କୁଳ ପିତା : ଗୋସ୍ବାମୀ ବାହୁଡା ଦାସ


ସୁଦର୍ଶନ ଭୋଇ



ଯେତେବେଳେ ସାମ୍ପ୍ରଦାୟିକତାର ନିର୍ମମତା ସରଳ, ନିଷ୍କପଟ ନୀଚ୍ଚ ଜାତିର  ବ୍ୟକ୍ତି ତଥା ସାଧୁ ସନ୍ଥମାନଙ୍କ ଉପରେ ଅତ୍ୟାଚାର ହୁଏ, ସତେବେଳେ ଧର୍ମର ଗ୍ଲାନି ହୋଇଥାଏ । ଯୁଗେ ଯୁଗେ ଧର୍ମର ରକ୍ଷା ପାଇଁ ମହାମାନବ ମାନେ ଜନ୍ମ ନେଇଥାନ୍ତି । ସେହି ମହାନ୍ ସନ୍ଥ ମାନଙ୍କ ମଧ୍ୟରେ ଗୋସ୍ବାମି ବାହୁଡା ଦାସ ଥିଲେ ଅନ୍ୟତମ । ସେ ଏକାଧାରରେ ସନ୍ଥ, ତତ୍ୱଦର୍ଶୀ ,ଭକ୍ତ ,କବି ,ସମାଜ ସଂସ୍କାରକ  ଏବଂ ପରିବ୍ରାଜକ ଥିଲେ । ସେ ତାଙ୍କ ଆଚାର ବିଚାର, ଇଛା ଶକ୍ତି ବଳରେ ନାଗାନ୍ତ , ଯୋଗାନ୍ତ , ବେଦାନ୍ତ ଏବଂ ସିଦ୍ଧାନ୍ତ ରେ ସିଦ୍ଧହସ୍ତ ଥିଲେ ।
            ସେତେବେଳେ ଓଡିଶା ବା ଓଡ ରାଷ୍ଟ୍ରର ସମସ୍ତ ଭୂଖଣ୍ଡ ଇଂରେଜ ସରକାରଙ୍କ ଅଧିନସ୍ଥ  ଥିଲା । ଏହା ସଂଗେ ସଂଗେ  ଅନେକ ରାଜା , ଚୌଧୁରୀ ମାନେ ସ୍ଥାନେ ସ୍ଥାନେ ସେମାନଙ୍କର ଆଧିପତ୍ୟ ବିସ୍ତାର କରୁଥିଲେ । ସେତେବେଳେ ସମାଜରେ ଉଚ୍ଚ ନୀଚ୍ଚର ବିରାଟ  ପ୍ରାଚୀର ବିସ୍ତାର କରିଥିଲେ । ବିଶେଷ କରି ଆମ୍ଭ ଭୋଇ ଜାତିର ବ୍ୟକ୍ତିମାନେ ଅତ୍ୟନ୍ତ ନିଷ୍ପେସିତ ଭାବରେ ନିର୍ଯ୍ୟାତିତ ହେଉଥିଲେ । ଠିକ୍ ଏହି ସମୟରେ   ଖ୍ରୀଷ୍ଟାଦ୍ଦ ୧୭୫୦ ରେ ସନ୍ଧ୍ୟାର ମହାଲଗ୍ନରେ ପିତା ଧର୍ମୁ କାଣ୍ଡି ଆଉ ମାତା ଗୁରୁବାରୀ ଦେଇଙ୍କ ଔରସରୁ ଜନ୍ମ ନେଇଥିଲେ ସନ୍ଥ ଶିରୋମଣି  ବାହୁଡା ଦାସ । ମାଟି ଅବଧାନଙ୍କ ଦ୍ୱାରା ବାହୁଡା ନାମିତ କ୍ରମେ  , ମହାନ୍ ସନ୍ଥଙ୍କ ଶୁଭାଗମନରେ  ଖନ୍ଦୋଳ ଗ୍ରାମଟି ଆନନ୍ଦରେ ମୁଖରିତ ହୋଇ ଉଠିଥିଲା । କାରଣ ସନ୍ଥ ବାହୁଡା ଅତ୍ୟନ୍ତ ସୁନ୍ଦର , ସ୍ବାସ୍ଥ୍ୟବାନ୍  ଆଉ ରାଜ ପୁତ୍ର ପରି ଡଉଲ୍ ଡାଉଲ୍ ଥିଲେ  ଏବଂ ଶରୀରେ ଶଙ୍ଖ, ଚକ୍ର , ଗଦା ଓ ପଦ୍ମ ପରି ଚିହ୍ନ ଥିଲା ।  ଯାହାର ଫଳ ସ୍ବରୁପ ସେ ଭବିଷ୍ୟତରେ  ଜଣେ ମହାପୁରୁଷ ହେବେ ବୋଲି ଗ୍ରାମବାସୀମାନେ ଜାଣି ପାରିଥିଲେ ।
                         ଗୋସ୍ବାମି ବାହୁଡା ଶିଶୁ ଅବସ୍ଥାରେ ବହୁ ସମୟ ରାହା ଧରି କାନ୍ଦୁଥିଲେ ।  ମାତା ଗୁରୁବାରି ପରମେଶ୍ୱରଙ୍କ ଭଜନ ଗାଇ  ତାଙ୍କୁ ଚୁପ୍ କରାଇ ଦେଉଥିଲେ । ଦିନେ ଶୁଭ ସକାଳୁ ବାହୁଡା ଘର ବାରଣ୍ଡାରେ ଶୋଇଥିଲେ  ଏବଂ ଗୋଟିଏ ବିଷାକ୍ତ ନାଗ ସର୍ପ ବାହୁଡାଙ୍କ ମୁଣ୍ଡ ଉପରେ କିଛି ସମୟ ଛିଡା ହୋଇ , ହଠାତ୍  କେଉଁ ଆଡେ ଉଭାନ୍ ହୋଇଯାଇଥିଲା । ଏହା ମାତା ଗୁରୁବାରି ଓ ଅନ୍ୟ ବ୍ୟକ୍ତି ମାନେ ଦେଖି ବିସ୍ମିତ ହୋଇଯାଇଥିଲେ  ଏବଂ ଏହା ଚର୍ତୁଦିଗରେ ପ୍ରଚାର ହୋଇ ଯାଇଥିଲା । କିନ୍ତୁ ସମାଜରେ ଭେଦ ଭାବର  ହିନମନ୍ୟତା ଯୋଗୁ  ଗୋସ୍ବାମି ବାହୁଡା ଇର୍ଷ୍ୟା ଓ ପରଶ୍ରୀ କାତରାତାର ଶିକାର ହେଉଥିଲେ । ଅନ୍ୟପକ୍ଷରେ  ଏପରି ଅସାଧାରଣ ପୁଅକୁ ଜୀବନର ଅପରାହ୍ନରେ ପାଇ ଗୋସ୍ବାମି ବାହୁଡାଙ୍କ ପିତାମାତା ବହୁତ ଖୁସିରେ ଜୀବନ ଯାପନ କରୁଥିଲେ । ବେଳେ ବେଳେ ପୁଅର ସୁରକ୍ଷା କଥା ଭାବି ଦୁଃଖରେ ଭାଙ୍ଗି ପଡୁଥିଲେ । ତେଣୁ ପ୍ରଭୁ ଜଗନ୍ନାଥଙ୍କୁ ତାଙ୍କର ଏକମାତ୍ର ପୁଅକୁ  ସମର୍ପି ଦେଇଥିଲେ । ଗାଁକୁ  ଅନେକ ସାଧୁ ସନ୍ଥ ଆସୁଥିଲେ ସତତ୍ସଂଗ କରିବା ପାଇଁ ।  ଭଜନର ସୁରେ ସୁରେ ଚପଳମତି ବାହୁଡା ନିଜକୁ ହଜାଇ ଦେଉଥିଲେ ।

