶାସନ ଖସଡା ବିଶୃଙ୍ଖଳିତ ସମାଜକୁ ଶୃଙ୍ଖଳିତ କରିବାପାଇଁ । ତଥା କଥିତ ଧାରାରେ ବି ଉନ୍ନତ ହୋଇଥିଲା ଏ ଜାତି ଗୋସ୍ୱାମୀଙ୍କ ନୀତି ନିୟମରେ । ଆଜି ଆମେ ସ୍ୱାଧୀନତାର ସ୍ୱାଦ ଚାଖି ବେଶ୍ ଆମୋଦିତ ଅନୁଭବ କରୁ । କେତେ ଜଣ କାଦୁଅବୋଳା ଗାଁ ମାଟିରୁ ଚାକିରୀ କରି,ବିଶ୍ୱର ସବୁଠୁ ଧନୀ ମନେ କରନ୍ତି । ହେଲେ ଥରେ ନିରୋଳା ମନରେ  ଆମ୍ଭେ ଯଦି ନିଜକୁ ନିଜେ ଆତ୍ମ ସମୀକ୍ଷା କରିବା, କେତେ ପାଦ ଆଗକୁ ଯାଇଛୁ  ? ନିଜର ଅନ୍ତରାତ୍ମା ନିଜକୁ ଲଜ୍ଜାର ପାହାର ପରେ ପାହାର ପିଟି ଚାଲିବ, ତା ଛଡା ଆଉ କିଛି ନୁହେଁ । ମୁଷ୍ଟିମେୟ କେତେଜଣ ପାଠ ପଢି ବଡ ହୋଇଗଲେ କଣ ଜାତି ଉନ୍ନତ ହୋଇଗଲା । ଏହା କଣ ସ୍ୱାମିଜୀଙ୍କର ସ୍ୱପ୍ନ ଥିଲା  ? 
                                                  ଜନ ସଂଖ୍ୟାରେ ଆମ୍ଭେ  ଅଧିକ । ହେଲେ ଶିକ୍ଷା,ଦୀକ୍ଷାରେ ଏତେ ପଛୁଆ କଣ ପାଇଁ? କେବଳ ଆମର ରୁଗ୍ଣ ମାନସିକତା ବ୍ୟତୀତ ଆଉ କିଛି ନୁହେଁ ।  କେବେ ଆମ୍ଭେ ରାଜା ହେବା ସ୍ୱପ୍ନ ଦେଖିନାହୁଁ  । ବରଂ ଗଣତନ୍ତ୍ରର ଅଧିକାରକୁ ବିଚ୍ ବଜାରରେ ବିକି ରାଜା କରାଇଛୁ ।  ନିଜର ଭାଇଟେ ଯଦି ରାଜା ହେବାର ସ୍ୱପ୍ନ ଦେଖେ, ତାକୁ ଆମ୍ଭେ ପଦାଘାତ କରୁ । ଉପହାସ କରୁ । ୟେ କଣ ଆମର ମାଲିକ ହେବ ? କେବେ ଆମେ ଚିନ୍ତା କରିନାହୁଁ ଆମର ପିଲା ଅଧିକା ପାଠ ପଢୁ  ? ବଡ ମଣିଷ ହେଉ । କେବେ ଭାବିନୁ ଆମର ଅଧିକାର କଣ ? ନିଜର ହକ୍ପାଇଁ କେବେ ଆମେ ଲଢିବା ପାଇଁ ଚେଷ୍ଟା କରିନାହୁଁ  । ଏୟା କଣ ଗୋସେଇଁ ବାହୁଡାଙ୍କର ଇଛା ଥିଲା ? ଆଜି ରାତି ପାହିଛି, ନୂଆ ସୂରୁଜ ଉଇଁଛି । ହାତ ଠାରି ଏକ ହେବା ପାଇଁ ଡାକୁଛି । ଆସନ୍ତୁ ମହାଭୋଇର ନୂତନ ବଳୟରେ ହଜାଇଦେବା, ନିଜକୁ ଏକତ୍ମତା ମନ୍ତ୍ରରେ ଦିକ୍ଷୀତ କରିବା । ଜୟ ବାହୁଡା,ଜୟ ବାହୁଡା ।
ଉଠ କଙ୍କାଳ, ଛିଡୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ହୃତ ଗଉରବ, ଧୃତ ଗଉରବ ରାଜି
ଶ୍ରୀ କୋରୁଆଁ, କଟକ, ମୋ-୯୯୩୭୦୭୫୦୩୪
JOY BAHUDA

ବାହୁଡା ମହାତ୍ମ୍ୟ

ସରୋଜ କୁମାର ଭୋଇ
                            ଜୀବନ ଅଛି ତ ସମସ୍ୟା ଅଛି । ପ୍ରତ୍ୟେକ ସମସ୍ୟାର ସମାଧାନ ମଧ୍ୟ ଅଛି । ତେବେ ମଣିଷ ନିଜେ ହିଁ ହେଉଛି ତାର ଅଧିକାଂଶ ସମସ୍ୟାର ନିର୍ମାତା । କାରଣ  ଅନେକ ସମସ୍ୟା ତାର ଅହଂ ପ୍ରଣୋଦିତ, ଅପରିଣାମଦର୍ଶିତା ସର୍ବୋପରି ଅଚେତନାର ପରିଣାମ । ମଣିଷ ସଚେତନ, ଶୃଙ୍ଖଳିତ, ସଦାଚାରୀ, କର୍ତ୍ତବ୍ୟ ନିଷ୍ଠ, ଅଧିକନ୍ତୁ ଅନ୍ତର୍ମୁଖୀ ହେଲେ ଅନେକ ସମସ୍ୟା ତାଠାରୁ ଦୂରେଇ  ଯିବ । ମଣିଷ ସର୍ବଦା ସାଧାରଣ ଚେତନାରେ  ବାସ କରିବା ଯୋଗୁଁ ଅନେକ ଗୁଡିଏ  ସମସ୍ୟାରେ ସେ ସ୍ୱତଃ ଛନ୍ଦି ହୋଇ ପଡେ । ମାତ୍ର ଯେଉଁମାନେ ସେଇ ଚେତନାର ଉର୍ଦ୍ଧରେ ବାସ କରନ୍ତି, ସେମାନେ ସର୍ବଦା ଅବଲମ୍ବନ ପୂର୍ବକ ସମସ୍ୟାର ଉର୍ଦ୍ଧରେ ରହି ଜଗତର ସକଳ ସମସ୍ୟାର ସମାଧାନ କରି ପାରନ୍ତି । ଆଉ ସେଇମାନେ ହିଁ ସମାଜରେ ସାଧୁ, ସନ୍ଥ, ଜ୍ଞାନୀ, ଭକ୍ତ, ଯୋଗୀ (ବାବା) ଆଦି ନାମରେ ପରିଗଣିତ ହୁଅନ୍ତି  ଏବଂ ସେଇମାନଙ୍କୁ ହିଁ ମଣିଷ ଆଜି ପର୍ଯ୍ୟନ୍ତ ଭଗବାନଙ୍କର ଚଳନ୍ତି ବିଗ୍ରହ ଭାବରେ ଶ୍ରଦ୍ଧା, ସମ୍ମାନ, ପୂଜା ଅର୍ପଣ କରି ଆସିଛି । ସେମାନଙ୍କ ଦେହ ତ୍ୟାଗ ପରେ ସମାଜରେ ମଧ୍ୟ ପୂଜା ପାଇଥାନ୍ତି । ତେଣୁ ଯଥାର୍ଥରେ ବ୍ୟାସକବି ଫକୀର ମୋହନ ସେନାପତି  ସେମାନଙ୍କ ଉଦେ୍ଧଶ୍ୟରେ ଗାଇ ଉଠିଛନ୍ତି –
“ଧନ୍ୟ ସେ ମାନବ କୁଳେ, ଯାହା ଯଶରାଜି,
ଲୋକ ହିତେ ବ୍ରତେ ଥାଏ,ଜଗତେ ବିରାଜି ।
ମଲେ ଯାହା ନାମ ଥାଏ ନିଗତ ମଧ୍ୟରେ
ଅମର ଦେବତା ସେହି ମାନବ କୁଳରେ ।”
                                      ମଣିଷ ଯେଉଁଥି ପାଇଁ ଦେବତାର ଆସନରେ ଆସୀନ , ତାର ସେଇ ଚେତନାକୁ ଯଦି ପର୍ଯ୍ୟବେକ୍ଷଣ କରାଯାଏ, ତେବେ ଆମେ ଜାଣିବାକୁ ପାଇବା ଯେ ଚେତନାର ସର୍ବୋଚ୍ଚ ସ୍ତରରେ ମଣିଷ ହେଉଛି ଭଗବାନ । ଆଉ ଚେତନାର ସର୍ବନିମ୍ନ ସ୍ତର ଏଇ ନିଜ ଭୂମିରେ ଶରୀର, ପ୍ରାଣ  ଓ ମନର ପ୍ରସ୍ଫୁଟନ ମଧ୍ୟରେ ଭଗବାନ ହେଉଛନ୍ତି ମଣିଷର ସର୍ବ ଜ୍ଞାନମୟ ସ୍ୱରୁପ । ମଣିଷ, ଭଗବାନଙ୍କର ସୀମିତ ପ୍ରକାଶ । କିନ୍ତୁ ଭଗବାନ, ମଣିଷର ଅସୀମ ପ୍ରକାଶ । ଅତଏବ, ମଣିଷ ନିଜର ସୀମିତତା, ଅଜ୍ଞାନତାକୁ ଅତିକ୍ରମ କଲେ ଯାଇ ଭଗବାନ ପଦବାଚ୍ୟ ହୋଇଥାଏ । ଏଇ ଦୃଷ୍ଟିରୁ ଦେଖିଲେ ସନ୍ଥ ଗୋସ୍ୱାମୀ ବାହୁଡା ଦାସ ହେଉଛନ୍ତି ସମଗ୍ର ଓଡିଶା ବାସୀଙ୍କ ମହା ଭୋଇ କୁଳର ଚିର ନମସ୍ୟ, ପଥ ପ୍ରଦର୍ଶକ, ସମାଜ ସଂସ୍କାରକ ସର୍ବୋପରି ମଣିଷ ରୂପୀ  ଭଗବାନ ।
                                      ସନ୍ଥ ଗୋସ୍ୱାମୀ ବାହୁଡା ଦାସ ଐଶ୍ୱରିକ ଶକ୍ତିର ଅଧିକାରୀ ଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି,ଏହା ତାଙ୍କ ପିଲାଟି ବେଳୁ ଜଣାପଡିଥିଲା । ଏହା ଶକ୍ତିର ପ୍ରଭାବ ଯୋଗୁଁ କୌଣସି ସମସ୍ୟାର ସମାଧାନ ଦେବାକୁ ଯାଇ ଯାହାକୁ ଯାହା ସେ କହି ଦେଉ ଥିଲେ , ତାହା ସଙ୍ଗେ ସଙ୍ଗେ ଫଳପ୍ରଦ ହୋଇ ଯାଉଥିଲା । ତାଙ୍କର ଏପରି ବାକ୍ ସିଦ୍ଧି ଯୋଗୁଁ ସେ ଓଡିଶାର ପୁରପଲ୍ଲୀରେ ଜଣେ ସିଦ୍ଧ ପୁରୁଷ ଭାବେ ପରିଚିତ ଥିଲେ । ଏତଦ୍ ବ୍ୟତୀତ ଗୋସ୍ୱାମୀ ସର୍ବଦା ସୂକ୍ଷ୍ମ ଚେତନାରେ ବାସ କରୁଥିଲେ । ଏଣୁ ସୂକ୍ଷ୍ମ ସ୍ତରରେ ବିଚରଣ କରିବା  ତାଙ୍କ ପକ୍ଷେ ସମ୍ଭବ ଥିଲା । ଏଥିପାଇଁ  ଯିଏ ଯେ କୌଣସି ସ୍ଥାନରେ ତାଙ୍କ ପ୍ରତି କଟୁ ମନ୍ତବ୍ୟ ବା କୁ ମନ୍ତ୍ରଣା ରଚିଲେ ମଧ୍ୟ ସେ ତାହା ଅବିଳମ୍ବେ ଜାଣିପାରୁ ଥିଲେ, ଏହାପରେ ଯଥା ସମୟରେ ସେହି ଘଟଣାଟି ଲୋକ ଲୋଚନକୁ ଆସିବା ଫଳରେ ସଂପୃକ୍ତ ବ୍ୟକ୍ତିଟି ଆପେ ଧରା ପଡି ସର୍ବ ସମୁଖରେ ଲଜ୍ଜିତ ହେଉଥିଲା । ଏ ସମ୍ବନ୍ଧୀୟ ଏକ ନିଛକ ଘଟଣା ଏଠାରେ ଉଲ୍ଲେଖେଯୋଗ୍ୟ ।