                                              ଦିନକର କଥା, ଶିଶୁ ବାହୁଡା ଗାଁ ପଡିଆରେ ବାଗୁଡି ଖେଳରେ ମାତି  ଯାଇଥାନ୍ତି ।  ଅପରୂପ ଡଉଲ ଡାଉଲ୍ ବାହୁଡାଙ୍କ ସ୍ବତନ୍ତ୍ରତା ବାରି ହୋଇ ପଡୁଥାଏ ଗାଁ ସାଥିଙ୍କ ମେଳରେ ।  ସମସ୍ତଙ୍କର ନଜର ଥାଏ ବାହୁଡାଙ୍କ ଦଳକୁ କିପରି ହରାଇବା ପାଇଁ । ହେଲେ ଚାଲାକ୍ ବାହୁଡାଙ୍କୁ ପାରିବ ବା କିଏ ? ବାହୁଡା ଖେଳରେ ରାହା ( ବାଗୁଡି ଖେଳ ସମୟରେ ଅପର ପକ୍ଷ ଦଳର ପରିସୀମା ମଧ୍ୟକୁ ଯିବା ସମୟରେ ତୁଣ୍ଡରେ ଉଚ୍ଚାରିତ ଶବ୍ଦ ) ଦେଲା ସମୟରେ ଜଣେ ତାଙ୍କ ୁ ଜାବୁଡି ଧରିଲା , ସେ ଛାଟିପିଟି ପଳାଇ ଆସିଲେ । କିନ୍ତୁ ଏ କ’ଣ ହେଲା ?  ଛାଟିପିଟି ପଳାଇ ଆସିବା ସମୟରେ  ବାହୁଡାଙ୍କୁ ଧରିଥିବା ପିଲାଟି କଚାଡି ହୋଇ ତଳେ  ପଟିଗଲା । ବିଚରାର ମୁଣ୍ଡ ଫାଟିଗଲା କି କ’ଣ ? ରକ୍ତ ବୋହିବାରେ ଲାଗିଲା  ଓ ପିଲାଟି ମଧ୍ୟ ବେହୋସ୍ ହୋଇଗଲା । ପୂର୍ବରୁ ରାଗ ରଖି ଥିବା ପିଲାମାନେ ଯେପରି ଏକ ସୁଯୋଗ ଖୋଜୁଥିଲେ ଅବା ! ଭକ୍ତ ବାହୁଡାଙ୍କୁ ସମସ୍ତେ ଦୋଷୀ କରିଦେଲେ । ବାହୁଡା କିଛି ସମୟ କାକୁସ୍ଥ ହୋଇଗଲେ  ଓ ନିରବରେ ଆଖି ବୁଜି ପରମ ପିତା ପରମେଶ୍ୱରଙ୍କୁ ଧ୍ୟାନ କରିବାରେ ଲାଗିଲେ । ଅନ୍ତର୍ଯ୍ୟାମୀ ପ୍ରଭୁ  ସବୁବେଳେ ଭକ୍ତଙ୍କ  ପାଖେ ପାଖେ ଥାଆନ୍ତି । ଥରେ ଭକତିର ଡୋରିର ବାନ୍ଧି ହୋଇଗଲା ପରେ ଭଗବାନ କେବେ ବି ଭକ୍ତକୁ ଛାଡି ପାରନ୍ତିନି ?  ସେତେବେଳେ ମୁଁ ତୁମର, ତୁମେ ମୋଅର ଭାବରେ  ଭକ୍ତକୁ ଭଗବାନ ବ୍ୟତୀତ କିଛି ଦିଶେନା ।  ତେବେ ବାହୁଡା କିଛି ସମୟ ପରେ ଆଖି ଖୋଲିଲେ ଓ ପିଲାଟିର କ୍ଷତ ଉପରେ ହାତ ବୁଲାଇଦେଲେ । ଆଶ୍ଚର୍ଯ୍ୟର କଥା , ପିଲାଟି ପୂର୍ବ ପରି ଉଠି  ଠିଆ ହୋଇ ଗଲା । ସତେ ଯେପରି ସେ ସ୍ବପ୍ନ ଦେଖୁଥିଲା ନା କ’ଣ ? ୟେ ବିଷୟରେ କାହାକୁ  କିଛି ନ କହିବା ପାଇଁ ନିର୍ଦ୍ଦେଶ ଦେଇ ବାହୁଡା ଧ୍ୟାନସ୍ଥ ମଣିଷ ପରି ନିଜ ଘରକୁ ପଳାଇ ଆସିଲେ ।
                         ସମୟ ଗତିଶୀଳ, ବାଲ୍ୟ ସମୟ ଚାଲିଗଲା ପରେ କିଶୋର ହୋଇଗଲେ ଗୋସ୍ବାମୀ ବାହୁଡା ।  ମନରେ ଜିଦ୍ଖୋର ଓ  ସତ୍ୟପ୍ରିୟତା ସ୍ବଭାବ ଯୋଗୁ ପାଠ ପଢିବା ପାଇଁ ବହୁତ ଇଛା ହେଲା । ହେଲେ ସେ ସମୟରେ ନୀଚ୍ଚ ଜାତିର ପିଲା  ପାଠ ପଢି ପାରୁ ନଥିଲେ । କାରଣ ନୀଚ୍ଚ ଜାତିର ପିଲା ପାଠ ପଢିଲେ, ଦେଶର ଅବନ୍ନତି ହେବ, ଅରାଜକତା ହେବ ।  ଦୁର୍ବିପାକ ଦେଖା ଦେବ  ।  ମହାମାରୀ ହଇଜା ବ୍ୟାପି ଯିବ । ପିତା ଧର୍ମୁ କାଣ୍ଡି ଆଉ ମାତା ଗୁରୁବାରୀ ଦେଇ ଅତ୍ୟନ୍ତ ଚିନ୍ତିତ ହୋଇ ପଡିଲେ । ଅନ୍ୟୋପାୟ ହୋଇ ଶେଷରେ ମାଟି ଅବଧାନଙ୍କୁ  ଗୋସ୍ବାମୀଙ୍କ ପାଠ ପଢାଇବା ପାଇଁ ଅନୁରୋଧ କଲେ । ହେଲେ ନିଜର ଜୀବିକା ହରାଇବା  ଓ  ସଂସାର ପ୍ରତି ବିପଦ ଭୟରେ ସେ  ପଢାଇବା ପାଇଁ ରୋକ୍ ଠୋକ୍ ମନା କରିଦେଲେ । ନିରାଶରେ ଫେରିଗଲେ ପିତା ମାତା ଦ୍ୱୟ ।  ହେଲେ ଦିବ୍ୟଦ୍ରଷ୍ଟା ବାହୁଡା  ବାପା ମାଆଙ୍କ ଦୁଃଖକୁ ଅନୁଭବ କରି କହିଲେ ତୁମେ ବ୍ୟସ୍ତ ହୁଅ ନାହିଁ । ମୁଁ ପାଠ ପଢି, ଦିନେ ନା ଦିନେ ବଡ ମଣିଷ ହେବି ଓ ତମର ନାମ ରଖିବି ।  ଯେଉଁ ଜାତି ପ୍ରଥା ତଥା ଧନୀ ଗରିବ ସମାଜରେ ଭେଦ ଭାବର ପ୍ରାଚୀର  ଠିଆ କରୁଛି, ତାହା ଭାଙ୍ଗି ଦେବା ପାଇଁ ଚାହେଁ । ବାହୁଡାଙ୍କ କଥା ଶୁଣି ବାପା ବୋଉ ଯେତିକି ଖୁସି ହୋଇଗଲେ, ସେତିକି ମଧ୍ୟ ଚିନ୍ତାଗ୍ରସ୍ତ ହୋଇଗଲେ । କାରଣ ସେତେ ବେଳେର ନିଜକୁ ଅଦ୍ୱିତୀୟ ସମ୍ରାଟ ବୋଲାଉଥିବା ବ୍ରାହ୍ମଣବାଦ ସମାଜରେ ଦଳିତର   ଲେଶ ମାତ୍ର ବି ଚିହ୍ନ  ନଥିଲା ।  ବାସ୍ତବରେ ଗୋସ୍ବାମୀ ବାହୁଡା  ସର୍ବ ଗୁଣ ସମ୍ପନ୍ନ ତଥା ଅଲୌକିକ ଶକ୍ତିର ଅଧିକାରୀ  ଥିଲେ । ସମୟେ ସମୟେ ପରମେଶ୍ୱରଙ୍କ ଭଜନ ଗାଇ ଧ୍ୟାନସ୍ଥ ହୋଇଯାଉଥିଲେ ।
        ପିତା ଧର୍ମୂ କାଣ୍ଡି  ନିକଟସ୍ଥ ଖଲୋର ଗ୍ରାମର ଚୌଧୁରୀଙ୍କ ଖମାରରେ କୋଠିଆ କାମ କରି ନିଜର ଗୁଜୁରାଣ ମେଂଟାଉଥିଲେ । ଯୁବକ ବାହୁଡା ସାମାଜିକ ପ୍ରଥା ଅନୁ୍ୟାୟୀ ଭାବରେ  ବାପା ଧର୍ମୁକାଣ୍ଡିଙ୍କ  ଅତ୍ୟନ୍ତ   ଜରାବସ୍ଥା ଉପନୀତ ଜାଣି ବାପାଙ୍କ ହଳ କାମରେ ତାଲିମ୍ ନେଲେ ଏବଂ ଦଶଜଣ ହଳିଆଙ୍କ ଦଳ ସହ  ସାମିଲ ହୋଇ  ନିଜର କର୍ମ କ୍ଷେତ୍ର ବାଛିନେଲେ ।   ଦିନକର କଥା, ଅକ୍ଷୟ ତୃତୀୟା, ଦେହରେ ପ୍ରବଳ ଜର ।  ହେଲେ ଗୁମାସ୍ତାଙ୍କ ହୁକୁମ୍, ହଳ ବୁଲାଇବା ପାଇଁ ପଡିବ । ନହେଲେ ଚାକିରୀ ଚାଲି  ଯିବ । ହଳ ବୁଲାଉ ବୁଲାଉ ସନ୍ଥ ବାହୁଡା ହାଲିଆ ହୋଇ ଗଲେ ।  ତୁଣ୍ଡରେ ଜଗନ୍ନାଥଙ୍କ ଭଜନ ଗୁଣୁ ଗୁଣୁ ହୋଇ ଗାଉଥାନ୍ତି । ଭଜନରେ ସୁରେ ସୁରେ ଆଖି ମଧ୍ୟ ଛଳ ଛଳ ହୋଇଉଠୁଛି । ସତରେ ମନରେ ବ୍ୟାକୁଳତା ନଥିଲେ ଭଗବାନଙ୍କୁ ଭଲ ପାଇ ହୁଏ ନାହିଁ । ଭାବରେ ବନ୍ଧା ସେ ମନର ମୋହନ । ଜରର ପ୍ରକୋପରେ ଆଖି ମାଡି ମାଡି ପଡୁଛି । ଆଗରେ  ନଅଟା ହଳ, ବଡ ଜମି ତ ? ଭାବିଲେ ଟିକେ  ହିଡରେ ବସି, ପରେ ସେ  ନଅ ଜଣ ହଳିଆଙ୍କ ପଛକୁ ଲାଗିଯିବେ । ହେଲେ କେତେବେଳେ ନିଦ ତାଙ୍କୁ ହୋଇଯାଇଛି , ସେ ଜାଣି ପାରିଲେ ନାହିଁ । କିନ୍ତୁ ଭଗବାନ୍ ଭକ୍ତ ବାହୁଡାଙ୍କ କଥା ଜାଣିପାରିଲେ । ବିଚରା ବାହୁଡା ଏଇନେ ବହୁତ ଗାଳି ଖାଇବ, ମାଡ ମଧ୍ୟ ଖାଇବ ।  ବିଶ୍ୱ ନିୟନ୍ତା ଭଗବାନଙ୍କ ନିର୍ଦ୍ଦେଶରେ ବାହୁଡାଙ୍କ ହଳ ମନକୁ ମନ ଚାଲି ବାରେ ଲାଗିଲା  ଏବଂ ବାହୁଡାଙ୍କ ଉପରେ ଖରା ପଡୁଥିବାରୁ , ତାଙ୍କ ପାଇଁ ମେଘ ବାଦଲର ଚାନ୍ଦୁଆ  କରିଦେଲେ । ଯେପରି ଛାଇ ହୋଇ ଯିବ । କିଛି ସମୟ ପରେ ଜମିଦାରଙ୍କ ଗୁମାସ୍ତା ଏପରି ଅଲୌକିକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ ଭାବି ପାରୁ ନ ଥିଲେ , ଏହା ସ୍ବପ୍ନ ନା ସତ୍ୟ ? ଶେଷରେ ୟେ କଥା ଜମିଦାରଙ୍କୁ  କଥା କହିବାରୁ ଜମିଦାର ନିଜେ ଏପର ଅଲୌକିକତା ଦେଖି ମନ୍ତ୍ର ମୁଗ୍ଧ ହୋଇଗଲେ । ସତରେ ସେ କି ପାପ ନକରୁଛନ୍ତି ?  ସେ  ଯାହାଙ୍କୁ ହଳିଆ ଭାବରେ ନିଯୁକ୍ତ ଦେଇଛନ୍ତି, ସେ ଯେ ଭଗବାନଙ୍କର ପରମ ଭକ୍ତ ବୋଲି ଅନୁଭବ  କଲେ । କାରଣ ଭଗବାନ ଭକ୍ତର ଦୁଃଖ କଷଣ କେବେ ସହି ପାରନ୍ତିନି । ଯୁଗେ ଯୁଗେ ଭଗବାନ ବିଭିନ୍ନ ଭାବରେ ଆସି ଭକ୍ତର ସୁଖରେ ସୁଖୀ ହୋଇ, ଦୁଃଖରେ ଦୁଃଖୀ  ହୋଇ ଥାନ୍ତି । “ ସେ ତ ଭକତ ଭାବରେ ବନ୍ଧାରେ, ସେ ତ ଭକତ ଜୀବନ ଧନ” ବୋଲି କୁହାଯାଏ । ପରିଶେଷରେ ଚୌଧୁରି ମହାଶୟ ସନ୍ଥ ବାହୁଡାଙ୍କୁ ହଳ କାର୍ଯ୍ୟ ବନ୍ଦ କରିବା  ପାଇଁ ନିର୍ଦ୍ଦେଶ ଦେଲେ  ଏବଂ ତାଙ୍କୁ ପ୍ରଣିପାତ କରି କହିଲେ “ତୁମେ ଆଜି ଠୁ ମୋର ଖମାରରେ ହଳିଆ କାମ କରିବନି । ତୁମେ ବାଟପୂରଣ ଗ୍ରାମସ୍ଥିତ କୁଶ ଜଙ୍ଗଲରେ  ମଠ ସ୍ଥାପନ କରି ଭଗବାନଙ୍କ ପୂଜନ ଭଜନ କରିବା ପାଇଁ ଅନୁରୋଧ କରୁଛି” ।  ତାହା ହିଁ ହେଲା । ସନ୍ଥ ବାହୁଡାଙ୍କୁ ତତ୍ କାଳୀନ ଭିଙ୍ଗାରପୁରର ଚୌଧୁରୀ ଦଶ ଏକର ଭୂ ସମ୍ପତି ଦାନ କଲେ ।
                                            ସନ୍ଥ ବାହୁଡା ସପରିବାର ସେଠାରେ ଜନବସତି ସ୍ଥାପନ କଲେ  ଏବଂ  ସ୍ଥାନଟି ନିର୍ଜନ ହୋଇଥିବାରୁ ପ୍ରଭୁଙ୍କ ସାଧନ ଭଜନରେ ନିଜକୁ ତଲ୍ଲୀନ କରି ଦେଲେ ।  କୁଶ ଜଙ୍ଗଲ ମଧ୍ୟସ୍ଥ ଏକ ବଟ ବୃକ୍ଷ ମୂଳରେ ପ୍ରତ୍ୟହ ଧ୍ୟାନ କରୁଥିଲେ ।  ସମୟେ ସମୟେ ଦୀର୍ଘ ସମୟ ପାଇଁ ଧ୍ୟାନ କରିବାରୁ ସମାଧିସ୍ଥ ହୋଇ ଯାଉଥିଲେ ।  ନିଜର ଦିବ୍ୟ ଦୃଷ୍ଟି ବଳରେ  ଅନେକ ବିଦ୍ୟାର ଅଧିକାରୀ ହୋଇଥିଲେ ଏବଂ ବାକ୍ ସିଦ୍ଧି ବିଦ୍ୟା ମଧ୍ୟ ହାସଲ କରଥିଲେ । ଏପରି ଅଲୌକିକତା ଦେଖି ବହୁତ ଦୂରରୁ ଭକ୍ତ ମାନେ ଆଶିର୍ବାଦ  ପାଇଁ ଛୁଟି ଆସୁଥିଲେ ।  ସନ୍ଥ ବାହୁଡାଙ୍କ ନିର୍ଦ୍ଦେଶରେ ବିଭିନ୍ନ ରୋଗ ଭଲ ହୋଇ ଯାଉଥିଲା  ଏବଂ ତାଙ୍କର କଥା ଅକାଟ୍ୟ ଥିଲା । ସର୍ବେ ଭବନ୍ତୁ ସୁଖିନଃ ନ୍ୟାୟରେ ସେ ଜନ ସମାଜର ମଙ୍ଗଳ ଚାହୁଁ  ଥିଲେ । ସର୍ବଦା ସତ୍ କର୍ମ କରିବା ପାଇଁ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ରଖିବା ପାଇଁ କହୁଥିଲେ ।  ସତରେ ତାଙ୍କର ନିର୍ଦ୍ଦେଶ ଥିଲା ଅଦ୍ଭୁତ , କାରଣ ତାଙ୍କ ମୁଳ ମନ୍ତ୍ର ଥିଲା ବିଶ୍ୱାସ ଓ ଭକ୍ତି । ଯାହାକୁ ପ୍ରବଳ ଜର ହେଉଥିଲା , ସେ ବଟ ନିକଟସ୍ଥ ପୋଖରୀରେ ଗାଧୋଇବା ପାଇଁ କହୁଥିଲେ ଓ ଲୋକମାନେ ମଧ୍ୟ ତାହା କରୁଥିଲେ । କାରଣ ମଣିଷର ମନ, ଯେ ପର୍ଯ୍ୟନ୍ତ ଅର୍ନ୍ତମୁଖୀ ହୋଇ ବିଶ୍ୱାସର ସହ ପ୍ରଭୁଙ୍କ ନିକଟରେ ସମର୍ପିତ ନ ହୋଇଛି, ତାର ଜୀବନରେ ମୁକ୍ତି ଅସମ୍ଭବ ଅଟେ ।
                                        ଏପରି ସମୟ ହୋଇଛି , ସନ୍ଥ ବାହୁଡାଙ୍କୁୁ ପରୀକ୍ଷା କରିବା ପାଇଁ ଅନେକ ବ୍ୟକ୍ତି ପରୀକ୍ଷା କରିବା ପାଇଁ ଆସିଛନ୍ତି ଓ ପରିଶେଷରେ ଅନୁତାପ କରି ଫେରିଛନ୍ତି । ଥରେ ଦୁଇ ଜଣ ଯବନ ମିଛରେ  କୁଷ୍ଠ ରୋଗୀର ବାହାନା କରି ଗୋଡ ଓ ହାତରେ କନା ଗୁଡାଇ ଆସିଥିଲେ ଓ ସ୍ବାମିଜୀଙ୍କୁ ଆରୋଗ୍ୟ କରିବା ପାଇଁ  କହିଲେ । ମାତ୍ର ସନ୍ଥ ବାହୁଡା ତାଙ୍କ ଗୋଡରୁ କନା ଖୋଲିବା ପାଇଁ କହିବାରୁ, ବାସ୍ତବରେ  ଗୋଡ ଓ ହାତରେ ଘା ହୋଇ ପୋକ ସାଲୁ ବାଲୁ ହୋଇ  ଦେଖା ଯାଇଥିଲା । ଶେଷରେ ଯବନ ଦ୍ୱୟ ସନ୍ଥ ବାହୁଡାଙ୍କ ପାଦ ଧରି କ୍ଷମା ମାଗିଥିଲେ ଓ କାନ୍ଦି କାନ୍ଦି  ପୂର୍ବାବସ୍ଥାକୁ ଫେରାଇ ଆଣିିବା ପାଇଁ ଅନୁରୋଧ କରିଥିଲେ । “ଯେଉଁ ଜାଗା ରୁ ଆସିଛ, ସେଇଠି ତୁମେମାନେ ଭଲ ହୋଇଯିବ”  ବୋଲି ଦୟାଳୁ ସନ୍ଥ ବାହୁଡା କ କହିଥିଲେ । ଶେଷରେ ସେୟା ହିଁ ହୋଇଥିଲା  ଏବଂ ଯବନ ଦ୍ୱୟ ସ୍ବାମିଜୀଙ୍କ ଶିଷତ୍ୱ ଗ୍ରହଣ କରିଥିଲେ । ଏକଦା  ସନ୍ଥ ବାହୁଡା ଅରଡିଆପଦା ଜମିଦାରଙ୍କ  ବହୁ ଦିନର କୁଷ୍ଠ ରୋଗକୁ ଭଲ କରି ଦେଇ ଥିଲେ । ଏଣୁ ଜମିଦାର ସ୍ବାମିଜୀଙ୍କ ମଠ ନାମରେ ବାର ଏକର ବାର ଗୁଣ୍ଠ ବାର ବିଶ୍ୱା ଭୁମି  ଦଲିଲ୍ କରି ଦେଇଥିଲେ । ଯାହା ଫଳରେ ଆଶ୍ରମଟି ସ୍ବାମିଜୀଙ୍କ ଶିଷ୍ୟ/ଶିଷ୍ୟାମାନଙ୍କ ଉଦ୍ୟମ କ୍ରମେ  ନାନା ପୁଷ୍କରଣୀ  ଓ ବୃକ୍ଷଲତାରେ ଶୋଭା ପାଉଥିଲା । ଆଶ୍ରମଟି  ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତଙ୍କର କେନ୍ଦ୍ର ବିନ୍ଦୁ ଥିଲା ।
ବାସ୍ତବରେ ସ୍ବାମିଜୀ  ବାହୁଡା ଦାସ ଥିଲେ ଏକାଧାରରେ ସନ୍ଥ, ଦିଗ ଦର୍ଶକ, ପରିବ୍ରାଜକ ଓ ସମାଜ ସଂସ୍କାରକ । ସ୍ବାମିଜୀ ଦଳିତ ସମାଜ ପାଇଁ ଜଣେ ସଂଗ୍ରାମୀ କହିଲେ ଭୁଲ୍ ହେବ ନାହିଁ । ତାଙ୍କର ଜୀବନ ଜ୍ୱଳନ୍ତ ଦୀପ ସଦୃଶ ଥିଲା । ଜାତି ପ୍ରଥା ବିରୁଦ୍ଧରେ ସେ ସ୍ବର ଉଠାଇଥିଲେ । ଶେଷରେ ଶ୍ରୀ ଗୁଂଡିଚା ଦିନ ଦିନ ସନ୍ଥ ବାହୁଡାଙ୍କ ମହା ପ୍ରୟାଣ ଘଟିଥିଲା । ତାଙ୍କର  ଶରୀର  ଧରା ରେ ଛାଡି ଦେଇ ଥିଲେ ମଧ୍ୟ ଆତ୍ମା ତାଙ୍କର ପରମାତ୍ମାଙ୍କ ଠାରେ ଲୀନ ହୋଇଯାଇଥିଲା ।


ସା-ଶିଶୋ ,ପୋ-ଖନ୍ଦୋଳ ,କଟକ

ହେ ଗୁରୁଦେବ,କରେ ତବ ପଦ ବନ୍ଦନ

                                                                                            (ତୁମରି ଦାସୀ ମୀନାରାଣୀ)


ଶତ ପ୍ରଣାମ ତୁମରି ଚରଣେ ,ହେ ଗୁରୁ ଗରୀୟାନ ,
ଜ୍ୟୋତି ପୁଂଜ ମଧ୍ୟେ ଧ୍ରୁବତାରା ତୁମେ ,ତୁମେ ଚିର ଅମଳିନ (୦)

ଆତ୍ମୀୟତା ସ୍ନେହ ଝରାଇଲ ହୃଦେ , ତୁମରି ଦୀକ୍ଷା ଦାନ ସାଥେ ,
ଅଜ୍ଞାନ ଅନ୍ଧାର ଦୂରେଇବା ପାଇଁ ଦୀପ ଜାଳି ଦେଲ ନିଜ ହାତେ ।
ହେ ଯୁଗ ଦ୍ରଷ୍ଟା, ହେ ମହାଯତି ; କରେ ତବ ପଦ ବନ୍ଦନ ।


  
             ତିଳତିଳ କରି କରି ନିଜେ ଜଳି ଜଳି ଜ୍ଞାନର ପ୍ରଦୀପ ଦେଲ ଜାଳି          
 ଅଂତର ଆମ ନ ଭୁଲୁ କେବେ ବି ପ୍ରବଳ ପବନେ ସଦା ଜଳି ,
   ହେ ସତ୍ୟ ସିନ୍ଧୁ , ହେ ଗୁରୁ ଦେବ, କରେ ତବ ପଦ ବନ୍ଦନ ।। 




ଦୁଃଖ ସୁଖ ନିନ୍ଦା ପ୍ରଶଂସା ସମାନ , ମନେ ଭାବି ନିଅ ଏ ସବୁ ସମାନ 
ବଚନ ଭାଷିଲେ ମଧୁ ଝରେ ପରା , ତବ ଦୃଷ୍ଟି ଅମୃତ ସମ ;
ହେ ଗୁରୁ ଦେବ , ହେ ପରମ ସିନ୍ଧୁ , କରେ ତବ ପଦ ବନ୍ଦନ ।। 


ସତ୍ୟ ପାଇଁ , ଲକ୍ଷ ପୂର୍ଣ ପାଇଁ ତୁମେ ହିଁ ଆଶୀଷ ଝରାଇ ଦିଅ ,
ଅନ୍ତରେ ଆମର ବଜ୍ର ଶପଥ ,ତୁମେ ଆଜି ପ୍ରଭୁ ଝରାଇ ଦିଅ
ହେ ସାଧକ, ହେ ଗୁରୁଜୀ, କରେ ତବ ପଦ ବନ୍ଦନ ।

                                          ସା- ଭୋଦଳ,ପାଟସୁନ୍ଦର ପୁର , କଟକ-୧୮   

                                                                                 



                  

ସଂପାଦକୀୟ

ଆଉନାହିଁରେ ମନ ଅନ୍ୟ ଭରଷା ,
ବ୍ରହ୍ମ ପାଦ ତଳେ ଲଗାଅ ଆଶା 

ସଂପାଦକଙ୍କ କଲମରୁ .......................................


ପ୍ରିୟ ଆତ୍ମନ ,
        ଇଂରାଜୀ  ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ,  ପରମ ପିତା ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା ,  ଆପଣଙ୍କ ଜୀବନର ପ୍ରତିଟି ସକାଳ ହେଉ ସୁବାସମୟ , ପ୍ରତିଟି ଦିନ ହେଉ କର୍ମ ମୁଖର , ପ୍ରତିଟି ସନ୍ଧ୍ୟା ହେଉ ଓଁ କାର ମୟ ଓ  ଭକ୍ତି ମୟ  ଓ ପ୍ରତଟିି ରାତି ଶାନ୍ତି ପୂର୍ଣ୍ଣ ହେଉ । 
            ଆଜିର ଦିନରେ, ଯାହାଙ୍କ ପାଇଁ “ କୁଶ ବନ”ର ସୃଷ୍ଟି ,   ସେ ମହାମାନବ ,ପ୍ରାତଃ ସ୍ମରଣୀୟ , ମହାନ ସନ୍ଥ, ଯୋଗଜନ୍ମା ଓ ଦଳିତ ସମାଜର ସଂସ୍କାରକ ଗୋସ୍ବାମୀ ବାହୁଡା ଦାସଙ୍କ ମହାପ୍ରୟାଣ ଘଟିଛି ସତ, କିନ୍ତୁ ତାଙ୍କର ରହସ୍ୟମୟ ଲୀଳା ଅଧୁନା ସମାଧୀ ପୀଠ ଓ ବାହୁଡା ପ୍ରେମୀ ଭକ୍ତମାନଙ୍କ ହୃଦୟର କୋଣ ଅନୁକୋଣରେ ଦ୍ରବିତ ହେଉଅଛି ।   ବାସ୍ତବରେ ଦଳିତ ଭୋଇ ସମାଜକୁ ସ୍ବାମିଜୀ ବାହୁଡା ଦାସଙ୍କର ଦାନ ଥିଲା ଅତୁଳନୀୟ । ସର୍ବୋପରି ବିଗତ ଦିନର ଭୋଇ ସମାଜକୁ ସୁ ସଂଗଠିତ ଓ  ଏକତ୍ରିତ କରିବା, ତାଙ୍କର ପ୍ରମୁଖ ଭୁମିକା ଥିଲା ।  ଜଣେ ମହାନ ସନ୍ଥ ତଥା ସଂସ୍କାରକ ଭାବରେ ଆଧିପତ୍ୟ ବିସ୍ତାର କରୁଥିବା ବ୍ରାହ୍ମଣ ସମାଜକୁ ଭୃକ୍ଷେପ ନକରି ନିଶା ନିବାରଣ, କୁ ସଂସ୍କାର ଦୂରୀକରଣ, ଜାତି ପ୍ରଥା  ଏବଂ ଶିକ୍ଷା ପ୍ରଭୃତିରେ ଯେଉଁ ନିଦର୍ଶନ ଦେଖାଇଛନ୍ତି , ଅଧୁନା ସମୟରେ ୟେ  ସମାଜ ତାଙ୍କ ପାଦ ପଦ୍ମରେ କୃତଜ୍ଞତା ଜ୍ଞାପନ କରୁଅଛି । 
                       ଅଧୁନା ସମାଜ ବିଂଶ ଶତାଦ୍ଦୀରେ ପାଦ ଦେଲେ ମଧ୍ୟ  ଦଳିତ ଏବଂ ସାଧାରଣ ବର୍ଗ ମଧ୍ୟରେ  ଏ ପ୍ରାଚୀର ରହିଛି । ଆଜି ସ୍ବାମିଜୀ ବାହୁଡା ଦାସ ଆମ ପାଇଁ  ଅପ୍ରକଟ । ଆମ୍ଭେ ତାଙ୍କର ଦାୟାଦ ଭାବରେ , ଆମର ଯତ୍ କିଂଚିତ କର୍ତବ୍ୟ ସମାପନ କରୁଛୁ ।   ବର୍ତମାନ ପ୍ରରିପ୍ରେକ୍ଷୀରେ ଦେଶ ସ୍ବାଧୀନ ହୋଇଛି ସତ , କିନ୍ତୁ ଏକ ଦଳିତର ମେରୁଦଣ୍ଡ କେତେ ସୁ ଦୃଢ, ତାହା  ଅବିଶ୍ୱସନୀୟ ! କେବଳ ଅନୁଭବ କରିହୁଏ ।  ଆମ୍ଭେ ସ୍ବାଧୀନତା ପାଇଲେ ମଧ୍ୟ ଅର୍ଥ ନୈତିକ ତଥା ସାମାଜିକ ସ୍ବାଧୀନତା କ୍ଷେତ୍ରରେ ପଛୁଆ ହୋଇ ରହିଛୁ । ଗଣତନ୍ତ୍ର କ୍ଷେତ୍ରରେ ଆମର ସଂଖ୍ୟା ଅଧିକ ହେଲେ ମଧ୍ୟ ତାହା ଭୋଟ୍ ବାକସର ବନ୍ଦ କୋଠରୀରେ ଆମର  ଜୀବନ ଧାରାର ସ୍ରୋତ ମରୁଭୂମି ହୋଇଯାଇଛି ।  ସେଥିପାଇଁ ମାନସିକ ହୀନମନ୍ୟତା ଦାୟୀ କହିଲେ ଠିକ୍ ହେବ ।  କାରଣ ଅର୍ଥ ନୈତିକ କିମ୍ବା ସାମାଜିକ   ସ୍ତରରେ ଆମ୍ଭେ ସୁ ନାଗରିକ ହେବା  ପାଇଁ   କୁଣ୍ଠାବୋଧ କରୁ ।  ତେବେ ଦଳିତ ହେଲେ ମଧ୍ୟ ଜୀବନରେ ପ୍ରତ୍ୟେକ ମଣିଷ ପରି ସମ୍ମାନ ଓ ସ୍ବାଭିମାନ ସହ ବଂଚିବା ପାଇଁ ଆବଶ୍ୟକତା ଅଛି । କାରଣ  ଯେଉଁ  ମଣିଷର ଆତ୍ମ ସମ୍ମାନ ନାହିଁ , ସେ ମୁର୍ଦ୍ଦାର ସହ ସମାନ । ଅଧିକାର ପାଇଁ ଲଢେଇ ଅପରାଧ ନୁହେଁ ;ଏହା ପ୍ରତି ମଣିଷର କର୍ତବ୍ୟ ।  ଶେଷରେ ମହାନ୍ ସନ୍ଥ ବାହୁଡାଙ୍କ ପାଦପଦ୍ମରେ ପ୍ରାର୍ଥନା,  ଆପଣଙ୍କ ସପରିବାର ଚଲାପଥ କୁସୁମିତ ହେଉ ।
ସଂପାଦ 

ଆମର ମାନସ ସନ୍ତାନ:କୁଶବନ

                                                                                                                                                                                                 ଗିରିଶ ନାୟକ

ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭ କାମନା  କରୁଛି । ୟେ ବର୍ଷ ଆମ୍ଭ ମାନଙ୍କ ପାଇଁ ସଫଳତା ଓ ଆଲୋକର ବର୍ଷ ହେଉ । ସମୟ ଗଡି ଗଡି ଚାଲୁଛି ଆଗକୁ । ସକାଳର କଅଁଳ କିରଣ , ଦିନର ଟାଣ ହୋଇ ସଂନ୍ଧ୍ୟାରେ ଶୀତଳ ହୋଇ ଯାଏ । ତେବେ ପରିବର୍ତନ ଦୁନିଆରେ କିଛି ନା କିଛି ଅହରହ ପରିବର୍ତନ ହୋଇ ଚାଲିଛି । ଚାଲିଥିବ । ସାହିତ୍ୟ ହେଉଛି ସମାଜର ଦର୍ପଣ । ଯେଉଁ ସମାଜ ସାହିତ୍ୟରେ ଯେତେ ସମୃଧ ,ତାଙ୍କର ସାମାଜିକ ସ୍ଥିତି ସେତେ ସୁଦୃଢ ହୋଇ ଥାଏ । ସାହିତ୍ୟ ହିଁ ସମାଜରେ ଆଣେ ନୂତନ ଧାରା , ନୂତନ କ୍ରାନ୍ତି । ଜନ ସମାଜରେ ସୃଷ୍ଟି କରେ ଚିନ୍ତା ଆଉ ଚେତନା  । ଯେଉଁଠି ଚିନ୍ତା ଚେତନା ନାହିଁ, ତାହା ଏକ ଜଡ ଆଉ ନିର୍ବୋଧ ଅଟେ । ସାହିତ୍ୟ ହିଁ ସୃଷ୍ଟି କରେ  ନୂତନ ସମ୍ଭାବନା, ନୂତନ ଦିଗନ୍ତ ,ନୂତନ ସୃଷ୍ଟି ,ନୂତନ ଜାଗରଣ ।
ସମୟର ସୁଅରେ ଭାସି ଭାସି ଆସି ମୁଁ ଆଜି କୁଶକଂଟାରେ । ପିଲାଦିନର କାହାଣୀ ଆଜି ନାହିଁ । ଅଛି କେବଳ ହାଟ , ବଟ,ମଠ ,ଅଛି ସେହି ପରମମୟ  ମହାନ୍ ସନ୍ଥ ଗୋସ୍ବାମୀ ବାହୁଡା ଦାସଙ୍କର ଅଲୌକିକ ଶକ୍ତିର ଚମକ୍ । ତାଙ୍କର କାଳଜୟୀ କବିତା ,ଭଜନ ଓ ଜଣାଣ  ପ୍ରଭୃତି ଜନମାନସରେ ଉଜ୍ଜିବୀତ ହୋଇ ରହିଥିବ । ତାଙ୍କର ଅଲୌକିକ  କାର୍ଯ୍ୟ ଓ ସାମାଜିକ ସଂସ୍କାର , ବୌଧିକ ଚିନ୍ତାଧାରା ଦଳିତ ମହା ଭୋଇ କୁଳର ସମ୍ମାନ ଏବଂ ଏକତା ସୂତ୍ରରେ ବାନ୍ଧି ରଖିବାର କୌଶଳ ଓ ପ୍ରଣାଳୀ ତାହା ସମାଜରେ ବଳବତ୍ତର ରହିଛି । ତାଙ୍କ ଦ୍ୱାରା ପ୍ରଚଳିତ ଜାତି, ନୀତିକୁ ଅନୁସରଣ  ମାନି ଚାଲିଛି । ତାଙ୍କର ନୀତି ଆଦର୍ଶକୁ ସମ୍ମାନ ସହ ଗ୍ରହଣ କରି ନେଇଛି ।  ମୁଁ ଅନେକ ଥର ଚିନ୍ତା କରିଛି ଯଦି ମହା ଭୋଇ କୂଳରେ ଏହି ମହାପୁରୁଷ ଆର୍ବିଭାବ ହୋଇ ନ ଥାନ୍ତେ ,ତାହା ଆଜି ମହା ଭୋଇ କୂଳର ଅବସ୍ଥା କିପରି ହୋଇ ଥାନ୍ତା ??? ୟେ କଥା ନିଶ୍ଚିତ ଯେ , ଆମର ସାମାଜିଜ ସ୍ଥିତିରେ ନିଶ୍ଚିତ ଭାବରେ ଭିନ୍ନତା  ହୋଇଥାନ୍ତା ।
ଭକତିର ପ୍ଲାବନରେ ଦ୍ରବିତ ଉନ୍ମତ ଭକ୍ତ 
ଜାତି ସବୁବେଳେ ତାର ଇତିହାସକୁ ନେଇ ଗର୍ବ କରେ । ଆମ୍ଭେ  ଗର୍ବ କରିବା ୟେ ଜାତିରେ ସେହିଭଳି ମହାପୁରୂଷ ମାନେ ଆବିର୍ଭାବ ହୋଇଛନ୍ତିି ସନ୍ଥ ଗୋସ୍ବାମୀ ବାହୁଡା  ଦାସ , ସନ୍ଥ ବଳରାମ ଦାସ, ସନ୍ଥ କବି ଭୀମ ଭୋଇ ଓ  ଦାସିଆ ବାଉରୀ  । ୟେ  ମାନଙ୍କର ସମାଜିକ ସଂସ୍କାର , ଲକ୍ଷ ଏକ ଅଟେ । କିନ୍ତୁ ପ୍ରଣାଳୀ ଭିନ୍ନ ଅଟେ । ସମସ୍ତେ  ଜାତି ପ୍ରଥା ବିରୁଦ୍ଧରେ କବିତା ପୁରାଣ ରଚନା କରିଛନ୍ତି । ଏଥିରୁ ପ୍ରମାଣିତ ହୁଏ   ସେମାନେ ଜାତିପ୍ରଥା  ବିରୋଧରେ ଲଢେଇ କରିଛନ୍ତି । ଏଥିରୁ ପ୍ରମାଣିତ ହୁଏ ଜାତିପ୍ରଥାର ବିଷ ସମାଜରେ କେତେ ଉକ୍ରଟ ଓ ଭୟଙ୍କର ରାକ୍ଷସ ରୂପେ କବଳିତ କରିଥିଲା । ଆଜି ବି  ଏହି ଘୃଣ୍ୟ ପ୍ରଥା ଲୋପ ହୋଇ ପାରିନି ।  ଯେ ପର୍ଯ୍ୟନ୍ତ ଆମ୍ଭ ଭିତରେ ମାନସିକତା ଉନ୍ନତି ବିକାଶ ନ ହୋଇଛି , ସେ ପର୍ଯ୍ୟନ୍ତ ଏ ସମାଜରେ ଏ ବ୍ୟାଧିବଂଚି ରହିଥିବ । ଆମର ବୋ÷ଧିକ ଓ ମାନସିକତାର ବିକାଶ ପାଇଁ ବ୍ୟକ୍ତି ତାର ଚିନ୍ତା ଚେତନାକୁ ସାମାଜିକ ପରିବର୍ତନ ପାଇଁ ଲଢେଇ କରିବାକୁ ପଡିବ । ୟେ ଲଢେ ମାନବିକତା, ମଣିଷର ସମ୍ମାନ ପାଇଁ ।
                            ୨୦ ଅପ୍ରେଲ ୨୦୧୩ ରିଖରେ ମୋତେ କୁଶକଂଟା କମିଟିର ଅ୍ମକ୍ଷ ଭାବରେ ନିର୍ବାଚିତ କରାଗଲା , ବାସ୍ତବରେ ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲି । ଏହି ଆଶା ବହୁ ଦୁରରେ ଥିଲା । ସେହି ଦିନ ଠାରୁ କୁଶକଂଟାର ବିକାଶ ପାଇଁ ବହୁ ଚିନ୍ତା ଆଲୋଚନା ପାଇଁ କୁଶ କଂଟା ଠାରେ ୟେ ଜାତିର ଜାତୀୟ ମୁଖପତ୍ର ପାଇଁ ପ୍ରଚେଷ୍ଟାରେ ରହିଲି ।  ଶେଷରେ କୁଶବନ ନାମରେ ୟେ ପତ୍ରିକା ପ୍ରକାଶ ହେବା ପାଇଁ ଯାଉଛି । ଅନେକ ଲୋକ ଏହାକୁ ଇର୍ଷ୍ୟା କରିବେ , ନାକ ଟେକିବେ, ଆଙ୍ଗୁଳୀ ଦେଖାଇବେ  ଓ ସମାଲୋଚନା କରିବେ । ଆଗରୁ ଅନେକ ସାହିତ୍ୟ ଜନ୍ମ ନେଇଛି, ମୃତୁ୍ୟ ବି ହୋଇଛି । ସମୟ କହିବ ହିଁ ଏହାର ଶେଷ । ଏହା ପୁର୍ବରୁ ତିନିଗୋଟି  କ୍ଷୁଦ୍ର ପୁସ୍ତକ ଭିନ୍ନ ଭିନ୍ନ ନାମରେ  ଶ୍ରୀ ମୁରଲୀଧର ଭୋଇଙ୍କ ଆପ୍ରାଣ ଉଦ୍ୟମ କ୍ରମେ ପ୍ରକାଶ ହୋଇଛି । ମାତ୍ର ତାହା ଯଥେଷ୍ଟ ଭାବରେ ଜନ ମାନସ ଛୁଇଁ ପାରି ନାହିଁ ।  ତେବେ ତାଙ୍କର ଏହି ଉଦ୍ୟମ ତଥା ଏକନିଷ୍ଠ  ସାଧନା ,ଯେଉଁ ସାହିତ୍ୟର ମୂଳଦୂଆ ପଡିଛି । ତାହା ସଦା ସର୍ବଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ମୁୂଁ ଆଶା କରେ,  କୁଶ ବନ ପତ୍ରିକା  ଦ୍ୱାରା ତାଙ୍କର ଆତ୍ମା ପରିତୃପ୍ତି ଲାଭ କରିବ ।
  କୁଶବନ ଏକ ପ୍ରଗତିଶୀଳ ପତ୍ରିକା . ଏହା ସମାଜରେ ଥିବା କୁସଂସ୍କାର,ଅର୍ଥନୈତିକ ସମସ୍ୟା ,ଶିକ୍ଷା ଓ ଚେତନା ପାଇଁ ଏହାର  ଏକ  ବୈପ୍ଳବିକ ଆନ୍ଦୋଳନର ଏକ ଅଭିନବ ପ୍ରୟାସ । ଆମ୍ଭ ଦଳିତ ସମାଜର ଜନ୍ମିତ ମହାପୁରୁଷଙ୍କ ଜୀବନ ଆଦର୍ଶ ନେଇ ନୂତନ ଶୈଳୀରେ ଜନ୍ମ । ଆଶାକରେ ପାଠକ/ପାଠିକାଗଣ , ଆପଣ ମାନଙ୍କର ସୁଚିନ୍ତିତ ମତାମତ ,ଆମ୍ଭମାନଙ୍କୁ ଆଗକୁ ନେବା ପାଇଁ ସହାୟ ହେବ ।
                                                            ଅଧ୍ୟକ୍ଷ ,  ଓଡିଶା ମହାଭୋଇ କୁଳ ଜାତୀୟ                          ଧର୍ମାନୁଷ୍ଠାନ,କୁଶକଂଟା


                                                                                                    

ସେ ତ ଭକତ ଭାବରେ ବନ୍ଧା

ମାଧବାନନ୍ଦ ଭୋଇ
                                            


ମଣିଷ ଜୀବନ ନଶ୍ୱର , ବିନା ଆତ୍ମ ଚିନ୍ତନରେ ଜୀବନରେ ମୁକ୍ତି ଅସମ୍ଭବ । ସେଥିପାଇଁ ଭଗବାନ୍ ମଣିଷ ହାତରେ ତାଲା ଆଉ ଚାବି ଧରାଇ ଦେଇଛନ୍ତି  ।  ଅଧୁନା ମାନବ ସମାଜ ସବୁବେଳ ସୁଖ ସ୍ବାଛନ୍ଦ୍ୟରେ ରହିବା ପାଇଁ ନିଜ ଜୀବନକୁ ବସ୍ତୁବାଦୀ ଦୁନିଆଁରେ ବାଜୀ ଲଗାଇ ଦେଇଛି  ।  ଦେହ ସହିତ ଦେହୀ ମିଶି ଯାଇଛି । ଦେହୀ ଖୋଜିନି ପରତ୍ମାମାକୁ ,ଭୁଲି ଯାଇଛି ପରମ ସୁଖକୁ , ପରମ ଆନନ୍ଦକୁ ;  ଯେଉଁ ପରମ ଆନନ୍ଦ ପରମ ପିତା ଭଗବାନଙ୍କ ଠାରୁ ପ୍ରାପ୍ତ ହୋଇଥାଏ । ସତରେ ୟେ ପରମ ସୁଖଟିକୁ ପାଇବା ପାଇଁ  ସାଧୁ ସନ୍ଥ ମାନେ ବ୍ୟାକୁଳ ହୋଇ ହଜାର ହଜାର ବର୍ଷ ଧରି ତପସ୍ୟା ରତ । କିନ୍ତୁ ଆଧୁନିକ ମାନବ  “ଯାବତ୍ ଜୀବେତ୍ , ସୁଖଂ ଜୀବେତ୍ “ ଭାବି ଏହାକୁ ହସରେ ଉଡାଇଦିଏ । ତେବେ ଜୀବନରେ ଭଗବାନଙ୍କର  ସାନିଧ୍ୟ ଲାଭ କରିବା ନିତାନ୍ତ ଆବଶ୍ୟକ । ସେଥି ପାଇଁ  ଏକ ଭକ୍ତ ଗାଇଛନ୍ତି “ଭକତର ବନ୍ଧୁ ହୋ  ତମେ, ଭକତର୍ ସପନ, ଭକତର ଜୀବନ, ଭାବ ବିନୋଦିଆ ମୋହନ; ଡାକି ଡାକି ମୋର୍ ଗଲାନ ଜୀବନ , ଭକତର ଡାକ ନାଇଁ  ସୁନ”  । ବାସ୍ତବରେ ଭଗବାନଙ୍କ ପାଇଁ ଭକ୍ତ ହେଉଛି ପ୍ରିୟ । ଯେ ପର୍ଯ୍ୟନ୍ତ ଭଗବାନଙ୍କ ପାଇଁ ଅନ୍ତର ନ କାନ୍ଦିଛି , ଭକତିର ପ୍ଳାବନରେ ଆଖିିର ଲୁହ ଆସି, ପ୍ରଭୁଙ୍କ ପାଦ ନ ଧୋଇଛି , ତାଙ୍କୁ ପାଇବା ବହୁତ  କଷ୍ଟ  ।  ତେଣୁ ପ୍ରେମ ଭକ୍ତିର ପ୍ରବର୍ତକ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଲେଖିଛନ୍ତି ... ... ... .. 