                                       ଗୋସ୍ୱାମୀ ବାହୁଡା ଦାସଙ୍କ ସାଧନା ପୀଠ କୁଶକଣ୍ଟା ସ୍ଥିତ ମଠରେ ଆଖପାଖ ଗ୍ରାମର ଲୋକେ ଭୋଗ ବା ପ୍ରସାଦ ସେବନ ଲାଗି ବିଭିନ୍ନ ଫଳ, ପନିପରିବା ଚାଉଳ ଆଦି ଦେଇ ଯାଉଥିଲେ । ନିକଟସ୍ଥ ଗ୍ରାମର ନିଜେ ଚାଷୀ ନିଜ ବାଇଗଣ ବିଲରୁ ପ୍ରଥମ କରି ତୋଳିଥିବା କିଛି ବାଇଗଣ ଗୋସେଇଁଙ୍କ ମଠରେ ଦେଇଆସିବା ପାଇଁ ନିଜ ପତ୍ନୀଙ୍କୁ  ଜଣାଇଲେ । ସେ ସମୟରେ (ବର୍ତ୍ତମାନ ମଧ୍ୟ) ସମାଜରେ ସବର୍ଣ୍ଣମାନେ ଭୋଇ  ମାନଙ୍କୁ ଜାତିଭେଦ ଏବଂ ଅସ୍ପୃଶ୍ୟତା ଯୋଗୁଁ ନୀଚ୍ଚ, ହୀନ ଦୃଷ୍ଟିରେ ଦେଖୁଥିଲେ । ତେଣୁ ଚାଷୀଙ୍କ କଥା ଶୁଣି ତାଙ୍କ ସ୍ତ୍ରୀ ହଠାତ କହି ପକାଇଲେ “ସେ  ଅଛବ ମଠକୁ ଆମର  ପହିଲି ତୋଳା ବାଇଗଣ ନେବା କଥା କହୁଛ ? ସେଠିକି ନେଲେ ଆମର କୋଉ ଲାଭଟା ହେବ ଯେ । ଯଦି କହୁଛ ତେବେ ଅନ୍ୟ କୋଣସି ମନ୍ଦିରରେ ଦେଇଆସ । କିନ୍ତୁ ତାଙ୍କ ମଠକୁ ଆଦୌ ଦିଅ ନାହିଁ” । ମାତ୍ର ଚାଷୀଟି ପତ୍ନୀଙ୍କ କଥା ନ ମାନି ନିଜ ଗାମୁଛାରେ କିଛି ବାଇଗଣ ବାନ୍ଧି ମଠରେ ପହଞ୍ଚିଲା ଏବଂ ପ୍ରସାଦ ସେବନରେ ନେଇଥିବା ବାଇଗଣ ଗୁଡିକ ବ୍ୟବହାର କରିଦେବା ଲାଗି  ବାହୁଡା ଗୋସେଇଁଙ୍କୁ ସଶ୍ରଦ୍ଧ ନିବେଦନ କଲା । ଏହା ଶୁଣି ଚାଷୀଟିକୁ ଗାମୁଛା ଖୋଲିବାକୁ ଗୋସେଇଁ କହିଲେ । ସେ ଗାମୁଛା ଖୋଲନ୍ତେ, ଦେଖିଲା ବେଳକୁ ସେଥିରେ ବାଇଗଣ ପରିବର୍ତ୍ତେ କେବଳ ଗେଣ୍ଡା ଗୁଡିଏ ଅଛି । ଏପରି ଦେଖି ଦିବ୍ୟଦ୍ରଷ୍ଟା ଗୋସ୍ୱାମୀଜୀ ହସିହସି ତାଙ୍କୁ  କହିଲେ “କିହୋ, ଗେଣ୍ଡାଗୁଡାଏ ଆଣି କଣ ବାଇଗଣ ଆଣିବା କଥା କହୁଥିଲ ? ଠିକ୍ ଅଛି, ଏ ମଠରେ ଚଳାଇ ଦେବା । ଏସବୁ ଗାମୁଛାରେ ବାନ୍ଧି ରୋଷଶାଳାରେ ଦେଇଆସ । କିନ୍ତୁ ଏ କଣ? ରୋଷଶାଳାରେ ଗାମୁଛା ଖୋଲିଲା ବେଳକୁ ଗେଣ୍ଡା ପରିବର୍ତ୍ତେ  ସେ ପୂର୍ବରୁ ଆଣିଥିବା ସେଇ ବାଇଗଣ ହିିଁ ପାଇଲା । ହତଭାଗା ଚାଷୀଟି ବାଇଗଣ ଗୁଡିକ  ଦେଇ ଗୋସେଇଁଙ୍କ ନିକଟକୁ ଆସିଲେ । ଘରେ ତାଙ୍କ ପତ୍ନୀ ତାଙ୍କୁ  (ଦାସେଙ୍କୁ) ଅଛବ  ବୋଲି କହିଥିବା ନିଜର ଦୋଷ ସ୍ୱୀକାର କଲେ । ତା ପରେ ଗୋସେଇଁଙ୍କୁ କ୍ଷମା ଭିକ୍ଷାକରି ଘରକୁ ଫେରିଥିଲେ ।
                                                 କଥାରେ ଅଛି “ତୁଣ୍ଡ ବାଇଦ ସହସ୍ର କୋଶ” । ସନ୍ଥ ଶିରୋମଣୀ ବାହୁଡା ଦାସଙ୍କ ଏପରି ଅଲୌକିକତା ଚତୁର୍ଦ୍ଧିଗକୁ ପରିବ୍ୟାପ୍ତ ହେବାକୁ  ଲାଗିଲା । ବିଭିନ୍ନ ସମସ୍ୟା, ଅସୁବିଧା, ମାନସିକ ନେଇ ଦାସେଙ୍କ ମଠକୁ ଲୋକଙ୍କ ସୁଅ ଛୁଟିଲା । ଏଥିରେ ଦାସେଙ୍କ ହୁକୁମ ହେବା ସେଠାରେ ଆରମ୍ଭ ହୋଇଗଲା । ତହିଁରୁ ବହୁଲୋକେ ଉପକାର ପାଇଲେ । ମାତ୍ର ବହୁ ସବର୍ଣ୍ଣମାନେ ଦାସେଙ୍କ ଏତାଦୃଶ୍ୟ କାର୍ଯ୍ୟ କଳାପରେ ଅସହିଷ୍ଣୁ ହୋଇପଡିଲେ । କିଛି ଲୋକ ମଧ୍ୟ ଦାସେଙ୍କୁ ପରୀକ୍ଷା କରିବାକୁ ଯାଇ ବିଫଳ ହେବା ପରେ, ତାଙ୍କୁ  ସମାଲୋଚନା କଲେ ତ କେତେକ ବିଶ୍ୱାସ କରିବାକୁ ବାଧ୍ୟ ହେଲେ । ତେବେ ଅସଲ କଥା ହେଉଛି, ଅଛବ ମାନଙ୍କ ପ୍ରତି ସବର୍ଣ୍ଣମାନଙ୍କର ଥିବା ଘୃଣା, ନୀଚ୍ଚ ମାନସିକତା ସେମାନଙ୍କ ପକ୍ଷେ ସହଜରେ ହଜମ ହେଉନଥିଲା । ଜନଶ୍ରୁତିରେ ଥିବା ଏପରି ଭିନ୍ନ ଏକ ଚାକ୍ଷୁଷ ଦୃଷ୍ଟାନ୍ତର ଉପସ୍ଥାପନା କରିବା ଯଥାର୍ଥ ମଣୁଛି । 