    ଖାଲି ପଡିଛି ମୋ’ ହୃଦ ସିଂହାସନ, ବସିବ ନାଇଁ କି ବସିବ ନାଇଁ ,
   ମନ ମନ୍ଦିରେ ଆସ ପ୍ରିୟ ଠାକୁର , ସତ୍ୟ ଚିଦାନନ୍ଦ ପ୍ରିୟ ତୁମେ ସୁନ୍ଦର ।

ମୁହିଁ ତାଙ୍କରି ଚରଣ ଦାସୀଲୋ, ଚାହିଁ ତାଙ୍କୁ ହେଉଥିବି ଖୁସି
ତୁମେ ବରଷୁଛ କୃପା ବାରି, ହେଲେ ଭାଗ୍ୟରେ ନାହିଁ ମୋହରି ।

                                                କିନ୍ତୁ ସେ ପ୍ରଭୁ ଥରେ ହୃଦୟର ବଂଧନରେ ଧରା ଦେଇଗଲା ପରେ , ଜନମ ଜନମର ସାଥୀ ହୋଇଯାନ୍ତି । ମିଳେନା ଆଉ ପୁର୍ନଜନ୍ମ ... ... ଦେହ ଦେହୀ  ସେତେବେଳେ ଅଲଗାହୋଇଯାନ୍ତି । ୟେ ତ ଜୀବନର ମୂଳ ଲକ୍ଷ୍ୟ । କିନ୍ତୁ ବସ୍ତୁବାଦୀ ଦୁନିଆଁର ମଣିଷର ମନ ହଜିଯାଏ , କୋଠାରେ, ବ୍ୟାଙ୍କ ବାଲାନ୍ସରେ  ଆଉ ସୁନ୍ଦରୀ ସ୍ତ୍ରୀର ବାହୁ ବଂଧନରେ । ବୁଝି ପାରେନା କ୍ଷଣ ଭଙ୍ଗୁର ଜୀବନକୁ । କଅଣ ପାଇଁ ସଂସାରକୁ ଆସିଛି , ତାର ପ୍ରକୃତ ଲକ୍ଷ କଣ? ସେଥି ପାଇଁ ତ ଦେବତାମାନେ ଦେବ ଭୁମି ଭାରତ ବର୍ଷରେ ସାଧୁ ସନ୍ଥ ସ୍ବରୁପରେ ଜନ୍ମ ନିଅନ୍ତି ; ଦିଗ ଦର୍ଶନ ଦେବା ପାଇଁ ବିପଥଗାମୀ ମଣିଷ ମାନଙ୍କୁ । କାରଣ ଜୀବନରେ ତିନୋଟି ଗୁରୁଙ୍କର ନିତାନ୍ତ ଆବଶ୍ୟକ । ଯଥାକ୍ରମେ  ପ୍ରଥମ ଗୁରୁ ଭାବରେ ପିତାମାତା, ଦ୍ୱିତୀୟ ଶିକ୍ଷା ଗୁରୁ ଭାବରେ ଶିକ୍ଷକ ଏବଂ ତୃତୀୟ ଦୀକ୍ଷା ଗୁରୁ ଭାବରେ ଜଣେ ସଦ୍ ଗୁରୁ କିମ୍ବା ଜଣେ ମହାପୁରୁଷଙ୍କ ସାନିଧ୍ୟର ଆବଶ୍ୟକତା ମଣିଷ ଜୀବନରେ  ନିତାନ୍ତ ଅପରିହାର୍ଯ୍ୟ  ।  ବେଳେବେଳେ ମଣିଷ ଗୁରୁଙ୍କ ଠାରୁ ଦୀକ୍ଷା ନେଇ ମଧ୍ୟ, ତାର ଜୀବନ ବିଗିଡି ଯାଏ । କିନ୍ତୁ ମଣିଷ ଦୀକ୍ଷା ନ ନେଇ ମଧ୍ୟ କୌଣସି ସାଧୁସନ୍ଥଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନକୁ ସରସ ସୁନ୍ଦର ରୂପ ଦିଅନ୍ତି ।  ସେଥିପାଇଁ ତ  ମହର୍ଷି ନାରଦ ସର୍ବଦା ନାରାୟଣ ନାରୟଣ  ତୁଂଡରେ ଧରି ତ୍ରିଲୋକ ଭ୍ରମଣ କରୁଥାନ୍ତି । ସେଥିପାଇଁ ନିଜ ଭକ୍ତିରେ ଅବିଚଳିତ ରହିଥିଲେ । ଦିନେ ତାଙ୍କ ମନରେ ଗର୍ବ ଜାତ ହେଲା । ସେ ନାରାୟଣଙ୍କୁ ନିବେଦନ କରି କହିଲେ ହେ ପ୍ରଭୁ , ମୋ ଠାରୁ ତ୍ରିଲୋକରେ କେହି ବଡ ନାହାନ୍ତି । ମୁଁ ସବୁଠାରୁ ବଡ ଭକ୍ତ ଅଟେ । ଭଗବାନ ଟିକେ ହସି କହିଲେ ବତ୍ସ ନାରଦ, ହେଲେ ତୁମ ଠାରୁ ବଡ ଭକ୍ତ , ଅଛନ୍ତି ମୃତ୍ୟୁ ଲୋକରେ, କେଶବ ନାମକ କୃଷକ  ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।ଏଥିରେ ନାରଦଙ୍କ ମନରେ କ୍ରୋଧ ଆସିଲା, ଦୁଃଖ ବି ଆସିଲା । ଶୟନେ ସ୍ବପନେ ସବୁ ବେଳେ ପ୍ରଭୁଙ୍କୁ ସ୍ମରଣ କରି କେଶବ ଜିପରି ବଡ ଭକ୍ତ, ଏହା ଚିନ୍ତନ କରି ମହର୍ଷି ନାରଦ ପୃଥ୍ୱୀଲୋକରେ ପହଂଚିଲେ । ବାସ୍ତବରେ କେଶବ ଜଣେ  ସାଦା ସିଧା କୃଷକଟିଏ ଥିଲା । ସକାଳୁ ଉଠି  ନ ଗାଧୋଇ  ଓ ମୁହଁ ସଫା ନକରି “ନାରାୟଣ ନାରାୟଣ” କହି ବିଲକୁ ଯାଏ ।  କେବେ ମନେ ପଡେ ତ ଠାକୁରଙ୍କ ଗୀତ ପଦେ ଅଧେ ତୁଂଡରେ ଗାଇଦିଏ ।  ସଂନ୍ଧ୍ୟା ହେଲେ ଫେରି ଆସେ ଘରକୁ । ତାପରେ ଭୋକ ବିକଳରେ ଖାଇଦିଏ । ଠାକୁରଙ୍କ ସନ୍ଧ୍ୟା ମଧ୍ୟ କରେ ନାହିଁ । ଦୋକାନରୁ ସଉଦା କରେ । ପିଲା ମାନେ ଅଝଟ କଲେ , ଗାଳି ଦିଏ । ଘରର କାମ ନକରି ଥିଲେ ମଧ୍ୟ ସ୍ତ୍ରୀ କୁ ଗାଳି ଦିଏ । ଶେଷରେ ଖାଦ୍ୟ ଖାଇ “ନାରାୟଣ ନାରାୟଣ” କହି ଶୋଇ ପଡେ ।  ୟେ ଥିଲା କେଶବର ନିତି ଦିନିଆ ଜୀବନ , ମହର୍ଷି ନାରଦ ଦ୍ୱନ୍ଦରେ ପଡିଲେ । କାଳେ କେତେ ବେଳେ ବୈଦିକ ମନ୍ତ୍ର ପଢି କେଶବ ପୂଜା କରୁଥିବ, ସାଧନା କରୁଥିବ , ତେଣୁ ପନ୍ଦର ଦିନ କାଳ ଲୁଚିକି ଦେଖିବାକୁ ଲାଗିଲେ । ହେଲେ ସବୁଦିନ ପରି କେଶବର ଦୈନନ୍ଦିନ ଜୀବନ ସମାନ ଥିଲା । ଦଃୁଖ ସୁଖର ସଂସାର ଭିତରେ “ନାରାୟଣ ନାରାୟଣ “ ଦିପଦ ବ୍ୟତୀତ କିଛି ଜାଣି ନଥିଲା ।


                         ମହର୍ଷି ନାରଦ କୂଳ କିନାରା ନପାଇ ରାଗରେ ବୈକୁଣ୍ଠ ପ୍ରତ୍ୟାବର୍ତନ କଲେ । ଆଖିରୁ ଲୁହ ଝରି ଆସୁଥାଏ ।  ପ୍ରଭୁ ନାରାୟଣ ମହର୍ଷି ନାରଦଙ୍କୁ ଚାହିଁ ଟିକେ ହସି ଦେଲେ । ମହର୍ଷି ନାରଦ ଆହୁରି ରାଗି ଗଲେ , ଆଉ ଅତ୍ୟନ୍ତ କ୍ଷୋଭର ସହ କହିଲେ “ପ୍ରଭୁ ମୁଁ ତୁମକୁ କେବେ ଦିନରାତି ମୋ ଅନ୍ତରରୁ ଅଲଗା କରିନି , ସଦା ସର୍ବଦା ତୁମର ନାମ ଜପୁଛି । ହେଲେ କେଶବ କିପରି ତୁମର ପ୍ରିୟ ହୋଇଗଲା । ଯେ ଜଣେ ସାଧାରଣ ଚାଷୀ ଟିଏ ।  ପୂଜା କିପରି ହୁଏ ସେ ଜାଣିନି ।ହେଲେ ମୁଁ ତୁମର କେମିତି ପର ହୋଇଗଲି । ଏହା ମୋ ପାଇଁ ଅତ୍ୟନ୍ତ ଅପମାନର ବିଷୟ ଅଟେ “ । ପ୍ରଭୁ ନାରାୟଣ ହସିବାକୁ ଲାଗିଲେ ।  କିଛି ସମୟ ପରେ ମହର୍ଷି ନାରଦଙ୍କୁ କହିଲେ “ମୋର ଏକ କାମ କରିଦେଇ ପାରିବ “ । ନାରଦ ଉତ୍ସୁକତା ସହ କହିଲେ “କି କାମ ପ୍ରଭୁ , ଆଦେଶ ଦିଅନ୍ତୁ । ପ୍ରଭୁ ନାରାୟଣ  କହିଲେ ବତ୍ସ ନାରଦ, ଏକ ତେଲ     ୂର୍ଣ୍ଣ ପାତ୍ର ନେଇ କରି ଯାଅ , ସାରା ବ୍ରହ୍ମାଣ୍ଡ ଚାରି ପଟେ ବୁଲି ଆସ । ହେଲେ ମନେରଖ ପାତ୍ରରୁ ତେଲ ଟିକେ ତଳେ ନ ପଡି ଯାଏ ।  ତେଲ ପଡିଲେ ଅଘଟଣ ସୃଷ୍ଟି ହେବ “ା ମହର୍ଷି ନାରଦ “ ଆଜ୍ଞା   ପ୍ରଭୁ “  କହି  ବ୍ରହ୍ମାଣ୍ଡ ପରିକ୍ରମା କରିବା ପାଇଁ ଚାଲିଗଲେ । ତେଲ ପୂର୍ଣ ପାତ୍ରକୁ ସଦା ସର୍ବଦା ଲକ୍ଷ ରଖିଥାନ୍ତି , କାଳେ ଟିକେ ବୁନ୍ଦେ କେଉଁଠି ତଳେ ପଡିଯିବ ।

                                ସାତ ଦିନ ପରେ ନାରଦ ବ୍ରହ୍ମାଣ୍ଡ ପରିକ୍ରମା ସମାପନ କରି ବୈକୁଣ୍ଠରେ ପହଂଚିଲେ ।   ହାତରେ ତେଲ ପୁର୍ଣ ପାତ୍ର ।  ନାରଦ କହିଲେ ପ୍ରଭୁ  ଆପଣଙ୍କ ତେଲପୂର୍ଣ ପାତ୍ର ନିଅନ୍ତୁ ।  ବ୍ରହ୍ମାଣ୍ଡ ପରିକ୍ରମା କରିବା ସମୟରେ ସଦା ସର୍ବଦା ମୁଁ ତେଲପାତ୍ର ଉପରେ ଧ୍ୟାନ ରଖିଥିଲି ।  ତେଣୁ ଏଥିରୁ ତେଲ ଟିକେ ବି ତଳେ ପଡିନି ।  ପ୍ରଭୁ ନାରାୟଣ  ଟିକେ ହସି କହିଲେ  ବତ୍ସ ନାରଦ. ଏହା ଅତି ଉତମ , ହେଲେ ସାତ ଦିନ ଭିତରେ ମୋର ନାମ କେତେ ଥର ନେଇଛ ?  ନାରଦ କହିଲେ     ପ୍ରଭୁ  , ନଜର ତ ସବୁ ବେଳେ ତେଲ ପାତ୍ର ଉପରେ ଥିଲା । ଆପଣଙ୍କ ନାମ ନେବି କେତେବେଳେ ? ଯଦି  ନାମ ତୁଣ୍ଡରେ ଧରିଥାନ୍ତି , ତେବେ ତେଲ ଢାଳି ହୋଇ ଯାଇଥାନ୍ତା ।     
                         ନାରାୟଣ ହସି ହସି କହିଲେ , ବତ୍ସ ନାରଦ, କେଶବ ଜଣେ କୃଷକ , କେତେ ବ୍ୟସ୍ତ ବହୁଳ  ଜୀବନ ତାହାର ,  ଜଣେ ଗୃହସ୍ଥର ଜୀବନର ଜଂଜାଳ ପୂର୍ଣ୍ଣ ଥିଲେ ମଧ୍ୟ ସେ ଦୈନନ୍ଦିନ ଜୀବନ ମଧ୍ୟରେ ମୋତେ ସ୍ମରଣ କରୁଛି । ବାସ୍ତବରେ ପ୍ରଭୁଙ୍କ ପ୍ରିୟ ହେବା ପାଇଁ କିଛି ସାଧନା ଓ ପୂଜାର ଆବଶ୍ୟକତା ନାହିଁ । ଏହା ପାଇଁ ପୂଜାର ଆବଶ୍ୟକୀୟ ସମୟ ମଧ୍ୟ ଦରକାର ନାହିଁ । କେବଳ ହୃଦୟରେ ଭକ୍ତି ଦରକାର , ଭଲ ପାଇବା ଦରକାର । ଯେ  ପର୍ଯ୍ୟନ୍ତ ମଣିଷ ଭଗବାନଙ୍କୁ ଭଲ ପାଇନି , ନିଜର କରିନି, ସେ ଭଗବାନଙ୍କ ପ୍ରିୟ ହେବ କିପରି ?  ହେଲେ ତୁମେ, ସାତ ଦିନରେ ଏତେ ବ୍ୟସ୍ତ ହୋଇଗଲ ଯେ , ମୋତେ ଭୁଲି ଗଲ । ହେଲେ କେଶବ ମୋତେ କେବେ ବି ଭୁଲିନି , ସଂସାରର  ବ୍ୟସ୍ତତା ମଧ୍ୟରେ । ତେବେ କୁହ ନାରଦ , ମୋର ପି୍ରୟ ଭକ୍ତ କିଏ ?  ନାରଦ ଲାଜରେ ମୁହଁ ତଳକୁ କରିଦେଲେ । ବାସ୍ତବରେ  ଭକତ ଭାବରେ ବଂଧାରେ , ସେତ ଭକତ  ଜୀବନ ଧନ  । ଭଗବାନଙ୍କ ପାଖରେ ଭକ୍ତ ପାଇଁ ଉଚ ନୀଚ, ଧନୀ  ଗରିବ ବାଛ ବିଚାର ନଥାଏ ।  
                 “ମଧୁ ନିର୍ମାଲ୍ୟ” ସା- ଭୋଦଳ,ପୋ-ପାଟସୁନ୍ଦରପୁର               କଟକ- ୧୮, \ìeûbûh-738 160 1800





ବାହୁଡା ବାରତା ; ବସୁଧୈବ କୁଟୁମ୍ବକମ୍

                                                                                                                                                                                                                                                                                ବିଶ୍ୱନାଥ କାଣ୍ଡି         

ଆପଣା ଦୁଃଖରେ ଲୁହ ନ ଗଡାଇ ,ହସି ହସି ରୁହ ବଂଚି ,
ଅପର ଦୁଃଖରେ ସମଦୁଃଖୀ ହୋଇ , ଳୁହ ଦିଅ ତାର ପୋଛି । 

ଅନ୍ୟକୁ ଖୁଆଇ ଯେ ସୁଖ ମିଳଇ , ନିଜେ ଭୁଂଜି ବାରେ ନାହିଁ ,
ଅନ୍ୟର ହିତରେ ଲାଗି ନ ପାରିଲେ, ବଂଚିବାରେ ଲାଭ କାହିଁ ?

ଆଗାମୀ ଦିନରେ ବଂଚି ବାକୁ ହେଲେ, ନିଜକୁ ସୁଧାରି ନିଅ ,
ବାହୁଡାଙ୍କ ପାଦେ ପଶହେ ଶରଣ , ଦୂର ହେବ ମନୁ କୋହ ।

                               ଯେ ବେଳେ ଜାଣିବ , ଏ ଜାତିର ଗାଥା; ଜଗତେ ପଡିବ ହୁରି ,
                              ଇତିହାସେ ତାହା,   କିମ୍ବଦନ୍ତୀ ହୋଇ , ରହିବ ମନେ ସବୁରି ।



                                                                        ନୂଆତୋଟା ସାହି ,କଟକ

ବାହୁଡ଼ା ଦଶମୀ ଓ ସିଦ୍ଧ ସନ୍ଥ ବାହୁଡ଼ା ଦାସ

ବଦ୍ରି ମିଶ୍ର ,ବରିଷ୍ଠ ସାମ୍ବାଦିକ
                        
ଓଡିଶାର ଧର୍ମ, ସଂସ୍କୃତି ଓ ଚେତନାରେ ଶ୍ରୀଜଗନ୍ନାଥ ଚିରକାଳ ରହସ୍ୟମୟ । ମଠ, ପୀଠ, ଭକ୍ତ ଓ ସାଧୁ ସନ୍ଥଙ୍କୁ ନେଇ ଅସଂଖ୍ୟ ଅଲୌକିକତା ଆଜି ବି ଜନମାନସରେ ଉଜ୍ଜୀବିତ । ସେହିଭଳି ଜଗନ୍ନାଥଙ୍କ ଜଣେ ପରମ ଭକ୍ତ ସନ୍ଥ ବାହୁଡ଼ି ଦାସଙ୍କ କଥା । ପ୍ରାୟ ୧୭୫୦ ଖ୍ରୀଷ୍ଟାବ୍ଦରେ ବାହୁଡ଼ା ଦଶମୀ ଦିନ କଟକ ଜିଲାନ୍ତର୍ଗତ ଖନ୍ଦୋଳ ଗ୍ରାମର ଏକ ଦଳିତ (ବାଉରି) ପରିବାରରେ ତାଙ୍କର ଜନ୍ମ ହୋଇଥିବା କୁହାଯାଏ । ବାହୁଡ଼ା ଦଶମୀରେ ଜନ୍ମ ହୋଇଥିବାରୁ ତାଙ୍କର ନାଁ ଦିଆଯାଇଥିଲା ବାହୁଡ଼ା ବା ବାହୁଡ଼ି । ବାଲ୍ୟ କାଳରୁ ସେ ଥିଲେ ଜଗନ୍ନାଥଙ୍କ ଜଣେ ବଡ଼ ଭକ୍ତ । କାୟ ମନୋବାକ୍ୟରେ ସେ ଶ୍ରୀଜଗନ୍ନାଥଙ୍କୁ ହିଁ ଧ୍ୟାନ, ମନନ ଓ ଚିନ୍ତନ କରୁଥିଲେ । ସାମାନ୍ୟ କିଛି ଅସୁବିଧା ସୁବିଧାରେ ସେ ଜଗନ୍ନାଥଙ୍କୁ ହିଁ ଡ଼ାକୁଥିଲେ ଓ ସବୁକିଛିକୁ ତାଙ୍କ ନିକଟରେ ସମର୍ପଣ କରିଦେଉଥିଲେ । ସବୁ ତାଙ୍କରି କୃପା ବୋଲି ସେ ବିଚାର କରୁଥିଲେ । ଜୀବିକା ନିର୍ବାହ ପାଇଁ ସ୍ଥାନୀୟ ଜମିଦାର ଭିଙ୍ଗାରପୁର ଚୌଧୁରୀଙ୍କ ଅଧୀନରେ ହଳିଆ (କୋଠିଆ) ଭାବେ କାର୍ଯ୍ୟ କରୁଥିବା ସନ୍ଥ ବାହୁଡ଼ି ଦାସ ଥିଲେ ଜମିଦାରଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଓ କର୍ମଠ କର୍ମଚାରୀ । ତେଣୁ ଅନ୍ୟ ହଳିଆଙ୍କ କାର୍ଯ୍ୟ ମଧ୍ୟ ତାଙ୍କ ମାର୍ଫତରେ ତଦାରଖ ହେଉଥିଲା । 
                       ଥରକର ଘଟଣା, ରାତି ପାହିଲେ ବୈଶାଖ ମାସ ଅକ୍ଷୟ ତୃତୀୟା । ଚାଷୀମାନଙ୍କ ବଡ଼ ପବିତ୍ରର ଦିନ । ଅକ୍ଷିମୁଠି ଅନୁକୂଳ ହେବ । ସମସ୍ତ ଚାଷୀଙ୍କ ପରି ଜମିଦାର ମଧ୍ୟ ବ୍ୟସ୍ତ ଥାନ୍ତି । ଜମିଦାରୀ ବ୍ୟବସ୍ଥାରେ ଅକ୍ଷିମୁଠି ଅନୁକୂଳ ଦିନ ହଳିଆମାନେ ବିଲରେ ବିହନ ବୁଣା ଅନୁକୂଳ କରି ଫେରିବା ପରେ ତାଙ୍କ ପାଇଁ ପ୍ରସ୍ତୁତ ନାନା ରକମ ବ୍ୟଞ୍ଜନ, ପିଠା, କ୍ଷୀରି ଆଦି ପରିବେଷିତ ହେଉଥିଲା । ନୂତନ ବସ୍ତ୍ରଟିଏ ବି ମିଳୁଥିଲା । ଏହି ଦିନକୁ ଚାଷୀମାନେ ମହାଆନନ୍ଦ ଉଲ୍ଲାସରେ କଟାଉଥିଲେ । ମାତ୍ର ଅକ୍ଷିତୃତୀୟା ପୂର୍ବ ରାତିରେ ସେଥର ବାହୁଡ଼ାଙ୍କୁ ହେଲା ପ୍ରବଳ ଜ୍ୱର । ଖାଲି ଜଗନ୍ନାଥଙ୍କୁ ଡ଼ାକୁଥାନ୍ତି ଓ କାନ୍ଦୁଥାନ୍ତି । “ହେ ସାଆନ୍ତେ ତୁମେ ସବୁରି ଉପରେ ବଡ଼ ସାଆନ୍ତ । ଆଉ ମୋ ଜମିଦାର ହେଲେ ମୋ ସାଆନ୍ତ । ଜ୍ୱର ଯୋଗୁ ଯଦି ଅକ୍ଷିମୁଠି ଅନୁକୂଳରେ କିଛି ବିଘ୍ନ ହେବ ତେବେ ଜମିଦାର ରାଗିବେ । କୋଠିଆ ଚାକିରୀ ଚାଲିଯିବ । ପିଲା ପରିବାର ବର୍ଷକ ଦାନା ପାଇବେ କିପରି ?” ଏମିତି ଏମିତି ସାରା ରାତି ବ୍ୟସ୍ତତା ଓ ଅନିଦ୍ରାରେ ବାହୁଡି ଦାସଙ୍କର କଟିଗଲା । ସକାଳ ହେଲା । ଜ୍ୱର କମି ନ ଥାଏ, ଦେହରେ ବଳ ପାଉ ନ ଥାଏ । ସେଇଥିରେ ଅକ୍ଷିମୁଠି ଅନୁକୂଳ ପାଇଁ ଯିବାକୁ ମନସ୍ଥିର କଲେ । ତଥାପି ସେଇ ଜ୍ୱରରେ ଗାଧୋଇପଡ଼ି ବାହାରିଲେ ଜମିଦାରଙ୍କ କୁଶକଂଟା ଖମାରକୁ । ସେଠାରେ ତାଙ୍କ ପରି ଆଉ ୯ଜଣ ହଳିଆ ବି ଜମିଦାରଙ୍କ ବଡ଼ ବଡ଼ ବଳଦ ଓ ହଳଲଙ୍ଗଳ ଧରି ପହଂଚି ଥାନ୍ତି ।
                                                ଉପରୁ ପ୍ରଚଣ୍ଡ ଖରାକୁ ଏଣେ ଦେହରେ ପ୍ରବଳ ଜ୍ୱରର ତାତି । ଜଗନ୍ନାଥଙ୍କୁ ଡ଼ାକି ଡ଼ାକି ହଳ ଧରିଲେ  ସିନା ହେଲେ ମାତ୍ର କେଇଥର ବଳଦକୁ ଅଡ଼ାଇଛନ୍ତି କି ନା ମୁଣ୍ଡ କ’ଣ ହୋଇଗଲା । ବିକଳରେ ହଳ ଛାଡି ବିଲ ହିଡ଼ ଉପରେ ଶୋଇଗଲେ । କେତେବେଳେ ତାଙ୍କ ଆଖି ଲାଗିଯାଇଛି ସେ ଜାଣିନାହାଁନ୍ତି । ଜମିଦାରଙ୍କ ଗୁମାସ୍ତା ସେଠାରେ ଉପସ୍ଥିତ ଥାଇ କିଛି ସମୟ ଲକ୍ଷ୍ୟ କଲେ ଯେ ୧୦ଟି ହଳ ବୁଲୁଛି । ମାତ୍ର ଗୋଟିଏ ହଳ ପଛରେ କେହି ହଳିଆ ନଥାଇ , ମନକୁ ମନ ହଳ ବୁଲି ଜମି ଚାଷ ହେଉଛି । ଖୋଜାପଡ଼ିଲା ଅନୁପସ୍ଥିତ ହଳିଆ ଜଣଙ୍କୁ । ଏ ଭିତରେ ଗୁମାସ୍ତା ଲକ୍ଷ୍ୟ କଲେ ଜଣେ କିଏ ବିଲ ହିଡ଼ରେ ଶୋଇଛି । ପାଖକୁ ଯାଇ ଦେଖିଲେ ସେ ଆଉ କେହି ନୁହଁ, ବାହୁଡ଼ି ଦାସ । ପ୍ରଚଣ୍ଡ ଖରାରେ ସେ ଯେଉଁଠି ଶୋଇଥିଲେ ତାଙ୍କର ଠିକ୍ ଉପରକୁ ଆକାଶରେ ଛତ୍ରୀ ଧରିବା ପରି ଏକ କଳାବାଦଲ ଘୁରି ବୁଲୁଛି । ଯାହାର ଛାଇ ହିଡ଼ ଉପରେ ଶୋଇଥିବା ବାହୁଡ଼ାଙ୍କ ଉପରେ ହିଁ ରହିଛି । କିନ୍ତୁ ଆକାଶରେ ବର୍ଷା କି ବାଦଲର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ । ଏପରି ବିସ୍ମୟଜନକ ଘଟଣା ଦେଖି ଗୁମାସ୍ତା ଜଣଙ୍କ ଶୋଇଥିବା ବାହୁଡ଼ାଙ୍କୁ ଡ଼ାକିବାରୁ ସେ ହଠାତ ଉଠି ପଡିଲେ । ନିଜ ଅଜାଣତରେ ହଳ ବୁଲାଇବାକୁ ଆସି ଶୋଇବା ପରି ଭୂଲ କରିଥିବାରୁ ଭୟରେ ଥରିଥରି କାନ୍ଦୁଥାନ୍ତି । ମାତ୍ର ଗୁମାସ୍ତା ତାଙ୍କ ଭୂଲ ଦେଖିବା ପରବର୍ତେ ଏହି ଅଲୌକିକତା ସଂପର୍କରେ ବାହୁଡ଼ାଙ୍କୁ ପଚାରିଲେ ।  ହେଲେ ଜଗନ୍ନାଥଙ୍କ ପରମ ଭକ୍ତ ବାହୁଡ଼ି ଦାସ ସରଳ ଭାବେ ଏସଂପର୍କରେ କିଛି ଜାଣି ନ ଥିବା ଓ ଜ୍ୱର ହେତୁ ହଳ ବୁଲାଇ ନ ପାରି ବିଲମୁଣ୍ଡରେ ଶୋଇପଡ଼ିଥିବା ସତ ମାନିଗଲେ । ମାତ୍ର ସତ କହିଥିଲେ ହେଁ ଭୟ ଥିଲା କାଳେ ଜମିଦାର ଏକଥା ଜାଣିଲେ ତାଙ୍କ ଚାକିରୀ ଚାଲିଯିବ । ତେଣୁ ଗୁମାସ୍ତାଙ୍କୁ କାନ୍ଦି ନେହୁରା ହେଲେ, ଅନୁରୋଧ କଲେ, ଶୋଇପଡ଼ିବା ସଂପର୍କରେ ସାଆନ୍ତଙ୍କୁ କିଛି କହିବେ ନାହିଁ । ହଳ ବୁଲାସରିଲା, ଖାଇବା ପତ୍ର ପଡ଼ିବା ବେଳକୁ ଗୁମାସ୍ତା ଜମିଦାରଙ୍କୁ ବାହୁଡ଼ାଙ୍କ ସଂପର୍କରେ ଏପରି ଅଲୌକିକତାର କାହାଣୀ ବଖାଣିଲେ । ଜମିଦାରଙ୍କ ପ୍ରଶ୍ନରେ ବାହୁଡ଼ା କିଛି ଉର ଦେଇ ନ ପାରି ଜଗନ୍ନାଥଙ୍କ ମହିମା ସ୍ମରଣପୂର୍ବକ ପୁଣି କାନ୍ଦି ପକାଇଲେ । ଆଖିରୁ ଧାରଧାର ଲୋତକ ବହୁଥାଏ । ସେ ଏହି ଘଟଣା କ’ଣ ବାସ୍ତବରେ ତାହା ଜାଣି ନ ଥିବା ପ୍ରକାଶ କଲେ । 
                               