ଅରଡିଆ ପଦାର ଜଣେ ଜମିଦାର ଦୀର୍ଘ ଦିନଧରି ବଡରୋଗ (କୁଷ୍ଠ)ରେ ପିଡୀତ ହୋଇଥିଲେ,  ଆରୋଗ୍ୟ ପାଇଁ ଯେତେ ପ୍ରକାର ଉପଚାର କଲା ପରେ ମଧ୍ୟ ଉପଶମ ହେଲାନାହିଁ । ଏଥିରେ କିନ୍ତୁ ତାଙ୍କ ପତ୍ନୀ ଆଉ କୌଣସି ଉପାୟ ନ ପାଇ ବାହୁଡା ଗୋସେଇଁ ଠାରୁ ହୁକୁମ ଆଣିବାକୁ ସ୍ୱାମୀଙ୍କୁ ଅନୁରୋଧ କଲେ । ପତ୍ନୀଙ୍କ ଏପରି ଅନୁରୋଧରେ ଜମିଦାର କ୍ରୋଧ ପ୍ରକାଶ କରି କହିଲେ “କଣ ହେଲା  ମୁଁ ଅଛବ ଲୋକ ପାଖକୁ  ହୁକୁମ ପାଇଁ ଯଦି ଯାଏ, ଆମ ପାଦ ତଳର ଲୋକ ମୋର ମାନ ମହତ ରଖିବେଟି । ତାହା କଦାପି ହୋଇପାରିବ ନାହିଁ ।” ହେଲେ ପତ୍ନୀ କିନ୍ତୁ ସ୍ୱାମୀଙ୍କ ଏଭଳି ଅଭିମାନ ଭରା କଥାରେ ଗୁରୁତ୍ୱ ନଦେଇ ବାହୁଡା ଗୋସେଇଁଙ୍କ ଠାରେ ଅଗାଧ ବିଶ୍ୱାସ ରଖି ମଠରେ ପହଞ୍ଚିଲେ ।
                                  ଗୋସେଇଁଙ୍କୁ ନିଜର ଗୁହାରୀ ଜଣାଇ ସ୍ୱାମୀଙ୍କ ରୋଗର ନିଦାନ କାମନା କଲେ । କିନ୍ତୁ ବାହୁଡା ଦାସଙ୍କ ହୁକୁମର ପଦ୍ଧତି ଥିଲା ବଡ ବିଚିତ୍ର, ଅବାନ୍ତର ଏବଂ ଅବିଶ୍ୱାସ ଯୋଗ୍ୟ । ମାତ୍ର ଯେଉଁମାନେ ଗୋସ୍ୱାମୀଙ୍କ ଉପରେ ପୂର୍ଣ୍ଣ ଆସ୍ଥା ତଥା ବିଶ୍ୱାସ  ସହ  ଏକ ନିଷ୍ଠ ହୃଦୟ ନେଇ ତାଙ୍କ ନିକଟକୁ  ଆସୁଥିଲେ, ସେମାନେ ପୂର୍ଣ୍ଣ ମନୋରଥ  ନେଇ ଘରକୁ ଫେରୁଥିଲେ । ବର୍ତମାନ ବାହୁଡା ଦାସେ   ଜମିଦାରଙ୍କ ପତ୍ନୀଙ୍କ ଠାରୁ ସ୍ୱାମୀଙ୍କ ଦୂରାବସ୍ଥା ସଂପର୍କେ ଅବଗତ ହେଲା ପରେ ହୁକୁମଦେଇ କହିଲେ “ତୁ ଯଦି ତୋସ୍ୱାମୀଙ୍କୁ ଗୋଡଠାରୁ ମୁଣ୍ଡଯାଏ ଝାଡୁରେ ପିଟି ପାରିବୁ, ତେବେ ସେ ଶିଘ୍ର ଭଲହୋଇ ପାରିବେ । କଣ ପିଟିପାରିବୁ ତ” । “ଏଇ କି ପ୍ରକାରର କଥା କହୁଛନ୍ତି ଗୋସାଇଁ ମହାପ୍ରଭୁ , ସ୍ୱାମୀ ହେଉଛନ୍ତି ସ୍ତ୍ରୀର ଇହକାଳ ପରକାଳର ଦେବତା । ତାଙ୍କୁ ଝାଡୁରେ ପିଟିଲେ ମୋ ହାତ ଛିଡି ପଡିବ ନାହିଁ , ମୁଁ ପାପରେ ଭାଗୀ ହେବି ଗୋସାଇଁ, ଦୟାକରି ଆଉ କିଛି ଉପାୟ କୁହନ୍ତୁ”,  ପତ୍ନୀ ଅନୁରୋଧ କଲେ ।  ଜମିଦାର ପତ୍ନୀଙ୍କ ଏପରି ଭୟାତୁର କଥା ଶୁଣି ଗୋସେଇଁ କହିଲେ “ତୋ ସ୍ୱାମୀଙ୍କୁ ପିଟିଲେ ପାପରେ ଭାଗୀ ହେବା ଡର ଯଦି ତୋତେ ଲାଗୁଛି, ଛୋଟ ଜାତି ଭାବି ମୋତେ ଅଛବଟା କହି  ଯେଉଁ ଅସମ୍ମାନ କଲା ,ସେଥିପାଇଁ ସେ ପାପରେ ଭାଗୀଦାର ହେଲା ନା ନାହିଁ” ।
                                         