ମହାନ୍ ସନ୍ଥ ଗୋସ୍ବାମୀ ବାହୁଡା ଦାସଙ୍କ ସମାଧି ପୀଠ
           ଜମିଦାର ବାହୁଡ଼ାଙ୍କ ଅଲୌକିକତା ଓ ତାଙ୍କ ପ୍ରତି ଜଗନ୍ନାଥଙ୍କ କରୁଣାର ଯେଉଁ ଝଲକ ଦେଖିଲେ, ସେଥିପାଇଁ ନିଜକୁ ଧନ୍ୟ ମନେକରିବା ସହିତ ହଳବୁଲୁଥିବା ସେହି ୧୨ ମାଣ ୧୨ ଗୁଣ୍ଠ ୧୨ ବିଶ୍ୱା ଜମିକୁ ସିରସ୍ତାରେ ବାହୁଡ଼ାଙ୍କ ନାମରେ ପଟ୍ଟା କରିଦେଲେ ଓ ବାହୁଡ଼ାଙ୍କ ପରି ଜଗନ୍ନାଥଙ୍କ ଜଣେ ପରମଭକ୍ତ ଠାରୁ ନିଜକୁ ତଳେ ଥିବା ସେହିଦିନ ଅନୁଭବ କଲେ । ଏହି ଘଟଣା ପରଠାରୁ ତାଙ୍କର ଅଲୌକିକ ମହିମା ଚତୁଃର୍ଦିଗରେ ପ୍ରଚାରିତ ହୋଇଗଲା । ବାହୁଡ଼ା ଦାସ ଜମିଦାରଙ୍କଠାରୁ ପାଇଥିବା ଏହି ଜମି ଉପରେ ଆଶ୍ରମଟିଏ କରି ରହିଲେ । ଜଗନ୍ନାଥଙ୍କୁ ଏକାଗ୍ର ଚିତରେ ଧ୍ୟାନ ଲଗାଇଲେ । ଏକଦା ଜଣେ ବ୍ୟକ୍ତି ତାଙ୍କ ଅଲୌକିକତାକୁ ପରୀକ୍ଷା କରିବାକୁ ଆସି ଆଶ୍ରମଠାରୁ କିଛି ଦୂରରେ ପରିହାସ ଛଳରେ ନିଜ ଗୋଡ଼ରେ ଏକ କନା ବାନ୍ଧିଲେ ଓ ଛୋଟେଇଛୋଟେଇ ଆଶ୍ରମରେ ପହଂଚିଲେ । ବାହୁଡ଼ାଙ୍କୁ ପଚାରିଲେ ଯେ ତାଙ୍କ ଗୋଡ଼ରେ କ’ଣ ହୋଇଛି ସେ ଚାଲିପାରୁନାହାଁନ୍ତି । ବାହୁଡ଼ା ଗୋଡ଼ରୁ କନା ଫିଟାଇବାକୁ କହିଲେ । କନା ଖୋଲିବା ବେଳକୁ ଗୋଡ଼ରେ ଏକ ବିରାଟ କ୍ଷତ ଓ ଏଥିରେ ପୂଜ, ରକ୍ତ ସହିତ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଥିଲା ବୋଲି ଆଜି ବି ଲୋକମୁଖରେ ପ୍ରଚାରିତ । ଏହି ବ୍ୟକ୍ତିଜଣଙ୍କ ଏଥିରେ ଛାନିଆ ହେବା ସହିତ ବାହୁଡ଼ାଙ୍କ ଶକ୍ତିରେ ବିସ୍ମିତ ଓ ଆଶ୍ରୟପ୍ରାର୍ଥୀ ହୋଇଥିଲେ । ସେ ମିଛ ବାହାନା କରିଥିବା ପାଇଁ ଭୂଲ ମାଗିବା ପରେ ଉକ୍ତ ବ୍ୟକ୍ତିଙ୍କୁ କନାବନ୍ଧା ଅବସ୍ଥାରେ ଯେଉଁଠୁ ଆସିଥିଲେ ସେହିଠାରେ ଫିଟାଇବାକୁ କହନ୍ତେ ଏହା ବ୍ୟକ୍ତି ଜଣଙ୍କ ପାଳନ କରିବାରୁ ଗୋଡ଼ ପୂର୍ବପରି ଅକ୍ଷତ ଥିବା ଦେଖିବାକୁ ମିଳିଥିଲା । ଆଉ ମଧ୍ୟ ଜନଶ୍ରୁତି ଅଛି ଯେ, ପ୍ରତିବର୍ଷ ଶ୍ରୀ ଗୁଂଡିଚା ଦିନ ତାଙ୍କ ଜନ୍ମଦିନ ଉପଲକ୍ଷେ ସେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର,  ପୁରୀ ଯାଉଥିଲେ । ଥରେ ସେ ଶ୍ରୀ ଗୁଂଡିଚା ଦିନ ପୁରୀ ଯାଉଥିବା ଲୋକମାନେ ଦେଖିଥିବା ଓ  ତାଙ୍କ ସହିତ କଥା ହୋଇଥିବା ବେଳେ ଫେରୁଥିବା ଲୋକଙ୍କୁ ସେ ଏକଥା କାହାକୁ ନ କହିବାକୁ ପରାମର୍ଶ ଦେଇଥିଲେ । ତେବେ କେଉଁଥିପାଇଁ ସେ ଏପରି କହିଥିଲେ ଏହି ଲୋକମାନେ ଏହାର କାରଣ ବୁଝି ନ ପାରି ସ୍ଥାନୀୟ ଅଂଚଳରେ ଘରକୁ ଫେରିବା ପରେ କହିବାରୁ ଜଣାପଡିଥିଲା ଯେ କେତେବେଳ ଠାରୁ ବାହୁଡ଼ାଙ୍କ ଦେହାନ୍ତ ହୋଇଗଲାଣି । ସେମାନେ ଏହା ବିଶ୍ୱାସ ନ କରି ଆଶ୍ରମକୁ ଆସନ୍ତେ ସତକୁ ସତ ତାଙ୍କ ମରଶରୀର କୋକେଇରେ ଲଦା ହେଉଥିବା ଦେଖିଥିଲେ । ତନ୍ମଧ୍ୟରୁ ଜଣେ ବାହୁଡ଼ାଙ୍କୁ ପୁରୀ ଯାଉଥିବା ଅବସ୍ଥାରେ ଏଇମାତ୍ର ଦେଖିଆସିଥିବା କହିଦେବାରୁ ତାଙ୍କର ବି ସେହିଦିନ ଦେହାନ୍ତ ହୋଇଥିଲା ବୋଲି କଥିତ ଅଛି । 
           ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧଙ୍କ ପରେ ବାହୁଡି ଦାସଙ୍କ ଜନ୍ମ ଓ ନିର୍ବାଣ ଦିବସ ଏକ ବୋଲି କେତେକ ଆଲୋଚକ ଓ ଗବେଷକ ମତବ୍ୟକ୍ତ କରିଥାନ୍ତି । ଜଗନ୍ନାଥଙ୍କୁ ତନ୍ତ୍ରର ଦେବତା ଭାବେ ମଧ୍ୟ ଉପାସନା କରାଯାଉଥିବା ବେଳେ ପଂଚସଖାଙ୍କ ମଧ୍ୟରୁ ଅଚୁ୍ୟତଙ୍କ ଅଣାକାର ଏକାକ୍ଷର ମନ୍ତ୍ର ପରି ବାହୁଡ଼ା ଦାସଙ୍କ ମଠରେ ଅନୁରୂପ ଏକାକ୍ଷର ମନ୍ତ୍ର ଦେଖିବାକୁ ମିଳେ । ଯାହାକି ଏସଂପର୍କରେ ଅଧିକ ଗବେଷଣାର ଆବଶ୍ୟକତା ଅଛି । ଏବେ ମଠରେ ଭକ୍ତ ବାହୁଡ଼ି ଦାସଙ୍କ ପ୍ରତିମୂର୍ତି ସହିତ ସେଠାରେ ଥିବା ୨ଟି (ଗୁରୁ ଶିଷ୍ୟ) ମାଟି ହୁଙ୍କା, ଗୋପୀନାଥ ଠାକୁର ଓ ଅନ୍ୟ ଠାକୁର ମୂର୍ତି , ପାଦୁକା ଆଦି ପୂଜା ପାଉଛନ୍ତି । ତେବେ ପୌଷ ଶୁକ୍ଳଦଶମୀ ବା ପବିତ୍ର ଶାମ୍ବ ଦଶମୀକୁ ତାଙ୍କ ତିରୋଧାନ ଦିବସ ଭାବେ ଆଶ୍ରମରେ ପାଳନ କରାଯାଇଥାଏ । ଏହିଦିନ ଏଠାରେ ବହୁ ଜନଗହଳି ମଧ୍ୟ ହୋଇଥାଏ । ବାହୁଡ଼ା ଦାସଙ୍କ ସଂପର୍କରେ ସବୁଠୁ ବଡ଼ ଅଲୌକିକତା ଓ ରହସ୍ୟମୟ ଘଟଣା ଏବେ ବି ଜନମାନସରେ ବିଦ୍ୟମାନ । ତାହାହେଲା ତାଙ୍କ ପୂଜା ପାଉଥିବା ଗାଦୀ ପାଖରେ ସ୍ତମ୍ଭାକାର ବଢ଼ୁଥିବା ୨ଟି ମାଟି ହୁଙ୍କା । ଗୋଟିଏ ବଡ଼ ଅନ୍ୟଟି ତା’ଠୁ ସାନ । କୁହାଯାଏ ଗୁରୁଶିଷ୍ୟ ପରମ୍ପରାରେ ଗୋଟିଏ ତାଙ୍କ ନିଜ ଗୁରୁଙ୍କର ଓ ଅନ୍ୟଟି ତାଙ୍କର । ଭକ୍ତ ବାହୁଡ଼ି ଦାସ ଗୁରୁ ଯୋଗୀ ଦାସଙ୍କ ଶିଷ୍ୟ ଥିବା ମଧ୍ୟ କେହି କେହି କହନ୍ତି । ତେବେ ମାଳିକାଲେଖାର ଉଦାହରଣ ଦେବାକୁ ଯାଇ କିଛି ଲୋକ କୁହନ୍ତି କଳିଯୁଗରେ- “ଗୁରୁଙ୍କ ନାମ ଗୋପ୍ୟ ହେବ, ଶିଷ୍ୟ ନାମଟି ପ୍ରଚାରିବ” କଥା ଥିବାରୁ ହୁଙ୍କା ମଧ୍ୟରୁ ବଡ଼ ହୁଙ୍କାଟି ଗୁରୁଙ୍କର ଓ ସାନଟି ଶିଷ୍ୟଙ୍କର ଯାହାକି ଅତ୍ୟନ୍ତ ଅବିଶ୍ୱସନୀୟ ଭାବେ ସାନବଡ଼ କ୍ରମରେ ଏବେ ବି ବଢ଼ି ଚାଲିଛି । ସବୁଠୁ ବିସ୍ମୟ ଯେ ଏହି ମାଟିହୁଙ୍କା ଯଦି ଉଇଙ୍କ ଦ୍ୱାରା ହେଉଛି ବୋଲି ଧରାଯାଏ ତେବେ ହୁଙ୍କାରେ ଗୁଡ଼ାଯାଇଥିବା ନୂତନ ବସ୍ତ୍ରରେ ବର୍ଷବର୍ଷ ଧରି ଉଇ ନ ଲାଗିବାର କାରଣ କ’ଣ ? ଏହାକୁ ଉଇ ଖାଉନାହାଁନ୍ତି କାହିଁକି ? ଯଦିଓ ହୁଙ୍କା ଗମ୍ଭୁଜ ଆକାରରେ ବଢ଼ିଚାଲିଛି । ଅପରପକ୍ଷରେ ଯଦି ହୁଙ୍କାରେ ଉଇ ନାହାଁନ୍ତି ତେବେ ଏହା ଉପରକୁ ବଢ଼ୁଛି କିପରି ? ତେଣୁ ଏହା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ପରମଭକ୍ତ ବାହୁଡ଼ାଙ୍କ ଶରୀର ବିହୀନ ଆତ୍ମାର ଅଲୌକିକ ଉପସ୍ଥିତି ଯେ ଏବେ ବି ବିଦ୍ୟମାନ ତାହା ପରମ ଲୋକ ବିଶ୍ୱାସ ରହିଛି । 
                       ବାହୁଡ଼ି ଦାସଙ୍କ ପରେ ମଠର ତତ୍ୱାବଧାରକ ଭାବେ ସନ୍ଥ ଅରକ୍ଷିତ ଦାସ ଦାୟିତ୍ୱ ତୁଲାଉଥିଲେ । ଅନେକ ରୋଗ ଉପଶମ ପାଇଁ ଲୋକେ ସେହି ମଠକୁ ଆସୁଥିଲେ । ମଠ ପୋଖରୀରେ ବୁଡ଼ି ଗେଣ୍ଡା, ଶାମୁକା ଆଦି ଯାହା ପାଇବ ତାହା ଖାଇବାକୁ ହୁକୁମ ହେଉଥିଲା ଓ ଏଥିରେ ତକ୍ରାଳ ରୋଗ ଭଲ ହେଉଥିଲା ବୋଲି ଲୋକେ କହନ୍ତି । ଏମିତିକି ଜରୁଆ ରୋଗୀକୁ ବି ପାଣିରେ ବୁଡ଼ି ଗାଧୋଇବାକୁ କୁହାଯାଉଥିଲା । ଜମିଦାର ଭିଙ୍ଗାରପୁର ଚୌଧୁରୀଙ୍କ ଦାନ ଜମି ବାହୁଡ଼ା ଦାସ ମଠର ମୁଖ୍ୟ ସଂପତି  ହୋଇଥିବା ବେଳେ ଏଥିରୁ ବହୁଅଂଶ ଏବେ ଜବରଦଖଲରେ ଗଲାଣି । ଯଦିଓ ସାଂସଦ ଓ ବିଧାୟକ, ପୂର୍ବତନ ବିଧାୟକମାନଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରେ ଏଠାରେ କିଛିଟା ଉନ୍ନୟନ ହୋଇଛି ତଥାପି ତାହା ସମୁଦ୍ରକୁ  ଶଂଖେପରି ଓ ଆଖିଦୃଶିଆ ନୁହେଁ ।  ଦଳିତମାନଙ୍କର ଏହା ଏକ ମୁଖ୍ୟ ପୀଠ ହୋଇଥିଲେ ହେଁ ସବୁଦିନେ ଏଠାକୁ ବିଭିନ୍ନ ସଂପ୍ରଦାୟର ଲୋକେ ଆସିଥାନ୍ତି । ପୀଠକୁ ଭଲ ରାସ୍ତାଟିଏ ନାହିଁ । ଏସଂପର୍କରେ ଅଧିକ ଗବେଷଣା ପାଇଁ ଏଠାରେ ଏକ ପାଠାଗାର ଓ ମୁ୍ୟଜିୟମର ଆବଶ୍ୟକତା ରହିଛି । ପୀଠ ପୋଖରୀର ଉନ୍ନୟନ ଆବଶ୍ୟକ । ଫଳ, ଫୁଲ ଓ ଚାରା ବୃକ୍ଷ ରୋପଣ କରାଗଲେ ପୀଠର ସୌନ୍ଦର୍ଯ୍ୟ ବୃଦ୍ଧି ପାଆନ୍ତା । ବ୍ରାହ୍ମଣଝରିଲୋ-ଗବବସ୍ତ ପିଚୁ ସଡ଼କରେ ବ୍ରାହ୍ମଣଝରିଲୋ ବଜାରରୁ ମାତ୍ର ୨ କି.ମି ଆସିଲେ ପ୍ରାୟ ୨୦୦/୩୦୦ ମିଟର (ମୁଖ୍ୟରାସ୍ତାରୁ) ଦୂରରେ କୁରାଙ୍ଗ ପ୍ରଧାନ ପଂଚାୟତ ଅନ୍ତର୍ଗତ କୁଶକଂଟା ଠାରେ ଏହି ପୀଠ ରହିଛି । ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲେ ବହୁ ପର୍ଯ୍ୟଟକ ଆସିପାରନ୍ତେ ଓ ଏହି ଅଲୌକିକ ମାଟି ହୁଙ୍କାର ରହସ୍ୟ ନିଜେ ଦର୍ଶନ କରିପାରନ୍ତେ ବୋଲି ବହୁ ମତ ପ୍ରକାଶ ପାଉଛି ।


                                          ସମାଜ(ନିଜ ପ୍ରତିନିଧି ), କଂଟାପଡା

ସତ୍ ପଥେ ସାହା ହେବେ ପ୍ରଭୁ

ଅନୁସୟା ନାୟକ
ଆଜି ଏଇ ପୁଣ୍ୟ ପୀଠ ପବିତ୍ର ଗାଦୀରେ ,
                          ପୂଜ୍ୟ ବାହୁଡା ଦାସଙ୍କ ପବିତ୍ର ପୀଠରେ ,
ଏଠାରେ ଆଗତ  ଯେତେ ଜ୍ଞାନୀ ଗୁଣୀ ଜନ,
                      ସଭିଙ୍କ ଚରଣେ ମୋର ଅଶେଷ ପ୍ରଣାମ ।


ଆମ ଜାତିର ଉନ୍ନତି, ଜାତିର କଲ୍ୟାଣେ, ଏକତାର ମହାମନ୍ତ୍ରେ ,ଏକ ହେବା ଆମେ 
ଶିକ୍ଷା ଆଉ ସଂସ୍କୃତିର ଶୁଭ ସାଧନାରେ ,ଗଢିବା ନିଜକୁ ଆଉ ସଭିଙ୍କୁ ଆଦରେ ।

ତେବେ ସିନା ହେବ ଆମ୍ଭ ଜଗତ କଲ୍ୟାଣ , ସତ୍ ପଥେ ସାହା ହେବେ ପ୍ରଭୁ ଅନୁକ୍ଷଣ ,
ଆମେ ସବୁ ଏକମନ ହୋଇ ଏକ ପ୍ରାଣ , କରିବା ସୁ ଶପଥେ; ଜଗତ କଲ୍ୟାଣ  ।

ଶୁଭ ଚିନ୍ତା , ସତ୍ କର୍ମେ, ଶୁଭ ଜ୍ଞାନ ବଳେ ,ହେବା ଆମେ ସୁ ମଣିଷ ଏଇ ଦୁନିଆରେ ,
ସଭିଙ୍କ ଅନ୍ତରେ ଦିବ୍ୟ ଜ୍ଞାନ ଅଛି ପୁରି , ସୁ ପଥେ ଚଳିବା , ଶୁଭ ନୀତି ଅନୁସରି  ।

ଏକତାର ମହାନ୍ତ୍ରେ ଏକତା ସାଧନେ , ଏକ ହେବା ଆମ୍ଭେ ଜଗତ କଲ୍ୟାଣେ  ,
ଏକ ହେଲେ ସବୁ କାର୍ଯ ବାଧା ରହିବନି ,ଯେତେ ବାଧା, ବିଘ୍ନ ସବୁ ଯିବା ଆମ୍ଭେ ଜିଣି 

ବିଶ୍ୱ ସ୍ରଷ୍ଟାଙ୍କର ପଦେ କରୁଛି ପ୍ରଣାମ, ଦିଅନ୍ତୁ ସକଳେ ସୁ ଭାବନା,ଶୁଭ ଜ୍ଞାନ ,
ଆସ ଆମ୍ଭେ ଏକ ହେବା, ହୋଇ ଏକ ମନ, କରିଯିବା ଜଗତର କଲ୍ୟାଣ ସାଧନ ।
                                                                          


    ଶ୍ରୀକୋରୁଅû , କଟକ

ଅଭୁଲା ଅତୀତରେ ଆମର କୁଶକଂଟା

                                             ଦିବାକର ରାଉତ, 
ପୂର୍ବତନ ସାଧାରଣ ସଂପାଦକ
                                              ଓଁ ଗୋସ୍ବାମୀ ବାହୁଡା ଦାସ ନମୋଃ ନମଃ ,୧୯୮୨-୮୮ରେ କର୍ମକର୍ତା ୰ଶ୍ରୀ ବଙ୍କିମ ଦାସ କଟକ ବିଡାନାସୀ ସଭାପତି, ୰ ମୁରଲୀଧର ଭୋଇ, ସା.ସଂପାଦକ ୪୨ ମୈାଜା ଦେଉଳି, ଶ୍ରୀ କୈଳାଶ ଚନ୍ଦ୍ର ଭୋଇ ଉପସଭାପତି ଉଲ୍ଲାର ,ଶ୍ରୀ କ୍ଷୀରୋଦ ଚନ୍ଦ୍ର ଦାସ ଜଏଂଟ୍ସେକ୍ରେଟାରୀ ଭଦିମୂଳ, କଟକ ଓ ଶ୍ରୀ ସୁରେନ୍ଦ୍ର ନାଥ ଭୋଇ କୋଷାଧ୍ୟକ୍ଷ ବ୍ରାହ୍ମଣସାଇଲୋ , ପ୍ରମୁଖଙ୍କୁ ନେଇ ଅନେକ ସଭ୍ୟଥିଲେ  । ସେ ସମୟରେ ମୁଁ ସଭ୍ୟଭାବେ (ଉପଦେଷ୍ଟା)କାର୍ଯ୍ୟ କରିଥିଲି  । ପ୍ରଥମରେ ଏହି ଅନୁଷ୍ଠାନକୁ ସୋସାଇଟି ଆକ୍ଟ ଅନୁସାରେ ରେଜେଷ୍ଟ୍ରୀ  କରିବା ପାଇଁ ପଠାଯାଇଥିଲା । । ଯାହା କି ଆମକୁ ସେ ରେଜେଷ୍ଟ୍ରୀ ସଂପର୍କରେ ୰ମୁରଲୀଧର ଭୋଇ ଜଣାଇଲେ ନାହିଁକି ଅନ୍ୟ ସଭ୍ୟମାନେ ଜାଣିପାରିଲେ ନାହିଁ  । ସେ ତାଙ୍କ ନିକଟରେ ସମସ୍ତ କାଗଜପତ୍ର ରଖିଲେ  । ୧୯୮୨-୮୫ ପର୍ଯ୍ୟନ୍ତ ଏକ ସଂଘର୍ଷପୂର୍ଣ୍ଣ ସମୟ ଥିଲା କାରଣ ଏ କମିଟି ଗଠନ ପୂର୍ବରୁ ସର୍ବର୍ଣ୍ଣମାନେ କର୍ମକର୍ତା ରହିଥିଲେ  । ସେମାନଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ କେବଳ ମଠର ସର୍ବମୟ ଅଧିକାରୀ ଫୌଜଦାରଙ୍କୁ ଛାଡି ସମସ୍ତ ମହନ୍ତମାନଙ୍କ ସହ ସ୍ଥାନୀୟ୧୨ଭାଇମାନେ ଓ ବରିଷ୍ଠ ସଭ୍ୟମାନେ ଅସହଯୋଗ କରିଥିଲେ  । ଏହାର ସମାଧାନ ପାଇଁ ୨ ଗୋଟି ସାଧାରଣ ବୈଠକ ୪୨ମୈାଜା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟରେ ୰ କୁମର ଭୋଇ ହଳଦୀଆପଡାଙ୍କ ସଭାପତିତ୍ୱରେ ଅନ୍ୟଟି ବିରିବାଟୀ କମିଟି ଗୃହରେ ବରି ମହନ୍ତ ୰ଶ୍ରୀ ସୁରେନ୍ଦ୍ରନାଥ ଦାସ ,ବାଖରାବାଦଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇ ୮୪-୮୫ ମସିହାରେ ସମାଧାନ ହୋଇ ସମସ୍ତେ ପୂର୍ଣ୍ଣସହଯୋଗ କରିବେ ବୋଲି ୮୫ ମସିହାରେ ବାରଭାଇ ମୁଖ୍ୟ ୰ ଫକିର ଚରଣ  ଦାସ କହିଲେ ଏହା ପୂର୍ବରୁ ମଠର ଜମି ସମ୍ପର୍କରେ ଜାଣିବାକୁ ଚାହିଁବାରୁ ସେମାନେ ଅର୍ଥ ୰ ମୁରଲୀ ଭୋଇ କହିଲେ ମଠର ଅନେକ ସମ୍ପତି ଥିଲା, କିନ୍ତୁ ସ୍ଥାନୀୟ ରକ୍ଷଣଶୀଳ ବ୍ୟକ୍ତିଙ୍କ ଦ୍ୱାରା ଯେଉଁମାନେ ମଠର କର୍ମକର୍ତା (କମିଟି ନୁହେଁ) ସନ୍ଥ, ଫୌଜଦାର ମହନ୍ତମାନଙ୍କୁ କୈାଶଳରେ ହାତ କରି ସମସ୍ତ ଜମିକୁ ହଡପ କରିଛନ୍ତି  । ବର୍ତମାନ ମାତ୍ର ମଠର ବାହୁଡା ବିଜେସ୍ଥଳୀ ନାମରେ ମୋଟ ୨ ଗୋଟି ପ୍ଲଟ ଏ.୦-୧୭ଡିସିମିଲି ଅଛି  । ସେତେବେଳେ ସମସ୍ତ ଜମିର ମୋଟ ୨୭ଏକରରୁ  ଅଧିକ ହେବ ରେକର୍ଡ ଅଛି ବୋଲି ଆମେ ବିଶ୍ୱାସ କରି ସେତେବେଳର ଜିଲ୍ଲାପାଳ,ରାଜସ୍ବ ଅଧିକାରୀ,ଓଡିଶା,ଏମ୍.ଏଲ୍.ଏ.ମନ୍ତ୍ରୀଙ୍କ ସମେତ ବାଚସ୍ପତିଙ୍କୁ ଜଣାଇଲୁ ଶେଷରେ ବଙ୍ଗ, ବିହାର ଓ ଓଡିଶାର ରେକର୍ଡଗାର ଖୋଜା ଯାଇଛି  ।
                                                ଏହାର ଆଇନ୍ ଗତ ଅନୁଯାୟୀ କିଛି କରିହେବ ନାହିଁ ବୋଲି ଜାଣିଲୁ  । ଏ ସବୁର ଜମିର ମୁଖ୍ୟ ବର୍ତମାନ ଶତପଥୀ ବଂଶଧର (୰ବିଶ୍ୱାଧର ଶତପଥୀ)ଙ୍କ ଉତରାଧୀକାରୀଙ୍କ ନାମରେ ରେକର୍ଡ ହୋଇଯାଇଛି  । ୰ମୁରଲୀ ବାବୁ କହିଲେ ତାଙ୍କ ପାଖରେ ସମସ୍ତ ରେକର୍ଡ ଅଛି ଆବଶ୍ୟକସ୍ଥଳେ ସେ ସମସ୍ତ ରେକର୍ଡ ଦର୍ଶାଇବେ  । ଏଥିପାଇଁ ପ୍ରତ୍ୟେକ ପ୍ରଗଣାର ଆଂଚଳିକ କମିଟିର କର୍ମକର୍ତା ମାନଙ୍କ ଠାରୁ ନୈତିକ ଓ ଆର୍ଥିକ ସମର୍ଥନ ପାଇଲୁ  । ୧୯୮୮ରେ ଜାନୁୟାରୀରେ ୰ଭ୍ରମରବର ଦାସ ସଭାପତି କଟକ ଦୋଳମୁଣ୍ଡାଇ,ବିଶ୍ୱନାଥ ଭୋଇ-ଉପସଭାପତି, କୈଳାସ ଭୋଇ ,ଉଲ୍ଲାର ଓ ଦିବାକର ରାଉତ ସା.ସଂପାଦକ-ନଂ-୧, ୰ମୁରଲୀଧର ଭୋଇ ସା.ସଂପାଦକ୨ନଂ, ଦାମୋଦର ଭୋଇ କ୍ୟାସିୟର ସଇଁନ୍ଧା, ଉପଦେଷ୍ଟା ୰ବଂକିମ ଦାସ କଟକ ଓ ଶ୍ରୀ ଅମର ଦାସ କୁନେଇ ପଡା ଏତତ୍ ବ୍ୟତିତ ଶ୍ରୀ ଅରକ୍ଷିତ ଭୋଇ,ସିଦ୍ଧେଶ୍ୱରପୁର ସମସ୍ତ ଦାୟିତ୍ୱରେ ଥିଲେ  । ପ୍ରତ୍ୟେକ ଆଖପାଖ ଗ୍ରାମମାନଙ୍କରେ ବୈଠକ କରାଯାଇ ସେମାନେ ନୈତିକ ସମର୍ଥନ ସହିତ ସହଯୋଗ କରିବେ  । ଏଥିପାଇଁ ଶତପଥୀ ବଂଶଧରଙ୍କ ସହ ଯୋଗାଯୋଗ କରାଗଲା  । ସେମାନେ ଦୋଳ ପୂର୍ଣ୍ଣିମାକୁ ସମସ୍ତ ଅଂଶୀଦାରମାନେ ଏକତ୍ର ହେବେ ବୋଲି ପ୍ରତିଶ୍ରୃତି ଦେଲେ ,କିନ୍ତୁ ଆସିଲେ ନାହିଁ  । 
 ମହାନ୍ ସନ୍ଥଙ୍କ ସାଧନାପୀଠ
ଏହାର ନେତୃତ୍ୱ ୰ଭ୍ରମରବର ଦାସ, ୰ବଂକିମ ଚନ୍ଦ୍ର ଦାସ କଟକ ଓ ଦିବାକର ରାଉତ ନେଇଥିଲେ  । ପ୍ରାକ୍ଟିକାଲ ରୋଲ ଦିବାକର ରାଉତଙ୍କୁ ଦିଆଗଲା, ଚାଷ ହୋଇପାରିବ ନାହିଁ, ବେତ ଜଙ୍ଗଲ ନିଲାମ ହୋଇ ପାରିବ ନାହିଁ ଓ ନଡିଆ ଗଛରୁ ଖଣ୍ଡେ ବାହୁଙ୍ଗା ହଣା ହୋଇ ପାରିବ ନାହିଁ  । ଏପରି ଏଠାରେ ଆମ୍ବ ଓ ପଣଷ ନେଇ ପାରିବେ ନାହି, ଯେ ପର୍ଯ୍ୟନ୍ତ ଶତପଥୀ ବଂଶଧରମାନେ ଏ ସବୁ ଜମିର ପୁଙ୍ଖାନୁ ପୁଙ୍ଖଭାବେ ଆମ୍ଭମାନଙ୍କୁ ସମ୍ୟକ୍ ଧାରଣା ନ ଦେଇଛନ୍ତି  । ସେଥିପାଇଁ ୫/୭ଜଣ ବ୍ୟକ୍ତିଙ୍କୁ ମୁତୟନ କରାଗଲା  । ୧୯୯୨-୧୯୯୪ ମସିହା ପର୍ଯ୍ୟନ୍ତ ଏମାନଙ୍କର ସମସ୍ତ ଖର୍ଚ୍ଚ ୰ଭ୍ରମରବାର ଦାସ ଓ ଶ୍ରୀ ଅରକ୍ଷିତ ଭୋଇ ବହନ କରୁଥିଲେ  । ଏହି ସମୟ ମଧ୍ୟରେ ବିଭିନ୍ନ ପ୍ରକାର ମିଥ୍ୟା ମକୋଦ୍ଦମା ଓ କଟକ ସଦର ଥାନା ଅଧିକାରୀଙ୍କୁ ଚାପ କରାଇ ଅଚାନକଭାବେ ଗାଡିରେ ନେଇ ଥାନାରେ ଅଟକ ରଖିଲେ, କେତେକଙ୍କୁ କୋର୍ଟ ‘ରୱାର୍ଡ କଲେ ।ଆମ୍ଭେ ଜାମିନିରେ ଆଣିଲୁ  ଏ ସମସ୍ତ କେସ୍ ମୋତେ ବୁଝିବାକୁ ପଡୁଥିଲା  ।
                            ଏଥିରେ ସେମାନେ ଅନୁଭବ କଲେ କି ଏହାର କିଛି ଗୋଟେ ସମାଧାନ କରିବା ଆଶାରେ ଶ୍ରୀ  ଯଂଗେଶ୍ୱର ଶତପଥୀ ମୋ ସହିତ ଘରେ କଥା ହୋଇ ସାରିବା ପରେ ୰ଭ୍ରମର ଦାସଙ୍କ ନିକଟକୁ ଗଲୁ  । ତାଙ୍କ ଘରେ କଥାହେଲା କି ସମସ୍ତ ଅବରୋଧ ହଟିବ ଓ ଅଂଚଳର ବିଶିଷ୍ଟ ଭଦ୍ରବ୍ୟକ୍ତିମାନଙ୍କଉପସ୍ଥିତିରେ ଏହାର ଏକ ସବୁଦିନ ପାଇଁ  ଆଲୋଚନା କରାଯାଇ ନିଷ୍ପତି ହେବ  । ଏହାପୂର୍ବରୁ ସମସ୍ତ ପ୍ରକାର କେସ୍  ଉଠା ଯିବ,  ତାହା ହିଁ ହେଲା  । ଏତଦ୍ ବ୍ୟତୀତ ତତ୍କାଳୀନ ବାରଙ୍ଗ ବ୍ଲକର ଚେୟାରମ୍ୟାନଙ୍କ ଉପସ୍ଥିତିରେ କିଛି ଧାନ ଓ ନଡା ଦେବାପାଇଁ ନିଷ୍ପତି ହେଲା  । ଏହା ବି କାର୍ଯ୍ୟକାରୀ ହୋଇଗଲା  ।

ତୁହି ଏକା ସାହା ମୋହର ଜଗତନାଥ
                      କଟକ ସଦର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୧୯୯୪ ଜୁନ୍ ମାସରେ କୁଶକଂଟା ବଟ ସ୍ଥଳଠାରେ ଉଭୟ ପକ୍ଷଙ୍କ ଆହ୍ୱାନକ୍ରମେ ସ୍ଥାନୀୟ ସରପଂଚଙ୍କ ସମେତ ଏ ଅଂଚଳର ସମସ୍ତ ସରପଂଚ, ବ୍ଲକ ଚେୟାରମ୍ୟାନ ଶ୍ରୀ ଦିଗମ୍ବର ମହାପାତ୍ର, ଏମ୍.ଏଲ୍.ଏ. ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହ, ବିଶିଷ୍ଟ ଭଦ୍ରବ୍ୟକ୍ତି ଜିଗିନିପୁରର ଶ୍ରୀ ହାଡିବନ୍ଧୁ ଜେନା, ମହିଧରପଡା ଶ୍ରୀ ଶରତ ଚନ୍ଦ୍ର ଦାଶ, ସନ୍ତୋଳ -୰ମହେନ୍ଦ୍ର ଦାସ, ଗବବସ୍ତର ସିଦ୍ଧିକ୍ ଅଲ୍ଲୀ, ବ୍ରାହ୍ମଣ ଝରିଲୋ ସନାଉଲ୍ଲା ଖାଁ, ଅରଡିଆପଦାର ଶ୍ରୀ କିଶୋର ମହାପାତ୍ର  ପ୍ରମୁଖ ବହୁ ନିମନ୍ତ୍ରିତ ଓ ଅନିମନ୍ତ୍ରିତ ବ୍ୟକ୍ତିମାନେ ଉପସ୍ଥିତ ଥାଇ ଆଲୋଚନା ହୋଇଥିଲା  । ପ୍ରଥମ ପକ୍ଷ ହିସାବରେ ସର୍ବ ଶ୍ରୀ ଧଡେଶ୍ୱର ଶତପଥୀ, ରାମଚନ୍ଦ୍ର ଶତପଥୀ, ଲିଙ୍ଗରାଜ ଶତପଥୀ,  ଯଜେ୍ଞଶ୍ୱର ଶତପଥୀ ଓ ଶ୍ରୀ ବିଘ୍ନେଶ୍ୱର ଶତପଥୀ ଥିଲେ  । ଦ୍ୱିତୀୟ ପକ୍ଷ ହିସାବରେ ସର୍ବଶ୍ରୀ ୰ଭ୍ରମରବର ଦାସ, ୰ବଂକିମ ଚନ୍ଦ୍ର ଦାସ, ଦିବାକର ରାଉତ, ୰ମୁରଲୀଧର ଭୋଇ ଓ ୰ଶଙ୍କର୍ଷଣ ଭୋଇ ମୁଖ୍ୟ ଭାବେ ଓ ଅନେକ ଭୋଇକୂଳର ସଭ୍ୟମାନଙ୍କର ଉପସ୍ଥିତରେ ଆଲୋଚନା ହୋଇଥିଲା  ।  ସଭାପତି ହିସାବରେ ସ୍ଥାନୀୟ ବିଧାୟକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହ ପରିଚାଳନା କରିଥିଲେ  । ବହୁ ଆଲୋଚନା ପରେ ଯେତେବେଳେ ସଭା ପକ୍ଷରୁ ମଠ କିମିଟି ପଚାରିଲେ,ଯେ ତୁମ ପାଖରେ କ’ଣ ଜମି ରେକର୍ଡ ଅଛି? ଦାଖଲ କର  । ଯେଉଁ ବ୍ୟକ୍ତି ତାଙ୍କ ପାଖରେ ସମସ୍ତ ଜମି ରେକର୍ଡ ଅଛି ବୋଲି କହି ବୁଲୁଥିଲେ,ଶେଷରେ ଆମ୍ଭଙ୍କୁ ବୋକା ବନେଇ (ମୁରଲୀ ଭୋଇ) ଦେଲେ ଓ କହିଲେ ତାଙ୍କ ପାଖରେ କିଛି ନାହିଁ  । ସେ ସ୍ଥଳରେ ୰ବଂକିମ ଦାସ ଭିକ୍ଷାମାଗିବା ଛଳରେ ଉପସ୍ଥିତ ସମସ୍ତ ଭଦ୍ରବ୍ୟକ୍ତିମାନଙ୍କୁ କହିଲେ ଆମ୍ଭଙ୍କୁ ମଠର ସୁନ୍ଦର ହେବା ଭଳି ଜମି ଦିଆଯାଉ  । ଏ କଥାକୁ ବିଚାର କରି ସଭାପତିଙ୍କ ସମେତ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ସଭାସ୍ଥଳରୁ ଆସି ସର ଜମିନି ତଦାରଖ କରି ନିମ୍ନମତେ ଫଏସଲା କଲେ ଗାଦିପୀଠକୁ ଲାଗି ଦକ୍ଷିଣ ପାଶ୍ୱର୍ରେ ଥିବା ଜଳାଶୟ ସିଧା ରାସ୍ତା ପର୍ଯ୍ୟନ୍ତ,ଗାଦିପୀଠର ଆଗପଛ ସମସ୍ତ ଜମିକୁ ଶତପଥୀ ବଂଶଧରମାନେ ବିନା ମୂଲ୍ୟରେ ଗୋସ୍ବାମୀ ବାହୁଡା ଦାସଙ୍କ ନାମରେ ରେଜେଷ୍ଟ୍ରି କରିଦେବେ ଓ ରେଜେଷ୍ଟ୍ରି ଖର୍ଚ୍ଚ କମିଟି ବହନ କରିବେ  । ଏହାକୁ ମାପଚୁପ କରାଇ ଶିଘ୍ର ରେଜେଷ୍ଟ୍ରି କରି ଦେବା ପାଇଁ ସଭାପକ୍ଷରୁ ଶତପଥୀ ବଂଶଧରମାନଙ୍କୁ କୁହାଗଲା  । ଠିକ୍ ତାର ୭ଦିନ ପରେ ଯେତେବେଳେ ମାପଚୁପ କରିବା ପାଇଁ ସ୍ଥିର ହେଲା ସେତିକି ବେଳେ ଉତର ପଟେ ଥିବା ବଡଭାଇଙ୍କୁ (୰ଧନେଶ୍ୱର ଶତପଥିଙ୍କୁ) ଅନୁରୋଧ କଲୁ କି ଏକ ଫାଳିକିଆ ହେଉଛି । ତେଣୁ ସେ ସେତେବେଳେ କହିଲେ ଟ.୭୫,୦୦୦/- (ପନ୍ଚସ୍ତରୀ ହଜାର ଟଙ୍କା) ନେଲେ ଦେବେ, ଆମେ ସେତେବେଳେ ଟ.୫୦,୦୦୦/- ଦେବୁ ବୋଲି ସ୍ଥିର ହୋଇଥିଲା  । ସଂପୃକ୍ତ ମୈାଜାର ନକ୍ସା ନ ମିଳିବାରୁ ମାପଚୁପ ବନ୍ଦ ରହିଲା  ।ଯାହା ଫଳରେ ଆମେ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ଠାରୁ କିଛି ଆର୍ଥôକ ସହାୟତାରେ ଗୋଟିଏ ଚାଳଘର କରିଥିଲୁ  । ସେତେବେଳେ ଶତପଥୀଙ୍କୁ କହିବାରୁ,ସେ ଚାଳଘରର ସମସ୍ତ ବାଂଉଶ ବତା ସେମାନଙ୍କର ଶଗଡ ଦ୍ୱାରା ନେଇ ଶତପଥୀଙ୍କୁ ଦେଇଥିଲେ  । ଏଠାରେ ଆମେ ଗୋଟିଏ ବିଦ୍ୟାଳୟ ଖୋଲିଥିଲୁ । ସେଥିରେ ଶିକ୍ଷକଭାବେ ଚଳିତ କମିଟିର କୋଷାଧ୍ୟକ୍ଷ ଶ୍ରୀ ବାବୁଲି ଭୋଇ କିଛି ଦିନ ପାଇଁ ଶିକ୍ଷା ଦେଉଥିଲେ  । ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ଦ୍ୱାରା ବୈଷ୍ଣବ ବାରଭାଇଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଥିଲା  ।
    