ଗୋସେଇଁଙ୍କୁ ତାଙ୍କ ସ୍ୱାମୀ ଅଛବ ବୋଲି କହିବା ସେ କିପରି ଜାଣିପାରିଲେ ଭାବି ଜମିଦାରଙ୍କ ପତ୍ନୀ ଆଶର୍ଯ୍ୟ ହୋଇଗଲେ । ମାତ୍ର କିଂ କର୍ତବ୍ୟ ବିମୁଢ ହୋଇ  ସେ ଗୋସେଇଁଙ୍କ ଠାରେ  ନିଜର ଦୋଷ ସ୍ୱୀକାର କରି କ୍ଷମା ମାଗିଲେ  ଏବଂ ତାଙ୍କ ସ୍ୱାମୀ କିପରି କୁଷ୍ଠ ରୋଗରୁ ଭଲ ହେବେ ସେଥି ପାଇଁ ଆଉଏକ ଉପାୟ ବତାଇବା ପାଇଁ ଗୋସେଇଁଙ୍କୁ କାକୁତି ମିନତି ହୋଇ ନେହୁରା ହେଲେ । ପତିପ୍ରାଣା ସ୍ତ୍ରୀଟିର ଏପରି ବିକଳ ଭାବଦେଖି ଗୋସ୍ୱାମୀ  ବାହୁଡା ଦାସ  କହିଲେ “ଠିକଅଛି ଯେଉଁ କଥା ମୋ ତୁଣ୍ଡରୁ ବାହାରି ଯାଇଛି, ତାକୁ ତ ଆଉ ବଦଳା ଯାଇ ପାରିବ ନାହିଁ । ଯଦି ସେ ସ୍ୱାମୀଙ୍କୁ ପିଟିବାରେ ତୋ ମନ ପାପ ଛୁଉଁଛି ତେବେ ତାକୁ ପଦାକୁ ଆଣି ସକାଳ ଖରାରେ ଠିଆ କରାଇ ଦେବୁ ଏଥର ତାର ଯେଉଁ ଛାଇ ପଡିବ ସେଇ ଛାଇକୁ ଗୋଡରୁ ମୁଣ୍ଡ ଯାଏଁ ଝାଡୁରେ ତିନି ପାହାର ପିଟିଲେ ତୋ ସ୍ୱାମୀ ନିଶ୍ଚୟ ଭଲ ହୋଇଯିବେ” । ଏଇକଥା ମୁତାବକ  ପରବର୍ତ୍ତି ଦିନ ସକାଳ ଖରାରେ ପତ୍ନୀଟି ଜମିଦାରଙ୍କୁ ଆଣି ଛିଡା କରାଇ ଥିଲା । ସ୍ୱାମୀଙ୍କର ପଡିଥିବା ଛାଇକୁ ଗୋଡ ଠାରୁ ମୁଣ୍ଡଯାଏ ତିନିଥର ଝାଡୁରେ ପିଟିବାରୁ ସତକୁ ସତ ଜମିଦାର କମ୍ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିଥିଲେ । ଏହି ଖୁସିରେ ବାହୁଡା ଦାସଙ୍କ  ପ୍ରତି ଥିବା ହୀନମନ୍ୟତା ତ୍ୟାଗ ପୂର୍ବକ ନିଜର କୃତଜ୍ଞତା ପ୍ରକାଶ କରି, ଅରଡିଆ ପଦାର ଏହି ଜମିଦାର ଜଣକ ମଠ ନାମରେ ବାର ମାଣ ବାର ଗୁଣ୍ଠ ବାର ବିଶ୍ୱା ପରିମିତ ଜମି ଦାନ କରିଥିଲେ । ବାସ୍ତବରେ ଆମର ଏଇ ମହାଭୋଇ କୁଳରେ ଏଇ ମହାନ୍ ସନ୍ଥ ଗୋସ୍ୱାମୀ ବାହୁଡା ଦାସଙ୍କ ହୁକୁମର ପଦ୍ଧତି ଅବିଶ୍ୱସନୀୟ ମନେ ହେଉଥିଲେ ମଧ୍ୟ ତାହା ଲୋକଙ୍କ ପକ୍ଷେ ଯାଦୁ ମନ୍ତ୍ର ଭଳି କାମ ହେଉଥିଲା । ଲୋକଙ୍କ ମୁଖରେ ଥିବା ଗୋସ୍ୱାମୀଙ୍କ ସମ୍ବନ୍ଧୀୟ ଏ ଭଳି ଅନେକ ଘଟଣା ଗଳ୍ପ ପରି ମନେ ହେଉଥିଲେ ମଧ୍ୟତାହା  ବାସ୍ତବରେ ସତ୍ୟ ।
ସମ୍ପାଦକ,ଅରୁଣିମା ଶିଶୁ ସାହିତ୍ୟ ସଂସଦ
ବରିମୁଣ୍ଡ,ଫୁଲନଖରା,ଖୋର୍ଦ୍ଧା
JOY BAHUDA

ମହାଭୋଇ ସଦା ଦାସଙ୍କ ଅମ୍ଳାନ ଜ୍ୟୋତି

ମୂଳଲେଖା: ୰ ସୁଦାମ ଚରଣ ଭୋଇ
ସଂଗ୍ରାହକ: ବାବୁଲି ଦାସ
                             ପୃଥିବୀ ପୃଷ୍ଠରେ ଯେତେ ଜଣ ମହାପୁରୁଷ ଜନ୍ମ ଲାଭ କରିଥିଲେ ତନ୍ମଧ୍ୟରୁ ସଦା ଦାସ ଅନ୍ୟତମ ପ୍ରତିଭା । ସଦା ଦାସ କଟକ ଜିଲ୍ଲାର ଅନ୍ତର୍ଗତ ପୋଡପଡା ଗ୍ରାମରେ ଏକ ଦରିଦ୍ର ଭୋଇ ପରିବାରରେ  ଜନ୍ମ ଗ୍ରହଣ କରିଥିଲେ । ସେ ୧୨୬୧ ସାଲ ମାଘ ଶୁକ୍ଳପକ୍ଷ ଏକଦଶୀ ତିଥିରେ ଜନ୍ମଲାଭ କରି ୧୩୩୦ ସାଲରେ ଇହଲୀଳା ସମ୍ବରଣ କରିଥିଲେ । ସେ କିଶୋର ଅବସ୍ଥାରେ ନିକଟସ୍ଥ ଶିବ ମନ୍ଦିର ନିକଟରେ ଗୁହାରିଆ ପଡିଥିଲେ । ଶିବଙ୍କ ଠାରୁ ସ୍ୱପ୍ନ ବାଣୀ  ହେଲା “ସଦା ତୁମେ ମୋତେ ଆରାଧନା କରି ପ୍ରାଚୀ ନଦୀତଟ ସାଧୁସନ୍ଥଙ୍କର ଅନୁସନ୍ଧାନ କର । ସେ ତୋତେ ମୁକ୍ତିବାଟ ବତାଇ ଦେବେ” । ତାଙ୍କର କର୍ମମୟ ସାଧନାପୀଠ ଚନ୍ଦ୍ରେମୌ÷ଳି ମଠରେ ଜୀବନର ଶେଷ ପର୍ଯ୍ୟନ୍ତ କଟାଇଥିଲେ । ମୃତୁ୍ୟ ସମୟକୁ ସେ ମହାପୁରୁଷଙ୍କ ବୟସ ଥିଲା ୬୯ ବର୍ଷ । ସେ ଜଣେ ଜ୍ଞାନୀ ଦାର୍ଶନିକ, ଧର୍ମପରାୟଣ ଓ ଈଶ୍ୱର ଉପାସକ  ଥିଲେ । କିଶୋର ବୟସରୁ ତାଙ୍କର ଧର୍ମ ପ୍ରତି ପ୍ରଗାଢ ଭକ୍ତି ଥିବାର ପରିଲକ୍ଷିତ ହେଉଥିଲା । ସେ ତାଙ୍କର ପରିବାର ଭରଣ ପୋଷଣ ନିମନ୍ତେ ମଜୁରି ଲାଗି ଅର୍ଥ ଉପାର୍ଜନ ଜରନ୍ତି ।
                                ଯୁବକ ଅବସ୍ଥାରେ ସେ  ଦିନସାରା କର୍ମକ୍ଷେତ୍ରରେ ରତ ଥାଇ ମଧ୍ୟ ଉପାସନା ପ୍ରତି ପ୍ରଗାଢ ଭକ୍ତି ଥିଲା । ଅନେକ ସମୟରେ ସେ ଏକାକୀ ବସି କିଛି ଚିନ୍ତା କରୁଥିଲେ ଓ ନିରୋଳା ସ୍ଥାନରେ ବସି ଇଶ୍ୱର ଉପାସନା କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ  ଶୁଣିବାକୁ ମିଳେ । ଠାକୁର ପୂଜା, ବିଭିନ୍ନ ଶାସ୍ତ୍ର ଆଲୋଚନାରେ ଭାଗ ନେବା, ସତ୍ସଂଗରେ ମିଶିବା,  ନାମ କୀର୍ତ୍ତନ କରିବା ତାଙ୍କ କର୍ମମୟ ଜୀବନରେ ଏକମାତ୍ର  ପନ୍ଥା ଥିଲା । ସେ ପ୍ରତିଦିନ ପୁଣ୍ୟତୋୟା ପ୍ରାଚୀ ନଦୀରେ ସ୍ନାନ ସମୟରେ ଇଶ୍ୱର ଆରାଧନା କରନ୍ତି । ଏପରି ମନୋଭାବ ଦେଖି ଅନେକ ଲୋକ ତାଙ୍କ ପିତାଙ୍କୁ ସଦା ଦାସଙ୍କ ଏକାଗ୍ରତା ଓ ଇଶ୍ୱର ଭକ୍ତି ବିଷୟ ଶୁଣାଇ ଥିଲେ । କେହି କେହି କୁହନ୍ତି ସଦା ଦିନେ ଦିନେ ଜଣେ ପ୍ରଭୁଭକ୍ତ ମହାପୁରୁଷ ହେବ । ତେଣୁ ତାଙ୍କ ପିତା ଅଳ୍ପ ବୟସରୁ ତାଙ୍କୁ ବିବାହ କରି ଦେଇଥିଲେ । 
                                                       ସାଂସାରିକ ଜୀବନ ଭିତରେ ମଧ୍ୟ ସେହିପରି ଚିନ୍ତାଧାରା ପ୍ରକାଶ ପାଇଲା । ସେ ବ୍ରାହ୍ମ ମୁହୁର୍ତ୍ତରୁ ପ୍ରାଚୀ ନଦୀରେ ସ୍ନାନ କରିବାକୁ ଯାଆନ୍ତି । ଶିବଙ୍କ ସ୍ୱପ୍ନ ବାଣୀ  ମୁତାବକ ପ୍ରାଚୀ ନଦୀ ତଟରେ କେତେକ ସାଧୁ ସନ୍ନ୍ୟାସୀ ଗୁପ୍ତ ଭାବରେ ଅଛନ୍ତି ବୋଲି ଧାରଣା ହେଲା । ତେଣୁ ତାହାର ଅନୁସନ୍ଧାନ ପାଇଁ ସେ ପ୍ରତିଦିନ ରାତ୍ର ଅବସାନ ପୂର୍ବରୁ ପା୍ରଚୀନଦୀ ତଟରେ ଉପସ୍ଥିତ ହୋଇ କିଛି ତତ୍ତ୍ୱ ଆବିଷ୍କାର ପାଇଁ ସର୍ବଦା ବ୍ୟାକୁଳ ଥିଲେ । ତାଂକର ଏହି ନୀରବ ସାଧନା ଦ୍ୱାରା ସେ ସାଧୁମାନଙ୍କ ଦର୍ଶନ ଲାଭ କରିଥିଲେ । ସଦାଦାସ ତାଙ୍କ ସହିତ ମିଶିବାକୁ ଚେଷ୍ଟାକଲେ ମଧ୍ୟ ସାଧୁମାନେ ତାଙ୍କୁ ପ୍ରଥମେ ବହୁତ ତିରସ୍କାର କରି ଫେରାଇ ଦେଲେ । ତେଣୁ ସେ ମନରେ ଦାରୁଣ ଆଘାତ ପାଇ ଜନ୍ମପୀଠ ଚନ୍ଦ୍ରମୌଳୀକୁ ଫେରି ଆସିଲେ । ସଦା ଦାସଙ୍କୁ ଏହି କାର୍ଯ୍ୟରୁ ନିବୃତ ହେବା ପାଇଁ ଅନେକ ପରାମର୍ଶ ଦେଇଥିଲେ । କିନ୍ତୁ ଯେଉଁ ମହାପୁରୁଷ ଅମୂଲ୍ୟ ରତ୍ନର ସନ୍ଧାନ ପାଇଛି ସେ କଣ ଲୋକଙ୍କ କଥାକୁ କର୍ଣ୍ଣପାତ କରିବ? ପ୍ରକୃତରେ ସେହି ଇଶ୍ୱର ଉପାସନା ଓ ସାଧୁସନ୍ଥମାନଙ୍କ ଦର୍ଶନ ନିମନ୍ତେ ତାଙ୍କ ମନପ୍ରାଣ ବ୍ୟାକୁଳ ହୋଇ ଉଠିଲା । ତାଙ୍କର ବହୁ ଦିନ ସ୍ୱପ୍ନ ସତ୍ୟରେ ପରିଣତ ହେଲା । 