ସପ୍ତସତୀ ମନ୍ଦିର,ଭୁବନେଶ୍ୱର ଠାରେ ଥିବା ସ୍ବାମିଜୀଙ୍କ ଅବୟବ
        ତା ପର ଠାରୁ ଦିନ ଗଡି ଚାଲିଲା  । ସମସ୍ତ ଅଂଶୀଦାର ଏକତ୍ର ହେଲେ ନାହିଁକି ରେଜେଷ୍ଟ୍ରି ହୋଇ ପାରିଲାନାହିଁ  । ବିଭିନ୍ନ କାରଣ ଦର୍ଶାଇ ଆଜ ପର୍ଯ୍ୟନ୍ତ ଏହି ପରିସ୍ଥିତି ରହିଛି  । ଏ ସବୁ ଘଟଣାର ସ୍ଥାନୀୟ ବୈଷ୍ଣବ ୧୨ ଭାଇମାନେ ସହଯୋଗ କଲେ ନାହିଁ  । ଭୋଇଜାତିର ମଧ୍ୟରେ ଉତମ ବୁଝାମଣା ବା ଶୃଙ୍ଖଳା ଦୃଷ୍ଟିରୁ ପ୍ରତ୍ୟେକ ପ୍ରଗଣାରେ ଆଂଚଳିକ କମିଟିମାନ କରିଥିଲୁ  । ଏହା ମାଧ୍ୟମରେ ପ୍ରଗଣାର ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରାଯାଉଥିଲା  । ସଭାପତିଙ୍କ ସମେତ ଶ୍ରୀ ଅରକ୍ଷିତ ଭୋଇ, ଅମର ଦାସ,ଦାମୋଦର ଭୋଇ, ୰ମୁରଲୀ ଭୋଇ,କୈଳାସ ଭୋଇ, ୰ଶଙ୍କର୍ଷଣ ଭୋଇଙ୍କ ସମେତ ଦିବାକର ରାଉତ ପ୍ରମୁଖ କର୍ମକର୍ତାମାନେ ସଂପୃକ୍ତ ପ୍ରଗଣାରେ ପହଁଚି ସମାଧାନ କରୁଥିଲୁ । ବିଶେଷ କରିି ଶ୍ରୀ ଅମର ଦାସ, ଦାମୋଦର ଭୋଇ ଓ ମୁଁ ନିଜେ ଯାଇ ସମାଧାନ କରିଥିଲି ।
                   ଯେତେବେଳେ ସଭାପତି ହାର୍ଟ ଆଟାକରେ ଦେହତ୍ୟାଗ କଲେ,୧୯୯୯ରେ ଶ୍ରୀ ଅରକ୍ଷିତ ଭୋଇ କମିଟି ସଭ୍ୟ ଓ ମହନ୍ତମାନଙ୍କ ଗହଣରେ ସଭାପତି ପଦରେ ଅଭିସିକ୍ତ ହେଲେ   । ୨୦୦୦ମସିହାରେ ତାଙ୍କୁ ଅପସାରଣ କରି ନୂତନ ଆବାହକ କମିଟି ଗଠନ କରାଗଲା  । ପ୍ରତ୍ୟେକ ବା ପରୋକ୍ଷଭାବେ ଜଗତସିଂହ ବିଧାୟକଙ୍କ  ପ୍ରେରଣାରେ ପରିବର୍ତନ ହେଲା।  ସେତେବେଳକୁ କମିଟିର ବଳକା ରାଶି ଟ. ୧୦,୦୧୫(ଦଶହଜାର ପନ୍ଦର ଟଙ୍କା) ମୋ ପାଖରେ ଥିଲା ଓ ସମସ୍ତ ମହନ୍ତ ଓ ବରିଷ୍ଠ ସଭ୍ୟମାନଙ୍କ ସହମତି କ୍ରମେ ମୋ ପାଖରେ ରହିଲା  । କଥା ସ୍ଥିର କରାଗଲା କି ଯେତେବେଳେ ଜମି ରେଜେଷ୍ଟ୍ରୀ କରାଯିବ ସେତେବେଳେ ଦେବି  । କିନ୍ତୁ ପୂର୍ବ କମିଟିରେ ଟ.୩୦୦୦/- ଖର୍ଚ୍ଚ କରିଛନ୍ତି, ବାକୀ ଟ. ୭୦୦୦/- ଟଙ୍କାରୁ ବର୍ତମାନ କମିଟିକୁ (ଗିରିଶଚନ୍ଦ୍ର ନାୟକଙ୍କୁ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଂଡିଆ ଫୁଲ୍ ନଖରାରେ ଖାତା ଖୋଲିବାପାଇଁ ଟ୨୦୦୦/-( ଦୁଇ ହଜାର ଟଙ୍କା )  ଦେଇଛି  । ଅବଶିଷ୍ଟଟ. ୫୦୦୦/- ଜମି ରେଜେଷ୍ଟ୍ରି ବେଳେ ଦେବି ବୋଲି ପ୍ରତିଶ୍ରୃତି ଦେଇଛି  ।୨୦୦୦ ମସିହାରେ କମିଟି ପରିବର୍ତନ ହେବାବେଳେ ସେମାନଙ୍କୁ କହିଥିଲି ଯେ,କି ଭଳିଭାବେ ଜମି ରେଜେଷ୍ଟ୍ରି ହେବ କରିବେ ଏବଂ ସଦର ଏମ୍.ପି.  ଦେଇଥିବା ପ୍ରତିଶ୍ରୃତି ଅନୁସାରେ ସମାଧି ପୀଠକୁ ଲଗାଇ କିପରି ମୁଖଶାଳା ନିର୍ମାଣ ହେବ ତାହାକୁ କାର୍ଯ୍ୟକାରୀ କରିବେ । ମୁଖଶାଳା ହୋଇଛି କିନ୍ତୁ ଜମି ରେଜିଷ୍ଟ୍ରି କରିପାରି ନାହାଁନ୍ତି  ।
                                            ଉକ୍ତ ଜମିଜମା ବିଷୟ କମିଟିର କର୍ମକର୍ତା ମାନଙ୍କ ସମେତ ବିଧାୟକ ମହାଶୟଙ୍କୁ ମଧ୍ୟ ବହୁବାର କହିବା ପରେ ବିଧାୟକଙ୍କ ଉପସ୍ଥିତିରେ ୨୦୧୩ ମସିହାରେ ଶତପଥୀ ଅଂଶୀଦାରମାନଙ୍କୁ ଡକାଇ ସମସ୍ତ କର୍ମକର୍ତା ମାନଙ୍କ ଉପସ୍ଥିତିରେ ଶତପଥୀଙ୍କର ୫ରୁ ୩ ଜଣ ଉପସ୍ଥିତ ହୋଇ ବୈଠକରେ ପ୍ରକାଶ କରିଛନ୍ତି କି ଅଳ୍ପ ଦିନ ମଧ୍ୟରେ ସମସ୍ତ ଅଂଶୀଦାରମାନେ ଏକତ୍ରିତ ହୋଇ ରେଜିଷ୍ଟ୍ରି କରିଦେବୁ ବୋଲି ପ୍ରତିଶ୍ରୃତି ଦେବା ସହ ସଭବହିରେ ମଧ୍ୟ ସ୍ବାକ୍ଷର କରିଛନ୍ତି  । ସେହି ସଭାବହିର ନକଲ ବିଷୟରେ ବର୍ତମାନର ସଭାପତି ଶ୍ରି ଗିରିଶ ଚନ୍ଦ୍ର ନାୟକ ଓ ମୁଁ ଉଭୟ ପୂର୍ବର ସଂପାଦକ ଓ ସଭାପତିଙ୍କୁ ଦେବାକୁ କହିବାରୁ,ଯେଉଁଦିନ କେଶବ ଦାସ ଦୁର୍ଘଟଣାରେ ପ୍ରାଣ ହରାଇଲେ ସେମାନେ ଦେବାକୁ ଅମଙ୍ଗ ହେଲେ  । ଏ ହେଉଛି ଆମ ଜାତିର ସହଯୋଗ ମନବୃତି  ।୧୯୮୨-୨୦୦୦ ମସିହା ପର୍ଯ୍ୟନ୍ତ ପ୍ରଗଣା ମାନଙ୍କର ଯେଉଁଭଳି ମାନ ସମ୍ମାନ ଥିଲା ଓ ଭାଇ ବେହେରାମାନେ ଯେଉଁଭଳି ସୁବ୍ୟବହାର ପାଉଥିଲେ ସେସବୁ ୨୦୦୦-୨୦୧୩ ପର୍ଯ୍ୟନ୍ତ ଆଉ ନାହିଁକି ଚିଠି ଖଣ୍ଡେ ମଧ୍ୟ ଦିଆ ଯାଉନାହିଁ ବୋଲି ବହୁ ଅଭିଯୋଗ ଶୁଣିବାକୁ ମିଳୁଥିଲା  । ଏପରିକି କି ମୁଁ ଜଣେ ବରିଷ୍ଠ କର୍ମୀ ହିସାବରେ ମୋତେ ଖଣ୍ଡେ ଚିଠି କିମ୍ବା କୈାଣସି ସୂଚନା ଦିଆଯାଉନାହିଁ  । କେବଳ ନିର୍ଦ୍ଧିଷ୍ଟ ରାଜନୈତିକ ଅନୁଷ୍ଠାନ ଭାବି ବହୁ ମନ୍ତ୍ରୀ, ଏମ.ଏଲ.ଏ, ଅନ୍ୟ ଜାତିର ଲୋକଙ୍କ ସହିତ ମିଶି ଓ ବିଭିନ୍ନ ମେଲୋଡି ପାର୍ଟିଙ୍କୁ ନିମନ୍ତ୍ରଣ କରି ମଉଜ କରିଛନ୍ତି ।
                                   ସନ୍ଥ, ମହନ୍ତ, ବିଭିନ୍ନ ପଦାଧିକାରୀ ଓ ଭାଇବେହେରାମାନଙ୍କୁ ପଛରେ ପକାଇ ଆଗେଇଛନ୍ତି, ଏଥିରେ କୈାଣସି ସନ୍ଦେହ ନାହିଁ  । ଏ ସବୁ ଘଟଣା ଗୁଡିକ ଦେଖି  ଲଜ୍ଜ୍ୟା ଲାଗେ । ସର୍ବୋପରି ମୁଁ ଗୋସ୍ବାମୀ ବାହୁଡା ଦାସଙ୍କ ନିକଟରେ ପ୍ରାର୍ଥନା କରୁଛି କି ଶ୍ରୀ ଗିରିଶ ଚନ୍ଦ୍ର ନାୟକ, ସଭାପତି ଓ ଶ୍ରୀ ଅତୁଲ୍ୟ କୁମାର ନାୟକଙ୍କ ନେତୃତ୍ୱରେ ଯେଉଁ କମିଟି ଗଠନ ହୋଇଛି, ସମସ୍ତ ପ୍ରକାର କଟୁ ମନ୍ତବ୍ୟକୁ ଭୃକ୍ଷେପ ନ କରି ଏ ଜାତିର ପ୍ରଗତି ପଥରେ ଆଗେଇବେ ଓ ସର୍ବୋପରି ଗୁରୁଜନମାନଙ୍କ ମାନ ସମ୍ମାନ ଭାଇବେହେରାଙ୍କର ଉପଯୁକ୍ତ ସମ୍ମାନ ଓ ଅନୁଷ୍ଠାନର ବାକି ରହିଥିବା (ଜମି ରେଜିଷ୍ଟ୍ରି) ଅଧୁରା କାର୍ଯ୍ୟ ସପୂର୍ଣ୍ଣ କରିବେ ଏହି ଆଶା, ବିଶ୍ୱାସ ରଖି ମୋର ଅଭିଜ୍ଞତା କିଛି ଅଂଶ ପ୍ରକାଶ କରି ରହିଲି । ଜୟ ଜଗନ୍ନାଥ ।


ଫୁଲ ନଖରା , କଟକ

ସଃ ମହାତ୍ମା ସୁଦର୍ଲଭ

                                                                                      ବକ୍ରେଶ୍ୱର ଭୋଇ, ସମିତି ସଭ୍ୟ



ବକାରାୟଃ ବ୍ରହ୍ମ ସ୍ବରୁପାୟଃ ଉର୍ଦ୍ଧେ ଚନ୍ଦ୍ରା କୃତିଂ ୟେନ୍ ,
   ବା କାରଂ ସ୍ବୟଂ ସଂଯୁକ୍ତଂ ଯୁକ୍ତେ ବ୍ୟଃବାଡ  ଅବାଡଂ । ।୧ 

ସ୍ବୟଂ ଯୁକ୍ତେନ୍ ହଂକାର ଆତ୍ମା ମେବାକ୍ଷର ,
ହୁ  କାର ଯୋଗ ସଂଜାତ ତେନ । ।୨

ଡା କାର ଡମ୍ବରୁ ଧରାୟତଃ ଦଂଡ ମଂଡନ ଶୋଭିତଂ ,
ବାରି ଭରିଚିତ୍ ଦେବଂ ପ୍ରଣମାମି ପଦାମ୍ବୁଜଂ । ।୩

ଶ୍ରୀ ଶ୍ରୀ ବାହୁଡା ଗୋସ୍ବାମୀ ବଦାମି,
     ଶ୍ରୀ ଶ୍ରୀ ବାହୁଡା ଗୋସ୍ବାମୀ ଭଜାମି । ।୪

ଶ୍ରୀ ଶ୍ରୀ ବାହୁଡା ଗୋସ୍ବାମୀ ସ୍ମରାମିଚ ,
ଶ୍ରୀ ଶ୍ରୀ ବାହୁଡା ଗୋସ୍ବାମୀ ନମାମି । ।୫
                                                                 ବ୍ରାହ୍ମଣ ବାଟୀ  , କଂଟାପଡା

ବାହୁଡି ଆସହେ ବାହୁଡା ଗୋସାଇଁ

                                                                                                                                                                                            ବାବାଜୀ ଭୋଇ

ଶ୍ରାଦ୍ଧ ଦିବସରେ ସମାଧି ପୀଠରେ ହୋଇଅଛୁ ଆମେ ରୁଣ୍ଡ ,
ତୁମ୍ଭରି ଦାୟାଦ ଆହେ ପିତୃ ଦେବ, ଘେନ ଦେଉଅଛୁ ପିଣ୍ଡ ।

ସାମାନ୍ୟ ମାନବ ନ ଥିଲ ତ ତୁମେ ,ନେଇଥିଲ ଅବତାର ,
ଅଲୌକିକ ଶକ୍ତି ଅଧିକାରୀ ଥିଲ, ନାହିଁ ତାର ପଟ୍ଟାନ୍ତର ।

କେତେ କଷ୍ଟ ସହି ଦେଲ ଦିଗ୍ଦର୍ଶନ ସ୍ବଜାତି ଉନ୍ନତି ପାଇଁ ,
ହେ ମହା ମାନବ ଚିର ସ୍ମରଣୀୟ, ପୂଜ୍ୟ ବାହୁଡା ଗୋସାଇଁ ।

ସ୍ବଜାତି ହୋଇବା ପାଇଁ ଶୃଙ୍ଖଳିତ, ଲେଖି ଯେ ନିୟମାବଳୀ ,
ଧନୀ  ମାନୀଙ୍କର ଗର୍ବ ଅହଙ୍କାର, ପାଦେ ଦେଇଥିଲ ଦଳି ।

          ଶେଷେ ତୁମ୍ଭ ପାଦେ କ୍ଷମା ମାଗି ସର୍ବେ, ନତ କରିଥିଲ ଶିର ,
 ତୁମ୍ଭ ସ୍ବରଚିତ ଅମୃତ ବାଣୀ, ରହିଥିବ ଚିରକାଳ ।

ଏକାଧାରେ ତୁମେ ଦିଗ୍ଦର୍ଶକ, ଭକ୍ତ ,କବି,ସଂସ୍କାରକ ,
ତୁମ କର ସ୍ପର୍ଶେ ହେଉଥିଲା ଦୂର, ପ୍ରାଣୀଙ୍କର ରୋଗ ଶୋକ ।

ହେ ମହା ପୁରୁଷ, ତୁମ୍ଭ ଇତିହାସ, ଗାଉଅଛି ତୁମ୍ଭର ଗାଥା ,
ସ୍ମରି ତୁମ କିରତୀ ନତ କରୁ ଆଜି, ତୁମରି ଚରଣେ ମଥା ।

ଯେଉଁଯାଏ  ରହି ଥିବ ସୂର୍ଯ୍ୟ,ଚନ୍ଦ୍ର, ରହିଥିବ ବସୁମତୀ ,
ସେ ଯାଏ ତୁମ୍ଭଙ୍କୁ ହୃଦୟେ ସୁମରି, ପୂଜୁଥିବୁ ଏଇମିତି ।

ଆହେ ପିତୃଦେବ ଦିଅନ୍ତୁ ଆଶୀଷ, ଜଣାଉ କୋଟି ପ୍ରଣାମ ,
ଜନ ସମାଗମ ମୁଖରିତ ହୋଇ, ଉଠୁ ଏ ପବିତ୍ର ଧାମ ।

ଏକ ଭଗବାନ, ଏକ ଏ ମାନବ, ଏକ ଜାତି,ଧର୍ମ, ବର୍ଣ୍ଣ
ଏକତ୍ୱରେ ଲୀନ, ଅଦୈତ ଭିଆଣ; ଧନ୍ୟ ଏ ମାନବ ଜନ୍ମ ।

        ଦେଇ ଏ ବାରତା ଆହେ ମହାମତା, ଜଗତ ମଂଗଳ ପାଇଁ ,
              ଦୀନ ଦୁଃଖୀ ରଙ୍କୀ ,ଧନୀ , ମାନୀ, ଜ୍ଞାନୀ, ସଭିଙ୍କୁ ଚେତାଇ ଦେଇ ।

ଗାଇଲ ତୁମ୍ଭେତ ଜୀବନ ସଙ୍ଗୀତ ,ଜୀବେ ତୁମ୍ଭେ ପାଇ ଭଲ ,
ନର ଦେହ ବହି , ରଖିଲ କିରତୀ ,ରହିଅଛି ଚିର କାଳ ।

ଅନ୍ୟାୟ ,ଦୁର୍ନୀତି ,ପାପ ଭରା ଆସି, ବଢୁଛି ଦିନକୁ ଦିନ ,
ହେଲାଣି ଅସହ୍ୟ ଜିଇଁବେ କିପରି , ନିରୀହ , ସଚ୍ଚୋଟ ଜନ ।

ହେ ତ୍ରାଣ କରତା , ଦିଅ ହେ ବାରତା , ସମାଧୀ ପୀଠରୁ ଉଠି ,
ଯେତେକ କଷଣ ଅଶାନ୍ତି କାରଣ, ଏ ଧରାରୁ ଯାଉ ତୁଟି ।

ବାହୁଡି ଆସହେ ବାହୁଡା ଗୋସାଇଁ , ପ୍ରତି ନାରୀ ,ପ୍ରତି ନରେ ,
ଜଗତ ଜୀବନ ହେଉ ମଧୁମୟ , ତୁମ୍ଭ କୃପା ପରଶରେ ।

                                                       ଶିଶୁଆ, ବାଇରୋଇ ,କଟକ

ଗୁଜୁରାତୀ ଦଳିତ କବିତା : “ଏକ “


                      ମୂଳ ଲେଖା- ଚନ୍ଦୁ ମେହେସାନ୍ୱି
          ପ୍ରଶାନ୍ତ କୁମାର ମହାନ୍ତି  

ସେ ମୋତେ କହିଲା ,ମୁଁ ହେଉଛି ଶୁଦ୍ର ;
ଏଇ କଥା ଜାଣି ମଧ୍ୟ, ଛୁଇଁ ପାରୁଛନ୍ତି ମୋତେ ।

ସୁଲୁ ସୁଲୁ ବହୁଥିବା ବାଆ, ଆଉ ସକାଳର ନରମ ଖରା ,
ଛୁଇଁ ପାରୁଛନ୍ତି ମୋତେ ଫୁଲର ସୁଗନ୍ଧ ,

ଆକାଶର ହସୁଥିବା ,ରୁପେଲି ଚାନ୍ଦର ଚାନ୍ଦିନୀ ।
 ଛୁଇଁ ପାରୁଛନ୍ତି ମୋ ମନକୁ , ଆକାଶରେ ଡେଣା ପିଟା

 ଉଡୁଥିବା ପକ୍ଷୀ ମାନଙ୍କ ମଧୁର କାକଳୀ  , ଅଥଚ ?
ଛୁଇଁବାକୁ ନାରାଜ ମୋତେ ?
କାରଣ, ଜାତି ଶ୍ରେଷ୍ଠ ସେଇମାନେ  !!!


                                                           କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ


                                       ବ୍ରାହ୍ମଣ ସାଇଲୋ , କଟକ-୧୮

ଆତ୍ମା

ପ୍ରଶାନ୍ତ କୁମାର ଭୋଇ

ଇଶ୍ୱରଙ୍କ ଚିରନ୍ତନ ସତ୍ୟ ଅଟେ ଆତ୍ମା ,
ଦେହ ସାଥେ ଆତ୍ମା ମିଶି ମନୁଷ୍ୟ ବ୍ୟବସ୍ଥା ।

ଆତ୍ମା ଅଟେ ଅଣୁଠାରୁ ଅତି କ୍ଷୁଦ୍ରତର
ଜନ୍ମ ଆଉ ମୃତ୍ୟୁ କେବେ ନଥାଏ ଆତ୍ମାର ।

ଆତ୍ମା ଥିଲେ ଶରୀରଟି ଥାଏ ନିରନ୍ତରେ
ଆତ୍ମା ଶୂନ୍ୟ ହେଲେ ଦେହ ମିଶଇ ମାଟିରେ ।

ଆତ୍ମାର ଉଦ୍ଦେଶ୍ୟ ଅଟେ ପବିତ୍ର ଚିନ୍ତନ
ମନକୁ ଦିଏ ସେ ସଦା ଦିଗ୍ ଦର୍ଶନ ।

ହିଂସା ଦ୍ୱେଷ ଆଦି ଯେତେ ରହିଅଛି ପାପ
ନିର୍ବାପିତ କରିଥାଏ ଆତ୍ମାର ପ୍ରଦୀପ ।

ନାସ୍ତିକ ଭାବନା ଅଟେ ଯେଣୁ ଆତ୍ମ ଶତ୍ରୁ
କଳୁଷିତ କରିଦିଏ ପଞ୍ଝ ଇନ୍ଦ୍ରିୟକୁ ।


ଦେହ ପୁଣି ଜନ୍ମ ଲଭେ ଏହି ନର୍କେ ପାଦେ
ଦୁଃଖ ପ୍ରାସ ଭୋଗିଥାଏ ବହୁବାର ହୃଦେ ।

ପୁଣ୍ୟ କାର୍ଯ୍ୟ କଲେ ଆତ୍ମା ହୁଏ ବିକଶିତ
ଶାଶ୍ୱତ ସମ୍ରାଜ୍ୟ ପାଏ ସେହି ହିଁ ସତତ ।

ସା/ପୋ-ପାଟସୁନ୍ଦର ପୁର,କଟକ