                                       ଶେଷରେ ତାଙ୍କର ଅଭିଲାଷ ପୂର୍ଣ୍ଣହେଲା  । ବହୁ ସାଧୁ ସନ୍ନ୍ୟାସୀଙ୍କ ସଂଙ୍ଗେ ସେହି ପୂଣ୍ୟତୋୟା ପ୍ରାଚୀନଦୀ କୂଳରେ ପୁନର୍ବାର ତାଙ୍କର ମିଳନ ହେଲା । ଇଶ୍ୱରଙ୍କ ନାମ ଭଜନରେ ପ୍ରେମ ହୋଇ ସନ୍ୟାସୀମାନଙ୍କ ପଛେ ପଛେ ତାଙ୍କ ପଥ ଅନୁସରଣ କଲେ  । ବହୁ ପଥ ଅତିକ୍ରମ କଲାପରେ ସନ୍ନ୍ୟାସୀମାନେ ଦାସଙ୍କୁ କହିଲେ “ଯାଅ ବାବା ତୁମେ ଘରକୁ ଫେରିଯାଅ । ଆମ ସାଥିରେ ସାଙ୍ଗ ହୋଇ ତୁମେ ଚାଲିପାରିବ ନାହିଁ” । କିନ୍ତୁ ସଦା ଦାସ ତାଙ୍କ ଶେଷ ଅଭିଳାଷ ପ୍ରତି ଦୃଢ ମନୋଭାବ ପୋଷଣ କରିଥାନ୍ତି । ବାରମ୍ବାର ସେମାନଙ୍କୁ କାକୁତି ମିନତି ହୋଇ ସାଧୁସନ୍ଥଙ୍କ ଗହଣରେ ମୋତେ ରଖାଯାଉ ବୋଲି  ଅନୁରୋଧ କରିଥିଲେ  । ସାବିତ୍ରୀ ଯେପରି ଯମଠାରୁ ବରପ୍ରାପ୍ତି ହୋଇଥିଲେ ।
                                 ସେହିଭଳି ସାଧୁସନ୍ଥଙ୍କ ମନକୁ ସଦା ଦାସ ଭକ୍ତିପୂର୍ଣ୍ଣ ଭାବରେ ବଦଳାଇ ଆଶୀର୍ବାଦ ଭିକ୍ଷା କରିଥିଲେ । ଆଶୀର୍ବାଦ ଭିକ୍ଷା ହିଁ ତାଙ୍କ ଜୀବନରେ ଶେଷ ଅଭିଳାଷ ଥିଲା । ସାଧୁସନ୍ଥମାନେ ଆଶୀର୍ବାଦ ପ୍ରଦାନ କରି ଏକ ଉଇ ହୁଙ୍କା ଭିତରକୁ ପ୍ରବେଶ କରିବା ସଦା ଦାସ ଦେଖିପାରିଲେ । ସାଧୁମାନେ ସେହି ଗର୍ଭକୁ ପ୍ରବେଶ କରିବା ସମୟରେ ସଦା ଦାସ ମଧ୍ୟ ତାଙ୍କ ପଥକୁ ଅନୁସରଣ କଲେ । କିଛି ବାଟ ସେହି ଗର୍ତ୍ତ ମଧ୍ୟରେ ଗଲା ପରେ ଜଣେ ସନ୍ନ୍ୟାସୀଙ୍କ ଦୃଷ୍ଟି ପଡିଲା  ପରମଭକ୍ତ ସଦା ଦାସଙ୍କ ଉପରେ  । ସେ ସନ୍ନ୍ୟାସୀ କ୍ରୋଧରେ ଜର୍ଜରିତ ହୋଇ ପୁନର୍ବାର ଫେରି ନ ଯିବାକୁ ଦାସଙ୍କୁ ନିଦେ୍ର୍ଧଶ ଦେଲେ  । ସଦା ଦାସ ହାତଯୋଡି ମସ୍ତକ ଅବନତ କରି  ନୀରବ ଭାବରେ ଦଣ୍ଡାୟମାନ ହେଲେ । ତେଣୁ ସନ୍ନ୍ୟାସୀ ବୃନ୍ଦ ସଦା ଦାସଙ୍କର ଭକ୍ତିରେ ଭାବବିହ୍ୱଳ ହୋଇ ତାଙ୍କ ଶରୀରକୁ ମନ୍ତ୍ରପାଣି ଦ୍ୱାରା ପବିତ୍ର କଲେ  । ଲୋକେ କୁହନ୍ତି ସେହି ଗର୍ଭ ଭିତରେ ସଦା ଦାସ ୨୧ ଦିନ ରହିଥିଲେ  । ସନ୍ୟାସୀଙ୍କ ଠାରୁ ବିଦାୟ ନେଇ ଆସିବା ସମୟରେ ତାଙ୍କୁ ଆଶୀର୍ବାଦ ଦେଇ କହିଲେ “ତୁମେ ଆମର ବଡଭକ୍ତ ହେବ । ତୁମ୍ଭ ଭକ୍ତିରେ ଆମ୍ଭେ ପ୍ରୀତ ହୋଇ ଏହି ବେତ ବାଡି ତୁମକୁ ପ୍ରଦାନ କରୁଛୁ । ତୁମ୍ଭେ ଏଇ ବେତ ବାଡି ଦ୍ୱାରା ନାକ ରୋଗ ଭଲ କରିବ । ଆମ୍ଭଙ୍କୁ ମନେ ରଖିବାପାଇଁ ଏହି ଗର୍ଭଠାରେ ଏକ ବିରାଟ ଗାଦୀ ଆର୍ବିଭୁତ ହେବ । ସେହି ଗାଦୀ ପୀଠ ହିଁ ତୁମର ସାଧନା କ୍ଷେତ୍ର  । ସେହିଠାରେ ତୁମେ ତୁମ କର୍ମମୟ ଜୀବନକୁ ଶେଷ କର” । ଭୀମ ଭୋଇ, ଦାସିଆ ବାଉରୀ, ସାଲବେଗ, ହାଡିପା, ତୁଳସୀ ଦାସ ପ୍ରଭୃତିଙ୍କ ପରି ସଦା ଦାସ ଏକ ମହାନ ପୂରୁଷ ଥିଲେ  । ବଣମଲ୍ଲୀ ଯେପରି ବଣରେ ଫୁଟି ମଉଳି ଯାଏ, ତାର ବାସନା କେହି ଉପଭୋଗ କରି ପାରନ୍ତି ନାହିଁ । ସେହିପରି ଲୋକ ସମାଜରେ ସଦା ଦାସଙ୍କ ମହିମା ଲୋକଲୋଚନକୁ ଆସିପାରି ନାହିଁ  । 
                                   ଆଜି ତାଙ୍କର ମହତ୍ୱ ପ୍ରକାଶ ପାଇଛି  । ଏହି ନିଗମ ତତ୍ତ୍ୱ ସାଧକ ହେବା ପରେ ସେ ଶ୍ରୀକ୍ଷେତ୍ରକୁ ଯାଇଥିଲେ  । ବାଟରେ ଏକ ମୃତ ବ୍ୟକ୍ତିଙ୍କୁ ଦେଖି ସାଧୁ ଦେଇଥିବା  ବେତବାଡି ଦ୍ୱାରା ତାକୁ ଜୀବନ୍ୟାସ ଦେଇଥିଲେ ବୋଲି ଲୋକଙ୍କ ମୁଖରେ ଶୁଣାଯାଏ । ଶ୍ରୀକ୍ଷେତ୍ରରେ ପହଞ୍ଚôବା ସମୟରେ ବହୁ ହଇଜା ରୋଗୀଙ୍କୁ ସେହି ବେତବାଡି ଦ୍ୱାରା ଭଲ କରିଥିବାର ଶୁଣିବାକୁ  ମିଳେ । ପଣ୍ଡାମନେ ସଦା ଦାସଙ୍କୁ ମନ୍ଦିରକୁ ନେବାକୁ ଚେଷ୍ଟାକଲେ  । କିନ୍ତୁ ପ୍ରଥମେ ଦାସ ଅନିଛା ପ୍ରକାଶ କଲେ  । ତାଙ୍କ ଅନିଛା ସତ୍ତ୍ୱେ ତାଙ୍କୁ ଦେଉଳକୁ ନିଆ ଯାଇଥିଲା ବୋଲି ଲୋକେ କୁହନ୍ତି  । ସେହି ସମୟରେ ସେ ଶୂନ୍ୟରେ ମନ୍ଦିର ଉପରକୁ ଉଠି ପତିତପାବନ ପତାକାରୁ ଖଣ୍ଡେ ଛିଡାଇ ଆଣି ତାଙ୍କ ବେତ ବାଡିରେ ବାନ୍ଧି ଦେଇଥିଲେ  । ତା ପରେ ନିଜ କର୍ମକ୍ଷେତ୍ର ଚନ୍ଦ୍ରମୌଳିକୁ ଫେରିଆସି ବେତ ବାଡିଦ୍ୱାରା ଅନେକ ରୋଗ ଭଲ କରିଥିଲେ  । ତାଙ୍କ ମୃତୁ୍ୟପରେ ତାଙ୍କର କନ୍ୟା ଗୁମାନି ସେହି ବେତବାଡି ଦ୍ୱାରା ଅନେକ ରୋଗ ଭଲ କରୁଥିଲେ  । ସେହି ମହାପୂରୁଷ ଓଁ ତତ୍ତ୍ୱକୁ ମୂଳମନ୍ତ୍ର କରି ଅନେକ ସ୍ଥାନରେ କହିଥିଲେ ।  ଜୀବନରେ ଓଁ ସମସ୍ତଙ୍କର ଜୀବନସାଥୀ । ଏହାର ସାକ୍ଷାତରେ ଓଁ ନାମ ଭଜନରେ ପ୍ରତେକ ଲୋକ ଆନନ୍ଦ ଲାଭ କରନ୍ତି । ଓଁ ଆପଣମାନଙ୍କର ସଦ୍ଗୁରୁ, ପଥ ପ୍ରଦର୍ଶକ ଓ ଶିକ୍ଷକ ଅଟେ । ଓଁ କାର ଜପ, ଓଁ କାର ଭଜନ, ଓଁ କାର ଗାୟନ, ଓ ଓଁ କାର ସ୍ମରଣ ମନୁଷ୍ୟ ଜୀବନରେ ପବିତ୍ରତା ଆଣେ । ଓଁକାର ନାମ ଆପଣ  ଅନୁଭବ କଲେ ଆପଣଙ୍କ ଶରୀରର ପ୍ରତ୍ୟକ ସ୍ନାୟୁ, ପ୍ରତ୍ୟେକ ଶିରା, ପ୍ରତ୍ୟେକ ଅଣୁ ଓ ପରମାଣୁ ପ୍ରଭୃତି ପ୍ରବଳ ତେଜଶକ୍ତି ସୃଷ୍ଟି ହୁଏ  । ଓଁ ସତ୍ଚିତ୍ତେ ହେଁ, ଓଁ ଆନନ୍ଦ ହେ, ଓଁ ଆତ୍ମା ପୁରୁଷ, ଓଁ ପରମଧର୍ମ  । ମନୁଷ୍ୟ ଜୀବନ ଅମୂଲ୍ୟ ଅଟେ  । ଜୀବନରେ କେବଳ ଦୁଃଖ,  ନିରାଶ, ମାୟା, ଜଞ୍ଜାଳ ଭିତରେ ଏହି ଅମୁଲ୍ୟ ରତ୍ନକୁ ହଜାଇ ଶେଷରେ ଆମ୍ଭେ ବିପଥଗାମୀ ହେଉଛୁ  । ବିପଥଗାମୀ ଦ୍ୱାରା ସମାଜ ଆଜି କଳୁଷିତ, ବ୍ୟଭିଚାର, ଭ୍ରଷ୍ଟାଚାର ଓ ଅନ୍ୟାୟ ଅନିତୀ ବଢି ଚାଲିଛି  । ଭଗବାନଙ୍କ ନାମ କୀର୍ତ୍ତନ ଦ୍ୱାରା ଏହା କ୍ରମେ ଦୂରୀଭୂତ ହେବ  ।
                     ତାଙ୍କ ବାସଗୃହ ନିକଟରେ  ଏକ ବିରାଟ ଆମ୍ବତୋଟା  ଅଛି । ମହାପୁରୁଷ ବୃକ୍ଷ ରୋପଣ ସମୟରେ କହିଥିଲେ “ୟେ କାଠ କୌଣସି କାମରେ ଲାଗିବ ନାହିଁ , କେବଳ ଛାଇ ଦ୍ୱାରା ମନୁଷ୍ୟ ଜୀବନରେ ଶାନ୍ତି ପ୍ରଦାନ କରିବ” । ସେହି ତୋଟା ଆଜି “ବାବାଜୀ ତୋଟା”  ଅକ୍ଷତ ଅବସ୍ଥା ଆଜି ପର୍ଯ୍ୟନ୍ତ ବିଦ୍ୟମାନ । ତାଙ୍କ ଜନ୍ମ ତିଥି ମାଘ ମାସ ଶୁକ୍ଳ ଏକାଦଶୀ ଦିନ ନାମ ଭଜନ, କୀର୍ତ୍ତନ ଓ ଆଲୋଚନା ପ୍ରତିବର୍ଷ ହୋଇଆସୁଅଛି ।ପରମ ମହାପୁରୁଷ ସଦାଦାସଙ୍କ ଜୀବନୀ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରି ଏହି କ୍ଷୁଦ୍ର ପ୍ରବନ୍ଧଟି ଆଲୋଚନା କରିଛି । ମହାପୁରୁଷଙ୍କର ଆଶିଷ ଯୋଗୁଁ ଏ ପ୍ରକାଶନ ସମ୍ଭବ ହୋଇ ପାରିଲା । ସେଥିôପାଇଁ ତଥ୍ୟ ସଂଗ୍ରହକାରୀଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି । ଜୟ ଜଗନ୍ନାଥ ।
ସା-ଉଲାର, ପୋ-ଗବବସ୍ତ, କଟକ
ମୋ-୮୯୦୮୧୭୨୦୭୦
JOY BAHUDA